Unknown

 

 

 

 

 

 

 

 

 

 

ତାମିଲ୍ ଗଳ୍ପମାଳା

ସଂପାଦକ

ମୀ. ପା. ସୋମସୁନ୍ଦରମ୍‍

ଅନୁବାଦକ

ଚଉଧୁରୀ ହେମକାନ୍ତ ମିଶ୍ର

 

ପ୍ରସ୍ତାବନା

 

ଭାରତ ଏକ ବିଶାଳ ଦେଶ । ସାଂସ୍କୃତିକ ଦୃଷ୍ଟିରୁ ଏକତ୍ୱ ଥିଲେ ବି ଏକତାର ଯେଉଁ ସୂତ୍ରମାନ ତାକୁ ଗୋଟିଏ ଶକ୍ତିଶାଳୀ ଓ ପ୍ରଗତିଶୀଳ ରାଷ୍ଟ୍ରଭାବେ ଗଢ଼ି ପାରିବେ, ସେସବୁକୁ ଆହୁରି ମଜବୁତ୍‌ କରିବାକୁ ହେବ ।

 

ଆମ ଭାରତବର୍ଷ ଏକ ବହୁଭାଷୀ ଦେଶ । ପୃଥିବୀରେ ବୋଧହୁଏ ଆମ ଦେଶପରି ଏତେଗୁଡ଼ାଏ ଭାଷା କୋଉଠି ହେଲେ ଦେଖିବାକୁ ମିଳିବନି; କିନ୍ତୁ ଦୁର୍ଭାଗ୍ୟର କଥା ଏହି ଯେ ପଡ଼ିଶା ରାଜ୍ୟମାନଙ୍କର ଭାଷା ପ୍ରତି ଆମ ଭିତରେ ଖୁବ୍‌ କମ୍‌ ଆଗ୍ରହ ଦେଖିବାକୁ ମିଳିଥାଏ । ସେମାନଙ୍କର ସାଂସ୍କୃତିକ ତଥା ସାହିତ୍ୟିକ ସମ୍ପଦ ବିଷୟରେ ଜ୍ଞାନ ତ ଆମର ଆହୁରି କମ୍‌ । ଇଂରାଜୀ, ଫରାସୀ, ଜର୍ମାନ ଆଦି ୟୁରୋପୀୟ ସମାଜ ଓ ଭାଷାମାନଙ୍କର ସାହିତ୍ୟ ବିଷୟରେ ଯେତେ ଜ୍ଞାନ ଆମର ଅଛି, ସେତକ ନିଜ ଦେଶର ସମାଜ ଓ ସାହିତ୍ୟ ବିଷୟରେ ନାହିଁ ।

 

ଦେଶର ଭାବଗତ ଓ ସାଂସ୍କୃତିକ ଏକତା ଲାଗି ଆବଶ୍ୟକ ହେଉଛି ଆମର ନାଗରିକଗଣ ଦେଶର ବିଭିନ୍ନ ଭାଷାର ଶ୍ରେଷ୍ଠ ସାହିତ୍ୟ ରଚନାମାନଙ୍କ ସଙ୍ଗେ ଭଲରକମ ପରିଚିତ ହୁଅନ୍ତୁ ଏବଂ ସେହି ମାଧ୍ୟମରେ ଭିନ୍ନ ଭିନ୍ନ ରାଜ୍ୟର ଜୀବନଯାତ୍ରା, ଆଚାର-ବ୍ୟବହାର ଓ ସଂପୂର୍ଣ୍ଣ ସଂସ୍କୃତି ବିଷୟରେ ଜାଣନ୍ତୁ ।

 

ପାଶ୍ଚାତ୍ୟ-ଜଗତରେ କେତେଗୁଡ଼ିଏ ରାଷ୍ଟ୍ର ଅଛନ୍ତି; ସମସ୍ତଙ୍କର ନିଜର ଅଲଗା ଭାଷା ରହିଛି । ତଥାପି ସେଠିକା ଲୋକେ ପରସ୍ପରର ସାହିତ୍ୟ ଓ ଚିନ୍ତାଧାରର ଯେତେ ଗଭୀର ଓ ବ୍ୟାପକ ଜ୍ଞାନ ଅର୍ଜନ କରନ୍ତି ସେତକ ଆମର ନିଜ ଭାଷା ବିଷୟରେ ବି ନାହିଁ; ଏହା ଏକ ବିଚିତ୍ର ବିରୋଧାଭାସ । ୟୁରୋପରେ ଯେକୌଣସି ଭାଷାର ଯେକୌଣସି ଶ୍ରେଷ୍ଠ ପୁସ୍ତକକୁ ପ୍ରତ୍ୟେକ ଭାଷାରେ ଯଥାଶୀଘ୍ର ଅନୁବାଦ କରିଦିଆଯାଏ । ଭାରତ ଗୋଟିଏ ବହୁଭାଷୀ ଦେଶ; କିନ୍ତୁ ଆମେ ଦେଖିବାକୁ ପାଉଁ ଯେ ଆମ ଭିତରେ ପଡ଼ୋଶୀ ଭାଷା ଭିତରେ କଣ କଣ ହେଉଛି, ତାହା ବି ଜାଣିବାର କୌତୂହଳ ନାହିଁ । ଏ ଅବସ୍ଥା ବଦଳୁଛି ସତ; କିନ୍ତୁ ଅତି ଧୀରଗତିରେ ।

 

ଏହି ଅବସ୍ଥାକୁ ବିଚାରକରି ଭାରତ ସରକାର ପ୍ରତ୍ୟେକ ଭାରତୀୟ ଭାଷାର ସମକାଳୀନ ସାହିତ୍ୟରୁ ବଛା ବଛା ପୁସ୍ତକମାନଙ୍କୁ ଅନ୍ୟ ସବୁ ଭାଷାରେ ଅନୁବାଦ କରାଇବାର ଯୋଜନା କରିଛନ୍ତି । ଏହି ଯୋଜନା ଭିତରେ ଏପରି ପୁସ୍ତକ ବାଛିବାକୁ ହେବ ଯାହା କି ପାଠକ-ସାଧାରଣଙ୍କ ଲାଗି ରୁଚିକର ହେବ; ଅର୍ଥାତ୍‌ ଗଳ୍ପ, ଉପନ୍ୟାସ, ମନୋରଞ୍ଜକ ଭ୍ରମଣବୃତ୍ତାନ୍ତ ବା ଆତ୍ମଜୀବନୀ ଆଦି । ଏହି ଯୋଜନା ମଧ୍ୟରେ ପୁସ୍ତକ ନିର୍ବାଚନ କରିବାବେଳେ ମନେରଖିବାକୁ ହେବ ଯେ ଯେଉଁ ପୁସ୍ତକ ନିଆଯିବ ସେଗୁଡ଼ିକ ଉତ୍କୃଷ୍ଟ ଓ ଲୋକପ୍ରିୟ ହୋଇଥିବେ, ଆଉ ତା ସଙ୍ଗେ ସେଠାକାର ସମାଜର ଚାଲିଚଳଣି, ତାର ଚିନ୍ତାଧାରା ଓ ଆଶା-ଆକାଙ୍‌କ୍ଷାକୁ ପ୍ରତିବିମ୍ବିତ କରୁଥିବେ ।

 

ଆଶା କରାଯାଏ ଯେ ଏହି ଯୋଜନା ବିଭିନ୍ନ ଭାଷାମାନଙ୍କ ଭିତରେ ପରସ୍ପର ବିଷୟରେ ଅଧିକ ଜ୍ଞାନ, ବୁଝାମଣା ଓ ଚିନ୍ତାତ୍ମକ ଏକତା ସୃଷ୍ଟି କରିବା ଦିଗରେ ବହୁଦୂରଯାକେ ସହାୟକ ହେବ ।

 

ବିଭିନ୍ନ ଭାରତୀୟ ଭାଷାମାନଙ୍କର ପ୍ରଧାନ କୃତିମାନଙ୍କୁ ବାଛି ଅନୁବାଦ କରିବା କିଛି ସହଜ କାମ ନୁହେଁ । ଆମେ ନିଜର ପରାମର୍ଶଦାତା ସମିତି ଓ ଅନୁବାଦକମାନଙ୍କଠାରେ କୃତଜ୍ଞ; କାରଣ ସେମାନଙ୍କର ପଥପ୍ରଦର୍ଶକ ଓ ସହଯୋଗ ବ୍ୟତିରେକେ ଏ ପ୍ରକାର ଯୋଜନାଟି ସଫଳଭାବେ କାର୍ଯ୍ୟକାରୀ କରିବା ସମ୍ଭବପର ହୋଇପାରି ନଥାନ୍ତା ।

 

ବାଳକୃଷ୍ଣ କେଶ୍‌କର

Image

 

ଭୂମିକା

 

ବିଶ୍ୱର ସକଳ ଭାଷାରେ ଆଜି ଗଳ୍ପସାହିତ୍ୟ ଅତ୍ୟଧିକ ପ୍ରାଧାନ୍ୟ ଲାଭ କରିଛି । ଲୋକମାନେ ତାହାର ସମୃଦ୍ଧି ଉପରେ ବିଶେଷ ଆଗ୍ରହ ପ୍ରକାଶ କରୁଛନ୍ତି । ତାର ପ୍ରଧାନ କାରଣ ଏଇ ଯେ ଗଳ୍ପ ଯୁଗଧର୍ମର ଏକ ମୁଖ୍ୟ ଅଙ୍ଗ ହୋଇ ସତତ ବିକାଶଶୀଳ ନୂଆ ଯୁଗର ସାହିତ୍ୟକୁ ସମୃଦ୍ଧ କରି ଚାଲିଛି ।

 

ଅନ୍ୟ ଭାରତୀୟ ଭାଷା ସଙ୍ଗେ ତାଳ ରଖି ଆଜି ତାମିଲ ଗଳ୍ପ ମଧ୍ୟ କ୍ଷିପ୍ରଗତିରେ ବିକାଶ ଲାଭ କରୁଅଛି । ଏହା ଅବଶ୍ୟ ସତ୍ୟ ଯେ ତାମିଲରେ ଗଳ୍ପକଳାର ଉଦୟ ହୋଇଥିଲା ମୌଖିକ ସାହିତ୍ୟ-ପରମ୍ପରାରୂପେ ଅନେକ ବର୍ଷ ଆଗରୁ ଏବଂ ଏହିରୂପେ ତାହା କେତେ ବର୍ଷଧରି ତାମିଲନାଡ଼ୁର ଘରମାନଙ୍କରେ, ଚୌପାଳମାନଙ୍କରେ, ସହରମାନଙ୍କରେ ତଥା ସାହିତ୍ୟିକ ସଭାମାନଙ୍କରେ ଶୁଣାଇବା ଯୋଗ୍ୟ ଶିଳ୍ପ ହିସାବରେ ବିକାଶ ଲାଭ କରୁଥିଲା । ବର୍ତ୍ତମାନ ତାମିଲ୍‌ ଗଳ୍ପ-ସାହିତ୍ୟ ଉପରେ ପାଶ୍ଚାତ୍ୟ ପ୍ରଭାବ ସୁସ୍ପଷ୍ଟ । ପାଶ୍ଚାତ୍ୟ ପ୍ରଭାବ ହେତୁ ହିଁ ଆଜି ତାମିଲରେ ନୂଆ ନୂଆ ରୂପ ଏବଂ ଆକାର, ନୂଆ ଚିନ୍ତାଧାରା ନେଇ, ପୁଣି ନୂଆ ରୀତିରେ ଅସଂଖ୍ୟ ଗଳ୍ପ ରଚିତ ହେଉଅଛି ।

 

କିଛିଦିନ ଆଗରୁ ଗୋଟିଏ ପ୍ରସିଦ୍ଧ ସାହିତ୍ୟିକ ସଂସ୍ଥା ସୁମାରୀ କରି ନିଷ୍କର୍ଷ ବାହାର କରିଥିଲା ଯେ ତାମିଲ ଭାଷାରେ ଫି’ ବର୍ଷ ହଜାରେରୁ ବେଶୀ ଗଳ୍ପ ପ୍ରକାଶିତ ହୁଏ । ଏହି ସଂଖ୍ୟା ଯେ ଖୁବ୍ ବେଶୀ ଏଥିରେ ସନ୍ଦେହ ନାହିଁ, କିନ୍ତୁ ସ୍ପଷ୍ଟତଃ ଏଥିରୁ କେବଳ କିଛି କିଛି ଗଳ୍ପ ହିଁ ସ୍ଥାୟୀ ମହତ୍ତ୍ୱ ଅର୍ଜନ କରିଥିବେ ।

 

ଫି ବର୍ଷର ପ୍ରକାଶିତ ହଜାର ହଜାର ଲେଖା ଭିତରୁ ଗଲା ତିରିଶ ଚାଳିଶ ବର୍ଷ ଭିତରେ ବାହାରିଥିବା ଗଳ୍ପ ଭିତରୁ କୋଡ଼ିଏଟି ସର୍ବଶ୍ରେଷ୍ଠ ଗଳ୍ପର ସଞ୍ଚୟନ କରିଦେବା କିଛି ସହଜ କଥା ନୁହେଁ । ଏକଥା ସ୍ୱୀକାର କରିବାକୁ ହେବ ଯେ ଏହି କୋଡ଼ିଏଟି ଗଳ୍ପର ସଂଗ୍ରହ ଭିତରେ ଅନେକ ଉତ୍ତମ ଲେଖକ ଓ ତାଙ୍କର ଭଲ ଭଲ ଲେଖା ସ୍ଥାନ ପାଇପାରିନାହାନ୍ତି । ଗୋଟିଏ ସ୍ତରର ଦୁଇଟି ଗଳ୍ପ ଭିତରୁ କାହାକୁ ବିଛାଯିବ, କାହାକୁ ବଛା ନ ଯିବ ଠିକ୍ କରିବା ବି ସହଜ କଥା ନଥିଲା ।

 

ଏହି ସଂଗ୍ରହର କୋଡ଼ିଏଟି ଗଳ୍ପର ଚୟନ କରିବା ଲାଗି ମୁଁ ବେଶ୍ କିଛି ପରିଶ୍ରମ କରିଅଛି । ପ୍ରଫେସର କେ. ସ୍ୱାମୀନାଥନ୍ ଓ ଡକ୍‌ଟର୍‌ ମୁଁ ବରଦରାଜନ୍‍ଙ୍କର ପରାମର୍ଶରୁ ମତେ ଅନେକ ସାହାଯ୍ୟ ମିଳିଅଛି ଏବଂ ଏହି ଅନୁଯାୟୀ ମୁଁ ନିଜେ ବାଛିଥିବା କେତେକ ଗଳ୍ପକୁ, ବାହାର କରିଦେଇ ଆଉ ନୂଆ ଗପ ବି କିଛି କିଛି ଯୋଡ଼ିଛି । ଏତେ କଥା କରି ମଧ୍ୟ ସ୍ୱୀକାର କରିବାକୁ ପଡ଼ିବ ଯେ, ଏହ କୋଡ଼ିଏଟି ଗଳ୍ପ ଭିତରେ ତାମିଲ ଭାଷାର ସବୁ ପ୍ରତିନିଧି ଗଳ୍ପମାନ ଆସିପାରି ନାହାନ୍ତି । ଆଶାକରେଁ, ଦ୍ୱିତୀୟ ଗଳ୍ପ ସଂଗ୍ରହର ପ୍ରକାଶନ ହେଲେ ଏହି ଅଭାବ କିଛିଟା ପୂରଣ ହେବ ଏବଂ ଦୁଇଟିଯାକ ଗଳ୍ପ ସଂଗ୍ରହ ମିଶି ତାମିଲ ସାହିତ୍ୟର ପ୍ରକୃତ ପ୍ରତିନିଧିତ୍ୱ କରି ପାରିବେ ।

 

ସ୍ଥାନ, ସଂଖ୍ୟା ଏବଂ ଗଳ୍ପର ସୀମିତ ଆକାରକୁ ଦୃଷ୍ଟିରେ ରଖି ସଂଗ୍ରହ କରିବାକୁ ପଡ଼ିଥିବାରୁ, ଇଚ୍ଛା ସତ୍ତ୍ୱେ କେତେକ ଗଳ୍ପ ଏଥିରେ ଦେଇପାରିଲେ ନାହିଁ; ତଥାପି ମୋ ମତରେ ଏଥିରେ ସନ୍ନିବେଶିତ ପ୍ରତ୍ୟେକ ଗଳ୍ପ ଉଚ୍ଚକୋଟୀର । ଗଳ୍ପର ସ୍ତର ବିଷୟ କହିଲାବେଲେ ଆଉ ଗୋଟିଏ ବିଷୟ ଅବତାରଣା କରିବାକୁ ପଡ଼ୁଛି । ନ୍ୟାସନାଲ ବୁକ୍ ଟ୍ରଷ୍ଟର ଅଧ୍ୟକ୍ଷ ଡକ୍‌ଟର ବାଳକୃଷ୍ଣ କେଶ୍‌କର ଏହିପ୍ରକାରର ସଂଗ୍ରହ ବିଷୟରେ ଆଲୋଚନା କରି ଏକ ମୁଖ୍ୟ ତଥ୍ୟ ପ୍ରତି ଆମର ଦୃଷ୍ଟି ଆକର୍ଷଣ କରିଛନ୍ତି । ସେ କହିଛନ୍ତି, ଏପ୍ରକାର ଗଳ୍ପ ସଂଗ୍ରହକୁ ଅନ୍ୟ ଭାଷାରେ ପରିବେଷଣ କରିବାକୁ ହେଲେ ସାହିତ୍ୟିକ ଦୃଷ୍ଟିରୁ ସବୁଠାରୁ ବଡ଼ କଥା ହେଉଛି ଗଳ୍ପମାନ ଯଥେଷ୍ଟ ଉଚ୍ଚକୋଟୀର ହେବା ସଙ୍ଗେ ସଙ୍ଗେ ଅନ୍ୟ ଭାଷାରେ ଅନୂଦିତ ହେବା ଯୋଗ୍ୟ ହୋଇଥିବେ । ଯଦି ଏହି ଗଳ୍ପ ସଂଗ୍ରହ ମାଧ୍ୟମରେ ଅନ୍ୟାନ୍ୟ ଭାଷାଭାଷୀମାନେ ତାମିଲନାଡ଼ୁର ଲୋକମାନଙ୍କର ରୀତିନୀତି, ବିଚାରଧାରା, ଅନୁଭୂତି ଓ ପରମ୍ପରାଗତ ସଂସ୍କାରଗୁଡ଼ିକୁ ଜାଣିପାରିବେ, ତାହେଲେ ଆନନ୍ଦର କଥା ହେବ । ତାଙ୍କର ଏହି ସାରକଥାର ମର୍ମ ବୁଝି, ପୁଣି ଜାତୀୟ ଏକତାର ଦୃଷ୍ଟିଭଙ୍ଗୀଟିକୁ ମନରେ ରଖି ମୁଁ କେତେକ ଗଳ୍ପ ବିଶେଷଭାବେ ଏହି ସଂଗ୍ରହ ଲାଗି ବାଛିଛି ।

 

ଏହି କୋଡ଼ିଏ ଜଣ ଗଳ୍ପକାରଙ୍କ ବିଷୟରେ ଅନ୍ୟାନ୍ୟ ଭାଷାଭାଷୀ ଲେକେ ଅଳ୍ପ ବହୁତ ଜାଣନ୍ତୁ, ଏହି ଦୃଷ୍ଟିରୁ ଏହି ପୁସ୍ତକର ଶେଷ ଭାଗରେ ଲେଖକମାନଙ୍କର ସଂକ୍ଷିପ୍ତ ପରିଚୟ ମଧ୍ୟ ଦିଆଯାଇଛି । ମୋର ଦୃଢ଼ ବିଶ୍ୱାସ, ତାମିଲନାଡ଼ୁର ଲେଖକମାନେ ସାମାଜିକ ଗଠନ, ସାଂସ୍କୃତିକ ଗୌରବ, ଭାଷାଗତ ପରମ୍ପରା, ତାମିଲନାଡ଼ୁ ବାସୀଙ୍କର ସୁପ୍ରାଚୀନ ପ୍ରଥାମାନ, କଳାଗତ ପରମ୍ପରାମାନଙ୍କର ସୁନ୍ଦର ଚିତ୍ର ତଥା ଜୀବନଦର୍ଶନ ସମ୍ବନ୍ଧୀୟ ଚିନ୍ତାଧାରଗୁଡ଼ିକ ନିଜର କଲମମୁନରେ କିଭଳି ବ୍ୟକ୍ତ କରିଛନ୍ତି ଏହା ମଧ୍ୟ ଏହି ସଂଗ୍ରହ ଉତ୍ତମରୂପେ ସ୍ପଷ୍ଟ କରିଦେବ ।

 

ଯଦି ଏହି ସଂଗ୍ରହ ଅନ୍ୟାନ୍ୟ ଭାଷାଭାଷୀଙ୍କ ମଧ୍ୟରେ, ତାମିଲ ଗଳ୍ପର ସମୃଦ୍ଧିର ପରିଚୟ ଦେବା ସଙ୍ଗେ ସଙ୍ଗେ ତାମିଲରେ ଲିଖିତ ଅନ୍ୟାନ୍ୟ ଗଳ୍ପ ପାଠକରିବାର ଆଗ୍ରହ ଜନ୍ମାଇପାରେ, ମୋ ପରିଶ୍ରମ ସାର୍ଥକ ହେବ । ମୋର ଧାରଣା, ଏହି ଦୃଷ୍ଟିରୁ ସଂଗ୍ରହଟି ଜାତୀୟ ଏକତାର ବିଚାରଧାରା ବୁଝାଇବାରେ ଏକ ଉତ୍ତମ ସୋପାନ ବୋଲି ପ୍ରମାଣିତ ହେବ ।

 

ଏହି ମହତ କାର୍ଯ୍ୟରେ ମତେ ଯେଉଁ ଅନ୍ୟାନ୍ୟ ଭାଷାଭାଷୀ ଭାଇଙ୍କର ପ୍ରେରଣା ଓ ସହଯୋଗ ମିଳିଛି ସେମାନଙ୍କ ପ୍ରତି ମୁଁ କୃତଜ୍ଞ ଏବଂ ସେମାନଙ୍କୁ ମୁଁ ହାର୍ଦ୍ଦିକ ଧନ୍ୟବାଦ ଦେଉଅଛି ।

 

ମାଡ୍ରାସ

ମୀ.ପ. ସୋମସୁନ୍ଦରମ୍‌

୧୯୭୦

 

Image

 

ବିଷୟ ସୂଚୀ

 

 

ଭୂମିକା

 

୧.

ଦେବାନୈ

ରାଜାଜୀ

୨.

ଶାପ-ବିମୋଚନ

ପୁଦୁମୈପିତ୍ତନ

୩.

ଟିକିଏ ଆଲୁଅ

କୁ. ପା. ରାଜଗୋପାଲନ୍

୪.

ପଇସା ରହିଗଲା

ବି.ଏସ୍. ରାମୟ୍ୟା

୫.

ଚେତନାର ଦ୍ୱାରରେ

ମୌନୀ

୬.

ମୁଦି

ତ. ନା. କୁମାରସ୍ୱାମୀ

୭.

ସେମାନେ ପଶୁ ନୁହନ୍ତି

ଏମ୍.ପୀ. ପୈରିୟସାମୀ ତୁରନ୍

୮.

ଶଗଡ଼

ତି. ଜ. ରଙ୍ଗନାଥନ୍

୯.

ଆଙ୍ଗୁଠି

ତି. ଜାନକୀରାମନ୍

୧୦.

‘ବାପା ନ ଆସନ୍ତୁ’

ଆର୍. ବୈଙ୍କଟରାମନ୍

୧୧.

ଦିବାସ୍ୱପ୍ନ

ଏଲ୍. ଏମ୍. ରାମାମୃତମ୍

୧୨.

ଖତଗଦାରେ ପଦ୍ମ

ରଘୁନାଥନ୍

୧୩.

ମୌନ ବି ଗୋଟିଏ ଭାଷା

ଡା. ଜୟକାନ୍ତନ୍

୧୪.

ଶବ୍ଦ ! ଶବ୍ଦ ! ଶବ୍ଦ !

ରାଜମ କୃଷ୍ଣନ୍

୧୫.

କୁମାରପୁରମ୍ ଷ୍ଟେସନ୍

କୁ. ଅଲଗିରିସାମୀ

୧୬.

ଆରାଧନା

ନ. ପିଚ୍ଚମୂର୍ତ୍ତି

୧୭.

ବର୍ଷାରୁ ରକ୍ଷା ପାଉ ପାଉ

ଅଖିଲନ୍

୧୮.

ଧନକୋଟିର ଇଚ୍ଛା

କଲ୍‌କି

୧୯.

ସତ ପାଇଁ ମୁହୂର୍ତ୍ତେ

ନା. ପାର୍ଥସାରଥୀ

୨୦.

ଝରଣାକୂଳେ

ସୋମୁ

 

ଲେଖକ ପରିଚିତ

 

Image

 

ଦେବାନୈ

 

ରାମନାଥ ଅୟର୍ ଓ ତାଙ୍କ ସ୍ତ୍ରୀ ସୀତାଲକ୍ଷ୍ମୀ ନିଜ ମୋଟର ଗାଡ଼ିରେ ‘ଚାଇନା ବଜାର’ ଯାଇ କିଛି ଜିନିଷ କିଣିଲେ । ସେଇଠିକାର ଗୋଟିଏ ରେସ୍ତୋରାଁରେ ଜଳଖିଆ କରିସାରି ସେମାନେ ପୁଣି ନିଜ ଗାଡ଼ିରେ ଆସି ବସିଲେ । ରାମନାଥ ଅୟର୍ ପଚାରିଲେ, ‘‘ସମୁଦ୍ରକୂଳକୁ ଯିବା-?’’

 

‘‘ସମୁଦ୍ରକୂଳକୁ ? ହଉ ଚାଲ । ଗାଡ଼ିକି ଏମିତି ଜାଗାରେ ଠିଆ କରିବାକୁ କହିବ ଯୋଉଠି ଭିଡ଼ ନ ଥିବ । ଗହଳି ମତେ ଭଲ ଲାଗେନା । ଏଇ ଦେଖମ ଦେଖମ ଖେଳନାବାଲା ! ଗୋଟିଏ ଦିଓଟି କିଣି ଦିଅ ପିଲାଙ୍କ ପାଇଁ ନେଇଯିବା....’’

 

ସୀତାଲକ୍ଷ୍ମୀଙ୍କ କଥା ସରିନି, ଯେମିତି ତାଙ୍କ ମନକଥା ବୁଝି ଖେଳନାବାଲାଟା ଗାଡ଼ି ପାଖକୁ ଚାଲିଆସିଲା । ଗାଡ଼ିରେ ବସିରହି ସେ ମାଲ ମୂଲେଇ କରି କିଛି ଜିନିଷ କିଣିନେଲେ । ସେତିକିବେଳେ ଗାଡ଼ିର ଅନ୍ୟ ଦରଜାଟି ପାଖକୁ ଆସିଲା ଗୋଟିଏ ଯୁବତୀ ଭିକାରୁଣୀ । ସେ ନିଜର କୋଳର ପିଲାଟିକି ଦେଖାଇ ଦେଖାଇ କହିଲା, ‘‘ବାବୁ, ଦୟା କର । ମା ସାନ୍ତାଣୀ, ପିଲାଟା ଆଡ଼କୁ ଥରେ ଚାହିଁ ଦେଖ !’’

 

ଏଣେ ରାମନାଥ ଅୟର୍ ପଚାରିଲେ, ‘‘ସବୁତକ ଖେଳନା ଜାପାନୀ ତ ?’’

 

ବେପାରୀ ଜବାବ ଦେଲା, ‘‘ଜାପାନୀ ନୁହେଁ ତ ଆଉ କୋଉଠିକାର ? ଆମ ଦେଶରେ ଏତେ ସୁନ୍ଦର ଖେଳନା କୋଉଠି ତିଆରି ହଉଛି ବାବୁ ?’’

 

ଭିକାରୁଣୀଟା ପୁଣି ମାଗିଲା ।

 

ସୀତାଲକ୍ଷ୍ମୀ କହିଲେ, ‘‘କିଣାବିକା ବେଳକୁ ଏଇ ପାଜିଟା କୁଆଡ଼ୁ ଚାଲି ଅଇଲା ? ଏ ସହରରେ ଭିକାରିଗୁଡ଼ାକ ଭାରି ହଇରାଣ କରୁଛନ୍ତି ।’’

 

‘‘ଭୋକ ହଉଚି ମା ସାନ୍ତାଣୀ ! ଇଆଡ଼େ ଥରେ ଚାହଁ ମା, ତମେ ରାଜରାଣୀ ହୋଇଥା,’’ ଭିକାରୁଣୀଟି କହିଲା ।

 

‘‘ଯାଉଚି ନା ପୁଲିସବାଲାକୁ ଡାକିବି’’ କହି ସୀତାଲକ୍ଷ୍ମୀ ତାକୁ ଧମକ ଦେଲେ ।

 

‘‘ମା ସାନ୍ତାଣୀ, ଛୁଆଟା ଦୁଧଟୋପେ ନ ପାଇ ଅଥୟ କରୁଛି, ଅଣେ ପଇସା ଦିଅ ମା ! ରଜାବାବୁ, ତମେ କେତେ ପଇସା ଏମିତି ଖର୍ଚ୍ଚ କରି ଦେଉଥିବ ।’’

 

ତା’ କଥାଆଡ଼କୁ କାନ ନ ଦେଇ, ଦରଦାମ୍ ଠିକ୍ କରି କିଣା ଜିନିଷଗୁଡ଼ିକୁ ଗାଡ଼ିରେ ରଖୁ ରଖୁ ରାମନାଥ ଅୟର୍ କହିଲେ, ‘‘ଗାଡ଼ି ଚଲା–ସମୁଦ୍ରକୂଳ ଆଡ଼େ ଚାଲ୍ ।’’

 

ଡ୍ରାଇଭର ଭିକାରୁଣୀକୁ ଗାଡ଼ିଠାରୁ ଦୂରକୁ ଯିବାକୁ କହି ଗାଡ଼ି ଚଳେଇ ଦେଲା ।

 

‘‘ବାବୁ ! ବାବୁ ! ଡାକି ଡାକି ଗାଡ଼ିକି ଧରି ଧରି ଭିକାରୁଣୀ କିଛି ଦୂରଯାକେ ଦଉଡ଼ିଲାଗିଲା ।’’

 

‘‘ଦଉଡ଼ୁ ନା, ମରିଯିବୁ !’’ ରାମନାଥ ଅୟର୍ ତାକୁ କହିଲେ । ସେତିକିବେଳେ ତାଙ୍କ ଆଖି ସେହି ଭିକାରୁଣୀଟିର ମୁହଁରେ ପଡ଼ିଲା । ତାଙ୍କୁ ଲାଗିଲା ଯେ ସେ କୋଉଠି ତାକୁ ଦେଖିଛନ୍ତି ।

 

ଗାଡ଼ି ବେଗେ ଚାଲିଲା । ସେ କହିଲେ, ‘‘ଆହା ବିଚାରୀ ! ଛୋଟ ଝିଅଟା ! ତା’ ମୁହଁକୁ ଦେଖି ଲାଗୁଚି ଆମ ଆଡ଼ର ।’’

 

‘‘ଯୋଉ ଆଡ଼ର ହଉ, ସେ ପାଜିଟା ସାଙ୍ଗରେ ଆମର କଣ ଅଛି ?...ସେଟା କଣ ଗୋଟାଏ ନୂଆ ଜିନିଷଟା ! ଉଡ଼ାଜାହାଜ ନା କଣ ? ମତେ ଦିଅ ତ ଟିକିଏ, ମୁଁ ବି ଦେଖେଁ । ଏଇଟା ଚାବିରେ ଚାଲିବ ନା ଏଇମିତି ଖେଳନାଟାଏ ?’’ କହି କହି, ସୀତାଲକ୍ଷ୍ମୀ ଗୋଟି ଗୋଟି କରି ଖେଳନାଗୁଡ଼ିକ ଖୋଲି ଦେଖିବାକୁ ଲାଗିଲେ ଆଉ ସେମାନେ ସମୁଦ୍ରକୂଳରେ ପହଞ୍ଚିଗଲେ ।

 

 

ସେଲମ୍‌ର ପୋନ୍ନମ୍ମାପେପ୍‌ଟ୍ଟେର ପେରିଅଣ୍ଣା ମୁଦଲୀ ନାମକ ଗଳିରେ ଦରିଦ୍ର ତନ୍ତୀ ପରିବାରଟିଏ ଥାଏ । ସେ ଘରେ ତିନିଜଣ–ତିରିଶ ବର୍ଷ ବୟସର ବୈୟାପୁରୀ, ତାର ଅବିବାହିତା ଭଉଣୀ ଦେବାନୈ ଯାହାର ବୟସ କୋଡ଼ିଏ, ଆଉ ତାଙ୍କ ମାଆ ପଲନିୟମ୍ମାଲ୍ । ଏଇ ତିନିହେଁ ଲୁଗା ବୁଣିବାର କୁଳ ବେଉସା କରି ଅତି କଷ୍ଟରେ ଜୀବନଯାପନ କରୁଥାନ୍ତି । ଦିନସାରା ଖଟି ଖଟି ତିନିହେଁ ମିଳି ସପ୍ତାହକୁ ଚାରି ଟଙ୍କା ରୋଜଗାର କରୁଥିଲେ ।

 

ଆସ୍ତେ ଆସ୍ତେ ହାତବୁଣା ଲୁଗାର ଚାହିଦା କମିଗଲା ଆଉ ତା’ ସଙ୍ଗେ ତାଙ୍କର ମଜୁରି ବି କମିଗଲା । ଏହାପରେ ଏମିତି ଅବସ୍ଥା ହେଲା ଯେ ମଜୁରି ନ ପାଇ ଲୋକେ ଅତି ଦୁଃଖରେ ଦିନ କାଟିଲେ । ସେଲମ୍‌ରେ କେତେ ତନ୍ତ ବନ୍ଦ ହୋଇଗଲା, ତା ସଙ୍ଗେ ବୈୟାପୁରୀର ତନ୍ତଟି ବି ବନ୍ଦ ହୋଇଗଲା । ଦେବାନୈ ଦୁଇଜଣ ବ୍ରାହ୍ମଣ ଅଫିସରଙ୍କ ଘରେ ସଫାସଫି ଆଦି ଛୋଟ କାମ ଗଲା । ଏଥିରୁ ତାକୁ ମାସିକ ତିନିଟଙ୍କା ମିଳିଯାଉଥିଲା । ତା’ ମାଆ ପଲନିୟମ୍ମାଲ୍ ମଧ୍ୟ ଜଣଙ୍କ ଘରେ ସଫାସଫି କରି ମାସକୁ ଟଙ୍କାଏ କମେଇଲା । ବୈୟାପୁରୀ ଚାକିରି ଲାଗି ମିଲ୍‌ମାଲିକଙ୍କ ପାଖକୁ ଦଉଡ଼ିଲା । ଏଇମିତି ଦିନାକେତେ ଗଲା, ତାକୁ କୋଉଠି ହେଲେ ଚାକିରି ମିଳିଲାନି । ତେଣୁ ସେ ମାଆକୁ କହି ବାଙ୍ଗାଲୋର ଚାଲିଗଲା । ସେଠି କେଉଁ ମିଲ୍‌ରେ ଚାକିରି କରିବା ଉଦ୍ଦେଶ୍ୟରେ ସେଲମ୍‌ର ବୈଶ୍ୟ ପରିବାରର କେତେ ଲୋକ ତା ସାଥିରେ ଯାଇଥିଲେ ।

 

ବାଙ୍ଗାଲୋରରେ ପହଞ୍ଚି କିଛିଦିନ ଏଠିସେଠି ବୁଲିବା ପରେ ବୈୟାପୁରୀ ଚିଠି ଲେଖିଲା ଯେ ତାକୁ ଗୋଟିଏ ମିଲ୍‌ରେ ଚାକିରି ମିଳିଯାଇଛି । ବୈୟାପୁରୀକୁ ଲେଖିପଢ଼ି ଆସେ । ପିଲାଦିନେ ତା ବାପ ତାକୁ ପୋନ୍ନମ୍ମାପେପ୍‌ଟ୍ଟୈର ସରକାରୀ ସ୍କୁଲରେ ନାଁ ଲେଖାଇ ଦେଇଥିଲା । ସେକାଳେ ତନ୍ତୀଙ୍କର ଏତେ ଦୁଃଖକଷ୍ଟ ନ ଥିଲା ।

 

‘‘ଢେର୍ କଷ୍ଟ ସହି, କେତେ ଲୋକଙ୍କୁ ଘୁଷ୍ ଦେଇ, ଶେଷକୁ ମୁଁ ଗୋଟିଏ ମିଲ୍‌ରେ ଚାକିରି ପାଇଛି । ଦିନକୁ ଆଠଣା ମଜୁରି ମିଳେ । ମାସକୁ ଛବିଶ ଦିନ କାମ କରିବାକୁ ପଡ଼େ । ଏଇ ହିସାବରେ ମାସକୁ ମିଳିବ ତେରଟଙ୍କା । ଏ ମାସର ଦରମାଟା ଖାଇପିଇ ଦେଣା ସୁଝି ସରିଯିବ । ପର ମାସରୁ ମୁଁ ତୁମମାନଙ୍କ ପାଖକୁ ମାସକୁ ଦି’ଟଙ୍କା ପଠାଇ ପାରିବି । ତା’ପରେ ଭଗବାନଙ୍କ ଇଚ୍ଛା ।’’ ବୈୟାପୁରୀର ଏହି ଚିଠିଟି ପଡ଼ିଶା ଘରର ମାରିୟପ୍‌ପଦୁଦଲିୟାର୍ ପୁଅ ପଢ଼ି ଶୁଣାଇଲା । ବୁଢ଼ୀ ଓ ଦେବାନୈଙ୍କର ଆନନ୍ଦର ସୀମା ରହିଲାନି ।

 

ଦଶଦିନ ପରେ ଦ୍ୱିତୀୟ ଚିଠି ମିଳିଲା ।

 

‘‘ମାଆ ଠାକୁରାଣୀଙ୍କୁ ଭୂମିଷ୍ଠ ପ୍ରଣାମ । ଭଗବାନଙ୍କ କୃପାରୁ ମୁଁ ଏଠାରେ କୁଶଳରେ ଅଛି । ଆଶାକରେ ତମେ ଆଉ ଦେବାନୈ ଭଲରେ ଥିବ । ଏଇ ମିଲ୍‌ରେ କାମ କରିବାକୁ ମତେ ଜମା ପସନ୍ଦ ହେଲାନାହିଁ । ପୁରୁଣା ଦିନଗୁଡ଼ାକ ମନେ ପଡ଼ିଯାଉଛି, ଯେବେ ଘରେ ବସି ଆପଣା ତନ୍ତରେ କାମ କରୁଥିଲି । ଆଖିରୁ ଲୁହ ଗଡ଼ି ପଡ଼ୁଛି । ଏଠି ମତେ ଏମିତି ଲାଗୁଛି, ମୁଁ ପାଗଳ ହୋଇଯିବିକି ଆଉ । ମୁଣ୍ଡ ଘୂରାଇଦିଏ । ମୁଁ ନିଜର ମନକଷ୍ଟ କଥା ବର୍ଣ୍ଣନା କରିପାରିବି ନାହିଁ । ଖାଲି ମନେ ହେଉଛି ଯେ ନିଜ ଜାଗା ଛାଡ଼ିକରି ଏଠିକି କାହିଁକି ଚାଲିଅଇଲି । ପଡ଼ିଶା ଘରର ଟୋକାଟାକୁ କହିକରି ଚିଠି ବରଗି ପାରିଲେ ଭଲ ହୁଅନ୍ତା । ମଲ୍ଲେଶ୍ୱରମ୍‌ର ଶ୍ରମିକ ଗଳିରେ, ସେଲମ୍‌ର ପୋନ୍ନମ୍ମାପେପ୍‌ଟ୍ଟୈର ବୈୟାପୁରୀ ପାଇବ–ଏହିପରି ଠିକଣା ଲେଖିବ ।’’

 

 

ଦେବାନୈ ଯେଉଁ ଦି’ଘରେ ସଫାସଫିର କାମ ନେଇଥିଲା, ତହିଁରୁ ଗୋଟାଏ ଚାକିରିରୁ ଅବସରପ୍ରାପ୍ତ ଜଣେ ଅଫିସରଙ୍କର । ତାଙ୍କ ସ୍ତ୍ରୀ ଭାରି ଭଲ ଲୋକ । କାମବେଳେ ଖୁବ୍ କାମ କରାନ୍ତି; କିନ୍ତୁ ଖୁବ୍ ମିଠା ବ୍ୟବହାର । ସେ ଦେବାନୈକୁ ଖଣ୍ଡିଏ ଶାଢ଼ି ଦେଇଥିଲେ । କେତେବେଳେ କେମିତି ବଳିପଡ଼ିଥିଲେ ଭାତ ତରକାରି ବି ଦେଉଥିଲେ । ଏଇପରି ଦିନାକେତେ ଗଲା ।

 

ତା’ର ଏଇ ସୁଖ ଦଇବ ସହିଲା ନାହିଁ ବୋଧହୁଏ । ସେ ଘରେ ଜଣେ ରୋଷେୟା ଥିଲା-। ସେ ବଳିଥିବା ଭାତ ତରକାରି ଦେବାନୈକୁ ଦିଏ, ଆଉ ତା’ ସଙ୍ଗେ ଥଟ୍ଟାଟାପରା ବି କରେ-। ଦିନେ ତା’ର ବ୍ୟବହାର ଧୃଷ୍ଟତାର ସୀମା ଛୁଇଁଲା ।

 

ଦେବାନୈର ରାଗର ସୀମା ରହିଲାନି; କିନ୍ତୁ କାହାରି ସଙ୍ଗେ ଏସବୁ କଥା ନେଇ କଥାବାର୍ତ୍ତା କରିବାକୁ ବି ଲାଜ ଲାଗେ ତାକୁ । ‘‘କାହାରିକି କହିବୁନି । ମୁଁ ତତେ ମାସକୁ ଦି’ଟଙ୍କା ଦେବି ।’’ କହି ସେହି ଛୋଟ ଲୋକ ସେବକଟି ତା ମୁହଁ ବନ୍ଦ କରିବାକୁ ବାଧ୍ୟ କରିଦେଲା ।

 

ଛାତିକୁ ପଥର କରି ଦେବାନୈ ଘରେ ପହଞ୍ଚିଲା ଓ ନିଜ ମାଆକୁ କହିଲା, ‘‘ମା, ମୁଁ ସେ ନିମ୍ବଗଛମୂଳ ଘରେ ଆଉ କାମ କରିବାକୁ ଯିବିନାହିଁ ।’’

 

ମାଆ କାରଣ ପଚରିବାରୁ ଅତି ଲଜ୍ଜିତ ଓ ଦୁଃଖଭରା ହୃଦୟ ନେଇ ସେଠିକାର ବୃତ୍ତାନ୍ତ ସେ ଶୁଣାଇଦେଲା । ତା’ କଥା ଶୁଣିକରି ବୁଢ଼ୀ କହିଲା, ‘‘ମୁଁ ଏଇଲାଗେ ଯାଇ ସେ ଘରର ସାଆନ୍ତାଣୀଙ୍କି ସବୁ କଥା କହିଦଉଛି’’ କହି ସେ ଯିବାକୁ ବାହାରିଲା ।

 

‘‘ନାଁ ମା’ ! ତାଙ୍କୁ ସବୁ କହିଲେ କି ଲାଭ ? ମୁଁ ଆଉ ତାଙ୍କ ଘରେ କାମ କରିବିନି ।’’ ଦେବାନୈ କହିଲା ।

 

ସେ ଆଉ କେତେ ଲୋକଙ୍କ ଘରେ ଚାକିରିର ଚେଷ୍ଟା କଲା । ସବୁଠିଁ ଚାକରାଣୀ ବାହାଲ୍ ଅଛନ୍ତି । ଦୁଇ ମାସ ଏଘର ସେଘର ବୁଲି ବୁଲି ତାକୁ ଠାଏ ଚାକିରି ମିଳିଗଲା ।

 

ଛଅମାସ ବିତିଲା । ବାଙ୍ଗାଲୋର୍‌ରେ ବୈୟାପୁରୀର ମିଲ୍‌ରେ ହରତାଳ ହୋଇଗଲା । ଶ୍ରମିକଙ୍କର ଜଣେ ମୁଖିଆକୁ କିଏ ଜଣେ ଅଫିସର୍ ଚାପୁଡ଼ାଏ କଷି ଦେଇଥିଲା । ଖାଲି ସେତିକି ନୁହେଁ, ତାକୁ ଆଉ ତାର କେତେକ ସାଥୀଙ୍କୁ କାମରୁ ବାହାର ବି କରିଦେଲା । ୟାଉପରେ କର୍ମଚାରୀ ସଂଘ ଗୋଟିଏ ସଭା ଡାକିଥିଲା । ସେଥିରେ ଯେଉଁ କଥା ସ୍ଥିର ହୋଇଥିଲା, ସେହି ଅନୁସାରେ ସେ ମାସର ଦରମାତକ ନେଇ ସାରି ସେମାନେ ହରତାଳ କରିଦେଲେ । ବୈୟାପୁରୀକୁ ବି ଏହି ହରତାଳରେ ମିଶିବାକୁ ପଡ଼ିଲା ।

 

ମାସେକାଳ ହରତାଳ ଲାଗିରହିଲା । କର୍ମଚାରୀମାନେ କେତେଥର ସଭା କଲେ, ପାଟିତୁଣ୍ଡ କଲେ । ପ୍ରଥମେ ପ୍ରଥମେ ତାଙ୍କ ଭିତରେ କେତେ ଉତ୍ସାହ ଥିଲା; କିନ୍ତୁ ପରେ ପରେ ଅଣ୍ଟାରୁ ପଇସାତକ ଖସିଯିବାରୁ ଉତ୍ସାହ ବି କମିଗଲା । କେତେକ ସରକାରୀ ଅଫିସର୍ ତାଙ୍କୁ ଶାନ୍ତ କରିବାକୁ ଚେଷ୍ଟା କଲେ । ସମସ୍ତେ ପୁଣି ଥରେ କାମରେ ଲାଗିଗଲେ । ସପ୍ତାହକ ପରେ ମିଲ୍ ଫାଟକରେ ଗୋଟିଏ ବିଜ୍ଞାପନ ଦେଖାଗଲା । ସେଥିରେ ଲେଖାଥିଲା ଯେ କୋଡ଼ିଏ ଜଣ କର୍ମଚାରୀଙ୍କୁ ଚାକିରିରୁ ବାହାର କରି ଦିଆଯାଇଛି ଏବଂ ସେମାନଙ୍କ ଲାଗି ମିଲ୍ ଫାଟକ ଭିତରକୁ ପଶିବା ମନା । ଏହି କୋଡ଼ିଏଟି କର୍ମଚାରୀଙ୍କ ଭିତରେ ବୈୟାପୁରୀ ବି ଜଣେ ଥିଲା ।

 

ବୈୟାପୁରୀ ନିଜର ଅଫିସର ପାଖକୁ ଯାଇ କହିଲା, ‘‘ବାବୁ, ମୋର କ’ଣ ଦୋଷ ?’’ ମୁଁ ନୂଆ ଲୋକ । ମୁଁ ତ ହରତାଳରେ ଭାଗ ନେଇନି ।’’

 

ସେହି ଅଫିସର ଜଣକ ଜବାବ ଦେଲେ, ‘‘ୟେ ତ ବଡ଼ ହାକିମଙ୍କ ହୁକୁମ୍ । ଏ ସବୁ ସେଇ ବଦମାସ୍ ଟାଇମ୍‌କିପର ରଙ୍ଗସ୍ୱାମୀ ନାୟକନ୍‌ର କାରସାଦି । ସେ ଅନ୍ୟମାନଙ୍କ ସାଙ୍ଗେ ତୋ ନାଁ ବି ମିଶେଇ ବଡ଼ ହାକିମଙ୍କୁ ଲେଖି ଦେଇଛି । ମୁଁ ଆଉ କ’ଣ କରି ପାରିବି କହ ?’’

 

ସେଉଠୁ ସେ ରଙ୍ଗସ୍ୱାମୀ ନାୟକନ୍ ପାଖକୁ ଯାଇ ସକେଇଲା । ସେ କହିଲା, ‘‘ମୁଁ କିଛି ଜାଣେନା । ୟେ ହଉଚି ସେଇ ଦରମା ବାଣ୍ଟିବାବାଲା ବ୍ରାହ୍ମଣ ଖାଜାଞ୍ଚିର କାମ ।’’ କାହାରିକି କିଛି କହିବୋଲି ଲାଭ ହେଲା ନାହିଁ । ମ୍ୟାନେଜର ପାଖକୁ ଗଲା ଯେ, ସେ କହିଲେ, ‘‘ତୁ ପାଠଶାଠ ପଢ଼ିଛୁ । ତୁଇ ଆଉମାନଙ୍କୁ ବିଗାଡ଼ୁଛୁ । ମୁଁ ତତେ ଆଉ ଚାକିରି ଦେଇ ପାରିବିନି ।’’

 

କେତେ ଦିନ ଏମିତି ଛଟପଟ ହେବା ପରେ ହାତର ସଞ୍ଚା ଧନ ବି ଖର୍ଚ୍ଚ ହୋଇଗଲା । ବୈୟାପୁରୀ ଖୁବ୍ କଷ୍ଟରେ ମାଡ୍ରାସରେ ଆସି ପହଞ୍ଚିଲା । ତା’ ପରି ଯେତେ ଲୋକ ଚାକିରି ହରେଇଥିଲେ, ଚାକିରି ଖୋଜିବାକୁ ତା ସଙ୍ଗେ ମାଡ୍ରାସ ଗଲେ । ତାଙ୍କ ଭିତରେ କାହାରି କାହାରି ପାଖେ ପଇସା ଥିଲା । ସେମାନେ ସମସ୍ତଙ୍କ ଭିତରେ ସମାନ ସମାନ ବାଣ୍ଟିନେଲେ । ସେଇ ପଇସାରେ ଖିଆପିଆ କରି ସେମାନେ ଆଠଦିନ ଯାକେ ଭିନ୍ନ ଭିନ୍ନ ମିଲ୍‍ରେ ଘୂରି ବୁଲିଲେ । ଶେଷକୁ ବୈୟାପୁରୀକୁ ଗୋଟିଏ ମିଲ୍‌ରେ ଚାକିରି ମିଳିଗଲା ।

 

ସେଠିକାର ଯେମିତି ରୀତି, ଗେଟ୍ ଉପରେ ମୁତୟନ ଥିବା ଚୌକିଦାରକୁ ଆଉ ଅନ୍ୟାନ୍ୟ କେତେକ କର୍ମଚାରୀଙ୍କୁ କିଛି କିଛି ଦେବା ସକାଶେ ତାର ପାଞ୍ଚଟଙ୍କା ଦରକାର ପଡ଼ିଲା । ସେଥିପାଇଁ ଆଉ ଖାଇବାଲାଗି ଯାହା ଧାର ଦେଣା କରିଥିଲା, ତାକୁ ଶୁଝିବା ଲାଗି ବୈୟାପୁରୀ ନିଜର କାନଫୁଲ ଦୁଇଟି ବନ୍ଧା ରଖି ପଇସା କରଜ କଲା । ମାଡ୍ରାସର ମିଲ୍‌ଟିରେ ଚାକିରି ପାଇବା ପରେ ହିଁ, ନିଜର ଦୁଃଖ ଭୁଲିବା ଉଦ୍ଦେଶ୍ୟରେ ସେ ମଦ ପିଇବା ଆରମ୍ଭ କରିଦେଲା । ସେଲମ୍‌ରେ ଥିବାତକ ଏ ନିଶାଟି ନ ଥିଲା । କିଛିକାଳ ପରେ ସାଙ୍ଗସାଥୀ ବୁଝାଇଦେଲେ ଯେ ଜୁଆ ଖେଳି ମଧ୍ୟ ପଇସା କମେଇ ହୁଏ । ସେ ତାହା ବି ଆରମ୍ଭ କରିଦେଲା । ମଜୁରିର ପଇସାରୁ ପେଟକୁ ଖାଇବା ଆଉ ରହିବାକୁ ଝାଟିମାଟି ଘରର ଭଡ଼ା ଦେବାପରେ ଯାହା ଦି’ପଇସା ବଳେ, ତାକୁ ଘରକୁ ନ ପଠାଇ ସେ ଏଇସବୁ କାମରେ ଖର୍ଚ୍ଚ କରିବାକୁ ଲାଗିଲା । ମହାଜନର କରଜ ବଢ଼ିଚାଲିଲା । ଏଇସବୁ କଷ୍ଟକୁ ସହି ନ ପାରି ସେ ଆହୁରି ମଦ ପିଇଲା ।

 

* ଦକ୍ଷିଣରେ କାନଫୁଲ ଅନେକ ସମୟରେ ପୁରୁଷମାନଙ୍କଠାରେ ବି ଦେଖାଯାଏ । ଓଡ଼ିଶାରେ ଯେମିତି ଫାସିଆ ।

 

ପ୍ରଥମେ ପ୍ରଥମେ ବୈୟାପୁରୀ ବେଶ୍ ଏଣୁତେଣୁ ବନେଇ ବାହାନା କରୁଥିଲା; କିନ୍ତୁ ପରେ ବେଶ୍ ପରିଷ୍କାର କରି ଲେଖିଦେଲା ଯେ ଘରକୁ ସେ କିଛି ହେଲେ ପଇସା ପଠାଇ ପାରିବିନି-। ଚାହିଁଲେ ଦେବାନୈ ବି ମାଡ୍ରାସ ଆସି କୋଉ ମିଲ୍‌ରେ କାମ କରୁ । ଏଇ ଚିଠିଟି ପାଇ ଦେବାନୈ ଆଉ ପଲନିୟମ୍ମାଲ୍‌ଙ୍କର ଛାତି ଥରିଲା ।

 

ବହୁତ ଦିନ ପରେ ଦିନେ ଦେବାନୈ ମାଆକୁ ପଚାରିଲା, ‘‘ମା, ମୁଁ ବି ମାଡ୍ରାସ ଚାଲିଯାଏଁ ! ମୁଁ ବୈୟାପୁରୀ ସାଙ୍ଗରେ କିଛି କାମ କରି ରୋଜଗାର କରିବି, ତୋ’ ପାଖକୁ ପଠେଇଦେବି । ମାଡ୍ରାସରେ କେତେ ଝିଅ ବାହାରେ କାମ କରନ୍ତି; ନା କ’ଣ ?’’

 

ପହିଲେ ମାଆ ରାଜି ହେଲାନି । କହିଲା, ‘‘ୟା କେମିତି ହବ ? ତୋ ଭଳିଆ ପିଲା ବକଟେ ସେଠିକି ଯିବ ?’’ କିଛିଦିନ ଏଇମିତି କଥା କଟାକଟି ପରେ ଶେଷକୁ ବୁଢ଼ୀ ରାଜି ହେଲା । ସେ ପଡ଼ୋଶୀ ମାରପ୍‌ପନ ପାଖରେ ତା’ର ସୁନାର କାନଫୁଲ ଯୋଡ଼ିକ ବନ୍ଧା ରଖି ବାରଟଙ୍କା କରଜ ନେଲା । ଦେବାନୈ ମାଡ୍ରାସ ବାହାରିଲା ।

 

ମାଡ୍ରାସରେ ବୈୟାପୁରୀ ଦେବାନୈକୁ ଗୋଟିଏ ମିଲ୍‌ର ‘କଟେଇ ବିଭାଗ’ରେ ଚାକିରି ଜୁଟେଇ ଦେଲା । ବୈୟାପୁରୀର ମିଲ୍ ଅଲଗା । ଏଇ ମିଲ୍‌ରେ ଦେବାନୈ ଭଳି ଦେଢ଼ଶହ ଝିଅ କାମ କରୁଥିଲେ । ସେଥିରୁ କିଛି କମ୍ ବୟସର, କିଛି ବେଶୀ ବୟସର । ଦେବାନୈ ଆଉ ତା’ ସାଙ୍ଗର ଦଶଜଣ ଝିଅଙ୍କ ଉପରେ ଗୋଟିଏ ସରଦାର ଥାଏ । ସେ ପ୍ରଥମେ ପ୍ରଥମେ ଦେବାନୈ ସଙ୍ଗେ ବେଶ୍ ଭଲ ବ୍ୟବହାର କଲା; କିନ୍ତୁ ପରେ ତାକୁ ଗାଳିଗୁଲଜ କରିବାକୁ ଲାଗିଲା । କେତେବେଳେ କେମିତି ଗାଳି ବି ଦିଏ ଆଉ ଏକଲାରେ ବିନା କାରଣରେ ବି ତା’ ସଙ୍ଗେ ମିଠା ମିଠା କଥା କହେ ।

 

‘‘ଏ ସରଦାର ଏମିତି ବ୍ୟବହାର କରନ୍ତି କାହିଁକି ?’’ ଦେବାନୈ ନିଜର ସହକର୍ମିଣୀ ଜଣକୁ ପଚାରିଲା । ସେ ହସି ହସି ଜବାବ୍ ଦେଲା, ‘‘ତତେ ଏତିକି ଜଣାନାଇଁ ? ଜାଣିବୁ କେମିତି, ମଫସଲି କି ନା, ତାଙ୍କ ସଙ୍ଗେ ଭଲ ବ୍ୟବହାର ନ କଲେ ଦରମାର ଅଧାରୁ ବି ବେଶୀ ଜୋରିମାନା ଦବାକୁ ହୁଏ । ତାଙ୍କୁ ଖୁସି ରଖିବା ଆମର ନିହାତି ଦରକାର ।’’

 

ଗରିବଙ୍କର କଷ୍ଟ କିଏ ବୁଝେ ! ଗରିବ ଘରେ ଝିଅ ଜନ୍ମ ପାଇ, ମିଲ୍‌ରେ ମଜୁରି ଖଟିବା ପୂର୍ବଜନ୍ମର ପାପର ଫଳ କହିଲେ ଅତ୍ୟୁକ୍ତି ହେବନାହିଁ ।

 

ଦେବାନୈ କିଛିଦିନ ଧରି ସବୁ ସହିଲା । କିଛିଦିନ ପରେ ସେ ଦେଖିଲା ଯେ ଭଗବାନ ବୋଲି କେହି ନାହିଁ; ଆଉ ନିଜର ମୁଖିଆ ସାଙ୍ଗରେ ଝଗଡ଼ା କରିବା ଛାଡ଼ିଦେଲା । ନିଜକୁ ବୁଝାଇ ଦେଇ, ସେ ତା’ ସଙ୍ଗେ ହସି କଥା କହିଲା । ଧୀରେ ଧୀରେ ଏସବୁରୁ ତାକୁ ସୁଖ ମିଳିଲା ଆଉ ତା’ର ମଜୁରି ବି ବଢ଼ିଗଲା ।

 

ଏମିତି ଏମିତି କେଇଟା ମାସ ଚାଲିଗଲା । ଦେବାନୈ ଜାଣିପାରିଲା ତା’ ଦେହରେ କିଛି ପରିବର୍ତ୍ତନ ଆସିଛି । ସେ ଜାଣିପାରିଲା ଯେ ସେ ଗର୍ଭବତୀ । ସେଇଠୁ ସେ କେତେ ଦେବତାଙ୍କୁ ଡାକିଲାଗିଲା । ‘‘ମୁଁ ଏ ସବୁ କାହାକୁ ଯାଇ କହିବି ?’’ ଏହା ଭାବି ସେ ଚିନ୍ତାରେ ଆକୁଳ ହୋଇପଡ଼ିଲା । ତା’ର ଦୁର୍ଦ୍ଦଶା ବାଣୁଆର ଶର ଭୟରେ ଦଉଡ଼ି ପଳାଉଥିବା ହରିଣୀ ପରି ହେଲା । ଭାଇ ବୈୟାପୁରୀକୁ ବି ସେ କହିବାକୁ ଡରିଲା । ତା’ର ଏଇ ଅବସ୍ଥା ଦେଖି ତା’ ସାଙ୍ଗର ସହକର୍ମିଣୀମାନେ ଥଟ୍ଟା ତାମସା ବି କରିଲାଗିଲେ । ସେ ଭାବିଲା ଗାଆଁକୁ ଫେରିଯିବ; କିନ୍ତୁ ସେଠି ତ ତାକୁ ଜାତିରୁ ବାଛନ୍ଦ କରିଦେବେ, ଏହି ଭୟ ହେଲା । ମାଆ ତାର ଏ ଅବସ୍ଥା କେମିତି ଦେଖିପାରିବ ? ଏହା ଭାବି ଗାଆଁକୁ ଫେରିବା କଥା ସେ ଛାଡ଼ିଦେଲା । ଏକା ଭଗବାନ୍ ସହାୟ ମନେକରି ସେ ସେହି ଅବସ୍ଥାରେ ଧୈର୍ଯ୍ୟଧରି ମିଲ୍‌ରେ କାମ କରିବାକୁ ଲାଗିଲା ।

 

ଦିନେ ପୁଣି ସେ ଚିନ୍ତିତ ହେଲା । ସେ ତା’ ସାଙ୍ଗ ପାଖକୁ ଯାଇ କାନ୍ଦିଲା, ‘‘ମୁଁ କ’ଣ କରିବି ? ନିଜ କୁଳରେ କାଳି ବୋଳିଲି ମୁଁ ।’’

 

ସାଙ୍ଗଟି କହିଲା, ‘‘ଦେବାନୈ ! ତୁ ଚିନ୍ତା କରନା । ଏସବୁ ମାମୁଲି, ଅତି ସାମାନ୍ୟ କଥା-। ୟାର ବି ଚିକିତ୍ସା ରହିଛି, ଏଥିରୁ ତୁ ଭଲ ହୋଇଯିବୁ ।’’

 

‘‘ହଁ ମୁଁ ବି ସେକଥା ଶୁଣିଛି; କିନ୍ତୁ ଚିକିତ୍ସା କରିବାକୁ ଡର ଲାଗୁଚି । ମରିଯିବିନି ତ ! ହେ ଭଗବାନ୍ ! ମୁଁ କୁଆଡ଼େ ଯାଇ ଲୁଚିବି ?’’ ଦେବାନୈ ବିଳାପ କରି ଉଠିଲା ।

 

‘‘ମୁତ୍ତୁସ୍ୱାମୀ ବଢ଼େଇ ଗଳିରେ ଗୋଟିଏ ମାଇପି ଅଛି । ଦି’ଟଙ୍କା ଦେଲେ ସେ ସବୁ ଠିକ୍ କରିଦବ ।’’ ତା ସାଥୀ କହିଲା ।

 

‘‘କିନ୍ତୁ ପୁଲିସ୍ ଜାଣିଲେ ଧରିନବ ନାହିଁ ?’’ ଦେବାନୈ ପଚାରିଲା ।

 

‘‘ସେ କଥା ତୁ ଭାବେନା । ସେ ମାଇପି ସାଙ୍ଗରେ ପୁଲିସ୍‌ବାଲାଙ୍କର ଚିହ୍ନାଜଣା ଅଛି । ଟଙ୍କା ସବୁ କରିପାରେ, ଜାଣିନୁ କି ?’’ ସାଥୀ କହିଲା ।

 

‘‘ହାୟ, ଟଙ୍କା ପାଇଁ ମୁଁ କୁଆଡ଼େ ଯିବି ? ହେ ଭଗବାନ୍ ! ତୁ ମତେ କେମିତି ଭୁଲେଇ ଦେଲୁ । ମୁଁ ଏ ପାପ ଜାଗାକୁ ଅଇଲି କାହିଁକି ? ସେଲମ୍‌ରେ ନ ଖାଇ ନ ପିଇ ମରିଯାଇଥିଲେ କେତେ ଭଲ ହୋଇଥାନ୍ତା !’’ କହି କହି ସେ କଇଁ କଇଁ କାନ୍ଦିବାକୁ ଲାଗିଲା ।

 

କିଛି ଦିନ ପରେ ଆଉ ଗୋଟିଏ ମାଇପିଲୋକ ତାକୁ ବୁଝେଇଲା, ‘‘ପିଲାକୁ ଜୀବନରେ ମାରିଦେବାଟା ଠିକ୍ ନୁହେଁ । ଏଥିରେ ଯୋଉ ପାପ ହୁଏ, ତାହା ତିନି ଜନମ ପରେ ବି ସୁଧୁରିବ ନାହିଁ । ଗଣେଶ ମନ୍ଦିର ରାସ୍ତାରେ ଗୋଟିଏ ବୁଢ଼ୀ ଥାଏ, ତା’ ପାଖକୁ ଗଲେ ସେ ସବୁ ଠିକ୍ କରିଦେବ । ତୋ ଭଳିଆ କେତେ ଝିଅ ତା’ ଘରେ ରହି ଛୁଆ ଜନ୍ମ କରିଛନ୍ତି, ତୁ ଚିନ୍ତା କରନା ।’’

 

‘‘ଭଉଣୀ ଲୋ, ତୁ ସୁଖୀ ହୋ’’ କହି ଦେବାନୈ ତାକୁ ଆଶୀର୍ବାଦ ଦେଲା । ସେଇଠୁ ସେ ଗଣେଶ ମନ୍ଦିର ଗଳିରେ ଥିବା ସେହି ପରୋପକାରିଣୀ ବୁଢ଼ୀ ଘରେ ଯାଇ ପହଞ୍ଚିଲା । ତା’ର ପ୍ରସବ ବି ଭଲରେ ଭଲରେ ସମ୍ପନ୍ନ ହେଲା । ଛୁଆ ଜନ୍ମହେବା ପରେ ଦେବାନୈ ଆଖିରେ ସଂସାରର ରୂପ ବଦଳିଗଲା । ସେ ନିଜର ସବୁ ଦୁଃଖକଷ୍ଟ ଭୁଲିଗଲା । ସେହି ଛୁଆଟି ହୋଇଗଲା ତା’ର ଦୁନିଆଁ ।

 

‘‘ଇଏ ତ ଭଗବାନଙ୍କର ଦାନ ! ଏ ବିଚରାର ଦୋଷ କ’ଣ ! ମୁଁ ଇ କୁଳଟା ।’’ ଏହା ଭାବି ସେ ଛୁଆକୁ ଦୁଧ ଖୁଆଏ । ଏହିପରି କେତେ ଦିନ ସେ ଚିନ୍ତା ଭାବନା ଭୁଲି ରହିଲା ।’’

 

‘‘ଦେବାନୈ, ଏଇଲା ତୁ କାମକୁ ଯାଇ ପାରିବୁନି । ଆଉ କିଛି ଦିନ ଏଇଠି ରହିଥା ।’’ ଗଣେଶ ମନ୍ଦିର ଗଳିର ସେହି ପରୋପକାରିଣୀ ମାଇପିଟି ତାକୁ କେତେ ଆଦର କରି କହିଲା ।

 

‘‘ଏତେ ଭଲ ଲୋକ ଥାଉଁ ଥାଉଁ ମୁଁ ପ୍ରଭୁଙ୍କର ନିନ୍ଦା କଲି ।’’ ଏମିତି ଭାବି ଦେବାନୈ ପ୍ରଭୁଙ୍କର ମହିମା କୀର୍ତ୍ତନ କଲା ।

 

ମାସଟିଏ ଯାଇଛି କି ନାହିଁ ତାକୁ ସତ କଥା ଜଣାପଡ଼ିଗଲା । ସେ ବୁଢ଼ୀଟି ଲୋକଙ୍କର ଫାସରେ ପଡ଼ିଥିବା ଅନାଥ ଝିଅଙ୍କୁ ନିଜ ଘରେ ରଖି କରି ନିଜର ନୀଚ କର୍ମ କରାଏ । ଦେବାନୈ ବି ତା’ ଫାନ୍ଦରେ ପଡ଼ିଯାଇଛି । ଏହା ପରେ ସେ ମିଲ୍‌କୁ ଫେରିଯାଇ ପାରିଲାନି ।

 

 

‘‘ତମର ମନେ ନାହିଁ ସେଲମ୍‌ରେ ଆମ ଘରେ ଯୋଉ ଦେବାନୈ କାମ କରୁଥିଲା ? ଏ ଭିକାରୁଣୀ ତାରି ପରି ଦେଖିବାକୁ’’, ରାମନାଥ ଅୟର କହିଲେ ।

 

ସେଲମ୍‌ରେ ପହିଲେ ଯୋଉ ଘରେ ଦେବାନୈ କାମ କରୁଥିଲା, ସେ ଘରର ମାଲିକ ଚାକିରିରୁ ଅବସର ନେଇ ସାରିଥିଲେ । ସେହି ଅଫିସରଙ୍କର ସବା ବଡ଼ପୁଅ ରାମନାଥ ଅୟର । ସେ ମାଡ୍ରାସ୍‌ର ଗୋଟିଏ ବଡ଼ ବ୍ୟାଙ୍କର ଖାଜାଞ୍ଚି ।

 

‘‘ତୁମର ଯେମିତି କଥା ! ସେଲମ୍‌ର ଝିଅ ଏଠିକି କୁଆଡ଼ୁ ଆସିବ ?’’ ସୀତାଲକ୍ଷ୍ମୀ କହିଲେ ।

 

‘‘ସେ ଯାହା ହଉ, ସେ ଯିଏ ହଉ, ଯୁବତୀମାନଙ୍କୁ ଛୁଆ କାଖେଇ ଭିକ ମାଗିବାର ଦେଖିଲେ ମନକୁ ଆସେ ଆମ ଦେଶର ଅବସ୍ଥା କୋଉଠି ଆସି ପହଞ୍ଚିଲାଣି !’’ ରାମନାଥ ଅୟର୍ କହିଲେ ।

 

‘‘ତମର ତ ସଦାବେଳେ ଦେଶର ଚିନ୍ତା, ନିଜ ପରିବାରର ଚିନ୍ତା କମ୍ ଅଛିନା କଣ ?’’ ସ୍ତ୍ରୀ କହିଲେ ।

 

ପରଦିନ ବି ସନ୍ଧ୍ୟାବେଳେ ରାମନାଥ ଅୟର ସେହି ଭିକାରୁଣୀଟିକି ଭୁଲି ପାରିଲେ ନି । ସେ ଅଫିସରୁ ସିଧାସଳଖ ‘ଚାଇନା ବଜାର’ ପହଞ୍ଚିଗଲେ । ସେହି ଜାଗାରେ ପୁଣି ତାର ଦେଖା ପାଇବେ, ତା’ ସଙ୍ଗେ ଭେଟି ତା’ କଥା ପଚାରି ପାରିବେ, ଏହା ଭାବି ପ୍ରଥମ ଦିନର ରାସ୍ତାଟି ଧରି ସେହି ରେସ୍ତୋରାଁ ପାଖରେ ପହଞ୍ଚିଲେ । ସେ ଗାଡ଼ିକି ରେସ୍ତୋରାଁ ପାଖରେ କିଛିକାଳ ଠିଆ କରି ରଖିଲେ । କେତେ ଭିକାରି ଆସି ପାଟିକରି ତାଙ୍କୁ ଘେରିଗଲେ; କିନ୍ତୁ ସେଇ ଭିକାରୁଣୀଟି ଦେଖାଗଲାନି ।

 

ପର ଶନିବାର ସନ୍ଧ୍ୟାରେ ରାମନାଥ ଅୟର ଓ ତାଙ୍କ ସ୍ତ୍ରୀ ପୁଣି ‘ଚାଇନା ବଜାର’ ଗଲେ-। ଠାଏ ହାତ ଦେଖେଇ ସୀତାଲକ୍ଷ୍ମୀ କହିଲେ, ‘‘ଦେଖ ହେଇଟି ତମର ଭିକାରୁଣୀ ।’’

 

ଛୁଆକୁ କାଖେଇ ‘‘ମା ସାନ୍ତାଣୀ, ଅଣେ ପଇସା ଦିଅ । ଏଇ ଛୁଆଟା ପାଇଁ ମା ସାନ୍ତାଣୀ !’’ କହି କହି, ଭିକ ମାଗି ମାଗି ସେହି ଭିକାରୁଣୀ ଦୂରରେ ଠିଆ ହୋଇଥିବା ଆଉ ଗୋଟିଏ ମୋଟର ଗାଡ଼ି ଆଡ଼କୁ ଧାଇଁଗଲା ।

 

ରାମନାଥ ଅୟରଙ୍କ ଗାଡ଼ିଟି ଦେଖିକରି ସେ ଜାଣିଗଲା ଯେ ତହିଁରେ ବସିଥିବା ଲୋକ ତାକୁ କିଛି ଦେବେ ନାହିଁ; ତେଣୁ ସେ ଆର ଗାଡ଼ିଟା ଆଡ଼କୁ ଚାଲିଗଲା । ଭିକାରିମାନେ ନିଜର ଅଭିଜ୍ଞତାରୁ ଏହି ଜ୍ଞାନ ପାଇଥାନ୍ତି । ସବୁ କାମରେ ତୀକ୍ଷ୍‍ଣ ବୁଦ୍ଧି ଆଉ କର୍ମଦକ୍ଷତା ଦରକାର ହୁଏ କି ନା ! ଦୂରରେ ଠିଆ ହୋଇଥିବା କୋଉ ଭିକାରୁଣୀକୁ ଡାକିବାକୁ ରାମନାଥ ଅୟରଙ୍କୁ ଲାଜ ଲାଗିଲା । ତେଣୁ ସେ କିଛି ବେଳ ଚୁପ୍‌ଚାପ୍ ସେଇଠି ରହିଲେ । ସେ ଭାବିଲାଗିଲେ ଯେ ସେ ଗାଡ଼ିର କାମ ସାରି ସେ ତାଙ୍କ ପାଖକୁ ଆସିବ; କିନ୍ତୁ ସେ ଭିଡ଼ ଭିତରେ ଅଦୃଶ୍ୟ ହୋଇଗଲା, ଆଉ ଦେଖିବାକୁ ମିଳିଲାନି ।

 

‘‘ଆଚ୍ଛା, ଚାଲ ଯିବା ତେବେ,’’ ସୀତାଲକ୍ଷ୍ମୀ କହିଲେ ।

 

ଆଠଦିନ ପରେ ରାମନାଥ ଅୟର ଓ ସୀତାଲକ୍ଷ୍ମୀ ସିନେମା ଦେଖି ଗଲେ । ସମାଜ ଥିଲା–ନଳୋପାଖ୍ୟାନ ।

 

ଗେଟ୍ ପାଖରେ ଖୁବ୍ ଭିଡ଼ । ନୂଆ ଅଭିନେତ୍ରୀ ଟୀ. କେ. ଧନଭାଗ୍ୟମ୍ ଦମୟନ୍ତୀ ପାର୍ଟ କରୁଛି ।

 

ଟିକଟ ମାଗିବାରୁ ଜବାବ୍ ମିଳିଲା, ‘‘ଆପଣ ପର ସୋ’ଟି ଦେଖିପାରିବେ, ଏ ସୋ’ର ସବୁ ଟିକଟ ବିକ୍ରି ହୋଇଯାଇଛି ।’’

 

‘‘ଘରକୁ ଯିବ ?’’ ରାମନାଥ ଅୟର୍ ପଚାରିଲେ ।

 

ସୀତାଲକ୍ଷ୍ମୀର ଉତ୍ତର ଦେବା ପୂର୍ବରୁ ଭିକାରୁଣୀଟିଏ ମୋଟର ଗାଡ଼ି ପାଖୁ ଆସି କହିଲା, ‘‘ମା ସାନ୍ତାଣୀ ! ଭିକ ଦିଅନ୍ତୁ ।’’

 

ସେଲମ୍‌ର ଝିଅଟା ନୁହେଁ ତ ଆଉ; ଦେଖିବାକୁ ରାମନାଥ ଅୟର ମୁହଁ ବୁଲାଇ ଦେଖିଲେ । ତାଙ୍କୁ ଯେମିତି ନିଶା ଲାଗିଛି ! କିନ୍ତୁ ସେ ଆଉ ଜଣେ ।

 

‘‘ଏଠି ଗାଡ଼ି ରଖିଲେ ଭିକାରୀ ଦିକ୍‌କାର କରନ୍ତି । ରାମନ୍ ନାୟର, ଜଲଦି ଘରକୁ ଚାଲ-।’’ ସୀତାଲକ୍ଷ୍ମୀ ଡ୍ରାଇଭର୍‌କୁ କହିଲେ ।

 

ସେତିକିବେଳେ ଗୋଟିଏ ପୁଲିସବାଲା ଲାଠି ଘୂରେଇ ସେ ଭିକାରୁଣୀକୁ ସେଠୁ ତଡ଼ିଲା-

 

ସେହି ରାତିରେ ରାମନାଥ ଅୟର ସେ ଭିକାରୁଣୀଟିକି ସ୍ୱପ୍ନ ଦେଖିଲେ ।

 

ସେ ତାକୁ ପଚାରିଲେ, ‘‘ତୁ ଦେବାନୈ ନା ? ତୁ କୋଉଠିକାର ?’’

 

ଭିକାରୁଣୀର ଆଖିରେ ଆନନ୍ଦ ଉକୁଟି ଉଠିଲା । ସେ ଛୁଆ ଉପରେ ହାତ ବୁଲାଉ ବୁଲାଉ କହିଲା, ‘‘ହଜୁର, ଆପଣ ସେଲମ୍‌ର ନା ? ସେଇ ନିମ୍ବଗଛମୂଳର ଅଫିସରଙ୍କର ପୁଅ ନା ଆପଣ ?’’

 

‘‘ନାୟର ! ୟାକୁ ସାମନା ସିଟ୍‌ରେ ବସାଅ ।’’ ସେ ଡ୍ରାଇଭର୍‌କୁ କହିଲେ ।

 

ଘରକୁ ଆସିଲାକ୍ଷଣି ସ୍ତ୍ରୀ ପଚାରିଲେ, ‘‘ଏ କିଏ ସେ ? ଏଇ ପାଜିଟାକୁ ଘରକୁ ଆଣିଲ କାହିଁକି ?’’

 

ରାମନାଥ ଅୟର କହିଲେ, ‘‘ୟାକୁ ଏଠି ଆମ ଘରେ ଚାକିରି ରଖି ଖାଇବା-ପିଇବା ଛଡ଼ା ଟଙ୍କା ଚାରିଟା ଦେଲେ ଚଳିବ ।’’

 

‘‘ତମର ଯେମିତି କଥା ! ଏମିତି ଛୋଟଲୋକଙ୍କୁ କିଏ ଘରେ ରଖେ ? କି ବୁଦ୍ଧି ତମର-!’’ କହି ସୀତାଲକ୍ଷ୍ମୀ ଭିକାରୁଣୀକି ସେଠୁ ତଡ଼ିଦେଲେ ।

 

ଭିକାରୁଣୀ କହିଲା, ‘‘ମା ସାନ୍ତାଣୀ ! ମୁଁ ଚୋରି କରିବିନି, ଯାହା ହୁକୁମ କରିବ, କରିବି-।’’

 

ସୀତାଲକ୍ଷ୍ମୀ କହିଲେ, ‘‘ନା ତା ହବନି । ଯା ବାହାର ଏଠୁ ।’’

 

ତାକୁ ଟଙ୍କାଟିଏ ଦେବେ ବୋଲି ରାମନାଥ ଅୟର ତାଙ୍କ ମନିବ୍ୟାଗ୍ ବାହାର କରୁଥିଲେ-। ପକେଟରେ ମନିବ୍ୟାଗ ନାହିଁ । ସେ ମନିବ୍ୟାଗ୍ ଖୋଜିଲାଗିଲେ । ଭିକାରୁଣୀର ଛୁଆଟା ପାଟି କରି କାନ୍ଦିବାକୁ ଲାଗିଲା... ସେ ଉଠି ପଡ଼ିଲେ... ଏ ତ ସ୍ୱପ୍ନ ମାତ୍ର । ତାଙ୍କର ଝିଅ ରାଧା ବିଛଣା ଉପରେ ବସି କାନ୍ଦୁଥିଲା ।

 

‘‘ଭଲ ହେଲା ଏଗୁଡ଼ାକ ସ୍ୱପ୍ନ ମାତ୍ର । ସୀତାଲକ୍ଷ୍ମୀ ପ୍ରକୃତରେ ଏତେ ନିଷ୍ଠୁର ନୁହନ୍ତି ।’’ ଭାବି ରାମନାଥ ଅୟର ଖୁସି ହେଲେ ।

 

ଏହା ପରେ କେତେ ଦିନଯାକେ ରାମନାଥ ଅୟର ବଜାର, ରେଳଷ୍ଟେସନ୍, ସିନେମା ଘର ଇତ୍ୟାଦି ବିଭିନ୍ନ ସ୍ଥାନରେ ତାକୁ ଖୋଜିଲେ । ସେହି ଭିକାରୁଣୀକି ଆଉ ସେ ଦେଖିଲେ ନାହିଁ । କିଏ ଜାଣେ ତାର କଣ ହେଲା !

Image

 

ଶାପ-ବିମୋଚନ

 

ରାସ୍ତା ଉପରେ ଗୋଟିଏ ପ୍ରସ୍ତର ପ୍ରତିମା ପଡ଼ିରହିଥିଲା । ଶିଥିଳ ଓ କ୍ଷୀଣକାୟ ପଥର ଖଣ୍ଡେ; କିନ୍ତୁ ତାର ମନୋହର ରୂପରେ ଆବେଗ ସଞ୍ଚାର କରିବାର ବି ଶକ୍ତି ଥିଲା । ସେହି ପ୍ରତିମାଟି ଏପରିଭାବେ ମୋହିତ କରିଦିଏ ଯେ ମନେହୁଏ କେଉଁ ଅପୂର୍ବ ଶିଳ୍ପୀ କେବଳ ଏହାରି ଲାଗି ହିଁ ଏ ସଂସାରରେ ଜନ୍ମନେଇ ତାହାର ସ୍ୱପ୍ନକୁ ପଥରରେ ରୂପ ଦେଇ ସାକାର କରିଛି । ପରନ୍ତୁ ସେହି ପ୍ରତିମାର ଚକ୍ଷୁଦ୍ୱୟ ମଧ୍ୟରେ ଅବର୍ଣ୍ଣନୀୟ ଶୋକର ଭାବ ପ୍ରକଟିତ ହେଉଥିଲା । ସେହି ଭାବଟି ଦର୍ଶକର ଐନ୍ଦ୍ରିୟ ପ୍ରେମରୂପକ କାମବାସନାକୁ କୁଠାରାଘାତ କରି ତାହାକୁ ମଧ୍ୟ ଶୋକମଗ୍ନ କରି ଦେଉଥିଲା । ସେ କେଉଁ ଶିଳ୍ପୀର ଅପୂର୍ବ ସ୍ୱପ୍ନ ନ ଥିଲା; ଏହା ଅଭିଶାପର ଫଳ ମାତ୍ର । ସେ ହେଉଛି ଅହଲ୍ୟା ।

 

ସେହି ଜଙ୍ଗଲୀ ରାସ୍ତାରେ, ପ୍ରସ୍ତରନିର୍ମିତ ଶୋକର ସାକାର ରୂପରେ ସେ ସେହି ପ୍ରକୃତି କୋଳରେ ପଡ଼ିରହିଥିଲା, ଯେ କି ନିରାସକ୍ତ ତପସ୍ୱିନୀ ପରି ତାହାର ଦୁଃଖ ଦେଖୁଥିଲା । ଖରାତେଜ ପଡ଼ୁଛି, କୁହୁଡ଼ି କାକର ବର୍ଷା, ଧୂଳି, ପୋକଯୋକ, ଚଢ଼େଇ ଆଉ ପେଚା ବସିଛନ୍ତି; କିଛି ଉଡ଼ୁଛନ୍ତି । ସମାଧିସ୍ଥା ତପସ୍ୱିନୀଟି ଭଳି ପ୍ରସ୍ତରଖଣ୍ଡ ରୂପେ ସେ ପଡ଼ିରହିଛି ।

 

ସାମାନ୍ୟ ଦୂରରେ କେଉଟଙ୍କର ବସ୍ତିଟିଏ ଅଛି । ଧ୍ୟାନମଗ୍ନ ହୋଇ ଏବଂ ଆତ୍ମଚେତନା ଓ ଆତ୍ମଦୁଃଖ ଭୁଲି ଗୌତମ ତପସ୍ୟା କରୁଛନ୍ତି । ପ୍ରକୃତି ଅନାସକ୍ତ ଭାବରେ ତାଙ୍କୁ ମଧ୍ୟ ଧାରଣ କରୁଛି ।

 

ଆଉ ଟିକିଏ ଦୂରରେ ଏହି ଦମ୍ପତିଙ୍କୁ ଛାୟା ଦେଉଥିଲା ଯେଉଁ ଛାତ, ତାହା ଜୀର୍ଣ୍ଣ ଶୀର୍ଣ୍ଣ ହୋଇ ଧରାଶାୟୀ ହୋଇଯାଇଛି ଏବଂ ରେଣୁ ରେଣୁ କରି ବାୟୁମଣ୍ଡଳରେ ଧୂଳିକଣା ହୋଇ ମିଳେଇ ଯାଇଛି, ଠିକ୍ ଯେମିତି ତାହାର ଗୃହସ୍ଥର ଜୀବନ ନିରାଧାର ହୋଇ ନଷ୍ଟଭ୍ରଷ୍ଟ ହୋଇଯାଇଛି । ତା’ର କାନ୍ଥମାନ ଧସିଯାଇଛନ୍ତି; କେବଳ ଭଗ୍ନାବଶେଷ ରହିଯାଇଛି । ତାହା ସେମାନଙ୍କ ମନରେ ଦୁଃଖର କ୍ଷତ ପରି ଦିଶୁଛି ।

 

ଦୂରରେ ଗଙ୍ଗାର କଳକଳ ନିନାଦ ଶୁଣାଯାଉଛି । କେଜାଣି, ମା’ ଗଙ୍ଗା ତାର ଅପାର ଶୋକ କଥା ଜାଣିଛନ୍ତି କି ନାହିଁ !

 

ଏହି ଭାବେ ସେହି ଦମ୍ପତିଙ୍କର କେତେ ଯୁଗ ବିତିଗଲା ।

 

ଦିନେ...

 

ଦିନର ପ୍ରଥମ ପ୍ରହରର ଖରାତେଜ କିଛି ପ୍ରଚଣ୍ଡ ହୋଇଅଛି, ତଥାପି ଲତାମାନଙ୍କର ସବୁଜତା, ଛାଇ ଓ ମୃଦୁ ମନ୍ଦ ପବନ ମନକୁ ଗୋଟିଏ ପ୍ରକାରର ଶୀତଳତା ପ୍ରଦାନ କରୁଥିଲେ; ଠିକ୍ ଯେପରି ଧାର୍ମିକ ତତ୍ତ୍ୱ ଆମକୁ ସାଂସାରିକ ଦୁଃଖ ଭୁଲିବାର ଶକ୍ତି ଦିଅନ୍ତି ଏବଂ ଆମଭିତରେ ବିଶ୍ୱାସ ତଥା ନବଶକ୍ତି ସଂଚାର କରନ୍ତି ।

 

ପୁରୁଷସିଂହ ପରି ଦମ୍ଭରେ ଚାଲି ଚାଲି ଏବଂ ନିଜର କର୍ମପୂର୍ତ୍ତୀର ସୁଖହେତୁ ମନେମନେ ଗୁଣୁଗୁଣୁ ଗାଇ ଗାଇ ବିଶ୍ୱାମିତ୍ର ଆସୁଥିଲେ । ମାରୀଚ ଓ ସୁବାହୁ କୁଆଡ଼େ ଗଲେ କିଛି ଖବର ନାହିଁ । ତାଡ଼କା ନାମକ କ୍ରୂର ବୃଦ୍ଧାର ବିନାଶ ହୋଇ ସାରିଥିଲା । ତାଙ୍କୁ ଏହି କଥାରୁ ସନ୍ତୋଷ ମିଳୁଥିଲା ଯେ ସେ ନିଜକୁ ଭକ୍ତିରେ ନିମଗ୍ନ କରି ଏବଂ ହୋମ ବି କରି ଧର୍ମକାର୍ଯ୍ୟରେ ରତ ଥିବା ବ୍ୟକ୍ତିମାନଙ୍କୁ ଚିରଶାନ୍ତି ପ୍ରଦାନ କରିବାର ବ୍ୟବସ୍ଥା କରିନେଇଥିଲେ ।

 

ସେ ବାରମ୍ବାର ପଛକୁ ଫେରି ଚାହୁଁଥିଲେ । ତାଙ୍କର ଦୃଷ୍ଟିରେ ଅପାର ସ୍ନେହ ପୂରି ରହିଥିଲା । ଦୁଇଟି ପିଲା ଦଉଡ଼ି ଦଉଡ଼ି ପରସ୍ପରକୁ ଛୁଇଁବାର ଖେଳ ଖେଳୁଥିଲେ । ସେମାନେ ଆଉ କେହି ନୁହନ୍ତି–ଈଶ୍ୱରାବତାର ବାଳକ ରାମ ଓ ଲକ୍ଷ୍ମଣ । ରାକ୍ଷସମାନଙ୍କୁ ସଂହାର କରିବାର କର୍ମ ଆରମ୍ଭ କରି, ସେହି କର୍ମର ଗୁରୁଦାୟିତ୍ୱ ଭୁଲି ଦଉଡ଼ି ଦଉଡ଼ି ଜଣେ ଆଉ ଜଣକୁ ଧରୁଥିଲେ ।

 

ସେମାନଙ୍କ ଦଉଡ଼ ହେତୁ ଧୂଳି ଉଡ଼ୁଥିଲା । ଆଗରେ ଲକ୍ଷ୍ମଣ ଦଉଡ଼ୁଥିଲେ, ତାଙ୍କୁ ଗୋଡ଼ାଇଛନ୍ତି ରାମ । ଧୂଳିରେ ପଟଳ ପଥରଉପରେ ଜମିଯାଉଛି–

 

ତାଙ୍କର ଉତ୍ସାହର କାରଣ ଜାଣିବାପାଇଁ କୌତୂହଳୀ ହୋଇ ବିଶ୍ୱାମିତ୍ର ପଛକୁ ଫେରି ଫେରି ଚାହୁଁଛନ୍ତି ଏବଂ ଦେଖୁ ଦେଖୁ ସ୍ତମ୍ଭିତ ହୋଇଯାଉଛନ୍ତି ।

 

ଧୂଳିର ପଟଳ ଶିଳା ଉପରେ ଜମିଯାଉଛି ।

 

ଶିଳାଖଣ୍ଡର ହୃଦୟ ଭିତର ସ୍ପନ୍ଦିତ ହେଉଛି । ଏହି ହୃଦୟଟି ଦିନେ ରୁଦ୍ଧ ହୋଇ ପଥର ପାଲଟି ଯାଇଥିଲା । ବିଭିନ୍ନ ସ୍ଥାନରେ ଯେଉଁ ରକ୍ତ ଜମି ଜମି ରହିଯାଇଥିଲା, ତାହା ପୁଣି ପ୍ରବାହିତ ହେବାକୁ ଲାଗିଲା । ପଥରରେ ଚେତନା ସଂଚାର ହେଉଅଛି ଏବଂ ତାହା ସଜୀବ ଶରୀରରେ ପରିଣତ ହେଉଅଛି । ହୃତ ପ୍ରଜ୍ଞା ପୁନଶ୍ଚ ଫେରିଆସୁଅଛି ।

 

ଅହଲ୍ୟା ଆଖି ବନ୍ଦକରି ପୁଣି ଖୋଲିଲା । ତାର ଚେତନା ବ୍ୟକ୍ତ ହେଉଅଛି । ତାର ଶାପ ବିମୋଚନ ହୋଇଗଲା ! ଶାପ ବିମୋଚନ ହୋଇଗଲା !

 

ହେ ଦେବତା ! ଏହି କଳଙ୍କିତ ଦେହଟି ପବିତ୍ର ହୋଇଗଲା ।

 

ତା’ର ନବଜୀବନଦାତା କିଏ ଏହି ଦିବ୍ୟପୁରୁଷ ? କିଏ ଏ ବାଳକ ?

 

ତାଙ୍କ ଚରଣତଳେ ଲୋଟିଯାଇ ପ୍ରଣାମ କଲା ସେ । ରାମ ଆଶ୍ଚର୍ଯ୍ୟ ହୋଇ ଋଷିଙ୍କୁ ଚାହିଁଲେ ।

 

ବିଶ୍ୱାମିତ୍ର ଜାଣିପାରିଲେ ଯେ ସେ ଅହଲ୍ୟା, ଯେ କି ଇନ୍ଦ୍ରଙ୍କର ମାୟାରେ ଠକି ଯାଇଥିଲା । ସ୍ୱାମୀଙ୍କ ପ୍ରତି ଅପାର ପ୍ରେମ ଥିବାରୁହିଁ ସେ ସେହି ଛଦ୍ମବେଶରେ ଭୁଲି ନିଜର ଦେହଟିକି ଅପବିତ୍ର କରି ଦେଇଥିଲା । ସେ ଗୌତମଙ୍କର ପତ୍ନୀ । ସେ ସବୁକଥା ରାମଙ୍କୁ କହିଲେ-। ଗୌତମ ତ ସାମନାର କୁଜୀପାହାଡ଼ ଉପରେ, ଖୋସା ଭିତରେ ଏଣ୍ଡିପୋକ ପରି ଆତ୍ମଚେତନାହୀନ ହୋଇ ଧ୍ୟାନମଗ୍ନ । ଆରେ, ସେ ଉଠିଗଲା !

 

ତପସ୍ୟାରୁ ବିରତ ହୋଇ ତାହାର ଚକ୍ଷୁଦ୍ୱୟ ଶାଣିତ ଖଡ୍‌ଗପରି ଘୂର୍ଣ୍ଣାୟମାନ । ଦେହରେ ଶକ୍ତି ସଞ୍ଚରିତ ହେଉଅଛି, ଯେପରି ଯାଦୁକରର ସ୍ପର୍ଶ ଲାଗିଛି କି ଆଉ ! ନିଜର ଚାତୁରୀ ନେଇ ନାରୀର ମାୟାଜାଲରୁ ନିଜକୁ ମୁକ୍ତ କରି ନ ପାରିଥିବାରୁ ହିଁ ବୋଧହୁଏ ସେ ଧୀରେ ଧୀରେ ଆସୁଅଛି ।

 

ପୁଣି ସେହି ଦୁଃଖର ଜାଲ ? ଶାପ-ବିମୋଚନ ପରେ ଜୀବନ କିପରି ହେବ ? ଏ ପ୍ରଶ୍ନଟା ଉପରେ ସେ ଚିନ୍ତା କରି ନଥିଲା; କିନ୍ତୁ ବର୍ତ୍ତମାନ ତ ପ୍ରଶ୍ନଟା ଏକ ବିଶାଳ ପ୍ରାଚୀର ପରି ତାହାର ଜୀବନକୁ ଆବୃତ୍ତ କରି ରଖିଅଛି । ସେ ବି ମନେମନେ ଦ୍ୱିଧାଗ୍ରସ୍ତ ହେଲା ।

 

ରାମଙ୍କର ଜ୍ଞାନ ଧର୍ମ ଚକ୍ଷୁରେ ଦେଖୁଥିଲା । ତହିଁରେ ସ୍ପଷ୍ଟତାର କିରଣ ଦିଶୁଥିଲା; କିନ୍ତୁ ତାହାକୁ ଅଭିଜ୍ଞତାର ଶାଣରେ ଶାଣିତ କରାଯାଇ ନ ଥିଲା । ବଶିଷ୍ଠ ତାଙ୍କୁ ଏପରି ଶିକ୍ଷା ଦେଇଥିଲେ ଯେ ସେ ଜୀବନର ଦୁଃଖକଷ୍ଟ, ତାହାର ତନ୍ତୁମାନ ଅଲଗା କରି ବିଶ୍ଳେଷଣ କରି ପାରୁଥିଲେ; କିନ୍ତୁ ଦୀନତା ତାଙ୍କୁ ଜଣା ନଥିଲା । ତାଙ୍କର ଶିକ୍ଷା ବୁଦ୍ଧିକୁ ନୂଆ ନୂଆ ପଥରେ ଧୈର୍ଯ୍ୟ ଧରି ଅଗ୍ରସର ହେବାକୁ ଉତ୍ସାହିତ କରୁଥିଲା ।

 

ସଂସାରର ସତ୍ତାଟି କଣ ଯେ ଆମକୁ ତାହା ଏପରି ଏକ ବିଷମ ସ୍ଥିତିରେ ବାନ୍ଧି ଦୁଃଖ ଦେଉଅଛି । ମାନସିକ ତଥା ଶାରୀରିକ ଶକ୍ତିଦ୍ୱାରା ଯାହାକୁ ଅଟକାଇ ହୁଏନାହିଁ, ସେହିପରି ଏକ ଘଟଣା ସକାଶେ ଏହାକୁ ଏତେ ବଡ଼ ଦଣ୍ଡ ଦିଆଯାଇଛି ? ‘‘ମା’’ କହି ରାମ ତା’ର ଗୋଡ଼ତଳେ ପଡ଼ି ପ୍ରଣାମ କରନ୍ତି ।

 

ଋଷିଦ୍ୱୟ (ଜଣେ ତ ସାହସକୁ ହିଁ ଜ୍ଞାନ ବୋଲି ମାନୁଥିଲେ; ଦ୍ୱିତୀୟ ଜଣକ ପ୍ରେମକୁ ହିଁ ଧର୍ମର ଆଧାର ବିଚାରୁଥିଲେ) ବାଳକର ମନରେ ଉଦିତ ଚିନ୍ତାକୁ ଜାଣି ଚକିତ ହେଲେ । କେତେ ସରଳ, ମଧୁର ପୁଣି ଭୀଷଣ ସତ୍ୟ ସେ !

 

‘‘ନିଜ ମନରୁ ଯେ କିଛି ଦୋଷ କରିନାହିଁ, ତାକୁ ଗ୍ରହଣ କରିବା ଉଚିତ ।’’ ବିଶ୍ୱାମିତ୍ର ଧୀରେ କହିଲେ ।

 

ଶୀତଳ ପବନର ସଞ୍ଚାର ଭିତରେ ତାଙ୍କର ବାଦବିବାଦର କର୍କଶତା ରସାଭାସ ଉତ୍ପନ୍ନ କରିବାକୁ ଲାଗିଲେ ।

 

ଗୌତମ, ତାଙ୍କ ସ୍ତ୍ରୀ ବା ନିରାଧାର ଭଗ୍ନାବଶେଷଯୁକ୍ତ ସେହି କୁଜୀପାହାଡ଼ଟି, କେହି ନିଜର ସ୍ଥାନ ପରିବର୍ତ୍ତନ କଲେ ନାହିଁ । ଯେଉଁଠାରେ ଆଗେ ନିର୍ଜୀବତା ଥିଲା, ସେଠାରେ ଚେତନା ସଞ୍ଚାରିତ ହେବାକୁ ଚାହିଁଲା ।

 

କୋରଡ଼ାର ଆଘାତ ପରି ଯେଉଁ ଶକ୍ତିଗଣ ଜୀବନ ବେଭାରକୁ ବଦଳାଇବାକୁ ଆସିଥିଲେ, ସେ ସମସ୍ତେ ସେହି ସ୍ଥାନରୁ ଚାଲିଗଲେ । ସଞ୍ଜବୁଡ଼କୁ ମିଥିଳା ପହଞ୍ଚିବାକୁ ହେବନି କି-? ସଂସାର-ଧର୍ମ ଦୁଇ ହସ୍ତ ପ୍ରସାରିତ କରି ଡାକୁନାହିଁ କି ?

 

ଗୌତମ ପୂର୍ବପରି ମନୋମାଳିନ୍ୟରହିତ ଭାବେ ତା ସଙ୍ଗେ କଥା କହି ପାରିଲେନି । ସେଦିନ ତାକୁ ବେଶ୍ୟା କହି ଖୁଣ୍ଟା ସେ ଦେଇଥିଲେ । ସେହି ନିଆଁ ଖୁଣ୍ଟା ତାର ଜିଭଟି ପୋଡ଼ିଦେଇଛି ପରା ! ‘‘କଣ କହିବି ? କଣ କହିବି ?’’

 

‘‘କଣ ଦରକାର ତମର ?’’ ଗୌତମ ପଚାରିଲା । ତାର ପୂର୍ଣ୍ଣଜ୍ଞାନ କିପରି ଭାବନାର ପ୍ରବାହରେ ଭାସିଯାଇଥିଲା । ତେଣୁ ନିଃସାର ଶବ୍ଦ ମାତ୍ର ତା ମୁହଁରୁ ବାହାରିଲା ।

 

ଶିଶୁପରି ଅହଲ୍ୟା କହିଲା, ‘‘ଭୋକ ଲାଗୁଛି ।’’

 

ଗୌତମ ନିକଟସ୍ଥ ବିଲକୁ ଯାଇ ଫଳାଦି ସଂଗ୍ରହ କରି ଆଣିଲା । ସେଦିନ ତା ମନରେ ଠିକ୍ ସେହି ପ୍ରେମ ଓ ସ୍ନେହର ଭାବ ଜାଗ୍ରତ ହେଲା, ଯାହାକି ପୂର୍ବେ ତାର ଅଙ୍ଗପ୍ରତ୍ୟଙ୍ଗରେ ପ୍ରକଟ ହେଉଥିଲା ।

ଯଦ୍ୟପି ହୃଦୟରେ ପ୍ରେମୋଦୟ ହେବା ପରେ ସେମାନେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ, ତଥାପି ତହିଁରେ ବି ଠକାମି ଥିଲା । ବଳଦଙ୍କୁ ନାତ ମାରି ସେ ତାକୁ ପାଇଥିଲା ତ । ଏହିପରି ଗୌତମର ମନ ଅନ୍ୟ ଦିଗରେ ବିଚରଣ କଲା । ସେ ଆତ୍ମଗ୍ଳାନିରେ ଦଗ୍‌ଧ ହେଲେ ।

ଅହଲ୍ୟା ନିଜର କ୍ଷୁଧା ମେଣ୍ଟାଇଲା ।

ସେମାନଙ୍କ ମନ ଭିତରେ ପ୍ରେମଭାବ ପୂର୍ବପରି ହିଁ ବିଦ୍ୟମାନ ଥିଲା; କିନ୍ତୁ ଦୁହେଁ ଦୁଇଟି ଭିନ୍ନ ପ୍ରକାରର ଚିନ୍ତାରେ ପଡ଼ି ଛଟପଟ ହେଉଥିଲେ ।

ଅହଲ୍ୟାର ଚିନ୍ତା, ସେ କଣ ଗୌତମର ଅନୁରୂପ ?

ଗୌତମର ଚିନ୍ତା, ସେ କଣ ଅହଲ୍ୟାର ଯୋଗ୍ୟ ?

ରାସ୍ତାକଡ଼ରେ ଫୁଟିଥିବା ଫୁଲମାନେ ତାଙ୍କୁ ଦେଖି ହସିବାକୁ ଲାଗିଲେ ।

* ପ୍ରାଚୀନ କାଳରେ ତାମିଲ ପ୍ରଦେଶର କୌଣସି କୌଣସି ଜାତି ଭିତରେ ପୁରୁଷମାନେ ସାତଟି ବଳବାନ୍‍ ବଳଦଙ୍କୁ ନାତ ମାରି, ନିଜର ବଳବୀର୍ଯ୍ୟର ପ୍ରମାଣ ଦେଇ କନ୍ୟାକୁ ପତ୍ନୀରୂପେ ପାଇବାର ରୀତି ଥିଲା ।

 

 

ଅହଲ୍ୟାର ଇଚ୍ଛାମତେ ଅଯୋଧ୍ୟାର ବାହାର ସୀମାର ଅନତିଦୂରରେ, ମନୁଷ୍ୟଗନ୍ଧରହିତ ସରଯୂ ନଦୀକୂଳେ ଏକ କୁଟୀରରେ ରହି ଗୌତମ ଧର୍ମଚିନ୍ତନ କରିବାକୁ ଲାଗିଲା । ବର୍ତ୍ତମାନ ଗୌତମର ଅହଲ୍ୟା ଉପରେ ପୂର୍ଣ୍ଣ ବିଶ୍ୱାସ । ତାହାକୁ ଇନ୍ଦ୍ରର କୋଳରେ ବସିଥିବାର ଦେଖିଲେ ବି ସନ୍ଦେହ କରିବ ନାହିଁ । ସେ ତାହାକୁ ଏପରି ଏକ ସତୀ ନାରୀ ଭାବିବାକୁ ଲାଗିଲା । ସେ ଏପରି ଏକ ଅବସ୍ଥାରେ ପହଞ୍ଚିଗଲା, ତାହାର ମନେହେଲା ଯେ ଅହଲ୍ୟାର ଅବଲମ୍ବନ ବିନା ତାର ସବୁ କିଛି ଧର୍ମଚିନ୍ତା ନଷ୍ଟଭ୍ରଷ୍ଟ ହୋଇଯିବ ।

 

ଅହଲ୍ୟା ଅମାପ ପ୍ରେମ ଦେଇ ତାକୁ ଢଳାଇ ନେଇଥିଲା । ତା ବିଷୟ ଚିନ୍ତାକଲା ମାତ୍ରେ ଅହଲ୍ୟାର ମନ ତଥା ଅଙ୍ଗପ୍ରତ୍ୟଙ୍ଗରେ ନବବିବାହିତାର ପୁଲକ ଖେଳିଯାଉଥିଲା; କିନ୍ତୁ ତାର ହୃଦୟର ବୋଝ ହାଲୁକା ହୋଇ ନ ଥିଲା । ସେ ଏପରିଭାବେ ଚଳପ୍ରଚଳ ହେବାକୁ ଚାହୁଁଥିଲା ଯେ କେହି ଯେପରି ତାକୁ ସନ୍ଦେହ କରି ନ ପାରେ ଏବଂ ତାକୁ ନିରେଖି ଦେଖିବାର ଅବସର ସେ କାହାରିକି ବି ଯେପରି ନଦିଏ । ଏଣୁ ତାର ସ୍ୱାଭାବିକ ବ୍ୟବହାରରେ କିଛି ପରିବର୍ତ୍ତନ ଆସିଗଲା । ତାକୁ ଚାରିପଟର ଲୋକମାନେ ଇନ୍ଦ୍ରପରି ଜଣାଗଲେ । ଅହଲ୍ୟାର ମନରେ ଭୟ ବସା ବାନ୍ଧିଗଲା-। ଅତୀତର ସେସବୁ କଥାବାର୍ତ୍ତା ଆଉ ଖେଳତାମସା ପୂରାପୂରି ଭୁଲିଗଲା । କିଛି କହିବା ଆଗରୁ ହଜାର ଥର ଚିନ୍ତା କରେ ତାହାର କଥାବାର୍ତ୍ତାଟା ଠିକ୍ ହବ କି ହବ ନି । ଗୌତମଙ୍କ ମାମୁଲି କଥାଗୁଡ଼ାକ ଭିତରୁ ବି ସେ ଗୂଢ଼ାର୍ଥ ଖୋଜୁଥିଲା ।

 

ଜୀବନ ତା’ଲାଗି ନରକ-ଯନ୍ତ୍ରଣାରେ ପରିଣତ ହେଲା ।

ସେଦିନ ମରୀଚି ଆସିଥିଲେ । ତାର ଆଗ ଦିନ ଦଧୀଚି ଋଷି ଆସିଥିଲେ । ବାରାଣସୀ ଯିବା ବାଟରେ ମତଙ୍ଗ ଋଷି ବି ଗୌତମଙ୍କର କୁଶଳ-କ୍ଷେମ ବୁଝିବାକୁ ଆସିଥିଲେ । ତାଙ୍କ ମନରେ ଯଦ୍ୟପି ମମତା ଏବଂ ସ୍ନେହର ଭାବ ଥିଲା, ତଥାପି ଅହଲ୍ୟା ସରମରେ ସଙ୍କୁଚିତ ହୋଇ ରହିଲା । ମନେହେଲା ଯେ ତାର ଅତିଥିସତ୍କାର ବି ବ୍ୟାହତ ହୋଇଯିବ ପରା ! ଅତି ମାମୁଲିଭାବେ ସେ ତାଙ୍କୁ ଗୋଡ଼ଠୁଁ ମୁଣ୍ଡଯାକେ ଦେଖୁଥିଲା । ତାଙ୍କୁ ବି ସେ ନିର୍ଦ୍ଦୋଷ ଦୃଷ୍ଟିରେ ଦେଖିବାକୁ ସଙ୍କୋଚ ଅନୁଭବ କରୁଥିଲା । ସେ କୁଟୀରରେ ଯାଇ ଲୁଚିଲା ।

ଗୌତମର ବିଚାରଧାରା ବର୍ତ୍ତମାନ ନୂଆ ଦିଗରେ ବିଚରଣ କଲା । ତାଙ୍କର କହିବାର କଥା, ଧର୍ମର ବନ୍ଧନ କେବଳ ତାହାରି ଲାଗି ଯେ କି ଜାଣି ଜାଣି ତହିଁରେ ବାନ୍ଧିହୁଏ । ଆତ୍ମଜ୍ଞାନଶୂନ୍ୟ ହେଲେ ପୂରା ମାନବଜାତିକୁ ନଷ୍ଟ କରିଦେଲା ଭଳି ଦୂଷିତ କର୍ମରେ ବି ପାପ ନାହିଁ-। ଯେଉଁ କର୍ମକୁ ଆମେ ତଲ୍ଲୀନ ହୋଇ ତଥା ଆତ୍ମଜ୍ଞାନଯୁକ୍ତ ହୋଇ କରୁଁ, ସେହି ଆମ୍ଭଙ୍କୁ କଳଙ୍କିତ କରେ । ସେହି ଭଙ୍ଗାରୁଜା କୁଟୀରଟି ଭିତରେ ରହି ତାଙ୍କର ଅନ୍ୟମାନଙ୍କ ସଙ୍ଗେ ସମ୍ପର୍କ ପୁନଃ ସ୍ଥାପିତ ହୋଇଗଲା । ଗୌତମ ନିଜର ଚିନ୍ତାଧାରାକୁ ନୂତନ ଦିଗରେ ନେଇଗଲା । ତା’ର ମନରେ ଅହଲ୍ୟାର ନିଷ୍କଳଙ୍କ ରୂପଟି ସ୍ଥାପିତ ହୋଇଥିଲା । ତାକୁ ଲାଗିଲା, ତାଙ୍କ ନିଜର କିଛି ଯୋଗ୍ୟତା ନାହିଁ । ଶାପାଗ୍ନି ପ୍ରଜ୍ଜ୍ୱଳିତ କରିଥିବା କ୍ରୋଧଟି ତାହାକୁ କଳଙ୍କିତ କରିଦେଇଛି ।

ସୀତା ଓ ରାମ ବେଳେ ବେଳେ ମନୋରଞ୍ଜନ ପାଇଁ ରଥରେ ଚଢ଼ି ଏଆଡ଼େ ଆସୁଥିଲେ-। ଅବତାର ଶିଶୁ (ରାମ) ଗୌତମଙ୍କ ମନରେ ଏକ ଆଦର୍ଶ ଯୁବକ ରୂପରେ ସ୍ଥିତ ହେଲେ-। ତାଙ୍କର ଖୋଲା ହସ ଓ ଲୀଳାଖେଳା, ସ୍ୱୟଂପ୍ରଭ ଦୀପ ପରି, ତାଙ୍କର ଧର୍ମଶାସ୍ତ୍ରର ବ୍ୟାଖ୍ୟା କରିଯାଏ-। ଏହି ଯୁବାଦମ୍ପତିଙ୍କ ଭିତରେ କେତେ ଘନିଷ୍ଠ ପ୍ରେମ ଅଛି ! ତାଙ୍କ ପ୍ରେମ ଗୌତମଙ୍କୁ ତାଙ୍କ ପ୍ରଥମ ଜୀବନର ସ୍ମରଣ କରାଇଦିଏ ।

ଅହଲ୍ୟାର ମନଭାର କମାଇବାକୁ ଆସିଥିଲେ–ସୁନ୍ଦରୀ ସୀତା । ଅହଲ୍ୟାର ମନେହେଲା ସୀତାଙ୍କର କଥା, ହସ ତାର କଳଙ୍କକୁ ଧୋଇ ଦେଉଛି । ସେ ଆସିଲେ ଅହଲ୍ୟାର ଅଧରରେ ମୃଦୁହାସ୍ୟ ଫୁଟିଉଠେ, ନେତ୍ରରେ ପ୍ରକଟ ହୁଏ ଉଲ୍ଲାସ ।

ବଶିଷ୍ଠଙ୍କର ତତ୍ତ୍ୱାବଧାନରେ ବଢ଼ୁଥିବା ଭାବୀ ରାଜା ସେ ! ସରଯୂ ନଦୀକୂଳେ, ବାକି ସଂସାରଠାରୁ ଦୂରରେ ଏକ ଅନ୍ୟ ଜଗତରେ ଚଳାଚଳ କରୁଥିବା ଜୀବଗୁଡ଼ିକଙ୍କ ମଧ୍ୟରେ ସେ ପୁଣି ଥରେ ଚେତନାର ସଞ୍ଚାର କରିଦେଲେ ।

ଆଜିଯାଏ ଟିକେ ବାହାରେ ବୁଲିବା ବା ଅନ୍ୟ କୁଆଡ଼େ ଯିବାର ଇଚ୍ଛା ଅହଲ୍ୟାର ଆଦୌ ନ ଥିଲା । ସୀତାର ସାମୀପ୍ୟ ତା’ର ହୃଦୟର ଭାରକୁ ଲାଘବ କଲା ଓ ତା’ ଭିତରେ ଉତ୍ସାହ ସୃଷ୍ଟି କଲା ।

ସେ ରାଜ୍ୟାଭିଷେକ ଦିନ ଅଯୋଧ୍ୟା ଆସିବାକୁ ସ୍ୱୀକୃତି ଦେଇଦେଲା; କିନ୍ତୁ ନବର ଭିତରେ ବୁଲୁଥିବା ଚିନ୍ତାର କେତେ ଶକ୍ତି ଥିଲା ! ଏକା ନିଶ୍ୱାସରେ ଦଶରଥଙ୍କର ପ୍ରାଣ ନେଇଗଲା, ରାମଙ୍କୁ ବଣକୁ ପଠାଇ ଦେଲା, ଦୁଃଖାଭିଭୂତ ଭରତଙ୍କୁ ଅଶ୍ରୁପାତ କରି କରି ନନ୍ଦିଗ୍ରାମରେ ରହିବାକୁ ବାଧ୍ୟ କରିଦେଲା ।

 

ଏସବୁକିଛି ଖୁବ୍ ଶୀଘ୍ର ହୋଇଗଲା । ଏମିତି ଲାଗିଲା ଯେପରି ମନୁଷ୍ୟର ଶକ୍ତିଦ୍ୱାରା ବାନ୍ଧି ନ ହେବା ଏପରି କୌଣସି ଅଦୃଶ୍ୟ ଶକ୍ତି ଉନ୍ମତ୍ତ ଆବେଶରେ ପଶା ଖେଳି ଜିତି ଯାଇଛି ପରା-!

 

ବଶିଷ୍ଠ ମୁନି ଖୁବ୍ ସାବଧାନ ରହିଲେ । ମାନବ ଧର୍ମର ବିଜୟର ପ୍ରତୀକରୂପେ ଗୋଟିଏ ରାଜ୍ୟର ସ୍ଥାପନା ସକାଶେ ସେ ଆଖିରେ ପାଣି ଛାଟି ଜାଗ୍ରତ ରହିଲେ; କିନ୍ତୁ ତାଙ୍କର ସବୁକିଛି ହିସାବକିତାବ ବ୍ୟର୍ଥ ହୋଇଗଲା । ତାଙ୍କର ସେହି ରାଜ୍ୟକଳ୍ପନା ନନ୍ଦିଗ୍ରାମରେ ସ୍ଥିର ଏବଂ ଉଜ୍ଜ୍ୱଳ ଜ୍ୟୋତି ହୋଇ ରହିଗଲା ।

 

ସରଯୂ ନଦୀକୂଳର କୁଟୀରଟି ପୁଣି ଥରେ ନିରାଧାର ହୋଇ ପଡ଼ିରହିଲା–ଏପରି କୁହାଯାଇପାରେ । ଏହି ଝଡ଼ରେ ବିନଷ୍ଟ ହେଲା ଗୌତମଙ୍କର ଧର୍ମଚିନ୍ତା । ମନର ବିଶ୍ୱାସ ମିଳାଇଗଲା, ସେ ବିଶ୍ୱାସହୀନ ହୋଇଗଲେ ।

 

ଅହଲ୍ୟାର କଣ ହେଲା ? ତାର ଅପାର ଦୁଃଖ କଥାରେ କହିହେବ ନାହିଁ । ସେ କିଛି ବୁଝିପାରିଲାନି । ସେ କ୍ଷୀଣ ଓ ଦୁର୍ବଳ ହୋଇଗଲା । ରାମ ବଣକୁ ଗଲେ । ତାଙ୍କର ଭାଇ ବି ଗଲେ ତାଙ୍କ ସାଙ୍ଗରେ, ସୀତାଦେବୀ ବି ଗଲେ ବାହାରି । ଆଗେ ଶିଳାରୂପରେ ତାର ମନରେ ଯେପରି ଅନ୍ଧକାର ଭରି ରହିଥିଲା, ସେହିପରି ହୋଇଗଲା ବର୍ତ୍ତମାନ; କିନ୍ତୁ ବର୍ତ୍ତମାନ ମନର ଭାରଟି ଆଉ ସହି ହେଉନାହିଁ ।

 

ସକାଳୁ ସକାଳୁ ଗୌତମ ନଦୀକୁ ଯାଇ ଜପାଦି କରି କୁଟୀରକୁ ଫେରିଲେ । ତାଙ୍କ ଚରଣ ଧୋଇବାକୁ ପାଣିଢାଳ ହାତରେ ନେଇ ଅହଲ୍ୟା ଠିଆ ହୋଇଥିଲା । ତାର ଅଧର କମ୍ପିତ ହେଲା ।

 

ସେ କହିଲା, ‘‘ଆଉ ମୁଁ ଏଠି ରହିପାରିବିନି । ଚାଲ ଆମେ ମିଥିଳା ଚାଲିଯିବା ।’’

 

‘‘ଆଚ୍ଛା ଚାଲ ! ଶତାନନ୍ଦକୁ କେଉଁ ଦିନୁ ଦେଖିନାହିଁ ।’’ କହି ଗୌତମ ବାହାରି ଆସିଲେ-

 

ଦୁହେଁ ମିଥିଳାଆଡ଼କୁ ଚାଲିଲେ । ଦୁହିଙ୍କ ମନରେ ଦୁଃଖ ବସା ବାନ୍ଧିଛି । ଗୌତମ କିଛିକ୍ଷଣ ଅଟକିଗଲେ ।

 

ପଛରେ ଆସୁଥିବା ଅହଲ୍ୟାର ହାତ ସେ ଧରି ନେଲେ । ତାକୁ ‘ଡରନା’ କହି ପୁଣି ଚାଲିଲେ ।

 

 

ସକାଳ ହୋଇଯାଇଛି । ଗଙ୍ଗାକୂଳରେ ଦୁହେଁ ଚାଲୁଛନ୍ତି ।

 

କେହି ନଈପାଣିରେ ଠିଆହୋଇ ଉଚ୍ଚ ଓ ସ୍ପଷ୍ଟ ସ୍ୱରରେ ଗାୟତ୍ରୀ ଜପ କରୁଥିଲା ।

 

ଜପ ଶେଷ ହେବାଯାକେ ଅପେକ୍ଷା କରି ସେ ଦୁହେଁ ତଟରୁ ଘୁଞ୍ଚିଯାଇ ଠିଆହେଲେ ।

 

‘‘ଶତାନନ୍ଦ ?’’ ଗୌତମ ଡାକିଲେ ।

 

‘‘ବାପା.... ମାଆା ।’’ କହି କହି ଅପାର ଆନନ୍ଦରେ ଶତାନନ୍ଦ ତାଙ୍କ ଗୋଡ଼ତଳେ ପଡ଼ି ପ୍ରଣାମ କଲା ।

 

ଅହଲ୍ୟା ଆନନ୍ଦରେ ତାକୁ ଆଲିଙ୍ଗନ କଲା । ତାକୁ ଲାଗିଲା, ଋଷିମାନଙ୍କ ପରି ନିଶଦାଢ଼ୀ ବଢ଼ାଇ ତାର ପୁଅଟା କେମିତି ପର ହୋଇଯାଇଛି ।

 

ପୁତ୍ରର ତେଜସ୍ୱିତା ଗୌତମଙ୍କର ମନକୁ ତୃପ୍ତି ଦେଲା ।

 

ଶତାନନ୍ଦ ଦୁହିଙ୍କୁ ନିଜର କୁଟୀରକୁ ନେଇଗଲା ।

 

ତାଙ୍କର ଶ୍ରମ-ପରିହରଣର ବନ୍ଦୋବସ୍ତ କରି ସେ ଜନକଙ୍କର ଧର୍ମବିଚାର ମଣ୍ଡପକୁ ଯିବାକୁ ପ୍ରସ୍ତୁତ ହେଲା ।

 

ଗୌତମ ମଧ୍ୟ ତା’ ସଙ୍ଗେ ଯିବାକୁ ବାହାରିଲେ । ପୁଅ ତାଙ୍କୁ ସଙ୍ଗରେ ନେବାକୁ ଚାହୁଁଥିଲା, କିନ୍ତୁ ରକ୍ତସମ୍ପର୍କରୁ ଉତ୍ପନ୍ନ ତାହାର ପ୍ରେମ ତାକୁ ଭାବିବାକୁ ଦେଲା ଯେ ଯାତ୍ରାପଥ ଖୁବ୍ ଲମ୍ବା, ନଚେତ୍ ଯେଉଁ ଦେହ ଯୁଗ-ଯୁଗ ତପୋମଗ୍ନ ରହି ମଧ୍ୟ କ୍ଷୀଣ ହୋଇନାହିଁ ସେ କଣ ଏହି ଯାତ୍ରାରୁ ଶିଥିଳ ହୋଇଯାଇଥାନ୍ତା ? ସେ ମଧ୍ୟ ପୁଅ ପଛେ ପଛେ ଚାଲିଲେ । ପୁଅ ତାଙ୍କର ଧର୍ମସିଦ୍ଧାନ୍ତର ନୂତନ ତତ୍ତ୍ୱମାନଙ୍କ ବିଷୟରେ ଜାଣିବାର ଇଚ୍ଛା ପ୍ରକାଶ କଲା ।

 

ମିଥିଳାର ରାସ୍ତାରେ ଯାଉ ଯାଉ ଗୌତମ ବୋଧକଲେ ଯେ ଅଯୋଧ୍ୟାରେ ଯେଉଁ ମନୋବେଦନା ଓ ଦୁଃଖ ଉତ୍ପନ୍ନ ହୋଇଥିଲା, ତାହା ଏଠାରେ ମଧ୍ୟ ବ୍ୟାପ୍ତ ରହିଛି । ତାଙ୍କର ଚାପା ଦୀର୍ଘନିଶ୍ୱାସ ପବନରେ ମିଳାଇଗଲା ।

 

ଲୋକେ ଯାଉଛନ୍ତି, ଆସୁଛନ୍ତି, କାମ କରୁଛନ୍ତି । ନିଷ୍କାମ ଭାବରେ ହିଁ ସକଳ କାର୍ଯ୍ୟ କରିଯାଉଛନ୍ତି । ତାଙ୍କ ସଙ୍ଗେ କାହାରି ଯୋଗାଯୋଗ ନାହିଁ, ତଲ୍ଲୀନତା ବି ନାହିଁ ।

 

ପ୍ରଭୁଙ୍କର ସ୍ନାନ ଲାଗି ଭରାକଳସୀ ନେଇ ଯାଉଥିବା ହାତୀର ଚାଲିରେ ଉତ୍ସାହ ନାହିଁ । ତା ସଙ୍ଗେ ସଙ୍ଗେ ଚାଲୁଥିବା ପୂଜାରୀର ମୁହଁରେ ଭଗବତ୍‌କୃପା ପ୍ରାପ୍ତିର ଉତ୍ସାହ ନାହିଁ ।

 

ଦୁହେଁ ରାଜାଙ୍କର ବିଚାର ମଣ୍ଡପରେ ପ୍ରବିଷ୍ଟ ହେଲେ । ସତ୍‌ସଙ୍ଗ ମଣ୍ଡପରେ ଅଗଣିତ ଜନସମୁଦ୍ରର ଥାଟପଟାଳି । ‘‘ହାଟ ମଧ୍ୟରେ ବ୍ରହ୍ମଜ୍ଞାନ’’ ଚକିତ ହୋଇ ଗୌତମ ଭାବିଲେ; କିନ୍ତୁ ତାଙ୍କର ଏହି ଭାବନା ଭିତ୍ତିହୀନ ।

 

ଜନକଙ୍କର ଦୃଷ୍ଟି ଶୀଘ୍ର ହିଁ ଦୁହିଙ୍କ ଉପରେ ପଡ଼ିଲା ।

 

ସେ ଦଉଡ଼ି ଆସି ମୁନିଙ୍କୁ ଅର୍ଘ୍ୟାଦି ଦେଇ ତାଙ୍କର ସ୍ୱାଗତ କଲେ ଓ ତାଙ୍କୁ ଘେନିଯାଇ ନିଜ ପାଖରେ ବସାଇ ନେଲେ ।

 

ଜନକଙ୍କ ମୁଖରେ ଶୋକର ଭାବ ବିଦ୍ୟମାନ; କିନ୍ତୁ ତାଙ୍କ କଥାବାର୍ତ୍ତାରେ କୌଣସି ପ୍ରକାର ଶୈଥିଲ୍ୟ ନଥିଲା । ଏଥିରୁ ସ୍ପଷ୍ଟ ବୁଝାଗଲା, ସେ ଧୈର୍ଯ୍ୟ ହରାଇ ନାହାନ୍ତି ।

 

‘କଣ କହିବି’ ଏହିପରି ଭାବି ଗୌତମ ସଙ୍କୁଚିତ ରହିଲେ ।

 

ଜନକ ନିଜର ଦାଢ଼ୀ ଉପରେ ହାତ ବୁଲାଇ ଆସ୍ତେ କହିଲେ, ‘‘ବଶିଷ୍ଠ ଯେଉଁ ରାଜ୍ୟର ନିର୍ମାଣ କଲେ ତହିଁରେ ଭାବନାର ସ୍ଥାନ ଦେଲେ ନାହିଁ ।’’

 

ଜନକଙ୍କର ଏହି ବାକ୍ୟରେ ଯେପରି ଦ୍ୱେଷ ଫୁଟିଉଠୁଥିଲା ।

 

ଗୌତମ କହିଲେ, ‘‘ଭାବନାର ପ୍ରବାହ ଭିତରୁ ହିଁ ତ ସତ୍ୟ ପ୍ରକାଶିତ ହେବ ।’’

 

ଜନକ ଉତ୍ତର କଲେ, ‘‘ଭାବନାକୁ ନିଜର ଉପଯୁକ୍ତ ତିଆରି କରି ନ ପାରିଲେ ଦୁଃଖ ମଧ୍ୟ ଉତ୍ପନ୍ନ ହେବ । ରାଜ୍ୟ ତିଆରି କରିବାର ଇଚ୍ଛା ଥିଲେ ତାକୁ ବି ସ୍ଥାନ ଦେବାକୁ ହେବ, ଅନ୍ୟଥା ରାଜ୍ୟ ତିଷ୍ଠି ରହିବନି ।’’

 

‘‘ଆଉ ଆପଣଙ୍କର ?’’ ଗୌତମ ସନ୍ଦେହଯୁକ୍ତ ହୋଇ ପଚାରିଲେ ।

 

ଜନକ କହିଲେ, ‘‘ମୁଁ ରାଜତ୍ୱ କରୁନାହିଁ, ଶାସନକୁ ବୁଝିବାର ଚେଷ୍ଟାମାତ୍ର କରୁଛି ।’’

 

ଦୁହେଁ କିଛିକାଳ ମୌନ ରହିଲେ ।

 

‘‘ଆପଣଙ୍କର ଧର୍ମଚିନ୍ତନ କେଉଁ ପ୍ରକାରର ।’’ ଜନକ ବିନୟପୂର୍ବକ ପଚାରିଲେ ।

 

‘‘ବର୍ତ୍ତମାନ ସୁଦ୍ଧା ତାହାକୁ ଆରମ୍ଭ କରିନାହିଁ । ବର୍ତ୍ତମାନ ତାକୁ ଜାଣିବାର ଚେଷ୍ଟା କରିବି-। ଅନେକ ସମସ୍ୟା ଅଦ୍ୟାପି ଇନ୍ଦ୍ରିୟଙ୍କୁ ନିଜର ଜାଲ ଭିତରେ ଅଟକାଇ ରଖିଛନ୍ତି’’ କହି କହି ଗୌତମ ଉଠିପଡ଼ିଲେ ।

 

ସେ ପରଦିନ ଆଉ ଜନକଙ୍କର ବିଚାର ମଣ୍ଡପକୁ ଗଲେ ନାହିଁ । ତାଙ୍କର ମସ୍ତିଷ୍କରେ ଅନେକ ପ୍ରଶ୍ନ ହିମାଳୟ ଭଳି ଠିଆହୋଇଥିଲା । ସେ ଏଣିକି ଏକାନ୍ତରେ ବସିବାକୁ ଚାହିଁଲେ; କିନ୍ତୁ ତାର ସନ୍ଧାନ କରିବାକୁ ଗଲେ ନାହିଁ, କାଳେ ଅହଲ୍ୟାର ମନ ଭାଙ୍ଗ ଯିବ !

 

ପରଦିନ ଜନକ ଉତ୍କଣ୍ଠାପୂର୍ବକ ପଚାରିଲେ, ‘‘ମୁନିବର କାହାନ୍ତି ?’’

 

ଶତାନନ୍ଦ ଉତ୍ତର ଦେଲେ, ‘‘ସେ କୁଟୀର ସମ୍ମୁଖରେ ଥିବା ଅଶୋକ ବୃକ୍ଷତଳେ ନିଜର ସମୟ ଅତିବାହିତ କରୁଛନ୍ତି ।’’

 

‘‘ଧ୍ୟାନରେ ?’’

 

‘‘ନା, ଚିନ୍ତାରେ ।’’

 

ଜନକ ମନକୁ ମନ ଧୀରେ କହିଲେ, ‘‘ବର୍ତ୍ତମାନ ସୁଦ୍ଧା ଲହରିମାଳା ଶାନ୍ତ ହୋଇ ନାହିଁ-।’’

 

ଅହଲ୍ୟାର ସ୍ନାନରେ ବିଶେଷ ସଉକି ଥିଲା । ଏଠି ଗଙ୍ଗାକୂଳେ ଶାନ୍ତି ଥିବ । ଏହା ଭାବି ସେ ଉଷାକାଳରେ ଗରା ଧରି ଗଙ୍ଗାକୂଳକୁ ବାହାରି ଯାଉଥିଲା, ଏକାକିନୀ ।

 

ଦିନେ ଦି’ଦିନ ଏକାକିନୀ ଯାଇ, ନିଶ୍ଚିନ୍ତ ହୋଇ ସେ ନିଜ ମନର ଇଚ୍ଛାରୂପୀ ଲତାଗୁଡ଼ିକୁ ତାଙ୍କ ଇଚ୍ଛାମୁତାବକ ଖେଳାଇ ଦେଲା । ଏଥିରୁ ତାର ମନର ଭାର କମିବା ଭଳି ତୃପ୍ତି ମିଳୁଥିଲା । ଯାହା ପାରେ ତାହା ପିନ୍ଧି, ନାନାପ୍ରକାରେ ଖେଳି ଖେଳି ସେ ପାଣି ନେଇ ଫେରୁଥିଲା ।

 

କିନ୍ତୁ ଏପରି ବେଶୀ ଦିନ ରହିଲାନି ।

 

ସେ ଗାଧୋଇ-ପାଧୋଇ ତଳକୁ ଚାହିଁ ଚାହିଁ ନିଶ୍ଚିନ୍ତ ହୋଇ ଫେରୁଥିଲା ।

 

ଆଗରେ ନୂପୁରଧ୍ୱନି ଶୁଣାଗଲା । କେତେକ ଋଷିପତ୍ନୀ ଆସୁଥିଲେ । ସେମାନେ ବି ସ୍ନାନ କରିବାକୁ ଆସୁଥିଲେ । ତାକୁ ଦେଖିବା ମାତ୍ରେ ସେମାନେ ଏପରିଭାବେ ପଳେଇଗଲେ ସତେ ଯେପରି ଚଣ୍ଡାଳୁଣୀଟାଏ ଆଗରେ ମିଳିଗଲା ! ସେମାନେ ଖୁବ୍ ଚକିତ ଦୃଷ୍ଟିରେ ତା ଆଡ଼େ ଚାହିଁ ଚାହିଁ ସେଠୁ ଚାଲିଗଲେ ।

 

ଦୂରରୁ ଶୁଣାଗଲା, ‘‘ସେଇ ଅହଲ୍ୟା ।’’ ସେହି କଥା ପଦକ ତାକୁ, ତା’ର ଅନ୍ତରରୁ ଉତ୍ପନ୍ନ ଶାପ-ବହ୍ନିରୁ ଅଧିକ ହୋଇ ପୋଡ଼ିବାକୁ ଆରମ୍ଭ କଲା ।

 

ତା’ର ମନରେ ସେତେବେଳେ ଦାବାନଳ ପରି ଦହନ ଚାଲିଲା । ତା’ର ଚିନ୍ତାଧାରା ବଦଳିଗଲା । ‘‘ହେ ଦେବତା ! ଶାପର ତ ବିମୋଚନ ହୋଇଗଲା, ପାପର ବିମୋଚନ ହେବ ନାହିଁ-?’’ ଏହିପରି ଭାବି ସେ ଫୁଲି ଫୁଲି କାନ୍ଦି ଉଠିଲା ।

 

ସେଦିନ ସେ ଯନ୍ତ୍ରଚାଳିତ ପ୍ରତିମା ପରି ଗୌତମ ଓ ଶତାନନ୍ଦଙ୍କୁ ଖାଇବାକୁ ବାଢ଼ିଲା । ‘‘ପୁଅ ବି ପର ହୋଇଗଲା, ପରମାନେ ଶତ୍ରୁ ହୋଇଗଲେଣି, ଆଉ ଏଣିକି ଏଠି ରହିଲେ କି ଲାଭ-!’’ ଏହି ପ୍ରଶ୍ନକୁ ଅହଲ୍ୟା ବାରମ୍ବାର ମନରେ ଦୋହରାଇଲା ।

 

ଗୌତମ ମଝିରେ ମଝିରେ ଚେତା ପାଇ ଗଣ୍ଡାଏ ମୁହଁରେ ଦେଉଥିଲେ ଏବଂ ପୁଣି ଚିନ୍ତାମଗ୍ନ ହୋଇ ଯାଉଥିଲେ ।

 

ତାହାଙ୍କର ଆତ୍ମପରବଶତାରୁ ଉତ୍ପନ୍ନ ବେଦନାରୁ ଶତାନନ୍ଦର ମଧ୍ୟ ନିଶ୍ୱାସ ଭାରୀ ହୋଇ ଆସିଲା ।

 

ତାଙ୍କର ବେଦନାକୁ କିଛିଟା ଉଶ୍ୱାସ କରିବାକୁ ଶତାନନ୍ଦ କହିଲା, ‘‘ଅତ୍ରିମୁନି ଜନକଙ୍କୁ ଭେଟିବାକୁ ଆସିଥିଲେ । ସେ ଅଗସ୍ତ୍ୟଙ୍କ ସଙ୍ଗେ ଦେଖାକରି ଆସୁଛନ୍ତି ଏବଂ ମେରୁପର୍ବତ ଆଡ଼କୁ ଯାଉଛନ୍ତି । ରାମ ଓ ସୀତା ଅଗସ୍ତ୍ୟ ମୁନିଙ୍କର ଦର୍ଶନ କରିଥିଲେ । ସେ ଦୁହିଙ୍କୁ ଅଗସ୍ତ୍ୟ କହିଥିଲେ, ‘ପଞ୍ଚବଟୀ ଭଲ ଜାଗା । ତମେ ସେଇଠି ରୁହ ।’ ଜଣାଯାଉଛି ସେମାନେ ବର୍ତ୍ତମାନ ସେଇଠି ଅଛନ୍ତି-।’’

 

ଅହଲ୍ୟା ଧୀରେ ପଚାରିଲା, ‘‘ଆମେ ବି ତୀର୍ଥ କରି ଯିବା କି ?’’

 

‘‘ଚାଲ’’, କହି ହାତ ଝାଡ଼ି ଗୌତମ ଉଠି ଠିଆହେଲେ ।

 

ଶତାନନ୍ଦ ପଚାରିଲା, ‘‘ବର୍ତ୍ତମାନ ?’’

 

‘‘କାହିଁକି, ବର୍ତ୍ତମାନ ଗଲେ କଣ ହେବ କି ?’’ ପଚାରି ଗୌତମ କୋଣରେ ରଖା ହୋଇଥିବା ନିଜର ଦଣ୍ଡ-କମଣ୍ଡଳୁ ଧରିଲେ ଓ ଦୁଆର ଆଡ଼କୁ ଚାଲିଲେ ।

 

ଅହଲ୍ୟା ବି ତାଙ୍କ ପଛେ ପଛେ ଚାଲିଲେ ।

 

ଶତାନନ୍ଦର ମନ ସନ୍ତପ୍ତ ହୋଇ ଉଠିଲା ।

 

 

ସନ୍ଧ୍ୟା ହୋଇ ଯାଇଥିଲା । ତାଙ୍କର ଛବି ଝାପ୍‌ସା ହୋଇ ଆସିଲା ଯେପରି । ଦୁହେଁ ସରଯୂ ନଦୀ କୂଳେ କୂଳେ ଅଯୋଧ୍ୟା ଯାଉଥିଲେ ।

 

ଚଉଦ ବର୍ଷ ଯାଇ କାଳର ଅତଳଗର୍ଭରେ ଲୀନ ହୋଇଯାଇଛି । ଏପରି କେହି ମୁନିପୁଙ୍ଗବ ବାକି ନାହାନ୍ତି, ଏପରି କୌଣସି ତୀର୍ଥସ୍ଥାନ ବାକି ନାହିଁ, ଯେଉଁଠାକୁ ସେମାନେ ଯାଇ ନାହାନ୍ତି; ତଥାପି ତାଙ୍କୁ ଶାନ୍ତି ମିଳିଲାନି ।

 

ଶଙ୍କରାଚାର୍ଯ୍ୟଙ୍କର ସିଦ୍ଧାନ୍ତ ରୂପକ ବିଶାଳ ମନ୍ଦିରରେ ବୁଦ୍ଧିବୃତ୍ତିହୀନ ମନୁଷ୍ୟ ପହଞ୍ଚିବା ଯେପରି ଅସମ୍ଭବ, ସେହିପରି ଯେଉଁ ହିମାଳୟ ଦୁର୍ବଳ ମନୁଷ୍ୟ ଲାଗି ମନା, ତାହାର ହିମାଚ୍ଛାଦିତ ଶିଖର ଉପରେ ଠିଆ ହୋଇ ସେମାନେ ତାର ଦର୍ଶନ କରିଥିଲେ ।

 

ଆତ୍ମବିଶ୍ୱାସ-ହୀନତାରୁ ଜାତ ଅପାର ଦୁଃଖର ସାକ୍ଷାତ୍ ମରୁଭୂମି ଲଂଘି ଆସିଲେ ।

 

ତାଙ୍କର ମନ ପରି ଭିତରେ ଭିତରେ ଜଳୁଥିବା ଧୂଆଁରେ ଆଚ୍ଛାଦିତ ହୋଇ ପାଉଁଶ ଓ ଧୂଳିକୁ ତପ୍ତ କରୁଥିବା ଜ୍ୱାଳାମୁଖୀମାନଙ୍କୁ ବି ସେ ପାରିହୋଇ ଆସିଲେ ।

 

ତାଙ୍କ ମନ ପରି ହିଁ, ଯେଉଁ ସାଗରର ଅସରନ୍ତି ଲହରିର ଉତ୍‌ଥାନ ପତନ ଲାଗି ରହିଥିଲା, ସେସବୁ ବେଳାଭୂମିରେ ପହଞ୍ଚି ପରାଜିତ ହୋଇ ଲେଉଟିଗଲେ ।

 

ନିଜ ଜୀବନପରି ନାନା ଉଚ୍ଚନୀଚ ମାର୍ଗଦେଇ ସେମାନେ ଚାଲିଲେ ।

 

‘‘ଆଉ କିଛି ଦିନ ଭିତରେଇ ରାମ ଫେରିଆସିବେ । ତେବେ ଯାଇ ଆମ ଜୀବନର ସୁପ୍ରଭାତ ଆସିବ’’–ଏହି ଆଶାଟି ସେମାନଙ୍କୁ ଭବିଷ୍ୟତର ପ୍ରତୀକ୍ଷାରେ ବଳ ଦେଉଥିଲା ।

 

ଠିକ୍ ସେହି ସ୍ଥାନରେ ସେମାନେ ପହଞ୍ଚିଗଲେ ଯେଉଁଠାରେ ତାଙ୍କର ସ୍ୱନିର୍ମିତ କୁଟୀରଟିର ଭଗ୍ନାବଶେଷ ପଡ଼ିରହିଥିଲା ।

 

ରାତାରାତି ଗୌତମ ତାର ମରାମତି କରି ତାକୁ ବାସଯୋଗ୍ୟ କରିଦେଲେ । କାମଟି ସରିଲାବେଳକୁ ଆକାଶରେ ବାଳସୂର୍ଯ୍ୟ ହସୁଥିଲେ ।

 

ଦୁହେଁ ସରଯୂରେ ସ୍ନାନ କରି ଫେରିଲେ ।

 

ଅହଲ୍ୟା ପତିସେବାରେ ଲାଗିଗଲା । ଦୁହେଁ ରାମସୀତାଙ୍କର ଆସିବାର ଦିନ ଗଣୁଥାନ୍ତି; କିନ୍ତୁ ସମୟର ଅନ୍ତରାୟ କଣ ମନ ଭିନ୍ନ ଆଉ କାହାରି ଦ୍ୱାରା ପାରକରି ହୁଏ ?

 

ଦିନେ ବଡ଼ି ସକାଳୁ ଅହଲ୍ୟା ସ୍ନାନ କରିବାକୁ ଯାଇଥିଲା ।

 

ତାହା ପୂର୍ବରୁ ଯାଇଥିବା କୌଣସି ବିଧବା ସ୍ନାନ କରି ଫେରୁଥିଲା । ଅହଲ୍ୟା ତାକୁ ଚିହ୍ନି ପାରିଲା ନାହିଁ । ପାଖକୁ ଆସି ସେ ଅହଲ୍ୟାକୁ ଚିହ୍ନିନେଲା ଓ ଦଉଡ଼ି ଆସି ଅହଲ୍ୟାର ଗୋଡ଼ତଳେ ପଡ଼ି ସାଷ୍ଟାଙ୍ଗ ପ୍ରଣାମ କଲା ।

 

ଆରେ ୟେ ତ କୈକେୟୀ ଦେବୀ ! ସେ ଏକାକିନୀ, ସ୍ୱଜନ ପରିଜନଙ୍କଠାରୁ ଅଲଗାହୋଇ ସନ୍ନ୍ୟାସିନୀ ହୋଇଯାଇଛି !

 

ମାଠିଆଟି ତଳେ ଥୋଇ ସେ ଦୁଇ ହାତରେ ତାକୁ ଉଠାଇନେଲା । କୈକେୟୀର ହାବଭାବ ସେ ବୁଝିପାରିଲା ନାହିଁ ।

 

କୈକେୟୀ କହିଲା, ‘‘ଧର୍ମର ଉପାସକ ଭାବରେ ଭରତ ମୋତେ ତାର ମନରେ ସ୍ଥାନ ଦେବାକୁ ମନା କରିଦେଲା ।’’

 

ତା’ କଥାରେ କ୍ରୋଧ ନ ଥିଲା, ଅହଙ୍କାର ପ୍ରକଟ ହେଉ ନଥିଲା । ମୁଁ ଯେଉଁ କୈକେୟୀ ବିଷୟରେ ଭାବିଥିଲି, ଆଉ ଯେଉଁ କୈକେୟୀକୁ ଦେଖୁଛି, ଦୁହେଁ ଅଲଗା ଅଲଗା । ଅହଲ୍ୟା ଆଧାରହୀନ ହୋଇ ଛଟପଟ ହେଉଥିବା କୈକେୟୀର ମନଟି ବୁଝିନେଲା ।

 

ଦୁହେଁ ହାତ ଧରାଧରି ହୋଇ ସରଯୂ ନଦୀ ଆଡ଼କୁ ଚାଲିଲେ ।

 

ଅହଲ୍ୟା ପଚାରିଲା, ‘‘ଭରତର ଏହି ବୈରାଗ୍ୟର କାରଣ କଣ ?’’ ତାହାର ଅଧରକୋଣରେ ସହାନୁଭୂତି ଜାତ ମୃଦୁହାସ୍ୟର ରେଖାଟିଏ ଉଦିତ ହୋଇ ନିଭିଗଲା ।

 

କୈକେୟୀ ପଚାରିଲା, ‘‘ଛୁଆଙ୍କର ନିଆଁ ଖେଳରୁ ନିଆଁ ଲାଗି ଯଦି ସହରଟି ଜଳିଯାଏ, ତାହେଲେ କଣ ଛୁଆଙ୍କୁ ମାରିଦେବି ?’’

 

ଅହଲ୍ୟା ଭାବିଲା ଯେ ଛୁଆ ଆଉ ନିଆଁଙ୍କ ଭିତରେ ଗୋଟିଏ ପୋଲ ତିଆରି କରିବା ଦରକାର । ପ୍ରକାଶ୍ୟରେ ସେ ପଚାରିଲା, ‘‘କିନ୍ତୁ ଯେ ଜଳିଗଲା, ସେ ତ ଜଳିଗଲା ।’’

 

ପୋଡ଼ା ପାଉଁଶର ଜାଗାକୁ ସଫା ନ କରି ପାଉଁଶଗଦା ଚାରିକଡ଼ରେ ବସିବାଟା କଣ ଠିକ୍ ?’’ କୈକେୟୀ ପ୍ରଶ୍ନ କଲା ।

 

ଅହଲ୍ୟା କହିଲା, ‘‘ପାଉଁଶକୁ ପରିଷ୍କାର କଲାବାଲା ଦିନେ ଦି’ଦିନରେ ଆସିଯିବ ।’’

 

କୈକେୟୀ ‘‘ହଁ’’ କହି କଥାଟା ସ୍ୱୀକାର କଲା । ତାହାର କଥାରେ ପରମ ସନ୍ତୋଷ ପ୍ରକଟିତ ହେଲା । ରାମଙ୍କର ପ୍ରତୀକ୍ଷା ଭରତ ନୁହେଁ, କୈକେୟୀ କରୁଥିଲା ।

 

ପରଦିନ ଯେତେବେଳେ ସେ ଅହଲ୍ୟାକୁ ଭେଟିଲା, ତା ମୁହଁ ନିସ୍ତେଜ ଆଉ ମନ ଶିଥିଳ ହୋଇ ଯାଇଥିଲା ।

 

କୈକେୟୀ କହିଲା, ‘‘ଗୁପ୍ତଚରମାନଙ୍କୁ ଚାରିଆଡ଼େ ପଠାଇ ଖବର ନେଇଛି । ରାମର ତ ଖବର ନାହିଁ । ବର୍ତ୍ତମାନଠାରୁ ଚାଳିଶ ଘଣ୍ଟା ଭିତରେ ସେମାନେ କେମିତି ଏଠି ପହଞ୍ଚିଯିବେ ଭଲା ? ଭରତ ପ୍ରାୟଶ୍ଚିତ୍ତ କରିବାକୁ ଯାଉଛି । ସେ ଅଗ୍ନିକୁଣ୍ଡର ବ୍ୟବସ୍ଥା କରୁଛି ।’’

 

ତା’ କଥାରୁ ଜଣାଗଲା ଯେ ସେ ଭରତର ଅଗ୍ନି ପ୍ରବେଶକୁ ତା’ନାମରେ ଲାଗିଥିବା ରାଜ୍ୟ ମୋହର ବଦନାମ୍ ପରିହାର ଲାଗି ଉଚିତ ଉପାୟ ବୋଲି ଭାବୁଛି ।

 

କିଛିକ୍ଷଣ ପରେ କୈକେୟୀ କହିଲା, ‘‘ମୁଁ ବି ଅଗ୍ନିରେ ଝାସଦେବି; କିନ୍ତୁ ଏକାକୀ ଏବଂ ନୀରବରେ ।’’ ଏ କଥାରୁ ତାର ମନର ବିରକ୍ତି ବୁଝା ପଡ଼ୁଥିଲା ।

 

ଚଉଦ ବର୍ଷ ପରେ ପୁଣି ସେହି ଭାବନାଚକ୍ର ଘୂରିବାକୁ ଲାଗିଲା । ଅଯୋଧ୍ୟା ଉପରେ ଲାଗିଥିବା ଅଭିଶାପଟା କଣ ଦୂର ହୋଇନାହିଁ ?

 

ଦିଗହରା ହୋଇ ଅହଲ୍ୟାର ମନ ଅଶାନ୍ତ ହେଲା । ତାର ସନ୍ଦେହ ହେଲା ଯେ ଏହା କେବଳ ତାରି ପାପର ଛାୟା ।

 

ଅହଲ୍ୟା ପଚାରିଲା, ‘‘ବଶିଷ୍ଠ ମୁନିଙ୍କୁ କହି ତାକୁ ଅଟକାଇ ହୁଅନ୍ତାନି ?’’

 

କୈକେୟୀ କହିଲେ, ‘‘ଭରତର ଧର୍ମ ପ୍ରତି ଅନୁରାଗ ଅଧିକ । ସେ ବଶିଷ୍ଠଙ୍କ କଥା ଶୁଣିବ ନାହିଁ ।’’

 

ଅହଲ୍ୟା ରାଗିଯାଇ କହିଲା, ‘‘ଯେଉଁ ଧର୍ମ ମନୁଷ୍ୟ ପ୍ରତି ଅନୁରାଗୀ ନୁହେଁ, ତାହା ମାନବଜାତିର ଶତ୍ରୁ ।’’

 

ତା’ ମନରେ କ୍ଷୀଣ ଆଶା ଥିଲା ଯେ ତା ସ୍ୱାମୀ କହିଲେ ଭରତ ମାନିଯିବ; କିନ୍ତୁ ତା ସଙ୍ଗେ ସଙ୍ଗେ ସେ ଡରୁଥାଏ କାଳେ ଅଯୋଧ୍ୟାରେ ପୁଣି ଥରେ ଦୁଃଖଚକ୍ର ଘୂରିବାକୁ ଆରମ୍ଭ କରିବ-!

 

ଗୌତମ ତାହା କରିବାକୁ ରାଜି ହୋଇଗଲେ; କିନ୍ତୁ ତାଙ୍କ କଥାରେ କିଛି ଫଳ ହେଲା ନାହିଁ ।

 

ଅଗ୍ନି ଦେବତା ଭରତର ବଳି ଗ୍ରହଣ କରିବାକୁ ଚାହୁଁ ନଥିଲେ । ହନୁମାନ ପହଞ୍ଚିଗଲାରୁ ଅଗ୍ନି ଲିଭିଗଲା । ଚଉଦିଗର ଶୋକ ଆନନ୍ଦରେ ପରିଣତ ହେଲା । ଧର୍ମର ଚକ୍ର ଘୂରିବାକୁ ଲାଗିଲା-

 

ଚଉଦ ବର୍ଷ ପରେ ଏବେ ମୋର ସ୍ୱପ୍ନ ସଫଳ ହେବ–ଏହା ଭାବି ବଶିଷ୍ଠ ପ୍ରସନ୍ନ ହେଲେ । ତାଙ୍କର ଓଷ୍ଠରେ ମୃଦୁହାସ୍ୟ ଖେଳିଲା ।

 

‘ଏହି ଆନନ୍ଦମୟ ବାତାବରଣରେ ମୋର କଣ କାମ’–ଏହା ଭାବି ଭାବି ଗୌତମ ଫେରିଗଲେ ।

 

ସୀତା ଓ ରାମ ତାକୁ ଭେଟିବାକୁ ଆସିବେ ଭାବି ଅହଲ୍ୟା ଖୁବ୍ ପ୍ରସନ୍ନ ହେଲା । ସ୍ୱାଗତ ସମାରୋହ ଶେଷ ହେବା ଉତ୍ତାରୁ ସେମାନେ ପରିବାରର ଲୋକଙ୍କଠାରୁ ବିଦାୟ ନେଇ ଏମାନଙ୍କ ପାଖକୁ ଆସିଲେ ।

 

ରଥରୁ ଅବତରଣ କରୁଥିବା ରାମଙ୍କ କପାଳରେ ଅଭିଜ୍ଞତାର କୁଞ୍ଚିତ ରେଖାମାନ ଫୁଟି ଦିଶୁଥିଲା । ସୀତାଙ୍କର ଶୋଭା ମଧ୍ୟ ଅଭିଜ୍ଞତାର ଦୀପ୍ତିରେ ଦ୍ୱିଗୁଣିତ ହୋଇଯାଇଛି । ଦୁହିଙ୍କର ହାସ୍ୟ ମୁକ୍ତିର ସ୍ୱରୂପପରି ଉନ୍ମତ୍ତକ ଜଣାଯାଉଥିଲା ।

 

ରାମଙ୍କୁ ନେଇ ଗୌତମ ବାହାରଆଡ଼େ ବୁଲି ବାହାରିଲେ ।

 

ନିଜର ଗର୍ଭଜାତ ଶିଶୁପରି ଅହଲ୍ୟା ସୀତାଙ୍କୁ ଅତି ଆଦର କରି ଭିତରକୁ ନେଲା । ଦୁହେଁ ହସି ହସି କଥା ହେଉଥିଲେ ।

 

ରାବଣଦ୍ୱାରା ହରଣ, ଦୁଃଖ, ତହିଁରୁ ମୁକ୍ତି ଇତ୍ୟାଦି ବୃତାନ୍ତମାନ ସୀତା ଅବିଚଳିତଭାବେ କହି ଶୁଣାଇଲେ । ରାମଙ୍କ ସଙ୍ଗେ ମିଳନ ପରେ ଆଉ ତାଙ୍କ ପାଖେ ଦୁଃଖର ସ୍ଥାନ କାହିଁ ?

 

ସେ ଅଗ୍ନିପରୀକ୍ଷା କଥା କହିଲା । ତା’ ଶୁଣି ଅହଲ୍ୟା ଶିହରି ଉଠିଲା ।

 

‘‘ସେ କାହିଁକି ଏମିତି କରିବାକୁ କହିଲେ ? ତମେ ବା କାହିଁକି ତା କଲ ?’’ ସେ ପଚାରିଲା ।

 

‘‘ସେ କହିଲେ, ମୁଁ ମାନିଲି ।’’ ଶାନ୍ତ ଭାବେ ସୀତା କହିଲେ ।

 

‘‘ସେ କହିଲେ !’’ ଅହଲ୍ୟା ପାଟି କରି ଉଠିଲା । ତା’ ଦେହ ଓ ମନ ଭିତରେ ସତୀ କଣ୍‌ଣକିଙ୍କର ଆବେଶ ତାଣ୍ଡବ ନୃତ୍ୟ କରୁଥିଲା ।

 

ଅହଲ୍ୟା ଲାଗି ଗୋଟାଏ ନୀତି, ତା’ ଲାଗି ଆଉ ଗୋଟାଏ ?

 

ପ୍ରବଞ୍ଚନା ନା କ’ଣ ? ଗୌତମର ଅଭିଶାପ କ’ଣ ଜନ୍ମ ସାଥିରେ ଉତ୍ପନ୍ନ ହୋଇଥିଲା ?

 

ଦୁହେଁ ଢେର୍ ବେଳ ଚୁପ୍‌ଚାପ୍ ରହିଲେ ।

 

‘‘ଦୁନିଆଁ ଆଗରେ ପ୍ରମାଣିତ କରିବାର ଥିଲା ନା !’’ କହି ସୀତା ମୃଦୁ ହସିଲେ ।

 

ଅହଲ୍ୟା କହିଲା, ‘‘ମନ ଜାଣିଲେ ଯଥେଷ୍ଟ ନୁହେଁ ! ସତ୍ୟକୁ ଦୁନିଆ ଆଗରେ ସାବ୍ୟସ୍ତ କରାଯାଇପାରେ ?’’ ତା’ କଥାରେ କଠୋରତା ଥିଲା ।

 

‘‘ସାବ୍ୟସ୍ତ କରିଦେଲେ କଣ ସେ ସତ୍ୟ ହୋଇଯିବ ? ତା ଯଦି ହୃଦୟ ସ୍ପର୍ଶ ନ କରେ ? ଆଚ୍ଛା, ଛାଡ଼ ସେକଥା, ଦୁନିଆ ଗୋଟାଏ କଣ ? ଅହଲ୍ୟା ପଚାରିଲା ।

 

ବାହାରେ ଶବ୍ଦ ଶୁଣାଗଲା । ସେମାନେ ଫେରିଆସିଥିଲେ ।

 

* ତାମିଲ୍‍ ମହାକାବ୍ୟ ଶିଳପ୍‍ପଦିକାରମ୍‍ର ନାୟିକା ।

 

ରାଜନଅରକୁ ଫେରିବାକୁ ସୀତା ବାହାରକୁ ଆସିଲେ । ଅହଲ୍ୟା ଆସିଲାନି ।

 

ସେ ରାମଙ୍କୁ ବ୍ୟଥା ଦେଲା, ପାଦରେ ଲାଗିଥିବା ଧୂଳି ତାଙ୍କୁ ବ୍ୟଥା ଦେଉଥିଲା ।

 

ରଥ ଗଲା ବାହାରି । ଚକ ଘୂରିବାର ଧ୍ୱନି ବି ମିଳାଇଗଲା ।

 

ଗୌତମ ସେଇଠି ଠିଆ ହୋଇ ଚିନ୍ତାମଗ୍ନ ହୋଇଗଲା । ଲକ୍ଷ୍ୟହୀନ ହୋଇ ବୁଲୁଥିବା ତ୍ରିଶଙ୍କୁ ମଣ୍ଡଳୀଟି ତାକୁ ଦେଖାଗଲା ।

 

ତା’ର ମନଗୁମ୍ଫାରେ ବିଜୁଳି ପରି ଝଲକାଏ ନୂଆ ଚିନ୍ତା ଉଦିତ ହୋଇ ମିଳାଇଗଲା । ମନର ଭାରରୁ ମୁକ୍ତି ପାଇଁ, ପୁରୁଣା ସ୍ନେହ ସମ୍ବନ୍ଧକୁ ଜାଗ୍ରତ କରିବାକୁ ଗୋଟିଏ ଶିଶୁ ମିଳୁ ? ତା’ର କୋମଳ ଅଙ୍ଗୁଳିମାନ ତା’ର ମନର ଭାରକୁ ଦୂର କରିବନି ?

 

ସେ ଭିତରକୁ ଗଲା ।

 

ଅହଲ୍ୟା ସଂଜ୍ଞାହୀନ ଅବସ୍ଥାରେ ପହଞ୍ଚିଗଲା । ତା’ର ମାନସପଟରେ ପୁଣି ଇନ୍ଦ୍ରର ନାଟକ ଚାଲିଥିଲା; ସେହି ନାଟକ ଯାହାକୁ କି ଭୁଲିଯିବା ଦରକାର ।

 

ଗୌତମ ତା’ ଦେହରେ ହାତ ବୁଲାଇଲା ।

 

ତାକୁ ଗୌତମ ଦେଖାଗଲା ଇନ୍ଦ୍ରପରି । ତା’ର ହୃଦୟ ପାଷାଣ ହୋଇଗଲା । କି ଶାନ୍ତି !

 

ଗୌତମର ହାତରେ ପଡ଼ି ରହିଥିଲା ପାଷାଣ ପ୍ରତିମାଟିଏ । ଅହଲ୍ୟା ପୁଣି ପଥରର ପ୍ରତିମା ହୋଇଯାଇଛି ।

 

ତା’ର ମନୋବେଦନା ଉଭେଇ ଯାଇଛି ।

 

ନିର୍ଜନ ଓ କୁହୁଡ଼ିଘେରା ପଥରେ ଏକାକୀ ଗୋଟିଏ ମାନବ ଆକୃତି କୈଳାସ ପର୍ବତ ଆଡ଼କୁ ଅଗ୍ରସର ହେଉଅଛି । ତାହାର ପଦକ୍ଷେପରେ ବିରକ୍ତିର ଦୃଢ଼ତା ବିଦ୍ୟମାନ ।

 

ସେ ଥିଲା ଗୌତମ ।

 

ସେ ସନ୍ନ୍ୟାସୀ ହୋଇ ଯାଇଛି ।

Image

 

ଟିକିଏ ଆଲୁଅ

 

ହେ ଭଗବାନ୍ ! ମତେ କାହିଁକି ଲାଗୁଛି ଯେ ତା’ର ଦୁଃଖ ଯାଇଛି । ବେଳେବେଳେ ଏହା ମଧ୍ୟ ଭାବି ମୋର କଲିଜା ଥରିଉଠୁଛି ଯେ ହାୟ ! ଜାଣିଶୁଣି ମୁଁ ତାକୁ ମୃତ୍ୟୁକୋଳରେ ଛାଡ଼ି ଆସିଲି ।

 

ମୁଁ ତା’ ଲାଗି କ’ଣ କରିପାରିଲି ? ସେ ତ କିଛି ବି କରିବାର ଅବକାଶ ଦେଲା ନାହିଁ ।

 

ସେ ଘରୁ ବାହାରି ଆସିବା ପରେ କେତେ ଥର ସେଠିକି ଯାଇଛି; କିନ୍ତୁ ତାକୁ ଦେଖିନାହିଁ-

 

ମୁଁ କାଲି ସେଠିକି ଯାଇଥିଲି । ଖବର ମିଳିଲା ଯେ ହୃଦୟର ଗତି ବନ୍ଦ ହୋଇ ସେ ମରିଯାଇଛି ।

 

ହୃଦୟର ଗତି ବନ୍ଦ ହୋଇଗଲା ?

 

ତା’ ହୃଦୟରେ କେଜାଣି ଆଉ କେତେ କେତେ ରହସ୍ୟ ପୂରି ରହିଥିଲା; ସେସବୁ ମିଶି ତା’ ହୃଦୟର ଗତି ବନ୍ଦ କରିଦେଲେ ।

 

ମତେ ଲାଗୁଛି, ସେ ଦିନ ରାତିରେ ସେ ମତେ କେବଳ କେତେକ କଥାଇ କହିଥିଲା ।

 

ଶେଷରେ ସେ କହିଲା, ‘‘ଏତିକି ଖୁବ୍ ହେଲା । ମୁଁ ଆଉ ଫିଟେଇ କହି ପାରିବିନି ।’’

 

ସେ ଯାହା ସବୁ କହିଲା, ସେଇ କଥାରେ ତ ମୋ’ ହୃଦୟରେ ଏତେ ଦୁଃଖ ହେଲା ଯେ କେବେ ହେଲେ ତା ନିଭିବ ନାହିଁ ।

 

ହଁ, ଏଇ କଥା ଭାବି ସେ ଚୁପ୍ ହୋଇଥିଲା ପରା ।

 

ଏବେ କଣ ହେଲା ? ଏତିକି ଯେ ମୋ ପଥରେ ସେ ଯେଉଁ ବାଧା ସୃଷ୍ଟି କରିଥିଲା ତା ସଙ୍ଗେ ସଙ୍ଗେ ସେ ବି ଦୂର ହୋଇଗଲା ।

 

ଗଲା ବର୍ଷ ମୁଁ ମାଡ୍ରାସରେ ଗୋଟିଏ ଘରର ବାହାର ବଖରାରେ ଥିଲି । ସେ ଘରେ ରହୁଥାଏ ପରିବାରଟିଏ । ତାଙ୍କ କହିବାମତେ ସ୍ୱାମୀ ସ୍ତ୍ରୀ । ସ୍ୱାମୀ କୋଉ ବ୍ୟାଙ୍କରେ କାମ କରେ । ଦିନସାରା ସେ ଘରୁ ବାହାରେ ରହେ । ଆଉ ରାତିରେ ବି ଖାଲି ନାଆଁକୁ ଘରେ ରହେ । ଖାଇପିଇ ବାହାରିଯାଏ, ଆଉ ରାତି ଦିଟାରେ ଆସି ଦୁଆରେ କଡ଼ା ଖଡ଼-ଖଡ଼ କରେ ।

 

ସେ ଘରେ ଏକୁଟିଆଟା ରହିବା ମୋ ପକ୍ଷରେ କଷ୍ଟକର ଥିଲା । ମୁଁ ଜଣେ ଲେଖକ । ଦିନରାତି ଘରେ ପଡ଼ିରହେ । ସକାଳୁ ଆଉ ସନ୍ଧ୍ୟାବେଳେ ଅଳ୍ପ ସମୟ ଲାଗି ବାହାରକୁ ବୁଲିଯାଏ ଯାହା ।

 

ମୁଁ କିଛି କହିବା ଆଗରୁ ଦିନେ ସେ ଲୋକ କହିଲା, ‘‘ଆଜ୍ଞା, ଆପଣ ଏଠି ଏକୁଟିଆ ଅଛନ୍ତି ଭାବି ଚିନ୍ତିତ ହେବେ ନାହିଁ । ମୁଁ ସନ୍ଦେହୀ ଲୋକ ନୁହେଁ । ଆପଣ ତ ସବୁବେଳେ ନିଜ କାମ ନେଇ ବ୍ୟସ୍ତ । ମଣିଷର ସ୍ୱଭାବ ବୁଝିବାକୁ କେତେ ଡେରି ଲାଗେ କି ? ଆପଣଙ୍କ ପରି ଜଣେ ଲୋକ ଘରେ ରହିଛନ୍ତି, ଏଥିରୁ ମୋର ବାହାରେ ରହିବାକୁ କମି ଭରସା ମିଳେ କି ?’’

 

‘‘ଆପଣଙ୍କ ପରି’’ କହିବା ଭଳି ସେ ମୋଠିଁ କି ଗୁଣ ଦେଖିଲା କେଜାଣି !

 

ସେ ସ୍ତ୍ରୀଟି–ସାବିତ୍ରୀ ତା ନାଁ, ମୋ ଆଗରେ କେବେ ବାହାରେ ନା । ସାହସ କରି ମଥା ଉଠାଇ କେଉଁ ମହିଳାକୁ ଚାହିଁବାର ଅଭ୍ୟାସ ମୋର ପ୍ରାୟ ନାହିଁ । ତେଣୁ କିଛିକାଳ ତାଙ୍କ ଘରେ ରହିବା ପରେ ବି କେବଳ ତା’ର କଣ୍ଠସ୍ୱର ସଙ୍ଗେ ପରିଚିତ ହୋଇପାରିଲି ।

 

ଲୋକଟିର ନାମ ଗୋପାଳ ଆୟାର୍ । ସେ ଅଫିସ୍ ଯିବା ଆଗରୁ ହିଁ ମୁଁ ଅଗଣାର କଳ ପାଖକୁ ଯାଇ ମୋ କାମ ସାରି ଆସୁଥିଲି । ତା’ପରେ ସେପାଖ ମାଡ଼େନା । ସେ ବାହାରିଲା ପରେ ପରେ ସ୍ତ୍ରୀଟି ବାହାର ବଖରାର କବାଟଟା ସେପଟୁ ବନ୍ଦକରି ଦେଇ ଛିଟିକିଣି ଲଗେଇଦିଏ । ସାବିତ୍ରୀ କାହାରି ସଙ୍ଗେ ଅଯଥା ବିତଣ୍ଡା କରେ ନାହିଁ । ସେ ବାହାରକୁ ବି ବାହାରେ ନା ।

 

ଏଇମିତି ସପ୍ତାହେ ଗଲା । ଛାଇନିଦ ଭିତରେ ସେ ଆସି ଦରଜା ଖଡ଼ ଖଡ଼ କରିବା, ସାବିତ୍ରୀ ଉଠି କବାଟ ଖୋଲିବା, ପୁଣି କବାଟରେ ଛିଟିକିଣି ଲଗେଇ ତା ସଙ୍ଗେ ଘର ଭିତରକୁ ଯିବା ଇତ୍ୟାଦି ସବୁକଥା ଜଣାପଡ଼ୁ ଥାଏ । ଦିନେ ସେ ଆସି ଦରଜା ଖଡ଼ ଖଡ଼ କରିଛି, ସେତେବେଳେ ସେ ଗହୀରିଆ ନିଦରେ ଶୋଇଛି । ସେ ଚାରି ପାଞ୍ଚ ଥର ଖଡ଼ ଖଡ଼ କଲାରୁ ମୁଁ ଯାଇ ଦରଜା ଖୋଲିଲି ।

 

‘‘ଆରେ, ଆପଣଙ୍କୁ ଆସି କବାଟ ଖୋଲିବାକୁ ହେଲା ! କ୍ଷମା କରିବେ !’’ କହି ସେ ଭିତରକୁ ଗଲା । ମୁଁ କବାଟ କିଳି ଶୋଇଗଲି ।

 

ଭିତରକୁ ଯାଇ ସେ ସ୍ତ୍ରୀକୁ ନିଦରୁ ଉଠେଇ ଯା ଇଚ୍ଛା ତା କହିଲା । ପରେ ଜାଣିଲି ଯେ ସେ ଗୋଇଠା ମାରିଥିଲା ଆଉ ସାବିତ୍ରୀ ଧଡ଼ପଡ଼ ହୋଇ ଉଠି ବସିଥିଲା । ମୁଁ ଯାଇ ଶୁଣିଲି ସେ ଡରି ଡରି ଆସ୍ତେ ଆସ୍ତେ କହୁଚି, ‘‘ଆପଣ କଣ ଢେର୍ ବେଳ କବାଟ ଖଡ଼ ଖଡ଼ କରୁଥିଲେ କି ? ଦିପ୍ରହର ସାରା ମୁଣ୍ଡ ବିନ୍ଧୁଛି । ଅଜାଣତରେ ଗହୀର ନିଦ...’’

 

‘‘ହଁ, ମୁଁ କେମିତି ଜାଣିବି । ଏଇଲାଗେ ତତେ ସବୁ ବତଉଛି ରହ’’ କହି ସେ ତାକୁ ମାଇଲା । ମାଡ଼ର ଶବ୍ଦ ମୁଁ ଶୁଣିପାରିଲି । ମୁଁ ବୁଝିପାରିଲିନି କଣ କରିବି । ଏତିକି ବିଚାରି ଚୁପ୍ ରହିଲି ଯେ ସ୍ୱାମୀ ସ୍ତ୍ରୀଙ୍କ କଳି ଭିତରେ ବାହାର ଲୋକ କଥା କହିବାର ନୁହେଁ ।

 

ୟା ପରେ ରାତିସାରା କଥା ନାହିଁ; କିନ୍ତୁ ମୁଁ ଜାଣିପାରିଲି ଯେ ସେ ରାତିଟା ସାରା ଶୋଇନି । କାହିଁକି ନା ମୁଁ ବି ଶୋଇ ପାରି ନଥିଲି ।

 

ତା’ ଆରଦିନ ରାତିରେ ସେ ଉଜାଗର ରହିଲା ଆଉ ଆସି ଠିକ୍ ସମୟରେ କବାଟ ଖୋଲିଲା; କିନ୍ତୁ ସେଦିନ ବି ତା’ ଉପରେ ମାଡ଼ବର୍ଷା ହେଲା; କିନ୍ତୁ ସେ ଆଗଦିନ ପରି ଚୁପ୍ ରହିଲାନି ।

 

‘‘ମତେ କାହିଁକି ଏମିତି ମାରୁଛନ୍ତି ? ମୁଁ କଣ ଆପଣଙ୍କୁ କେଉଁ କଥାରେ ମନା କରିଛି-?’’

 

‘‘ଆଚ୍ଛା, ତୋର ବି ଜିଭ ଅଛି ନା କଣ ?’’

 

‘‘କେତେ ଦିନଯାକେ ମୁଁ.....’’

 

‘‘ଚୁପ୍ ! ପାଟି ଫିଟାଇବୁ ତ ଦାନ୍ତଭାଡ଼ିକ ଓପାଡ଼ି ଦେବି, ହଁ ।’’

 

‘‘ଓପାଡ଼ି ଦିଅନ୍ତୁ ନା ।’’

 

ଗାଲରେ ଜୋର ଚାପୁଡ଼ାଟାଏ ବସିବାର ଶବ୍ଦ ଶୁଣାଗଲା । ଅଜ୍ଞାତସାରରେ ଯେମିତି ମୁଁ ଉଠିଆସିଲି, ଆଉ ମୋ ବଖରାର ଭିତର କବାଟ ପାଖରେ ଯାଇ କହିଲି, ‘‘ଆଜ୍ଞା କବାଟ ଖୋଲନ୍ତୁ-।’’

 

ଯେଉଁ ଲୋକ ସେଦିନ ପର୍ଯ୍ୟନ୍ତ ସଦାବେଳେ ମୋ ସଙ୍ଗେ ହସି କଥା କହେ, ସେଇ ଭିତର ଆଡ଼ୁ ଗୋଟାଏ ଜାନୁଆର ଭଳି ଗର୍ଜି ଉଠିଲା, ‘‘କାହିଁକି ?’’

 

‘‘ଖୋଲନ୍ତୁ ଆଗ, କହୁଚି କାଇଁକି ।’’

 

‘‘ଆଜ୍ଞା, ମୁଁ ତା’ କରି ପାରିବିନି ।’’

 

‘‘କବାଟ ଖୋଲି ନଦେଲେ ମୁଁ ଭାଙ୍ଗିଦେବି ।’’

 

ସେ କବାଟ ଖୋଲିଲା ଓ ମୋ ବଖରାକୁ ଆସି ପୁଣି କବାଟ ବନ୍ଦ କରି ମତେ ପଚାରିଲା, ‘‘କଥା କଣ ଆଜ୍ଞା ?’’

 

‘‘ମତେ ଲାଗିଲା ଆପଣ ଆପଣଙ୍କ ସ୍ତ୍ରୀଙ୍କୁ ପ୍ରହାର କରୁଛନ୍ତି !’’

 

‘‘ତା’ ହେଲେ ହୋଇଥିବ; କିନ୍ତୁ ଆପଣଙ୍କର ସେଥିରେ କଣ ଯାଏ ?’’

 

‘‘ମୁଁ ତା’ କରିବାକୁ ଦେବି ନାହିଁ ।’’

 

‘‘କାହିଁକି, କଣ କରିପକେଇବେ ?’’

 

‘‘ମୁଁ ପୁଲିସକୁ ଖବର ଦେଇଦେବି । ତା ଆଗରୁ ମୁଁ ନିଜେ ଆପଣଙ୍କୁ ବାଧା ଦେବି ।’’

 

ତା’ ମୁହଁରେ ଦୁଃଖ ଓ ଭୟର ଭାବରେଖା ଦେଖାଗଲା । ସେ ମତେ କିଛି ବେଳ ଅନେଇ ରହିଲା । ମନେହେଲା, ମୋର ଦୃଢ଼ କଥାରେ ସେ ଟିକେ ଘାବରେଇ ଯାଇଚି ପରା । ମୁଁ ବୁଝିଗଲି ସେ ଡରୁଆଟାଏ । ତା’ ନଇଲେ ଆପଣ ଭାରିଯାକୁ ଏମିତି ପିଟେ କିଏ ?

 

ଆଶ୍ଚର୍ଯ୍ୟ ଲୋକ ! ତା’ ଢଙ୍ଗରଙ୍ଗ ମୁଁ ବୁଝିପାରିଲିନି ।

 

ସାବିତ୍ରୀ ଭିତରକୁ ଯାଇ କବାଟ କିଳିଦେଲା । ସେ ବାହାରିଗଲା । ମୁଁ ବାହାର କବାଟ ଦେଇ ନିଜ ବଖରାଟିରେ ଶୋଇଗଲି ।

 

ମତେ ନିଦ ହେଲାନି । ଆଖିରେ ସାବିତ୍ରୀର ରୂପଟି ଭାସୁଚି । ଯୌବନ ଓ ସୌନ୍ଦର୍ଯ୍ୟଭରା ସେହି ତରୁଣୀଟିର ହୃଦୟରେ ଯେ ଗଭୀର ବେଦନା ରହିଛି, ସେହି ବେଦନା ବର୍ଷାପାଣି ପରି ତାର ଦେହସାରା ଉଛୁଳି ପଡ଼ିଲାଭଳି ଲାଗୁଛି । ପ୍ରାୟ ଅଠର ବର୍ଷ ହବ ତାର ବୟସ । ନୟନାଭିରାମ ଗୌରବର୍ଣ୍ଣ ତାର, ତାର ଓଠ ଦିଫାଳି ସୁନ୍ଦରୀ ଆମ୍ବର ଚୋପାପରି ଲାଲ । ତାକୁ ମୁଁ ସେହି ପ୍ରଥମ ଥର ଝଲକାଏ ବିଜୁଳି ପରି ଦେଖିଥିଲି । ସବୁଜ ରଙ୍ଗର ଆଲୋକ ଯେପରି ଆଖିକି ଥଣ୍ଡା ଲାଗେ, ସେହିପରି ଏକ ଶୀତଳ ଆଲୋକ ଯେପରି ତାର ଦେହରୁ ବାହାରୁଥିଲା ।

 

‘‘ଏପରି ଯୁବତୀକୁ ସେ ଲୋକ ଏମିତି..... ।’’

 

ଛିଟିକିଣି ଖୋଲିବାର ଶବ୍ଦ ଶୁଣାଗଲା ।

 

ମୁଁ ସାଙ୍ଗେ ସାଙ୍ଗେ ବିଛଣାରେ ବସିପଡ଼ିଲି । ବୋଧହୁଏ ସେ ମୋ ବଖରାର ଦୁଆରେ ଆସି ଠିଆ ହୋଇଛି । ମୁଁ ଚଟ୍‌କରି ଯାଇ ଆଲୁଅ ଜଳେଇଦେଲି ।

 

ସେ କହିଲା, ‘‘ନା, ବତି ଜଳେଇବେନି । ନିଭେଇ ଦିଅନ୍ତୁ ତାକୁ ।’’

 

ସାଙ୍ଗେ ସାଙ୍ଗେ ମୁଁ ତାକୁ ନିଭେଇଦେଲି ଆଉ ବିଛଣାରେ ଆସି ବସିପଡ଼ିଲି । ସେ ମୋର ଗୋଡ଼ ପାଖରେ ଆସି ବସିପଡ଼ିଲା । ‘ସ୍ୱାମୀ ପ୍ରକାରେ ତ ସ୍ତ୍ରୀ ଆଉ ପ୍ରକାରେ’ ଭାବି ମୁଁ ଆଶ୍ଚର୍ଯ୍ୟ ହେଲି ।

 

‘‘ଆପଣ ଭାବିବେନି ମୁଁ ଏ ଅନ୍ଧାରରେ ଆପଣଙ୍କ ପାଖୁ ଆସି କଥା ହବାର ସାହସ କଲି କାହିଁକି ? କେଜାଣି କାହିଁକି, ମତେ ଲାଗିଲା ଆପଣ ଏଇଥିପାଇଁ ମତେ ଘୃଣା କରିବେନି । ସେଇଥିପାଇଁ ମୁଁ ଆସିଛି ।’’

 

‘‘ମା–’’

 

‘‘ମୋ ନାଁ ସାବିତ୍ରୀ ।’’

 

‘‘ଆପଣ ଏଠି ଏ ଲୋକ ପାଖରେ କାହିଁକି ରହୁଛନ୍ତି ?’’ ବାପଘରକୁ ଚାଲିଯାଉ ନାହାନ୍ତି କାହିଁକି ? ଏ ଲୋକ ପାଖରେ ନ ରହିଲେ କଣଟା ବିଗିଡ଼ିଯିବ ଆପଣଙ୍କର ?’’

 

‘‘ସମାଜ ତ ବାପା ମା’ଙ୍କ ପାଖରେ ରହିବାର ସମୟ ବାନ୍ଧି ଦେଇଚି । ସେହି ସମୟଟି ଚାଲିଗଲା ପରେ ବାପମା’ଙ୍କ ପାଖରେ କଣ ରହିହୁଏ ? ମା, ବାପ, ସ୍ୱାମୀ–ସବୁଯାକ ସମ୍ପର୍କ ମିଛି । ମଣିଷ ବି କୁଆ ଆଉ ଚଢ଼େଇଙ୍କ ପରି । ଡେଣା ଉଧେଇଲେ ଆଉ କିଏ ତାଙ୍କୁ ବସାରେ ପୂରେଇଦେବ ?’’

 

‘‘ସ୍ୱାମୀ.....’’

 

‘‘ଆପଣ ଭାବୁଥିବେ ଏ କେମିତି କଥା କହୁଛି ! ଆପଣ ଭାବୁଥାନ୍ତୁ । ଆପଣ ଯାହା ଭାବିବାର ଭାବନ୍ତୁ, ମୋର କିଛି ଯାଏ ଆସେ ନା । ସ୍ୱାମୀ ପାଖକୁ ଆସିବାର ମାସ କେଇଟାଯାକେ ସ୍ତ୍ରୀର ନବୀନତା ରହିଥାଏ । ସ୍ୱାମୀ ଥରେ ଉପଭୋଗ କରି ସାରିଲେ, ‘ମଦଘଡ଼ା, କାମ ସରିଲେ ଗଡ଼ଗଡ଼ା ।’’

 

‘‘ଆପଣ ଏ କଥା କାହିଁକି.....’’

 

‘‘ଆପଣ ମତେ ‘ଆପଣ’ କାହିଁକି କହୁଚନ୍ତି । ଆପଣ ବଡ଼ । ମୋର ହୃଦୟ ଆହତ ହୋଇ ସାରିଛି । ସେ ହୃଦୟରେ ରହିଛି ଗୋଟାଏ ଭୀଷଣ ସତ୍ୟ । ତାକୁ ମୁଁ ଆପଣଙ୍କ ଆଗରେ କହୁଚି, ଆପଣ କଣ ବିବାହିତ ?’’

 

‘‘ନାଁ !’’

 

‘‘ବିବାହ ପରେ ସ୍ତ୍ରୀ ସଙ୍ଗେ ମାସ କେଇଟା କଟେଇଥିଲେ ଆପଣ ମୋ କଥାଗୁଡ଼ାକ ବୁଝିପାରିଥାନ୍ତେ ।’’

 

ସେ ଅତି ଧୀର ସ୍ୱରରେ କଥା କହୁଥିଲା ଯେମିତି ତା କଥା ବାହାରକୁ ଶୁଣା ନ ଯାଏ; ତଥାପି ତା କଥା ଭିତରେ ଯେଉଁ ଦୁଃଖ ଓ ବ୍ୟଥା ଫୁଟି ଉଠୁଥିଲା ତାହା ଅସହନୀୟ ଥିଲା ।

 

‘‘ମା...... ସାବିତ୍ରୀ...... ଆପଣଙ୍କ ସ୍ୱାମୀ ଆସୁଥିବେ । ସେ ଯଦି କିଛି ଭୁଲ୍ ବୁଝନ୍ତି....’’

 

‘‘ଏଇଲା ସେ ମୋର କଣ କରି ପକେଇବ । ପ୍ରାଣରେ ମାରିଦବ, ୟା’ଠୁଁ ବଳି ଆଉ କଣ କରିଦବ ?’’

 

‘‘ଏମିତି କହିବା ତମର ଉଚିତ ହଉଚି ? ଏବେ ବି ସମୟ ଅଛି ତମ ସ୍ୱାମୀଙ୍କର ହଜିଲା ବିବେକ ଫେରିଆସିପାରେ । ତମେ ତାଙ୍କୁ ବୁଝେଇ ସୁଝେଇ ଦେଖ......’’

 

‘‘ତାକୁ ବୁଝେଇବି ? ହଜିଲା ବୁଦ୍ଧି ଆଉ ଫେରିବ ? ତିନିବର୍ଷ ଗଲା, ୟା ଭିତରେ ତ କିଛି ହେଲାନି ।’’

 

‘‘ତା ହେଲେ କଣ କରିବେ ଆପଣ ?’’

 

‘‘କ’ଣ କରିବି ? ମୁଁ ତ ଜୀବନ ହାରିଦବାକୁ ଚାହିଁଥିଲି; ପାରିଲିନି । ମୁଁ ମିଛ କହି ପାରେନା । ଯେ ଯାକେ ଦେହରେ ପ୍ରାଣ ଥିବ, ମତେ ମାଡ଼ଖାଇ ସହିଯିବାକୁ ହବ ।’’

 

‘‘ଓହୋ ! ଏଇମିତି !’’

 

‘‘ଏଥିରୁ ମୁକ୍ତିର କିଛି ଉପାୟ ଅଛି ?’’

 

ମୁଁ ତାର ଏ ପ୍ରଶ୍ନର କିଛି ଜବାବ୍ ଦେଇ ପାରିଲିନି ।

 

‘‘କାହିଁକି, ଆପଣ କିଛି ଜବାବ୍ ଦଉନାହାନ୍ତି ଯେ ?’’ କହି ସେ ହସିଦେଲା ।

 

ମୁଁ ସାଙ୍ଗେ ସାଙ୍ଗେ କହିଲି, ‘‘ମୁଁ କଣ କହିବି...ହଁ, ଆପଣଙ୍କୁ ଗୋଟେ କଥା ପଚାରିବି ?’’

 

‘‘ମୁଁ ଜାଣେ ଆପଣ କଣ ପଚାରିବେ । ଆପଣ ମୋତେ ଆପଣଙ୍କ ସାଥିରେ ପଳେଇ ଯିବାକୁ କହିବେ । ଆପଣ ବି ମାସ କେଇଟା ଭିତରେ ମତେ ଏଇମିତି....’’

 

‘‘କଣ କହୁଚ ସାବିତ୍ରୀ ?’’

 

‘‘ହୁଏତ ଆପଣ ପିଟିବେନି । ପାଶବିକ ବାସନା ଜାଗ୍ରତ ହେଲେ ଆପଣ ମତେ ଗେଲ ଆଦର କରିବେ; କିନ୍ତୁ ତା’ପରେ ମୁହଁ ବୁଲେଇ ବସିବେ । ନୂଆ ମୁହଁ ଖୋଜି ବୁଲିବେ ।’’

 

‘‘ତମେ ତ ସବୁ ଜାଣିଲାପରି କଥାଗୁଡ଼ାକ ବକିଯାଉଚ । ମୁଁ କିଛି କହିପାରେ କି ?’’

 

‘‘ନିଶ୍ଚୟ !’’

 

‘‘ମୋତେ ଆକର୍ଷଣ କରି ନିଜ ପାଖରେ ରଖିବାର ଶକ୍ତି ତମ ପାଖରେ ଅଛି ନା ନାହିଁ-?’’

 

‘‘ୟେ ସବୁ ସେଇ ପୁରୁଣା ବାଜେ କଥା । ସେ କଥାକୁ ଏ କଥା ସାଙ୍ଗରେ ମିଳାନ୍ତୁନି । ମୁଁ ଲାଜ ସରମ ଛାଡ଼ି ଆପଣଙ୍କୁ ଗୋଟେ କଥା ପଚାରୁଛି; ଆଉ ଆପଣ ଅନ୍ୟ କଥା କହି ବାଆଁରେଇ ଦଉଚନ୍ତି । ଏମିତି କଣ କିଛି ହେଲେ ଚିରନ୍ତନ ସୁନ୍ଦରତା ନାହିଁ ଯାହାକି ସବୁଦିନ ମଣିଷକୁ ସୁଖ ଦେଇପାରିବ ?’’

 

‘‘ଏମିତି ଗୋଟାଏ ସାଧାରଣ ନିଷ୍କର୍ଷ କଣ ତମେ ଦେଇ ପାରିବ ?’’

 

‘‘କାହିଁକି ଦେଇ ପାରିବିନି ? ମୋ’ ସ୍ୱାମୀ ମୋ ସଙ୍ଗେ ଯେମିତି ହସି ହସି କଥା ହେଉଥିଲେ, ଏମିତି କେହି କରି ପାରେନା । ମୁଁ ଅସୁନ୍ଦରୀ ନୁହଁ କି ରୋଗିଣୀ ନୁହଁ । ଆଉ ଗୋଟେ କଥା । ତାଙ୍କର ପାଶବିକ ଇଚ୍ଛା ମୁଁ ପୂରଣ କରି ନ ଥାନ୍ତି, ତା ବି ନୁହଁ । ୟାଠୁଁ ବଳି ଆଉ କଣ ଦରକାର ?’’

 

‘‘ସାବିତ୍ରୀ ! ତମର ହୃଦୟରେ ବହୁତ ଦୁଃଖ ଭରିରହିଛି । ସେଇଥିରୁ ତମେ ଏମିତି କଥା କହିଯାଉଚ । ତମେ କେବେ ସୁଖ ଚାଖିଚନା ?’’

 

‘‘ସୁଖ ପୁଣି କଣ ? ଗହଣା ପିନ୍ଧିବା ? ଏମିତି ଗହଣା ନାହିଁ ମୁଁ ଯାହାକୁ ନ ପିନ୍ଧିଥିବି । ମୋ ବାପା ନାଗପଟ୍ଟଣମ୍‌ର ନାମଜାଦା ଓକିଲ । ସେ ଖୁବ୍ ବଡ଼ଲୋକ । କି ଶାଢ଼ି, କି ବ୍ଲାଉଜ, କୋଉ ରକମଟା ମୁଁ ନ ପିନ୍ଧିଥିବି ବୋଲିକରି ନାହିଁ । ଖାଇବା ଜିନିଷ ? ମୋର ତହିଁରେ ଲୋଭ ନାହିଁ । ଆଉ ବାକି କଣଟା ରହିଲା । ଦେହର ସୁଖ–ସେଇଟି ମତେ ଆଜିଯାକେ କେବେହେଲେ ମିଳିନାହିଁ ।’’

 

‘‘ମାନେ ?’’

 

‘‘ମୋର ସ୍ୱାମୀ ମତେ ଉପଭୋଗ କରି ମୋର ସର୍ବନାଶ କରିଦେଲେ । ମତେ କେବେ ସୁଖ ମିଳିନାହିଁ ।’’

 

‘‘ତମେ ସୁଖ କାହାକୁ କହୁଚ କହିଲ ?’’

 

‘‘ମୁଁ ନିଜର ମନକଥାଟା କେତେଦୂର ଖୋଲି କହିବି ? ତାର ବି ତ ଗୋଟାଏ ସୀମା ଅଛି ନା ନାହିଁ ? ଆପଣ ତ ମତେ ସୀମା ପାରିହବାକୁ କହୁଛନ୍ତି ।’’

 

‘‘ତୁମ ସ୍ୱାମୀ ତମକୁ କାହିଁକି.......’’

 

‘‘କାରଣ ମୋ ସ୍ୱାମୀ ମୋ ଦେହ ଉପରେ ବିରକ୍ତ ହୋଇଗଲେ । ସେ ଟଙ୍କା ଦେଇ ଆଉ ଗୋଟେ ଝିଅ କିଣି ରଖିଛନ୍ତି ।’’

 

‘‘ସାବିତ୍ରୀ ! ତୁମେ ସାହସ କରି ଗୋଟାଏ କାମ କରିପାରିବ ?’’

 

‘‘ମୁଁ ତ ସବୁକିଛି କରିପାରେ; କିନ୍ତୁ ଲାଭଟା କ’ଣ ହବ ? ମୁଁ ତ ଖାଲି କିଛିକାଳ ଆପଣଙ୍କୁ ସନ୍ତୋଷ ଦେଇ ପାରିବି ।’’

 

‘‘ମୁଁ ତମକୁ ସନ୍ତୁଷ୍ଟ କରିବାକୁ ଚେଷ୍ଟା କରିବି ।’’

 

‘‘ମିଛଟାରେ ଆପଣ ନିଜକୁ ନିଜେ ଠକୁଛନ୍ତି । ଆପଣ ମୋ ରୂପ ଦେଖି ମୋହିତ ହୋଇଯାଇଛନ୍ତି । ନିଜର ଇଚ୍ଛାଟି ପୂରଣ କରିବାକୁ ହିଁ ଆପଣ କହୁଛନ୍ତି ମତେ ତପ୍ତ କରିବେ ।’’

 

‘‘ମୁଁ ଯାହା କହୁଛି, ତାହା....’’

 

‘‘କିଛି କହିବା ଦରକାର ନାହିଁ, ଯାଇ ବତି ଜଳାଇ ଦିଅନ୍ତୁ ।’’

 

ମୁଁ ଉଠି ବତି ଜଳେଇଲି ।

 

‘‘ମୁଁ ଯାଇ ଶୋଇପଡ଼େ ?’’

 

‘‘କାହିଁକି ? ନିଦ ମାଡ଼ୁଚି ନା କ’ଣ ?’’

 

‘‘ନିଦ ? ନା, ଏଇଲା ନିଦ ମାଡ଼ୁନି ।’’

 

‘‘ତା’ହେଲେ ରୁହନା କିଛି ସମୟ ଏଠି ?’’

 

‘‘କ’ଣ ଆପଣଙ୍କ ଶୋଇବାରେ ବାଧା ଦେବାଲାଗି ?’’

 

‘‘ସାବିତ୍ରୀ...’’

 

‘‘ଆଉ କିଛି କହନ୍ତୁନି ଆପଣ ।’’

 

‘‘ମତେ ଲାଗୁଚି ଯାହା ତମେ କହୁଚ, ସତ କଥା ।’’

 

‘‘ସତେ ?’’ କହି ସେ ମୋ ପାଖେ ଆସି ବସିପଡ଼ିଲା ।

 

‘‘ମିଛ କଥାଗୁଡ଼ାକ ତୁମେ ଚଟାପଟ୍ ମତେ...’’

 

‘‘ହେ ଭଗବାନ୍ ! ଏଇ ପୋଡ଼ା ଜୀବନରେ ଟିକିଏ ଶାନ୍ତି ମିଳିଲା ଏତେବେଳେ ।’’

 

‘‘ସାବିତ୍ରୀ, ତମ ଲାଗି ମୋର ମନରେ ପୂରାପୂରି ପରିବର୍ତ୍ତନ ଆସିଯାଉଚି ।’’

 

‘‘ଏସବୁ କଥା ଏଇଲା ଥାଉ । ଏ କଥା ତମ ମୋ ଭିତରେ ରହସ୍ୟ ହୋଇ ରହିଥାଉ । ମୁଁ ମରିଗଲେ ଯାଇ ଯଦି ମନେକର ଆଉ କାହାକୁ କହିଦବ ।’’

 

‘‘ଏମିତି କଥା କାହିଁକି କହୁଚ ?’’

 

‘‘ଆଉ ଏ ଦେହରେ ଦୁଃଖ ଯାତନା ସହି ହଉନାହିଁ । ହଁ, କେଜାଣି କାହିଁକି ମତେ ପ୍ରକାରେ ଶାନ୍ତି ମିଳୁଚି ।’’

 

‘‘ମୁଁ କଣ କହୁଥିଲି !’’ କହି କହି ମୁଁ ତାର ପଡ଼ିଯାଉଥିବା ଅଚେତ ପ୍ରାୟ ଦେହଟା ପାଖରେ ପହଞ୍ଚି ଅଜାଣତରେ ତାକୁ ନିଜ କାନ୍ଧରେ ଶୁଆଇଦେଲି ।

 

ସେ କିଛି କହିଲାନି ଆଉ ଉଠିବାକୁ ଚେଷ୍ଟା ବି କଲାନି । ସେ ଆଖି ଯୋଡ଼ିକ ବୁଜି ଢର୍ ବେଳ ସେଇମିତି ପଡ଼ିରହିଲା ।

 

ଯଦ୍ୟପି ମୁଁ ଏତେଗୁଡ଼ାଏ ମାସ ପରେ, ଅତି ଶାନ୍ତ ମନରେ ଏହି ଘଟଣାଟି ବର୍ଣ୍ଣନା କରୁଅଛି, ତଥାପି କିଛି ଗୋଟାଏ ବନେଇ ଚୁନେଇ କରି ଠିଆ କରିବା ମୋର ଇଚ୍ଛା ନୁହେଁ । ଜଣେ ଯୁବତୀ ମନ ଖୋଲି ଯାହା କିଛି କହିଥିଲା, ମୁଁ ସେତକ ଯେମିତି ସେଇମିତି ଲେଖିଦେଲି । ଏଇ ବର୍ଣ୍ଣନାର ଶେଷଯାକେ ମୁଁ ଗୋଟିଏ ହେଲେ ମିଛ କଥା ଲେଖି ପାରି ନାହିଁ ।

 

ମୁଁ ତାକୁ ଆସ୍ତେ ବିଛଣାରେ ଶୁଆଇଦେଲି । ହଁ, ମୋରି ବିଛଣାରେ; ତଥାପି ସେ କିଛି କହିଲାନି । ତା’ର ଖୋଲା ଓଠରେ କିଛି ସ୍ପନ୍ଦନ ନ ଥିଲା । ଏତେଗୁଡ଼ାଏ ରହସ୍ୟ ବ୍ୟକ୍ତ କରିଦେଇ ଯେପରି ତା’ର ଅଧର ଥକିଯାଇଥିଲା ।

 

ହଠାତ୍ ଆଖି ବୁଜି ସେ କରୁଣ ସ୍ୱରରେ କହିଲା, ‘‘ଉଃ ମାଆ ଲୋ ! ବନ୍ଦ କର ।’’

 

‘‘ସାବିତ୍ରୀ, କଣ ହେଲା ?’’ ପଚାରି ମୁଁ ନଇଁ ପଡ଼ି ମୋ ମୁହଁ ତା ମୁହଁରେ ଲଗାଇନେଲି-

 

‘‘ଥାଉ !’’

 

‘‘ସାବିତ୍ରୀ, ବତି...’’

 

ସେ ହଠାତ୍ ଉଠିବସିଲା ।

 

‘‘ହଁ, ବତି ନିଭେଇ ଶୋଇପଡ଼ନ୍ତୁ । କିଛି ବେଳଯାକେ ଯୋଉ ଟିକିଏ ଆଲୁଅ ରହିଲା, ସେଇ ଖୁବ୍ ।’’ କହି ସେ ଉଠି ଠିଆହେଲା ।

 

‘‘ସାବିତ୍ରୀ ! ମୁଁ ତମ କଥା ବୁଝିପାରୁନି ।’’

 

‘‘ଆଉ ମୁଁ ଫିଟେଇ କହି ପାରିବିନି । ମୁଁ ଯାଉଚି, କାଲି ନିଜ ଲାଗି ଆଉ ଘରଟିଏ ଖୋଜି ନେବେ ।’’

 

‘‘କାହିଁକି, କିନ୍ତୁ କାହିଁକି ? ମୁଁ କି ଦୋଷ କଲି ?’’

 

‘‘ଆପଣଙ୍କର ଦୋଷ କିଛି ନାହିଁ । ଆଉ ଆମ ଦୁହିଙ୍କର ଏକାଠି ଏ ଘରେ ରହିବାର ନୁହେଁ । ଏମିତି କଲେ ବିପଦ ଅଛି ।’’ କହି ସାବିତ୍ରୀ ମତେ ଚାହିଁଲା ଆଉ ନିଜେ ଆଲୁଅ ନିଭେଇ ଦେଇ ଭିତରକୁ ଯାଇ ଦରଜା ବନ୍ଦ କରିଦେଲା ।

 

ମୋ ହୃଦୟରେ ଯେଉଁ ଦୀପ ଅଳ୍ପ ସମୟ ପାଇଁ ଜଳୁଥିଲା, ତାହା ହଠାତ୍ ନିଭିଗଲା ।

 

‘‘ଥାଉ, ବନ୍ଦ କର !’’

 

‘‘ସେ କୋଉଥିପାଇଁ ଏ କଥାଟା କହିଲା ?’’

 

ନିଜର ଜୀବନ ପାଇଁ, ନିଜର ଦୁଃଖ ପାଇଁ, ମୋର ସାନ୍ତ୍ୱନାମୟ କଥାଗୁଡ଼ାକ ପାଇଁ, ନା ସେହି ଟିକିଏ ଆଲୁଅରେ..... ?

Image

 

Unknown

ପଇସା ରହିଗଲା

 

ଚାରି ପାଞ୍ଚଟା ଘର ସେ କଡ଼େ କୋଉ ଗଳିରେ କୁକୁର କାନ୍ଦୁଥିବାର ଶୁଣାଗଲା । ରାତି ନଅଟା ଉପର ହବ । ଅରୁଣାଚଳ ମୁଦଲିୟାରଙ୍କୁ ଘେରି ଯେତେ ଲୋକ ଠିଆ ହୋଇଥିଲେ, କୁକୁର କାନ୍ଦିବାର ଶବ୍ଦ ଶୁଣି ସମସ୍ତେ ଶିହରି ଉଠିଲେ । ସେ ଘରର ମିଞ୍ଜି ମିଞ୍ଜି ଆଲୁଅ ଭିତରେ ସମସ୍ତେ ପରସ୍ପର ଚାହାଚାହିଁ ହେଲେ । ବାହାର ବାରଣ୍ଡାରେ, ଅନ୍ଧାର ଭିତରେ ବସିଥିବା ଲୋକମାନେ ଆଉ ଘର ଭିତରଆଡ଼େ ହଲ୍ ଭିତରେ ଏକାଠି ଥିବା ମାଇପେ, ଯେଉଁମାନେ କି ବଡ଼ କଷ୍ଟରେ ଚୁପ୍‌ଚାପ୍ ରହିଥିଲେ, ସମସ୍ତେ ବ୍ୟସ୍ତ ହୋଇ ଠିଆହୋଇପଡ଼ିଲେ ।

 

ବାରଣ୍ଡାରେ ବସିଥିବା ଲୋକମାନଙ୍କ ଭିତରୁ ଜଣେ କୁକୁରକୁ ତଡ଼ିବାକୁ ଉଠିଲା ।

 

ଅରୁଣାଚଳ ମୁଦଲିୟାର ଯେଉଁ ବଖରାଟିରେ ଶୋଇଥିଲେ ସେହି ବଖରାର ଝରକାଗୁଡ଼ିକୁ ତାଙ୍କର ସାନପୁଅ ଜଗଦୀଶନ ଶୀଘ୍ର ଶୀଘ୍ର ବନ୍ଦ କରିବାକୁ ଚେଷ୍ଟା କଲା । ମୁଦଲିୟାର ବଡ଼ କଷ୍ଟରେ ମୁଣ୍ଡ ଘୂରାଇ ହାତରେ କିଛି ଇଙ୍ଗିତ କଲେ । ବଡ଼ପୁଅ ବୈଦ୍ୟଲିଙ୍ଗମ୍ ଏବଂ ତା’ର ଶଳା କନ୍ଦସାମୀ ଦୁହେଁ ଆସି ବୁଢ଼ା ମୁଦଲିୟାରଙ୍କ ପାଖରେ ଠିଆହେଲେ । ବୈଦ୍ୟଲିଙ୍ଗମ୍ ପଚାରିଲା, ‘‘ବାପା ! କଣ ଦରକାର ?’’

 

ବୁଢ଼ା ପଚାରିଲେ, ‘‘ସେ ଝରକାଗୁଡ଼ାକ କାହିଁକି ବନ୍ଦ କରୁଚ ?’’ ଯଦିଓ ବୁଢ଼ାଙ୍କର କଣ୍ଠସ୍ୱର ଅତି ଧୀର ଥିଲା, ତଥାପି ସେ କଥା ଜଗଦୀଶନ୍‌ର କାନଯାକେ ପହଞ୍ଚିଗଲା । ସେ କହିଲା, ‘‘ଥଣ୍ଡା ପବନ ଆସୁଚି ।’’ ବୁଢ଼ା କହିଲା, ‘‘କିଛି ହବନି, ସେଗୁଡ଼ା ବନ୍ଦ କରନା’’ ବୁଢ଼ାଙ୍କ କଥା ଶୁଣି ଜଗଦୀଶନ୍ ଆଗରୁ ବନ୍ଦ କରିଥିବା ଝରକାଗୁଡ଼ାକ ପୁଣି ଖୋଲିଦେଲା ।

 

ଜଗଦୀଶନ୍ ଚାହିଁଥିଲା ବୁଢ଼ା ଯେମିତି କୁକୁର କାନ୍ଦିବାର ଶବ୍ଦ ନ ଶୁଣନ୍ତି; କିନ୍ତୁ ସେ ଜାଣିଗଲା ଯେ ବୁଢ଼ା ଶୁଣିସାରିଛନ୍ତି । ସେ ଘରେ ଯେତେ ଲୋକ ଥିଲେ, ଚିନ୍ତା ଓ ଭୟମିଶା ଦୃଷ୍ଟିରେ ସମସ୍ତେ ତାଙ୍କୁ ଚାହିଁଲେ । ବୁଢ଼ା ପୁଣି ଥରେ କ୍ଳାନ୍ତ ହୋଇ ଆଖି ବୁଜିଦେଲେ ।

 

ପୁଣି କୁକୁର କାନ୍ଦିବାର ଶବ୍ଦ ଶୁଣାଗଲା । ପରମୁହୂର୍ତ୍ତରେ ହିଁ ଦେହରେ ବୋଲୁଅ ବାଜିବାର କଷ୍ଟ ସହି ନ ପାରି କେଁ କେଁ ହୋଇ କୁକୁର ପଳାଇଗଲା ।

 

ଅରୁଣାଚଳ ମୁଦଲିୟାଙ୍କର ଆଖି ବର୍ତ୍ତମାନ ସୁଦ୍ଧା ବନ୍ଦ । ତାଙ୍କ ମୁହଁରେ ମୃତ୍ୟୁଭୟଜାତ ବେଦନାର ଭାବ ଫୁଟିଉଠୁଛି । ତାଙ୍କ ମନରେ ଯେଉଁ ଆଶା ଓ ବିଶ୍ୱାସର ଭାବ ଧୀରେ ଧୀରେ ଉଦିତ ହେଉଥିଲା ତାକୁ କୁକୁରର କାନ୍ଦଣା ଜାଣି ଚିରକାଳଲାଗି ଦବେଇଦେଲା । ସେ ମନେ ମନେ କହୁଥିଲେ, ‘‘ସକାଳ ବେଳକୁ ମାଡ୍ରାସରୁ ଖୁବ୍ ପ୍ରସିଦ୍ଧ ଡାକ୍ତର ଆସିଯିବେ । ସେ ନିଶ୍ଚୟ ମୋର ବଞ୍ଚିବାର ସମୟ ବଢ଼େଇଦେବେ । କିନ୍ତୁ ବର୍ତ୍ତମାନ ତାଙ୍କର ମନ ଡାକ୍ତର ଆସିବା ଆଗରୁ ତାଙ୍କ ପାଖକୁ ଆସୁଥିବା ଯମରାଜାଙ୍କ କଥା ଭାବିବାକୁ ଲାଗିଲା । ତାଙ୍କ ମନରେ ରହି ରହି ଏହି ଭାବନା ଘୂରୁଥିଲା, ‘‘ଆଉ ବିଶ୍ୱାସର କିଛି ମୂଲ୍ୟ ନାଇଁ, ଆଉ ବିଶ୍ୱାସର କିଛି ମୂଲ୍ୟ ନାହିଁ ।’’

 

ମୁଦଲିୟାର ମାଡ୍ରାସରୁ ଗାଆଁକୁ ଆସିବାର ମାସେ ହୋଇଯାଇଛି । ମାଡ୍ରାସରେ ରହିବା ବେଳେଇ ତାଙ୍କର ସ୍ୱାସ୍ଥ୍ୟ ଖରାପ ହୋଇଯାଇଥିଲା । ତାଙ୍କର କର୍ମକ୍ଷମତା, ଯାହାକି ବେଳକେ ଅସୀମ ପ୍ରତୀତ ହେଉଥିଲା, ବର୍ତ୍ତମାନ କ୍ଷୀଣ ହେବାର ଦେଖାଗଲା । ସେ ସଦାବେଳେ ଥକ୍‌କା ମାରି ବସିଲେ । ତାଙ୍କ ନିଜକୁ ବି ଏସବୁ କଥା ନୂଆ ଲାଗିଲା ।

 

ବାଳ ଧଳା ହେବାଟା ଶାରୀରିକ; କିନ୍ତୁ ବୃଦ୍ଧାବସ୍ଥା ମାନସିକ । ଆମର ଭାବିବାର ରୀତି ହିଁ ଆମର ଅବସ୍ଥାର ପରିଚାୟକ । ଯେତେଦିନ ମନ ଯୁବକ ଥିବ ସେତେଦିନ ମଣିଷ ବୃଦ୍ଧାବସ୍ଥା ପାଇବ ନାହିଁ । ଏଇସବୁ କଥା ସେ କୋଉଠି ଗୋଟେ ପଢ଼ିଥିଲେ । ଏଇସବୁ କଥାକୁ ସେ ନିଜ ଜୀବନରେ କାମରେ ଲଗାଇଛନ୍ତି । ସେ ସଦାବେଳେ ମନେ ମନେ କହୁଥିଲେ, ‘‘ବୟସ ବଢ଼ିଲେ ମୋର ଶରୀରରେ ପରିବର୍ତ୍ତନ ନିଶ୍ଚୟ ହବ; କିନ୍ତୁ ମୋର ହୃଦୟରେ ବୃଦ୍ଧାବସ୍ଥାର ସ୍ଥାନ ନାହିଁ ।’’

 

ଏହିପରି ଲୋକର ଚିନ୍ତାଧାରା ଭିତରେ ଯେତେବେଳେ ବିଭିନ୍ନ ବାଧା ଆସି ଉପସ୍ଥିତ ହେଲା, ସେ ଘାବରେଇ ଯିବାଟା ସ୍ୱାଭାବିକ । ସେ ଡାକ୍ତରଙ୍କ ପାଖକୁ ଗଲେ । ଡାକ୍ତର କହିଲେ, ‘‘ଏସବୁ ନିଜର ଶକ୍ତି ସାମର୍ଥ୍ୟଠୁଁ ବଳିକରି କାମ କରିବାର ଫଳ; ଆଉ କିଛି ନୁହେଁ । ଦିହ ଥକିଗଲେ ତାର ପ୍ରଭାବ ହୃଦୟ ଉପରେ ବି ନିଶ୍ଚୟ ପଡ଼ିବ । ଆପଣ କିଛିଦିନ କେଉଁଠିକି ବାହାରକୁ ଯାଇ ବିଶ୍ରାମ ନିଅନ୍ତୁ ।’’

 

ଅରୁଣାଚଳ ମୁଦଲିୟାର ଡାକ୍ତରଙ୍କ କଥା ମାନିଲେ । ତାଙ୍କ ପିଲାଏ ଆଉ ବନ୍ଧୁବାନ୍ଧବ ତାଙ୍କୁ ‘‘କୋଡ଼େକେନାଲ୍’’, ‘‘କୁଦାଲମ୍’’, ‘‘ନୀଳଗିରି’’ ଆଦି ଜାଗାକୁ ଯିବାକୁ ପରାମର୍ଶ ଦେଲେ; କିନ୍ତୁ ମୁଦଲିୟାର ତାଙ୍କ ନିଜ ଗାଆଁକୁ ଯିବା ସ୍ଥିର କଲେ ।

 

ଗାଆଁରେ ତାଙ୍କର ବାପ-ଅଜାଙ୍କ ଅର୍ଜିତ ଜମିବାଡ଼ି ସମ୍ପତ୍ତି ରହିଛି, ଯାହାକି ଉତ୍ତରାଧିକାର ଭାବରେ ତାଙ୍କୁ ମିଳିଥିଲା । ସେ ତାଙ୍କ ସ୍ୱପାର୍ଜିତ ଅପାର ଧନରାଶିର ଭାଗେ ନେଇ ଜମି ଖର୍ଦ୍ଦି କରି ତାହା ସାଥିରେ ମିଶାଇଛନ୍ତି । ସେ କେତେ ଦିନରୁ ଭାବୁଥିଲେ ଯେ ସେ ନିଜେ ଗାଆଁକୁ ଯାଇ ଅନ୍ତତଃ ଛଅମାସ ଲାଗି ଜମିବାଡ଼ି ଦେଖିବେ; କିନ୍ତୁ ତାଙ୍କ ମନ ମାଡ୍ରାସରେ ତାଙ୍କ ଚାରିକଡ଼ର ପ୍ରଚୁର ପ୍ରବାହକୁ ଛାଡ଼ି ଯିବାକୁ ଚାହିଁଲା ନାହିଁ ।

 

ଏତିକିବେଳେ ଡାକ୍ତରଙ୍କ ପରାମର୍ଶ ଶୁଣି ତାଙ୍କର ବହୁଦିନର ଇଚ୍ଛା ପୂରଣ କରିବାର ବାଟ ମିଳିଗଲା । ସେ ବିଶ୍ରାମ କରିବାକୁ ନିଜ ଗାଆଁକୁ ବାହାରିଲେ ।

 

 

ଅରୁଣାଚଳ ମୁଦଲିୟାରଙ୍କ ଆଗମନ ଉପଲକ୍ଷେ ଲୋକେ ଗାଁରେ ଏକ ମହୋତ୍ସବ ପାଳିଥିଲେ । ସେ ଥିଲେ ସେ ଅଞ୍ଚଳର ସବୁଠୁଁ ବଡ଼ ଜମିଦାର । ମାଡ୍ରାସରେ ତାଙ୍କର ବହୁତ ବଡ଼ ବ୍ୟବସାୟ ଥିଲା । ତାଙ୍କ ବେପାରରୁ ଲକ୍ଷାଧିକ ଆମଦାନୀ ହୁଏ । ମୁଦଲିୟାର୍ ଯୋଉ ଚିଜକୁ ଛୁଇଁବେ, ସୁନା ହୋଇଯିବ, ଏହି ବିଶ୍ୱାସ ଗ୍ରାମବାସୀଙ୍କ ଭିତରେ ଖାଲି ନୁହେଁ, ସହରବାସୀଙ୍କ ମନରେ ବି ବସା ବାନ୍ଧିଥିଲା ।

 

କଥାଟା କେତେକ ପରିମାଣରେ ଠିକ୍ ବି । ମୁଦଲିୟାରଙ୍କର ବ୍ୟବସାୟ-କୌଶଳ ଯେପରି ଚରମ ସୀମାରେ ପହଞ୍ଚି ସାରିଥିଲା । ତାଙ୍କ ମନ ଏତେ କ୍ଷିପ୍ରଗତିରେ କାମ କରେ ଯେ, ସେ ବେପାରରେ କେତେ ଲାଭ ବା ଲୋକସାନ ହେବ, ଏସବୁ କଥାରେ ପ୍ରଥମରୁ ହିଁ ଜାଣିଯାଉଥିଲେ । ତେଣୁ ସେ ଖାଲି ସେଇସବୁ କାମରେ ହାତ ଦେଉଥିଲେ ଯହିଁରେ ତାଙ୍କର ଲାଭ ହେବ । ହାନି ହେବ ଯୋଉଠି, ସେ କାରବାରରେ ତ ସେ ହାତ ବି ଦେବେ ନାହିଁ ।

 

ମୁଦଲିୟାର ମାଡ୍ରାସ ଯାଇଥିଲେ ୨୫ ବର୍ଷ ବୟସରୁ । ଏଠି ରହିବାର ତିରିଶ ବର୍ଷ ହେଲାଣି । ସେ ଦିନକୁ ଦିନ ବଡ଼ତିରୁ ବଡ଼ତି ହେଉଛନ୍ତି ।

 

ପ୍ରତିବର୍ଷ ତାଙ୍କର ଧନସମ୍ପତ୍ତି ବଢ଼ିଚାଲିଥିଲା । ଯେଉଁ ଦିନକୁ ସେ ଗାଁକୁ ଆସିଲେ, ବର୍ଷକୁ ଲକ୍ଷେ ହିସାବରେ ତିରିଶ ବର୍ଷରେ ତାଙ୍କର ସମ୍ପତ୍ତିର ଭାଉ ତିରିଶ ଲକ୍ଷରୁ ଅଧିକ ହୋଇ ଯାଇଥିଲା ।

 

ସେ ତ ବିଶ୍ରାମ କରିବାକୁ ଗାଁକୁ ଆସି ନ ଥିଲେ । ସେ ଭାବିଥିଲେ ବିଶ୍ରାମକୁ ବିଶ୍ରାମ ହେବ, ତା’ ସାଥିରେ ନିଜର ଜମିବାଡ଼ି ବି ଦେଖାଶୁଣା କରିନେବେ; କିନ୍ତୁ ଗାଁକୁ ଆସିବାର ଦି’ତିନି ଦିନ ଭିତରେ ତାଙ୍କର ଅବସ୍ଥା ବହୁତ ଖରାପ ହୋଇଗଲା । ସେ ସଙ୍ଗେ ସଙ୍ଗେ ମାଡ୍ରାସ୍ ଫେରିପାରିଥାନ୍ତେ; କିନ୍ତୁ ସେ ଭାବିଲେ ଦିନାକେତେ ରହିଯାଇ ଦେଖିବେ କଣ ହଉଚି । ଶେଷକୁ ଅବସ୍ଥା ଏପରି ହେଲା ଯେ ଡାକ୍ତରମାନେ ତାଙ୍କୁ ଗାଁ ଛାଡ଼ି ଯିବାକୁ ମନା କରିଦେଲେ ।

ମାଡ୍ରାସରୁ କେତେ ଡାକ୍ତର ଆସିଲେ । ମୁଦଲିୟାର ବଡ଼ ସଉକିରେ ‘ବ୍ୟୁକ୍’ ନାମକ କାର୍ କିଣିଥିଲେ । ତାଙ୍କ ପୁଅ ବୈଦ୍ୟଲିଙ୍ଗମ୍ ନିଜପାଇଁ ‘ଆର୍ମଷ୍ଟ୍ରଙ୍ଗ ସିଟ୍‌ସୀ’ ବୋଲି କାର୍ କିଣିଥିଲେ-। ଦି’ଟାଯାକ ଗାଡ଼ି ଗାଁ ଆଉ ମାଡ୍ରାସ ଧାଉଁଥା’ନ୍ତି । ଡାକ୍ତର କହନ୍ତି, ‘ଆଉ ଚିନ୍ତାର କିଛି କାରଣ ନାହିଁ-। ସପ୍ତାହକ ଭିତରେ ମାଡ୍ରାସ ଫେରିଯାଇ ପାରିବେ ।’ ଦି’ଦିନ ସଭିଏଁ ଏହି ଆନନ୍ଦରେ ଭୋଳ ରହିଲେ । ତୃତୀୟ ଦିନ ଡାକ୍ତର ଯେତେବେଳେ ବ୍ୟବସ୍ଥା ଦେଲେ ‘ପନ୍ଦର ଦିନ କାଳ ଆପଣ କିଛି ବେଶୀ କଥା କହିବେନି’ ସେତେବେଳେ ସେଇ ଆନନ୍ଦ ବିଷାଦରେ ପରିଣତ ହୋଇଗଲା ।

ଗଲା ଦି’ଦିନ ହେଲା ସମସ୍ତଙ୍କର ବିଶ୍ୱାସ କମିଯାଉଛି । ସମସ୍ତେ ଭାବିଲେ, ମାଡ୍ରାସରୁ ଜଣେ ନାମଜାଦା ଡାକ୍ତର ଡାକିବା ଦରକାର । ଗାଡ଼ିରେ ଆସିବାକୁ ଡେରି ହବ, ଏଥିଲାଗି ବ୍ୟବସ୍ଥା ହେଲା ଯେ ଉଡ଼ାଜାହାଜ ଯୋଗେ ତାଙ୍କୁ ଆଣିକରି, ଗାଁ’ଠୁ ତିନି ମାଇଲ୍ ଦୂରରେ ଓହ୍ଲାଇ ସେଠୁ କାର୍‌ରେ ଆଣିବାକୁ ହବ । ସେ ତହିଁଆରଦିନ ଉଡ଼ାଜାହାଜ ଯୋଗେ ଆସୁଥିଲେ ।

କୁକୁର କାନ୍ଦିକରି ଏତିକି ଜଣାଉଥିଲା ଯେ ସେ ଆସିବା ଆଗରୁ ଯମରାଜା ଆସି ପହଞ୍ଚିଯିବେ । ମୁଦଲିୟାରଙ୍କ ମନ ଅତି ବେଗରେ ଧାଇଁବାକୁ ଲାଗିଲା । ତାଙ୍କ ମନରେ ବାରମ୍ବାର ସେଇ ଚିନ୍ତା ଆସୁଥାଏ, ‘‘ଆଉ ବିଶ୍ୱାସର କିଛି ମୂଲ୍ୟ ନାଇଁ, ଆଉ ବିଶ୍ୱାସର କିଛି ମୂଲ୍ୟ ନାଇଁ ।’’

 

 

ମୁଦଲିୟାର ଯେତେବେଳେ ପହିଲେ ପହିଲେ କାରବାର ଆରମ୍ଭ କରିଥିଲେ, ସେ ଭଗବାନଙ୍କର ପକ୍‌କା ଭକ୍ତ ଥିଲେ । ପରେ ବି ସେ କିଛି ନାସ୍ତିକ ହୋଇଯାଇ ନଥିଲେ; କିନ୍ତ ସେ ଭାବବିଭୋର ହୋଇ ଆଉ ଠାକୁରଙ୍କ ଚିନ୍ତା କରି ପାରୁନଥିଲେ । ଭଗବାନ ନାମକ ଶବ୍ଦଟି କିମିତି କେଜାଣି, ତାଙ୍କ ମନଠୁଁ ଜାଣି ଅଲଗା ହୋଇ ଯାଉଥିଲା ଏବଂ ଦୂରକୁ ଦୂରକୁ ଚାଲିଯାଉଥିଲା । ଘରେ ପର୍ବପର୍ବାଣିରେ ଯୋଉ ପୂଜା ହେଉଥିଲା ସେଥିରେ ସେ ବି ଭାଗ ନେଉଥିଲେ । ବାହାରେ ବି ଦାନ, ଧର୍ମ ଅଥବା ଭଗବାନ ସମ୍ବନ୍ଧୀୟ କାର୍ଯ୍ୟରେ କିଏ ମାଗିଲେ ସେ ପଇସା ଦେଇ ଦେଉଥିଲେ; କିନ୍ତୁ ସେ ଭଳି କାମରେ ତାଙ୍କର ମନ ଲୀନ ହେଉ ନ ଥିଲା ।

 

ସେ କିଛି ଜାଣିଶୁଣି ବୁଝିବିଚାରି ଏପରି ଅବସ୍ଥା କରିଥିଲେ, ତା’ ନୁହଁ । ଧନ ବୋଲି ଯୋଉ ଶକ୍ତି ତାଙ୍କର ହୃଦୟରେ ବସାବାନ୍ଧି କିପରି ବ୍ୟାପ୍ତ ହୋଇ ଯାଉଥିଲା, ଯାହା ଫଳରେ ବାକି ଭାବନାମାନ ଧୀରେ ଧୀରେ ବାହାରି ଯାଉଥିଲେ । ସେ ନିଜେ ଏ କଥା ଜାଣୁ ନ ଥିଲେ ।

 

ଗାଆଁକୁ ଆସିବା ପରେ ଯେତେବେଳେ ଅବସ୍ଥାଟା ଚିନ୍ତାଜନକ ହୋଇଗଲା, ସେତେବେଳେ ଧନ ସମ୍ବନ୍ଧୀୟ ସେହି ଭାବନାକୁ ଜୋର୍‌ରେ ଠେଲି ଠେଲି କେତେଗୁଡ଼ାଏ କଥା ମନରେ ପ୍ରବେଶ କଲା । ସେ ଭାବିଲାଗିଲେ ଯେ ତାଙ୍କ ମରିବା ପରେ ତାଙ୍କର ଧନସମ୍ପତ୍ତି, ବେପାରବଣିଜ କଣ ହବ । ସେ ଭାବିଲେ ଯେ ତାଙ୍କୁ ଶୀଘ୍ର ହିଁ ଏ ବିଷୟରେ କିଛି ସ୍ଥିର କରିନେବାକୁ ହବ । ସେ ନିଜର ପୁଅମାନଙ୍କୁ ଡାକି ସେମାନଙ୍କ ସାଙ୍ଗରେ ଏ ବିଷୟରେ କଥା ହେଲେ । ତାଙ୍କ ଶଳା କନ୍ଦସାମୀ ମୁଦଲିୟାର କହିଲେ, ‘‘ଏସବୁର ଚିନ୍ତା ଆପଣ ଏଇଲେ କାହିଁକି କରୁଛନ୍ତି ? ଆମେ ମାଡ୍ରାସର ନାମଜାଦା ଡାକ୍ତର ଡାକିବା । ସପ୍ତାହକ ଭିତରେ ଆମେ ମାଡ୍ରାସ୍ ଫେରିଯିବା । ତା’ ପରେ ଭାବିନବା କଣ କଣ କରିବାକୁ ହବ ଭବିଷ୍ୟତରେ ।’’ ତାଙ୍କର ଏହି କଥାଗୁଡ଼ାକ ଖୁବ୍ ସୁଖଦାୟକ ଲାଗିଲା । ନିଜ ଅନ୍ତେ ବିଷୟ ସମ୍ପତ୍ତିର ବଣ୍ଟୁଆରା କିପରି ହେବା ଉଚିତ୍ । ଏହା ଚିନ୍ତାକରି, ମୁଦଲିୟାର ନିଜର ଭବିଷ୍ୟତ ଜୀବନ ବିଷୟରେ ଭାବିବାକୁ ଚାହୁଁଥିଲେ । ଯେତେବେଳେ ତାଙ୍କୁ କୁହାଗଲା ଯେ ବିଷୟର ବଣ୍ଟୁଆରାର ଅବିକା ସମୟ ହୋଇନାହିଁ ସେତେବେଳେ ସେ ଭାବିଲେ ଯେ ଦ୍ୱିତୀୟ କଥାଟା ବି ନ ଭାବିଲେ ଚଳିବ; କିନ୍ତୁ ସେ ଏକଥା ସ୍ଥିର ନିଶ୍ଚୟ କରିନେଇଥିଲେ ଯେ ଏଥରକ ଭଲ ହୋଇଯିବା ପରେ ପରେ ସେ ପରଲୋକରେ ନିଜର ଯୋଗ୍ୟ ସ୍ଥାନ ସୁରକ୍ଷିତ କରିବାଲାଗି ଯାହା ଯାହା କରିବା ଦରକାର, ନିଶ୍ଚୟ କରିବେ ।

 

କୁକୁରର କାନ୍ଦଣା ଶୁଣି ସେ ବୁଝିଗଲେ ଯେ ତାଙ୍କୁ ନିଜର ସେହି ସ୍ଥିର ନିଶ୍ଚୟଟାକୁ କାର୍ଯ୍ୟରେ ପରିଣତ କରିବାର ସମୟ ବି ମିଳିବ ନାହିଁ । ମୁଦଲିୟାର ଉଦ୍‌ବିଗ୍ନ ହୋଇ ପଡ଼ିଲେ । ସେ ଭାବିଲେ ଯେ ଏ ଜନ୍ମରେ ଭଗବାନଙ୍କର ଯେତେଟା ପୂଜା, ଆରାଧନା କରିବା ଦରକାର ଥିଲା, ସେତକ ନକରି ନିଜର ଜୀବନଲୀଳା ସମାପ୍ତ କରିବାକୁ ତତ୍ପର ହେବା ସିଧାସଳଖ ଅନ୍ୟାୟ । ସେ ଅନ୍ତର୍ଯ୍ୟାମୀ ପ୍ରଭୁଙ୍କୁ ଏହି କଥା କହିଲେ । ସେ ବିଳିବିଳେଇଲେ, ‘‘ଭଗବାନ, ଟିକେ ସମୟ ଦିଅ ।’’

 

ସେ କହିଲେ, ‘‘ୟା ପାଇଁ ତୁମେ ଯାହା ଦାମ୍ ମାଗିବ, ମୁଁ ଦେବି । ଏହି ଧନସମ୍ପତ୍ତି ସବୁ ମୁଇଁ କମେଇଛି । ଏଥିରୁ ତୁ ଯେତେ ଲକ୍ଷ ଚାହିଁବୁ, ମୁଁ ଦେଇଦେବି ।’’ ଭଗବାନଙ୍କ ତରଫରୁ କିଛି ଜବାବ୍ ମିଳିଲାନି । ତାଙ୍କ ମନ କହି ଉଠିଲା, ‘‘କୁକୁର ତ କହୁଚି ଯମରାଜ ଗାଁମୁଣ୍ଡରେ ପହଞ୍ଚିଗଲେଣି ।’’ ବାର ବାର ଏହି ଭାବନା ତାଙ୍କ ମନରେ ଆସିଲା ।

 

ତାଙ୍କ ମନ ଏକା ଡିଆଁରେ ଯମରାଜାଙ୍କ ଦରବାରରେ ପହଞ୍ଚିଗଲା । ‘‘ବର୍ଷଟାଏ ଖାଲି ସମୟ ଦିଅନ୍ତୁ । ତା’ରି ଭିତରେ ଯାହା କରିବାର ମୁଁ ସବୁ କରିନେବି, ଭଗବାନଙ୍କ ଉପାସନା ଲାଗି ମୋ’ ପାଇଁ ବର୍ଷଟାଏ ଯଥେଷ୍ଟ ।’’ ‘ଏହା ଭାବି ସେ ଏତକ ପାଇଁ ପ୍ରଭୁଙ୍କଠାରେ ପ୍ରାର୍ଥନା କଲେ । ତାଙ୍କ ପ୍ରାର୍ଥନାର କିଛି ଉତ୍ତର ମିଳିଲା ନାହିଁ ।

 

‘‘ସେ ଆସିଗଲାଣି । ସେ ଖାଲି ହାତରେ ଫେରିବ ନାହିଁ । ଆହା, ମୋ ବଦଳି ଆଉ କିଏ ୟା ସାଙ୍ଗରେ ଯିବାକୁ ରାଜି ହୋଇଗଲେ....ହଁ, ତା’ହେଲେ ତ ତାକୁ ଖାଲିହାତରେ ଯିବାକୁ ପଡ଼ନ୍ତା ନାହିଁ । ଯଦି କେହି ତା’ ସଙ୍ଗେ ଯିବାକୁ ପ୍ରସ୍ତୁତ ହୋଇଯାଏ ତା’ହେଲେ ତା’ର ପରିବାର ନାଁରେ ଦୁଇ ଲକ୍ଷ ଟଙ୍କା ଲେଖିଦେବି !’’ ଏହିଭଳି ବିଚାର ମନରେ ଉଦୟ ହେଲା ।

 

ସେ ଆଖି ମେଲିଲେ । ଦେଖିଲେ, ଆଗରେ କନ୍ଦସାମୀ ମୁଦଲିୟାର, ତାଙ୍କ ସ୍ତ୍ରୀ ପିଲାମାନେ ଚିନ୍ତିତ ହୋଇ ମଥାପୋତି ତାଙ୍କ ଆଡ଼କୁ ଚାହିଁଛନ୍ତି । କନ୍ଦସାମୀ ମୁଦଲିୟାରକୁ ଦେଖିକରି ତାଙ୍କର ଓଠ ଥରିଲା; କିନ୍ତୁ ଶବ୍ଦ ବାହାରିଲା ନାହିଁ । କନ୍ଦସାମୀ ମୁଦଲିୟାର ନଇଁପଡ଼ି ତାଙ୍କ କାନଟି ମୁଦଲିୟାରଙ୍କ ଓଠ ପାଖରେ ଲଗାଇ ରଖିଲେ ।

 

ଅରୁଣାଚଳ ମୁଦଲିୟାର କହିଲେ, ‘‘ମୋର ଚେକ୍ ବହି ମଗେଇ ଆଣ ।’’ ଆଉ ସେ ନିଜର ଆଖି ବୁଜିଦେଲେ ।

 

ପାଞ୍ଚ ମିନିଟ୍ ଯାଇଥିବ । ମୁଦଲିୟାର ଅନୁଭବ କଲେ ଯେ ଗାଁରେ ରହୁଥିବା ଡାକ୍ତର ଜଣକ ଆସି ତାଙ୍କର ନାଡ଼ୀ ପରୀକ୍ଷା କରିଗଲେ । ଡାକ୍ତରଙ୍କ ମୁହଁରେ ଏଭଳି ପ୍ରଶ୍ନବାଚୀ କାହିଁକି ଦେଖାଗଲା ? ଜଗଦୀଶନ ବ୍ୟସ୍ତ ସ୍ୱରରେ ଫିସ୍ ଫିସ୍ କରି ତାଙ୍କୁ କ’ଣ ପଚାରୁଛି ?

 

ଡାକ୍ତର ଇଞ୍ଜେକ୍‌ସନ ଦେଲେ । ତାଙ୍କୁ ଲାଗିଲା ଯେ ଔଷଧର ପ୍ରଭାବ ତାଙ୍କ ବାଁ ହାତରୁ ଯାଇ ହୃଦୟ ଆଡ଼କୁ ବେଗେ ଆଗେଇ ଚାଲିଛି । ଏଇ ଦେଖ, ଏଇ ଦେଖ....ହୃଦୟ ଭିତରକୁ ଚାଲି ଯାଇଛି । ସେଠୁ ବାହାରି ଆସିଛି ଏବଂ ଦେହସାରା ଭେଦିଯାଉଛି ।

 

ମୁଦଲିୟାରଙ୍କର କିଛି ବଳ ଆସିଗଲା । ଡାକ୍ତର ପୁଣି ତାଙ୍କ ନାଡ଼ି ଦେଖିଲେ । ସେ କହିଲେ, ‘‘ଘଣ୍ଟେ କାଳ ତାଙ୍କୁ ଏଇମିତି ଶୋଇ ରହିବାକୁ ଦିଅନ୍ତୁ । ମୋ’ ପାଇଁ ବାରଣ୍ଡାରେ ଗୋଟେ ଆରାମଚୌକି ପକାଇ ଦିଅନ୍ତୁ । ଏଇଲେ ଆଉ ଗୋଟେ ଇଞ୍ଜେକ୍‌ସନ ଦବାକୁ ହବ ।’’

 

କନ୍ଦସାମୀ ମୁଦଲିୟାର ଚେକ୍‌ବୁକ୍ ନେଇ ଫେରିଲେ । ସେ କହିଲେ, ‘‘ଡାକ୍ତର ବାବୁ ସେ ଚେକ୍‌ବୁକ୍ ଆଣିବାକୁ କହିଥିଲେ ।’’

 

‘‘ଏଇଲେ ଥାଉ, ପୁଣି ଉଠି ମାଗିଲେ ଦେଖାଯିବ । ଇଞ୍ଜେକ୍‌ସନ୍ ଦବାରୁ ତା’ଙ୍କ ନାଡ଼ୀରେ କିଛି ବଳ ଆସିଯାଇଚି । ତାଙ୍କୁ ବିରକ୍ତ କଲେ ସେ ପୁଣି ଦୁର୍ବଳ ହୋଇଯିବେ’’ କହି ଡାକ୍ତରବାବୁ ବାହାରକୁ ଚାଲିଗଲେ ।

 

ଅରୁଣାଚଳ ମୁଦଲିୟାର ଆଖି ବୁଜି ଏସବୁ କାର୍ଯ୍ୟକଳାପକୁ ପ୍ରଶ୍ନବାଚୀ ଆଖିରେ ଦେଖୁଥିଲେ ।

 

‘‘ଇଞ୍ଜେକ୍‌ସନ ଦବାରୁ ନାଡ଼ୀରେ ବଳ ଆସିଯାଇଚି । ମତେ ବି ସେଇଆ ଅନୁଭବ ହେଉଛି.... । ଯମରାଜା ମୋ ପାଖକୁ ଆସିବାକୁ ଆହୁରି ଘଣ୍ଟାଟିଏ ରହିଛି । ପୁଣି ଗୋଟିଏ ଇଞ୍ଜେକ୍‌ସନ.... ଆଉ ଘଣ୍ଟାକର ସମୟ ମିଳିଯିବ । ଏମିତି ଏମିତି କାଲିଯାକେ.... ତା’ପରେ ବଡ଼ ଡାକ୍ତର ଉଡ଼ାଜାହାଜରେ ଆସିଯିବେ.... ନା, ଏସବୁ ଭୁଲ୍ । ମୁଁ ଇଞ୍ଜେକ୍‌ସନ ଭରସାରେ ରହି ନ ପାରେ । ଏହି ଇଞ୍ଜେକ୍‌ସନର ଶକ୍ତି କେତେ ଯେ ସେ ଯମ ସାଙ୍ଗରେ ଲଢ଼ିବ ? ମୋ ବଦଳି ତାଙ୍କ ସାଙ୍ଗରେ ଯିବାକୁ ଯେ ତିଆରି ହେବ ତା’ ପରିବାର ନାଁରେ ଗୋଟାଏ ଚେକ୍ ଦେବି.... ମୋ ଶଳାକୁ କହିଲେ ଯଥେଷ୍ଟ ହବ ।’’

 

ଅରୁଣାଚଳ ମୁଦଲିୟାରଙ୍କ ପାଟି ହଲିଲା । ତାଙ୍କ ଆଖି ବନ୍ଦ ଥିଲା । ତାଙ୍କ ସ୍ୱର ଶୁଣିବାକୁ ମିଳିନାହିଁ । ଜଗଦୀଶନ୍ ପାଖକୁ ଆସି, ନଇଁପଡ଼ି ତାଙ୍କ କଥା ଶୁଣିବାକୁ ଚେଷ୍ଟା କଲା । ସଳଖ ହୋଇ ସେ ଅଳ୍ପ ପାଟିରେ ତା’ ମାମୁଙ୍କୁ କହିଲା, ‘‘ସେ କାହିଁକି ଗୋଟାଏ ଦି ଲକ୍ଷ ଟଙ୍କା କଥା କହୁଥିଲେ ।’’ ସେ ବଡ଼ ଆଶାରେ ମୁଦଲିୟାର୍‌ଙ୍କ ପାଟି ହଲିବାର ଅପେକ୍ଷା କରି ସେଠି ଠିଆହୋଇ ରହିଲେ; କିନ୍ତୁ ତାଙ୍କ ଓଠ ହଲିଲା ନାହିଁ ।

 

ଅରୁଣାଚଳ ମୁଦଲିୟାରଙ୍କର ନିଜ ଦେହ ଉପରେ ଆଉ ଅକ୍ତିଆର ରହିଲାନି । ସେ ଅନୁଭବ କରୁଥିଲେ ଯେ ତାଙ୍କ ମନ ମୁତାବକ ଦିହଟାକୁ ଆଉ ଚଳାଇ ପାରୁନାହାନ୍ତି ।

 

ସେ ଅନୁଭବ କଲେ ଯେ ଘଣ୍ଟାଏ ପରେ ଦୁଇଟା ଇଞ୍ଜେକ୍‌ସନ ଆହୁରି ଦିଆହେଲା । ପ୍ରତିଥର ତାଙ୍କୁ ଲାଗିଲା ଯେ ଔଷଧ ବେଗେ ଦେହସାରା ଭେଦିଗଲା; କିନ୍ତୁ ଦେହ ଉପରେ ତାଙ୍କର ଆଉ ଅକ୍ତିଆର ନ ଥିଲା ।

 

ଦ୍ୱିତୀୟ ଥର ଇଞ୍ଜେକ୍‌ସନ ଦେଇ ଔଷଧକୁ ଦେହରେ ପହଞ୍ଚାଇବା ପରେ ଡାକ୍ତର ନାଡ଼ୀ ଦେଖିକରି କହିଲେ, ‘‘ନାଡ଼ୀର ଗତି ବର୍ତ୍ତମାନ ପୂରାପୂରି ଠିକ୍ ହୋଇଯାଇଛି । ଆଉ ଚିନ୍ତାର କଥା ନାହିଁ; ତଥାପି ମୁଁ ଏଇଠି ବାହାରେ ବସୁଛି ।’’ ଡାକ୍ତରଙ୍କ ଏଇ ସବୁ କଥା ତାଙ୍କୁ ପରିଷ୍କାର ଶୁଣାଯାଉଥିଲା ।

 

ୟା ପରେ ସେ ଘରେ ଆଉ କିଛି କଥା ଶୁଣାଗଲା ନାହିଁ । ଥରେ ଦିଥର କାହାର ଅତି ଧୀର ପଦକ୍ଷେପ ଶୁଣାଗଲା । କାହାରି ଫିସ୍ ଫିସ୍ କଥା ଶୁଣାଗଲା, ‘‘ଆପଣ ଯାଇ ଶୋଇପଡ଼ନ୍ତୁ, ମୁଁ ଏଠି ଅଛି ।’’

 

ୟା ପରେ ସେଠି ନିସ୍ତବ୍‌ଧତା ଘେରି ରହିଲା । ଏହି ନିସ୍ତବ୍‌ଧତା ଯେ କେତେବେଳଯାଏ ରହିଲା ଜଣାନାହିଁ । ହଠାତ୍ ରାତିର ସେହି ନିରବତାକୁ ଚିରି ଗୋଟିଏ ଚିତ୍କାର ଶୁଣାଗଲା, ‘‘ହାୟରେ ! ହାୟରେ ! ସେ ଆସିଗଲା ।’’ ତା’ ପରେ ଆହୁରି ଅନେକ ଚିତ୍କାର ଶୁଣାଯାଇଥିଲା; କିନ୍ତୁ ମୁଦଲିୟାର ସେଇ ଚିତ୍କାରଗୁଡ଼ିକୁ ଶୁଣି ପାରି ନ ଥିଲେ ।

 

‘‘ସେ ଆସିଗଲା । କିଏ ? ସେଇ ! ମୋ ବଦଳି ଗୋଟିଏ ଲୋକର ବନ୍ଦୋବସ୍ତ ହୋଇଗଲା ? ମୁଁ କନ୍ଦସ୍ୱାମୀ ମୁଦଲିୟାର୍‌କୁ କହିଦେଇଥିଲିନା ଯେ ଦୁଇ ଲକ୍ଷ ଟଙ୍କା ଦେଇଦେବି । ଲୋକ ମିଳିଯାଇଥିବ ? ମୁଁ ଏତକ କାହିଁକି କହିଲିନି ଯେ ଏତିକି ଟଙ୍କାରେ ଯେବେ ରାଜି ନ ହୁଏ ତ ବେଶୀ ଦବାକୁ ବି କୁଣ୍ଠା କରିବନି । ଆରେ ସେଠି କଣ ଗଣ୍ଡଗୋଳଟା ଶୁଣାଯାଉଚି ? କଣ ଯମରାଜଙ୍କ ପାଦଧ୍ୱନି ? ବୈଁତୀ ! ମାମୁଁଙ୍କୁ ଡାକ୍ । ଲୋକ ମିଳିଗଲା ? ତମେ କହିଦେଲନା, ଦୁଇ ଲକ୍ଷ ଟଙ୍କାର ଗୋଟାଏ ଚେକ୍ ଦେଇଦେବି ? ଡାକ୍ତର ବାବୁ, ନାଡ଼ିର ଗତି ଠିକ୍ ଅଛି ନା ? ବାସ୍, ବର୍ଷଟାଏ ଯଥେଷ୍ଟ । ମୋ ବଦଳି ଆଉ ଜଣକୁ ବ୍ୟବସ୍ଥା କରିଦେଇଛି । ତା’ର ପରିବାରକୁ ଦୁଇ ଲକ୍ଷ ଟଙ୍କା ଦବାକୁ ଯାଉଛି ।

 

ମୁଦଲିୟାରଙ୍କ ମନ କାବେରୀ ନଈର ଭଉଁରୀ ପରି ବେଗରେ ଘୂରିବାକୁ ଲାଗିଲା । ବାର ବାର ତାଙ୍କ ମନରେ କେବଳ ଏହି ଚିନ୍ତାଟି ଘୂରୁଥିଲା... ‘‘ଦୁଇ ଲକ୍ଷ ଟଙ୍କା... ମୋ ବଦଳି ଆଉ ଜଣେ... ବର୍ଷକର ସମୟ ।’’

 

ଦୂରରୁ ଶୁଣାଯାଉଥିବା ଭୟଙ୍କର ଗଣ୍ଡଗୋଳଟା ତାଙ୍କର ଚିନ୍ତାଧାରାକୁ ଭାଙ୍ଗିଦେଲା । ମନକୁ ମନ ଭାବିବା ଛାଡ଼ି ସେ ଦୂରରୁ ଶୁଣାଯାଉଥିବା ସେହି କଥାଗୁଡ଼ାକ ଶୁଣିବାକୁ ଓ ବୁଝିବାକୁ ଚେଷ୍ଟାକଲେ । ଗଳିଭିତରେ ଅନେକ ଲୋକ ଦଉଡ଼ୁଥିଲେ । ସେମାନେ କଣ ସବୁ ଚିତ୍କାର କରି କହୁଥିଲେ । ତାଙ୍କ ଘର ଭିତରେ ବି ଲୋକମାନେ ଚଳପ୍ରଚଳ ହେଉଥିଲେ । ସେ ଯେଉଁ ବଖରାରେ ଶୋଇଥିଲେ, ସେଠି ବି ଗୋଳମାଳ ହେଉଥିଲା । ତାଙ୍କୁ ଭଲକରି କିଛି ବି ବୁଝାପଡ଼ିଲାନି । ସେ ଆଖି ଖୋଲିବାକୁ ଚେଷ୍ଟା କଲେ । ସେ ଅନୁଭବ କରିଥିଲେ ଯେ ତାଙ୍କ ଦେହ ଏବେ ବି ବୋଲ ମାନୁନାହିଁ । ସେ ଭାବିଲେ ଏଇଟା ବୋଧହୁଏ ଦେହତ୍ୟାଗ ଆଗର ଗୋଟାଏ ସ୍ୱାଭାବିକ ଅବସ୍ଥା ।

 

ଗଳିରେ କାହାରି କଥା ଶୁଣାଗଲା । କହିଲାବାଲାର ଶବ୍ଦତକ ବେଶ୍ ପରିଷ୍କାର ଶୁଣାଯାଉଥିଲା । ମୁଦଲିୟାର ଉତ୍କଣ୍ଠାପୂର୍ବକ ସେସବୁ ଶବ୍ଦକୁ ଶୁଣିବାକୁ ଓ ବୁଝିବାକୁ ଚେଷ୍ଟା କଲେ-

 

ମୁନିରତ୍ନମ୍ ନାୟୁଡ଼ୁ ଘରେ ଚୋର ପଶିଆସିଥିଲେ । ସେତେବେଳେ ନାୟୁଡ଼ୁ ଘରେ ନ ଥିଲେ, ତାଙ୍କ ସ୍ତ୍ରୀ ପିଲେ ଘରେ ଥିଲେ । ଯେତେବେଳେ ଚୋର ଭିତରେ ପଶି ଅଳଙ୍କାର ବାକ୍‌ସଟା ଉଠାଇବାକୁ ଚେଷ୍ଟା କରୁଥିଲେ ସେତିକିବେଳେ ନାୟୁଡ଼ୁଙ୍କ ସ୍ତ୍ରୀ ନିଦରୁ ଉଠିଗଲେ ଓ ଚିତ୍କାର କଲେ-। ‘‘ଚୋର ! ଚୋର !’’ ଚୋରଙ୍କ ଭିତରୁ ଜଣେ ଛୁରା ଦେଖାଇ ତାଙ୍କୁ ଚୁପ୍ ହେବାକୁ କହିଲା-। ଅନ୍ୟମାନେ ବାକ୍‌ସଟି ନେଇ ଚାଲିଲେ ।

 

ତାଙ୍କର ଚିତ୍କାର ଶୁଣି ପାଖଆଖର ଲୋକେ ଧାଇଁ ଆସିଲେ । ଘରର କବାଟ ଭିତରୁ ବନ୍ଦ ଥିଲା । ତେଣୁ ସେମାନେ କିଛି କରି ପାରିଲେନି ।

 

ଦକ୍ଷିଣ ଦିଗର ଗଳିର କେତେକ ଲୋକ ବି ତାଙ୍କ ଚିତ୍କାର ଶୁଣି ଧାଇଁ ଆସିଥିଲେ । ନାୟୁଡ଼ୁର ନାନୀଘର ଠିକ୍ ତା ଘର ପଛପଟେ ଥିଲା ନା । ତେଣୁ ନାୟୁଡ଼ୁର ନାନୀର ପୁଅ ବେଙ୍ଗଡ଼ସ୍ୱାମୀ ଘରର ପଛପଟୁ ଦଉଡ଼ି ଆସିଲା ।

 

ସେତେବେଳେ ଯେଉଁ ଲୋକଟା ନାୟୁଡ଼ୁର ସ୍ତ୍ରୀକୁ ଛୁରା ଦେଖାଇ ଚୁପ୍ କରାଇଥିଲା, ସେ ପାଚେରି ଡେଇଁ ପଳାଇବାର ଉଦ୍ୟମ କରୁଥିଲା । ବେଙ୍ଗଡ଼ସ୍ୱାମୀ ଡେଇଁପଡ଼ି ତାକୁ ଧରି ପକାଇଲା । ଦୁହେଁ କିଛି ସମୟ ଲଢ଼ିଲେ । ବେଙ୍ଗଡ଼ସ୍ୱାମୀର ଚିତ୍କାର ଶୁଣି କିଛି ଲୋକ ଦଉଡ଼ିକରି ସେପଟକୁ ଗଲେ । ଲୋକେ ତା’ଆଡ଼କୁ ଆସୁଛନ୍ତି ଦେଖି ଚୋର ବେଙ୍ଗଡ଼ସ୍ୱାମୀକୁ ଛୁରାମାରି ଦଉଡ଼ି ପଳାଇଲା । ସାହାଯ୍ୟ କରିବାକୁ ଆସିଥିବା ଲୋକେ ଅବଶ୍ୟ ପଛେ ପଛେ ଗୋଡ଼େଇଲେ; କିନ୍ତୁ ସେ ଖସିଗଲା ।

 

‘‘ଛୁରା ବେଙ୍ଗଡ଼ସ୍ୱାମୀର ଛାତିରେ ଅଧଫୁଟ ଗହୀରଯାକେ ଫୁଟିଯାଇଥିଲା । ଛାତିରୁ ରକ୍ତର ଧାର ବୋହିଯାଉଛି । ଲୋକେ କହୁଛନ୍ତି ପୁଅର କୁଆଡ଼େ ବଞ୍ଚିବା ମୁସ୍କିଲ୍ ।’’ ଏଇକଥା କେଇଟି କହି ପ୍ରଥମ ଲୋକ ନିଜର ବକ୍ତବ୍ୟ ଶେଷ କଲା ।

 

ୟା ପରେ ଦ୍ୱିତୀୟ ଲୋକଟି ପଚାରିଲା, ‘‘ଡାକ୍ତର ବାବୁ, ଆପଣ ଟୋକାଟାକୁ ଦେଖିଚନ୍ତି କି ? ସେ ବଞ୍ଚିଯିବ ?’’

 

ଡାକ୍ତର କହିଲେ, ‘‘ମୋ ପାଖେ ପହଞ୍ଚିବା ଆଗରୁ ତାର ଜୀବନ ଯାଇଥିଲା । ଛୁରୀରେ ତାର ହୃଦୟ ଚିରିଯାଇଥିଲା ।’’

 

ତୃତୀୟ ଲୋକଟି କହିଲା, ‘‘ସେ ମରିଗଲା । ଆହା ବିଚରା ! ଗତ ମାସରେଇ ତାର ବାହାଘର ହେଇଥିଲା । କେତେ ଭଲ ପିଲାଟା । କେତେ ବୁଦ୍ଧି ତାର, କେତେ ଧୈର୍ଯ୍ୟ.....ମତେ କହୁଥିଲା, ‘ମୁଁ ପୁଲିସ୍‌ରେ ଭର୍ତ୍ତି ହବାକୁ ଆବେଦନପତ୍ର ଦେବାକୁ ଯାଉଛି ।’ ତାକୁ ତ ଇନ୍‌ସପେକ୍‌ଟର ଚାକିରି ଲାଗି ସହଜରେ ନେଇଥାନ୍ତେ ।’’

 

ମୁଦଲିୟାରଙ୍କୁ ଲାଗିଲା ଯେ ତାଙ୍କ ଦେହରେ ନୂଆକରି ଶକ୍ତି ସଞ୍ଚାର ହେଉଅଛି । ତାଙ୍କର ଚିନ୍ତାଧାରା ନୂଆ ଦିଗରେ ବେଗେ ଛୁଟିବାକୁ ଲାଗିଲା । ସେ ମନକୁ ମନ କହି ଉଠିଲେ, ‘‘ଭଲ ହେଲା ! କୁକୁର ମୋ ଲାଗି କାନ୍ଦି ନ ଥିଲା । ଯମରାଜା ଆସିଥିଲେ ଠିକ୍; କିନ୍ତୁ ମୋ’ପାଇଁ ନୁହେଁ । ମୁନିରତ୍ନମ୍ ନାୟୁଡ଼ୁ ଘରର ପଛଆଡ଼େ ଠିଆ ହୋଇଥିବା ଲୋକକୁ ଦେଖିକରି ସେ କୁକୁର କାନ୍ଦିଥିଲା । ସେ ତ ମୋ କଥା ଭାବି ବି ନଥିବ ।’’

 

ସେ ଆଖି ଖୋଲିବାର ଚେଷ୍ଟା କଲେ ! କେଡ଼େ ଆଶ୍ଚର୍ଯ୍ୟ କଥା ! ତାଙ୍କ ଆଖି ଖୋଲିଗଲା । ତାଙ୍କ ସ୍ୱର ବହୁତ ପରିଷ୍କାର ଭାବରେ ଶୁଣାଗଲା । ତାଙ୍କ ଶଳା ଓ ଦୁଇ ପୁଅ ତାଙ୍କ ପାଖରେ ଆସି ଠିଆହେଲେ ।

 

‘‘ତାଙ୍କର ଝାଳ ବୋହିଲାଣି’’ କହି ଜଗଦୀଶନ୍ ତଉଲିଆରେ ବାପାଙ୍କର ମୁଣ୍ଡର ଝାଳ ପୋଛିଲା ।

 

ମୁଦଲିୟାର ଶଳାଙ୍କୁ କହିଲେ, ‘‘ଚେକ୍‌କୁ ଚିରି ଫୋପାଡ଼ି ଦିଅ ।’’

 

ଶଳା କହିଲେ, ‘‘ଆପଣ ତ ଚେକ୍ କାଟି ନାହାନ୍ତି । ଆପଣ ଚେକ୍‍ବୁକ୍ ଆଣିବାକୁ କହିଥିଲେ ମତେ !’’

 

କଥା ମଝିରୁଇ ଅରୁଣାଚଳ ମୁଦଲିୟାର କହି ଉଠିଲେ, ‘‘ଏଯାକେ ଚେକ୍ କାଟିନାହିଁ ? ତା’ହେଲେ ଚେକ୍‌ବୁକ୍ ଭିତରେ ରଖିଦିଅ ।’’

 

ସେ ତ ଏମିତି ବେପାରରେ କେବେ ହାତ ଦେଇ ନାହାନ୍ତି ଯହିଁରେ କି ଲୋକସାନ ହବାର ସମ୍ଭାବନା ଥାଏ !

Image

 

ଚେତନାର ଦ୍ୱାରରେ

 

ଶେଖର କହିଲା, ‘‘ସେ ଝିଅଟିକୁ ଟିକିଏ ଦେଖ୍ ତ !’’

 

ତା’ ସାଙ୍ଗରେ ଯାଉଁ ଯାଉଁ ତା ସାଙ୍ଗ କିଟ୍ଟୂ ହସି ହସି ତା କଥାର ସଂଶୋଧନ କରି ନେଲା, ‘‘ଝିଅଟାକୁ ନୁହେଁ, ଝିଅମାନଙ୍କୁ.... ।’’ ଦୁହେଁଯାକ ବାଲିବାଲିଆ ପଡ଼ିଆଟା ଦେଇ ସମୁଦ୍ର ଆଡ଼କୁ ଆଗୋଉଥିଲେ । ଏଠି ସେଠି ଲୋକ ବସିଛନ୍ତି । ସନ୍ଧ୍ୟାର ଝାପ୍‌ସା ଆଲୁଅରେ ସେମାନେ ସୁନ୍ଦର ଦିଶୁଥିଲେ । ସେଦିନ ସମୁଦ୍ରକୂଳେ ବେଶୀ ଭିଡ଼ ନଥିଲା । ଟିକିଏ ଦୂରରେ ସମୁଦ୍ରପାଣିକି ଲାଗି ତିନିଜଣ ଝିଅ ବସିଥିଲେ । ସେମାନେ ଏ ଦୁହିଙ୍କ ଆଡ଼କୁ ହାତ ଦେଖାଇ କଣ କଥା ହେଉଥିଲେ । ତାଙ୍କ ଆଡ଼େ ଚାହିଁ ନିଜ ସାଙ୍ଗ କିଟ୍ଟୂ ସଙ୍ଗେ କଥା ହେଇ ଚାଲୁ ଚାଲୁ ଶେଖର କହିଲା, ‘‘ଝିଅମାନଙ୍କୁ ଚାହିଁବା ଖୋଇ ମୋର ନାହିଁ । ମୁଁ ସେହି ଝିଅଟା କଥା କହୁଚି ।’’ ଶେଖର ଆଖିଦ୍ୱାରା ଯେଉଁ ଝିଅଟିକି ଦେଖାଇ ଦେଲା ସେ ଯେ ତିନିଜଣଙ୍କ ଭିତରୁ କେଉଁଟି, କିଟ୍ଟୂକୁ ତା ଜଣାପଡ଼ିଲାନି । ଶେଖର ଗାଁଆ ଜୀବନ ଉପରେ ଦିକ୍‌ଦାର ହୋଇ, ତାକୁ ଭୁଲିବା ଲାଗି, ସହରକୁ କିଛି ଦିନଲାଗି ଆସିଥିଲା । ତା କଥାକୁ ତାର ବାଲ୍ୟବନ୍ଧୁ କିଟ୍ଟୂ ବେଳେବେଳେ ବୁଝିପାରେ ନା । ଗଲା କେତେ ଦିନ ହେଲା କିଟ୍ଟୂକୁ ଶେଖରର ବ୍ୟବହାର କେମିତି ବିଚିତ୍ର ଲାଗୁଥିଲା ।

 

‘‘ତୁ କାହା କଥା କହୁଚୁ....? ମୁହଁରୁ ପିଚିକି ବାହାରିଥିବା ଦାନ୍ତଭାଡ଼ିକି ଘୋଡ଼ାଇବା ଲାଗି ଯେ ଓଠ ଦୁଇଟି ଚାପି କଷ୍ଟରେ ଠିଆ ହୋଇଚି ତା ବିଷୟରେ କହୁଚୁ....ନା ଯିଏ ତା କୁଞ୍ଚୁ କୁଞ୍ଚୁ ବାଳତକ ଉଡ଼ିଯିବା ଡରରେ ଆଣ୍ଟକରି ଦିଟା ବେଣୀ ବାନ୍ଧିଛି, ତା କଥା କହୁଚୁ ?’’ କହୁ କହୁ କିଟ୍ଟୂ ଚୁପ୍ ହୋଇଗଲା । ତା କଥା ସମ୍ପୂର୍ଣ୍ଣ ଉପହାସପୂର୍ଣ୍ଣ ଥିଲା । ତା ମନକଥାକୁ ପରିଷ୍କାର ଭାବେ ପ୍ରକାଶ କରିବାର ଉପମା ନୁହେଁ । ଉପରେ ଉପରେ କୁହାଯାଇଛି, ଖାଲି ଶ୍ରୋତାକୁ ହସାଇବା ଉଦ୍ଦେଶ୍ୟରେ ।

 

ତୃତୀୟାଟିର ବର୍ଣ୍ଣନା କରିବାକୁ ତାର କଳ୍ପନାକୁ ଛୁଟେଇ ନ ପାରିବାରୁ କିମ୍ବା ତାର ଅନୁରୂପ ସହରୀ ଢଙ୍ଗର ଉପମା କିଛି ନ ପାଇବାରୁ ସେ ତୁନି ହୋଇଗଲା ।

 

ଶେଖର କହିଲା, ‘‘କିନ୍ତୁ, ତୁ ଯୋଉ ଝିଅଙ୍କ ଆଡ଼କୁ ଇଙ୍ଗିତ କଲୁ, ତାଙ୍କୁ ମୁଁ ଦେଖି ଦେଇଛି । ମୁଁ ସେମାନଙ୍କ କଥା କହୁ ନ ଥିଲି । ସେମାନଙ୍କ ଆଡ଼କୁ ଚାହିଁ ବି ନଥିଲି । ଏଇଲା କହ ତ ସେ ଦୁହିଙ୍କ ମଝିରେ ଯୋଉ ଝିଅଟି ବସିଛି, ତାକୁ ଦେଖି ତୋ ମନରେ କେମିତିକା ଧାରଣା ହଉଛି । ଯେବେ ସହରିଆ ଭାଷାରେ ତାର ବର୍ଣ୍ଣନା ନକରି ପାରୁ, ତାହେଲେ ତାମିଲ ପଣ୍ଡିତଙ୍କ ଭାଷାରେ ତାର ବର୍ଣ୍ଣନା କରିବାକୁ ଚେଷ୍ଟା କର.... ।’’

 

ସେ କହିଲା, ‘‘ଭାଇ, ମୋ ଦେଇ ସେ କାମ ହବନାଇଁ....ମୁଁ ସେ ଚେଷ୍ଟା ବି କରି ପାରିବିନି । ମୁଁ ତ ଠିକ୍ କରି ତାମିଲ ବି ଶିଖିନାହିଁ ।’’

 

ଶେଖର କହିଲା, ‘‘ତୁ ଠିକ୍ କାମ କରିଚୁ...ନହେଲେ ତୁ ଲେଖାଲେଖି କରି ଆଉ ଭାଷଣ ଦେଇ ଦେଇ ପାଗଳ ହେଇଯାଇଥାନ୍ତୁ.....ବେଶ୍ ହେଇଚି ତୁ ତା କରିନୁ । .....ହଁ, ମୁଁ କଣ କହୁଥିଲି, ଆଉ ତୁ ଅନ୍ୟ ଗୋଟେ କଥା କହି କଥାଟାର ଖିଅ ବଦଳେଇ ଦେଲୁ । ଛାଡ଼, ଯା ହବାର ହେଲାଣି-। ଏଇଲେ ତୁ ସେ ଝିଅ ଆଡ଼େ ଚାହାଁ । ତାକୁ ଦେଖି ତୋ ମନରେ କଣ କଣ ଭାବନା ଆସୁଚି-? ମୁଁ ଦେଖିବି ତୋର ଉପମା, ତୋ କଥା କେତେଦୂର ତା ସଙ୍ଗେ ଲାଗୁହଉଚି ।’’ ସେଇଠୁ କିଟ୍ଟୂ ସେ ଝିଅକୁ ଗୋଡ଼ଠୁଁ ମୁଣ୍ଡଯାକେ ଦେଖିନେଲା । ତାକୁ କିଛି କଥା ଜୁଟିଲାନି । ତାର ରୂପ, ଆକାର, ସୌନ୍ଦର୍ଯ୍ୟ, ଆକର୍ଷଣଶକ୍ତି ଦେଖି ସେ କାବା ହୋଇଗଲା । ତାର ସୌନ୍ଦର୍ଯ୍ୟ ଅବର୍ଣ୍ଣନୀୟ । କଥା ହଉଚି, ସେ ଏପରି ଏକ ଜୀବନ୍ତ ମୌନ ପ୍ରତିମାପରି ଦେଖାଯାଉଥିଲା ଯାହାକୁ ଥରେ ଦେଖିଲେ କେହି ଭୁଲି ପାରିବନି, ଆଉ ପୁଣି ଥରେ ନ ଦେଖି ରହିପାରିବନି । ଦେଖଣାହାରୀ ମନର ସକଳ କଳ୍ପନା ଯେପରି ତା’ଠାରେ ଠୁଳହୋଇ ରହିଥିଲା । ଏତେ ଏତେ ସୁନ୍ଦର ଝିଅ ପୁଣି ପୃଥିବୀରେ ଅଛନ୍ତି; ଏହା ବିଚାରି କିଟ୍ଟୂ ଆଶ୍ଚର୍ଯ୍ୟ ହେଲା ଏବଂ ସ୍ତମ୍ଭିତ ହୋଇ ତା’ଆଡ଼େ ଚାହିଁ ଠିଆ ହୋଇରହିଲା । ତାକୁ ଚେତାଇ ଦେବାକୁ ଯାଇ ଶେଖର ତା କାନ୍ଧକୁ ଝୁଙ୍କାଇ ଦେଲା ଏବଂ କହିଲା, ‘‘ୟା ପରି ଆଉ କାହାରିକି ମୁଁ ଦେଖିନାହିଁ–ଏଇଆ ବିଚାରି ତୁ ଚିତ୍ରାର୍ପିତପରି ଛିଡ଼ା ହୋଇଛୁ । ତୋ ମନରେ ସବୁ ପ୍ରକାରର କଳ୍ପନା କେମିତି ଆସିବ ? ମୁଁ କେବେ, କେଉଁଠି, କେଉଁ ରୂପ ଦେଖିଥିଲି । ସେ ରୂପ ମନ ଭିତରେ ଛପି ରହିଛି । ଆଖି ଯୋଡ଼ାକ ବ୍ୟଗ୍ର ହୋଇ ସେ ରୂପ ଖୋଜୁଛନ୍ତି । ୟାକୁ ଦେଖି ମନରେ ଧାରଣା ହେଉଛି ଏଇ ପରା ସେ ରୂପ ।’’ ମନର ପ୍ରସନ୍ନତା ଆଖିରେ ଖାଲି ନୁହେଁ, ତା’ର ଚେହେରାରେ ବି ଫୁଟି ବାହାରୁଚି । କାହାରି ଅପୂର୍ବ ରୂପ ଦେଖିକରି ଆଶ୍ଚର୍ଯ୍ୟ ନହେଲେ, ଆମେ ଆନନ୍ଦିତ ହେଉଁ । ମୁଁ ତତେ ଭଲକରି କିଛି କହିପାରୁନି । ସେମିତି କହିବାକୁ ବା ମୋର ସମୟ କାହିଁ...’’ କହି ଶେଖର କିଛିକାଳ ତୁନି ରହିଲା । ତାକୁ ଥରେ ଚାହିଁ ନେଇ ସେ ପୁଣି କହିଲା, ‘‘ତାକୁ ଏମିତି ଥରେ ଚାହିଁନେଲେ ସେ ତୋ କଳ୍ପନା-ଜଗତରେ ଖାଲି ନୁହେଁ, ତୋ ଦେହର ଶିରା-ପ୍ରଶିରାରେ, ହୃଦୟର ପ୍ରତ୍ୟେକ ସ୍ପନ୍ଦନ ଭିତରେ ରହିଯିବ....’’

 

କିଟ୍ଟୂ କରୁଣ ଭାବରେ କହିଲା, ‘‘ଶେଖର ! ମୁଁ ତୋ ବୁଦ୍ଧିର ଉର୍ବରତା ଓ ତୀବ୍ର ଚିନ୍ତାଶକ୍ତି କଥା ଜାଣେ । କଳ୍ପନା କରି କରି ତୁ ଭାବନାର ପ୍ରବାହରେ ଭାସିଯିବୁ । ଭାସି ଭାସି ଏମିତି ତ କୋଉଠି ପହଞ୍ଚିବୁ, କହି ହେଉନାହିଁ...’’

 

‘‘କିଟ୍ଟୂ, ତୋ କଥା କେତେକ ପରିମାଣରେ ଠିକ୍, ମତେ ଲାଗୁଛି.... କେତେ ଦିନ ହେଲା ମୁଁ କିଛି ବୁଝି ପାରୁନି.....ତୁ ତ ସୁଶୀଳାକୁ ଭଲରକମ ଜାଣୁଁ । ମୋର ପରମ ସୌଭାଗ୍ୟ, ମୁଁ ତାକୁ ସ୍ତ୍ରୀରୂପେ ପାଇଛି ! କିନ୍ତୁ ସୁଶୀଳା ବି, ଯେ କି ଏ ସଂସାରରେ ଭୁଲରେ ଜନ୍ମ ହୋଇଛି, ମତେ ସ୍ୱାମୀଭାବେ ପାଇ ଭାଗ୍ୟବତୀ । ତାକୁ ଦେଖିଲେଇ କେଜାଣି କେତେ କଥା ମନକୁ ଆସିଯାଏ । ସ୍ୱାମୀଭାବେ ମୁଁ ନିଜର ସ୍ତ୍ରୀକୁ ଚାହିଁଲେ କାହିଁକି କେଜାଣି ମତେ ଅସୀମ ଆନନ୍ଦ ମିଳେ । ଏଇ କେତେ ଦିନ ହେଲା ତା’ ପ୍ରତି ମୋର ଭଲ ପାଇବାର ଯେମିତି ବନ୍ଧବାଡ଼ ନାହିଁ । ....ମନରେ କେମିତି ଗୋଟାଏ ଡର ବି ଆସିଗଲାଣି....ତାକୁ ଡର କହିବା ବୋଧହୁଏ ଠିକ୍ ହେଉନାହିଁ । ମନରେ ଗୋଟାଏ କୃତ୍ରିମ ଭୟର ଭାବନା ହେଉଛି । ସେହି ଭାବନା ଭିତରେ ଯେଉଁ ପ୍ରକାର ଆକର୍ଷଣ ରହିଛି, ମତେ ତା’ ଆଡ଼କୁ ଟାଣୁଚି ଆଉ ଦୂରକୁ ଠେଲି ବି ଦେଉଛି । ଏସବୁ ପାଇଁ ମୋର ସ୍ତ୍ରୀ ସୁଶୀଳା ଦାୟୀ । ଘରର କାମ କରୁ କରୁ ସଦାବେଳେ ଚିଡ଼ିଯାଏ ମୁଁ, ଏଠିକି ଆସିଲେ ମନଟା ଟିକିଏ ହାଲୁକା ହବ, ....ଏହା ଭାବି ମୁଁ ଏଠିକି ଆସିଲି....ଏଠି ବି ଝିଅଙ୍କୁ ଦେଖିଲେ ତାକୁ ଦେଖିଲାପରି ଲାଗୁଚି ।’’ ଦଶ ପାଦ ଯାଇଥିବେ ଦୁହେଁ, ୟାରି ଭିତରେ ଗଡ଼ଗଡ଼ କରି ଏତିକି କହିଦେଲା ସେ । ସେହି ଗତିବେଗ ଭିତରେ କିପରି ଏକ ସ୍ଥିରତା ବି ତା’ରି ଥିଲାପରି ଲାଗିଲା । ହସି ହସି ଶେଖର କିଟ୍ଟୂକୁ କହିଲା, ‘‘ମୁଁ ୟାଡ଼ୁ ସ୍ୟାଡ଼ୁ ଗୁଡ଼େ କହିଗଲି....ତୁ କିଛି ମନେ କରିବୁନି....ସେଇ ଯୋଉ ଝିଅଟା ମଝି ଜାଗାରେ ବସିଚି, ମୁଁ ତାରି କଥା କହୁଚି । ମୁଁ କହୁନଥିଲି ଯେ ଏଇ କେତେ ଦିନ ହେଲା ସୁଶୀଳାକୁ ଦେଖିଲେ ମନରେ ବିଚିତ୍ର ଅନୁଭୂତି ହେଉଛି । ୟାକୁ ଚାହିଁଲେ ସେ ଅନୁଭୂତି କିଛିଟା ପରିଷ୍କାର ହୋଇଯାଉଛି । ସେ ଅନୁଭୂତିକି ମୁଁ ସ୍ପଷ୍ଟରୂପେ ଜାଣିପାରିନାହିଁ । ଏହାରି ଆଲୋଚନା ମୁଁ ତୋ ଆଗରେ କରୁଥିଲି । ତୁ ମୋ ଅବସ୍ଥାଟା ଭଲରୂପେ ବୁଝିପାରୁଥିବୁ । ତତେ ଛାଡ଼ି ଆଉ କାହାରିକି ଯଦି ଏସବୁ କଥା କହିଥା’ନ୍ତି ତା’ହେଲେ ସେ ମୋ କଥା ଠିକ୍‌କରି ବୁଝି ନ ପାରି ମତେ ନୀଚ କହିଥାନ୍ତା.....ତା’ଆଡ଼େ ଚାହାଁ.....ତା’ର ସୌନ୍ଦର୍ଯ୍ୟରେ କେତେ ଆକର୍ଷଣ ରହିଛି ଯାହାକି କେତେ ଜୋରରେ ଆମ ଦୁହିଙ୍କୁ ତା’ ଆଡ଼କୁ ଟାଣୁଛି । ସେ ଅବିବାହିତା ଝିଅ । ନାରୀତ୍ୱର ଦର୍ଶନ ତା’ଠିଁ କରାଯାଇପାରେ । ତତେ ଜଣାଅଛି କି, ନାରୀତ୍ୱ ଗୋଟାଏ ପ୍ରଚଣ୍ଡ ଶକ୍ତି ବୋଲି । ନାରୀକୁ କେଉଁ ପୁରୁଷର ସ୍ତ୍ରୀ ହେବାକୁ ପଡ଼େ । ବିଶାଳ ଚିତ୍ରଫଳକ ଉପରେ ଅଙ୍କିତ କରାଯାଇ ପାରିଲା ଭଳି ନାରୀତ୍ୱକୁ, ସ୍ୱାମୀ, ବିଧିର ବିଧାନ ରୂପକ ଫ୍ରେମ୍‌ରେ ଲଗାହୋଇଥିବା ପତ୍ନୀର ଫଟୋଗ୍ରାଫ୍‌ରେ ଦେଖି ଖୁସି ହେବାକୁ ଚେଷ୍ଟାକରେ । ତା’ ଦେହରେ ବ୍ୟାପକ ନାରୀତ୍ୱର ଦର୍ଶନ କଲେ ତା’ର ଭୟ ଆସେ ।’’ ୟା ପରେ ଶେଖର ହସି ହସି କିଟ୍ଟୂକୁ ପଚାରିଲା, ‘‘କ’ଣ କିଟ୍ଟୂ, ତୁ ତୋ ସ୍ତ୍ରୀକି ଦେଖି କେବେ ଭୟଭୀତ ହୋଇଚୁ କି ?’’

 

ସେମାନେ କଥା ହେଉଁହେଉଁ ସେହି ଝିଅମାନଙ୍କ ପାଖେ ପହଞ୍ଚିଗଲେ । ତାଙ୍କ କଥାଗୁଡ଼ା ହୁଏତ ଝିଅମାନଙ୍କ କାନକୁ ବାଜିଥିବ, ମନ ଭିତରେ ଏହି ସନ୍ଦେହ ଉପୁଜିବା ମାତ୍ରେ ସେମାନେ କଥା ବନ୍ଦ କରିଦେଲେ । ସେମାନେ ତୁନି ପଡ଼ିବା ପରେ, ଯେଉଁ ମଧୁର ବାର୍ତ୍ତାଳାପ ତାଙ୍କ କଥା ସକାଶେ ଶୁଣାଯାଉ ନଥିଲା ଏଯାବତ୍, ତାହା ପୁଣି ଶୁଣାଗଲା । କଥା ହେଉଁ ହେଉଁ ସେ ଝିଅମାନେ ମଧ୍ୟ ସେ ଦୁହିଙ୍କୁ ପାଖେଇ ଆସୁଥିବାର ଦେଖି ସେମାନଙ୍କ ପରି କଥା ବନ୍ଦ କରିଦେଲେ-। ପ୍ରତ୍ୟେକଙ୍କ ମନରେ ସନ୍ଦେହ ଏହି ଯେ ଅନ୍ୟମାନେ ତାଙ୍କ କଥା ଶୁଣି ନେଇଛନ୍ତି; ତେଣୁ ସାମାନ୍ୟ ହସି, ଥରକୁ ଥର କଣେଇ କଣେଇ ଚାହୁଁଥିଲେ ସେମାନେ । ଯେତେବେଳେ ଦୁଇଜଣଙ୍କ ମନରେ ଏକାବେଳେ ଗୋଟିଏ ପ୍ରକାରର ଭାବ ଉପୁଜେ, ସେତେବେଳେ ତାଙ୍କ ଭିତରେ ଅଜାଣତରେ ଗୋଟିଏ କୋମଳ ସମ୍ବନ୍ଧ ସ୍ଥାପିତ ହୋଇଯାଏ । ଏହି ସମ୍ବନ୍ଧ ପରବର୍ତ୍ତୀ ଘଟଣାପ୍ରବାହରେ ବେଳେ ବେଳେ ଦୃଢ଼ ହୁଏ, ବେଳେ ବେଳେ ଭାଙ୍ଗିଯାଏ । ତା’ର ଆହୁରି ଅନେକ ପ୍ରକାରେ ମନୁଷ୍ୟକୁ ପ୍ରଭାବିତ କରିବାର ଶକ୍ତି ଅଛି ।

 

ତହିଁଆରଦିନ ଦି’ପହର ଗୋଟାଏ ବେଳସରିକି ଶେଖର କଫି ପିଇବା ଲାଗି ହୋଟେଲ୍ ଆଡ଼କୁ ଯାଉଥିଲା । ହଠାତ୍ ସେ ସେଇ ଝିଅଟିକି ଦେଖିଲା, ହୋଟେଲ ବାହାରେ ଛିଡ଼ା ହୋଇଛି । ଦୁହେଁ ଚମକି ଜଣେ ଆଉଜଣକ ଆଡ଼କୁ ଚାହିଁଲେ, ଆଉ ହସି ଦେଲେ ।

 

ଶେଖର ସେ ଝିଅକୁ ଚାହିଁ ହସି ହସି କହିଲା, ‘‘ସେମାନେ.... ?’’ ସେ ବି ପଚାରିଲା ‘‘ସେମାନେ.... ?’’ ଏବଂ ପରେ ପରେ କହିଲା, ‘‘ଏ ତ ଆଉ ସନ୍ଧ୍ୟାବେଳ ନୁହେଁ କି ସମୁଦ୍ର କୂଳ ନୁହେଁ ଯେ କଥାବାର୍ତ୍ତା କରି ସମୟ କାଟିବାକୁ ହବ ।’’

 

ଶେଖର କହିଲା, ‘‘ହଁ ଠିକ୍ କଥା କହିଛ....ଟିକେ କଫି ପିଇଯାଅ ।’’

 

ଝିଅ କହିଲା, ‘‘ଏଇଲେ ଦରକାର ନାହିଁ...ପରେ ଦେଖାଯିବ ।’’

 

ସେ ମୁଣ୍ଡହଲାଇ କହିଲା, ‘‘ଆଚ୍ଛା ସନ୍ଧ୍ୟାବେଳେ ଦେଖାହେବ ।’’ ଝିଅଟି ଶୀଘ୍ର ସେଠୁ ପଳାଇଗଲା । ସେ ଯିବା ପରେ ଶେଖର କିଛି ବେଳ ହଲଚଲ ନ ହୋଇ ସେଇ ଜାଗାରେ ଠିଆହୋଇ ରହିଲା । ତାକୁ ବୋଧହେଲା ସେ ଗୋଟିଏ ମଧୁର ସ୍ୱପ୍ନ ଦେଖୁଥିଲା ପରା ।

 

ସେଦିନ ସନ୍ଧ୍ୟାରେ ଶେଖରକୁ ଏକୁଟିଆ ସମୁଦ୍ରକୂଳକୁ ଯିବାକୁ ହେଲା । କିଛି ଦୂରରେ ଠିଆହୋଇ ସେ ଦେଖିଲା ଯେ ସେମାନେ ଠିକ୍ ଆଗ ଜାଗାଟାରେ ବସି କଥା ହେଉଛନ୍ତି । ତାଙ୍କ ପାଖେ ପହଞ୍ଚିବା ମାତ୍ରେ ହିଁ ସେ ‘‘ଅନେକ ସମୟ ହେଲା ଅପେକ୍ଷା....’’ କହି ନିଜର କଥା ଆରମ୍ଭ କଲା । ଟିକେ ରହି ‘‘ଏଠିକି ଆସିବାକୁ ଖୁବ୍ ଡେରି ହୋଇଗଲା କି ?’’ କହି ସେ କଥା ବଦଳାଇ ଦେଲା । ସେ ଝିଅଯାକ ଖୁବ୍ ଆଶ୍ଚର୍ଯ୍ୟ ହୋଇଗଲେ । ସେ ଝିଅ କହିଲା, ‘‘ହଁ ଟିକିଏ ଡେରି ହେଇଚି ।’’ ସେ ସେମାନଙ୍କ ପାଖରୁ ଟିକିଏ ଦୂରରେ ବସିପଡ଼ିଲା । ସେ ଝିଅଟି ଅନ୍ୟମାନଙ୍କୁ ଚାହିଁ ଅତି ସାଧାରଣ କଣ୍ଠରେ କହିଲା, ‘‘ଆଜି ଦିପହରେ ୟାଙ୍କ ସଙ୍ଗେ ବଜାରରେ ଭେଟ ହୋଇଥିଲା ।’’ ଝିଅ ଦିଟା ଜଣେ ଆଉଜଣକ ଦିହରେ ଏମିତି ଲାଖିଗଲେ ସତେକି ଦଉଡ଼ିରେ ବନ୍ଧା ହୋଇଚନ୍ତି, ଆଉ ଥରକୁ ଥର ଏ ଦୁହିଙ୍କୁ ଚାହିଁବାକୁ ଲାଗିଲେ ।

 

ଭାନୁ, ସୁଶୀଳା ଓ ସୁମତି ତିନିହେଁ ଥିଲାବାଲା ଓ ସମ୍ମାନୀୟ ପରିବାରର ଝିଅ । ପଢ଼ାପଢ଼ି ସରିବା ପରେ ବୋଧେ ସେ ବା ତାଙ୍କ ବାପ ମା’ ବୁଝି ପାରୁ ନଥିଲେ ୟା ପରେ କ’ଣ କରାଯିବ । ସନ୍ଧ୍ୟାବେଳେ ସମୟ କାଟିବାକୁ ସମୁଦ୍ରକୂଳକୁ ଆସିବା ଆଉ କଥାବାର୍ତ୍ତା ହୋଇ ସମୟ ବିତାଇବା ତାଙ୍କର ଅଭ୍ୟାସ । ଶେଖର ତାଙ୍କ ମେଳରେ ଆସି ଜୁଟିବାରେ, ତାଙ୍କର ସନ୍ଧ୍ୟାବେଳର ଗପସପରେ ଭାଗ ନେବାରେ ତାଙ୍କ ସମୟ ସହଜରେ ବିତିଲା । ଶେଖରର କଥାବାର୍ତ୍ତା ବେଶ୍ ଖୁସିବାସିଆ । ତା’ ସ୍ୱଭାବ ବି ତାଙ୍କୁ ଭଲ ଲାଗୁଥାଏ । ସେ ତିନିଙ୍କ ମନରେ ଅଜାଣତରେ ହିଁ ତା’ ପ୍ରତି ଭଲ ପାଇବାର ଭାବ ଦେଖାଦେଲା । ଏଇ କେତେ ଦିନର ଆଳାପ ଭିତରେ ତାଙ୍କୁ ବୋଧହେଲା ଶେଖର ଜଣେ ଘନିଷ୍ଠ ବନ୍ଧୁ । ଏଯାକେ କିନ୍ତୁ କେହି କାହାରି ପରିଚୟ ପାଇ ନାହାନ୍ତି କି ନାଁ ପଚାରି ନାହାନ୍ତି । ଆଉ ଯେବେ ପ୍ରଥମ ପରିଚୟ ବେଳେ ପଚାରିବାର ସୁଯୋଗ ହୋଇନାହିଁ, ପରେ ପରିଚୟ ହେବା ପରେ ଏପ୍ରକାର ପ୍ରଶ୍ନ ପଚାରିବାଟା କେମିତି ଅଡ଼ୁଆ ଲାଗେ ।

 

ଦିନେ ଶେଖରକୁ କିଛି ଚିନ୍ତିତ ଥିବାର ଦେଖାଗଲା । ସେ ସୁଶୀଳାକୁ କିଛି କହିବାକୁ ମନ କଲା । ‘‘ଶୁଣ ସୁଶୀଳା....’’ କହି ଦେଇ, ଯେମିତି ଘାବରେଇ ଯାଇ ସେ ନିଜର କଥାଟା ବନ୍ଦ କରିଦେଲା; ଆଉ ଶୂନ୍ୟକୁ ଚାହିଁ ବସିଲା । ବାକି ଝିଅ ଦି’ଜଣ ପରସ୍ପରକୁ ଚାହିଁଲେ । ସେ ଦୁହେଁ ଅତି ଆଶ୍ଚର୍ଯ୍ୟ ହୋଇ ପଡ଼ିଥିଲେ ।

 

ଦୁଷ୍ଟ ହସ ହସି ଭାନୁ ଶେଖରକୁ ପଚାରିଲା, ‘‘ଆପଣଙ୍କ ନାଁ କ’ଣ ?’’ ତା’ ଆଡ଼କୁ ମୁହଁ ବୁଲାଇ ଶେଖର କହିଲା, ‘‘ଶେଖର !’’ ପୁଣି ସେ ପଚାରିଲା, ‘‘ସେ ଝିଅଟି ନାଁ କଣ ?’’ ସେ ଝିଅ କହିଲା, ‘‘ଏଇଲାଗେ ଆପଣ ମତେ ସୁଶୀଳା ବୋଲି ଡାକିଲେ ନା ।’’ ସେ କହିଲା, ‘‘ମୁଁ ଏଯାକେ ଆପଣଙ୍କ ନାଁ ଜାଣି ନଥିଲି ।’’

 

ଟିକିଏ ପରେ ସେ ଆସ୍ତେ ଆସ୍ତେ କହିଲା, ‘‘ଆପଣ ଦୋଳି ଖେଳନ୍ତି, ଦୋଳି ? ଦୋଳି ଖେଳି ଆସେ ? ପିଲାଦିନେ ଆପଣମାନେ ଜଣେ ଆଉ ଜଣକୁ ଦୋଳିରେ ଝୁଲେଇଥିବେ ? ଜୋର୍‌ରେ ଝୁଲିବାର ମଣିଷଟି ଦୂରରୁ ଅଲଗା ପ୍ରକାର, ପାଖରେ ଆଉ ପ୍ରକାରେ ଦେଖାଯାଏ । ଯଦି ଦୋଳିରେ ଝୁଲୁଥିବା ଲୋକଟି ପାଖରୁ ଯାହା, ଦୂରରୁ ବି ସେଇଆ ଦେଖାଯାଏ ତାହେଲେ ସେ ଖେଳଟା କେତେ ମନୋରଞ୍ଜନ ହୋଇଯାଏ ? ଯେମିତି, ମୁଁ ଗୋଟିଏ ଚେହେରାର ଦି’ଜଣଙ୍କୁ ଦୋଳିରେ ବସାଇ ଝୁଲାଉଥିଲି, ଆଉ ସେତିକି ଏଇଲାଗେ ଗୋଟିଏ ନାଆଁର ଦି’ଜଣଙ୍କୁ ଝୁଲାଉଛି....’’ ଏତିକି କହି ସେ ହସିଦେଲା । ତା’ ହସଟା ବି ବଡ଼ ସୁନ୍ଦର । ପରେ ସେ କହିଲା, ‘‘କେତେ ଅଳ୍ପ ଦିନର ପରିଚୟ ଭିତରେ ବି ମୁଁ ଆପଣମାନଙ୍କ ସଙ୍ଗରେ ଏମିତି କଥାବାର୍ତ୍ତା କଲି, ଏମିତି ଖୋଲାଖୋଲି ଭାବରେ କଥାଗୁଡ଼ାକ କହିଗଲି, ସେଥିଲାଗି କ୍ଷମା କରିବେ । ମୋର ଜଣେ ଅତି ପରିଚିତ ଓ ସବୁଠୁଁ ଆପଣାର ଜଣେ ସ୍ତ୍ରୀର ନାମ ସୁଶୀଳା । ଏଇଲେ ଆପଣଙ୍କ ନାଁ ବି ସୁଶୀଳା ବୋଲି ଜାଣି, ଦୁହିଙ୍କ ନାଁ ଭିତରେ ଏହି ଅପୂର୍ବ ମେଳ ଦେଖି ମୋ ମନରେ କେଜାଣି କେତେ ମଜାର ଭାବନା ଆସିଯାଉଚି ।

 

ଶେଖର ଗାଆଁ ଛାଡ଼ି ଆସିବାର ମାସେ ହେଲାଣି । ଏଠାକୁ ଆସି ସେ ଦିନାକେତେ କିଟ୍ଟୂ ପାଖରେ ରହିଲା । ପୁଣି ତାକୁ କହିଲା ସେ ଗାଁକୁ ଯାଉଚି, ଆଉ ସେଠୁ ଚାଲି ଆସିଲା । ତା’ପରେ ସେ ଗୋଟାଏ ଧର୍ମଶାଳାରେ ରହି ସମୟ କଟାଇବାକୁ ଲାଗିଲା । ବୋଧହୁଏ ସହର ଛାଡ଼ି ଫେରିଯିବାକୁ ତା’ର ଇଚ୍ଛା ନାହିଁ; କିନ୍ତୁ ଗଲା କିଛିଦିନ ହେଲା ତା’ର ଗାଁ କଥା ଭାରି ମନେ ପଡ଼ୁଥାଏ । ସେ ସବୁଦିନ ସେ ଝିଅମାନଙ୍କୁ ଯାଇ କହେ, ‘‘ମୁଁ ବୋଧେ କାଲି ଗାଁକୁ ଚାଲିଯିବି ।’’ କିନ୍ତୁ ପରଦିନ ସନ୍ଧ୍ୟାବେଳେ ସେ ସମୁଦ୍ରକୂଳରେ ତାଙ୍କୁ ଠିକ୍ ଭେଟୁଥିଲା ।

 

ସେଦିନ ଶେଖର ଭାବିଲା, ସେଇ ଝିଅମାନେ ତ ନିଶ୍ଚୟ ଭାବୁଥିବେ, ‘ଆଜି ସେ ନିଶ୍ଚୟ ଗାଁକୁ ଯାଇଥିବ ବାହାରି’, ସେମାନଙ୍କ ଭିତରେ ହଠାତ୍ ଯାଇ ପହଞ୍ଚିଗଲେ ସେମାନେ କେତେ ଚମକିବେ । ସେ ସେଦିନ ସମୁଦ୍ରକୂଳେ ଅନ୍ୟଦିନମାନଙ୍କଠାରୁ ଶୀଘ୍ର ପହଞ୍ଚିବାକୁ ଚାହୁଁଥିଲା । ଏଣେ ସେ ଭାବୁଥାଏ ଯେ ସେ ନିଶ୍ଚୟ ଗାଁକୁ ଚାଲିଯିବା ଉଚିତ; କିନ୍ତୁ ଅନ୍ୟପକ୍ଷରେ ସେଇ ଝିଅମାନଙ୍କ ସଙ୍ଗେ କଥା ହେବାର ଆନନ୍ଦ ତାକୁ ସେଇ ଜାଗାରେ ଜାଣି ବାନ୍ଧି ରଖିଥାଏ । ଏହି ଦୁଇ ଧରଣର ଚିନ୍ତା ଭିତରେ ଝୁଲି ଝୁଲି ଶେଖର ବୁଝିପାରେନା ସେ କ’ଣ କରିବ । ଅଜ୍ଞାନର ଅନ୍ଧକାର ଭିତରେ ଜ୍ଞାନାଲୋକଶୂନ୍ୟ ଚେତନାର ଦ୍ୱାରଦେଶରେ ଶେଖର ଧକ୍‌କା ଖାଉଥାଏ । ନିଦ୍ରା ଏବଂ ଜାଗରଣର ମଧ୍ୟବର୍ତ୍ତୀ ଅବସ୍ଥା–ଅର୍ଦ୍ଧଚେତନାବସ୍ଥାରେ ପହଞ୍ଚି ସେ ଦୁନିଆର କାର୍ଯ୍ୟକଳାପ ଦେଖିବାକୁ ଲାଗିଲା । ସେ ଅବସ୍ଥାରେ ମାୟାଜାଲଘେରା ଏହି ଜଗତ ଏବଂ ବିଭିନ୍ନ ପଦାର୍ଥ ସତପରି ଲାଗେ । ନିଦ୍ରାରେ ସବୁକିଛି ଲୁପ୍ତ ହୋଇଯାଏ ଓ ଜାଗରଣ ଅବସ୍ଥାରେ ଲୋକ ସେସବୁ ଜିନିଷକୁ ଭୁଲିଯାଏ ।

 

ସେଦିନ ସେ କୌଣସି ପ୍ରକାରେ ସମୟଟା କଟେଇଦେଲା । ସନ୍ଧ୍ୟାବେଳେ ସମୁଦ୍ରକୂଳକୁ ଯିବା ସକାଶେ ଶେଖର ଅନ୍ୟଦିନମାନଙ୍କ ତୁଳନାରେ କିଛି ଆଗରୁ ହିଁ ଯାଇ ବସ୍‌ଷ୍ଟାଣ୍ଡରେ ଠିଆହେଲା । ସେଠି ଖୁବ୍ ଭିଡ଼ ହୋଇଥାଏ । ଭିଡ଼ଯୋଗୁଁ ସେ ଆଗକୁ ଯାଇ ନ ପାରିବାରୁ ଦି’ଦିଟା ବସ୍ ଗଲା ଚାଲି । ତାକୁ ସେଇଠି ଏକୁଟିଆ ଛାଡ଼ିଦେଇ ଚାଲିଯାଉଥିବା ବସ୍‌କୁ ଦେଖି ଶେଖରର ମନେହେଲା ଯେମିତି ଦୁନିଆଁ ତାକୁ ଏକୁଟିଆ ପକେଇଦେଇ ଆଗକୁ ଚାଲିଯାଉଛି । ବସ୍ ସମୁଦ୍ରକୂଳରେ ସେ ଝିଅମାନଙ୍କୁ ଓହ୍ଲାଇ ଦେବ ନାହିଁ–ସେ ଏଇମିତି ଭାବୁ ଭାବୁ ପଛ ବସ୍‌ଟା ବି ଗଲା ବାହାରି ଦି’ କଡ଼ର ଗଛ ବା ଦୂରର ଘରବାଡ଼ିଙ୍କୁ ବେଖାତିର୍ କରି । ପୂର୍ବରୁ ପଶ୍ଚିମକୁ ଯାଉଥିବା ସଡ଼କଟି ଭୂମି ଓ ଆକାଶର ମିଳନସ୍ଥଳୀ ସେହି କ୍ଷିତିଜକୁ ସ୍ପର୍ଶ କରିବାକୁ ଲମ୍ବେଇ ହୋଇ ସଙ୍କୁଚିତ ଭାବରେ କେତେ ଦୂରକୁ ଚାଲିଯାଇଛି ପରା ! ସଡ଼କ କଡ଼ରେ ଗଛ ଲଗାଯାଇଛି । ତାର ଦୁଇ ପାଖରେ କେତେ ଆକାର ପ୍ରକାରର, କେତେ ବର୍ଣ୍ଣର ଘର ଓ ବଙ୍ଗଳା ଗଛ ଫାଙ୍କରେ ଝଲକୁଥିଲେ ।

 

ଶେଖର ଦେଖିଲା ଯେ ସଡ଼କ କଡ଼ର ଗଛବୃଚ୍ଛ ଓ ଘରବାଡ଼ି ବି ତାହାରି ପରି ବିସ୍ମୟବିମୂଢ଼ ହୋଇଥିବାରୁ ଆଗକୁ ଯାଇପାରୁ ନାହାନ୍ତି । ମନ୍ଦ ମନ୍ଦ ପବନରେ ଝଙ୍କାଳିଆ ଗଛଗୁଡ଼ିକ ଦୋହଲୁଥିବାରୁ ତହିଁରୁ ଫୁଲ ଝଡ଼ୁଥିବା ଦୃଶ୍ୟ ତାକୁ ବିନୋଦପୂର୍ଣ୍ଣ ମନେହେଲା । ସାମନା ବଙ୍ଗଳାରୁ କୁକୁର ଭୁକିବାର ଶବ୍ଦ ଆସିଲା । ତାହାର ପ୍ରତିଧ୍ୱନି ଶୁଣି ତାକୁ ଲାଗିଲା, ଜାଣି ବଙ୍ଗଳାଗୁଡ଼ାକ ହିଁ କୁକୁର ମୁହଁରେ ଭୁକିଯାଉଛନ୍ତି । କିଛି ଦୂରରେ ଗୋଟିଏ ମଲା ତାଳଗଛ ସିଧାହୋଇ ଠିଆହୋଇ ରହିଥିବାର ଦେଖିଲା ସେ । ସେ ପୁଣି ତା’ ମଥାରେ ଗୋଟିଏ ପତାକା ବାନ୍ଧି ‘ରାଜନୀତିକ’ ଖୁସିରେ ନୃତ୍ୟ କରୁଥାଏ ଅତି ହାସ୍ୟକରଭାବେ । ପଶ୍ଚିମ ଦିଗରେ ସୂର୍ଯ୍ୟ ଅସ୍ତ ଯାଉଥାନ୍ତି । ତାଙ୍କର ହଳଦିଆ କିରଣରେ ଡୁବି ପୃଥିବୀଟା କିପରି ପୀତବାସ ସନ୍ନ୍ୟାସୀର ରୂପ ଧାରଣ କରିଛି । ଶେଖରର ମନ ଭାବାକ୍ରାନ୍ତ ହୋଇଯାଉଥିଲା । ଭାବନା ସବୁ ଅଭିବ୍ୟକ୍ତିର ବାଟ ନ ପାଇ ଭିତରେ ଭିତରେ ଜମିଲା ମେଘ ପରି ରୁନ୍ଧିହୋଇ ରହିଥିଲେ । ତା’ ମୁହଁରେ କଠୋରତା ଥିଲେହେଁ, ଓଠକୋଣରେ ମୁରୁକିହସଟିଏ ଖେଳୁଥାଏ । ଯେଉଁପରି ମନ୍ଦିରର ମୂର୍ତ୍ତିମାନ ଆଜିକାଲିକାର ଭକ୍ତମାନଙ୍କର କୃତ୍ରିମ ଭକ୍ତିଭାବ ଦେଖି ବ୍ୟଙ୍ଗାତ୍ମକ ହସ ହସୁଥାନ୍ତି, ସେହିପରି ଶେଖର ବି ଅଳ୍ପ ଅଳ୍ପ ହସି ସହରବାସୀଙ୍କର କୃତ୍ରିମ ବ୍ୟବହାରକୁ ଦେଖୁଥାଏ ।

 

ସହରର ରାସ୍ତା ଉପରେ କରୁଣ ଚିତ୍କାର ଭଳି ଶୁଭୁଥିବା ଗଣ୍ଡଗୋଳକୁ ଶୁଣିବାକୁ କେହି ନଥିଲେ । କାର୍ ଯାକ ଯେମିତି ବେଗରେ ଉଡ଼ିଯାଇ କେଉଁଠି ହଜିଯାଉଥିଲେ । ନିଜ ଦେହରୁ ଛୁଟି ପଳାଉଥିବା ପ୍ରାଣଗୁଡ଼ାକ ପଛରେ ଗୋଡ଼େଇ ଗୋଡ଼େଇ, ଚଳନ୍ତି ମୁର୍ଦ୍ଦାରଗୁଡ଼ାକ ଭଳି କେତେକ ମଣିଷ ରାସ୍ତାରେ ଚାଲୁଥିଲେ । ଆଉ କିଛି ଲୋକ ପ୍ରାଣକୁ ନିଜର ଦେହରୁ ଅଲଗା ହେବାକୁ ନ ଦେଇ, ତାକୁ ହାତରେ ଧରି ଧାଇଁ ଧାଇଁ ଚାଲିଯାଉଥିଲେ । ସ୍ପଷ୍ଟ-ଅସ୍ପଷ୍ଟ ଧ୍ୱନିମାନ ଶୁଣି, ପୁଣି ସେହି ସ୍ପଷ୍ଟ-ଅସ୍ପଷ୍ଟ ରୂପଗୁଡ଼ିକ ଓ ସହରର ଚଳପ୍ରଚଳ ଦେଖି ତାକୁ ଲାଗିଲା ଯେ ଏଠି ସବୁକିଛି ଅସ୍ତବ୍ୟସ୍ତ, ଅସ୍ପଷ୍ଟ; ବିଞ୍ଛି ହୋଇପଡ଼ିଛି ଯେମିତି । ସେ ଆକାର, ସେ ଧ୍ୱନି, ସେ ନାମ, ସେ ସ୍ୱରୂପ ଭିତରେ ପାରସ୍ପରିକ ସମ୍ବନ୍ଧ ଲୁପ୍ତ ହୋଇଯାଇଥିବାରୁ ତାର ମନ ପ୍ରତ୍ୟେକ ପଦାର୍ଥକୁ ସ୍ୱତନ୍ତ୍ର ଅବସ୍ଥାରେ କଳ୍ପନା କରିପାରିଲା ନାହିଁ । ତା’ର ଇଚ୍ଛା ବି ହେଲାନାହିଁ ଯେ ସେମାନଙ୍କୁ ଅଲଗା ଅଲଗା କରି ସେ ଦେଖିବ ।

 

କାହିଁ ଦୂରରେ ସିନେମା ଗୀତର ମଧୁର ଅଥଚ ତୀବ୍ର ଧ୍ୱନି ଶୁଣାଯାଉଥାଏ । ଗୋଟିଏ ଚାହାବାଲା ତା’ ବେପାର ବଢ଼ାଇବାକୁ ଚେଷ୍ଟା କରୁଥିଲା । ଏହି ଗଣ୍ଡଗୋଳ ହେଉଛି ନବ୍ୟ ସଭ୍ୟତାର ଗଣ୍ଡଗୋଳ । ସେ ବସ୍ କଥା ନ ଭାବି ସେଇଠି ଠିଆହୋଇ ବିଭିନ୍ନ ପଦାର୍ଥକୁ ଦେଖୁଥାଏ । ତା’ ମନରେ ଏହି ଚିନ୍ତା ଉଦିତ ହେଲା ଯେ ପୃଥିବୀ ଘଟାରେ ପଡ଼ିଯାଇଛି । ତାହା ନାନାପ୍ରକାରର ଗଣ୍ଡଗୋଳ ଭିତରେ ଘୋରିହୋଇ ସରିଯାଉଛି ପରା । ଶକ୍ତି–ଜନଶକ୍ତିର ମୂଳଧନରେ ଏହି ପୃଥିବୀ-ବଣିଜ ଆରମ୍ଭ ହୋଇଥିଲା । ପରେ ପରେ ସମାଜରେ କେତେ ପରିବର୍ତ୍ତନ ଆସିଲା ଓ ଜନତାର ମୂଲ୍ୟ କମିବାକୁ ଲାଗିଲା । ବର୍ତ୍ତମାନ ଦୁନିଆଁ ଦରିଦ୍ର । ଏହି ଦାରିଦ୍ର୍ୟ ଭିତରେ ବି ଯେପରି ସେ ମୂଳଧନ ହରାଇ ବସୁଛି ।

 

ଶେଖର ସମୁଦ୍ରକୂଳରେ ଶୀଘ୍ର ପହଞ୍ଚିବାକୁ ଚାହୁଁଥିଲା; କିନ୍ତୁ ସେଦିନ ସେ ଅନ୍ୟ ଦିନଠାରୁ ଡେରିରେ ସେଠାରେ ପହଞ୍ଚିଲା । ସେ ଦୂରରୁ ଦେଖିପାରିଲା ଯେ ଝିଅମାନେ ସେଇ ଜାଗାରେ ବସି କଥା ହେଉଛନ୍ତି । ତାଙ୍କ ପାଖରେ ପହଞ୍ଚିବା ମାତ୍ରେ ଭାନୁ ହସି ହସି ‘‘କି ଶେଖର, ଆଜି କ’ଣ ବହୁତ ଡେରି ହୋଇଗଲା... ସେଠୁ ଗାଁରୁ ସିଧା ଏଠିକି ଆସିଲନା ?’’ କହି ତା’ର ସ୍ୱାଗତ କଲା । ସୁଶୀଳା ଆସ୍ତେ କହିଲା, ‘‘ଆଜି ଗାଁକୁ ଗଲନି ?’’ ତା’ର କଥାଟା କହିବାଲୋକ ଦୃଷ୍ଟିରୁ ପ୍ରଶ୍ନ ଆଉ ଶୁଣିବାଲୋକ ଦୃଷ୍ଟିରୁ ଗୋଟିଏ ବିସ୍ମୟବାଚକ ବାକ୍ୟ ପରି ଲାଗୁଥିଲା । ଭାନୁ କହିଲା, ‘‘କେହି ନ ଡାକିଲେ ସେ ଯିବେ କେମିତି.... ।’’

 

ଶେଖର କହିଲା, ‘‘ଘରେ କେହି ଜାଣନ୍ତିନି ମୁଁ ଏଠି ଅଛି ।’’

 

‘‘ସତେ ? ତା’ହେଲେ ଶେଖର ରୁଷିକରି, ଘରଲୋକଙ୍କୁ ନ କହି ଏଠିକି ଆସିଛନ୍ତି’’ କହି ଭାନୁ ସଜୋରେ ହସିଲାଗିଲା ।

 

ଶେଖର ସୁଶୀଳାଆଡ଼େ ଚାହିଁ କରୁଣ ଭାବେ ପଚାରିଲା, ‘‘କ’ଣ ସୁଶୀଳା, ଭାନୁ ମିଛ କହୁଚି ନା ?’’

 

ସୁଶୀଳା ଟିକିଏ କ୍ଷୁଣ୍ଣ ସ୍ୱରରେ କହିଲା, ‘‘ମୁଁ କେମିତି ଜାଣିବି ଶେଖର.... ଆଜି ତମର କଥାଗୁଡ଼ାକ ଅନ୍ୟ ଦିନ ପରି ନୁହେଁ । ଆଜି କେମିତି ଉଦାସ ଉଦାସ ଜଣାଯାଉଛି ।’’

 

କିଛିଦିନ ହେଲା ସୁଶୀଳାକୁ ଶେଖରର କଥାଗୁଡ଼ାକ ଅଡ଼ୁଆ ଅଡ଼ୁଆ ଲାଗୁଛି । ସେ ଜାଣେନା ଅନ୍ୟ ଝିଅ ଦୁହିଙ୍କୁ ଏପରି ଲାଗୁଚି କି ନାହିଁ । ବେଳେ ବେଳେ ତାକୁ ତା’ କଥାଗୁଡ଼ା ଭଲ ଲାଗୁନି । କେତେବେଳେ ନିଜର ଅତି ସଜାଗତା ହେତୁ ତା’ର ଅନ୍ୟ ଝିଅଙ୍କ ସଙ୍ଗେ କଥା କହିବାଟା ତାକୁ ଭଲ ଲାଗେନା । ବେଳେବେଳେ ତା’ କଥା ଶାନ୍ତିମୟ, ଗମ୍ଭୀର, ବିଚାରଯୁକ୍ତ ଓ ଆକର୍ଷକ ମନେହୁଏ । ଗଲା ଦିନେ ଦି’ଦିନ ହେଲା ସୁଶୀଳା ସଙ୍ଗେ ଶେଖରର କଥାବାର୍ତ୍ତା ଶୁଣିଲେ ଲାଗୁଥିଲା ସେ ବଡ଼ ସଚେତନ ଏବଂ ବିଚଳିତ । ତା’ର କାରଣ ଖୋଜି ପାଇଲାନି ସୁଶୀଳା ଏବଂ ଜାଣିପାରିଲାନି ତା’ ପ୍ରତି ଶେଖର ମନରେ କି ପ୍ରକାର ଭାବ ରହିଛି । ଥରକୁ ଥର ତାକୁ ଲାଗିଲା ଯେ ତା’ ମନରେ ଘୃଣା, ଭୟ, ଦୟା ଭଳି ଭାବ ଥାଇପାରେ । ଏହିପରି ଚିନ୍ତା କରି କରି ସେ ଥକିଲା । ଏମିତି ଭାବୁ ଭାବୁ ସେ ବେଳେ ବେଳେ ଦୁଃଖିତ ବି ହୋଇଯାଉଥିଲା ।

 

ତାର ଗାଁ, ସ୍ତ୍ରୀ, ପିଲାକୁ ଛାଡ଼ି ତାର ସେହି ସହରରେ ଏକା ରହିବାଟା ସେ ଝିଅମାନଙ୍କୁ ଭଲ ଲାଗିଲାନି । ସେମାନେ ଜାଣିଥିଲେ ଯେ ସେମାନଙ୍କ ବାପା ସେମାନଙ୍କ ଲାଗି ଯୋଗ୍ୟ ବର ଖୋଜୁଛନ୍ତି । ସ୍ତ୍ରୀ ସ୍ୱାମୀ ଲାଗି ଚିନ୍ତିତ ହେବା, ତା ଆସିବା ବାଟ ଚାହିଁ ବସିଥିବା ଏବଂ ଗୋଟିଏ ଅବିବାହିତା ଝିଅର କେଉଁ ଅପରିଚିତ ଲୋକ ବିଷୟରେ ଚିନ୍ତିତ ହେବା ବା ପ୍ରତୀକ୍ଷା କରିବା କଦାପି ସମାନ ନୁହେଁ । କନ୍ୟା ଓ ପତ୍ନୀ ଦୁଇଟି ଭିନ୍ନ ରୂପ ଏବଂ ଭିନ୍ନ ଅବସ୍ଥା । ନାରୀରୂପରେ ତାଙ୍କର ଏପରି କରିବା ଠିକ୍ ବୋଧହୁଏ । ତାର ଗାଁକୁ ନ ଫେରିବା ଆଉ ତା ସ୍ତ୍ରୀ ତାର ପ୍ରତୀକ୍ଷା କରୁଥିବାଟା ତାଙ୍କୁ ଭଲ ଲାଗୁନଥିଲା । ସେମାନେ ଭାବିଲେ, ଶେଖର ଏଠି ରହି ଅନୁଚିତ କାମ କରୁଛି । ତା ସଙ୍ଗେ ତାଙ୍କର କଥାବାର୍ତ୍ତା କରିବା ବି ଅନୁଚିତ । ବେଳେ ବେଳେ ସୁଶୀଳାକୁ ଲାଗେ, ତାର ଗାଆଁକୁ ନ ଯିବାର କାରଣଟା ନିଜେ ସେଇ । ସେ ଭାବେ ଯେ ତାକୁ ୟା ପାଖେ ଠିଆହେବାରେ ବା ତା ସଙ୍ଗେ କଥା ହେବାରେ ଏକପ୍ରକାର ଆନନ୍ଦ ମିଳୁଛି, ଏଇଥିପାଇଁ ସେ ବୋଧେ ଗାଁକୁ ଫେରିବାକୁ ଚାହୁଁନି । ସୁଶୀଳା ନିଜ ମନ ଉପରେ ଅକ୍ତିଆର ହରାଇ ବସିଲା । ତା ମନରେ ଉଠୁଥିବା ଚିନ୍ତାଗୁଡ଼ାକୁ ସେ ବୁଝିପାରିଲାନି । ତା ମନଟା ଗୋଟିଏ ଚିନ୍ତାରେ ଅଟକିବା ଆଗରୁ ହିଁ ଡେଇଁପଡ଼ି ଆଉ ଗୋଟିଏ ଚିନ୍ତାଉପରେ ପହଞ୍ଚିଯାଏ । ସେ ସିଧାସଳଖ ଏ କଥା ସ୍ୱୀକାର କରିପାରୁ ନଥାଏ ଯେ ଶେଖର ତା ଲାଗି, ତାର ବନ୍ଧନ ସକାଶେ ହିଁ ଗାଆଁକୁ ଫେରିଯାଇ ପାରୁନି । ସେ ଯେ ଏତେ ନିଷ୍ଠୁରା ଅଥବା ଏତେ ଛୋଟ ମନର, ତା ଭାବି ପାରେ ନାହିଁ । କେଉଁ ସ୍ତ୍ରୀକୁ ତା ସ୍ୱାମୀଠୁଁ ଭିନ୍ନ କରିଦେବା କଣ ନିଷ୍ଠୁରତା ନୁହେଁ ? ଯଦି କେଉଁ ଝିଅ ୟା କରେ ତା ହେଲେ ? ପୁଣି ସେ ଭାବେ, ଏମିତିକା କଥା ଯେବେ ସତ ହୋଇଥାଏ, ତା ହେଲେ ମୁଁ କିଏ ! କାହିଁକି ୟା କରୁଛି ? ମୁଁ, ମୋର ସ୍ୱଭାବ, ମୋର ଗୁଣ, ୟେସବୁ କଣ ? ଯାହା ଉଚିତ ନୁହେଁ ତାକୁ ଉଚିତ ବିଚାରି, ତାକୁଇ ବାରମ୍ବାର କରି ମୁଁ କଣ ତାକୁ ସତ କରିଦେବାକୁ ଚାହୁଁଛି ? ଯୋଉ କଥା ଅସତ୍ୟ, ତାକୁ ସତ୍ୟ କରିଦେବାକୁ କଣ ମୁଁ ଏସବୁ କରିଯାଉଛି ? ଯଦି ୟା ସତ ହୋଇଥାଏ, ତାହେଲେ ତାଙ୍କୁ କିପରି ବୁଝାଇହବ ? ପ୍ରକୃତରେ ଏସବୁ କଣ–ସୁଶୀଳା ଭଲ କରି ବୁଝିପାରୁ ନଥାଏ । ରୂପହୀନ, ସ୍ଥାନହୀନ ହୋଇ ବିଚରଣ କରୁଥିବା ଗୁଣ, ଅହଙ୍କାର, ସ୍ୱଭାବ ଆଦି ମିଶି ତାକୁ କାଟିଲାଗିଛନ୍ତି ଓ ସେହି ନାମ ଓ ରୂପକୁ ଆପଣାର କରିବାରେ ବାଧା ସୃଷ୍ଟି କରୁଛନ୍ତି । ଯଦି ସେ ସେହି ନାମ ଓ ରୂପକୁ ଧାରଣ କରିନିଏ, ତାହେଲେ ? ସୁଶୀଳା ମନରେ ଏହିଭଳି ଅଦ୍ଭୁତ ଚିନ୍ତାମାନ ଉଠିବାକୁ ଲାଗିଲା । ଅଦ୍ଭୁତ ଝିଅ ସେ, ନା ? ତାର ମନଟା ଅତି ପାକଳ ହୋଇ ଯାଇଛି-!

 

ତାକୁ ଛାଡ଼ି ଆସିବାବେଳେ ସୁଶୀଳା ଭାନୁକୁ ପଚାରିଲା, ‘‘ଭାନୁ ! ତାଙ୍କର ଏଠି ରହିବାଟା ଠିକ୍ ନା ଗାଆଁକୁ ଫେରିଯିବାଟା ଠିକ୍ ? ତୁ କଣ ଭାବୁଚୁ....ତତେ ଯାହା ଲାଗୁଚି ତାଙ୍କୁ କହିଦେ । ତୁ ଏତିକି କହିବୁ ଯେ ସେ ଏଠି ରହିଯାଇ ଜାଣତରେ ହଉ ବା ଅଜାଣତରେ ହଉ ଭୁଲ୍‌ଟାଏ କରୁଛନ୍ତି । ତାଙ୍କ କାମର ଦୁଇଟି ବିଭାଗ ରହିଛି–ଜାଣିଶୁଣି କରିଥିବା କାମ; ଆଉ ନ ଜାଣି କରିଥିବା କାମ । ଆମେ ଜାଣି ନଜାଣି ନିଜ ଉପରେ ଦାୟିତ୍ୱ ନେଇ ନେଉଛେ–ଦାୟିତ୍ୱ, ଠିକ୍, ଭୁଲ୍ ସବୁ ଶବ୍ଦର ଅନେକ ଅର୍ଥ ରହିଛି । ମୁଁ କଥା କହି କହି ଆଉ ତତେ ବୁଝାଇ ବୁଝାଇ ବିରକ୍ତ କରୁଛି । ଜୀବନ ଓ ଲୋକଙ୍କ ବ୍ୟବହାର ଅଲଗା ଅଲଗା ଜିନିଷ, ମୁଁ ଜାଣେ; ତଥାପି ମୁଁ ତାଙ୍କ ବିଷୟ କିଛି ହେଲେ ଭଲକରି କହିପାରୁନି । କିଛି କହିଲେଇ ତତେ ପକ୍‌କା ବାଜେ କଥା ପରି ଲାଗିବ ।’’

 

ଟିକିଏ ପରେ ସେ ପୁଣି କହିଲା, ‘‘ମୁଁ ଶେଖରକୁ ପୁରୁଷ ଭାବି ତା ସଙ୍ଗେ ବନ୍ଧୁତା କରିନି-। ପୁରୁଷ...ପୁରୁଷତ୍ୱ ଦୁଇଟିଯାକ ଜିନିଷ ଆମେ ଭଲକରି ବୁଝିଛେ । ପଳେଇଯିବାକୁ ପଛ ଦରଜା ଖୋଲି ଦୁଆରେ ଠିଆହୋଇ ବୋବୋଉଥାଏ ଯୋଉ କୁକୁଡ଼ା, ତାରି ପରି ପୁରୁଷ । ଡେଣାଛିଡ଼ା କୁକୁଡ଼ା ପରି ହେଉଛି ପୁରୁଷତ୍ୱ । ମୁଁ ସେପରି ଶେଖରକୁ ଝିଅ ଭାବି ତା ସଙ୍ଗେ କଥା କହୁଛି-। କୋଉ ଝିଅ ଭଲା ପୁରୁଷଦେହରେ ନାରୀର ଶକ୍ତି ଦେଖିପାରିବ ? ସେଥିପାଇଁ ମୋ ମନରେ ତା ପ୍ରତି ପ୍ରେମ ଯେତିକି, ଘୃଣା ସେତିକି । ତାର ସ୍ତ୍ରୀର ନାଁ ଯାହା, ମୋ ନାଁ ସେଇଆ । ତାର ନାରୀତ୍ୱ କଣ ୟେ ଅଙ୍ଗୀକାର କରି ନେଇଛି କି ? ଭାନୁ ଲୋ, ମୁଁ ଜାଣେ ତୁ ମତେ ଛୋଟ ବୋଲି ଭାବିବୁ ନାହିଁ । ମୁଁ କାହା ଦେହରେ ଲାଗିଯାଇ କାନ୍ଦିବାକୁ ଚାହୁଁଚି ।’’ କହି କହି ସେ ଭାନୁକୁ ଜାବୁଡ଼ି ଧରି କଇଁ କଇଁ କାନ୍ଦିବାକୁ ଲାଗିଲା । ସେମାନେ ଜାଣିନଥିଲେ ଯେ ସୁମତି ତାଙ୍କ ପଛେ ପଛେ ଆସୁଥିଲା-

 

ସେଦିନ ଶେଖରର କଥାଗୁଡ଼ା ସୁଶୀଳାକୁ ଭଲ ଲାଗିଲାନି । ସୁଶୀଳା ବେଶ୍ ସରଳ ଭାବେ ଆଉ ଉତ୍ସାହ ସହକାରେ କଥା କହୁଥିଲା । ଯେମିତିକି ଏପରି କଥା କହି ସେ ଶେଖରକୁ ଗାଆଁକୁ ଫେରିବାରୁ ଅଟକାଉଥିଲା । ସୁଶୀଳା ଭାବିଲା, ପୁରୁଷ ବେଳେବେଳେ ତାର ଚେଷ୍ଟା ଆଉ କଥାବାର୍ତ୍ତାଦ୍ୱାରା ମନରେ ଘୃଣା ବି ଉତ୍ପନ୍ନ କରେ । ପୁରୁଷ ସଙ୍ଗରେ ଜଣେ ସ୍ତ୍ରୀ-ପତ୍ନୀ କିପରି ରହିପାରେ....ତାକୁ ଦେଖିକରି ମନେ ମନେ ସେ ଆନନ୍ଦ ବା ପ୍ରେମର ଅନୁଭୂତି କିପରି ଆଣିପାରେ-? ମନରେ ଘୃଣା ଆଣୁଥିବା କାହାରି ସାଙ୍ଗରେ ବସବାସ କରିବା କେତେ କଷ୍ଟ ! ସଦାବେଳେ ଉଚିତ ରୀତିରେ ଜୀବନଯାପନ କରିବାଲାଗି ଧର୍ମ ନାଁରେ କେତେ କର୍ମ କରିବାକୁ ପଡ଼େ-? ଯଦି ସ୍ୱାମୀ ଦୂରକୁ ଚାଲିଯାଏ ତା ହେଲେ ବୋଧହୁଏ ସ୍ତ୍ରୀ ଉତ୍କଣ୍ଠିତା ହୋଇ ତାର ବାଟ ଚାହିଁବସିବାରେ ଆନନ୍ଦ ଅନୁଭବ କରି ପାରିବ । ସେ ନିଜକୁ ଶେଖରର ସ୍ତ୍ରୀ ସୁଶୀଳା ଜୀବନର ଆଧାର ଭାବିଥିଲା, ସେଇଥିପାଇଁ ସେ ତାକୁ ଗାଁକୁ ଫେରିବାଠୁଁ ଅଟକାଇ ରଖୁଛି । ତାକୁ ଲାଗିଲା, ଏମିତି କରିବାରୁ ଯେପରି ନିର୍ଜନ ସ୍ଥାନରେ ଏକୁଟିଆ ଠିଆ ହୋଇଥିବାବେଳେ ତାକୁ କେଉଁ ଆଶ୍ରୟ ମିଳିଯାଇଛି ପରା । ପ୍ରଥମେ ଯେଉଁ କାମଗୁଡ଼ିକୁ ସେ ନିଷ୍ଠୁର ଭାବିଥିଲା, ବର୍ତ୍ତମାନ ସେଇସବୁ ତାକୁ ତୃପ୍ତି ଦେଉଛନ୍ତି ।

 

ଅନ୍ଧାର ହୋଇଯାଇଥିଲା । ସମୁଦ୍ରକୂଳରେ ବସିଥିବା କେତେ ଲୋକ ଉଠିଗଲେ । କେହି କେହି ଉଠୁ-ଉଠୁ ହେଉଥିଲେ । ଶେଖର ଓ ଝିଅମାନେ ବି ଉଠି ରାସ୍ତାଯାକେ ପହଞ୍ଚି ଯାଇଥିଲେ । ଛକ ପାରିହୋଇ ସାମନାର ରାସ୍ତାରୁ କିଛି ଦୂର ଗଲେ ଗୋଟିଏ ଗଳି ପଡ଼ିବ । ସେଇଠି ପହଞ୍ଚି ଶେଖର ସେମାନଙ୍କଠାରୁ ଅଲଗା ହୋଇଯାଏ । ସେମାନେ ରାସ୍ତା ପାରିହେଉଥିଲେ, ଏତିକିବେଳେ ବାଆଁପଟୁ ଗୋଟିଏ ମଟର ଗାଡ଼ିର ଶବ୍ଦ ଶୁଣାଗଲା । ତାକୁ ଏକା ଛାଡ଼ିଦେଇ ସେ ଝିଅଯାକ ଦଉଡ଼ିଯାଇ ଫୁଟ୍‌ପାଥ୍ ଉପରେ ଛିଡ଼ା ହୋଇଗଲେ । ରାସ୍ତା ମଝିଟାରେ ଠିଆ ହୋଇଥିଲା ଶେଖର, ବୁଝି ପାରୁ ନଥିଲା । ଆଗକୁ ଛୁଟିଯିବ କି ପଛକୁ ଫେରିଆସିବ । ସେ ଘାବରେଇ ଯାଇ ରାସ୍ତା ମଝିରେ ଠିଆ ହୋଇ ରହିଲା । ଡ୍ରାଇଭର କେତେ କଦରରେ ଗାଡ଼ି ଚଳାଇଲେ ବି, ଦୂରରୁ ଆସୁଥିବା ସେ କାର୍‌ଟି ବୋଧେ ଶେଖରକୁ ଛୁଇଁଦେଇ ବାହାରିଗଲା । ମୋଟରବାଲା ବୋଧହୁଏ ଭାବିଲା ଯେ କେହି ଦେଖୁନଥିବେ ଏବଂ ଗାଡ଼ି ନେଇ ପଳାଇଲା । ଶେଖର ପ୍ରଥମେ କିଛି ଘାବରେଇଗଲା ଆଉ ପରେ ପରେ ନିଜକୁ ସମ୍ଭାଳି ନପାରି ତଳେ ପଡ଼ିଗଲା । କେହି ପଡ଼ିଯାଉଥିବା ଶେଖରକୁ ଧରିବା ଆଗରୁ ମୃତ୍ୟୁ ଆସି ତାକୁ କାଖେଇନେଲା । ଶେଖର ମାଟି ଉପରେ ପଡ଼ିଯାଇଥିଲା....

 

ତାଙ୍କ ଆଗରେ ତଳେ ପଡ଼ିଥିବା ଶେଖର ପାଖରେ ପହଞ୍ଚି ଭାନୁ ନଇଁ ପଡ଼ି ତାର ଦେହରେ ହାତ ଲଗେଇ କାନ୍ଦି କାନ୍ଦି କହିଲା, ‘‘ଆହା ଆମ ଶେଖର ! ଅଚେତ ହୋଇଯାଇଛି ।’’ ପାଖରେ ଠିଆ ହୋଇଥିବା ସୁଶୀଳା ଆସ୍ତେ ଆସ୍ତେ କହିଲା, ‘‘ଆହା ଆମ ଶେଖର !’’ ତା’ ପରେ ସେ ଭାନୁକୁ ଧରି ଠିଆକଲା ଓ ଆସ୍ତେ ଆସ୍ତେ କହିଲା, ‘‘ଆ ଭାନୁ ଭିଡ଼ ହବା ଆଗରୁ ଏଠୁ ପଳାଇବା’’ ଓ ତାକୁ ନେଇ ସେଠୁ ଚାଲିଗଲା । ସୁଶୀଳା ନିଶ୍ଚିତ ଜାଣିଥିଲା ଯେ ଶେଖର ମରିଯାଇଛି । ‘‘ଆହା ଆମେ ତାକୁ ଅରକ୍ଷିତ ପରି ବିଚ୍ ରାସ୍ତାରେ ଛାଡ଼ି ଯାଉଛୁ....’’ ମନରେ ଆସୁଥିବା ଏପ୍ରକାର ଚିନ୍ତାକୁ ଭାନୁ ବ୍ୟକ୍ତ କରି ପାରୁ ନଥିଲା; ତା ଛାତିରେ ମୁହଁ ଗଡ଼େଇ ଗଡ଼େଇ ଚାଲୁଥିବା ସୁଶୀଳା ବି ମନର କୋହ ପ୍ରକାଶ କରି ପାରିଲାନି । ଗଭୀର ଦୁଃଖରେ ଦୁଃଖିତା ସୁମତି ବି ତାଙ୍କ ପଛେ ପଛେ ଚାଲୁଥିଲା ।

 

ସୁଶୀଳାର ମନେହେଲା ଯେ ମୁହୂର୍ତ୍ତକ ଭିତରେ କେଉଁ ସ୍ଥାନରେ ସେ ଠିଆ ହୋଇଥିଲା, ସେ ସ୍ଥାନ ଶୂନ୍ୟ ହୋଇଯାଇଛି । ସେହି ଶୂନ୍ୟ ବାତାବରଣ ଭିତରେ ଯେପରି ସୁଶୀଳା ପ୍ରାଣହୀନ ଜୀବଟି ଭଳି ଚାଲୁଥିଲା । ସ୍ୱାମୀ ସ୍ତ୍ରୀଙ୍କ ଭିତରେ ନିଜର ସ୍ଥାନ ତିଆରି କରି ଛିଡ଼ା ହୋଇଥିଲା ଯେଉଁ ‘କନ୍ୟା ସୁଶୀଳା’ ତାକୁ ଯେପରି ‘‘ମୃତ୍ୟୁ’’ ସଜୋରେ ଧକ୍‌କା ଦେଇଦେଲା ।

 

ଗୋଟିଏ ସ୍ତ୍ରୀକୁ ତା ସ୍ୱାମୀର ଆଗମନର ପ୍ରତୀକ୍ଷାର ଚିରନ୍ତନ ସୁଖ ଦେବାଲାଗି ଯେଉଁ ସୁଶୀଳା ତାର ସ୍ୱାମୀକୁ ଅଟକାଇଥିଲା ଓ ସ୍ୱାମୀ-ସ୍ତ୍ରୀଙ୍କ ଭିତରେ ନିଜର ଆସନ ବନାଇ ନେଇଥିଲା, ତାକୁ ଧକ୍‌କା ଦେଇ ‘ମୃତ୍ୟୁ’ ତା ଆସନଟି ଗ୍ରହଣ କଲା । ଶେଖରର ମରିଯିବାଟା ସିଧାସଳଖ ଅନ୍ୟାୟ । ଆଉ, ତାକୁ ସେ ମରଣ ଦେଲା କିଏ ସେ ? ଏହିପରି ଭାବି ଭାବି କିଂକର୍ତ୍ତବ୍ୟବିମୂଢ଼ ଭଳି ସୁଶୀଳା ଆଗେଇ ଚାଲିଲା ।

 

କିଛି ଦିନ ହେଲା ସେ ଝିଅମାନେ ସନ୍ଧ୍ୟାବେଳେ ସମୁଦ୍ରକୂଳରେ ଏକାଠି ହେବା ଛାଡ଼ି ଦେଇଛନ୍ତି । ସୁଶୀଳା ସନ୍ଧ୍ୟାବେଳେ ଘରର ଉପର ମହଲା ଗୋଟିଏ ବଖରାର ଝରକା ପାଖରେ ଠିଆହୋଇ ସମୁଦ୍ର ଆଡ଼କୁ ଅନାଇଁ ରହେ । ପ୍ରଥମେ ତାକୁ ନିଜର ଚିନ୍ତା ହିଁ ଭାରାକ୍ରାନ୍ତ କରିଦେଇଥିଲା; କିନ୍ତୁ ବର୍ତ୍ତମାନ ତାକୁ ଅପାର ଶୋକ ଏବଂ ଅସୀମ ହର୍ଷର ଅନୁଭୂତି ଆସୁଛି । ତାର ମନେହୁଏ ଯେ ବିଶିଷ୍ଟ ନାମଧାରୀ ତାର ରୂପ ନାମରୁ ଅଲଗା ହୋଇଯାଇଛି ଓ ତାର ନାମ ଏକା ହିଁ ସେହି ବାୟୁମଣ୍ଡଳରେ ସଞ୍ଚରଣ କରୁଅଛି । ସେ ଭାବେ ଯେ ଯଦି ସୁଶୀଳା ନାମକ ସେହି ନାମ ପୁଣି ଥରେ ରୂପ ଧାରଣ କରେ, ତାହେଲେ ସେ କିଏ ହବ ? ଅନ୍ଧାର ଭିତରେ ଦେହରୁ ଅଲଗା ହୋଇ ଛାଇଟା ଆଲୁଅ ପଡ଼ିବାମାତ୍ରେ ଆପେ ଯେଉଁ ଦେହରୁ ଅଲଗା ହୋଇଥିଲା, ତହିଁରେ ଲାଗିଯାଏ । ଯେତେବେଳେ ସୁଶୀଳା ତା ନାଆଁକୁ ନିଜଠାରୁ ଅଲଗା କରିଦେଲା ସେତେବେଳେ କଣ ସେ ନାମଟି ଶେଖରର ସ୍ତ୍ରୀରୂପ ଧାରଣ କରି ତା ମନରେ ବସା ବାନ୍ଧି ଯାଇଥିଲା.... ?

 

ଗାଁ ଗଣ୍ଡାରେ ଲୋକ ସକାଳ ସଞ୍ଜ ନିଜ କାମ ନ କରି ରହିପାରନ୍ତିନି । ମୁହଁଅନ୍ଧାରିରୁ ଉଠି ଘରଦାଣ୍ଡରେ ପାଣି ଛିଞ୍ଚି, ଝାଡ଼ୁ ଦେଇ, ମୁରୁଜ ଦେବାକୁ ହୁଏ । ରାତିରେ ଭଲ କରି ନିଦ ହୋଇ ନଥିବାରୁ ଭଲ ମୁରୁଜ ଦେଇହୁଏନା.....ପୂର୍ବ ଦିଗରେ, ଯେଉଁଠୁ ସୂର୍ଯ୍ୟର ପ୍ରଥମ କିରଣ ଫୁଟିଆସିବାର ଥିଲା ଅତି ନିରେଖି ଦେଖିଲେ ବି ସେଠି କିଛି ଦେଖିବାକୁ ମିଳେନା । ରାତିର ଅନ୍ଧାର ଗାଢ଼ ହୋଇ ହୋଇ ଯାଉଛି । ସୂର୍ଯ୍ୟୋଦୟ ପୂର୍ବରୁ ଚାରିଆଡ଼ ଘନ ଅନ୍ଧକାର ବିଛେଇ ହୋଇ ପଡ଼ିଥିବାର ଦେଖାଯାଏ । ସେ ତା ସ୍ୱାମୀଙ୍କୁ ଦେଖି ପାରୁନାହିଁ । ଲମ୍ବା ଦିନଟି ବିତିଲାପରେ ରାତି ଆସେ । ଯେତେବେଳେ ପିଲା ତାର ଗୋଡ଼ରେ ନ ଶୋଇ ସିଧା ଯାଇ ଝୁଲା ଭିତରେ ଶୋଇଯାଏ, ସେତେବେଳେ ତାର ଦିନ ଆହୁରି ଲମ୍ବା ହୋଇଯାଏ । ଦିନର ସେହି ଦୀର୍ଘତା କମାଇବାକୁ ଜାଣି ରାତି ଆସେ । ସନ୍ଧ୍ୟା ହେଲାମାତ୍ରେ ସୂର୍ଯ୍ୟ ଡୁବିଯାଆନ୍ତି । ରାତି ହେଲାମାତ୍ରେ ଦୀପ ଜଳାଇ ସେ ଦୁଆରମୁହଁରେ ରଖିଦିଏ ଓ ବାରଣ୍ଡାର ଖମ୍ବକୁ ଆଉଜି ଛାୟାମୂର୍ତ୍ତିପରି ଠିଆହୋଇ ରହେ । ପଶ୍ଚିମ ଦିଗରେ ଯେଉଁଠାରେ ସୂର୍ଯ୍ୟ ଡୁବିଥିଲେ ସେଆଡ଼େ କିଛି ଦୂର ଦୃଷ୍ଟି ଛୁଟାଇଦିଏ । ଆଖିରେ ଦେଖିବାର ଶକ୍ତି ଥାଇ ବି ସେ କିଛି ଦେଖିପାରେନା । ସୁଶୀଳା ବାରଣ୍ଡା ତଳକୁ ଓହ୍ଲାଇ ସାମନାର ମନ୍ଦିରକୁ ଯାଇ ଠାକୁରଙ୍କ ଦର୍ଶନ କରି ଫେରେ ଓ ଦୀପ ନେଇ ଘର ଭିତରକୁ ଚାଲିଯାଏ । .....ତା’ପରେ ରାତି ବି ଲମ୍ବା ହୋଇଯାଏ । ଯଦି ତାର ଦୁଃଖୀ ମନ ଶୋଇଯାଏ ତାହେଲେ ସେ ମଧୁର ସ୍ୱପ୍ନ ଦେଖିବାର ଆଶା କରିପାରେ.....କିନ୍ତୁ ତାକୁ ତ ଯେମିତି ଜୀବନରେ ବେଦନାର ସୁଖ ହିଁ ମିଳିଥିଲା ।

 

ନିଜେ ନିଜ ଇଚ୍ଛାରେ ପ୍ରତ୍ୟେକ ଜିନିଷରେ ନିଜକୁ ଖୋଜି ଖୋଜି କନ୍ୟା ‘ସୁଶୀଳା’ ପଶ୍ଚିମ ଦିଗ ଆଡ଼େ ଥିବା ନିଜର ଉପର ଘରର ଝରକାରୁ ଆକାଶ ଆଡ଼କୁ ଶୂନ୍ୟଦୃଷ୍ଟିରେ ଅନାଇ ରହେ । ଶେଖରର ସ୍ତ୍ରୀ ସୁଶୀଳାର ଦର୍ଶନ ନିଜ ଭିତରେ କରି ଯେପରି ସେ ନିଜକୁ ବି ସେହି ରୂପରେ ଦେଖିନେଇଥିଲା ।

 

ନିଜର ସ୍ୱାମୀର ଆଗମନର ପ୍ରତୀକ୍ଷା କରୁଥିବା ସ୍ତ୍ରୀ ସୁଶୀଳାରୂପେ ପ୍ରେମିକା ସୁଶୀଳାକନ୍ୟା ସୁଶୀଳା ତା ଘରର ଉପର ବଖରାର ଝରକା ପାଖରେ ଠିଆ ହୋଇଥିଲା ।

 

ଯଦି ଏମିତି ହୋଇପାରିଲା, ତା ହେଲେ ଯାହାକୁ ଶେଖରର ପ୍ରେମ ମିଳିସାରିଛି, ସେ କନ୍ୟାର ବିବାହ ପୂର୍ବରୁ ବିଧବା ହେବାଟା କଣ ବିଚିତ୍ର ବିଡ଼ମ୍ବନା ନୁହେଁ !

Image

 

ମୁଦି

 

ମୁଁ ମୋ ଶଳା ପରଶୁ ବାହାଘରକୁ ଗଲିନି । ମୋ ସ୍ତ୍ରୀ ମରକତମ୍‌ର ଏଥିରେ ଭାରି ମନକଷ୍ଟ; କିନ୍ତୁ ମୁଁ କଣ କରିବି ? ମତେ ସେ ଗାଁ ଭଲ ଲାଗେନା । ସେଠିକାର ଅଦ୍ଭୁତ ଲୋକଗୁଡ଼ାଙ୍କୁ ଦେଖିଲେ ଚିଡ଼ି ଲାଗେ, ଘୃଣା ଆସେ । ମତେ ଲାଗେ ଲୋକଗୁଡ଼ାକ କିମିତି ଅସଭ୍ୟ-ଅସଭ୍ୟ । ୟାର ଗୋଟେ ଉଦାହରଣ ମୋ ଶଳା ନିଜେ । ଭଦ୍ରଲୋକଙ୍କ ପାଖରେ ବସାଉଠା କରିବା ତାକୁ ଆସେନା । ତା ଥଟ୍ଟାଗୁଡ଼ାକ ନିହାତି ନିମ୍ନଶ୍ରେଣୀର । ଏ କଥା ସତ ଯେ ବାପା ଏମିତି ଜାଗାରେ ଗୋଟେ ଝିଅ ଖୋଜି ମୋ ବେକରେ ଝୁଲାଇ ଦେଲେ । ଏଥିରେ ଆଶ୍ଚର୍ଯ୍ୟ ଏତିକି ଯେ ମୁଁ ବି ସବୁ ଜାଣିଶୁଣି ସେଇ ପରଶୁର ଭଉଣୀ ମରକତମ୍‌କୁ ବାହା ହେଲି । ନିୟତି ଜାଣି ମୋ ଆଖିରେ ଧୂଳି ଭର୍ତ୍ତିକରି ଦେଇଥିଲା ।

 

ସେଇ ଠାପୁଆଟା ମୋ ଶଳା, ପାଠର ପାଖ ବି ମାଡ଼ିନି । ବୋଧେ ସପ୍ତମ ଶ୍ରେଣୀଯାକେ ବିଦ୍ୟା । ସେ ଚଷାଭୁଷା ଲୋକ । ଏମିତିକା ଲୋକକୁ ସ୍ତ୍ରୀରୂପେ ମିଳିଥିଲା ସୁନ୍ଦରୀ ଅମ୍ବୁଜମ୍ । କେଡ଼େ ଚତୁରୀ ସେ ! ଆପଣଙ୍କ ପାଖରେ ଲୁଚେଇବି ନାହିଁ, ତାକୁ ଦେଖିକରି ମୋର ନିଜ ଶଳା ଉପରେ ଈର୍ଷା ହେଉଥିଲା ।

 

ପରଶୁ ବାହାଘରର ବର୍ଷକ ପରେ ମତେ ଶ୍ୱଶୁରଘର ଯିବାକୁ ହେଲା । ମୁଁ ଏମିତି ସମୟରେ ସେଠି ପହଞ୍ଚିଗଲି ଯେତେବେଳେ ମୋ ଆସିବା କେହି ଆଶା କରି ନ ଥିଲେ । ମୁଁ ଯେତେବେଳେ ଘରେ ପଶିଲି ସେତିକିବେଳେ ପରଶୁ ଘରର ସାମନା ଅଗଣା ପାଖରେ ବାରଣ୍ଡା ଉପରେ ବସି ଗୋଟିଏ ବଡ଼ ପାଚିଲା ପଣସ କାଟୁଥିଲା । ତାର ଗୋଟିଏ ହାତରେ ସରପଟ ତେଲ ଲଗାହେଇଥିଲା, ଆର ହାତରେ ପଣସର ସିଠା । ମତେ ହଠାତ୍ ସେଠି ଦେଖିପକାଇ ସେ କାବାକାଠ ବନିଗଲା । ଛୁରୀଟା ସେଇଠି ଫୋପାଡ଼ିଦେଇ ସେ ଭିତରକୁ ଦଉଡ଼ିଗଲା ଆଉ ପାଟିକରି ଡାକି ଉଠିଲା, ‘‘ମା ! ମା ! ଦେଖିଲୁଣି କିଏ ଆଇଚି ।’’ ଯେମିତିକି ସେ ପାଖ ବିଲରେ କାମ କରୁଥିବା ଲୋକଙ୍କୁ ଡାକୁଚି । ସେତେବେଳେ ଯାଇ ମୁଁ ସୁବର୍ଣ୍ଣ ପ୍ରତିମା ପରି ଗୋଟିଏ ସୁନ୍ଦରୀକି ଖୁଣ୍ଟ ଆଢ଼ୁଆଳରେ ଛିଡ଼ା ହୋଇଥିବାର ଦେଖିଲି । ଟିକିଏ ପରେ ପରଶୁ ଫେରିଆସିଲା । ସେ ହସି ହସି କହିଲା, ‘‘ବାହାଘରକୁ ତ ଅଇଲନି, ହଉ, ଏଇଲେ ତ ଆସିବାକୁ ମନ ହେଇଚି ।’’ ୟା ପରେ ଖୁଣ୍ଟ ପଛରେ ଠିଆ ହୋଇଥିବା ଯୁବତୀଆଡ଼କୁ ଚାହିଁ କହିଲା, ‘‘ଅମ୍ବୁଜା, ୟାଙ୍କୁ ଗୋଟାଏ ଲାଜ କ’ଣ ? ୟେ ଭାଇନା ପରା, ୟାଙ୍କୁ ଆଡ଼ ହବା ଦରକାର ନାହିଁ । ତୁ କହୁଥିଲୁ ନା, ତୁ ଗୋଟାଏ ଗପ ଲେଖିଚୁ, ଆଣିକରି ୟାଙ୍କୁ ଦେଖେଇଦେ । ୟେ ଗୋଟାଏ ପତ୍ରିକାରେ କାମ କରନ୍ତି, ୟାଙ୍କୁ ଏମିତି ଏମିତି ଛାଡ଼ିବାର ନୁହେଁ ।’’

 

କେଜାଣି କେଉଁ ଦୈବ ଶିଳ୍ପୀ ସେ ସୌନ୍ଦର୍ଯ୍ୟ ପ୍ରତିମାଟି ବନେଇଥିଲା । ସେ ଟିକେହେଲେ ସେ ଘରର ଯୋଗ୍ୟା ନୁହେଁ । ସେ ମୋ ସାମନାରେ ଠିଆ ହୋଇଥିବାର ଦେଖି ଗୋଟାଏ ଅପୂର୍ବ ବେଦନା ମୋର ହୃଦୟକୁ ବିନ୍ଧିବାକୁ ଲାଗିଲା ।

 

କିଛିକ୍ଷଣ ପରେ ମୋ ଶାଶୁ ସେଠିକି ଆସିଲେ ଆଉ କହିଲେ, ‘‘ଆସନ୍ତୁ ! ଆପଣଙ୍କ ଦୟା, ଅନ୍ତତଃ ଏଠାକୁ ଆସିବାକୁ ମନ ହେଲା ! ଏଇଥିରେ ଆମେ ଖୁସି । ମରକତମ୍ ଆଉ ପିଲାମାନେ ଭଲ ଅଛନ୍ତି ତ ? ଆପଣ ବାହାଘରକୁ ଆସିଲେନି, ଏଥିରେ ଭାରି ଦୁଃଖ ହେଲା । ଆପଣ ଆସିଥିଲେ ଆମେ ଖୁସି ହୋଇଥାନ୍ତୁ ।’’

 

ମୁଁ ମଥା ପୋତିଦେଲି ଓ ‘ବହୁତ କାମ ଥିଲା, ଟିକେ ହେଲେ ଫୁରସତ୍ ମିଳିଲାନି’’ କହି ତାଙ୍କ କଥାକୁ ବୁଲେଇ ଦେଲି ।

 

ସେତିକିବେଳେ ପାଚିଲା ପଣସରୁ ଦି ଖୋସା ଧରି ପରଶୁ ମୋ ପାଖକୁ ଆସିଲା ।

 

ତାକୁ ଦେଖି ଶାଶୁ କହିଲେ, ‘‘ଆରେ ଏଇଲାଗେ ଥାଉ । ସେ ତ ଗୋଡ଼ହାତ ଧୋଇ ନାହାନ୍ତି ଏଯାକେ । ତାଙ୍କୁ ପରେ ଦବୁ ।’’

 

ଶାଶୁଙ୍କର ଏକଥା ଶୁଣି ଅମ୍ବୁଜମ୍ କୂଅ ପାଖକୁ ଧାଇଁଗଲା । ମୋ ପାଇଁ ତଉଲିଆ ଓ ସାବୁନ ରଖିଦେଇ ସେ ଚାଲିଯାଉଥିଲା, ସେତିକିବେଳେ ମୁଁ ସେଆଡ଼େ ମାଡ଼ିଗଲି । ଟିକିଏନାକୁରୁ ମୋତେ ଚାହିଁଦେଇ ସେ ଲାଜୁଆ ହୋଇ କହିଲା, ‘‘ସାବୁନ୍, ତଉଲିଆ ସବୁ ଏଇଠି ଥୁଆ ହୋଇଚି-।’’ ମନରେ ବହୁତ ଇଚ୍ଛା ଥିଲା ଯେ ମୁଁ ତାକୁ ଏକୁଟିଆ ମନଦେଇ ଦେଖିବି; କିନ୍ତୁ ଅମ୍ବୁଜମ୍ କୁଳଭୁଆଷୁଣୀ ବୋହୂ ନା ? ମୋର ଶଳାଭାଉଜ ନା ?

 

ମରକତମ୍ ମୋ ପାଖକୁ ଆସିବା ପରେ ତିନିବର୍ଷକାଳ ବାପଘର ଯାଇନାହିଁ । କଥା କଣ କି, ମୁଁ ତାକୁ ଯିବାକୁ ଦେଇ ନାହିଁ । ୟାର ଫଳ ବେଶ୍ ଭଲ ହେଲା । ମୋର ସ୍ତ୍ରୀଟି ନିରକ୍ଷରା, ଗାଉଁଲି ଥିଲା । ସେ ଲେଖାପଢ଼ା ଶିଖିଗଲା । ଏଇଲେ ସେ ମୋ କାମରେ ସାହାଯ୍ୟ କରୁଛି । ବଙ୍କା ବେଢ଼ା ଅକ୍ଷରରେ ମୁଁ ଯାହା ଲେଖେ ତାର ନକଲ ସେ ପରିଷ୍କାର ଅକ୍ଷରରେ କରିନିଏ । ସମାଲୋଚନା ଲାଗି ମୋ ପାଖୁ ଯୋଉ ଗପସବୁ ଆସେ ତାକୁ ସବୁ ପଢ଼ି ତା ସାରାଂଶ ମତେ କୁହେ । ଏମିତି ମୁଁ ତାକୁ ଅନେକ ପ୍ରକାରେ ସଭ୍ୟ ଏବଂ ଯୋଗ୍ୟ କରିଦେଇଛି ।

 

ପରଶୁର ବାହାଘରବେଳେ ମୋ ପାଖୁ ଚିଠି ଓ ନିମନ୍ତ୍ରଣ ଉଭୟ ଆସିଥିଲା । ଚିଠିରେ ଅନୁରୋଧ କରାଯାଇଥିଲା ଯେ ଆମେ ସବୁ ଈଶ୍ୱର-ପୂଜା ଓ ସୋହାଗ-ପୂଜା ସକାଶେ ଦଶଦିନ ଆଗରୁ ହିଁ ସେଠି ପହଞ୍ଚି ଯାଉ ଯେମିତି ।

 

ବାହାଘର ବିଷୟ ନେଇ ମୁଁ ମରକତମ୍ ସାଙ୍ଗରେ କିଛି କଥା ହେଲି ନାହିଁ । ମନକୁ ମନ ଭାବିଲି, ‘‘ପରଶକୁ ତା ଭଳିଆ ଗଣ୍ଡମୂର୍ଖ ସ୍ତ୍ରୀଟାଏ ବି ମିଳିଯିବ । ଏଥିରେ ଗର୍ବ କରିବାର କିଛି ନାହିଁ-।’’

 

ରାତିରେ ବହୁତ ବେଳଯାକେ ମୁଁ ବାହାର ବାରଣ୍ଡାରେ ବସି ଲେଖିବାକୁ ଲାଗିଲି । ଭିତରକୁ ଆସି ଶୋଇଯାଇ ମୁଁ ଆଖି ବୁଜିଚି କି ନାହିଁ, ମତେ ଲାଗିଲା ଯେ ଥୋପା ଥୋପା ଲୁହ ଗଡ଼ାଇ ମରକତମ୍ ମୋ ମୁଣ୍ଡରେ ହାତ ବୁଲାଉଛି । ମୁଁ ପଚାରିଲି, ‘‘କଣ ହେଲା ମରକତମ୍ ?’’ ସେ ମୋ ହାତକୁ ଧରି କଇଁ କଇଁ କରି କାନ୍ଦି ପକେଇଲା ।

 

ମୁଁ ପଚାରିଲି, ‘‘କାହିଁକି କାନ୍ଦୁଚୁ ?’’

 

‘‘କିଛି ନାହିଁ ।’’

 

‘‘କଣ କହିବାକୁ ଚାହୁଁଚୁ–ଭାଇ ବାହାଘରକୁ ନିଶ୍ଚୟ ଯିବା, ଏଇ ତ ?’’

 

ସେ କିଛି ଜବାବ୍ ଦେଲାନି, କଇଁ କଇଁ କାନ୍ଦିଲା ଖାଲି ।

 

‘‘ବୋକୀଟାଏ କି ? ତୁ ଚାଲି ଯା, ପିଲାଙ୍କୁ ସାଙ୍ଗରେ ନେଇ ଯା । ତୋ ଭାଇ ବାହାଘର, ତୁ ବୋହୂର ନଣନ୍ଦ । ବନ୍ଦାପନା ପାଇଁ ଶହେ ଟଙ୍କା ଦେଉଛି । ମୁଁ ତ ଯାଇ ପାରିବିନି, ମୋର ବହୁତ କାମ, ମତେ ଏଇଲାଗେ ପତ୍ରିକାର ଚୈତ୍ର ବିଶେଷାଙ୍କ ବି ବାହାର କରିବାକୁ ଅଛି । ତୁ ଯାଇ ମଜା କରି ଆସେ ।’’

 

‘‘ତାହେଲେ ତମେ ଯିବନି ? ଯଦି ତମେ ଯାଆନ୍ତ, ମୁଁ ଝିଅ ପକ୍ଷ ଲୋକଙ୍କ ଆଗରେ ଗର୍ବରେ ମଥାଟେକି ଚାଲନ୍ତି ।’’

 

ମୁଁ ଜବାବ ଦେଲି, ‘‘ମୁଁ ଯାଇପାରିବିନି । ତୁ ଯା ଚାଲି ।’’

 

ବିଚାରି ମରକତମ୍ ମୋ କହିବା ମୁତାବକ ଏକୁଟିଆ ଭାଇ ବାହାଘରକୁ ଯାଇ ଫେରିଆସିଲା ।

 

ମୁଁ ସ୍ତ୍ରୀକୁ ପଚାରିଲି, ‘‘ବାହାଘର ସବୁ ଭଲରେ ଭଲରେ ହେଲା ତ ? ଝିଅଟି ଦେଖିବାକୁ ଭଲ ତ ?’’

 

ମରକତମ୍ ଜବାବ ଦେଲା, ‘‘ତମେ ଆସିଲନି, ମାଆର ଭାରି ମନଦୁଃଖ । ସେ ଝିଅ ଭଳି ସୁନ୍ଦରୀ ଏଯାକେ ମୁଁ କୋଉଠି ଦେଖିନି । ସେ ମାଟ୍ରିକ୍‌ଯାକେ ପାଠ ପଢ଼ିଛି । ପରଶୁ ଭାଗ୍ୟ ଖୁବ୍ ଭଲ ।’’

 

‘‘ସତେ ? ସେ ସୁନ୍ଦରୀ, ପଢ଼ାଶୁଣା କରିଚି ?’’

 

‘‘ଅମ୍ବୁଜମ୍ ଖାଲି ସୁନ୍ଦରୀ ନୁହେଁ, ସମସ୍ତଙ୍କ ସାଙ୍ଗେ ମିଶି କାମ କରିବାକୁ ଆଗ ।’’ ମରକତମ୍ ଉତ୍ତର ଦେଲା ।

 

‘‘ତା ହେଲେ ତ ସେଠିକି ଯାଇକରି ତାକୁ ଦେଖିବାକୁ ହବ ।’’

 

‘ହଉ ଯିବା, ଯିବା’, କହୁ କହୁ ବର୍ଷଟାଏ ବିତିଗଲା । ହଠାତ୍ ଦିନେ ଯାଇ ସେଠି ପହଞ୍ଚିଗଲି । ଅମ୍ବୁଜମ୍‌କୁ ଦେଖି ମନେହେଲା ଯାହା ମରକତମ୍ କହୁଥିଲା, ଠିକ୍ । ସତରେ ସେ ଅସାମାନ୍ୟ ସୁନ୍ଦରୀ । ତାର ସୁନ୍ଦରପଣ ମନକୁ ଚହଲେଇ ଦେଇପାରେ । ତା ସ୍ୱାମୀ ପରଶୁ ଆଦୌ ତା ଯୋଗ୍ୟ ନୁହେଁ । ସେ ତ ଅଳିଆଗଦାରେ ମଣି ଭଳିଆ ଝଟକୁଛି । ଦି ମାଣ ଜମିରେ ବୁଣାକାମ ବାକି ଥିଲା; ତେଣୁ ପରଶୁ ମତେ କହିଲା, ‘‘ଭାଇନା, କିଛି ସଙ୍କୋଚ କରିବେନି । ମୋର ଆସିବାକୁ ଟିକେ ଡେରି ହବ; ତେଣୁ ମୋ ଲାଗି ଅପେକ୍ଷା କରିବେନି । ନିଃସଙ୍କୋଚରେ ଅମ୍ବୁଜମ୍ ସାଙ୍ଗରେ କଥାବାର୍ତ୍ତା କରନ୍ତୁ । ସେ ଗୋଟେ ଗପ ଲେଖିଚି । ଆଜି ଅମ୍ବୁଜମ୍ ରାନ୍ଧିଚି । ବଢ଼ିଆ ଜିନିଷ, ଆଜି ଭୋଜି କିନା ?’’ କହି ସେ ଘରୁ ବାହାରିଗଲା ।

 

ଗାଧୋଇ-ପାଧୋଇ ମୁଁ ଆସି ଦାଣ୍ଡଘରେ ଦୋଳି ଖଟ ଉପରେ ବସିଲି । ଦଶଟା ବାଜିଥିବ ପରା ! ଅମ୍ବୁଜମ୍ ଖୁଣ୍ଟ ପାଖେ ଆସି ଠିଆହେଲା ଓ ‘‘ଜାଗା କରି ଦେଇଚି, ଖାଇବାକୁ ଆସନ୍ତୁ’’ କହି ସେ ମୋତେ ଉଠିବାକୁ ଇଙ୍ଗିତ କଲା ।

 

ସେ ଘର କାନ୍ଥ ଉପରେ ଗୋଟେ କ୍ୟାଲେଣ୍ଡର ଝୁଲୁଥିଲା । ତାକୁ ଦେଖିବାର ଅଭିନୟ କରୁ କରୁ ମୁଁ କହିଲି, ‘‘ଆଉ ଟିକିଏ ଯାଉ’’ । ମତେ ଲାଗିଲା, ଅମ୍ବୁଜମ୍ ସେଇଠି ଠିଆ ହୋଇଛି; ତେଣୁ ମୁହଁ ବୁଲେଇ ଚାହିଁଲି । ହଁ, ସେ ସେଇଠି ଠିଆହୋଇଥିଲା । ଘର ଭିତରେ ସ୍ୱରଶବଦ କିଛି ନାହିଁ । ପାଖରେ କେଉଁଠି ଗୋଟାଏ କାଠହଣା ଚଢ଼େଇର କୁକ୍ କୁକ୍ ଶବ୍ଦ ଅନବରତ ଶୁଣାଯାଉଥାଏ । ମୁଁ ତା ଆଡ଼େ ଚାହିଁଲି । ଟିକେ କାସିଦେଇ ମୁଁ କହିଲି, ‘‘ପରଶୁ କହୁଥିଲା ତୁ ଗପ ଲେଖିଚୁ । ସାହିତ୍ୟ ଆଡ଼କୁ ତୋର ମନ ଅଛି ।’’

 

ତା ମୁହଁ ଲାଜରେ ରଙ୍ଗା ପଡ଼ିଗଲା । ଅପୂର୍ବ ମୃଦୁହାସ୍ୟ ଖେଳାଇ ମଧୁର କଣ୍ଠରେ ସେ କହିଲା, ‘‘ହଁ, ମୁଁ ଆପଣଙ୍କର ଏବକାର ବହି ଦେଇଥିଲେ । ସ୍କୁଲରେ ପ୍ରାଇଜ୍ ହିସାବରେ ମତେ ଆପଣଙ୍କର ବହି ଖାଲି ମିଳୁଥିଲା । ମୋର ତ ଖୁବ୍ ମନ ଯେ ମୁଁ ଗପ ଲେଖିବି । ଦିଟା ଗପ ଲେଖିଚି । କେମିତି ହେଇଚି କେଜାଣି ! ଆପଣଙ୍କୁ ଦେଖେଇବାକୁ ଲାଜ ମାଡ଼ୁଚି ।’’

 

ମୁଁ କହିଲି, ‘‘ଏଥିରେ ଲାଜ ଗୋଟାଏ କଣ ? ନେଇଆ ସେତକ ।’’

 

ଅମ୍ବୁଜମ୍ ଚଟ୍‌କରି ତା ଘରଭିତରକୁ ଗଲା ଆଉ ଟିକିଏ ପରେ କାଗଜ ଗଣ୍ଠିଲିଟିଏ ଧରି ଫେରିଲା । ସେଇ କାଗଜ ବିଡ଼ାକ ମୋ ହାତକୁ ଦେଉଁ ଦେଉଁ ତା ଆଙ୍ଗୁଠି ମୋ ଆଙ୍ଗୁଠିକି ଛୁଇଁଦେଲା । ମୋ ଦେହରେ ଜାଣି ବିଜୁଳି ଚମକିଗଲା ଆଉ ବଡ଼ କଷ୍ଟରେ ମୁଁ ମନକୁ ସମ୍ଭାଳିନେଲି-। ମୁଁ ଭାବିଲି, ସେ କୁଳଭୁଆଷୁଣୀ ବୋହୂ । ମୋ ଶଳାଭାଉଜ । ମୁଁ ତା ଗପତକ ପଢ଼ିଲି-। ବେଶ୍ ଗପ । ମୁଁ କହିଲି, ‘‘ସାବାସ୍; ତୋ ଲେଖାର ଶୈଳୀଟି ବେଶ୍ ଭଲ । ମୁଁ ବିଚାରିଥିଲି ତୁ ବି ଆଜିକାଲିକାର ଇସ୍କୁଲ କଲେଜ ପିଲାଙ୍କ ଭଳି କୋଉ ପ୍ରେମଗପ ଲେଖିଥିବୁ । ତୁ ଗୋଟିଏ ବିଶିଷ୍ଟ ଦୃଷ୍ଟିକୋଣରୁ ଗୋଟିଏ ଗାଉଁଲି ପରିବାର ବଡ଼ ସୁନ୍ଦର ବର୍ଣ୍ଣନା କରିଛୁ ।’’

 

ସେଇ ଅବୋଧ ବାଳିକାଟି ଲାଜରେ ଆଖି ତଳକୁ କରିଦେଲା । ପରମୁହୂର୍ତ୍ତରେ ମଥା ଉଠାଇ ତାର ସୁନ୍ଦର ଦାନ୍ତ ଦେଖାଇ ହସି କହିଲା, ‘‘ଏଇ ଗପଗୁଡ଼ା କଣ ପତ୍ରିକାରେ ପ୍ରକାଶଯୋଗ୍ୟ ହେଇଚି ?’’

 

ଏତିକିବେଳେ ମୋର ଶାଶୁ ସେଠି ଆସି ପହଞ୍ଚିଗଲେ । ସେ ତାକୁ ‘‘ଆଲୋ ଅମ୍ବୁଜମ୍ ଖାଇବା-ପିଇବାକୁ ବେଳ ହେଇନାହିଁ କି ?’’ କହି ଚେତେଇ ଦେଲେ ।

 

‘‘ସବୁ ରାନ୍ଧିବାଢ଼ି ରଖିଚି ମା’’ କହି ଅମ୍ବୁଜମ୍ ଭିତରକୁ ଚାଲିଗଲା ।

 

ମୋ ଶାଶୁ କହିଲେ, ‘‘ଆପଣ ଚାଲନ୍ତୁ ଖାଇବେ । ପରଶୁ ଫେରିବାକୁ ଏଇଲେ ଡେରି ଅଛି ।’’

 

ଅମ୍ବୁଜମ୍‍ ହିଁ ପାଖରେ ଠିଆହୋଇ ଅତି ଯତ୍ନରେ ମତେ ଖାଇବାକୁ ଦେଲା । ପାଖରେ ଠିଆହୋଇ ଶାଶୁ ‘‘ୟା ଦେ, ତା ଦେ’’ କହି ହୁକୁମ୍ ଦେଉଥିଲେ ।

 

ସେଇଦିନ ସନ୍ଧ୍ୟାବେଳେଇ ସହରକୁ ଫେରିବାକୁ ହେଲା । ଯଦିଓ ମତେ ସେ ଗାଆଁ ଭଲ ଲାଗେନା, ତେବେ ବି ସେଠି ଆଉ ଦିଦିନ ରହିଯିବାକୁ ଇଚ୍ଛା ହେଉଥାଏ । ଭାରାକ୍ରାନ୍ତ ମନରେ ମୁଁ ସେଠୁ ଫେରି ଆସିଲି ।

 

ସେଦିନ ପରେ ଆଜି ମୁଁ ଅମ୍ବୁଜମ୍‌କୁ ତିନିବର୍ଷପରେ ଦେଖୁଚି । ୟା ଭିତରେ କେତେ ଯେ ପରିବର୍ତ୍ତନ ହେଇଚି । ୟା ଭିତରେ ପରଶୁ ହଠାତ୍ ଭୀଷଣ ଜ୍ୱର ଭୋଗି ଭୋଗି ମରିଯାଇଛି । ମୋର ମୂର୍ଖ, ନିର୍ଦ୍ଦୋଷ ଶଳାଟି ଅଳ୍ପ ବୟସରେଇ ଚାଲିଗଲା । ଯେଉଁ ବିଧାତା ଅମ୍ବୁଜମ୍‌କୁ ସୌନ୍ଦର୍ଯ୍ୟ ଓ ଜ୍ଞାନ ଦେଇଛନ୍ତି, ସେ ହିଁ ତାରି ଜୀବନରୁ ସୁଖ ହରିନେଲେ । ଭାଗ୍ୟର ନିଷ୍ଠୁର ଆଘାତ ପଡ଼ିଥିଲା ତା ଉପରେ ।

 

ବଡ଼ଭାଇର ଅକସ୍ମାତ୍ ମୃତ୍ୟୁରେ ମରକତମ୍ ବଡ଼ ଦୁଃଖ ପାଇଲା । ମା ଓ ଭାଉଜକୁ ସାନ୍ତ୍ୱନା ଦେବାକୁ ସେ ତା ଗାଁକୁ ବାହାରିଗଲା । ଏଥରକ ସତକୁ ସତ ଗୋଟାଏ ଜରୁରୀ କାମ ପଡ଼ିଯିବାରୁ ମୁଁ ଯାଇପାରିଲିନି ।

 

ମରକତମ୍ ଫେରିବା ପରେ କିଛି ଅବସର ପାଇ ମୁଁ ଗାଁକୁ ଗଲି । ଘରେ ଗୋଡ଼ ଥୋଇଚି କି ନାହିଁ ଯାହା ଦେଖିଲି, ତହିଁରେ ଦିହ ଶିତେଇ ଉଠିଲା ।

 

ଅମ୍ବୁଜମ୍ ଭିତରର ବସିବାଘରେ ଠିଆ ହୋଇଥିଲା । ତା ମଥାରେ କୁଙ୍କୁମର ଟିପାଟି ନ ଥିଲା । ତା ଦିହ ଝଡ଼ି ଯାଇଥିଲା । ମତେ ଦେଖିଲାମାତ୍ରେ ସେ କଇଁ କଇଁ କାନ୍ଦି ପକେଇଲା । ମୋର ବି ଆଖିରେ ପାଣି ଆସିଗଲା ।

 

ମୁଁ କହିଲି, ‘‘ଏଇଟା ସଫା ଅନ୍ୟାୟ । ମୁଁ ତ କେବେ ଭାବିନଥିଲି ୟା ହବ ।’’

 

ଅମ୍ବୁଜମ୍ ମୋ ଆଗରେ ଠିଆହୋଇ ପାରିଲାନି । ସେ ଭିତରକୁ ଚାଲିଗଲା । ଭିତରୁ ତାର ସୁଁ-ସୁଁ କରି କାନ୍ଦିବାର ଶବ୍ଦ ଶୁଣାଗଲା । ଟିକିଏ ପରେ ମୋର ପୁତ୍ରହରା ଶାଶୁ କାନ୍ଦି କାନ୍ଦି ଆସି ମୋ ପାଖେ ପହଞ୍ଚିଲେ । ‘‘ପୁଅ, ପରଶୁ ମତେ ଠକି-ଦେଲା । ସୁନା ପ୍ରତିମା ପରି ଅମ୍ବୁଜମ୍‌କୁ ନିଆଶ୍ରୀ କରି ସେ ଚାଲିଗଲା । କେଜାଣି କେମିତିକା ଭୟଙ୍କର ରୋଗ ସେ । ଦିନ ଦିଟାରେ ଅବସ୍ଥା ତାର ଖୁବ୍ ଖରାପ ହେଇଗଲା; ଆଉ ସେ ଚାଲିଗଲା ।’’ କହି ସେ କାନ୍ଦି ପକେଇଲେ ।

 

ତାଙ୍କୁ କଣ କହି ବୋଧ କରିବି, ମୁଁ ବୁଝିପାରିଲିନି । ମୋ ମୁଣ୍ଡରେ ଅମ୍ବୁଜମ୍‌ର ସେଇ ପ୍ରଥମ ରୂପ ହିଁ ଖେଳୁଥାଏ ।

 

ସେଇଦିନ ସନ୍ଧ୍ୟା ୪.୩୦ ଗାଡ଼ି ଧରି ସହରକୁ ଆସିବାକୁ ମୁଁ ତିଆରି ହେଉଥିଲି । ମୁଁ ଠିକ୍ ବାହାରୁଚି, ଏତିକିବେଳେ ପଡ଼ିଶାଘରର ଗୋଟିଏ ଛୋଟ ଝିଅ ମତେ ଆସି କହିଲା, ‘‘ମାମୁ, ଅମ୍ବୁଜମ୍ ମାଉସୀ ଆପଣଙ୍କୁ ଟିକେ ରହିବାକୁ କହୁଚନ୍ତି ।’’ ମୁଁ ପଚାରିଲି ‘‘ସେ କୋଉଠି ଅଛି ?’’

 

ସେ ଝିଅ କହିଲା, ‘‘ମାମୁଁ, ସେ ବାହାର ଘରେ ଅଛନ୍ତି ।’’ ବଡ଼ ସଙ୍କୋଚରେ ମୁଁ ସେ ଘରେ ପହଞ୍ଚିଲି । ଅମ୍ବୁଜମ୍ କବାଟ କଣରେ ଲୁଚି ଠିଆ ହୋଇଥିଲା । ସେ ମୋ ଆଡ଼େ ଚାହିଁ କହିଲା, ‘‘ଆପଣ ମତେ ଟିକେ ସାହାଯ୍ୟ କରିବେ ? ଘରେ ପଇସାର ଅଭାବ । ଆପଣଙ୍କୁ ମାଗିବାକୁ ଲାଜ ଲାଗୁଚି । ଏଇଲେ ଶହେ ଟଙ୍କା ଦରକାର । ଏଇ ମୁଦିଟା ବନ୍ଧାରଖି କୋଉଠୁ ପଇସା ଆଣି ଦିଅନ୍ତୁ ।’’ ଏତିକି କହି ତା ଆଖି ଛଳଛଳ ହୋଇଗଲା ।

 

ଏଇ କଥାତକ କହୁ କହୁ ସେ ଯେତେବେଳେ ନିଜର ଆଙ୍ଗୁଠିରୁ ମୁଦିଟା ଖୋଲୁଥାଏ, ମୁଁ କହିଲି, ‘‘ମୁଦିର ଦରକାର କଣ ? ଯାହା ଟଙ୍କା ତୋର ଦରକାର ତାର ଅଧା ମୁଁ ଏଇଲାଗେ ଦେଇଦଉଚି, ବାକି ଟଙ୍କାଟା କାଲି ତୋ ନାଆଁରେ ମନିଅର୍ଡ଼ର କରିଦେବି ।’’ ଏହା କହି ମୁଁ ନିଜର ବ୍ୟାଗରୁ ପାଞ୍ଚଟଙ୍କିଆ ନୋଟ୍ ଦଶଟା ବାହାର କରି ତାକୁ ଦେଲି ।

 

‘‘ନା, ଏ ମୁଦିଟା ଆପଣ ରଖନ୍ତୁ’’ କହି ସେ ମୋ ହାତରେ ଜୋର କରି ରଖିଦେଲା । ମୁଁ ତାକୁ ପକେଟରେ ରଖିନେଲି । ୟା ପରେ ସେ ସେଠି ରହିଲାନି । ସେ ଫେରିବା ଆଶାରେ ବୃଥାଟାରେଇ ମୁଁ ସେଠି ଠିଆହୋଇ ରହିଲି ।

 

ମୋର ୪.୩୦ର ଗାଡ଼ି ଛାଡ଼ି ଦେଲା । ତା ପର ଗାଡ଼ି ୬.୩୦ ସମୟରେ ଯାଏ । ମୋ ଶାଶୁ ପାଖକୁ ଆସି କହିଲେ, ‘‘ଖାଇପିଇ କାଲି ସକାଳେ ଗାଡ଼ିଧରି ଯିବେ ।’’

 

ମୁଁ ଜବାବ୍ ଦେଲି, ‘‘ନାଇଁ, ମୋର ଆଜି ନିଶ୍ଚୟ ଯିବା ଦରକାର ।’’

 

ମୋ ଶାଶୁ କହିଲେ, ‘‘ଅମ୍ବୁଜମ୍ ଆପଣଙ୍କୁ କହିଥିବ । ଆଜିକାଲି ଆମେ କଷ୍ଟରେ ଅଛୁ । ଗୁଜୁରାଣ ମେଣ୍ଟିବା କାଠିକର ପାଠ ।’’

 

ମୁଁ ଉତ୍ତର ଦେଲି, ‘‘ଆପଣ ଚିନ୍ତା କରିବେନି । ଆମେ ଅଛୁ ମା !’’

 

ମୁଁ ନିଜ ସହରକୁ ଫେରିଆସିଲି । କେତେ ଚିନ୍ତା ମୋ ମନରେ ଢେଉ ଖେଳାଉଥାଏ, ନିଦ ଆସୁନଥାଏ । ଅମ୍ବୁଜମ୍ ଯୋଉ ମୁଦିଟା ଦେଇଥିଲା, ମୋ କାଣିଆଙ୍ଗୁଠିକି ଠିକ୍ ହଉଚି । ଓଜନରେ ଅଧଭରି ହବ; କିନ୍ତୁ ତା ଦାମ୍ କେତେ ମୋ ପକ୍ଷରେ ଠିକ୍ କରିବା ସମ୍ଭବ ନୁହେଁ । ତା ଉପରେ ଖୋଳା ହେଇଚି ସେଇ ଅକ୍ଷର ‘‘ଅ’’ ଯାହାକି ମୋ ହୃଦୟରେ ଗହୀର ଦାଗ କାଟି ବସିଯାଇଛି । ପରଦିନ ମୁଁ ଅମ୍ବୁଜମ୍ ନାଆଁରେ ପଚାଶ ଟଙ୍କା ବଦଳରେ ଶହେଟଙ୍କା ମନିଅର୍ଡ଼ର କରିଦେଲି । ଶହେ କଣ, ହଜାରେ ଟଙ୍କା ପଠେଇବାକୁ ମନଟା ମୋର ଛଟପଟ ହେଉଥିଲା ।

 

ସପ୍ତାହକ ପରେ ମୋ ପାଖକୁ ଅମ୍ବୁଜମ୍‌ର ଚିଠି ଆସିଲା ।

 

‘‘ନମସ୍କାର ।

 

ଦରକାର ବେଳେ ଆପଣ ଆମକୁ ସାହାଯ୍ୟ କଲେ, ଧନ୍ୟବାଦ । ଶୀଘ୍ର ଅଧ ଏକର ଜମି ବିକିବାକୁ ଯାଉଛୁ । ଟଙ୍କା ମିଳିଲେଇ ଆପଣଙ୍କୁ ଫେରାଇ ଦେବି ।

 

ଆପଣଙ୍କର

ହତଭାଗିନୀ ଅମ୍ବୁଜମ୍ ।’’

 

ଚିଠିରେ ମୁଦି ବିଷୟ କିଛି ଲେଖା ନଥିଲା ।

 

ତାକୁ ନେଇ ମୁଁ କ’ଣ କରବି ? ପାଖରେ ରଖିବି କି ତାକୁଇ ଫେରେଇଦେବି ? ପୁଣି ଯାଇ ତା ସଙ୍ଗେ ଭେଟିବା କଣ ଉଚିତ ହବ । ଏ କଥା ମୁଁ ଆଜିଯାକେ ବୁଝିପାରିନାହିଁ ।

Image

 

Unknown

ସେମାନେ ପଶୁ ନୁହନ୍ତି

 

ଭୀଷଣ ଗରମ ପଡ଼ିଛି । ଲମ୍ବା ଚଉଡ଼ା ପିଚୁରାସ୍ତାଟା ଯେମିତି ନିଆଁରେ ଫୁଟୁଛି । ରାସ୍ତା କଡ଼ରେ ଗୋଟିଏ ବଡ଼ କଇଁଆ ଗଛ ଥିଲା । ସେ ଚୁପ୍‌ଚାପ୍ ହଲ୍‌ଚଲ୍ ନ ହୋଇ ଠିଆ ହୋଇଥିଲା । ତା ଛାଇ ବି ଗରମ ଲାଗୁଥାଏ । ଭୟଙ୍କର ଗରମରୁ ରକ୍ଷା ପାଇବାକୁ କଇଁଆ ଗଛଟିର ଛାଇଠୁଁ ବଳି ଶୀତଳ ସ୍ଥାନ ଆଉ ପାଖଆଖରେ କୋଉଠି ଦିଶୁ ନଥିଲା । ସେଇଥିପାଇଁ ଗଉଡ଼ଯାକ ତାଙ୍କ ଗାଈମାନଙ୍କୁ ସେଇ ଗଛ ଛାଇରେ ଠିଆ କରି ନିଜେ ବି ସେଇ ଗଛର ଅଚଳ ଚେରଗୁଡ଼ାକରେ ଲାଖିଯାଇ ଶୋଇଥିଲେ । ସେମାନଙ୍କ ଦିହରୁ ଗମ୍ ଗମ୍ ଝାଳ ବୋହୁଥାଏ । ମୁନିଆଁ ଶିଙ୍ଘା ସେଇ ବଳଦଟା ବି ଥକିଯାଇ ଶୋଇଥିଲା । ଗଛମୂଳ ଛାଇରେ ଶୋଇକରି ବି ତା ଆଖିର ଧାର ଧାର ଲୁହ କମିନାହିଁ । ତାର ଦିହସାରା କୋରଡ଼ା ମାଡ଼ର ଚିହ୍ନ ଦେଖାଯାଉଥିଲା ।

 

ମୁନିଆଁଶିଙ୍ଘା ବଳଦଟା ଖୁବ୍ ବୁଢ଼ା ହୋଇଯାଇଥିଲା । ତାର ଶିଙ୍ଘ ଦିଟା ଖୁବ୍ ମୁନିଆଁ । ସେଇଥିରୁ ଚାଷୀମାନେ ତାକୁ ମୁନିଆଁ ଶିଙ୍ଘା ଡାକୁଥିଲେ । ସେ ଜନ୍ମରୁ ସେ ଜାଗା ସଙ୍ଗେ ପରିଚିତ । ସେଥିଲାଗି ସେ ଜାଗାରେ ହଠାତ୍ ପହଞ୍ଚିଯାଇ ସେ ବଳଦ ଥରେ ହମ୍ବାରଡ଼ି କରି ସେଠି ଶୋଇଗଲା । ତା ଯୋଡ଼ି ବଳଦ ‘ଡେଙ୍ଗା’ କୋଉଠି ଠିଆ ହୋଇଥିଲା, ୟା ଡାକ ଶୁଣିନେଲା । ସେ ହିଡ଼ମୁଣ୍ଡରୁ ଧପାଲି ଧପାଲି ତା ପାଖରେ ଆସି ପହଞ୍ଚିଲା । ଆଉ କୋରଡ଼ା ମାଡ଼ରେ ଫୁଲା ଫୁଲା ଜାଗାଗୁଡ଼ାକ ବାଛି ତା ପିଠିଟି ଚାଟିବାକୁ ଲାଗିଲା ନିଜ ଭିତରେ ।

 

ତାଙ୍କ ଚାରିପଟେ ପ୍ରାୟ କୋଡ଼ିଏ ତିରିଶ ସରିକି ବୁଢ଼ା ବଳଦ ଆଉ ଅଣଦୁଧିଆ ବୁଢ଼ୀ ଗାଈ ଥିଲେ । ସେମାନେ ବାଟବଣା ହୋଇଯାଇଥିଲେ । ଜଗୁଆଳଙ୍କ କୋରଡ଼ାମାଡ଼ ଡରରେ ସେମାନେ ଯୁଆଡ଼େ ଅଡ଼ା ହେଉଥିଲେ ସେଇଆଡ଼େ ଚାଲୁଥିଲେ । ଚାଲୁ ଚାଲୁ ବାଟରେ ଯାହା ମିଳୁଥିଲା ଗିଳିଦେଉଥିଲେ ତରବରିଆରେ । ତେଣୁ ଏଇଲେ ସେମାନେ ସେଇଠି ଶୋଇ ଶୋଇ ପାକୁଳି କରୁଥିଲେ । ମଣିଷର ପେଟ ଚାଖଣ୍ଡେ; କିନ୍ତୁ ଯାହା କହନ୍ତି ଗାଈର ପେଟ ତା ଦିହଟା ସାରା ବ୍ୟାପିଚି । ତେଣୁ ଯାହା ମିଳିଲା ତା ଖାଇଦବା ତାଙ୍କ ଲାଗି ଆବଶ୍ୟକ ନଥିଲା କି !

 

‘‘ହେ ଡେଙ୍ଗୁ ! ଯେତେବେଳେ ମନେ ପଡ଼ିଯାଏ ଆମେ ଦୁହେଁ ମିଶି ସେ ବିଲରେ କାମ କରିଥିଲେ, ମୋ ମନରେ ମିଠା ମିଠା ଭାବ ଆସିଯାଏ । ତୋର ମନେ ଅଛି, ଥରେ ରାତିରେ ଆଖୁ କିଆରୀରେ ପାଣି ଦେଉଥିଲାବେଳେ ଜବର କରି ନିଦ ଆସିବାରୁ ମୂଲିଆଟେ ତୋ’ ଉପରେ ପଡ଼ିଯାଇଥିଲା । ତୁ ତ କାଳେ ଗୋଡ଼ ଟେକିଲେ ସେ ମୂଲିଆଟା ଚକଟି ହେଇଯିବ ଏଇ ଡରେ ତା ଓଜନ ସମ୍ଭାଳିନେଇ ସେଇ ଅସରନ୍ତି ପାଣିଧାର ଭିତରେ ଚୁପ୍‌ଚାପ୍ ଠିଆହୋଇ ରହିଥିଲୁ ?’’ ଅବଶ ଓ ଶକ୍ତିହୀନ ହୋଇ ବି କେଡ଼େ ସରାଗରେ ସେଇ ମୁନିଆଁ ଶିଙ୍ଘା ବଳଦ ତା ଯୋଡ଼ିକି ପଚାରିଥିଲା ଏ କଥା ।

 

ଡେଙ୍ଗୁ ଚିଡ଼ିଯାଇ କହିଲା, ‘‘ଏତେବେଳେ ତୋର ସେଇସବୁ କଥା ମନେ ପଡ଼ୁଚି ? ଏତେବେଳେ ତତେ ପୁଣି ଦେଖି ମୋ ମନ କେତେ ଖୁସି ହଉଚି ମୁଁ କଥାରେ ବୁଝାଇ ପାରିବିନି । ଏଇ ସମୟଟାକୁ ବାଜେ କଥା କହି ନଷ୍ଟ କରିବା ଉଚିତ ନୁହେଁ ।’’

 

‘‘ଆରେ ହଁ ! ତୁ ମତେ ଖୋଜି ଖୋଜି ଏଠିକି କେମିତି ଚାଲିଆସିଲୁ କି ?’’

 

‘‘ଆମ ଚାଷୀର ବିଲଟା ଏଇ ପାଖରେ ନୁହେଁ ? ସେଠି ଠିଆହୋଇଥିଲି, ତୋ କରୁଣ ଡାକ କାନରେ, ବାଜିଲା; ଆଉ କି ମୁଁ ରହିପାରେ ? ହଳଟି ପକେଇ ଏଠିକି ଧାଇଁ ଅଇଲି ।’’

 

କନ୍ଦପ୍‌ପନ ପୁଦୂର ନାମକ ସହରପାଖ ବିଶାଳ ରାସ୍ତା ଉପରେ ପରସ୍ପରଠାରୁ ଅଲଗା ହୋଇ ହଠାତ୍ ମିଳିଥିବା ଏଇ ବଳଦ ଦୁଇଟି ଭାବନାର ମୂକ ଭାଷାରେ କଥାବାର୍ତ୍ତା ହେଉଥିଲେ । କନ୍ଦପ୍‌ପନ ପୁଦୂର ନାମକ ସେ ସହର ଇରୋଡ଼ (ମାଡ୍ରାସ ପାଖର ସହର)ଠୁଁ ପ୍ରାୟ ତିରିଶ ମାଇଲ୍ ଦୂରରେ ଅବସ୍ଥିତ । ସେଇ ସହରର ଜଣେ ଚାଷୀ ଦିନକ ଆଗରୁ ଇରୋଡ଼ର ଗୁରୁବାରିଆ ହାଟରେ ମୁନିଆଶିଂଘା ବଳଦଟିକି ବିକି ଦେଇଥିଲା । ବର୍ତ୍ତମାନ ସେ କଂସେଇଖାନାର ଶିକାର ଭାବରେ ଅନ୍ୟ ଗାଈଙ୍କ ସାଙ୍ଗରେ ସହର ପାଖର ବିଶାଳ ରାସ୍ତା ଦେଇ କେରଳ ପ୍ରଦେଶ ଆଡ଼କୁ ଯାଉଛି । ଜଗୁଆଳିଯାକ ଦମ୍ ନବାକୁ ଦୈବାତ୍ ସେହି କଇଁଆ ଗଛମୂଳେ ରହିଯାଇଛନ୍ତି ।

 

ମୁନିଆଶିଙ୍ଘା ବଳଦ ଭିଡ଼ିମୋଡ଼ି ହେଲା । ଆଉ ଅନ୍ୟଆଡ଼କୁ ମୁହଁ କରି ଶୋଇ ପଡ଼ିଲା-। ଡେଙ୍ଗୁ ଚାଟୁଥିବାରୁ ତାକୁ ଅପୂର୍ବ ସୁଖ ମିଳୁଥିଲା ।

 

‘‘ଭାଇ ! ମତେ ଏମାନେ କୁଆଡ଼େ ନେଇଯିବେ କେଜାଣି ! ମତେ କେଜାଣି କେତେ ବାଟ ଯିବାକୁ ହବ । କୋରଡ଼ାର ମାଡ଼ଟା ଖୁବ୍ କଷ୍ଟଦିଏ; ଆଉ ମୋ ଉପରେ ସବୁଠୁଁ ବେଶୀ ମାଡ଼ ପଡ଼େ ।’’

 

‘‘ହଁ, ତୁ ତ ଛୋଟା ଟା । ମାଡ଼ରୁ ରକ୍ଷାପାଇବାକୁ ଆଗକୁ ଯିବୁ କେମିତି ?’’ ଏତିକି କହୁଁ କହୁଁ ଡେଙ୍ଗୁର ଆଖି ଛଳଛଳ ହୋଇଗଲା ।

 

ଏଇ ବଳଦ ଯୋଡ଼ିକ ଦିନ ନାହିଁ ରାତି ନାହିଁ, କେତେ ବର୍ଷକାଳ ଚାଷୀର ସେବା କରିଥିଲେ । ମୁନିଆଁ ଶିଙ୍ଘା ବଳଦଟିର ପଛ ବାଁ ଗୋଡ଼ରେ କୋଉଠୁ ଗୋଟାଏ କଣ୍ଟା ପଶିଥିଲା । ମାଲିକର ତ ଆଗ ଆଗ ସେକଥାକୁ ଖାତିର ନାହିଁ । ଅନେକ ଦିନପରେ ଚିକିତ୍ସା ହେଲାବେଳକୁ ତା ଗୋଡ଼ଟା ଆଉ ଠିକ୍ ହେଲାନି ଓ ସେ ଛୋଟା ହୋଇଗଲା । ସେଇଠୁ ସେଇ ଚାଷୀଟି ଇରୋଡ଼ ହାଟରେ ମଲୈୟାଲ୍ ପ୍ରବେଶ (କେରଳ)ରୁ ବଳଦ କିଣିବାକୁ ଆସିଥିବା କଂସେଇଙ୍କ ହାତରେ, ନିଜର ସେଇ ବଳଦଟିକି ଶହେ ଟଙ୍କାରେ ବିକିଦେଲା ।

 

କେରଳକୁ ଯାଉଥିବା ରାସ୍ତା କନ୍ଦପ୍‌ପନ ପୁଦୂର ପାଖ ଦେଇଯାଏ; ସେଇଥିପାଇଁ ବଳଦଙ୍କ ସେହି ଯୋଡ଼ି ପୁଣି ଥରେ ଭେଟିବାର ସୁଯୋଗ ପାଇଲେ ।

 

ଡେଙ୍ଗୁ ପଚାରିଲା, ‘‘ତୋର ମନେ ପଡ଼ୁଚି, ଗଲା ସନ ମାଲିକ ଚାରି ଏକର ଜମିରେ ହଳଦୀ ଚାଷ କରିଥିଲା ?’’ ଟିକିଏ ଆଗରୁ ନିଜେ ସେ କହିଥିଲା ଯେ ତାଙ୍କୁ ଏପ୍ରକାର କଥାବାର୍ତ୍ତା କରିବା ଉଚିତ ନୁହେଁ; କିନ୍ତୁ ସେମାନେ ବଳଦ । ତାଙ୍କ ପାଖେ ଆଉ ପ୍ରସଙ୍ଗ କାହିଁ ?

 

‘‘ଏ କଥା ମୁଁ ଏତେ ଜଲଦି ଭୁଲିବି କେମିତି ? କହନ୍ତିନି ହଳଦୀ ଲାଗି ବେଶୀ ପାଣି ଦରକାର ? ଆମେଇ ତ ତାକୁ ପାଣି ମଡ଼େଇଥିଲେ ।’’

 

‘‘ଆମେ ବିଲରେ ଗାଡ଼ି ଗାଡ଼ି ଖତ ନେଇ ପକାଇଥିଲେ । ସେଥିରୁ ହଳଦୀ ବହୁତ ବେଶୀ ହୋଇଥିଲା ।’’

 

‘‘ସେ ସନ ହଳଦୀର ଭାଉ ଚଢ଼ା ଥିଲା, ତେଣୁ ଆମ ଚାଷୀର ବେଶ୍ ଆମଦାନୀ ବି ହେଲା ।’’ ମୁନିଆ ଶିଙ୍ଘା ବଳଦ ନିଜର ଦୁଃଖ ଭୁଲିଯାଇ କହିଲା ।

 

‘‘ତୁ ପାଣି ମଡ଼େଇବାକୁ ଚାଷୀକୁ ସାହାଯ୍ୟ କରିଥିଲୁ’’, ମୁନିଆଁ ଶିଙ୍ଘା ବଳଦର ଏତକ କଥା ସରିନାହିଁ, ଡେଙ୍ଗା କହିଉଠିଲା, ‘‘ତୁ ବି ତ ମୋ ସାଙ୍ଗେ ମିଶିକରି କାମ କରିଥିଲୁ ? ଆମ ମିହନ୍ତ ସକାଶେ ଚାଷୀର ଗାଞ୍ଜିଆରେ ହଠାତ୍ କେତେ ଶହ ଟଙ୍କାର ନୋଟ୍ ଏକାଠି ହୋଇଗଲା ।’’

 

ସେତିକିବେଳେ ଜଗୁଆଳିଙ୍କ ଭିତରୁ ଦିଜଣ ଜଗୁଆଳି ଚେଇଁ ଉଠିଲେ । ଦୁଇଜଣଯାକ ବିଡ଼ି ଲଗାଇଲେ । ତାଙ୍କର କଥାବାର୍ତ୍ତା ଆରମ୍ଭ ହେଲା ।

 

‘‘ତୁ ଦେଖିଲୁ ସେ ଲୋକଟାକୁ ? ସେ କହୁଥିଲା, ଆର ବଳଦଟାକୁ ଆରବର୍ଷ ବିକିଦବ-।’’

 

‘‘କୋଉ ଲୋକଟା ?’’

 

‘‘ସେଇମ, ଯିଏ ଶଗଡ଼ରେ ବସି ହାଟକୁ ଆସିଥିଲା । ତା ଗାଡ଼ିରେ ଗୋଟିକିଆ ବଳଦ-। ସେ କହୁଥିଲା, ସେ ଆଉ ବର୍ଷଟାଏ ତା ବଳଦଠଉଁ ଭଲକରି କାମ ଆଦାୟ କରିବ; ତାପରେ ତାକୁ ବିକିଦବ-।’’

 

‘‘ଏଇଲେ ସେଇ ବଳଦଟା ପାଇଁ ପଚାଶ ଟଙ୍କା ଯଥେଷ୍ଟ ନୁହେଁ ?’’

 

‘‘ଆରେ ସେ ଲୋକ ବଡ଼ ଚାଲାକ । କହିଲା, ଆରବର୍ଷ ପଚାଶ ଟଙ୍କା ମିଳିଗଲେ ଢେର୍-।’’

 

‘‘ଆରବର୍ଷଯାକେ ସେ ସେଇ ବଳଦକୁ ନେଇ ଦୁଇଶହ କମେଇ ନବ, ଆଉ ଏଇଲା ବିକିବ କାହିଁକି ସେ ?’’

 

‘‘ହିସାବ-କିତାବରେ ଦକ୍ଷ ଲୋକ ସେ । ବଳଦ ଥକି ହାଡ଼ ଗୁଣ୍ଡ ହବାଯାକେ, ଅଚେତ ହେଇ ମାଟିରେ ଶୋଇଯିବାଯାକେ ସେ ଭଲକରି କାମ ଆଦାୟ କରିବ । ୟାପରେ ସେ ବଳଦର ଯାହା ଦାମ୍ ହଉ, ସେଥିରେ କଣ ଅଛି ? ହଁ, ସେତକ ପଇସା ବି ସେ ଛାଡ଼ିବ ନାହିଁ ।’’

 

ସେମାନେ ବଳଦଙ୍କୁ କଂସେଇଖାନା ଘେନିଯାଉଥିଲେ । ସେତେବେଳେ ବି ସେମାନେ ନିଷ୍ଠୁର ଭାବେ ସେ ବଳଦଙ୍କୁ ଚାବୁକରେ ମାରିଯାଉଥିଲେ । ତାଙ୍କ କଥା ଜାଣିବାର ଇଚ୍ଛା ଯେବେ ମୁନିଆଶିଙ୍ଘା ଆଉ ଡେଙ୍ଗୁ ମନରେ ଆସିଥାନ୍ତା, ତାହେଲେ ଶୁଣିକରି ସେମାନେ ଚମକି ପଡ଼ିଥାନ୍ତେ-। ଦୁନିଆରେ ଜଣେ ଲୋକର କଥା ଆଉ ଜଣେ ବୁଝିପାରେନା । ଯଦି ୟା ହୋଇନଥାନ୍ତା ତାହେଲେ ବିଭିନ୍ନ କଥାର ସ୍ପଷ୍ଟ ପ୍ରକାଶ, ନିଷେଧ, ସରଳାର୍ଥ ଏବଂ ସେମାନଙ୍କ ଉପରେ ବାଦବିବାଦ ଆଦି ଲାଗି ଅବକାଶ କୁଆଡ଼ୁ ଆସନ୍ତା କି ? ଯୋଉଠି ମଣିଷର ଏମିତି ଅବସ୍ଥା, ସେଠି ବଳଦ କଥାକୁ ବୁଝିବ କିପରି ? ଗୋଟେଆଡ଼ୁ ଦେଖିଲେ ଏ ବି ଠିକ୍ କଥା । ଯାତ୍ରାଶେଷରେ ଯାହା ହବ ସେ ବିଷୟରେ ପ୍ରଥମରୁ ଜଣା ନ ହବାଟା କଣ ଭଲ ନୁହେଁ ?

 

ମୁନିଆଶିଙ୍ଘାକୁ କି ଡେଙ୍ଗୁକୁ ଭବିଷ୍ୟତ କଥା କିଛି ଜଣା ନ ଥିଲା । ସେ ଦୁହେଁ କିଛି ନ ଜାଣି ପରସ୍ପର ଆଡ଼କୁ ଚାହିଁ ଠିଆ ହୋଇଥାନ୍ତି । ମଣିଷ ତ ସବୁକଥା ଜାଣିପାରେନା, ଆଉ ବଳଦ ଭଲା ଜାଣିବେ କେମିତି ?

 

ବିଡ଼ି ପ୍ରାୟ ଶେଷ ହୋଇ ଆସିଲା । ତାପରେ ବି ଆଙ୍ଗୁଠିରେ ସେ ଚିପିରଖିଥିଲେ ହାତ ପୋଡ଼ି ଯାଇଥାନ୍ତା; ତେଣୁ ସେମାନେ ପୋଡ଼ା ବିଡ଼ିଖଣ୍ଡଟିମାନ ଫୋପାଡ଼ି ଦେଇ ଆଖିବୁଜି ଶୋଇଗଲେ ।

 

ମୁନିଆଶିଙ୍ଘା ଡେଙ୍ଗୁ ସାଙ୍ଗେ କଥାବାର୍ତ୍ତା କଲା ।

 

ମୁନିଆଶିଙ୍ଘା ପଚାରିଲା, ‘‘ଚାଷୀ ବାପର ପକ୍ଷାଘାତ ହୋଇଥିଲା । ତାକୁ ଡାକ୍ତରଖାନାରେ ଭର୍ତ୍ତି କରାହୋଇଥିଲା ନା ?’’

 

‘‘ହଁ, ସେଇ କେତେ ଦିନ ଆମେ ଗାଡ଼ିରେ ବସାଇ ଦଶମାଇଲ ଦୂରର ଡାକ୍ତରଖାନାକୁ ଲୋକମାନଙ୍କୁ ନେଇଥିଲେ, ଆଣୁଥିଲେ । ଏଇ କାମ ଏକାଠି ତିନିବର୍ଷ କରିଥିଲେ ବି ଦିନେହେଲେ ନିଜ କାମରେ ହେଳା କରି ନାହୁଁ ।’’

 

‘‘ସକାଳୁ ବିଲରେ ଗୁଡ଼ାଏ କାମ କରିବାକୁ ପଡ଼ୁଥାଏ ଆଉ ସନ୍ଧ୍ୟାବେଳେ ସମସ୍ତଙ୍କୁ ନେଇ ଦଶମାଇଲ ରାସ୍ତା ଡାକ୍ତରଖାନା ଯିବାକୁ ହେଉଥିଲା; ପୁଣି ଫେରିବାକୁ ଦଶମାଇଲ ଦଉଡ଼ିବାକୁ ହେଉଥିଲା ।’’

 

‘‘ଚାଷୀ ତ ପକ୍ଷାଘାତଗ୍ରସ୍ତ ବାପର ସେବା ମନ ଲଗେଇ କଲା; କିନ୍ତୁ ସେ ଆଉ ଭଲକରି ଚଳପ୍ରଚଳ ହେଇ ପାରିଲେନି । ତାଙ୍କ ଅସ୍ଥିକୁ କାବେରୀ ନଈରେ ପକାଇବାକୁ ଲୋକମାନେ ଆମରି ଗାଡ଼ିରେ ଗଲେ କି ନାହିଁ ? ବାପ ମଲାରୁ ବିଚରା ଚାଷୀ କେମିତି ସକେଇ ସକେଇ କାନ୍ଦିଥିଲା ?’’

 

ଯେତେବେଳେ ବଳଦ ଯୋଡ଼ିକ ଏମିତି କଥାବାର୍ତ୍ତା କରୁଥିଲେ, ସେତିକିବେଳେ ଥକ୍‌କା ଚାଷୀଟି ସେଠି ଆସି ପହଞ୍ଚିଲା । ତାର ଇଚ୍ଛାଥିଲା ସେଦିନ ସେ ଡେଙ୍ଗୁ ସାଥିରେ ଆଉ କୋଉ ବଳଦ ଯୋଚି ଚାଷ କରାଇବ । ଯୋଚିଲାବେଳକୁ ଗୁହାଳରେ ତାକୁ ପାଇଲାନି । ହଳ ପାଖରେ ବି ଦେଖାନାହିଁ । ଚାଷୀ ତାକୁ ଖୋଜିବାକୁ ଚାରିଆଡ଼କୁ ଲୋକ ପଠାଇଲା । ସେ ଦେଖିଲା ରାସ୍ତାକଡ଼ର କଇଁଆ ଗଛମୂଳେ କେତେଗୁଡ଼ାଏ ବଳଦ ଏକାଠି ହୋଇଛନ୍ତି । ତେଣୁ ପାନ ଚୋବାଇ ଚୋବାଇ ସେ ଧୀରେ ଧୀରେ ସେଆଡ଼କୁ ଗଲା । ସେଠି ପହଞ୍ଚିବାମାତ୍ରେ ତା ଆଖି ପଡ଼ିଗଲା ଡେଙ୍ଗୁ ଉପରେ ।

 

‘‘ହଉ ତାହେଲେ ସେ ଛୋଟାଟା ସାଙ୍ଗରେ ତୋର ଏତେ ପୀରତି ? ମୁଁ ତତେ ବିଶ୍ୱବ୍ରହ୍ମାଣ୍ଡ ଖୋଜୁଚି । ତୋ ସକାଶେ ମୂଲିଆଙ୍କ କାମ ବନ୍ଦ ହେଇଯାଇଚି । ରହ, ତତେ ଦଉଚି ଆଚ୍ଛାକରି’’ ଏହା କହି ଚାଷୀ ପାଖ ବୁଦାରୁ ମୋଟାକରି ଛାଟଟିଏ ଭାଙ୍ଗିଲା । ଛାଟ ନେଇ ସେ ବେଗେ କଇଁଆ ଗଛମୂଳେ ଠିଆ ହୋଇଥିବା ଡେଙ୍ଗା ଆଡ଼କୁ ଧାଇଁଲା ।

 

ସେତିକିବେଳେ କୁଆଡ଼ୁ ଗୋଟିଏ କୁକୁର ସେଠିକି ଆସିଗଲା । ସେ ଚାଷୀକୁ କାମୁଡ଼ିବାକୁ ଗୋଡ଼ାଇଲା । ତାକୁ ଦେଖି ମନେହେଲା ପାଗଳ କୁକୁର । ଚାଷୀ ଯେତେ ଚେଷ୍ଟା କଲେ କଣ ହବ, ତାଠୁଁ ରକ୍ଷାପାଇପାରିଲାନି ।

 

ସାଙ୍ଗେ ସାଙ୍ଗେ ମୁନିଆଶିଙ୍ଘା ବଳଦ ସେଇ କୁକୁର ଆଡ଼କୁ ଝପଟି ଆସିଲା । କୁକୁର କାମୁଡ଼ାରେ ତା ଦିହରେ ଯୋଉ ଖଣ୍ଡିଆ ହୋଇଗଲା, ତାକୁ ନିଘା ନ ରଖି ସେ କୁକୁର ସାଙ୍ଗରେ ଲଢ଼ି ଲଢ଼ି ନିଜ ମୁନିଆ ଶିଙ୍ଘରେ ତାକୁ ମାରିପକେଇଲା । ସେତେବେଳେ କେଜାଣି କୁଆଡ଼ୁ ଏତେ ବଳ ଆସିଗଲା ତାର । ପାଗଳା କୁକୁର ସାଙ୍ଗରେ ଲଢ଼ୁଥିଲାବେଳେ ଏଣେତେଣେ ଦଉଡ଼ି ତାର ନିଃଶ୍ୱାସ ଖର ହୋଇଯାଇଥିଲା । ଲମ୍ବା ଲମ୍ବା ନିଃଶ୍ୱାସ ନେଇ ସେ ସେଇଠି ଠିଆ ହୋଇଗଲା । ପାଗଳା କୁକୁର କାମୁଡ଼ି ମୁନିଆଶିଂଘାର ଯୋଉଠି ଖଣ୍ଡିଆ ହୋଇଥିଲା ତାକୁ ଡେଙ୍ଗା ଚାଟି ଲାଗିଲା-। ବୋଧହୁଏ ଏତିକି କରି ସେ ଘାଆକୁ ଭଲ କରିବାକୁ ଚାହୁଁଥିଲା ।

 

ଚାଷୀ ଭଲକରି ଜାଣେ ଯେ ପାଗଳା କୁକୁରର କାମୁଡ଼ା ଜାଗାରେ ଚାଟିଲେ ଡେଙ୍ଗୁ ବି ପାଗଳ ହେଇଯିବ ।

 

ଆଉ ସେ ବଳଦଟା ବି ତା କାମକୁ ଆସିବନି ।

 

ପାଗଳା କୁକୁର ଆଉ ବଳଦର ଲଢ଼େଇ ଭିତରେ ଗଣ୍ଡଗୋଳ ଶୁଣି ସବୁ ଜଗୁଆଳିଏ ଚେଇଁଲେ ।

 

ଚାଷୀ ତାଙ୍କୁ ପଚାରିଲା, ‘‘ଭାଇମାନେ, ମୁନିଆଁଶିଙ୍ଘାର ଯୋଡ଼ିଟା ନବ କି ?’’

 

‘‘ଆମେ ତ କାଲି ତମକୁ ମାଗିଥିଲୁ । ତମେଇ ତ ମନାକଲ ।’’

 

‘‘ଏଇଲା ମୁଁ ବିକିବାକୁ ଠିକ୍ କରିଚି । କେତେ ଦାମ୍ ଦବ ?’’

 

‘‘ସେଇ ଶହେ ଟଙ୍କା । ଯୋଡ଼ି ତ ଏକାପରି !’’

 

‘‘ଆଚ୍ଛା ଦିଅ,’’ କହି ଚାଷୀ ଶହେ ଟଙ୍କା ନେଇ ନେଲା । ଆଉ ନୋଟ୍ ଲୁଗା କାନିରେ ବାନ୍ଧି ରଖିଲା ।

 

ବଳଦ ଯୋଡ଼ାକ ଅନ୍ୟ ବଳଦଙ୍କ ସାଙ୍ଗରେ କେରଳ ପ୍ରଦେଶ ଆଡ଼କୁ ଚାଲିଲେ । ଚାବୁକ ମାଡ଼ରେ ସେଠୁ ବଳଦଙ୍କ ଯିବାର ସୂଚନା ଜଣାପଡ଼ିଲା ।

 

ଡେଙ୍ଗା କିଛି ବୁଝିପାରିଲାନି; କିନ୍ତୁ ପାଗଳା କୁକୁରଠାରୁ ମାଲିକକୁ ବଞ୍ଚେଇଥିବା ମୁନିଆଁଶିଙ୍ଘା ସାଙ୍ଗରେ ଚାଲିବାକୁ ତାକୁ ଖୁବ୍ ଭଲ ଲାଗୁଥିଲା । ଚାଷୀ ଯେ ତାକୁ ବି ବଳଦ ମେଳାରେ ଛାଡ଼ି ଯାଇଚି ଏତକ ସେ ଜାଣିପାରି ନ ଥିଲା । ଏ କଥା ଭାବିବା ଆଗରୁଇ ପିଠିରେ ଗୋଟାଏ କୋରଡ଼ାମାଡ଼ ପଡ଼ିଲା । ମୁନିଆଁଶିଙ୍ଘା ଉପରେ ପାଞ୍ଚ ଛଅଟା ମାଡ଼ ହୋଇଗଲା ।

 

‘‘କେଡ଼େ ବଦମାସ୍ ବଳଦଟା । କୁକୁର ସାଙ୍ଗରେ ଲଢ଼େଇ କଲାବେଳେ କେମିତି ଦଉଡ଼ୁଥିଲା ଆଉ ଏଇଲାଗେ ଛୋଟୋଉଚି । ଗୋସେଇଁଖିଆଟା’’ କହି କରି ଜଣେ ଜଗୁଆଳି ବଳଦଙ୍କ ପଛେ ପଛେ ଚାଲିଲା ।

Image

 

ଶଗଡ଼

 

କୟାଁ ଗଛମୂଳେ ପଡ଼ିଥିବା ଭଙ୍ଗାରୁଜା ଶଗଡ଼ ଗାଡ଼ିଟି ରତ୍ନସ୍ୱାମୀଙ୍କୁ କେଜାଣି କେତେ ଘଟଣାର ସ୍ମୃତି ମନେ ପକାଉଥିଲା । ଗାଡ଼ିଟି ବେଶ୍ ଛୋଟିଆ.... ‘ମାଇନର ଗାଡ଼ି’ ବି କହନ୍ତି ତାକୁ । ‘ମାଇନର’ ଅର୍ଥ ଅଳ୍ପବୟସର ନୁହେଁ । ବଡ଼ଲୋକ ଘରର ଖୁସ୍ ମିଞ୍ଜାସିଆ ନବଯୁବକମାନଙ୍କୁ ‘ମାଇନର’ କହନ୍ତିନି କି ? ସେଇମିତି ଜଣେ ‘ମାଇନର’ ସକାଶେ ସେ ଗାଡ଼ିଟି ତିଆରି କରାହେଇଥିଲା । କୌଣସି ସମୟରେ ତାହା ‘ମାଇନର୍‌ର ଗାଡ଼ି’ ଭାବରେ ବିଖ୍ୟାତ ଥିଲା ।

 

ତାକୁ ଦେଖିଲେଇ ତାଙ୍କ ମନରେ କୋମଳାଙ୍ଗିନୀ ସେହି ସୁନ୍ଦରୀ ଯୁବତୀ କଥା ଆପେ ଆସିଯାଏ । ସେଇ ଯୁବତୀର ମୁହଁ, ଆଖି, ଆଖିର ଝଟକିଲା ତେଜ ମନେ ପଡ଼ିଯାଏ । ତା’ କଥା ମନେ ପଡ଼ିଲେଇ ତାଙ୍କ ମନ ଅସୀମ ଦୁଃଖରେ ପୂରିଯାଏ । ତାଙ୍କ ମନରେ କେବଳ ବେଦନାଭିନ୍ନ ଆଉ କୌଣସି ଭାବ ରହିପାରେନା ।

 

ଆହା ! ଏଇ ଗାଡ଼ିଟି ଏବେବି ଏଠି କାହିଁକି ପଡ଼ିଚି ? ସେ ପୂରାପୂରି ନଷ୍ଟ ହୋଇ ଗଲାନି କାହିଁକି ? ଯିଏ ୟାକୁ ଗଢ଼େଇଥିଲା, ସେ ମରିଯାଇଚି, ତା ସ୍ୱାମୀ ମରିଯାଇଚି..... ସେ ବି ମରିଯାଉଚି । ମାଟିରେ ଯୋଉ ଚିହ୍ନ ପଡ଼େ ତା ନିଭିଯାଏ ବା ଅସ୍ପଷ୍ଟ ହୋଇଯାଏ । ପାଣିରେ ମିଳେଇଯିବେ ବା ପବନରେ ଉଭେଇଯିବେ ସେଗୁଡ଼ାକ । ସେଇ ସବୁ ଚିହ୍ନ ଭିତରେ ଆଜି ଦୁଇଟି ଚିହ୍ନ ବାକି ରହିଯାଇଚି, ଏଇ ଗାଡ଼ିଟି ଆଉ ନିଜେ ରତ୍ନସ୍ୱାମୀ । ମାଟି ଉପରେ ଚିହ୍ନ କାହିଁ ? ଯେବେ କେଉଁଠି ସେସବୁ ଦେଖାଯାଆନ୍ତି ତେବେ କଣ ସେସବୁ ଚିହ୍ନ ସବୁକାଳ ପାଇଁ ରହିବେ ? ଆମେମାନେ ସର୍ବଥା ଅଜ୍ଞାନୀ, ଅନ୍ଧବିଶ୍ୱାସୀ ହିସାବରେ ସଂସାରକୁ ଆସୁ ଆଉ ଏଇସବୁ ଜାଲରେ ପଡ଼ିଯାଉ । ଆମେମାନେ କୁଆଡ଼ୁ ଆସୁ ? ଆମେ କଣ ନିଶ୍ଚୟ କରି କହିପାରିବୁ ଆମେ କୁଆଡ଼ୁ ଆସୁ ? ମଣିଷ କଣ ପବନରେ ଉଠୁଥିବା ପାଣି ଉପରର ଢେଉ ଭଳିଆ ? କିଛି ବୁଝି ହଉନାହିଁ । ଯିଏ ଏସବୁ କଥା ଜାଣନ୍ତି ବା ଏସବୁ କଥା ସାଙ୍ଗେ ପରିଚୟ ଥିବାର ଦମ୍ଭ କରନ୍ତି, ତାଙ୍କ କଥା ଉପରେ ବି ଠିକ୍ ବିଶ୍ୱାସ ଆସେନା । ଏଇ ଦୁନିଆର ମାୟା ମିଛ ନା ସତ ? ମିଥ୍ୟା ଉପରେ କଳଙ୍କ ଲାଗିବାର ପ୍ରଶ୍ନ ଉଠେନା, କାହିଁକିନା ମିଥ୍ୟା ଉପରେ କଳଙ୍କ ଲାଗେ ନାହିଁ, ବରଂ ତା ସଙ୍ଗେ ଭଲକରି ମିଶିଯାଏ । ସଂସାର କଣ ସତ୍ୟ ? ସତ୍ୟ ସର୍ବଦା ନିଷ୍କଳଙ୍କ । ସଂସାର ନା ସତ୍ୟ ନା ମିଥ୍ୟା, ତାହା ସତ୍ୟ ଏବଂ ମିଥ୍ୟାର ମିଶ୍ରଣ । ଦୁନିଆରେ ଯାହାକିଛି ଆମକୁ ସ୍ପଷ୍ଟକରି ଦେଖାଯାଏ ତାହା ମିଥ୍ୟା । ଏବଂ ଯାହା ସ୍ପଷ୍ଟ ଦେଖାଯାଏନା, ତାହା ସତ୍ୟ ।

 

ସେହି ଭଙ୍ଗାରୁଜା ଗାଡ଼ିଟି ଦେଖି ରତ୍ନସ୍ୱାମୀଙ୍କ ମନରେ ଏ ବିପକ୍ଷରେ ଘୋର ଦୁଃଖର ଭାବ ଉଛୁଳି ପଡ଼ିଲା ଏବଂ ଅନ୍ୟ ପକ୍ଷରେ ଏହିପରି କେତେ ଦାର୍ଶନିକ ଚିନ୍ତା ଉଦିତ ହେଲା । ସେଇ ଗାଡ଼ିଟି ଉପରେ ବିସ୍ତୃତ ଥିବା ତିନ୍ତୁଳିଗଛଟିରେ ଦିନେ ବହୁତ ଫଳ ଫଳୁଥିଲା । ତହିଁରେ ବସ୍ତା ପରେ ବସ୍ତା ତିନ୍ତୁଳି ଭର୍ତ୍ତି ହୋଇ ଯାଉଥିଲା । ଆଜି ସତେ ଯେପରି ସେ ଗଛଟା ବି ବୁଢ଼ା ହୋଇଯାଇଛି । ତାର ପତ୍ର ମଧ୍ୟ ଝଡ଼ି ଯାଇଛି । ଏଇଲେ ଗଛଟି ଖାଲି ଜାଳେଣି କାଠ ଭାବରେ କାମରେ ଆସିବ । ଏହି ଜଗତର ମାୟାର ରହସ୍ୟ ! ଆଶ୍ଚର୍ଯ୍ୟ ନିୟମ ! ପ୍ରତିଦିନ ସକାଳେ ହସି ହସି ଆସି ସେହି ତିନ୍ତୁଳିଗଛରୁ ଝଡ଼ିଥିବା ଫଳ ବାଛି ବାଛି ଯେଉଁ ଝିଅଟି ନେଇ ଯାଉଥିଲା, ତାକୁ ସେ କେତେଥର ଦେଖିଛି । ବେଳେ ବେଳେ ନିଜେ ସେ କୟାଁ ବାଛିବାରେ ତାକୁ ସାହାଯ୍ୟ ବି କରିଦେଇଛି । ସେତେବେଳେ ତାକୁ ଜଣା ନଥିଲା ଯେ ତାର ଏମିତି କରିବା ଫଳରେ ଭବିଷ୍ୟତରେ କେତେ ଘଟଣା ଘଟିଯିବ । ସେ ଝିଅଟି କଣ ଏକଥା ଜାଣିଥିଲା ? ସେ କଣ ପ୍ରଥମରୁ ଜାଣିଥିଲା ଯେ ସେସବୁ ଘଟଣା ଘଟିଯିବ ? ସେ ଏକଥାଗୁଡ଼ାକ ଜାଣିବ କେମିତି ? ନା, ସେ ଏସବୁ ଘଟଣା ବିଷୟରେ କଦାପି ଜାଣି ନଥିବ । ଏକଥା ନିଶ୍ଚିତ ଭାବେ କହିହେବ । ଯେମିତି କଅଁଳା ବାଛୁରୀ ଡେଇଁଡାଇଁ ବିଲରେ ଚରି ଚରି ତା ମା’ ପିଛା ଲାଗିଥାଏ, ସେଇମିତି ତାର କୁନି ଝିଅ ସରସୁ ତା ଶାଢ଼ି କାନୀଟି ଦାନ୍ତରେ ଚିପି ତା ପଛେ ପଛେ ଦଉଡ଼ୁଥାଏ । ଏ ଦୃଶ୍ୟ କଣ ଭୁଲି ହବାର ? ସେଇ ସରସୁ ଆଜି କୋଉଠି, କିପ୍ରକାର ଜୀବନ କଟାଉଛି, କିଛି ଜଣାନାହିଁ । କାହାକୁ ପଚାରିଲେ କିଛି ଜଣାପଡ଼ୁ ନାହିଁ । ସେତେବେଳେ ପାଖ ପଡ଼ିଶାରେ ଯେଉଁମାନେ ଥିଲେ ଆଜି ସେମାନେ ସେଠି ନାହାନ୍ତି । ପ୍ରାୟ ତିରିଶ ବର୍ଷପରେ ଗାଆଁକୁ ଫେରିଲେ ଏଇ ଅବସ୍ଥା ହବାରତ କଥା.... ? ପୂର୍ବ ପରିଚିତ ମୁହଁ ଆଉ ଦେଖିବାକୁ ମିଳୁନାହିଁ ଗୋଟିଏ ହେଲେ । ହଁ....ଏଇ ତାହେଲେ ଦୁନିଆ ?

 

ସୁନ୍ଦର ଜିନିଷରେ ସଦାବେଳେ ସୁଖ ମିଳେ, ଏଇଥିପାଇଁ କଣ ସେମାନେ ଅବିନାଶୀ ? ଦେବୀପ୍ରତିମା ପରି ସୁନ୍ଦରୀ ସେହି ଯୁବତୀ କାହିଁକି ମରିଗଲା ? ରାସ୍ତାର ଶୋଭାବର୍ଦ୍ଧକ, ସୂର୍ଯ୍ୟଙ୍କ ରଥପରି ଉଜ୍ଜ୍ୱଳ ଏହି ଗାଡ଼ିଟି ଭଙ୍ଗାରୁଜା ଅବସ୍ଥାରେ ପଡ଼ିଛି କାହିଁକି ? ସବୁଜ ସୁନ୍ଦର ଫଳପୁଷ୍ପଭରା ଏହି ତିନ୍ତୁଳିଗଛ ଆଜି ଥୁଣ୍ଟା ହେଇ ତଳେ ଶୋଇଯିବାକୁ ପ୍ରସ୍ତୁତ କାହିଁକି ହେଉଛି ? ସୌନ୍ଦର୍ଯ୍ୟ କଣ ଚିରନ୍ତନ ନିୟମ ? ନା, ଏପରି କହିବା ମିଥ୍ୟା, ପୂରାପୂରି ମିଥ୍ୟା ।

 

ଏହି ଛୋଟ ଶଗଡ଼ଟିକି ଶାନ୍ତପ୍‌ପନ ନାମକ ଅଳସୁଆ ବଢ଼େଇ ବନାଇଥିଲା । ଏହି ତିନ୍ତୁଳି ଗଛମୂଳେଇ ଏ ଗାଡ଼ିଟି ଗଢ଼ା ହୋଇଥିଲା । ଗାଁର ବେପାରୀମାନେ ଆଜି ବି ନିଜର ପୁରୁଣା ପରମ୍ପରା ରଖିଛନ୍ତି କି ନାହିଁ, ରତ୍ନସ୍ୱାମୀ ଏ ବିଷୟରେ କିଛି ଜାଣେନା । ସେ ଆଜି ଏଠିକି ଆସିଚି । ଲୋକମାନଙ୍କ ଆଗରେ ସେ ଅପରିଚିତ ଲାଗୁଚି । ଆଗେ ଗାଁଟାଯାକର ଲୋକ ତାକୁ ଜାଣିଥିଲେ । ସେ ଗାଁର ସେ ଗେହ୍ଲାପୁଅ ଥିଲା କହିଲେ ଅତ୍ୟୁକ୍ତି ହବନାହିଁ । ସମସ୍ତେ ‘ରତ୍ନା’କୁ ନିଜର ଗେହ୍ଲାପୁଅ କରିଥିଲେ । ଶେଷରେ ‘ପତିତ ଦେବଦୂତ ପରି’ ସେ ଗାଁ ଛାଡ଼ି ଚାଲିଗଲା । ହୁଏତ କେଉଁଠି କେଉଁ କୋଣରେ, କେଉଁ ପରିଚିତ ଲୋକର ମୁହଁ, ଯାହାକି ଆଜି ବାର୍ଦ୍ଧକ୍ୟର ଲକ୍ଷଣଯୁକ୍ତ ହୋଇଥିବ, ଦେଖାଦେଇପାରେ । ବର୍ତ୍ତମାନ ସୁଦ୍ଧା ତାକୁ ଏମିତି କୌଣସି ମୁହଁ ଦିଶୁନାହିଁ; ହୁଏତ ପରେ ଦେଖାଯାଇପାରେ ।

 

ଗାଁରେ ବଢ଼େଇ, କମାର, ବଣିଆ ଇତ୍ୟାଦି, ପୁଣି ଧୋବା ଭଣ୍ଡାରି ଆଦି ବ୍ୟବସାୟୀମାନଙ୍କୁ କାମ ବଦଳି ପଇସା ଦବାର ପ୍ରଥା ନଥିଲା । ଅମଳବେଳେ ତାଙ୍କୁ ସବୁ ବେଶ୍‌କରି ଫସଲ ଦିଆ ହେଉଥିଲା । ବିଭିନ୍ନ ପର୍ବପର୍ବାଣୀ, ବାହାପୁଆଣୀ ଆଦି ଦିନମାନଙ୍କରେ ସେମାନଙ୍କୁ ନାନା ଦିଗରୁ ଆୟ ମିଳୁଥିଲା । ହଳ ମରାମତି, ଖତଗାଡ଼ିର ଚକରେ ଲୁହା ହାଲ ଲଗେଇବା ଆଦି ସାଧାରଣ କାମ କରିବା ବଢ଼େଇମାନଙ୍କର କର୍ତ୍ତବ୍ୟ ବୋଲି ଗଣାହେଉଥିଲା । ଏଇମିତି ଛୋଟ ଛୋଟ କାମ ବାହାନାରେ ପୂରା ଗାଡ଼ିଟିଏ ଗଢ଼େଇ ନେଲେ ତାଙ୍କୁ ଦାମ୍ ଦବାକୁ ପଡ଼ୁଥିଲା । ନିଜ କାମ ହଉ ବା ଫସଲ ଅମଳ କରିବା ହଉ, ଶାନ୍ତପ୍‌ପନ ବହୁତ ଅଳସୁଆମି କରୁଥିଲା । ସବୁବେଳେ ଚାହିଁବ କେମିତି ନିଜ ଉପରୁ କାମଟିକି ଖସେଇଦବ । କାମ ବଦଳରେ ଫସଲ ନବାକୁ ବି ସେ ନିଜେ ଯାଏନା । ତା ସ୍ତ୍ରୀ ପିଲାଏ ମାଲିକ ପାଖକୁ ଆସି ଗଣ୍ଡେ ଗଣ୍ଡେ ମାଗି ନେଉଥିଲେ, ଯେମିତି ଭିକ ମାଗୁଚନ୍ତି । ଗାଁର ଜମିରୁ ଖଣ୍ଡିଏ ତାର ଘରର ଥିଲା । ସେ ଜମି ଖୁବ୍ ଉର୍ବର । ସେଇଥିରୁ ସେମାନଙ୍କୁ ଦି ଓଳି ଖାଇବାକୁ ଜୁଟିଯାଏ ।

 

ଥରେ ଗୁରୁମୂର୍ତ୍ତି ଶାନ୍ତପ୍‌ପନକୁ ଠିକା ଦେଲେ । ଠିକା ଦେବାର ରହସ୍ୟ ଏତିକି ଯେ ବଡ଼ ଚାଷୀ ଗୁରୁମୂର୍ତ୍ତିଙ୍କୁ ଜଣାଥିଲା, ଶାନ୍ତପ୍‌ପନଠୁଁ କାମ ଆଦାୟ କରିବାର ସବୁଠୁଁ ଭଲ ଉପାୟ ତାକୁ ଠିକା ଦବା । ବଡ଼ ଚାଷୀ କହିଲେ ୟା ବୁଝିବାର ନୁହେ ଯେ ତାଙ୍କ ପାଖେ ଅନେକ ବେଲୀ ଜମି । ତାଙ୍କର ସବୁ ମିଶି ଅଢ଼େଇ ବେଲୀ ଜମି ଥିବ । ସେ ଗାଁରେ ଏକ ବେଲୀରୁ ବେଶୀ କୋଉ ଚାଷୀର ନଥିଲା । ସମସ୍ତେ ଗୁରୁମୂର୍ତ୍ତିଙ୍କୁ ଆଦର କରୁଥିଲେ । ୟାର କାରଣ ନୁହେଁ ଯେ ସେ ବଡ଼ ଚାଷୀ; ବରଂ ତାଙ୍କର ସୁନ୍ଦର ସ୍ୱଭାବ ହିଁ ଏହାର ଏକମାତ୍ର କାରଣ ଥିଲା । ସେ କାହାରିକି ଭଲମନ୍ଦ କହନ୍ତିନି । ଭଗବାନଙ୍କର ବଡ଼ ଭକ୍ତ । ତାଙ୍କୁ ଗୋଟେ ପ୍ରକାରର ଦାର୍ଶନିକ କୁହାଯାଇପାରେ । ସେ କିଛି ବିଧିଗତ ଉଚ୍ଚଶିକ୍ଷା ପାଇ ନଥିଲେ । ଆହୁରି ପରିଷ୍କାର କରି କହିଲେ, ସେ ଦ୍ୱିତୀୟ ଶ୍ରେଣୀରୁ ବେଶୀ ପଢ଼ି ନଥିଲେ; କିନ୍ତୁ ତାଙ୍କ ଆଲମାରିମାନଙ୍କରେ ବହି ପୂରି ରହିଥିଲା । ତାଙ୍କର ଅଧିକାଂଶ ବହି ଭଗବତ୍ ସ୍ତୁତି, ଧର୍ମ, ଦର୍ଶନ ଆଦି ସମ୍ବନ୍ଧୀୟ । ନୀରସ, ନିରର୍ଥକ କଥା ତାଙ୍କୁ ଭଲ ଲାଗେନା । ବିଭିନ୍ନ କଳାର ଗଭୀର ଅଧ୍ୟୟନ କରି ସେ କଳାକୁ ବୁଝୁଥିଲେ; କିନ୍ତୁ ସେ କଳାକୁ ଅଦରକାରୀ ମନେ କରୁଥିଲେ । ସେଇଥିପାଇଁ ସେ କଳା ସମ୍ବନ୍ଧୀୟ ପୁସ୍ତକ ସଂଗ୍ରହ କରି ନଥିଲେ । ଅଠର ସିଦ୍ଧଗଣ(୧), ତାୟୁମନବର(୨), ପଟ୍ଟିନତ୍ତାର(୩)ଙ୍କ ପଦସଂଗ୍ରହ, ହୁନମାନ ପରାକ୍ରମ, ବିନାୟକ ମାହାତ୍ମ୍ୟ, ତରୁବିଳୈୟାଡ଼ଲ ପୁରାଣମ୍(୪) ଆଦି ପୁସ୍ତକମାନ ଓ ଅନ୍ୟ ଅନେକ ପଦ୍ୟଗ୍ରନ୍ଥ ତାଙ୍କ ପାଖେ ରହିଥିଲା । ସେହି ପୁସ୍ତକମାନଙ୍କ ଭିତରେ ତାଙ୍କର ଜଣେ ତାଞ୍ଜୋରବାସୀଦ୍ୱାରା ରଚିତ ‘ଭଗବତ୍‌ଗୀତା ବ୍ୟାଖ୍ୟା’ ନାମକ ପୁସ୍ତକ ଅତ୍ୟଧିକ ପ୍ରିୟ ଥିଲା । ବହିଟି ସେ ଅନେକ ଥର ପଢ଼ିଥିଲେ । ଥରେ କେହି ଜଣେ ତାଙ୍କଠାରୁ ବହିଟି ମାଗି ନେଇଗଲା; ଆଉ ଫେରେଇବାର ନାମ ମାତ୍ର ନେଲା ନାହିଁ । ବହିଟି ହଜିଯିବାଟା ସେ ନିଜର ଦୁର୍ଭାଗ୍ୟ ବୋଲି ମନେକରୁଥିଲେ ।

 

* ବେଲୀ= ଛ’ ଏକର ୭୫ ଡିସିମିଲ୍‍ ଜମି ।

 

ଶାନ୍ତପ୍‌ପନ ଯେତେବେଳେ ପଇସା ମାଗୁଥିଲା ଗୁରୁମୂର୍ତ୍ତି ପ୍ରଥମେ ମନାକରି ପରେ ତାକୁ କିଛି ପଇସା ଦେଇ ଦେଉଥିଲେ । ସେ ତାକୁ ସବୁବେଳେ ଚିଡ଼ାଉଥିଲେ ।

 

ଶାନ୍ତପ୍‌ପନ ହିଁ ତାଙ୍କ ଘରର ମନ୍ଦିର ତଥା ଭଗବାନଙ୍କ ମୂର୍ତ୍ତିମାନ ରଖିବାକୁ ସୁନ୍ଦର, କଳାପୂର୍ଣ୍ଣ ଆସନ ଗଢ଼ିଥିଲା । ଗୁରୁମୂର୍ତ୍ତି ନିଜର ପରିବାରର କଲ୍ୟାଣ ଲାଗି ସେହି ଆସନ ତଳେ ନବରତ୍ନ ବସାଇ ଦେଇଥିଲେ । ଏ କଥା ବଢ଼େଇ ଶାନ୍ତପ୍‌ପନ ଜାଣି ନ ଥିଲା; କିନ୍ତୁ ରତ୍ନସ୍ୱାମୀ ଜାଣିଥିଲା । ଶାନ୍ତପ୍‌ପନ କେଉଁ ‘ପଲିଟେକ୍‌ନିକ୍’ରେ ଯାଇ ଶିକ୍ଷାଗ୍ରହଣ କରି ନଥିଲା । ସେତେବେଳେ ଏ ପ୍ରକାର ଶିକ୍ଷା ପାଇବାର ପ୍ରଥା ବି କୁଆଡ଼େ ଥିଲା ? ଯୋଉ ଜିନିଷକୁ ସେ ଆଖି ଲଗେଇ ଦେଖିନିଏ ତାକୁ ହାତରେ ତିଆରି କରି ଦେଉଥିଲା । ଏହା କହିବା ଠିକ୍ ହେବନାହିଁ; କାରଣ ସେ ନିଜ ଆଖିରେ ଯୋଉ ଜିନିଷ ଦେଖୁଥିଲା ତାର ଯୋଉଠି ଯାହା ନାହିଁ ତାକୁ ପୂରଣ କରି ତାକୁ ନିଜର କଳ୍ପନା ପ୍ରୟୋଗ ଫଳରେ ନିପୁଣ କଳାକୃତିର କାରିଗରି ଦେଇ ଗଢ଼ିବାର କ୍ଷମତା ତାର ହାତରେ ଥିଲା ।

 

* (୧) ତାମିଲନାଡ଼ୁରେ ଜନ୍ମ ହୋଇଥିବା ଅଠର ଜଣ ରହସ୍ୟବାଦୀ କବି ।

 

(୨) ତାମିଲ୍‍ର ଜଣେ ଭକ୍ତକବି ।

 

(୩) ତାମିଲର ଶିବଭକ୍ତ କବିମାନଙ୍କ ଭିତରୁ ଅନ୍ୟତମ ।

 

(୪) ତାମିଲରେ ରଚିତ ଏକ ପୁରାଣ ଯହିଁରେ ଶିବାଜୀଙ୍କର ଅଲୌକିକ କୃତିମାନଙ୍କର ବର୍ଣ୍ଣନା ହୋଇଛି ।

 

ଦିନେ ଗୁରୁମୂର୍ତ୍ତି କହିଲେ, ‘‘ଠାପୁଆ ଶାନ୍ତପ୍‌ପନ କଣ କରିପାରିବ ? ସେ କଠୋଉ ଗଢ଼ିପାରେ । ବଙ୍କାଟଙ୍କା କାଠ ବି କାଟିକରି ସେ କଠୋଉ ଗଢ଼ିପାରେ । ପଚାରିଲେ ସେ କହିବ, ‘‘ଏ କାମ ବଡ଼ ସହଜ । ଏ କାମ କଲେ ଆଖିକୁ ସୁଖ; କିନ୍ତୁ ସେ କଣ ଗୋଟେ ଛୋଟିଆ ଶଗଡ଼ ଗଢ଼ି ପାରିବ ? ହଁ, ଗୋଟେ ହାଲୁକା ଶଗଡ଼ ଗଢ଼ି ପାରିବ ?’’

 

ତାଙ୍କର ଏଇ କଥାକୁ ଶାନ୍ତପ୍‌ପନ ଠିକା ହିସାବରେ ଗ୍ରହଣ କଲା ଏବଂ ସେ କାମରେ ଲାଗିଗଲା ।

 

ଗୁରୁମୂର୍ତ୍ତି ଗୋଟି ଗୋଟି କରି କାଠ, କଣ୍ଟା, ବେତ, ମହମ, କନା, ତାଟି, କମାଣି, କାଚ ଇତ୍ୟାଦି ଜିନିଷ କିଣିଲେ । ବଢ଼େଇ କି ସାହାଯ୍ୟ କରିବାକୁ କିଛି ଲୋକ ଲଗେଇଲେ । ସେମାନେ ସମସ୍ତେ ନିଜ ନିଜର ମଜୁରି ଠିକ୍ କରିନେଲେ; କିନ୍ତୁ ଶାନ୍ତପ୍‌ପନ ନିଜର ମଜୁରି ଠିକ୍ କରିନଥିଲା । ଶାନ୍ତପ୍‌ପନ କଣ ଗୁରୁମୂର୍ତ୍ତିଙ୍କଠୁଁ ମଜୁରି ନେଇପାରେ ? ସେ ତାର ଆଶ୍ରୟଦାତା ଓ ସେ ତାଙ୍କର କଳାକାର । ଶାନ୍ତପ୍‌ପନ ଲାଗି ଗୁରୁମୂର୍ତ୍ତିଙ୍କର ପ୍ରଶଂସାସୂଚକ ଦୁଇଟି ପଦ ‘‘ସାବାସ୍ ଶାନ୍ତପ୍‌ପା’ ତାଙ୍କର ମଜୁରିଠୁ ବଳି ।

 

ଗୁରୁମୂର୍ତ୍ତିଙ୍କ ଘରଭିତରେ ଶାନ୍ତପ୍‌ପନର ସବୁବେଳେ ସମାଦର ହୁଏ । କାମବେଳ କଥା କହିବାକୁ ନାହିଁ । ସେତେବେଳେ ତାକୁ କଫି, ଜଳଖିଆ, ଖାଇବା ସବୁ କିଛି ସେଇଠି ମିଳିଯାଉଥିଲା-। ଜଳଖିଆ ହଉ, ଭାତ ହଉ ସେ ଖୁବ୍ ମଜାକରି ଖାଇପାରେନା; କାହିଁକିନା ଖାଲିପେଟରେ କାମ କରିବାକୁ ସେ ଭଲପାଏ । ସେ ଠିକଣାବେଳେ ଗରମ ଗରମ କେବେ ହେଲେ କୋଉ ଜିନିଷ ଖାଇନାହିଁ । କାମଟି ବଢ଼େଇ ତେବେଯାଇ ନିଶ୍ଚିନ୍ତ ହୋଇ ସେ କିଛି ଖାଇପାରେ । କାମବେଳେ ତାର ଜଳଖିଆ, ଭାତ ସବୁକିଛି ଥଣ୍ଡା ହୋଇଯାଏ ।

 

ସେ ଶୀଘ୍ର ଶୀଘ୍ର ସେଇ ହାଲୁକା ଶଗଡ଼ଟି ଗଢ଼ି ନେଲା । ଚାରିମାସ ପରେ ପାଖର କେଉଁ ଗାଁରେ ବାହାଘର ଥିଲା । ଶାନ୍ତପ୍‌ପନ କହିଥିଲା ‘‘ଗୁରୁମୂର୍ତ୍ତିବାବୁ ମୋ ତିଆରି ଗାଡ଼ିରେଇ ବସିକରି ବାହାଘରକୁ ଯିବେ ।’’ ଏଇଥିପାଇଁ ସେ ଜଲଦି ଜଲଦି ସେଇ ଗାଡ଼ିଟି ଗଢ଼ି ଦେଇଥିଲା ।

 

ସବାଆଗ ସେ ଗାଡ଼ିର ଉପର ଅଂଶ ଗଢ଼ିଲା । ତା ଉପରେ ତିନିଥର ରଙ୍ଗ ଦେଲା । ତହିଁରେ ଜାଗା ଜାଗାରେ ନାଲି, ହଳଦିଆ, ନେଳିଆ ଓ ବାଇଗଣି ରଙ୍ଗର କାଚ ବସାଇଦେଲା । ଗାଡ଼ିର ଉପର ଭାଗ ଉପରେ ସେ ନିଜ ହାତରେ କିଛି ସୁନ୍ଦର ଛବି ତିଆରି କଲା । ଶାନ୍ତପ୍‌ପନ ଚିତ୍ରକର୍ମରେ ବି ପଟୁ ଥିଲା ।

 

ଗାଡ଼ି ଦେଖି ଗୁରୁମୂର୍ତ୍ତି କହିଲେ, ‘‘ସାବାସ୍ ! ତୁ ବଡ଼ ସୁନ୍ଦର ଶଗଡ଼ ତିଆରିଛୁ । ଶାନ୍ତପ୍‌ପନ, ତୁ ବଡ଼ ଚତୁର ଶିଳ୍ପୀ !’’

 

ଶାନ୍ତପ୍‌ପନର ନିଶ ନଥିଲା; କିନ୍ତୁ ସେ ନିଶରେ ହାତ ମାରିବାର ଅଭିନୟ କଲା ।

 

ଯେଉଁ ଦିନମାନଙ୍କରେ ସେଇ ଛୋଟ ଶଗଡ଼ଟି ଗଢ଼ା ହେଉଥିଲା ସେତେବେଳେ ସରସୁ ଛୋଟ ପିଲା ନଥିଲା । ସେ ଏତେ ବଡ଼ ହୋଇଯାଇଥିଲା ଯେ ତା’ପରେ ତା ମାଆ ଆଠଟି ପିଲା ଜନ୍ମକରି ପାରିଥାନ୍ତା । ସରସୁ ସେତେବେଳେ ଏଗାର ବର୍ଷର ହୋଇ ଯାଇଥିଲା । ତା ମା ତା’ପରେ କୌଣସି ପିଲା ଜନ୍ମ କରିନାହିଁ । ଆହା ! ତାର ପୁଅଟିଏ ହୋଇଥାନ୍ତା କି ! ବିଧାତା ନିଷ୍ଠୁର । ସେ ଅନ୍ଧ । ବିଧାତା ତା ଜୀବନରେ ଏଇ ଅଭାବଟି ରଖିଦେଲା କାହିଁକି ? ସେଇଥିପାଇଁ ତ....ସେଇଥିପାଇଁ ତ....ଆଃ ! ସେସବୁ କଥାର କଳ୍ପନା ବି କରି ହୁଏନା ।

 

କେତେ ଭଲ ହେଇଥାନ୍ତା ଯେବେ ରତ୍ନମ୍‌ର ବାପା ସେ ଗାଁ ଇସ୍କୁଲର ଶିକ୍ଷକ ହୋଇ ଆସିନଥାନ୍ତେ ! କେତେ ଗାଁରେ ଇସ୍କୁଲ ନାହିଁ । ଏ ଗାଁରେ ଇସ୍କୁଲ ନ ଥିଲେ କାହାର କଣ ହେଇଯାଉଥିଲା ? କେତେ ଭଲ ହେଇଥାନ୍ତା ଯେବେ ଏ ଗାଁରେ ଇସ୍କୁଲ ନଥାନ୍ତା ! ବାପା ଗାଁରେ ମାଷ୍ଟର ଥିଲେ । ସେଇଥିପାଇଁ ରତ୍ନସ୍ୱାମୀକି ବି ଏଠି ଆସି ରହିବାକୁ ପଡ଼ିଲା । ସେଇଥିରୁ ତାର ଗୁରୁମୂର୍ତ୍ତି ସାଙ୍ଗରେ ବନ୍ଧୁତା ହେଲା ଏବଂ ସେ ତାଙ୍କ ସଙ୍ଗେ ଭାଇ ଭଳି ବ୍ୟବହାର କଲା । ସେ ଦାର୍ଶନିକ ଲୋକ; କିନ୍ତୁ ରତ୍ନସ୍ୱାମୀର ତର୍କବିତର୍କ ଶୁଣି ତାର ସମାଧାନ କରିବାକୁ ତାଙ୍କର ବିଶେଷ ଆଗ୍ରହ ଥିଲା । ଥଟ୍ଟାରେ ବି ଗୁରୁମୂର୍ତ୍ତି ମର୍ଯ୍ୟାଦା ଜଗି ଚଳୁଥିଲେ । ତାଆସ ଖେଳିବା ଭିତରେ ରତ୍ନମ୍‌ର ଘୁଂଘୁଳାଘୁଂଘୁଳି ଦେଖି ସେ ଖୁସି ହେଉଥିଲେ । ସେ ବିଚାରୁଥିଲେ, ରତ୍ନମ୍ ବୁଦ୍ଧିମାନ୍ ପିଲା; କିନ୍ତୁ ତା ଭିତରେ କେତେକ ପରିମାଣରେ ନୀଚତା ବି ରହିଛି । ସବୁରକମର କଠୋର କାର୍ଯ୍ୟ କରିବା ସକାଶେ ସେ ରତ୍ନମ୍‌କୁ ହିଁ ଡାକୁଥିଲେ । ଖାଲି ସେତିକି ନୁହେଁ, ତାଙ୍କ ସ୍ତ୍ରୀ ଶିବକାମୀ ମଧ୍ୟ ସବୁ କାମ ଲାଗି ତାକୁଇ ଡାକି ପଠାଉଥିଲେ । କାହାରି ସାହାଯ୍ୟ ନ ନେଇ କୂଅରେ ପଡ଼ିଥିବା ଢାଳ ବାହାର କରି ଆଣିବା, ନଡ଼ିଆ ଗଛରେ ଚଢ଼ି ନଡ଼ିଆ ପାରିବା, ତରକା ବଳଦ ଯୋଚା ହେଇଥିବା ଶଗଡ଼ଗାଡ଼ିକୁ ସହଜରେ ଚଳାଇବା–ରତ୍ନମ୍ ଏ ସବୁ କାମ କରିବାକୁ ସର୍ବଦା ପ୍ରସ୍ତୁତ ଥିଲା । ଏଇ ପ୍ରକାର ଗାଡ଼ି ଚଳେଇବା ସକାଶେ ହିଁ ତାର ଏହି ଦୁର୍ଦ୍ଦଶା ହେଲା ।

 

ଗାଡ଼ି ତିଆରି ସରିଗଲା । ବାହାଘରର ଦିନକ ଆଗର ସନ୍ଧ୍ୟାବେଳ । ଶିବକାମୀ ଅଣ୍ଟାରେ ମାଠିଆ ନେଇ କୂଅକୁ ପାଣି ଆଣିବାକୁ ଯାଉଥିଲା । ଗାଁବାଲାଙ୍କ ସୁବିଧା ସକାଶେ ନିକଟରେ କୂଅରେ ‘ହାଣ୍ଡ୍‌ପମ୍ପ’ ଲଗାହେଇଥିଲା; ତେଣୁ ଜଞ୍ଜିର ନନେଇ ସେ କୂଅମୂଳକୁ ଯାଉଥିଲା-। ସେ ଗୋଟିଏ ହାତରେ ମାଠିଆ ଧରିଥାଏ । ଆର ହାତରେ ମାଠିଆଟି କି ଅତି ସୁକୁମାର ଭାବରେ ଆଶ୍ରା ଦେଇ ସେ ଆସ୍ତେ ଆସ୍ତେ ଚାଲୁଥିଲା ।

 

‘‘ରତ୍ନ, ତୋ ଭାଉଜକୁ ଦେଖିଲୁ କି ? କଟିରେ ମାଠିଆ ନେଇ ଯାଉଥିବା ଶିବକାମୀକୁ ଦେଖିଲେ ମନେ ହେଉଛି ଜାଣି ଯଶୋଦା ବାଳକୃଷ୍ଣଙ୍କୁ କାଖେଇ ଯାଉଛନ୍ତି । ଏ ଯଶୋଦାର ପୁଅ ନ ହବାରୁ ବଡ଼ ଦୁଃଖ’’ କହି ଗୁରୁମୂର୍ତ୍ତି ତାଙ୍କ ସ୍ତ୍ରୀକି ଚିଡ଼ାଇଲେ ।

 

ସ୍ତ୍ରୀ କି ଏଭଳି ଚିଡ଼ାଇବାରେ ତାଙ୍କର ଖୁବ୍ ଆନନ୍ଦ ଥିଲା । ସେ ତାର ପୁଅ ନହେବାର ବେଦନାର ଗଭୀରତା ଜାଣିପାରିଲେ ନାହିଁ । ଶାନ୍ତ, ଶୀତଳ, ସମତଳ ଭୂଇଁରେ ଯେ ଠିଆହେଇଛି ସେ କାହୁଁ ବୁଝିବ ଜ୍ୱାଳାମୁଖୀ ଆଗ୍ନେୟଗିରି ଭିତରର ଉତ୍ତାପ କେତେ ?

 

ଦିନେ ସେ ସ୍ୱପ୍ନ ଦେଖିଲେ ଯେ ଶିବାଜୀ ଆସି ତାଙ୍କୁ କହୁଚନ୍ତି, ‘‘ଆଉ ତୋର ପୁଅ ହେବ ନାହିଁ ।’’ ଗୁରୁମୂର୍ତ୍ତି ଯେ ବଡ଼ ପରିଷ୍କାର ଭାଷାରେ ନିଜର ସ୍ୱପ୍ନ ବୃତ୍ତାନ୍ତ ଶିବକାମୀକୁ କହିଥିଲେ ଏ କଥା ଭାବି ଖୁସି ହେଲେ । ସେ ହତଭାଗ୍ୟ ! ସେ ଜାଣିପାରିଲେନି ଯେ ନିରାଶା କିଛି ନିଭିଲା ନିଆଁ ନୁହେଁ; କିନ୍ତୁ ପାଉଁଶ ତଳର ଜ୍ୱଳନ୍ତ ବହ୍ନି ଯାହାକି ଅଳ୍ପ ପବନରେ ଧୁ ଧୁ ହୋଇ ଜଳିପାରେ । ଶେଷକୁ ହେଲା ବି ସେଇଆ ! ସେ ଯେଉଁ ନିଆଁ ଜଳାଇଦେଲେ ତାହା ଆଜି ବି ଜଳୁଛି-

 

ଗୁରୁମୂର୍ତ୍ତି ବିବାହରେ ଯୋଗଦେବାକୁ ବାହାରିଗଲେ । ଗଳିର ଆଉ କେତେକ ବାସିନ୍ଦା ନିଜ ନିଜର ଗାଡ଼ିରେ ବାହାରିଲେ । ସମସ୍ତେ ବନ୍ଧୁବାନ୍ଧବ, ରତ୍ନମ୍‌ର ସେମାନଙ୍କ ସଙ୍ଗେ କିଛି ବନ୍ଧୁତା ନଥିଲା; କିନ୍ତୁ ସେ ଗୁରୁମୂର୍ତ୍ତିଙ୍କ ପରିବାର ସାଙ୍ଗରେ ବନ୍ଧୁତା କରିସାରିଥିଲା କିନା ! ଗୁରୁମୂର୍ତ୍ତିଙ୍କର ସଭା-କଳାକାର ଥିଲା ଶାନ୍ତପ୍‌ପନ ଓ ସଭାପଣ୍ଡିତ ଥିଲା ରତ୍ନସ୍ୱାମୀ । ଦୁହେଁ ତାଙ୍କ ସାଙ୍ଗରେ ଗଲେ-

 

ରତ୍ନମ୍‌ ନିଜର ବାପାଙ୍କ ଆଖିରେ ପୂରାପୂରି ଅକର୍ମା ଥିଲା । ତା ଆଢ଼ୁଆଳରେ ସର୍ବଦା ସେ ତାକୁ ଗାଳି ଦେଉଥିଲେ ଓ ଭାବୁଥିଲେ ‘‘ଅବାଧ୍ୟ ପୁତ୍ରକୁ ଜୀବନରେ ମାରିଦବା ବି ପାପ ନୁହେଁ-।’’ ରତ୍ନମ୍ ଆଗରେ ଅବଶ୍ୟ କିଛି କହିପାରନ୍ତିନି । ତା ଉପରେ କୌଣସି ପ୍ରକାରର କଟକଣା ବି ରଖିପାରୁନଥିଲେ । ବର୍ତ୍ତମାନ ତା ମୁଣ୍ଡରେ ଛୋଟିଆ ଚୁଟିଟିଏ । ଦିନେ ତା ମୁଣ୍ଡରେ ବେଶ୍ ମୋଟା ଚୁଟିଟିଏ ଥିଲା । ପୁଅର ଏଇ ଚୁଟିଟି ଦେଖିଲେଇ ବାପାଙ୍କର ବ୍ରହ୍ମତାଳୁ ଜଳିଯାଉଥିଲା । ତାର ଲମ୍ବ କଲି ଆଉ ବାଳକୁ ଦେଖି ବାପ ହାହାକାର କରୁଥିଲେ । ସେ ପାତଳ ବାଳ ଆଉ କଲି ଭିତରେ ଫରକ୍ ବୁଝୁନଥିଲେ; କିନ୍ତୁ ରତ୍ନମ୍ ଯୁବକ ଥିଲା । ବୟସ ପ୍ରାୟ ପଚିଶି ହବ । ସେ ସଦାବେଳେ ମନଭୁଲାଣିଆ ବାସନାତେଲ ହିଁ ବ୍ୟବହାର କରେ । ତା ମୁଣ୍ଡରେ ଅଳ୍ପ ବାଳ । ସେଇ ବାଳକେଇଟାକୁ ସେ ଏମିତି ବାଗରେ ମୋଡ଼ିମାଡ଼ି ବାନ୍ଧିଦିଏ ଯେ ତା ଜୁଡ଼ାଟି ଯେମିତି ବଡ଼ ଦିଶିବ-। ସେ ପିନ୍ ଲଗେଇ ସେଇ ଜୁଡ଼ାଟିକି ମଥାରେ ବସାଇ ରଖୁଥିଲା । କେବେ କେବେ ସେ ଝିଅପିଲାଙ୍କ ପରି ଜୁଡ଼ା ବାନ୍ଧୁଥିଲା । ଭଲକରି କୁଣ୍ଡେଇ ଦେଲେ ତା ବାଳ ବେଶ୍ ସଜେଇ ହେଇ ରହିଥାଏ; କିନ୍ତୁ ତଥାପି ସେ ବାଳରେ ଗୋଲ୍ ପାନିଆଁ ଲଗାଉଥିଲା ଯେମିତି ସେ ଗୋଟାଏ ଅଳଙ୍କାର । ମଲ୍‌ମଲ୍‌ କୁରୁତା, ସିଲ୍‌କି ଚାଦର, ଅଣ୍ଟାରେ ସୁନ୍ଦର ଚଉଡ଼ା ଲୁଙ୍ଗି, ମଥାରେ ବାସ୍ନା କୁଙ୍କୁମ ଟିପା, ପାନପିକରେ ଲାଲ୍ ଓଠ–ଏଇ ଥିଲା ତାର ବେଶଭୂଷା । ମୁହଁରେ ଦୋକ୍ତା ଦେଇ ଯେତେବେଳେ ସେ ଲଗାମ ଧରେ ସେତେବେଳେ ଅମଣିଆ ବଳଦ ଦେହରେ ବି ଜାଣି ଡେଣା ଲାଗିଯାଉଥିଲା, ଆଉ ସେମାନେ ଘୋଡ଼ାପରି ବେଗେ ଦଉଡ଼ୁଥିଲେ । ସେଦିନ ରତ୍ନସ୍ୱାମୀ ହିଁ ସେଇ ଶଗଡ଼ଟି ଚଳାଇବା କାମ ହାତକୁ ନେଇଥିଲା । ଏସବୁ ତାହାରି କୁପରିଣାମ ।

 

ଗୁରୁମୂର୍ତ୍ତି ସେହି ହାଲୁକା ଶଗଡ଼ଟି ଅନୁକୂଳ କରିବେ ବୋଲି ହଳେ ସୁନ୍ଦର ବଳଦ କିଣିଥିଲେ । ସେ ତାଙ୍କ ବଳଦ ଦେହରେ ଘଣ୍ଟି, ପାଇଝଲି, କାଚକଣ୍ଠିର ମାଳ ପିନ୍ଧାଇ ସଜାଇଲେ । ସେ ବଳଦଙ୍କୁ ଅଡ଼େଇବାର ଶକ୍ତି ଖାଲି ରହିମ୍ ପାଖରେ ଥିଲା । ତା ପାଖେ ନାନାପ୍ରକାରର ସୁନ୍ଦର ସୁନ୍ଦର କୋରଡ଼ା ଓ ଚାବୁକ ଥିଲା । କୋରଡ଼ା ଭିତରେ କେଇଟା ପନିକଣ୍ଠି ମାଳ ପରି, କିଛି ତାର ଭଳିଆ ସରୁ, କିଛି କଣ୍ଟାଦିଆ । ନାନା ପ୍ରକାରର କୋରଡ଼ା ସାଙ୍ଗକୁ ସେ ଖଣ୍ଡିଏ ଛତା ବି ପାଖରେ ରଖେ । ଛତା ଦେଖି ବଳଦ ତରକିଲେ ସେ ଖୁବ୍ ଖୁସି ହୁଏ । କୋରଡ଼ା ବା ଚାବୁକ ମାଡ଼ରେ ବୋଲ ନମାନିଲେ ସେ ବଳଦଙ୍କୁ ଛତା ଦେଖାଇ ଡରାଏ । ସେତେବେଳେ ତାକୁ ଏତେ ମଜା ଲାଗେ ଯେମିତି କି ସେ ‘ପାରାଚୁଟ୍‌’ରେ ଉଡ଼ିଯାଉଚି । ସେ ଭାବିଲା ନୂଆ ବଳଦଙ୍କୁ ମଣ କରିବାକୁ କଣ୍ଟାଦାର ଚାବୁକ ସାଙ୍ଗକୁ ଛତାଖଣ୍ଡିଏ ବି ନେବା ଦରକାର । ତେଣୁ ସେଖଣ୍ଡକ ବି ସେ ସାଙ୍ଗରେ ନେଲା ।

 

ବାହାରିବା ଆଗରୁଇ ଗୁରୁମୂର୍ତ୍ତି ତାକୁ ସାବଧାନ କରି ଦେଇଥିଲେ, ‘‘ଆରେ ରତ୍ନମ୍ ! ତାର ଦେଇକରି ବଳଦଙ୍କ ଦିହ ଖଣ୍ଡିଆ କରିଦବୁ ନାହିଁଟି । ହୁସିଆର କରି ଦେଖିଶୁଣି ଆସ୍ତେ ଆସ୍ତେ ଚଲେଇବୁ ।’’

 

ରତ୍ନମ୍ ବେଶ୍ ଜୋର୍‍ ଦେଇ କହିଲା, ‘‘ଆପଣଙ୍କୁ ଏସବୁ ଭାବିବାକୁ କିଏ କହିଲା, ମୁଁ ଅଛି ।’’

 

ରତ୍ନମ୍ ଜାଣେ ଯେ ତାରଗୁଡ଼ାକ ବଳଦଙ୍କ ଦେହରେ ବେଶୀ ଜୋର୍‌ରେ ଫୁଟେଇବାର ନୁହେ । ଆସ୍ତେକରି ଫୁଟେଇ ଆସ୍ତେକରି ଟାଣି ନେଲେ ଦେହରୁ ବୁନ୍ଦେହେଲେ ରକ୍ତ ପଡ଼ିବ ନାହିଁ । ଯେବେ ଭୁଲ୍‌ରେ ରକ୍ତ ବାହାରିପଡ଼େ, ତାହେଲେ ଗୋବର ଲଗେଇଦିଅ, ସବୁ ଠିକ୍ ହୋଇଯିବ ।

 

ରତ୍ନମ୍ ଗାଡ଼ି ଚଲେଇଲା । ଗାଡ଼ିଟି ଗୋଟିଏ ଦିବ୍ୟସୁନ୍ଦର ଶଗଡ଼ । ତହିଁରେ ସୁନ୍ଦରୀ ସ୍ତ୍ରୀଲୋକମାନେ ବସିଥିଲେ । ଗୁରୁମୂର୍ତ୍ତି ପଛରେ ଆଉ ଗୋଟିଏ ଗାଡ଼ିରେ ବସିଥାନ୍ତି । ଏଇ ହାଲୁକା ବଳଦଗାଡ଼ିଟିର ଦଣ୍ଡା ସଳଖ ରଖିବାକୁ ଶିବକାମୀଙ୍କୁ ଗାଡ଼ିର ସାମନାପଟେ ରତ୍ନସ୍ୱାମୀ ପାଖରେଇ ବସିବାକୁ ହେଲା । କିଛି ବାକ୍‌ସ ଓ ବିଛଣାପତ୍ର ଛଡ଼ା ଆଉ ଦୁଇଜଣ ସ୍ତ୍ରୀଲୋକ ଅନ୍ୟ ଗାଡ଼ିଟିରେ ବସିଥାନ୍ତି । ଜଣେ ମୋଟୀ ସ୍ତ୍ରୀଲୋକ ଯେ କି ଶିବକାମୀର ପିଉସୀଝିଅ ଭଉଣୀ ଗାଡ଼ିର ମଝିଭାଗରେ ବସିଥାଏ । ସେ ବୟସରେ ଶିବକାମୀ ସରିକି ହବ ଆଉ ଖୁବ୍ ଗପୁଡ଼ି ବି ।

 

ଗାଡ଼ିରେ ଯୋଉ ତିନିଜଣ ସ୍ତ୍ରୀ ଲୋକ ବସିଥିଲେ ତାଙ୍କ ଭିତରେ ଶିବକାମୀ ସବୁଠୁ ବେଶୀ ସୁନ୍ଦରୀ । ତା’ର ଗୋଲ ମୁହଁଟି ଚାନ୍ଦପରି ଦେଖିବାକୁ । ତା’ ଦେହରେ ରକମେ ଅରୁଣିମା ଥିଲା । ତା’ର ଘନକୃଷ୍ଣ କୁଞ୍ଚିତ କେଶଦାମରୁ କିଛି ତା’ ମୁହଁ ଉପରେ ପଡ଼ିଥିଲା । ସେହି ଢେଉ-ଢେଉକା କେଶଲତାଗୁଡ଼ିକ ଯେପରି ଚିତ୍ରକର ହାତରେ ଅଙ୍କା ହେଇଚି । ତା’ର ବୟସ ବେଶୀ ନୁହେଁ, ପ୍ରାୟ ସତେଇଶି କି ଅଠେଇଶି ହେବ । ସେ ମୁଣ୍ଡ କୁଣ୍ଡାଇ ବେଣୀ କରିଥିଲା ଏବଂ ତା’ ଉପରେ ଫୁଲମାନ ଖୋସିଥିଲା । ତା’ ମଥାରେ, ଦୁଇ ଭ୍ରୂଲତା ମଝିରେ କୁଣ୍ଡିବାର ଚିତା ଦେଖାଯାଉଥିଲା । ସେହି ଚିହ୍ନତଳେ ଗାଢ଼ ଲାଲରଙ୍ଗର ଟିକିଲି ଲଗାଯାଇଥିଲା । ସେ ଜରିଦିଆ ଲାଲ ବ୍ଳାଉଜ୍ ସାଙ୍ଗକୁ କଳା ସିଲ୍‌କି ଶାଢ଼ି ପିନ୍ଧିଥିଲା । ଦେହରେ ବେଶୀ ଅଳଙ୍କାର ପତ୍ରନାହିଁ । ବେକରେ ସୁନାର ଡବଲ୍ ଚେନ୍ ଆଉ ହାତରେ ଖଡ଼ୁ । ସେ ନାକକାନରେ ବି ସାଧାରଣ ଅଳଙ୍କାର ପିନ୍ଧିଥିଲା ।

 

ରତ୍ନମ୍ ଚାବୁକ୍ ବୁଲାଇ ବାଆଁ ବଳଦକୁ ମାରିଲା । ଟିକେ ଜୋର୍‌ରେ ଯୋଉ ବଳଦ ଚାଲେ; ତାକୁ ବାଆଁ ପଟକୁ ଯୋଚାଯାଏ କିନା ! ପ୍ରଥମେ ସେ ବଳଦଟା ଆସ୍ତେ ଆସ୍ତେ ଚାଲୁଥିଲା-। ରତ୍ନମ୍ ବାଆଁକୁ ଡାହାଣକୁ, ଡାହାଣକୁ ବାଆଁପଟକୁ ବଦଳେଇବାକୁ ବି ଭାବୁଥିଲା; କିନ୍ତୁ କିଛି ସମୟ ପରେ ସେମାନେ ଠିକ୍‌ଠାକ୍ ଚାଲିବାକୁ ଲାଗିଲେ । ନୂଆ ଲୋକକୁ ଦେଖି ତାଙ୍କ ମନରେ ଯେଉଁ ଘୃଣାଭାବ ଆସିଥିଲା, ବୋଧହୁଏ ତାହା ଦୂର ହୋଇଗଲା ।

 

ସବୁତକ ଗାଡ଼ି ଚାଲିଲେ । ଛୋଟ ଶଗଡ଼ଟି ସଭିଙ୍କ ଆଗରେ ଚାଲୁଥାଏ । ରତ୍ନମ୍‌କୁ ବାରମ୍ବାର ଲଗାମ ଟାଣି ନିଜ ଗାଡ଼ିଟି ଅଟକେଇବାକୁ ପଡ଼ୁଥାଏ ଯେମିତି ଅନ୍ୟ ଗାଡ଼ିଯାକ ତା ଗାଡ଼ି ପାଖେ ପହଞ୍ଚି ପାରନ୍ତି । ଗାଡ଼ି ଛୋଟିଆଟିଏ ଆଉ ରାସ୍ତା ଆବଡ଼ାଖାବୁଡ଼ା । ବଳଦଙ୍କୁ ସେ ରାସ୍ତାରେ ଚାଲିବାକୁ ବଡ଼ କଷ୍ଟ ହେଉଥାଏ । ଗାଡ଼ି ଏକଡ଼ ସେକଡ଼ ହେବାରୁ ତା ଭିତରେ ବସିଥିବା ଯାତ୍ରୀମାନଙ୍କୁ ମଜା ଲାଗୁଥାଏ । ତହିଁରେ ବସିଥିବା ମାଇପେଯାକ ବକର ବକର ବକି ଚାଲିଥାନ୍ତି । ରତ୍ନମ୍ ତାଙ୍କ କଥା ଶୁଣିପାରୁଥାଏ ।

 

ଶିବକାମୀର ସେଇ ମୋଟି ପିଇସୀଝିଅ ଭଉଣୀଟି ତାକୁ ଚିଡ଼େଇ ଲାଗିଥାଏ । ଶିବକାମୀର ଗୋଟିଏ ବୋଲି ଝିଅ; ତେଣୁ ତାକୁ ବାଞ୍ଝ ବୋଲି ସେ ପ୍ରମାଣ କରୁଥିଲା । ତା’ କହିବା କଥା, ଗୋଟିଏ ଗଛରେ କ’ଣ କୁଞ୍ଜ ହୁଏ ? ସେହିପରି ଗୋଟିଏ ବୋଲି ପିଲାକୁ ପିଲା ବୋଲି ଗଣିବାର ନୁହେଁ । ଅନ୍ତତଃ ଗୋଟିଏ ଝିଅ ଆଉ ଗୋଟିଏ ପୁଅ ଜନ୍ମ ହେଲେ ଯାଇ ନାରୀର ନାରୀତ୍ୱ ସଫଳ ହୋଇପାରେ । ଝିଅ ଆଉ ପୁଅ କେମିତି ହେବେ ?

 

‘‘ଝିଅ ହେବ ଗୋଲାପ ଫୁଲପରି, ଆଉ ପୁଅ ହବ ରତ୍ନମ୍ ପରି ।’’

 

ରତ୍ନସ୍ୱାମୀ ଚମକି ପଡ଼ିଲା । ସେ କ’ଣ ଜାଣିଶୁଣି ତା’ ଆଡ଼କୁ ଇଙ୍ଗିତ କଲା ? କେତେ ପାଜି ମାଇପିଟା !

 

ସେତିକିବେଳେ ଶିବକାମୀର ହାତ ତା’ ଦେହରେ ଯାଇ ଲାଗିଲା । ଅଜାଣତରେ ହିଁ ତା’ ହାତ ରତ୍ନମ୍ ଦେହରେ ଛୁଇଁ ହୋଇଗଲା; କିନ୍ତୁ ତଥାପି ତା’ ଦେହ ଥରିବାକୁ ଲାଗିଲା । ନିଜ ପିଠିରେ ଛୁଇଁଥିବା ହାତର କମ୍ପନରୁ ହିଁ ତାକୁ ସେହି ସ୍ପର୍ଶର ଅନୁଭୂତି ହେଲା ।

 

ଟିକିଏ ପରେ ସେ ଏକା ଝଟକାରେ ହାତ ଫେରେଇ ନେଲା ଯେମିତି କୋଉ ନିଆଁକୁ ଛୁଇଁଦେଇଛି । କିନ୍ତୁ–କିନ୍ତୁ ଏଇଠାରୁ ତାଙ୍କର ବନ୍ଧୁତାର ଆରମ୍ଭ ।

 

ଆଉ ଟିକେ ପରେ ତା’ ହାତ ଆସ୍ତେକରି ଶିବକାମୀ ଆଡ଼କୁ ଆଗେଇଲା । ଆଉ ତାକୁ ଛୁଇଁଦେଇ ଫେରିଆସିଲା । ସେ କେତେଥର ତା’ର ଏଇ ଚେଷ୍ଟାଟି ପୁନରାବୃତ୍ତି କଲା । ସେ ଭାବୋନ୍ମତ୍ତ, ମଦୋନ୍ମତ୍ତ ହୋଇଗଲା । ଦୁନିଆରେ ଠିକ୍-ଭୁଲ୍, କୃତଜ୍ଞତା-କୃତଘ୍ନତା, ଭଲ-ମନ୍ଦ ଏହିପରି ଦୁଇଟି ଦିଗ ରହିଛି । ତା’ର ଏତେ ବିବେକ ବୁଦ୍ଧି ରହିଲାନି ଯେ ସେ ଏ ଦୁଇଦିଗ ଭିତରେ ପାର୍ଥକ୍ୟ ବୁଝିପାରିବ । ଡେଣା ଲାଗିଗଲେ ଚଢ଼େଇ ଯେପରି ସ୍ୱଚ୍ଛନ୍ଦ ହୋଇ ଉଡ଼ନ୍ତି ସେହିପରି ତା’ ମନ ସ୍ୱାଧୀନ ଭାବରେ ବିଚରଣ କରିଲାଗିଲା ।

 

ତା’ ପରର ସବୁକିଛି ତାକୁ ସ୍ୱପ୍ନପରି ଲାଗିଲା । ଏହି ଘଟଣାର ପାଞ୍ଚ ଛଅ ଦିନ ପରଯାକେ ତା’ର ବ୍ୟବହାର ପୃଥିବୀର ଅନ୍ୟ ଜୀବଙ୍କ ପରି ରହିଲାନି । ତାକୁ ଲାଗିଲା, ସେ ମେଘପରି ଆକାଶରେ ବିଚରଣ କରୁଥିବା ଆତ୍ମା । ସେପରି ଅବସ୍ଥାରେ ସେ ନିଜର ଟୁକୁଡ଼ା ଟୁକୁଡ଼ା ସ୍ୱପ୍ନକୁ ପୁଣି ଜୋଡ଼ି ତାକୁ ପୂର୍ଣ୍ଣରୂପରେ କିପରି ଦେଖିପାରିଥାନ୍ତା ?

 

ବାହାଘର ପରେ ସମସ୍ତେ ଘରକୁ ଫେରିଆସିଲେ । ରତ୍ନମ୍ ପବନରେ ଉଡ଼ି ଉଡ଼ି ଘୁଡ଼ି ପରି ଘରକୁ ଫେରିଲା ।

 

ରତ୍ନସ୍ୱାମୀ ନିଜ ଘରେ କୋଉ ଦିନ ଶୁଏନା । ସବୁଦିନ ସେ ଗୁରୁମୂର୍ତ୍ତିଙ୍କ ଘର ବାରଣ୍ଡାରେ ହିଁ ଶୁଏ । ସାତ ଆଠବର୍ଷର ୟେ ପୁରୁଣା ଅଭ୍ୟାସ । ତା’ ବିଛଣା ଖଣ୍ଡକ ତାଙ୍କ ବାରଣ୍ଡାରେ ଗୋଟେ ପାଖରେ ପଡ଼ିଥାଏ । କେହି ତାକୁ ଖୋଲେନା କି ସେଠୁ ଆଉ ଜାଗାକୁ ନିଏନା ।

 

ଦିନେ ରତ୍ନସ୍ୱାମୀ ସନ୍ଧ୍ୟାବେଳେ ଟହଲି ଟହଲି ସେଠିକି ଆସିଲା । ଦୂରରୁ ହିଁ ସେ ଦେଖିପାରିଲା, ବାରଣ୍ଡାରେ ଗୁରୁମୂର୍ତ୍ତି ବସିଛନ୍ତି । ସବୁବେଳେ ତାକୁ ଦେଖିଲେଇ ସେ ହସି ହସି ପାଖକୁ ଡାକନ୍ତି; କିନ୍ତୁ ସେଦିନ ସେ ଗମ୍ଭୀର ହୋଇ ବସିରହିଲେ । ରତ୍ନମ୍ ପାଖକୁ ଆସିଗଲାରୁ ତାଙ୍କ ମୁହଁର କାଠିଣ୍ୟଭାବ ଆହୁରି ଫୁଟିଉଠିଲା । ଶେଷକୁ ସେ ଫଟ୍‌କରି ଉଠି ଠିଆହେଲେ ଆଉ ସେ ଅତି ରାଗରେ ରତ୍ନମ୍‌ର ଆଖି ଆଗରେ ବାରଣ୍ଡାରେ ପଡ଼ିଥିବା ତା’ ବିଛଣା ଉପରେ ଗୋଟାଏ ଗୋଇଠା ମାରିଲେ । ସେ ବିଛଣାଟା ଘରଠୁଁ ଦୁଇ ଗଜ ଦୂରରେ ରାସ୍ତାରେ ଯାଇ ପଡ଼ିଲା ।

 

ରତ୍ନମ୍ କାବାକାଠ ହୋଇଗଲା । ସେ ମୂକ ହୋଇ ଘର ବାହାରର ଗୋଟିଏ ଗଛମୂଳେ ପଥର ପରି ଠିଆ ହୋଇଗଲା । ଗୁରୁମୂର୍ତ୍ତି କିଛି ବେଳଯାକେ ସେଇଠି ଠିଆହୋଇ ଶୂନ୍ୟକୁ ଚାହିଁ ରହିଲେ, ତା’ପରେ ସେଠୁ ଚାଲିଗଲେ ।

କିଛିକ୍ଷଣ ପରେ ରତ୍ନମ୍‌ର ଚେତା ଫେରିଲା । ‘‘ଲୋକଟା ପଶୁ ! ପଶୁ !’’ ବିରି ବିରି ହୋଇ ସେ ସେଠୁ ଚାଲିଗଲା । ସେ ରାସ୍ତାରେ ପଡ଼ିଥିବା ସେହି ବିଛଣାଟିକି ଉଠାଇ ସଜାଡ଼ି ନେଲା-। ମନରେ ନାନାପ୍ରକାରର ଚିନ୍ତା ଆସୁଥାଏ । ମଣିଷକୁ ଭୋକ ଶୋଷ ହୁଏ, ପ୍ରକୃତିର ଇଚ୍ଛାରେ ତାକୁ ନାନା କାର୍ଯ୍ୟ କରିବାକୁ ହୁଏ । ନିଆଁ, ପବନ, ବାଷ୍ପ, ବିଜୁଳି ଯେପରି ଅତିବେଗରେ ଅନ୍ଧାଧୁନିଆ କାମ କରିଥାନ୍ତି, ସେହିପରି ଭାବାବେଶରେ, ଭାବନାପ୍ରବାହରେ ପଡ଼ି କିମ୍ବା ଚଞ୍ଚଳତା ହେତୁ ମଣିଷ କ’ଣ ନାହିଁ କ’ଣ କରିବସେ । ନ୍ୟାୟ, ଧର୍ମ, ସତ୍ୟ, ପାପ, ପୁଣ୍ୟ ଇତ୍ୟାଦିର ଦଉଡ଼ କେବଳ ମୁହଁର କଥାଯାକେ । ଭାବନାର ପ୍ରବାହରେ ଭାସିଗଲେ ସେସବୁର ମୂଲ୍ୟ ରହେନା-

ସତ୍ୟ କ’ଣ ? ଏତିକି ଯେ ବାହାଘର ଗଣ୍ଡଗୋଳିଆ ଭିତରେ ଗୋଟିଏ ଘଟଣା ଘଟିଗଲା ଯାହା କି ରତ୍ନମ୍‌କୁ ସାରାଜୀବନର ଦୁଃଖ ଦେଇଗଲା । ସେଠି ଲୋକେ ଏ ଘଟଣା ବିଷୟରେ ଫୁସ୍‌ଫାସ୍ ହେଉଥିଲେ; କିନ୍ତୁ ଗୁରୁମୂର୍ତ୍ତିଙ୍କ ଆଗରେ କଥାଟା ପକେଇବାକୁ କାହାରି ସାହସ ହୋଇନାହିଁ । ଗାଁକୁ ଫେରିବାମାତ୍ରେ ତାଙ୍କୁ କୌଣସି ପ୍ରକାରେ କଥାଟା ଜଣାହେଲା । ନିଜର ପୋଷା ବଳଦ ଯେବେ ଆପଣା ଉପରେ ନାତ ମାରେ ତା’ହେଲେ କେମିତି ଲାଗିବ ? ଗୁରୁମୂର୍ତ୍ତି ସେତେବେଳେ ଯାହା ମାନି ତାହା କରିପାରିଥାନ୍ତେ, କିନ୍ତୁ ସେ କିଛି ହେଲେ କଲେ ନାହିଁ; କାହିଁକିନା ସେ ସ୍ୱାଭିମାନୀ, ଦାର୍ଶନିକ, ଶାନ୍ତ ସ୍ୱଭାବର ମଣିଷ ଥିଲେ । ଶାନ୍ତିର ଚଟାଣକୁ ଭାଙ୍ଗି ଦେଇ ବହୁଥିବା କ୍ରୋଧର ପ୍ରବାହ ଗଙ୍ଗାର ବେଗବତୀ ଧାରା ପରି କିପରି ହୋଇଥାନ୍ତା ? ସେ କେବଳ ଖରସ୍ରୋତା ଝରଣାର ରୂପ ଧାରଣ କଲା ।

ସେହି ଦିନଠାରୁ ଗୁରୁମୂର୍ତ୍ତିଙ୍କର ରୂପ ପୂରାପୂରି ବଦଳିଗଲା । ବିଷଧର ସର୍ପପରି ରତ୍ନମ୍‌ର ମଧ୍ୟ କାହାରି ଆଗରେ ବାହାରିବାର ସାହସ ରହିଲାନି; ତେଣୁ ସେ ଲୁଚି ବୁଲିଲା । ଶିବକାମୀ ଏହି ଘଟଣା ପରେ ବେଶୀ ଦିନ ଆଉ ବଞ୍ଚିପାରିଲାନି । ପରମ୍ପରା ଅନୁସାରେ ଘଟିଥିବା କିଛି ଘଟଣା ତଥା ଉଡ଼ାଖବର ସାହାଯ୍ୟରେ ରତ୍ନମ୍ ପକ୍ଷରେ କଳ୍ପନା କରିବା ସହଜ ଥିଲା ଯେ ତାର ଅନ୍ତିମ ଦିନତକ କିପରି ବିତିଥିବ ।

ଗୁରୁମୂର୍ତ୍ତି ତା ସଙ୍ଗେ ପଦେ ହେଲେ କଥା ହେଲେନି । ସେ ତାକୁ ନିଜର ଘରୁ ବି ବାହାର କରିଦେଲେ ନାହିଁ । ପଦ୍ମପତ୍ର ଉପରେ ଢଳ ଢଳ ଜଳବିନ୍ଦୁ ପରି ସେ ଘରେ ଥାଇ ତହିଁରେ ମିଶି ପାରୁ ନଥିଲେ । ସେ ରାଜର୍ଷିଙ୍କ ପରି ଗୃହୀ ହୋଇ ମଧ୍ୟ ସନ୍ନ୍ୟାସୀ ପରି ଜୀବନ ବିତାଇବାକୁ ଲାଗିଲେ ।

ଶିବକାମୀର କଣ ହେଲା ? ଯେମିତି କଥାଟା ଗୁରୁମୂର୍ତ୍ତିଙ୍କ କାନରେ ପଡ଼ିଛି, ସେଇଦିନଠାରୁ ଜାଣି ତାର ପ୍ରାଣଟି ଶରୀରରୁ ଅଲଗା ହୋଇଯାଇଛି । ସେ ଗୋଟାଏ ଜୀବନ୍ତ ଶବ ପରି ଦେଖାଗଲା । ସେହିଦିନଠୁ ଯେ ଜର ହେଲା, ଆଉ କମିବାର ନାଁ ନାହିଁ । ଦିନୁଦିନ ଜର ବଢ଼ିଚାଲିଲା ଏବଂ ଶେଷକୁ ଗୋଟାଏ ମାରାତ୍ମକ ରୋଗ ହୋଇଯାଇ ତାର ପ୍ରାଣ ନେଲା ।

ଏଥିରେ ଆଶ୍ଚର୍ଯ୍ୟ କିଛି ନାହିଁ । ଶ୍ମଶାନକୁ ଯାଇ ତାକୁ ଜଳେଇ ଫେରୁ ଫେରୁ ଗୁରୁମୂର୍ତ୍ତି ଅକସ୍ମାତ୍ ହିଁ ଦୁଇପଦ କହି ଦେଇଥିଲେ, ସେ କଥା ଆଜି ବି ରତ୍ନମ୍ ହୃଦୟରେ କଣ୍ଟାପରି ବିନ୍ଧିଯାଏ-

 

‘‘ତୁ ବର୍ତ୍ତମାନ ପବିତ୍ର ହୋଇଗଲୁ । ତୁ ନିଜ ଭୁଲର ପ୍ରାୟଶ୍ଚିତ୍ତ କରିସାରିଚୁ । ତୁ ଭାଗ୍ୟବତୀ ହୋଇ ଏ ସଂସାର ଛାଡ଼ୁଛୁ–ଆଚ୍ଛା, ଯା । କିନ୍ତୁ ସେ.....ସେ ଅବୋଧ ଯୁବକଟା !’’

 

ୟା ପରେ ସେ କିଛି କହିଲେନି । ୟାପରେ ସେ କଣ କହିବାକୁ ଚାହୁଁଥିଲେ ? ସେଇ ଅକୁହା କଥାତକ ଜାଣିବାର କିଛି ଉପାୟ ଅଛି କି ? ଋଷିପ୍ରତିମ ସେହି ମହାତ୍ମାଙ୍କର ମୃତ୍ୟୁ ହେବା ଆଜିକୁ ଛଅ ମାସ ହେଲାଣି ।

 

ବର୍ତ୍ତମାନ ଖାଲି ସେହି ଶଗଡ଼ ଗାଡ଼ିଟି ରହିଯାଇଛି । ସେ ମରିବାବେଳେ କହିଥିଲେ ଯେ ଶାନ୍ତପ୍‌ପନ ଭିନ୍ନ ଆଉ କେହି ଯେପରି ସେ ଗାଡ଼ିକୁ ନ ଛୁଅଁନ୍ତି । ସେ ବି କେତେ ଦିନ ବିରସ ମନରେ ଆସି ସେ ଗାଡ଼ିଟି ଉପରେ ବସୁଥିଲା, ଶୋଇଥିଲା; କିନ୍ତୁ କିଛି ବର୍ଷ ତଳେ ସେ ବି ମରିଯାଇଛି । ଏସବୁ କେତେ ଆଶ୍ଚର୍ଯ୍ୟ କଥା !

 

ଶିବକାମୀ ମରିଯିବା ପରେ ରତ୍ନମ୍ ଚୁପ୍‌ଚାପ୍ ଗାଆଁ ଛାଡ଼ି ପଳାଇଗଲା ଏବଂ ଏଆଡ଼େ ସେଆଡ଼େ ବୁଲିବାକୁ ଲାଗିଲା । ସେ ବହୁତ କିଛି ଧନ ଅର୍ଜିଲା; କିନ୍ତୁ ତା’ ହୃଦୟର ଭାର କମିଲା ନାହିଁ । ସେ ସେହି ଭାର ସମ୍ଭାଳିବାକୁ ଅକ୍ଷମ ହେଲା । ବାହା ହେବାକୁ ଇଚ୍ଛୁକ କେତେ ଝିଅ ତା ପାଖକୁ ଆସିଲେ, ଗଲେ; କିନ୍ତୁ କାହାରି ସଙ୍ଗେ ବାହା ହେବାକୁ ତାର ପ୍ରବୃତ୍ତି ହେଲା ନାହିଁ । କେତେ ଥର କୋଂଗଣଶେରୀ ଗାଁକୁ ଯିବାକୁ ମନ ହୁଏ; କିନ୍ତୁ ଗୋଟିଏ ଅଜ୍ଞାତ ଭୟ ତାକୁ ସବୁଥର ଅଟକାଇ ଦିଏ । ଶେଷକୁ ସେ ଭୟ ଛାଡ଼ି ଗାଁରେ ଯାଇ ପହଞ୍ଚିଲା । ସେ କଣ ଏଇଆ ଦେଖିବ ବୋଲି ଏଠିକି ଆସିଥିଲା ? ନା । ସେ ସ୍ୱପ୍ନରେ ସୁଦ୍ଧା ଏ ଦୃଶ୍ୟ ଦେଖିବାର କଳ୍ପନା କରି ନଥିଲା ।

 

ବଞ୍ଚିଥିବାଯାକେ ସେ ରତ୍ନମ୍‌କୁ କ୍ଷମା କରି ନାହାନ୍ତି । ସେହି ପାପ ହ୍ରାସର ଉପାୟ କ’ଣ-? ସେ ପାପରୁ ମୁକ୍ତି ଲାଗି ପ୍ରାୟଶ୍ଚିତ୍ତ କଣ ? ଦପ୍ ଦପ୍ ଜଳୁଥିବା ସେ ମନରୁ କଣ ଶେଷ ପର୍ଯ୍ୟନ୍ତ ଶାନ୍ତି ମିଳିବ ନି ?

 

ସେ ଗୋଟିଏ ଦୃଢ଼ ସଂକଳ୍ପ କଲା । ଗୁରୁମୂର୍ତ୍ତିଙ୍କ ଘର ଆଜି ଯାହା ଅକ୍ତିଆରରେ ଥାଉ ନା କାହିଁକି, ତା ଲାଗି ଯେତେ ପଇସା ଦେବାକୁ ପଡ଼ୁ ପଛକେ, ସେ ଘରଟିକୁ ସେ ଖରିଦ କରିନେବ । ବଞ୍ଚିଥିବା ଯାକେ ସେହି ଛୋଟ ଶଗଡ଼ଟିକି ସେ ଦେଖାଶୁଣା କରିବ ଯେମିତି ଗୁରୁମୂର୍ତ୍ତି ନିଜେ କରିଥିଲେ । ତା’ ପରେ ? ତା’ ପରେ ? କଣ ଘର ଭିତରେ ସେ ଦୁହିଙ୍କ ଫଟୋ ରଖି ନିତିପ୍ରତି ତାଙ୍କଠୁଁ କ୍ଷମା ମାଗିଯିବ ? ତା ପରେ କଣ ରାତିରେ ଶାନ୍ତିରେ ଶୋଇ ପାରିବ ? ନା, କଦାପି ନୁହଁ । ଶେଷ ପର୍ଯ୍ୟନ୍ତ ତାକୁ ସେଇମିତି ରହିବାକୁ ହବ; କିନ୍ତୁ ତଥାପି ସେ ଘୋର ତପସ୍ୟା କରିବାର ସଂକଳ୍ପଟି ଛାଡ଼ିବ ନାହିଁ । ସେ ଆଜିଇ ସେ ତପସ୍ୟାଟି ଆରମ୍ଭ କରିବ ।

 

ଚିନ୍ତାର ଖଣ୍ଡିଆଭୂତ ଭିତରେ ଧନ୍ଦିହୋଇ ରତ୍ନମ୍ ଏତେ କ୍ଳାନ୍ତ ହୋଇଗଲା ଯେପରି ସେ ବହୁତ ପରିଶ୍ରମ କରିଛି । ତେଣୁ ସେ ସେହି ପୁରୁଣା ବାରଣ୍ଡାରେ ଦୁଲ୍ କରି ଯାଇ ପଡ଼ିଲା ଏବଂ ସେ ବାରଣ୍ଡାର ଖମ୍ବ ଉପରେ ମୁଣ୍ଡଟି ଲଗାଇଦେଲା । ଆଜିଠୁଁ ସବୁବେଳେ ଏଇଠି ଶୋଇବ; କିନ୍ତୁ ତାକୁ ଶୋଇବାଲାଗି କିଛି ବିଛଣା ମିଳିବନି; କେବେହେଲେ ମିଳିବନି ।

Image

 

ଆଙ୍ଗୁଠି

 

ମୋର ଆଦରଣୀୟ ଓ ପ୍ରେମର ଯୋଗ୍ୟ ପାତ୍ର ଶ୍ରୀ ଅ. ଅ. ଅୟରଙ୍କୁ ଶତକୋଟି ନମସ୍କାରମିଦଂ । ପ୍ରକୃତ ଆଦର ଓ ଆନ୍ତରିକ ପ୍ରେମ ଥିବାରୁ ହିଁ ମୁଁ ଆପଣଙ୍କୁ ଏରୂପେ ସମ୍ବୋଧନ କରୁଅଛି । ଆପଣଙ୍କର ସୁଗୌର ଦେହ, ବିଶାଳ ବପୁ, ଗମ୍ଭୀର ଦୃଷ୍ଟି, ଚଉଡ଼ା ମୁହଁ, ଲମ୍ବା ଓ ମୁନିଆଁ ନାକ, ଚୌଡ଼ା ବକ୍ଷ, ପେଟ, ବେକଚିପା କୋଟ୍, କୋଟ୍ ପକେଟରେ ପଡ଼ିଥିବା ଘଡ଼ି, ତାକୁ ବଟନ୍ ସଙ୍ଗେ ବାନ୍ଧିରଖିଥିବା ସୁନା ଚେନ୍, ମଥାରେ ସୁନାର ଗାର ପରି ସୁଶୋଭିତ ଚନ୍ଦନର ତିନି ଗାର, ମଝିରେ କୁଙ୍କୁମଟିପା, ଏସବୁଠାରୁ ଆହୁରି ମହତ୍ତ୍ୱପୂର୍ଣ୍ଣ ମଥାରେ ଭିଡ଼ା ଧଳା ପଗଡ଼ି, ପଗଡ଼ିକି ଠିକ୍ ଜାଗାରେ ରଖିବାଲାଗି ତାହାର ମଝିଆମଝି ଲଗାଯାଇଥିବା, ବେଳେବେଳେ ଦିଶୁଥିବା ବେଳେବେଳେ ନ ଦିଶୁଥିବା ଆଲପିନ୍‌ର ଉପରିଭାଗ, ଗୋଡ଼ରେ ଲାଲ୍ ଜୋତା, ମୁହଁ ଭିତରେ ଅଳେଇଚ ଲବଙ୍ଗ, ସୁଗନ୍ଧିତ ଦୋକ୍ତାଦିଆ କୁମ୍ଭକୋଣମ୍‌ର ପାନ, ସେହି ସୁଗନ୍ଧମିଶ୍ରିତ ଆପଣଙ୍କର କଥାମୃତ–ଏସବୁ କାହାକୁ ପ୍ରଭାବିତ କରିନାହିଁ ? ସହସ୍ର ଲୋକ, ଷୋଳ ସହସ୍ର ଲୋକଙ୍କ ଭିତରେ ବି ଲୋକେ ଆପଣଙ୍କ ଆଡ଼କୁ ଚାହିଁବେଇ ଚାହିଁବେ । ଆପଣଙ୍କର କଥତାବାର୍ତ୍ତା ବି ସେଇମିତି । ଆପଣ ହେଲେ ସେ କାଳର ବି.ଏ. । ପ୍ରତି ଶୁକ୍ରବାର ଦିନ ଯେତେବେଳେ ଆପଣ ଚପ୍ରାସି ଓ କିରାଣୀଙ୍କି ଏକାଠି କରି ଦଶମିନିଟ୍ ଭାଷଣ ଦିଅନ୍ତି ସେତେବେଳେ ଆପଣଙ୍କର ଇଂରାଜୀର ଶୈଳୀ ଶୁଣିଲେଇ ବର୍କ, ମେକାଲେ, କିପ୍‌ପନ ପ୍ରଭୃତିଙ୍କର ସ୍ମୃତି ଜାଗେ । ମୁଁ କ’ଣ ବା ଜାଣେ ! ମୁଁ ତ ମାଟ୍ରିକ୍ ପାସ୍ ମାତ୍ର ! ଆପଣଙ୍କର ଚିନ୍ତାଧାରା ମୁଁ ବୁଝିପାରେ ନାହିଁ, ତଥାପି ଆପଣଙ୍କ ଧରଣର ଇଂରାଜୀ ଭାଷା ଯେ ଏ ଦେଶରୁ କ୍ରମେ ଲୁପ୍ତ ହେବାକୁ ବସିଲାଣି, ଏତିକି ଜାଣି ମନ ବ୍ୟାକୁଳ ହୋଇଯାଏ । ଆପଣଙ୍କର କଣ ପୂରା ଭଗବଦ୍ ଗୀତା ମନେ ଅଛି ? ପୂରା କୁରଲ୍‌ (୧)ଟି ମନେ ଅଛି ? କମ୍ବରାମାୟଣର ପଦଗୁଡ଼ିକ ତଳଠୁଁ ଉପରକୁ ଆବୃତ୍ତି କରିପାରନ୍ତି ? ଭାଗବତର ଏତେ ଶ୍ଳୋକ ଆପଣଙ୍କୁ କାଳମେଧମ୍ (୨) ‘ଇରଟ୍ଟୈୟର୍ (୩) ଆଦି କବିଙ୍କ ଯେଉଁ କବିତାମାନ ଶୁଣାଇ ଆପଣ ଆମକୁ ହସାନ୍ତି, ସେଗୁଡ଼ିକ କେଉଁଠୁ ଶିଖିଲେ ? ଏସବୁକୁ ଅଧ୍ୟୟନ କରିବାଲାଗି ଆପଣଙ୍କୁ ସମୟ କିପରି ମିଳିଲା ? ବ୍ୟବସ୍ଥା, ହିସାବ-କିତାବ, ବେତନ, ଯାତ୍ରା, ଛୁଟି ଆଦି ବିଷୟରେ ସରକାର ବେଳେ ବେଳେ ମୋଟା ମୋଟା ବହି ପ୍ରକାଶ କରନ୍ତି ଏବଂ ଏହି ନିୟମଗୁଡ଼ିକର ସଂଶୋଧନ ବି କରିଥାନ୍ତି । ଏହି ସବୁ ନିୟମ ଓ ସଂଶୋଧିତ ସଂସ୍କରଣମାନ ଆପଣ କିପରି ମନେ ରଖନ୍ତି ? ଏ ସବୁ ପାଇଁ କୁଆଡ଼ୁ ସମୟ ମିଳେ ଆପଣଙ୍କୁ ? ......ମୁଁ ତ କିଛି ବୁଝିପାରେ ନାହିଁ । ଜଣେ ସରକାରୀ କର୍ମଚାରୀର ରୂପ ବର୍ଣ୍ଣନା କରିବାକୁ ଗୋଟିଏ ଅଲଗା ବହି ଲେଖିବାର କିଛି ଆବଶ୍ୟକତା ନାହିଁ । ତା ଲାଗି କ୍ଲାସ୍ ଖୋଲିବାର ବି ଦରକାର ନାହିଁ । ଆପଣଙ୍କୁ ମାସଟିଏ ଦେଖିନେବା ହିଁ ଯଥେଷ୍ଟ ।

 

* (୧) ତାମିଲର ଏକ ପ୍ରସିଦ୍ଧ ଗ୍ରନ୍ଥ—ରଚୟିତା ତିରୁବଲ୍ଲୁବର ।

 

(୨) ତାମିଲର ଜଣେ ଭକ୍ତକବି ।

 

(୩) ତାମିଲର ଦୁଇଜଣ କବି ଯେ କି ମିଳିମିଶି କବିତା ଲେଖୁଥିବାରୁ ‘ଇରର୍ଟ୍ଟେୟର’ (ଯୋଡ଼ି ପଣ୍ଡିତ) ବୋଲି ଖ୍ୟାତ ।

 

ଖାଲି ଅଫିସରେ ନୁହେଁ, ଅଫିସ ବାହାରେ ଘର ଓ ସମାଜରେ କିପରି ରହିବାକୁ ହୁଏ ତାହା ଆପଣଙ୍କଠାରୁ ଶିକ୍ଷା କରିବାର ବିଷୟ । ଆପଣ ଘରକୁ ଫେରିବା ମାତ୍ରେ କଣ କରନ୍ତି ? ତିନ୍-ଦୁଇ-ପାଞ୍ଚ ଖେଳନ୍ତି ? ପଶା ଖେଳନ୍ତି ? ରମୀ ଖେଳନ୍ତି ? କ୍ଲବ୍‌ରେ ଗପ ଜମାନ୍ତି ? ଭଲ ମନ୍ଦ ନ ବିଚାରି ସବୁଗୁଡ଼ାକ ନାଟକ ଆଉ ସବୁଗୁଡ଼ାକ ସିନେମା ଦେଖି ହୋ-ହୋ କରି ହସି ନିଜର ସମୟ ନଷ୍ଟ କରନ୍ତି ? ଜମାରୁ ନୁହେଁ । ଘରକୁ ଆସିଲେଇ ମୁହଁହାତ ଧୋଇ, ଉପମା, ଭାଜି, ସୁଜି ଇତ୍ୟାଦି ଖାଇ, ବଢ଼ିଆ କଫି ପିଇ ନିଜ ପୁଅକୁ ଡାକି ଇନ୍‌ସୁଲିନ୍ ଇଞ୍ଜେକ୍‌ସନ୍ ଦବାକୁ କହନ୍ତି । ଆପଣ ତ ଆଉ ଖାସ୍ ଡାଇବିଟିସ୍ ହେଇଯାଇଚି ବୋଲି ଭଲ ଭଲ ଖାଇବା ଜିନିଷ ଛାଡ଼ିଦବାର କାପୁରୁଷତା କରିବେନି । ଆପଣ ଶ୍ରେଷ୍ଠ ରସିକ ବ୍ୟକ୍ତି । ଏହି କାରଣରୁ ମୋ ଆଖିରେ ଆପଣଙ୍କର ମୂଲ୍ୟ ଏତେ ବଢ଼ିଯାଇଛି ! ୟା ପରେ କିଛି ସମୟ ବିଶ୍ରାମ କରି ପୁଣି ସନ୍ଧ୍ୟା ବନ୍ଦନା ଆରମ୍ଭ କରନ୍ତି ଏବଂ ପୂଜା ଘରେ ବସି ବୀଣା ବଜାନ୍ତି । ସେଠି ତାଞ୍ଜୋରରେ ତିଆରି ରାମ ଓ କୃଷ୍ଣଙ୍କର ବଡ଼ ବଡ଼ ଛବି ରଖାହେଇଛି । ବୀଣା ବଜାଇ ଗୀତ ମଧ୍ୟ ବୋଲନ୍ତି । ଏଠି ଆପଣଙ୍କର ରହିବାର ସାତବର୍ଷ ହେଇଗଲା, ଆପଣ ବୀଣା ବଜାନ୍ତି କି ଗୀତ ଗାଇ ଜାଣନ୍ତି, ଆପଣ ଏ କଥା କାହାରିକି କହିନାହାନ୍ତି-। ଆପଣଙ୍କର ଏହି ପୂର୍ଣ୍ଣଜ୍ଞାନ ଓ ସଂଯମର ମୂଲ୍ୟ ମୋ ପରି ଅକିଞ୍ଚନ କଣ କଳନା କରିବ-?

 

* (୧) ଚଣା, ମୁଗ ଇତ୍ୟାଦିରୁ ତିଆରି ଖାଦ୍ୟପଦାର୍ଥବିଶେଷ ।

 

(୨) ରାମ ନବମୀ ଦିନ ନଡ଼ିଆ ଦେଇ ବଘାରି ‘ଶୁଣ୍ଡଲ’, ସର୍ବତ ଓ ପଙ୍ଖା ଦାନ କରିବାର ରୀତି ରହିଛି ।

 

ତିରିସ୍ତାବର୍ଷ ଆପଣ ନିଜେ ମତେ ‘ଏ ଟୋକା ଏଠିକି ଆ’ କହି ଡାକିଲେ । ମୁଁ ତ ଶୁଣ୍ଡଲ୍ (୧), ସର୍ବତ ଓ ପଇସା ଆଶାରେ ଯାଇଥିଲି(୨) । ମୁଁ କେମିତି ଜାଣିବି ଯେ ମୋ ଲାଗି ‘ବୀଣାଗାନ’ ଭଳି ଭୋଜି ଯୋଗାଡ଼ ହେଉଛି । ମୁଁ ବି. ଏ. ପାଶ୍ କରିନାହିଁ । ତିନିଟି ସମିତିର ସଭ୍ୟ ହୋଇଥିବାରୁ ଅନେକ ସଙ୍ଗୀତ ସମ୍ମିଳନୀରେ ଯୋଗ ଦେଇଛି; କିନ୍ତୁ ସେଦିନର ଗୀତ ଆଉ ବୀଣାବାଦନ ଶୁଣିକରି ମୋର ହୃଦୟ ପୂର୍ଣ୍ଣ ହୋଇଗଲା । ମୋର କୋହ ଦେଖି ପାଖରେ ବସିଥିଲେ ତିରୁମଲୈ । ସେ କହିଲେ ‘‘କଣ ଆଜ୍ଞା କଣ ହଉଚି ?’’ ମତେ ଲାଜ ଲାଗିଲା । ଗୋଡ଼ର ଘାଆରୁ ବୋହୁଥିବା ରକ୍ତ ଆଡ଼କୁ ଇସାରା କରି ମୁଁ ଅବସ୍ଥା ସମ୍ଭାଳିଲି । ଆପଣଙ୍କର ବୋଲିବାର ରୀତିଟି ଅସାଧାରଣ । ତାଳ ନ ଦେଇ ଆପଣ ତ୍ୟାଗରାଜ, ଗୋପାଳକୃଷ୍ଣ, ଭାରତୀ ପ୍ରଭୃତିଙ୍କ କୀର୍ତ୍ତନଗୁଡ଼ିକ ଅତି ଚମତ୍କାର କରି ଗାଇଲେ । ଭାବପ୍ରବାହରେ ଭାସିଗଲେ । ଭାବବିଭୋର ହୋଇ ଆପଣଙ୍କର ହୃଦୟ ଦ୍ରବୀଭୂତ ହୋଇଗଲା । ଆପଣ ଆମକୁ, ବିଶେଷ କରି ମତେ ଦ୍ରବୀଭୂତ କରିଦେଲେ । ପରେ ପଚରା ଉଚରା କରିବାରୁ ସି. ଓ. ଏ. କହିଲେ ଯେ କେଉଁ ପ୍ରସିଦ୍ଧ ସଙ୍ଗୀତଜ୍ଞଙ୍କ ଘର ସଙ୍ଗେ ଆପଣଙ୍କର କଣ ଗୋଟାଏ ସମ୍ବନ୍ଧ ଅଛି । ଷାଠିଏ ବର୍ଷ ତଳେ ଯେବେ ଆପଣଙ୍କ ବୁଢ଼ୀମା ଭୋରୁ ଉଠି କାବେରୀ ନଈକି ଗାଧୋଇବାକୁ ଯାଉଥିଲେ ସେତେବେଳେ ‘ଉର୍‌ରେ ରାମୈୟା’ ନାମକ ଗୀତଟି ବଡ଼ପାଟିରେ ଗାଉଥିଲେ । ସେ ଗୀତକୁ ଶୁଣି ପବନ ଓ ଗଛବୃକ୍ଷ ବି ସ୍ତମ୍ଭିତ ହୋଇ ରହିଯାଉଥିଲେ । ଲୋକମାନେ ଯେବେ ଭାବବିଭୋର ହୋଇ ପ୍ରକୃତ ଅନ୍ତର ଦେଇ ଗାଇବା ଲୋକର ଗୀତ ଶୁଣିବାକୁ ମନ କରୁଥିଲେ ସେତେବେଳେ ତାଙ୍କୁ ଡାକରା ପଡ଼ୁଥିଲା । ଏ ସବୁ କଥା ଶୁଣିଲାବେଳେ ମତେ ଲାଗୁଥିଲା ଯେ ଭାବର ଆତିଶଯ୍ୟ ହେତୁ ହୃଦୟଟା ଫାଟି ଟୁକୁଡ଼ା ଟୁକୁଡ଼ା ହୋଇ ଯିବକି ଆଉ । ଖାଲି ହିସାବକିତାବ ଜାଣିଥିବା କେଉଁ ସରକାରୀ ଅଫିସର ତଳେ ନୁହେ, ବରଂ ଜଣେ ମହତ୍ ଲୋକ ଅଧୀନରେ କାମ କରୁଛି, ଏଇ ଧାରଣା ମୋ ମନରେ ଉଦିତ ହେଲା । ଆପଣ ସେଇ ମାସକୁ ନଅ ଟଙ୍କା ଦରମା ପାଇ ଭଲ ଭଲ ପୋଷାକ ପିନ୍ଧି ଏପଟ ସେପଟ ବୁଲୁଥିବା ପ୍ରତିନିଧି ନୁହନ୍ତି । ଆପଣ ଏକ ମହାନ୍ ସଭ୍ୟତାର ପରମ୍ପରାର ପ୍ରତିନିଧି । ଆଜିକାଲି ଆପଣଙ୍କୁ ଦେଖିଲେ ମତେ ଲାଗେ ଯେପରି ମୁଁ ସଘନଛାୟା ଓ କୁଞ୍ଜବନମଣ୍ଡିତ କାବେରୀ ନଦୀକୂଳରେ ଠିଆ ହୋଇଛି । ଆପଣଙ୍କର କଣ୍ଠସ୍ୱର ଶୁଣିଲେ ଲାଗେ ଯେ ମୁଁ ସେହି ନଦୀର କୁଞ୍ଜବନରେ ଓ ତାର ଚାରିକଡ଼େ ବସି ଗାଉଥିବା କୋଇଲି ଓ ‘ନିଚୋ’ ନାମକ ଚଢ଼େଇଙ୍କୁ ଶୁଣୁଛି କି ଆଉ । ମୁଣ୍ଡ ନୁଆଁଇ ଆପଣଙ୍କୁ ନମସ୍କାର କରିବା ଭିନ୍ନ ଆଉ ମୁଁ କଣ କରିପାରିବ ?

 

ଆପଣଙ୍କ ପ୍ରତି ଶ୍ରଦ୍ଧା ଭାବ ହେତୁ ମୁଁ ତଳଲିଖିତ ପଂକ୍ତିମାନ ଲେଖୁଅଛି ।

 

ସହାୟକ ଲେଖାପାଳ ମହାଲିଙ୍ଗମ୍ ଗତ ଚାରିପାଞ୍ଚ ଦିନ ହେଲା କଣ ନାହିଁ କଣ ବକିଯାଉଛି । ସେ କହୁଚି ଅ. ଅ. ଅୟର୍ ହେଉଛି ଅସଲି ଅମଣିଷ ଅୟର୍ । ଏ କଥା ଶୁଣି ମୁଁ ତ କାବାକାଠ ହୋଇଗଲି । ‘‘ହେ ମହାଲିଙ୍ଗମ୍, ବଡ଼ଲୋକଙ୍କ ନାଁରେ ଏମିତି କହନା । ଅୟର ମହତ୍ ଲୋକ । ସେ କିଛି ସାଧାରଣ ଅଫିସର ନୁହେଁ । ସେ ପରମ ଜ୍ଞାନୀ, ବିଦ୍ୱାନ୍ । ତାର ନିନ୍ଦା କଲେ ମୁହଁରେ ପୋକ ପଡ଼ିଯିବ ।’’ ମୁଁ ତାକୁ କହିଲି ।

 

‘‘ତୁ ତାଙ୍କ ବିଷୟରେ ଯାହା ସବୁ କହିଲୁ ସେଇ କାରଣରୁଇ ମୁଁ ତାଙ୍କ ନିନ୍ଦା କରୁଛି,’’ ସେ କହିଲା । ୟା ପରେ ସେ ଯାହା ଯାହା କହିଲା, ସେସବୁ ବି ମୁଁ ସଂକ୍ଷେପରେ କହିଦେଉଛି ।

 

‘‘ସେ ପ୍ରତିଥର କେତେବେଳେ କୋଚିନ୍, କେବେ କୋୟମ୍ବଟୁର, କେବେ ତିରୁଚ୍ଚି, କେବେ ତିରୁବନ୍ତପୁରମ୍, କେବେ ମଦୁରାଇ ତ କେବେ ମହୀଶୂର ଯାଆନ୍ତି । ଏହି ନଗରମାନଙ୍କରେ ଗ୍ରସ୍ତକରି ଫେରିବାବେଳେ ରେଳର ଟିକଟ କେବେ କିଣନ୍ତିନି । ଗାଡ଼ି ଛାଡ଼ିବାର ସମୟ ହେଲେଇ ପ୍ରଥମ ଶ୍ରେଣୀର ଡବାରେ ଚଢ଼ି ବସନ୍ତି । ଡବାଟିକି ଝାଡ଼ି ପୋଛି ତହିଁରେ ନିଜର ବିଛଣା ବିଛାଇ ଦିଅନ୍ତି । କବାଟ ବନ୍ଦ କରି ଛିଟକଣୀ ଲଗେଇ ଦିଅନ୍ତି । ସୁରକ୍ଷା ଲାଗି ଢିଙ୍କିଆ ବି ଦେଇ ଦିଅନ୍ତି ଆଉ ଆଲୁଅ ନିଭେଇଦେଇ ଆରାମରେ ଶୋଇଯାଆନ୍ତି ।

 

‘‘ଆମ ଭିତରୁ କେହି ହେଇଥିଲେ ଟିକଟ ଚେକର୍ ଏମିତି ନିଦ ଭଙ୍ଗେଇ ଟିକଟ ମାଗିଥାନ୍ତା ଯେମିତି କୋଉ ଭିକାରିକି ଉଠୋଉଛି । ଆମେଗୁଡ଼ାକ ବିଚରା ଥାର୍ଡ଼ କ୍ଲାସ୍‍ ପେସେଞ୍ଜର କିନା ? ସେଇ ମହାନୁଭବକୁ କିଏ ଉଠେଇବ ? ସେ ତ ଫାର୍ଷ୍ଟକ୍ଲାସ୍‍ର ଯାତ୍ରୀ । ବେଳେ ବେଳେ ରାତିରେ ଦୁଇଟା ତିନିଟା ବେଳେ ସେହି ମହାନୁଭବଙ୍କର ଆଖି ଖୋଲେ । ଫାଷ୍ଟକ୍ଲାସ୍‍ର ଯାତ୍ରୀ ପାଖରେ କିଏ ସେ ଗଣ୍ଡଗୋଳ କରିପାରିବ ? ସେ ଆରାମରେ ଶୋଇଯାନ୍ତି । ସେଣ୍ଟ୍ରାଲ୍‌ ଷ୍ଟେସନ୍ ପହଞ୍ଚିଲା ମାତ୍ରେ କୁଲି ଦେଇ ବିଛଣା ତଳକୁ ଆଣିବାକୁ କହି ତଳେ ଠିଆହୋଇଯାନ୍ତି । ବି ସେକ୍‌ସନ୍‌ର କ୍ଳର୍କ, ଅୟ୍‌ୟାଦୁରୈ, ତାଙ୍କଲାଗି ଗୋଟିଏ ପ୍ଲାଟ୍‌ଫର୍ମ ଟିକଟ ନେଇ ସେଠି ଅପେକ୍ଷା କରୁଥାଏ । ଭିଡ଼ଭାଡ଼ରେ ତାଙ୍କ ବିଛଣାଟି ଷ୍ଟେସନ ବାହାରକୁ ପହୁଞ୍ଚେଇ ଦିଆହୁଏ । ସେ ଦୁହେଁ ବେଶ୍ ଆରାମରେ ଆସି ବାହାରେ ଗୋଟିଏ ଟାକ୍‌ସି ନେଇ ଆପଣା ଘରକୁ ଯାଆନ୍ତି ।

 

‘‘ହେ ମହାଲିଙ୍ଗମ୍, ଏ ତୁ କ’ଣ କହୁଚୁରେ ?’’

 

‘‘ମୁଁ କହୁଚି କ’ଣ ରେ । ମୋ ପାଖରେ ପ୍ରମାଣ ଅଛି ! ପ୍ରମାଣ ! ଏଇ ଲୋକଟା ଜୀବନରେ କେବେ ଟିକଟ କିଣିନାହିଁ......କେଉଁଦିନ ଭୁଲରେ ଗେଟ୍ ପାଖେ ପଚାରିଦେଲେ କହିବେ, ‘ମୋର କାଗଜପତ୍ର, ପର୍ସ, ଟିକଟ୍ ଇତ୍ୟାଦି ମୋର ପର୍ସନାଲ୍ କ୍ଳର୍କ ପାଖେ ଅଛି । ହେଇ ଦେଖନ୍ତୁ ସେ ଆସୁଚି’; ଆଉ ଚୁପ୍‌କରି ଖସିଯାଆନ୍ତି ସେଠୁ । ସେ ତ ତୋପରି ମୋପରି ନୁହଁନ୍ତି ? ଆମ ମୁହଁରେ ଲେଖାହେଇଚି ଆମେ କିରାଣୀ । ତାଙ୍କୁ ଦେଖିଲେ ସେ କେଉଁ ରାଜ୍ୟର ଦିଓ୍ୱାନ୍‌ଙ୍କ ପରି ଦିଶନ୍ତି କି ନାହିଁ ? କେଡ଼େ ଗୋଲଗାଲ ଚେହେରା ! ଆଖିରେ ହାକିମୀ ନଜର । ଏମିତି ଲୋକ ଯେବେ ପଛଆଡ଼କୁ ଠାରିଦିଏ ତା’ହେଲେ କେହି ମୁହଁ ଫିଟେଇ କିଛି କହିପାରିବ କି ?’’

 

‘‘ହେ, ମୁଁ ଏକଥା ବିଶ୍ୱାସ କରିପାରୁନି ।’’

 

‘‘ତୁ ବିଶ୍ୱାସ କର ନକର ମୋର କ’ଣ ଯାଏ ଆସେ ? ମୁଁ ପ୍ରମାଣ ଏକାଠି କରି ରଖିଛି । ସେଗୁଡ଼ିକ ଏକାଠି ଖଣ୍ଡିଏ କାଗଜରେ ଲେଖି ତାକୁ ତାଙ୍କ ପାଖୁ ଆଉ ତାଙ୍କ ଅଫିସରଙ୍କ ପାଖୁ ପଠେଇବି ।’’

 

‘‘ପ୍ରମାଣ ? ତୋ ପାଖରେ ପ୍ରମାଣ ପୁଣି କୁଆଡ଼ୁ ଅଇଲା ?’’

 

‘‘ସେପ୍‌ଟେମ୍ବର ମାସର କୋଡ଼ିଏ ତାରିଖ ଦିନ ଅ, ଅ, ଅୟର କୋଚିନ୍‌ରୁ ଫାଷ୍ଟକ୍ଲାସ୍ ଡବାରେ ଚଢ଼ିଥିଲେ ? ନାହିଁ ? ପନ୍ଦରଟି ଟିକଟ ରିଜର୍ଭ ହୋଇଥିଲା । ତହିଁରେ ୟାଙ୍କ ନାଁ ନାହିଁ । ୟା ଛଡ଼ା ଆଉ କୌଣସି ଟିକଟ ବିକ୍ରି ହୋଇନି; କିନ୍ତୁ ସେ ସେଇ ଗାଡ଼ିରୁ ଓହ୍ଲେଇଲେ, ୟା କେମିତି ହେଲା ? ଗଲାବର୍ଷ ମେ ମାସର ଛ’ ତାରିଖରେ ଇଏ ଯେଉଁ ଗାଡ଼ିରେ ଆସିଲେ, ତା’ ଲାଗି କଡ଼ଲୁର୍ ଷ୍ଟେସନରୁ ଫାଷ୍ଟକ୍ଲାସର କୌଣସି ଟିକଟ ବିକ୍ରି ହୋଇନି । ତା’ହେଲେ ସେ ସେଠୁ କେମିତି ଆସିଲେ । ସେ ତ ଲେଖିକରି ଦେଲେ ଯେ ସେ ସେହି ଗାଡ଼ିରେ ଆସିଥିଲେ ଆଉ ପଇସା ଆଦାୟ କରିନେଲେ । ଏମିତିକା କାମ କିଏ କରେ ? ପରମଜ୍ଞାନୀ ? ନା ଭଣ୍ଡ ?...... ୟାଙ୍କୁ ଏଠୁ ବାହାର କରିସାରି ମୁଁ ଅନ୍ୟ କାମ କରିବି । ମୁଁ ବିଭିନ୍ନ ଷ୍ଟେସନ୍ ମାଷ୍ଟରମାନଙ୍କଠାରୁ ତାରିଖ ହିସାବରେ ଲେଖାଇ ରଖିନେଇଛି, ବୁଝିଲ ଆଜ୍ଞା ? ଭାବିବୁନି ଯେ ମୁଁ ଖାଲି ଟିଣ ଭଳିଆ ଫାଙ୍କା ଆବାଜ୍ କରୁଚି ।’’

 

‘‘ଆହୁରି ବଡ଼ପାଟି କରି କହୁନୁ, କିଏ ମନା କରୁଚି କି । କିନ୍ତୁ ପ୍ରଶ୍ନର ଉତ୍ତର ଦେଇକରି ପାଟି କର ।’’

 

‘‘ତୁ କ’ଣ ପଚାରିବୁ ?’’

 

‘‘ଆଚ୍ଛା ଧର ଆମର ସାହାବ ତମେ ଯାହା କହୁଚ, ଏମିତି କାମ କରିଛନ୍ତି....’’

 

‘‘ଧର ! ଆରେ ସେ ଏମିତି କରିଛନ୍ତି, ମୋ ପାଖରେ ପ୍ରମାଣ ଅଛି....’’

 

‘‘ହଉ ହେଲା ଏବେ ସେ ଏମିତିକା କାମ କରିଚନ୍ତି, କିନ୍ତୁ ତୋର କଣ ଗଲା ?’’

 

‘‘କ’ଣ କହିଲୁ, ମୋର କ’ଣ ଗଲା ? କେମିତି ନିଶାପ କଲା ସେ ! ଏ ପଇସା କାହାର ମ ? ସରକାରଙ୍କର, ଅର୍ଥାତ୍ ମୋର ଯାହାକି ମୁଁ କର ଭାବରେ ଦେଉଛି । ଅଧଲାଟାଏ ବି ଖର୍ଚ୍ଚ ନ କରି ଯାତ୍ରା ଭତ୍ତା ହିସାବରେ ପ୍ରତ୍ୟେକ ଥର ଶହେ ଦୁଇଶ ଟଙ୍କା ସେ ନେଇନିଏ । ଯୋଉଠି ସେ ଏତେଗୁଡ଼ାଏ ରୋଜଗାର କରୁଛି, ସେଠି ଯିଏ ପ୍ରତିଥର ପ୍ଲାଟ୍‌ଫର୍ମ ଟିକେଟ କିଣି ତା’ ଲାଗି ଅପେକ୍ଷା କରୁଥାଏ, ତାକୁ ପାଞ୍ଚ କି ଦଶଟା ଟଙ୍କା ଦେଇପାରେ ନାହିଁ । ସେ ତ ବିଚରା ସାଧାସିଧା ମଣିଷ । ଆଉ ୟେ ଖାଲି ଠକ, ତା’ ନୁହେଁ, ଅକୃତଜ୍ଞ ପଶୁ । ସେ ଯେତେ ଇଚ୍ଛା ସଙ୍ଗୀତ ଶିଖୁ, ଯେତେ ଶାସ୍ତ୍ର ପଢ଼ୁ, ତହିଁରୁ କି ମିଳିବ ?’’

 

‘‘ଆଜ୍ଞା ହଜୁରେ ତ କଉପୁନୀ ଭିଡ଼ି ଲଢ଼େଇ ଲାଗି ତିଆର୍, ସେ କ’ଣ ଆପଣଙ୍କୁ କିଛି ଦୁଃଖ ଦେଇଛନ୍ତି ?’’

 

‘‘ଏତିକି ଯଥେଷ୍ଟ ହେଲା ନାହିଁ ? ମତେ ଅଲଗା ଦୁଃଖ ଦବାଟା ଦରକାର ପଡ଼ୁଛି ? ଗତବର୍ଷ ତମର ସେଇ ପରମଜ୍ଞାନୀ ଲେଖିଦେଲା ଯେ ସେ କୋଡ଼ିଏ ଦିନ ଲାଗି ମେଲମାବରମ୍ ଯାଇ ଅଫିସ୍‌ର ହିସାବ-କିତାବ ପରୀକ୍ଷା କଲେ ଆଉ ଏଇ ହିସାବରେ କୋଡ଼ିଏ ଦିନର ଭତ୍ତା ନେଇନେଲେ; କିନ୍ତୁ ସେଠି ମାତ୍ର ଦି’ ଦିନ ରହିଥିଲେ । କୋଡ଼ିଏ ଦିନଯାକେ ତ ତାଙ୍କ କ୍ଳର୍କ ରହିଥିଲା । ଏଇପରି କେଉଁଠି ଚାରିଦିନ ରହିଲେ ତ ଷୋଳଦିନର ପଇସା ଅସୁଲ କରିନେଲେ, ତିନିଟା ଦିନ ରହିଲେ ତ ଦଶଦିନର ଭତ୍ତା ଥୁଆ ।’’

 

‘‘ତୋର ତାଙ୍କ ଉପରେ ଏତେ ରାଗ କାହିଁକି ?’’

 

‘‘ସେ ଯେବେ ଚୁପ୍‌ଚାପ୍ ରହନ୍ତେ, ମୋର ରାଗ ହୋଇନଥାନ୍ତା । ସେ ପ୍ରତି ଶୁକ୍ରବାର ଆମମାନଙ୍କୁ ଡକେଇ ଗୋଟାଏ ଧର୍ମସଭାର ଆୟୋଜନ କାହିଁକି କରନ୍ତି ? ଉପଦେଶ କାହିଁକି ଦିଅନ୍ତି ? ଯେବେ ସେ ଶିକ୍ଷିତ, ତାହେଲେ ନିଜର ପାଣ୍ଡିତ୍ୟ ପ୍ରଦର୍ଶନଟା ନିଜ ହାକିମଙ୍କ ପାଇଁ ରଖିଥାଆନ୍ତୁ । ଏତେ ବକ୍ତୃତା ଦେଇପାରନ୍ତି ଯେବେ, ଚାକିରି ଛାଡ଼ି ନିର୍ବାଚନ ଲଢ଼ନ୍ତୁ । ଆମମାନଙ୍କୁ ଡାକି ଉପଦେଶ ଦେବା, ସେଦିନ ଯେ ନ ଆସିବ ତା ନାଁ ଲେଖି ରଖିବା, ତା ପରଦିନ ତାକୁ ଡାକି, ‘ଆପଣ କଣ ଖୁବ୍ ମହାନ୍ ବ୍ୟକ୍ତି ? ମୋ କଥା ଶୁଣିବେ ନାହିଁ, କହି ଥଟ୍ଟା କରିବା, ଖରାପ ରିପୋର୍ଟ ଲେଖିଦେବା, ଏସବୁ ମୋର ପସନ୍ଦ ନୁହେଁ । ୟାଙ୍କୁ ଏଠୁ ବାହାର କଲେ ଯାଇ ମୋର ଶାନ୍ତି । ଏଇସବୁ ପ୍ରମାଣ ନେଇକରି ତାଙ୍କ ବିରୁଦ୍ଧରେ ଗୋଟିଏ କମ୍ପ୍ଲେନ୍ ଲେଖିବି । ଆସନ୍ତା ମାସରେଇ ୟାଙ୍କୁ ଡିସ୍‌ମିସ୍ କରାଇ ଜେଲ୍ ନ ପଠାଇଲେ ମତେ କହିବୁ ।’’

 

ମୋର ଆଉ ମହାଲିଙ୍ଗମ୍‌ର ଖାଲି ଏତିକି କଥାବାର୍ତ୍ତା ହୋଇଥିଲା । ମୁଁ ତାର ଅଭିଯୋଗଗୁଡ଼ିକ ଓ ପ୍ରମାଣଗୁଡ଼ିକ ବି ଦେଖିଲି । ସେ ଲୋକ ମିଛ କହୁନଥିଲା । ସେ ପ୍ରକୃତରେ ନିଜକଥା ସମର୍ଥନ ଲାଗି ପ୍ରଚୁର ପ୍ରମାଣ ଏକାଠି କରିଛି । ପାଜିଟା ଏତିକି କରି ସନ୍ତୁଷ୍ଟ ନୁହେଁ । ସେ ତାଙ୍କ ବିଷୟରେ ଏପରି କଥା ଶୁଣାଗଲା ଯେ ସେ ଯୁଦ୍ଧ ସମୟରେ ନିଜର କ୍ଷମତାର ଅପବ୍ୟବହାର କରି ଛଅଟା ଦୋକାନରୁ ଖାଇବା ଜିନିଷ, କିରାସିନି ପ୍ରଭୃତି ଖର୍ଦ୍ଦିକରି ଯେମିତି ଶାନ୍ତିର ଦିନଗୁଡ଼ିକରେ ଜୀବନ କଟାଯାଏ ତା’ଠାରୁ ବେଶୀ ସୁଖରେ ରହିଥିଲେ । ଏମିତି କାମ କରୁଥିଲାବେଳେ ସେ ଧରାପଡ଼ିଗଲେ ଏବଂ ଦେବଦାସ ନାମକ କିରାଣୀଟି ତାଙ୍କୁ ବିପଦରୁ ରକ୍ଷାକଲା । ତାର ଏହି ଉପକାରର ଫଳ ସ୍ୱରୂପ ସେ ଦେବଦାସର ଇନ୍‌କ୍ରିମେଣ୍ଟ୍ ତିନିବର୍ଷ ପାଇଁ ବନ୍ଦ କରାଇ ଦେଲେ । ମୁଁ ସତ କହୁଚି, ମୁଁ ଏସବୁ କଥାରେ ବିଶ୍ୱାସ କରି ପାରୁନାହିଁ । ତା କଥାଗୁଡ଼ାକ ଖୁବ୍ ଜୋରଦାର ପ୍ରମାଣଦ୍ୱାରା ସମର୍ଥିତ ନ ହୋଇଥିଲେ ମୁଁ ସେଗୁଡ଼ାକ ଉପରେ ବିଶ୍ୱାସ କରି ପାରି ନଥାନ୍ତି । ପାଜିଟାର ପ୍ରମାଣଗୁଡ଼ାକ ଯେ ମତେ ବିଶ୍ୱାସ କରିବାକୁ ବାଧ୍ୟକରି ଦେଇଛି । ଏଥିପାଇଁ ମୋତେ କ୍ଷମା କରିବେ ।

 

ମୁଁ ଖାଲି ଏତିକି କହିପାରେ ଯେ ଏଇସବୁ ବିଭିନ୍ନ କଥା ଶୁଣି ଓ ନିଜ ଆଖିରେ ଦେଖିବା ପରେ ମୋର ନିଦ ହେଉନାହିଁ । ଆପଣଙ୍କର ଅଙ୍ଗୁଳିଗୁଡ଼ିକ ମୋର ଆଖିରେ ନାଚୁଛି । ଆପଣଙ୍କର ବାଆଁ ହାତର ଅଙ୍ଗୁଳିଯାକ ବୀଣା ଉପରେ ଏପରି ବାଗରେ ଖସିଯାଉଛି ଯେପରିକି ଆପଣ ଜାଣି ‘ଦାଶରଥେ’ ବୋଲି କହି ଖୋଦ୍ ଭଗବାନ ରାମଙ୍କ ଦିହରେ ହାତ ବୁଲାଉଛନ୍ତି । ‘ସଭାପତି କ୍‌କୁ ବେରୁ’ ଶୀର୍ଷକ ଗୀତଟି ଗାଉଥିଲାବେଳେ ଆପଣଙ୍କର ଆଙ୍ଗୁଠିମାନ ବୀଣାର ତାରମାନଙ୍କ ଉପରେ ଏପରି ଚାଲନ୍ତି ସତେ ଯେମିତି ତିଲୈର ଶିବଙ୍କ ସ୍ପର୍ଶ ପାଇ ପୁଲକିତ ହେଉଛନ୍ତି । ଆପଣଙ୍କର ସେହି ପରମ ଆନନ୍ଦକୁ ଆମ ପାଖେ ପହୁଞ୍ଚାଇ ଦେବାଲାଗି ଆପଣଙ୍କର ବାମ ହସ୍ତର ଅଙ୍ଗୁଳିମାନ ତାରର ଝଙ୍କାର ତୋଳି ମଧୁର ଧ୍ୱନି ଉପଜାତ କରୁଛି । ମୁଁ ସେହି ପରମାନନ୍ଦ ଅନୁଭବ କରିଅଛି । ତେଣୁ ମୋ ମନରେ ସନ୍ଦେହ ହେଲା, ଠିକ୍ ସେହି ଆଙ୍ଗୁଠିମାନ ମିଛ ହିସାବ-କିତାବ ଉପରେ ଦସ୍ତଖତ କରିପାରିବ ? ଦୁଇଦିନ ଅଡିଟ୍ କରି ତାକୁ କୋଡ଼ିଏ ଦିନ କିପରି ଲେଖିଦିଏ ? ଟିକଟ କାଟିବାକୁ ଅଥବା ପଇସା ଦେବାକୁ ଯୋଉ ଆଙ୍ଗୁଠି ହଲେ ବି ନାହିଁ ସେ ବା ମିଛିମିଛିକା ଏତେ ପଇସା ଖର୍ଚ୍ଚ କରିଛି ବୋଲି ଲେଖିବାକୁ ପ୍ରସ୍ତୁତ ହେବ କେମିତି ? ବୀଣାର ତାରମାନଙ୍କ ଉପରେ ବାଆଁ ହାତର ଆଙ୍ଗୁଠିମାନ ଚାଲୁଥାଏ; କିନ୍ତୁ ତାକୁ ଡାହାଣ ହାତର ଆଙ୍ଗୁଠିରେ ଝଙ୍କାର ଦିଏ କି ନାହିଁ ? ଏଇ ହାତ ଦି’ଟାକୁ ଗୋଟିଏ କାମରେ ଲଗାଇବାର କାର୍ଯ୍ୟଟି ଗୋଟିଏ ମସ୍ତିଷ୍କ କରେ କି ନାହିଁ । ଗୋଟିଏ ବୋଲି ମନ କରେ କି ନାହିଁ ? ୟା ପୁଣି କିପରି ସମ୍ଭବ ? ଏଇ ପ୍ରଶ୍ନଟି ମତେ ଘାବରେଇ ଦେଉଛି । ତାହା ମୋର ନିଦ ବିଗାଡ଼ି ଦେଇଛି । ମୋର ଇଚ୍ଛା ହେଉଛି, ଆପଣ ନିଜର ସେହି ଆଙ୍ଗୁଠିମାନ ଦେଇ ଏହି ପ୍ରଶ୍ନର ଉତ୍ତର ଲେଖି ଏହି ଅକିଞ୍ଚନ ଲୋକଟିର ବ୍ୟାକୁଳତା ଦୂର କରିବେ । ମୁଦିପିନ୍ଧା ସେହି ଅଙ୍ଗୁଳିମାନଙ୍କୁ ହିଁ ମୁଁ ସ୍ୱପ୍ନରେ ବି ଦେଖୁଛି ।

 

ମୋ ମନକୁ ଯାହା ଯୁକ୍ତି ଆସିଲା ତା ସାହାଯ୍ୟରେ ବର୍ତ୍ତମାନ ପାଇଁ ମୁଁ ମହାଲିଙ୍ଗମ୍‌କୁ ଚୁପ୍ କରିପାରିଛି । ତାର ପରିବାରଟି ବେଶ୍ ବଡ଼ । ମୁଁ ତାକୁ ଏତକ କହି ବୁଝେଇଲି ଯେ ସେ ନିଜର ସାତୋଟି ପୁଅଝିଅଙ୍କୁ ଛାଡ଼ି ଦୁଇଟି ବିଧବା ଭଉଣୀଙ୍କର ବି ଭରଣପୋଷଣ କରି ଆସୁଚନ୍ତି । ତା ସଙ୍ଗେ ସଙ୍ଗେ ‘ଆରେ ଛୋଟଲୋକ ! ଏପରି ଛୋଟ କାମ କରନା’ କହି ତାକୁ ଚୁପ୍ କରି ଦେଇଛି । ମୋର ଆପଣଙ୍କ ଏତିକି ବିନତି ଯେ ଆପଣ ଏଠିକି ଆସିବାମାତ୍ରେ ତାକୁ ଏକୁଟିଆ ଡକାଇ ସବୁକିଛି ବୁଝାଇ ଦିଅନ୍ତୁ ଏବଂ ଏହି ଧର୍ମସଙ୍କଟରୁ ମୁକ୍ତ ହୋଇଯାନ୍ତୁ । ମୋର ଡାହାଣ ହାତର ଆଙ୍ଗୁଠିମାନ ଯାହା ମନ ତା ଦୋଷ କରନ୍ତୁ; କିନ୍ତୁ ଦିବ୍ୟ ଧ୍ୱନି ଉପଜାତ କରି ସାକ୍ଷାତ୍ ଈଶ୍ୱରଙ୍କୁ ବି ମୋହିତ କରିଦେବାର ମୋର ବାଆଁ ହାତର ଆଙ୍ଗୁଠିମାନ ତାର ପରିହାସ କରି ଦେବେ । ସେହି ଆଙ୍ଗୁଠିଙ୍କ ସାଙ୍ଗେ ମିଶି ତାର ସେ ଝଙ୍କାର ଦେଉଥିବା ଡାହାଣ ହାତର ଆଙ୍ଗୁଠିଯାକ ବି ବେଳେ ବେଳେ ପ୍ରାୟଶ୍ଚିତ୍ତ କରି ନିଅନ୍ତି । ଏଥିରୁ ମୋ ଉପରେ କିଛି ହେଲେ ଅମଙ୍ଗଳ ଆସିବ ନାହିଁ । ମତେ ଲାଗୁଛି ଯେ ମୁଁ ଆପଣଙ୍କୁ ଏହିପରି କହୁଥିବାର ଶୁଣୁଅଛି । ଶତକୋଟି ପ୍ରଣାମାନ୍ତର । ଆପଣଙ୍କର ପ୍ରିୟ–କ, ଖ, ଗ ।

 

ନୋଟ୍–ମୁଁ ନିଜ ନାମଟି କାହିଁକି ଲେଖିଲି ନାହିଁ ତାର କାରଣ କହିବାର ପ୍ରୟୋଜନ ଅଛି କି ?

 

ଅ. ଅ. ଅୟର୍ ଦୁଇ ତିନିଥର ସେହି ପତ୍ରଟି ପଢ଼ିଲେ । ତାଙ୍କର ଗାଡ଼ିଟି ଅନ୍ଧାର ଚିରି ମାଡ଼ିଯାଉଥିଲା ଆଗକୁ ଆଗକୁ । ଫାର୍ଷ୍ଟକ୍ଲାସ୍‍ର ସେହି ଡବାରେ ଦୁଇଟି ମାତ୍ର ସିଟ୍ ପଡ଼ିଥିଲା । ଆଗର ସିଟ୍‌ଟାରେ ଜଣେ ସରଦାରଜୀ (ଶିଖ୍) ନିଜର ପଗଡ଼ୀ ଖୋଲି ବରାବର ଘୁଙ୍ଗୁଡ଼ି ମାରି ଶୋଇଥିଲେ ।

 

ଏ ଚିଠିଟି କିଏ ଲେଖିଥିବ ? ହୁଏତ ସେହି ମହାଲିଙ୍ଗମ୍ ଲେଖିଥିବ....ସଇତାନ୍ କୋଉଠିକାର । ଏ ଚିଠିଟି ମୋ ପାଖରେ ପହଞ୍ଚିଲା ବି ଅଦ୍ଭୁତ ରହସ୍ୟମୟ ଭାବରେ । ଜଣେ ଚପ୍ରାସି ବିଛଣା ଆଣି ଡବା ଭିତରେ ଥୋଇଲା । ଗାଡ଼ି ଛାଡ଼ିବ ଛାଡ଼ିବ ହେଉଛି; ସେ କହିଲା, ‘‘ଆରେ, ମୁଁ ଭୁଲିଯାଇଥିଲି । ଘରୁ ଆସୁଥିଲାବେଳେ ଜଣେ ଭଦ୍ରଲୋକ ମତେ ଏଇ ଲଫାପା ଖଣ୍ଡିକ ଦେଲେ । କହିଲେ ୟାକୁ ନେଇ ସାହବଙ୍କୁ ଦବୁ । ଏଇଲାଗେ ତାଙ୍କୁ ବିରକତ କରିବା ଦରକାର ନାହିଁ, କିଛି ଜରୁରୀ କାମ ନୁହେଁ । ରାତିରେ ଯେତେବେଳେ ସେ ଯିବାକୁ ବାହାରିବେ, ସେତେବେଳେ ଦେଇ ଦେଲେ ହେଲା । ସନ୍ଧ୍ୟାବେଳେ ହୋଇଥାଏ, ଆଉ ଆପଣ ପୂଜା କରୁଥିଲେ-। ଭାବିଲି ଆପଣଙ୍କୁ ଲଫାପାଟି ପରେ ଦେବି; କିନ୍ତୁ ଭୁଲିଗଲି,’’ କହି ତା କାମିଜିର ପକେଟରୁ ଗୋଟିଏ ଲଫାପା କାଢ଼ି ମତେ ଦେଲା । ଗାଡ଼ି ଛାଡ଼ିଦେଲା । ମୁଁ ସର୍ଦାରଜୀଙ୍କୁ ଗୋଟିଏ ପ୍ରଶ୍ନ ପଚାରିଲି । ଜବାବ୍‌ରେ ସେ ‘ମାଡ୍ରାସ ଯାତ୍ରା’ କହି ନିଜର ବିଛଣା ବିଛାଇ ଶୋଇ ପଡ଼ିଲେ-। ତା’ପରେ ସର୍ଦାରଜୀ ଆଲୁଅ ନିଭେଇଦେଇ ଗଲେ । ଅ. ଅ. ଅୟର ନିଜର ମଥା ଉପରର ଲାଇଟ୍‌ଟି ଜଳାଇ ଲଫାପାଟି ଖୋଲିଲେ ଆଉ ଚିଠି ପଢ଼ିଲେ ।

 

ସେ ଚିଠିଟିକୁ ତିନି ଥର ପଢ଼ିଲେ । ଯେତେବେଳେ ସେ ତାକୁ ଚତୁର୍ଥ ଥର ପଢ଼ିଲେ ସେତେବେଳେ ତାଙ୍କ ମୁହଁର ସେହି ପ୍ରଫୁଲ୍ଲ ହସଟି ଉଭେଇଗଲା । ସେ ତହିଁରେ ନିହିତ ଗୂଢ଼ ଅର୍ଥଟି ବୁଝିପାରିଲେ । ଏଇ ଠକେଇ ଭିତରେ ଅନେକ ଲୋକଙ୍କର ହାତ ଅଛି । ଏମିତି ଲୋକ କେବଳ ତାଙ୍କୁ ଈର୍ଷ୍ୟା କରୁଥିବା ଲୋକଙ୍କର ଅନିଷ୍ଟ କରିବେ ତା ନୁହେଁ । ଅନ୍ୟମାନଙ୍କର ଶିରି ବି ତାଙ୍କର ପୋଡ଼ା ଆଖି ଦେଖିପାରେ ନାହିଁ; କିନ୍ତୁ ସେ ଲୋକ ଏଇସବୁ ପ୍ରମାଣ କିପରି ଏକାଠି କରିନେଲା ? ଏ କାମଟି ସହଜ ନୁହେଁ, ତା ଲାଗି ବେଶ୍ ମିହନ୍ତ କରିବାକୁ ହୋଇଥିବ ।

 

ତାଙ୍କ ମୁଣ୍ଡ ଘୂରାଇଦେଲା । ‘ଏତେ ପରିଷ୍କାର କରି....ସମସ୍ତଙ୍କ ଆଗରେ....ମୋର ଅପମାନ’ ଏହି କଥାତକ ତାଙ୍କ ମୁଣ୍ଡ ଭିତରେ ଚକାଭଉଁରି ଖେଳିବାକୁ ଲାଗିଲା । ତେଣୁ ତାଙ୍କ ମନ ଅଶାନ୍ତ ହୋଇଗଲା । ମନ ଚାହୁଁଥିଲା ମହାଲିଙ୍ଗମ୍ ସଙ୍ଗେ ତତ୍‌କାଳେ ଭେଟିବାକୁ; କିନ୍ତୁ ରେଳଗାଡ଼ିର ତ ଆଉ ଡେଣା ନାହିଁ । ଗାଡ଼ି ସକାଳେ ଯାଇ ମାଡ୍ରାସ୍‌ରେ ଲାଗିବ ।

 

ମଥା ଉପରେ ଜଳୁଥିବା ଆଲୁଅରେ ତାଙ୍କୁ ନିଜ ହାତର ଆଙ୍ଗୁଠି ସବୁ ଦେଖାଗଲେ । ମୁଦିବସା ଆଙ୍ଗୁଠି ଉପରେ ମିରଜାବ୍ ନାମକ ପବିତ୍ର ମୁଦି (ବୀଣା ବଜାଇବାର) ଚକ୍‌ଚକ୍ କରୁଛି । ଅଙ୍ଗୁଳିଯାକ ଦେଖିବାବେଳେ ତାଙ୍କର ମନେହେଲା ଜାଣି ଆଖି ଜଳୁଛି । ସେ ନିଜ ଆଖି ଫେରାଇ ଆଣିଲେ । ଆଖି ବୁଜି ନେଲେ । ଗୋଡ଼ ଯୋଡ଼ିକ ଚଦରରେ ଘୋଡ଼େଇ ନେଲେ, ମୁହଁ ବି ଘୋଡ଼େଇ ନେଲେ; କିନ୍ତୁ ମନରେ ଯେଉଁ ଭୟ ଥିଲା ତାହା କ୍ଷଣେ କ୍ଷଣେ ବଢ଼ିଚାଲିଲା ଏବଂ ବିରାଟ ଆକାର ଧାରଣ କରି ଯାଉଥିଲା । ସତେ ଯେପରି ପୋକଟାଏ ବଢ଼ି ବଢ଼ି ସାପପରି ଆକାର ହୋଇଯାଉଛି, ଏମିତି ବଢ଼ିଚାଲିଲା ଭୟ । ସେ କଣ୍ଟା ଉପରେ ଯୋଉ କୋଟ୍ ଝୁଲୁଥିଲା ତାର ପକେଟରୁ ଘଣ୍ଟା ବାହାର କଲେ । ପନ୍ଦର ମିନିଟ୍‌ରେ ଆଗ ଷ୍ଟେସନ୍‌ଟା ଆସିଯିବ । ଏତିକି ଭାବି ସେ ସ୍ୱସ୍ଥିର ନିଶ୍ୱାସ ନେଲେ । ସେ ପ୍ରତିକ୍ଷଣ ଗଣିଲାଗିଲେ । ଯୁଗେ ପରେ ଯେପରି ଆଗ ଷ୍ଟେସନ ଆସିଗଲା ଓ ଗାଡ଼ି ଠିଆ ହୋଇଗଲା ।

 

ଅ. ଅ. ଅୟର ତଳକୁ ଓହ୍ଲେଇଲେ ଓ ଗାଡ଼ିର ପଛପଟ ଆଡ଼କୁ ଚାଲିଲେ । ଶେଷ ଡବାଟି ଗାର୍ଡ଼ଙ୍କର ।

 

‘‘ଗୁଡ୍‌ ଇଭିନିଂ; ମୁଁ ତରତରରେ ଏ ଗାଡ଼ିରେ ଚଢ଼ି ଯାଇଥିଲି । ମୋର ଟିକଟ କିଣିବାର ସମୟ ନଥିଲା । ଇଞ୍ଜିନ୍ ଆଡ଼ୁ ଗଣିଲେ ତୃତୀୟ ଡବାରେ ମୁଁ ଯାଉଛି । ଟିକଟର ପଇସା ବର୍ତ୍ତମାନ ଆପଣଙ୍କୁ ଦେଇ ଦିଏଁ... ?’’

 

ଗାର୍ଡ଼ କହିଲା, ‘‘କିଛି ଚିନ୍ତା ନାହିଁ ଆଜ୍ଞା ! ବର୍ତ୍ତମାନ ଟି. ଟି. ଆସିଯିବେ । ମୁଁ ତାଙ୍କୁ କହିଦେବି, ସେ ନିଜେ ଯାଇ ଆପଣଙ୍କଠୁଁ ପଇସା ଅସୁଲ୍ କରିନେବେ । ଆପଣ ଯାଆନ୍ତୁ । ସେ ଏଇଲା ଆସୁଥିବେ ।’’

 

ଅ. ଅ. ଅୟର ନିଜର ଡବା ପାଖରେ ଠିଆହେଲେ । ଡବାରେ ଆଲୁଅ ଜଳୁଥିଲା । ସର୍ଦ୍ଦାରଜୀଙ୍କର ଦେଖାନାହିଁ । ବୋଧେ ସେ ବାଥରୁମ୍ ଯାଇଚନ୍ତି ।

 

ଅ. ଅ. ଅୟର ଟି.ଟି.ଙ୍କ ଅପେକ୍ଷାରେ ତଳେ ଠିଆ ହୋଇଥିଲେ ।

 

ଦେଖ ଦେଖ, ପୂରା ହାତର ଖାକୀ କାମିଜି ଓ ଟୋପି ପିନ୍ଧି ଜଣେ ଲୋକ ଆସୁଛି । ବୋଧେ ସେଇ ଟି.ଟି. ହେବ ।

 

‘‘ଆହାରେ ! ଉହୁ ! ମୋ ହାତ ! ମୋ ହାତ ! ....ମୋ ହାତ । ବୋଉ ଲୋ !’’

 

ବାଥ୍‌ରୁମ୍‌ରୁ ବାହାରି ଆସି ସରଦାର ଜଣକ ବାହାରର ଏଇ କବାଟଟା ସଜୋରେ ବନ୍ଦ କରିଦେଲେ । ସେଇଠି ପାଖଟାରେ ଅୟର ସାହାବ ଠିଆ ହୋଇଥିଲେ, ତାଙ୍କୁ ଦେଖିପାରିଲେନି । ତାଙ୍କ ହାତଟା କବାଟରେ ଚିପି ହୋଇଗଲା । ତାଙ୍କ ପାଟି ଶୁଣି ସର୍ଦାରଜୀ ଫଟ୍‌କରି ଦରଜା ଖୋଲିଦେଲେ ।

 

ଅୟର ସାହାବ ସେଇ ପ୍ଲାଟ୍‍ଫର୍ମ ଉପରେ ବସିପଡ଼ିଲେ ଓ ପରେ ମୂର୍ଚ୍ଛିତ ହୋଇ ପଡ଼ିଗଲେ ।

 

ଆଖି ଖୋଲିଲା ପରେ ତାଙ୍କୁ ନିଜର ଚାରିକଡ଼େ ଭିଡ଼ ଜମିଥିବାର ଦେଖାଗଲା । କିଏ ଜଣେ ହାତରୁ ଧାରକୁ ଧାର ବୋହୁଥିବା ରକ୍ତକୁ ପୋଛୁଥାଏ । ବାଆଁହାତର ଆଙ୍ଗୁଠି ଛେଚି ହୋଇଯାଇଛି । ଆଙ୍ଗୁଠି ଛେଚି ହୋଇଯାଇଛି । ଆଙ୍ଗୁଠିର ହାଡ଼ ବି ଚୂନା ହୋଇଯାଇଛି । ଗାଡ଼ିଟି ସେଠୁ ଛାଡ଼ିବାକୁ ଅଧଘଣ୍ଟାଏ ଡେରି ହେଲା ।

 

ସେ ରାତିଯାକ ବେଦନାରେ କୁନ୍ଥେଇ ଲାଗିଲେ । ସରଦାରଜୀ ଦିଥର ‘କ୍ଷମା କରିବେ’ ବୋଲି କହି ଶୋଇଗଲେ । ସକାଳ ହେଲା, ଗାଡ଼ି ମାଡ୍ରାସରେ ଲାଗିଲା ।

 

ତାଙ୍କର ଗୋଟିଏ ଆଙ୍ଗୁଠି ପୂରାପୂରି କଟିଯାଇଥିଲା । ଟି.ଟି. ତାଙ୍କଠୁଁ ଟିକଟ ମାଗିବ କଣ ? ଟି.ଟି. ତ ତାଙ୍କୁ ପାଛୋଟି ନେବାକୁ ଆସିଥିବା ଅୟାଦୁରେ ସାଙ୍ଗରେ ମିଶି ତାଙ୍କୁ ନେଇ ଟ୍ୟାକ୍‌ସିରେ ବସାଇଲା । ଅୟାଦୁରୈ ରାସ୍ତାସାରା ତାଙ୍କ ସାଙ୍ଗରେ ରହିଲା ।

 

ଅ. ଅ. ଅୟରଙ୍କୁ ତିନି ମାସର ଛୁଟି ନେବାକୁ ହେଲା । ଅଫିସ୍‌ର ପ୍ରତ୍ୟେକ କର୍ମଚାରୀ, ଅଫିସରଠାରୁ ଆରମ୍ଭ କରି ଚପ୍ରାସିଯାକେ ତାଙ୍କୁ ଦେଖିବାକୁ ଗଲେ ।

 

ଦିନେ ମହାଲିଙ୍ଗମ୍ ବି ଗଲା । ସେ ଢେର୍ ବେଳଯାକେ ତାଙ୍କ ପାଖରେ ରହିଲା । ଏକୁଟିଆବେଳ ଉଣ୍ଡି ‘‘ମୁଁ ଆପଣଙ୍କର କିଛି ହେଲେ ଅନିଷ୍ଟ କରିବିନି, ମୁଁ ସବୁଗୁଡ଼ାକ ଚିରି ଫୋପାଡ଼ି ଦେଇଛି’’ କହି ତାଙ୍କର ସେଇ ଚିପି ହୋଇଯାଇଥିବା ଭଙ୍ଗା ଆଙ୍ଗୁଠିଆଡ଼େ ଚାହିଁ କାନ୍ଦି ପକାଇଲା ।

 

ସେ ଚାଲିଯିବା ପରେ ଅ.ଅ. ଅୟର ନିଜର ଆଙ୍ଗୁଠି ଉପରେ ବନ୍ଧାଯାଇଥିବା ପଟିକୁ ଦେଖିବାକୁ ଲାଗିଲେ । ଡାକ୍ତରଙ୍କ କଥାଗୁଡ଼ାକ ଶୁଣି ସେ ବୁଝିପାରିଥିଲେ ଯେ ବର୍ତ୍ତମାନ ସେ ଆଉ ବୀଣା ବଜେଇ ପାରିବେନି । ଆଉ ତାଙ୍କୁ ଆଙ୍ଗୁଠିଗୁଡ଼ାକ ଆଙ୍ଗୁଠି ଭଳି ଦେଖାଗଲେ ନାହିଁ । ସେଗୁଡ଼ିକ ଶୁଖିଲା ସଜନା ଛୁଇଁ ପରି ଦେଖାଯାଉଥିଲେ । ତାଙ୍କୁ ସବୁଗୁଡ଼ାକ ସ୍ୱପ୍ନ ପରି ଲାଗିଲା । ଚିଠି, ତହିଁରେ ଆଙ୍ଗୁଠି ଗୁଡ଼ିକର ଉଲ୍ଲେଖ, ପୁଣି ଦରଜା ବନ୍ଦହେବା, ଆଙ୍ଗୁଠିଯାକ ଛେଚି ହୋଇଯିବା, ଏଇ ବାଆଁ ହାତର ଆଙ୍ଗୁଠିଯାକ କି ପାପ କରିଛନ୍ତି ? ମୋର ରାମ ଡାହାଣ ହାତର ଆଙ୍ଗୁଠି ଜାଗାରେ ବାଁ ହାତର ଆଙ୍ଗୁଠିଗୁଡ଼ିକ ଚାପା ପକାଇଦେଲା ପରା । ତା ଲୀଳା ପରା ବିଚିତ୍ର ।

 

‘‘ଆରେ ! ତୁ ତ ନିର୍ଦ୍ଦୋଷ ସୀତାଙ୍କୁ ବଣକୁ ପଠାଇବାର ନିର୍ମମତା ବି କରିଥିଲୁ ।’’ କହି କହି ଅ. ଅ. ଅୟର ତାଙ୍କ ତକିଆ ଉପରେ ମୁଣ୍ଡ ଲଗାଇଦେଲେ ।

Image

 

Unknown

‘ବାପା ନ ଆସନ୍ତୁ’

 

ତିନିଜଣଯାକ ଝିଅ ଦେଖିବାକୁ ଏକାପରି ଥିଲେ । ଗୋଟିଏ ଛାଞ୍ଚର ସୁବର୍ଣ୍ଣ ପ୍ରତିମା ପରି ସେମାନେ ଦେଖାଯାଉଥିଲେ । ତାଙ୍କ ଭିତରେ ଦେଢ଼ ବା ଦୁଇ ବର୍ଷର ତଫାତ୍ ହବ ବୟସରେ-। ସେମାନେ କ୍ରମଶଃ ସତର, ଊଣେଇଶି ଓ ଏକୋଇଶି ବର୍ଷର । ତିନିଜଣଯାକଙ୍କର ବର୍ଣ୍ଣ ବି ଏକାପରି । ଉଚ୍ଚତାରେ ପ୍ରାୟ ଫରକ୍ ନାହିଁ କହିଲେ ଚଳେ । ଗୋଟିଏ ଡାଳରେ ଯେପରି ତିନିଟି କଢ଼ି ଫୁଟିଛନ୍ତି ।

 

ତିନିଜଣଯାକ ଅବିବାହିତା । ବିବାହ ବିଷୟରେ କିଛି ହେଲେ ଚିନ୍ତା ସେମାନଙ୍କ ମୁଣ୍ଡରେ ନ ଥିଲା । ଯୋଉଠି କୌଣସିମତେ ଦିନ କାଟିବା କଥା, ସେଠି ବାହାପୁଆଣୀ କଥା ହବ କିମିତି ?

 

ସେଥିରେ କଣ ଅଛି ? ସହର ଭିତରେ କେତେ ବାହାଘର ନ ହଉଚି ! ସ୍ଥାନେ ସ୍ଥାନେ କଦଳୀଗଛ ଲାଗିଛି, ବାଜଣା ଶୁଣାଯାଉଛି । ଗିନା ଭଳି ମୁହଁର ଝିଅଙ୍କର ବି ଭାଗ୍ୟ ଖୋଲିଯାଉଛି । ମୂଷା ଲାଙ୍ଗୁଡ଼ ଭଳିଆ ବାଳ ଆଉ ଛୋଟୀଙ୍କ ସକାଶେ ବି ବିବାହର ଶୁଭଦିନ ଆସିଗଲାଣି । ଆକାଉଣ୍ଟାଣ୍ଟ୍ ଜେନେରାଲଙ୍କ ଅଫିସରେ କାମ କରୁଛି ଯେଉଁ କୁରୂପ ମଙ୍ଗଳମ୍, ଆଉ ରଙ୍ଗରେ କୋଇଲିକୁ ଜିଣିଯିବ ଯେଉଁ କୋମଳାମ୍ ତାଙ୍କ ଭାଗ୍ୟ ବି ଖୋଲିଗଲା । ଏଇ ତିନିଜଣ ଝିଅ ପ୍ରତିଦିନ ସେଇବାଟେ ଯାଆନ୍ତି, ସେଇବାଟେ ଫେରନ୍ତି । ବାହାଘରକୁ ଆସିଥିବା ଅଭ୍ୟାଗତଙ୍କର ମଟରଗାଡ଼ି ଆଉ ସ୍କୁଟରମାନଙ୍କୁ ବି ଦେଖନ୍ତି । ଜରିଜରିଆ ଓଢ଼ଣୀ ଓ ଟେରିଲିନ୍ ପ୍ୟାଣ୍ଟମାନଙ୍କର ଖସ୍ ଖସ୍ ବି ତାଙ୍କୁ ଶୁଣାଯାଏ । ସେମାନେ ବସ୍ ଧରିବାକୁ ତରତର ହୋଇ ଚାଲିଯାଆନ୍ତି । ତାଙ୍କ ପାଖରେ ଅଟକିବାର ବେଳ କାହିଁ ? ଟିକିଏ ରହି ଦେଖିବାର ଚିନ୍ତା ତାଙ୍କର କୋଉଠୁ ଆସିବ ?

 

ସବା ବଡ଼ଝିଅ ବେଦବଲ୍ଲୀକି ପ୍ରତିଦିନ ସକାଳ ଦଶଟାବେଳକୁ ଟେଲିଫୋନ୍ ଆଗରେ ବସିଯିବାକୁ ହୁଏ । ଦ୍ୱିତୀୟ ଝିଅ କନକବଲ୍ଲୀକୁ ଦଶଟା ବେଳକୁ କଲେଜ ପହଞ୍ଚିଯିବାକୁ ପଡ଼େ । ତୃତୀୟା ଚମ୍ପକବଲ୍ଲୀ ଯେବେ ଦଶଟା ବେଳକୁ ପହଞ୍ଚିଯିବ ତେବେ ଯାଇ ତାକୁ ଅବିଳମ୍ବେ ଅଧିକ ଅପେକ୍ଷା ନ କରି ଟାଇପ୍‌ରାଇଟରଟିଏ ମିଳିଯିବ । ସେ ତ କାମକୁ ଗଲାନି କି କଲେଜ ବି ଗଲାନି-। ମାଟ୍ରିକ୍ ପାସ୍‍କରି ସେ ଟାଇପ୍ ଇନ୍‌ଷ୍ଟିଚ୍ୟୁଟ୍‌ରେ ଭର୍ତ୍ତି ହୋଇଗଲା । ଡେରିକରି ଗଲେ ତାକୁ ମେସିନ ଖାଲି ହେବାଯାକେ ଧୈର୍ଯ୍ୟ ଧରି ଠିଆ ହେବାକୁ ପଡ଼େ ।

 

ବେଦାର ଦରମାରେଇ ବର୍ତ୍ତମାନ ଘର ଚଳୁଛି । ସେତିକି ଦରମାରେ ପେଟ ପୂରାଇ ଖାଇବାକୁ ମିଳିଯାଏ । ଚାରୁପାଣି ଓ ଭାତ–ସେ ବି ତ ଖାଇବା ! ଦରମା ପାଇଲେ ମାସର ପ୍ରଥମ ସପ୍ତାହରେ ଦି’ଦିନ ତାଙ୍କୁ ପରିବାପତ୍ର ବି ଚାଖିବାର ସୁଯୋଗ ମିଳିଯାଏ । ସବୁଦିନ ଏମିତି ହାତ ଖୋଲି ଖର୍ଚ୍ଚ କଲେ କନକା କଲେଜ ଯିବ କେମିତି ଆଉ ଚମ୍ପା ବା ଇନ୍‌ଷ୍ଟିଚ୍ୟୁଟ୍ ଯିବ କେମିତି ? କୌଣସି ପ୍ରକାରେ କଷ୍ଟ କରି ଏଇ ଦଶଟା ମାସ କଟାଇ ଦେଇପାରିଲେ ଆଉ ତାକୁ ଇନ୍‌ଷ୍ଟିଚ୍ୟୁଟ୍ ଯିବାକୁ ହେବ ନାହିଁ । ତା’ପରେ କୋଉଠି ହେଲେ କାମଟିଏ ମିଳିଯିବ । ବେଦାର ଅଫିସ୍‌ରେଇ ତାକୁ ଚାକିରି ଦିଆଯାଇପାରେ । ତା’ ପାଇଁ ବଡ଼ବଡ଼ିଆ ଲୋକମାନେ ସୁପାରିଶ କରି ସାରିଛନ୍ତି । ସେତେବେଳକୁ ସେ ଅଠର ବର୍ଷ ବୟସର ହୋଇଯିବ; ଆଉ ତାକୁ ଡିପ୍ଳୋମା ବି ମିଳିଯିବ । ସେତେବେଳଯାକେ ଏଇ ଅବସ୍ଥା ଚାଲିବ–ନହେଲେ ଭଲ ଖାଇଲେ ଲୁଗାପଟାରେ ଅଭାବ, ଆଉ ଭଲ ପିନ୍ଧିଲେ ଖାଇବାରେ ଅନଟନ । ବର୍ତ୍ତମାନ କ’ଣ ଆଉ କରାଯାଇପାରେ ?

 

ଏମିତି କଷ୍ଟ ଅଛି କି ଯାହା ସେମାନେ ଅଙ୍ଗେ ନିଭେଇ ନାହାନ୍ତି ? ଆଜିକାର କଷ୍ଟ ତାଙ୍କର ଅଙ୍ଗେ ନିଭେଇଲା କଷ୍ଟଠାରୁ କ’ଣ ଆଉ ବେଶୀ ? ଚମ୍ପା ଚାକିରି କଲେ ସେମାନେ ଆହୁରି ବେଶୀ ସୁଖରେ ରହିପାରିବେ । କନକାକୁ ଆହୁରି ଦି’ ବର୍ଷ ପଢ଼ିବାକୁ ହବ । ୟା ପରେ ସେ ଯୋଉ ଟ୍ରେନିଂ ନେଉ, ତହିଁରେ ବର୍ଷଟାଏ ଆହୁରି ଲାଗିଯିବ । ଏହିପରି ତିନି ବର୍ଷ କଟିଗଲେ ଆଉ କଷ୍ଟ ରହିବନି । ସେତେବେଳେ ସେମାନେ ଯାହା ମନ ତାହା ଖର୍ଦ୍ଦି କରିପାରିବେ, ଖାଇପାରିବେ । ସେତେବେଳେ ସେମାନେ ସୁଖରେ ରହି ପାରିବେ । ସେତେବେଳଯାକେ ଆଉ କୌଣସି ବିଷୟରେ ଭାବନାର ଅବସର ତାଙ୍କ ପାଖେ ନାହିଁ । ଦେଶରେ, ପୃଥିବୀରେ କେତେ କଥା ଘଟୁଚି, ଘଟୁ; ସେ ସବୁ ନେଇ ୟାଙ୍କର ଚିନ୍ତା କାହିଁକି ?

 

ସେ ଝିଅ ତିନିଜଣ ଜାଣିଥିଲେ ଯେ ତାଙ୍କର ମାଆ ସୌନ୍ଦରମ୍ ନିଜେ କେତେ ଦୁଃଖ କଷ୍ଟ ସହିଛି ଧୈର୍ଯ୍ୟ ଧରି । ଯେବେ ତାଙ୍କ ଉପରେ ଗୋଟିକ ପରେ ଗୋଟିଏ ବିପତ୍ତିର ପାହାଡ଼ ଭାଙ୍ଗି ପଡ଼ିଲା ଓ ଥର ଥର କରି ଦୁଃଖ ଆସିଲା, ସେତେବେଳେ ସେଇ ଝିଅ ତିନିହେଁ ଅତି ବେଶୀ ଡରିଯାଇ ମାଆ ଆଢ଼ୁଆଳରେ ଲୁଚିଥିଲେ ।

 

ସୌନ୍ଦରମ୍ ସେସବୁ ଦୁଃଖକଷ୍ଟକୁ ସହିନେଇ ସ୍ଥିର ଭାବରେ ଠିଆ ହୋଇ ରହିଲା । ସେ ଏମିତିକା କାମରେ ଲାଗିଗଲା ସତେ ଯେମିତି କିଛି ହୋଇନାହିଁ । ମନର ସେହି ଅପୂର୍ବ ଦୃଢ଼ତା ଓ ଅସମ୍ଭବ ଧୈର୍ଯ୍ୟ ତାକୁ କୁଆଡ଼ୁ ମିଳିଲା କେଜାଣି ? ଏ ବିଷୟରେ ଝିଅଯାକଙ୍କ ମନରେ ଆଶ୍ଚର୍ଯ୍ୟ ଅପେକ୍ଷା ଗର୍ବ ଅଧିକ ଥିଲା ।

 

ସୌନ୍ଦରମ୍‌ର ଛବିଶ ବର୍ଷ ବୟସ ପର୍ଯ୍ୟନ୍ତ ବାହାର ଦୁନିଆ ବିଷୟରେ କିଛି ଜ୍ଞାନ ନ ଥିଲା । ବର୍ତ୍ତମାନ ସେ ପ୍ରୌଢ଼ାବସ୍ଥାରେ ପହଞ୍ଚିଛି ଏବଂ ପାରିବାରିକ ସୁଖମାନଙ୍କର ଅନୁଭବ ଶାନ୍ତିପୂର୍ବକ, ଭାବିଚିନ୍ତି, ଏକୁଟିଆ କରିଯାଉଛି । ସେ ବି ଦିନେ ଜ୍ୱଳନ୍ତ ଶିଖା ପରି ସୁନ୍ଦରୀ ଥିଲା । ସିନ୍ଦୂର ଓ ଫୁଲ ଦେଇ ସେ ନିଜର ଖାଲି ନୁହେଁ, ନିଜର ଅଗଣାର ବି ସୌନ୍ଦର୍ଯ୍ୟ ବୃଦ୍ଧି କରୁଥିଲା । ତା’ ହାତ ବାଜିଲେ ଖାଇବା ଜିନିଷର ନୂଆ ସୁଆଦ ଓ ବାସ୍ନା ଆସିଯାଉଥିଲା । କେଜାଣି କେମିତି ଏମିତି ହୁଏ ?

 

କେଜାଣି କେତେ ଲୋକ ଆସି ତା ହାତରନ୍ଧା ଖାଇ ପ୍ରଶଂସା କରିଗଲେ; କିନ୍ତୁ ଯାହାର ପ୍ରଶଂସାର ଦରକାର ଥିଲା, ଯାହାର ପ୍ରଶଂସା ଶୁଣିଲେ ତା ହୃଦୟ ସତରେ ଆନନ୍ଦିତ ହୋଇଥାନ୍ତା, ସେ ଲୋକ ମୁହଁ ଫିଟେଇ କେବେହେଲେ ପ୍ରଶଂସାର ପଦଟିଏ କହିଥିବ–ଏମିତି କେବେ ହେଲେ ହୋଇନାହିଁ । ଲୋକେ କହନ୍ତି, ମୁହଁରେ ଆଶିଷ ନଦେଲେ ବି ପୂରାପେଟଟା ଅନ୍ତତଃ ଉପକାରଟା ମାନିବ । ସେ ପ୍ରଶଂସା ନ କଲେ ନାହିଁ କିନ୍ତୁ ଟୀକାଟିପ୍‌ପଣୀ ନକରି ତ ରହିପାରିଥାନ୍ତା ? କିନ୍ତୁ ସେ ଟିକେ ଖୁଣ୍ଟା ନ ଦେଇ ରହିପାରେନା । ସେହି ବିଚିତ୍ର ପ୍ରାଣୀଟି ତା’ର ମହତ୍ତ୍ୱ ବୁଝିପାରୁ ନଥିଲା । ତା’ର ଏତେ ଗର୍ବ ଏତେ ଅହଙ୍କାର ଥିଲା ଯେ ତାକୁ ବୋକା କହି କ୍ଷମା କରିହେବ ନାହିଁ ।

 

ଯେତେ ଦିନ ଗାଁରେ ସମ୍ପତ୍ତିବାଡ଼ି, ଘରବାଡ଼ି ଥିଲା, ଲୋକଙ୍କ ଉପରେ ହାକିମୀ କରି, ମଉଜ ମଜଲିସ କରି, ବସି ବସି ଖାଇ ସବୁଯାକ ସମ୍ପତ୍ତି ଉଡ଼େଇ ଦେଲା । ଯାହା ବଳିଥିଲା, ତାଆସ ଓ ଜୁଆ ଖେଳି ନଷ୍ଟ କରିଦେଲା । ପାଖ ଗାଁରେ ଗୋଟିଏ ଘର ଆଉ ଅଳ୍ପ ଜମି ଥିଲା । ତାକୁ ଅଂଜାକୁଡ଼ିର କଣ୍ଣମ୍‌ମା ବୋଲି ମାଇପିଟି ଲେଖିପଢ଼ି ନେଲା । ତା’ର ଗୋଟିଏ ଝିଅ ଥିଲା ଯେ କି ବେଦାଠୁଁ ବର୍ଷେ ଖଣ୍ଡେ ବଡ଼ ହବ । ସେ ଝିଅକୁ ଗୀତ କ’ଣ, ନାଚ କ’ଣ ସବୁ କିଛି ଶିଖାଇବାକୁ ଲୋକଟା ପ୍ରାଣପଣେ ଚେଷ୍ଟା କଲା । ଗଛ ଗୋଟିଏ ଘରର ଅଗଣାରେ ଲଗାହେଇଛି, ଫୁଲ ପଡ଼ୁଛି ଆଉ କାହା ଅଗଣାରେ । ସେ ଖିଆପିଆ ଏଠି କରେ ଆଉ ଶୁଏ ଅଂଜାକୁଡ଼ିରେ । ତା’ର ସୁବିଧା ହେଉଥିଲା ସେଠୁ ଗୋଟିଏ ଗାଡ଼ି ସାଢ଼େ ନଅଟା ବେଳେ ଛାଡ଼ୁଥିଲା । ସେଇ ଗାଡ଼ିରେ ଗଲେ ସେ ଦଶଟା କି ଦଶଟା ପନ୍ଦର ବେଳକୁ ଘରେ ପହଞ୍ଚିଯାଉଥିଲା ।

 

ଲୋକେ କହନ୍ତି, ଏଇ ଲୋକଟି ତା’ ଘରକୁ କେତେ ଥର ଯାଇଛି । ଯେଉଁମାନେ ସେ ଗାଁକୁ ଯାଇଥିଲେ ସେମାନେ ନିଜ ଆଖିରେ ଦେଖିକରି ଏମିତି କହିଛନ୍ତି ।

 

କେହି କେହି ସୌନ୍ଦରମ୍ ପ୍ରତି ସହାନୁଭୂତି ଦେଖାଇ କହିଲେ, ‘‘ହଇଲୋ ସୌନ୍ଦରମ୍, ତୋର ତ ତିନି ତିନିଟା ଝିଅ । ଆଉ ସେ ମୂର୍ଖଟାକୁ ତା’ ଇଚ୍ଛାରେ ଛାଡ଼ି ଦଉଚୁ କିଆଁ ?’’

 

‘‘ମୁଁ ଆଉ କ’ଣ କରିବି ? ଅଂଜାକୁଡ଼ି କହିଲେ ମତେ ବାଡ଼େଇ ଗୋଡ଼ାନ୍ତି । ପଚାରିଲେ ଜବାବ୍ ଦିଅନ୍ତି, ଏମିତି କିଛି କଥା ନାହିଁ ।’’

 

‘‘ଆଲୋ ଯା ବୋକୀଟା । ଆମୁକୁ ପଚାରୁଚି କ’ଣ ନା କ’ଣ କରିବି । ଏସବୁ କଥାରେ କ’ଣ କ’ଣ କରିବାକୁ ହୁଏ କହିବା ଦରକାର ପଡ଼ିବ ?’’

 

ତା’ ମନକୁ ଯାହା ଯାହା ଉପାୟ ଆସିଲା, ସବୁଗୁଡ଼ିକ ପ୍ରୟୋଗ କଲା । ଫଳ ଖାଲି ଏତିକି ପାଇଲା ଯେ ତା’ ଜାଣିବାରେ ହଉ ଅଜାଣତରେ ହଉ, ତା’ର ଅଳଙ୍କାରପତ୍ର ଘରୁ ହଜିଯିବାକୁ ଲାଗିଲା । ସେ ଲୋକର ମନକୁ ବଦଳାଇ ହେଲାନି । ସେ ଆଗ ଆଗ ଚାରି ପାଞ୍ଚ ଦିନରେ ଥରେ ଘରକୁ ଆସୁଥିଲା; କିନ୍ତୁ ବର୍ତ୍ତମାନ ଘରକୁ ଆସିବା ସେ ପୂରାପୂରି ଛାଡ଼ିଦେଲା ।

 

ଲୋକେ କହିଲେ ତାକୁ କିଛି ଦିନ ଅଂଜାକୁଡ଼ିରେ ଦେଖିବାକୁ ମିଳିଥିଲା । ୟା ପରେ କିଏ କହିବ ସେ ନିଜେ ସେଠିକି ଯିବା ବନ୍ଦ କରିଛି ନା ତାକୁ କିଏ ସେଠିକି ଆସିବାକୁ ବାରଣ କରି ଦେଇଛି–ସେଠି ବି ତା’ର ଦେଖା ମିଳିଲାନି ।

 

ସୌନ୍ଦରମ୍ ତା’ଲାଗି ଢେର ଦିନ ଅପେକ୍ଷା କଲା । ଧାର କରଜରେ ସେତେବେଳକୁ ସେ ପୂରାପୂରି ଡୁବିଯାଇଛି । ଘରେ ଯାହା କିଛି ଅଳଙ୍କାର ଥିଲା, ଧୀରେ ଧୀରେ ସବୁ ଯାଇ ମହାଜନ ପାଖରେ ପହଞ୍ଚିଗଲା । ୟାର କିଛିଦିନ ପରେ ସହରରେ ରହୁଥିବା ତାର ବଡ଼ଭାଇ ତାକୁ ସେଠିକି ଯିବାକୁ ଚିଠି ଲେଖିଲେ । ସେ ତା’ ପିଲାଙ୍କୁ ଧରି ସେଠି ଯାଇ ପହଞ୍ଚିଗଲା । ଭାଇ ତ ବେଳେବେଳେ ପଇସାପତ୍ର ଦେଇ ତାକୁ ସାହାଯ୍ୟ କରେ । ସେତେବେଳକୁ ବେଦାର ବାର୍ଷିକ ପରୀକ୍ଷା । ହଠାତ୍ ସୌନ୍ଦରମ୍‌ର ବଡ଼ଭାଇ ବି ଆଖି ବୁଜିଲେ । ପରିବାରକୁ ଗଭୀର ଧକ୍‌କା ଲାଗିଲା । କେଜାଣି ସୌନ୍ଦରମ୍ ସେ ଧକ୍‌କାଟା ସମ୍ଭାଳିଲା କେମିତି ? ତା ସାଙ୍ଗକୁ ଗୋଟିଏ ଛୋଟିଆ ଆଘାତ ବି ମିଶିଗଲା–ବେଦା ପରୀକ୍ଷାରେ ଫେଲ୍ ହୋଇଗଲା । ବିକି ଖାଇବାକୁ ବି ପାଖରେ କିଛି ଜିନିଷ ନ ଥିଲା । ଘରେ ଖାଲି ଗୋଟିଏ କଡ଼େଇ, ଗରାଟିଏ, ତସଲାଟିଏ ଆଉ ହାଣ୍ଡିଟିଏ । ଏହିପରି କଷ୍ଟକର ପରିସ୍ଥିତି ଭିତରେ ବେଦା ଦ୍ୱିତୀୟ ଥର ପରୀକ୍ଷା ଦେଲା ଓ ପାଶ୍ କରିଗଲା । କିଏ ଜଣେ ତାକୁ ଦୟାକରି ଟେଲିଫୋନ୍ ଅପରେଟର୍ ଚାକିରିଟିଏ ବି ଦେଇଦେଲା । ସେଇ ସାମାନ୍ୟ ଦରମାରେ ସେ ଯେ କେମିତି ଘର ଚଳାଇଲା ଓ କନକାକୁ ପଢ଼ିବାକୁ ପଠେଇଲା, ତା’ ଆଜି କଳ୍ପନା ବି କରି ହେବ ନାହିଁ । କେତେ ଥର ଭୋକପେଟରେ ରହିବାକୁ ପଡ଼ିଛି, କେତେ ଭୟଙ୍କର ଅବସ୍ଥାର ସମ୍ମୁଖୀନ ହେବାକୁ ପଡ଼ିଛି, ଘର ବଦଳେଇବାକୁ ପଡ଼ିଛି ।

 

ବର୍ତ୍ତମାନ ତିନିଜଣଯାକ ଝିଅ ଯୁବତୀ ହୋଇଯାଇଛନ୍ତି । ତାଙ୍କ ସୌନ୍ଦର୍ଯ୍ୟଦ୍ୱାରା ହଠାତ୍ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରି ପାରନ୍ତି । ସେମାନଙ୍କର ଅବସ୍ଥା ଏପରି ଯେ ସମସ୍ତଙ୍କ ପରି ସଜବାଜ ହେବାକୁ ଇଚ୍ଛା ହେଲେ ବି ଘରେ ଭୀଷଣ ଦାରିଦ୍ର୍ୟ ହେତୁ ତାହା ଅସମ୍ଭବ । ସେମାନେ ଆଉ ଗୋଟିଏ ପରିବାର ସଙ୍ଗେ ମିଶିକରି ଚଳୁଥିଲେ । ବାହାରର ସମାଜରେ ଶିଷ୍ଟାଚାର ବୋଲି କିଛି ନ ଥିଲା । ସୌନ୍ଦରମ୍ ଅତି ଡରି, ଅତି କଷ୍ଟରେ ଦିନପରେ ଦିନ ବିତାଉଥିଲା, କାହିଁକିନା ସେ ପରିବାରର କେହି ପୁରୁଷ ସାହା-ଭରସା ନଥିଲା । ଏମିତି ଅବସ୍ଥା ଭିତରେ ବଡ଼ କଷ୍ଟରେ ଚମ୍ପା ଏକାଦଶ ଶ୍ରେଣୀକୁ ଆସିଲା । ବର୍ଷେ ଦିବର୍ଷ ଆହୁରି ସାହାଯ୍ୟ କଲେ ସେ ବି କାମକୁ ଯିବାର ଯୋଗ୍ୟା ହୋଇଯିବ । କନକା ଭଲକରି ପାଠ ପଢ଼ିଲେ ପରେ ସମସ୍ତଙ୍କର ଦେଖାଶୁଣା କରି ପାରିବ । ସୌନ୍ଦରମ୍ ଅତି ଧୈର୍ଯ୍ୟ ଦେଇ କଷ୍ଟ ଭିତରେ ବି ସାହସ ନ ହାରି, ଭୋକିଲା ପେଟରେ ହଉ, ଅଧା ପେଟରେ ହଉ, ବେଦାର ସାମାନ୍ୟ ଦରମାରେ ଯେଉଁଭଳି ଘରକରଣା ସମ୍ଭାଳିଲା, ତାହା ଆଶ୍ଚର୍ଯ୍ୟଜନକ ।

 

ଦିନେ କନକା କଲେଜରୁ ଫେରିବାକୁ ଡେରି ହେଲା । ସେତେବେଳକୁ ବେଦା ବି ଘରକୁ ଫେରିସାରିଥାଏ । କଲେଜରେ କିଛି ବିଶେଷ କାର୍ଯ୍ୟକ୍ରମ ଥିଲେ ତ କନକା ସକାଳଉଁ କହି ଦେଇଥାଏ । ଆଜି ତ ଏମିତି କିଛି କହି ଯାଇନାହିଁ । ତେଣୁ ସମସ୍ତେ ବଡ଼ ଭାବିତ ହେଲେ । କେତେ ଡେରିରେ ଯାଇ ସେ ଘରକୁ ଫେରିଲା ।

 

‘‘ଆଲୋ ମା ତୋର ଏତେ ଡେରି ହେଲା କାହିଁକି ?’’

 

‘‘ମା, ମୁଁ ବାଟରେ ବାପାଙ୍କୁ ଦେଖିଲି !’’

 

ସୌନ୍ଦରମ୍ ଚୁପ୍ ହୋଇଗଲେ ।

 

‘‘ବାପାଙ୍କୁ ? କୋଉଠି ?’’ ଆର ଝିଅ ଦିଜଣ ପଚାରିଲେ ।

 

ସୌନ୍ଦରମ୍ ନା ତାଙ୍କୁ ଚାହିଁଥିଲା, ନା ତା ମନ ସେଠି ଥିଲା ।

 

‘‘କଲେଜରୁ ଫେରୁ ଫେରୁ ବାଟରେ ଦେଖିଲି ।’’

 

‘‘ଏଇଥିପାଇଁ ତୋର ଫେରିବାକୁ ଡେରି ହେଲା ପରା ?’’

 

‘‘ହଁ, ଯାତ୍ରାଦଳର ଓସ୍ତାଦ୍‌ଙ୍କ ପରି ଢିଲା କୁରୁତା ଓ ଜରୀଦାର ଧୋତି, ଅଙ୍ଗବସ୍ତ୍ରମ୍ (ତାମିଲ୍‌ନାଡ଼ୁର ଚଦର, ଯାହାକି ଦୁଇ କାନ୍ଧରେ ଝୁଲାଇ ପିନ୍ଧନ୍ତି) ପିନ୍ଧି ବସ୍‌ଷ୍ଟାଣ୍ଡରେ ଠିଆ ହୋଇଥିଲେ । ଆଗ ଆଗ ମୁଁ ତାଙ୍କୁ ଦେଖିନାହିଁ । ଯେତେବେଳେ ସେ ମୋତେ ନାଁ ଧରି ଡାକିଲେ ମୁଁ ପଛକୁ ବୁଲିପଡ଼ି ଦେଖିଲି । ବୁଲିପଡ଼ି ଦେଖିଲି, ବାପା । ଦିହରୁ ଚନ୍ଦନ ଓ ଅତରର ବାସ୍ନା ବାହାରୁଚି, ମୁହଁରୁ ପାନର ବାସ୍ନା !’’

 

‘‘ହଁ....ଆଚ୍ଛା ତା ପରେ ?’’

 

‘‘ତା ପରେ ସେ ଆମ ସମସ୍ତଙ୍କ କଥା ପଚାରିଲେ । ଆମ ଠିକଣା ପଚାରିଲେ । ମୁଁ ସବୁ କହିଦେଲି । ୟା ଭିତରେ ବସ୍ ଆସିଗଲା ଆଉ ସେ ପରେ ଦେଖା ହେବ ବୋଲି କହି ତା ଉପରେ ବସିଗଲେ ।’’

 

‘‘ଏଇ କଥାରୁ ତୋର ଏତେ ଡେରି ହେଲା ?’’

 

‘‘ଆମେ ହୋଟେଲକୁ ଯାଇଥିଲୁ, ସେଇଥିରୁ ଏତେ ଡେରି । ମୁଁ ଖୁବ୍ ମନାକଲି ହେଲେ ସେ କିଛି ଶୁଣିଲେନି । ମୁଁ ବା କେତେ ଆଉ ମନା କରିଥାନ୍ତି ?’’

 

‘‘ସେ ଆଉ କିଛି ପଚାରିଲେନି ?’’

 

‘‘ଏତିକି ଖାଲି ପଚାରିଲେ ଯେ ବେଦାର ଦରମା କେତେ ଆଉ ଚମ୍ପା ଆଜିକାଲି କଣ କରୁଛି ।’’

 

ବେଦା ପଚାରିଲା ‘‘ସେ ଆଜିକାଲି କୋଉଠି ଅଛନ୍ତି ?’’

 

‘‘କେଜାଣି ।’’

 

‘‘କଣ କରନ୍ତି ?’’

 

‘‘ମୁଁ ପଚାରିନି ।’’

 

‘‘କାହିଁକି ପଚାରିନୁ ?’’

 

‘‘ମୁଁ ଥରେ ପଚାରିଥିଲି, ତାରି ଭିତରେ ସେ ଆଉ କଣ କଥା ନେଇ କଥା ବୁଲେଇଦେଲେ ।’’

 

ସୌନ୍ଦରମ୍‌ର ଧୈର୍ଯ୍ୟବନ୍ଧ ଭାଙ୍ଗିଗଲା । ସେ କହିଲା, ‘‘ହଉ ହଉ । ଏଇଲା ଉଠିକରି କାମ କର ଯାଇ ।’’

 

କିଛି ଦିନ ପରେ ସେମାନେ ବାପାଙ୍କ ସଙ୍ଗେ ଭେଟ ହେବା କଥା, ତାଙ୍କ ସଙ୍ଗେ କଥାବାର୍ତ୍ତା ହୋଇଥିବା କଥା ଭୁଲିଭାଲି ଗଲେ । ଚମ୍ପାର ପରୀକ୍ଷା ଫଳ ଖବର କାଗଜରେ ବାହାରିଲା । ସେ ହନୁମାନ ମନ୍ଦିରକୁ ଯାଇ ଗୋଟିଏ ନଡ଼ିଆ ଭାଙ୍ଗି ଘରକୁ ଫେରିଲା ।

 

‘‘ନଡ଼ିଆ ଭଙ୍ଗା ସରିଲା ?’’ ପଚାରି ପଚାରି ସୌନ୍ଦରମ୍ ସେଠିକି ଆସିଲା । ବାରଣ୍ଡାରେ ଦରଜା ପାଖରେ କିଏ ସେ ଠିଆ ହୋଇଥିବାର ଦେଖି ସେ ପଥର ପରି ଠିଆ ହୋଇଗଲା । ଚମ୍ପା ବି ପରେ ବୁଲିପଡ଼ି ଦେଖିଲା ଯେ ତା ପଛରେ କିଏ ସେ ଠିଆ ହୋଇଛି । ତା ବାପା ! ସେଇ ବାପାଙ୍କୁ ସେ ସାତ ଆଠବର୍ଷ ବୟସରେ ଦେଖିଥିଲା । କନକାର ବର୍ଣ୍ଣନା ଶୁଣି ସେ ବାପାଙ୍କର ଯେଉଁ ରୂପ କଳ୍ପନା କରିଥିଲା, ତାଙ୍କ ଚେହେରା ଅନେକ ପରିମାଣରେ ସେହିପରି ।

 

ସୌନ୍ଦରମ୍ ଆଶ୍ଚର୍ଯ୍ୟ ହୋଇ, ଚକିତ ହୋଇ ଦୌଡ଼ି ଆସି କବାଟ କୋଣର ଅନ୍ଧାରରେ ଲୁଚି ଠିଆହୋଇ ପଡ଼ିଲା । ହୃଦୟଟା ଧକ୍ ଧକ୍ ହୋଇ ଚାଲିଲା । ଝିଅମାନେ ଧାଇଁଯାଇ ତାଙ୍କୁ ପାଛୋଟି ଆଣିଲେ । ସେ ଭିତରକୁ ଆସିବା ଆଗରୁ ହିଁ ତାଙ୍କ ଦେହର ଚନ୍ଦନ ଓ ଅତରର ବାସ୍ନା ଘର ଭିତରକୁ ପଶିଆସିଲା । ସେ ସଙ୍ଗୀତ ସମ୍ରାଟ୍‌ଙ୍କ ପରି ଘର ଭିତରକୁ ଆସି ବସିଲେ । ମନେ ହେଉଥିଲା, ଯେପରି ସେ ଜାଗାଟି ତାଙ୍କର ଯୋଗ୍ୟ ନୁହେଁ । ଝିଅଙ୍କୁ କେମିତି ଗୋଟାଏ ନିଶା ଲାଗିଯାଇଛି ।

 

‘‘ବାପା ତମକୁ ଏ ଘର କଥା କିଏ କହିଲା ? ମୁଁ ତ ତମକୁ ଆର ଘରଟାର ଠିକଣା ଦେଇଥିଲି । ସେଠି ଆମେ ୟା ଆଗରୁ ଥିଲୁ’’ କନକା କହିଲା । ‘‘ମୁଁ ସେଠିକି ଯାଇକରି ପଚାରିଲି । ସେଠା ଲୋକେ କହିଲେ, ଆମେ ତ ସେମାନଙ୍କୁ ଚିହ୍ନିନୁ । ମୁଁ ଏବେ କଣ କରିବି, ଏମିତି ଭାବି ଭାବି ହନୁମାନ ମନ୍ଦିର ପାଖଦେଇ ଯାଉଥିଲି । ସେଠି ମୁଁ ଚମ୍ପାକୁ ଦେଖିଲି । ଆଗେ ଦେଖିକରି ଭାବିଲି, ତୁଇ ହବୁ ପରା । ଚମ୍ପା ଏଇଲା କେଡ଼େ ବଡ଼ ହେଇଗଲାଣି ! ତାପରେ ସନ୍ଦେହ ହେଲା ସେ ଚମ୍ପା କି ନୁହେଁ । ତେଣୁ ମୁଁ ତାକୁ ଡାକିଲିନି । ଯେମିତି ହଉ ମୁଁ ଘରଟା ଖୋଜି ବାହାର କରିନେଲି । ନେ ୟାକୁ ନେଇ ରଖିଦେ ।’’ କହି ସେ ତିନିଟି କଦଳୀ ବେଗ୍‌ରୁ ବାହାର କରି ଥୋଇଲେ ।

 

ସେ ସୌନ୍ଦରମ୍ ସାଙ୍ଗରେ କଥା ହେଲେନି । କେତେ ବର୍ଷରେ ସ୍ୱାମୀ ଫେରିଛନ୍ତି, ତାଙ୍କ ସଙ୍ଗେ ସେ ବି ପଦେ କଥା କହିଲା ନାହିଁ; କିନ୍ତୁ ସେ ଭିତରୁ ସେଉ କାଟି ପଠାଇଲା, ଚାହା ପଠାଇଲା । ୟା ପରେ ବେଶ୍ ମଜାରେ ଭୋଜିଟାଏ ହେଲା । ବାପାଙ୍କ ଫେରିବା ବାହାନାରେ ସେମାନେ ନିଜର ଚେତା ଫେରିବା ପରେ ଆଜି ଭଲକରି ଗଣ୍ଡିଏ ଖାଇପାରିଲେ । ତାଙ୍କ ଭିତରେ ଯେତେ ଦୋଷ ଥାଉ, ତାଙ୍କ ଲାଗି ଯେତେ ଦୁଃଖ ଭୋଗ କରନ୍ତୁ ପଛକେ, ସେ ତ ବାପା । ତାଙ୍କ ଯୋଗୁଁ କେତେ ଯେ ଅପମାନ ସହିବାକୁ ପଡ଼ିଛି, କେତେ ଯେ ଦୁଃଖକଷ୍ଟ ସହିବାକୁ ପଡ଼ିଛି, ତାହାର ଇୟତ୍ତା ନାହିଁ କି ସୀମା ପରିସୀମା ନାହିଁ । ତଥାପି ସେମାନେ ସେଗୁଡ଼ାକ ଭୁଲିଗଲେ । ଅନ୍ତତଃ ଏଇଲାଗେ ତ ସେ ସେମାନଙ୍କୁ ଦେଖିବାକୁ ଆସିଛନ୍ତି, ଏତିକି ଭାବି ସେମାନେ ଖୁବ୍ ଖୁସି ହେଲେ ।

 

ସମସ୍ତେ ଖୁବ୍ ଖୁସି ହେଲେ । ମନେ ହେଲା ଘର ଭିତରଟା ଖୁବ୍ ବଦଳିଯାଇଛି । ହାତରେ ବିଞ୍ଚଣାଟି ଚଲାଇ ଚଲାଇ ସେ ପ୍ରାୟ ନଅଟା ବେଳେ ଶୋଇବାକୁ ଚାଲିଗଲେ । କେତେ ରାତିଯାକେ ବିଞ୍ଚଣା ଚାଲିବାର ଶବ୍ଦ ଆସୁଥିଲା । ତାପରେ କେତେ ବେଳେ ଯେ ବିଞ୍ଚଣା ବନ୍ଦ ହେଇଚି ଆଉ ସେ ଶୋଇଚନ୍ତି ଝିଅମାନେ ଜାଣିପାରିଲେନି । ତାଙ୍କ ମାଆ ସକାଳୁ ଉଠି ଗାଧୋଇ-ପାଧୋଇ ମୁଣ୍ଡରେ ବଡ଼ କରି ଗୋଟିଏ ସିନ୍ଦୂର ଟିପା ଲଗାଇଛି । ବାପା ସେତେବେଳଯାକେ ଶୋଇ ରହିଛନ୍ତି–ଏତିକି ତାଙ୍କୁ ଜଣାନଥିଲା ।

 

‘‘ବାବା ବୋଧେ ରାତିରେ ଭଲକରି ଶୋଇ ପାରିଲେ ନାହିଁ । ସେ ତ କେତେ ରାତି ଯାକେ ବିଞ୍ଚଣା ବୁଲଉଥିଲେ, ନୁହେଁ ?’’ ଚମ୍ପା ପଚାରିଲା ।

 

ସୌନ୍ଦରମ୍ କିଛି ଜବାବ ଦେଲା ନାହିଁ । ଚମ୍ପା ବି କିଛି ଉତ୍ତର ପାଇବ ବୋଲି ପ୍ରଶ୍ନଟା ପଚାରି ନଥିଲା ଯେ ।

 

ବେଦା ଅଫିସରେ ବସି ଯେତେବେଳେ ବାପାଙ୍କର ଫେରିବା କଥା ଭାବୁଥାଏ, ତାକୁ ଏତେ ଖୁସି ଲାଗୁଥାଏ ଯେମିତି ତାକୁ କଣ ଧନରତ୍ନ ମିଳିଯାଇଛି କି । ଏତେ ଆନନ୍ଦ ତାର ହେଉଥିଲା ଯାହା କହିବାର ନୁହେଁ ।

 

‘‘ମା ! ତୁ କେମିତିଆଟା ମ ? ବାପା କେତେ ଦିନ ପରେ ଫେରିଲେ । ତାଙ୍କ ସାଙ୍ଗରେ କଥା ନାହିଁ କି ବାର୍ତ୍ତା ନାହିଁ ?’’ ଚମ୍ପା ପଚାରିଲା ।

 

‘‘ଭାକ୍, ଯା, ନିଜ କାମ କର୍ ଯା ।’’

 

‘‘ଆଲୋ ସେମାନେ ଏକୁଟିଆ ବେଳେ କଥା ହେବେ ସିନା ! ଆମେମାନେ ଥିଲେ ଆଉ କଣ କଥାବାର୍ତ୍ତା ହେବେ ? ବୁଝିଲୁ ?’’ ବେଦା କହିଲା ।

 

ସେମାନଙ୍କର ଇଚ୍ଛା ତ ଏଇଆ ଥିଲା । ବାପା ମାଆ ଯଦିଓ କେହି କାହାରି ସଙ୍ଗେ କଥା କହୁନାହାନ୍ତି ତଥାପି ତାଙ୍କ ମନରେ କ୍ଷୀଣ ଆଶାଟିଏ ଥିଲା ଯେ ତାଙ୍କର ଏପରି ମନ୍ତବ୍ୟଟି ପରେ ନିଶ୍ଚୟ କଥା ହେବେ ।

 

‘‘କଥାରୁ କ’ଣ ମିଳିବ ? କଥା କହିବାଟା କ’ଣ ସବୁ ?’’

 

ସବାଆଗ ବେଶୀ ଦୁଧ ଦେଇ ତିଆରି କଫି ତାଙ୍କପାଇଁ ଅଣାହୁଏ । ଗରମ ଯେ ବାମ୍ଫ ଉଠୁଥିବ । କାନ୍ଧର ଚଦରକାନିରେ ଗିଲାସ ଧରି, ଶବ୍ଦ କରି ଚାଖି ଚାଖି ଚୁପ୍‌ଚାପ୍ ସେ କଫି ପିଅନ୍ତି-। ଖାଇବାବେଳେ ତ ରସମ୍ ଆଞ୍ଜୁଳା କରି ପିଉଥାନ୍ତି । ନଅଟା ବାଜିଲା ସରିକି ହାତରେ ବିଞ୍ଚଣା ଧରି ଶୋଇବାକୁ ବାହାରିଯାନ୍ତି । ଦଶଟା, ସାଢ଼େ ଦଶଟା ବେଳକୁ ଯେତେବେଳେ ତାଙ୍କର ମନେହୁଏ ଯେ ଝିଅମାନେ ଶୋଇଲେଣି, ସେତେବେଳେ ସେ ପଙ୍ଖାର ଶବ୍ଦ କରି ଆସ୍ତେ କାଶି ଦିଅନ୍ତି । ଅନ୍ଧାର ଆଡ଼କୁ ମୁହଁକରି ପାଣି ମାଗନ୍ତି । କେଜାଣି ତାଙ୍କର କୋଉ ଜିନିଷ ପାଇଁ ୟେ ଶୋଷ ?

 

ନିଜ ଭିତରେ କଥାବାର୍ତ୍ତା ନ କଲେ କ’ଣ ହେଲା ? ସେମାନେ କିଛି କଥାବାର୍ତ୍ତା କରୁ ନଥିଲେ; କାରଣ ତା’ର ଆବଶ୍ୟକତା ନଥିଲା । ଚାରିଦିନ ପରେ ସକାଳେ ଆଉ ତାଙ୍କୁ ବିଛଣାରେ ଦେଖିବାକୁ ମିଳିଲାନି ।

 

ସକାଳୁ ଉଠି ଭିତରକୁ ଆସି ଚମ୍ପା ପଚାରିଲା, ‘‘ମା, ବାପା କାହାନ୍ତି ?’’ ତା’ ପ୍ରଶ୍ନରୁ ଲାଗିଲା ଯେ ଏମିତି ଗୋଟାଏ ଜିନିଷ ହଜିଯାଇଛି ଯାହା କି ତାକୁ ଖୁବ୍ ତୃପ୍ତି ଦେଉଥିଲା ।

‘‘ମତେ କ’ଣ ପଚାରୁଛୁ ଆସି ? ମୁଁ ଯେମିତି ତାଙ୍କୁ କାନିରେ ଲୁଚେଇ ରଖିଛି । ସେଇଠି ତ ସାତଟା ବେଳଯାକେ ଶୋଇଥାନ୍ତି ।’’

‘‘ସେଠି ନାହାନ୍ତି କି ନା !’’

‘‘ବୋଧେ ଜଲ୍‌ଦି ଉଠିଯାଇଛନ୍ତି ।’’

‘‘ବାଥରୁମ୍ ପାଖରେ ବି ନାହାନ୍ତି । ଘରକୁ ଲେଉଟିବା ଲୋକର ତୁ ଆଦର କଲୁ ନାହିଁ । ତାଙ୍କ ସାଙ୍ଗେ ପଦେହେଲେ କଥା ହେଲୁନାହିଁ । ଏଇଥିପାଇଁ ତାଙ୍କୁ ଏଠି ଭଲ ଲାଗିଲାନି । ତୋରି ଦୋଷ । ମୁଁ ତ ସେଇଆ କହିବି !’’

‘‘ହଁ ଲୋ ହଁ, ସବୁ ଦୋଷ ମୋରି, ମୋରି ।’’ ସୌନ୍ଦରମ୍ କହିଲା, ‘‘ସେ ଆମ ପାଇଁ ଯେଉଁ ଅନ୍ୟାୟ କଲେ ତାକୁ ସହିଲି, ଆମକୁ ନିଆଶ୍ରା, ଘରଦୁଆରଛଡ଼ା କରି ଛାଡ଼ି ଦେଇଗଲେ, ୟାକୁ ସବୁ ଭୁଲି, ମୁଁ ତାଙ୍କୁ ଅତିଥିଚର୍ଚ୍ଚା କରି କଥା ହେଲିନି–ଏ ତ ମୋରି ଭୁଲ ।’’ ଅଜଣା ଦିଗକୁ ଆଖି ବୁଲାଇ ନେଇ ସୌନ୍ଦରମ୍ କହିଲା ।

ଚାରି ପାଞ୍ଚ ଦିନଯାକେ ଏତିକି ମନକଷ୍ଟ ହେଲା ଯେ ସେ ଆସିକରି ଫେରିଗଲେ । କେତେ ଦିନଯାକେ ତାଙ୍କର ଏମିତି ହଠାତ୍ ଆସିବା, ତାଙ୍କ ସଙ୍ଗେ ରହିବା ଇତ୍ୟାଦି କଥାଗୁଡ଼ା ତାଙ୍କୁ ଅସମ୍ପୂର୍ଣ୍ଣ ସ୍ୱପ୍ନ ପରି ଲାଗୁଥାଏ ।

ଚମ୍ପାର ଆଖି ତାଙ୍କୁ ସେଇ ଜାଗାରେ ଖୋଜୁଥାଏ ଯେଉଁଠି ସେ ବିଞ୍ଚଣା ନେଇ ବସୁଥିଲେ । ଅଳ୍ପସମୟ ପାଇଁ ସେ ଟିକିଏ ଭ୍ରମରେ ବି ପଡ଼ିଯାଏ । ଏତିକିବେଳେ କନକା ଆସିଯାଏ, ବେଦା ମଧ୍ୟ ଆସିଥାଏ, କଥାର ମଙ୍ଗ ବୁଲିଯାଏ । ସେ କାହାକୁ କିଛି ନ କହିଲେ ବି, ତା ମନରେ ମାଆ ପ୍ରତି ଟିକିଏ ଅଭିଯୋଗ ଥାଏ । କେଜାଣି ସୌନ୍ଦରମ୍ ଏ କଥା ଜାଣିଛି କି ନାହିଁ, ବର୍ତ୍ତମାନ ସେ ଖାଲି ଚମ୍ପା ସାଙ୍ଗରେ କାହିଁକି, ବାକି ସମସ୍ତଙ୍କ ସାଙ୍ଗରେ ବି ଭଲକରି ଆଗପରି ମନଖୋଲି କଥାବାର୍ତ୍ତା ହେଉ ନ ଥିଲା ।

ତିନିଟିଯାକ ଝିଅ ମା’ର ଏଇ ପରିବର୍ତ୍ତନକୁ ଭଲକରି ବୁଝୁଥିଲେ; କିନ୍ତୁ ସେମାନେ ଏ ବିଷୟରେ କିଛି ଆଲୋଚନା କଲେ ନାହିଁ । ଖାଲି ଚମ୍ପା ମନରେ ଖୁବ୍ ଇଚ୍ଛା ହେଉଥାଏ ଯେ ସେ ମା’ ସଙ୍ଗେ ଭଲକରି କଥାବାର୍ତ୍ତା କରି ତାକୁ ଆଗପରି ହସିବା ଓ କଥା ହେବାକୁ ପ୍ରସ୍ତୁତ କରିଦେବ ।

‘‘ମାଆ ଲୋ ! ତୁ ଏମିତି ମୁହଁ ଶୁଖେଇଚୁ କାହିଁକି ?’’

‘‘ମୁହଁ ଶୁଖେଇଚି କୋଉଠି ?’’

‘‘ତୁ ବଦଳିଯାଇଚୁ । କ’ଣ ହେଇଚି ତୋର ? ତୋର କିଛି କଷ୍ଟ ବା ରାଗ ଅଛି ?’’ ଦିନେ ଏକୁଟିଆରେ ଚମ୍ପା ପଚାରିଲା ।

‘‘ମୋର କିଛି କଷ୍ଟ ନାହିଁ, କାହାରି ଉପରେ ରାଗ ନାହିଁ ।’’ ଗୋଟିଏ କଥାରେ ଉତ୍ତର ଦେଇ ସୌନ୍ଦରମ୍‍ ଚମ୍ପାକୁ ଭୁଲେଇ ଦେଲା ଏବଂ ସେଠୁ ଚାଲିଗଲା ।

 

‘‘ନା ନା, ତୋ ମନରେ କିଛି ରହିଛି । ସତକରି କହ ତୋ ମନରେ କ’ଣ ଅଛି ?’’ ପଚାରି ପଚାରି ତା ପଛେ ପଛେ ଗୋଡ଼େଇଲା ଚମ୍ପା ।

 

ସୌନ୍ଦରମ୍ ଟିକେ ହସି କହିଲା, ‘‘ଯା ଭାରି, ମୋ ମନରେ କିଛି ନାହିଁ । ମୁଁ ତ ସାଙ୍ଗେ ସାଙ୍ଗେ ସେସବୁ କଥା ଭୁଲିଯାଇଚି ।’’

 

‘‘ତା’ହେଲେ ତୁ ଏମିତି ବଦଳିଗଲୁ କାହିଁକି ? ତୁ ଡରିଲା ପରି କାହିଁକି ଦିଶୁଚୁ ?’’

 

‘‘ମୁଁ କ’ଣ କରିବି କିଛି ବୁଝିପାରୁନି । ଦିହଟା ଜମାରୁ ଭଲ ନାହିଁ ।’’

 

‘‘ବେଦାର ଅଫିସକୁ ଜଣେ ଲେଡ଼ି ଡାକ୍ତର ଆସନ୍ତି, ତାଙ୍କ ପାଖୁ ଯିବା କି ?’’

 

‘‘ହଉ ଯିବା, କିନ୍ତୁ ବେଳ କାହିଁ ମୋର ?’’

 

‘‘ଆଜି ଚାଲିଯା, କହିବୁ ଯେବେ ମୁଁ ବି ତୋ ସାଙ୍ଗେ ଯିବି । ଇନ୍‌ଷ୍ଟିଚ୍ୟୁଟ୍‌ରୁ ଫେରି ସାଙ୍ଗେ ସାଙ୍ଗେ ଯିବା ।’’

 

‘‘ହଉ ଯିବା । ତୁ ବି ସାଙ୍ଗରେ ଯିବୁ । ସେଇଟା ଭଲ ହବ ।’’

 

ଇନ୍‌ଷ୍ଟିଚ୍ୟୁଟ୍‌ରେ ସମସ୍ତେ କାହାର ବାହାଘରକୁ ଯିବାକୁ ବାହାରୁଥିଲେ । ତା’ ସାଙ୍ଗରେ ପଢ଼ୁଥିଲା ଝିଅଟିଏ, ତା’ରି ବଡ଼ ଭଉଣୀର ବାହାଘର । ବେଶ୍‌ ଜାକଜମକରେ ବାହାଘରଟା ହବାର ଥିଲା । ଚମ୍ପା ଯେବେ ବାହାଘରକୁ ଯାଉଚି ଏଣେ ମାଆ ସାଙ୍ଗରେ ଡାକ୍ତର ଘରକୁ ଯିବ କେମିତି ? ତେଣୁ ସେ ସିଧା ଘରକୁ ଫେରିଆସିଲା । ଘରର ଦରଜାରେ ତାଲା ପଡ଼ିଛି ।

 

ପଡ଼ିଶା ଘରର ମାଇପିଟିଏ ତାକୁ ଘରର ଚାବିଟି ଆଣି ଦେଲା ଆଉ କହିଲା, ‘‘ମାଆର ଦେହ ଭଲ ନାହିଁ, ତେଣୁ ଜଲଦି ଡାକ୍ତର ପାଖୁ ଗଲା ଭା’ରି । ତତେ ଯିବାକୁ କହିଚି ।’’

 

ଚମ୍ପା ସେ ଡାକ୍ତରର ଘର ଚିହ୍ନେ । ସେ ଚାବିଟି ସେ ମାଇପିଟିକି ଫେରାଇ ଦେଇ ସିଧା ଡାକ୍ତର ଘରକୁ ବାହାରିଗଲା । ଯିବାବେଳେ ତା’ ମନଟା ଅସ୍ଥିର ଅଧୀର ଥିଲା । ସେ ଭାବିଲା କେଜାଣି କ’ଣ ହେଲା ଯେ ମା’ ତା’ ଆସିବା ଆଗରୁ ଗଲା ଭା’ରି । ଏ ସବୁ ସତ୍ତ୍ୱେ ସେ ଧୈର୍ଯ୍ୟ ଧରି ଡାକ୍ତର ଘରକୁ ଗଲା ।

 

ସେଠି ପହଞ୍ଚି ଦେଖିଲା ବେଦା ତା’ ଆଗରୁ ପହଞ୍ଚି ଯାଇଛି । ସେ ଆଶ୍ଚର୍ଯ୍ୟ ହେଲା ।

 

‘‘ତୁ ଆସିଲୁ କେତେବେଳେ ? ମା’ ସାଙ୍ଗରେ ଆସିଥିଲୁ ?’’

 

‘‘ନା, ମା’ ଏଠି ପହଞ୍ଚିଲା ମାତ୍ରେ ଡାକ୍ତର ମତେ ଫୋନ କରିଥିଲେ ।’’

 

‘‘ମା’ ଅବସ୍ଥା ଏଇଲା କେମିତି ?’’

 

‘‘ଡାକ୍ତର ବାହାରକୁ ବାହାରିଲେ ଯାଇ ସବୁ ଜଣାପଡ଼ିବ । ଡାକ୍ତର ଜାଣିନାହାନ୍ତି ଯେ ମୁଁ ଏଇଠି ଅଛି । ଆସିଲିଣି କେତେବେଳୁ । ମା’ ତ ଭିତରେ ଅଛି ।’’

 

ଦୁହେଁ ବୁଝିପାରିଲେନି କ’ଣ କରିବେ । ପ୍ରାୟ ପନ୍ଦର ମିନିଟ୍ ସେମାନେ ସେଇଠି ବସିରହିଲେ । ତା’ ପରେ ଯାଇ ଡାକ୍ତର ପଦାକୁ ଆସିଲେ ।

 

‘‘ତମେ ସବୁ କ’ଣ ବହୁତ ବେଳୁ ଆସିଲଣି ?’’

 

‘‘ନାଇଁ ସେମିତି କିଛି ନୁହେଁ । ମା’ ଦିହ କେମିତି ଅଛି ?’’

 

‘‘ମୁଁ ଇଞ୍ଜେକ୍‌ସନ୍ ଦେଇଛି । ସେ ଶୋଇଚନ୍ତି ।’’

 

‘‘ଏମିତି ହଠାତ୍ ତାର କ’ଣ ହୋଇଗଲା ?’’

 

‘‘ତାଙ୍କୁ କିଛି ‘ଶକ୍’ ଲାଗିଛି, କୋଉ କଥାର ଚିନ୍ତା ଅଧିକ ହେଇଛି । ଏଇଥିରୁ ତାଙ୍କ ଦିହ ଖରାପ ହୋଇଯାଇଛି ।’’

 

‘‘ସେ ଅଚେତ ହୋଇଯାଇଛି ? ତାର ହାର୍ଟ୍ ଖରାପ ?’’

 

‘‘ଆରେ ଏସବୁ ତୁ କ’ଣ ପଚାରୁଚୁ ମ ? ତୁ ଜାଣିନୁ ନା କ’ଣ ? ତାଙ୍କର ପାଞ୍ଚ ମାସର....’’

 

‘‘ଆହା ରେ !’’ ଝିଅମାନେ ଚିତ୍କାର କରିଉଠିଲେ । ତାଙ୍କୁ ଗଭୀର ଆଘାତ ଲାଗିଲା ।

 

‘‘ସେ ଠିକ୍ ବେଳେ ଏଠିକି ଆସିଗଲେ, ତେଣୁ ବଞ୍ଚିଗଲେ । ତମେମାନେ ଆସିବାଯାକେ ରହିଥିଲେ କେଶଟା ବିଗିଡ଼ି ଯାଇଥାନ୍ତା ।’’

 

‘‘ଏଇଲା ଆପଣ କ’ଣ କଲେ ?’’

 

‘‘ସେ ଏଠିକି ଆସିବାମାତ୍ରକେ ମୁଁ ତାଙ୍କୁ ବେହୋସ୍ କରାଇ ଯାହା କରିବାର କରିନେଇଚି । ଆଉ ଜୀବନ ଉପରେ ବିପଦ ନାହିଁ । ମୁଁ କହୁ ନଥିଲି ଯେ ଗଭୀର ଆଘାତ ହେତୁ ବା ଦୁଃଖ ଯୋଗୁ ତାଙ୍କର ଗର୍ଭଟା ରହିପାରିଲାନି । ବୟସ ବି ହେଇଚି ତ ।’’

 

‘‘ହଁ ହଁ ! ତାକୁ ଏକଚାଳିଶ ବର୍ଷ ହବ ।’’

 

‘‘ଆଉ ତାହେଲେ ? ଏଇ ବୟସରେ ଆଘାତ ସହିବେ କେମିତି ଆଉ ତା ବି ଏତେ ବର୍ଷ ପରେ । ରହ, ମୁଁ ଓଷଦ ଲେଖିଦଉଚି । ଦି ଦିନ ପରେ ତାଙ୍କୁ ଘରକୁ ନେଇଯିବ । ତା’ପରେ ଦୁଇ ସପ୍ତାହଯାକେ ତାଙ୍କର ବିଶ୍ରାମ ଦରକାର ।’’

 

ଡାକ୍ତର ଭିତରକୁ ଯିବାପରେ ବେଦା ଆଉ ଚମ୍ପା ଲାଜରେ କେହି କାହାରି ମୁହଁକୁ ଚାହିଁ ପାରିଲେନି । କ’ଣ କହିବେ ଏତିକି ଭାବି ସେମାନେ ଜଡ଼ସଡ଼ ହୋଇ ସେଇଠି ଠିଆହୋଇ ରହିଲେ ।

 

ହଠାତ୍ ଚମ୍ପାର ଗୋଟିଏ କଥା ମନେ ପଡ଼ିଗଲା ।

 

‘‘ବେଦା, ତୁ ବୁଝିପାରୁନୁ ?’’

 

‘‘ନା ।’’

 

‘‘ତୁ ପାଞ୍ଚ ମାସ ଆଗରୁ କହିଥିଲୁ ଗୋଟେ କଥା, ତୋର ମନେ ନାହିଁ ଆଉ ? ଆରେ ସେମାନେ ଏକୁଟିଆବେଳେ କଥା ହେବେ, ଆମେ ନଥିଲାବେଳେ କଥା ହେବେ, ଏମିତି ତୁ କହିଥିଲୁ କି ନାହିଁ ?’’

 

‘‘ହଁ, କିନ୍ତୁ ଏ କ’ଣ ତାରି ଫଳ ?’’

 

‘‘ଆଉ ନଇଲେ କ’ଣ ? ସେଇ କାରଣରୁ ଏସବୁ ହେଇଚି ।’’

 

ସେମାନେ ଓଷଦର କାଗଜ ଖଣ୍ଡିକ ନେଇ ବାହାରୁଥିଲେ, ଏତିକିବେଳେ କନକା ଧାଇଁ ଧାଇଁ ସେଠିକି ଆସି ପହଞ୍ଚିଗଲା ।

 

‘‘ମା ଦେହ କେମିତି ଅଛି ?’’

 

‘‘ଏଇଲା ଭଲ ଅଛି । ସେ ଶୋଇଚି ।’’

 

‘‘କିଛି ଚିନ୍ତା କରିବାର ନାହିଁ ତ ?’’

 

‘‘ନା, ଆଉ କିଛି ଚିନ୍ତାର କାରଣ ନାହିଁ ।’’

 

‘‘ମୁଁ ଆଉ ଟିକିଏ ଆଗରୁ ଆସିଥାନ୍ତି; କିନ୍ତୁ ବାଟରେ ବାପାଙ୍କ ସାଙ୍ଗେ ଦେଖା ହେଇଗଲା-। ସେଇଥିପାଇଁ ଡେରି ହେଇଗଲା ।’’

 

‘‘ତୁ ତାଙ୍କୁ କେଉଁଠି ଦେଖିଲୁ ?’’

 

‘‘କଲେଜରୁ ଫେରିବା ବାଟରେ ଗୋଟିଏ ବାହାଘର ହେଉଥିଲା, ସେଇ ବାହାଘର ସକାଶେ ସେଇ ନାଚଗୀତର ଆୟୋଜନ କରିଥିଲେ । କହୁଥିଲେ ସେଠୁ ଫେରିଲେ ଘରକୁ ଆସିବେ ।’’

 

‘‘କାହିଁକି ? ତୁ ଓଷଦ କିଣିବାକୁ ଗଲାବେଳେ ତାଙ୍କୁ କହିଦବୁ ଯେ ମା’ ଡାକ୍ତରଖାନାରେ ଅଛି । ତେଣୁ ସେ ଏଠିକି ଆସିବା ଦରକାର ନାହିଁ ଆଉ ସେ ନାଚବାଲାଙ୍କ ସାଙ୍ଗରେ ଯାଆନ୍ତୁ ବାହାରି ।’’ ବେଦା କହିଲା ।

 

‘‘ସେ ଏଇଲା ନ ଆସନ୍ତୁ କହିବି, ନା କେବେ ନ ଆସନ୍ତୁ କହିବି ?’’ କନକା ପଚାରିଲା ।

 

‘‘କେବେ ନ ଆସନ୍ତୁ, କେବେ ନ ଆସନ୍ତୁ’’ ଚମ୍ପା ଦୃଢ଼ଭାବେ କହିଲା ।

Image

 

ଦିବାସ୍ୱପ୍ନ

 

ମୋ ଭିତରେ ସେଇ ବାକ୍‌ଚାତୁରୀ ନାହିଁ ଯେଉଁଟା କେତେକ ଲୋକଙ୍କଠାରେ ମିଳେ । ଟିକକ କଥାକୁ ନେଇ କେତେକ ଲୋକ ଲୁଣ ମସଲା ଦେଇ ଅତି ସରସ କରି, ବିସ୍ତାରିତ ଭାବେ କହିଦିଅନ୍ତି । ସେମାନେ ଏପରି ଭାବେ ଘଟଣାର ବର୍ଣ୍ଣନା କରନ୍ତି, ଜାଣି କଥାଟା ତାଙ୍କରି ଆଖି ଆଗରେ ହୋଇଥିବ । ତାଙ୍କ ବର୍ଣ୍ଣନା ଶୁଣି ଶ୍ରୋତାର ଦିହ ଶିତେଇଉଠେ ।

 

ମୋର ତ ସେ ଚାତୁରୀ ଆଦୌ ନାହିଁ । ମସ୍ତିଷ୍କ ଓ ମନରେ ଯେଉଁ ବେଗରେ ଚିନ୍ତା ଓ ଭାବ ଉଠନ୍ତି ତା’ର ଏକ-ଚତୁର୍ଥାଂଶ ବି ଶବ୍ଦ ଦେଇ କହିପାରେନା; କିନ୍ତୁ ମୋତେ ଯେଉଁ ଅଭିଜ୍ଞତା ମିଳିଛି ସେ କ’ଣ ଛୋଟିଆ ବା ମହତ୍ତ୍ୱହୀନ ? ସେମିତି ତ ମନେ ହୁଏନା । ମୋର ମନର ବେଦନା ଏବେ ବି ଶାନ୍ତ ହୋଇନାହିଁ ।

 

କଥା ବୋଲି କିଛି ନାହିଁ, ମୁଁ ବସ୍‌ରେ ଯାଉଥିଲି ।

 

ମୁଁ କୁଆଡ଼କୁ ଗଲି, ବା କୋଉଠୁ ହେଲେ ଆସିଲି, ସେଥିରୁ କ’ଣ ମିଳିବ ?

 

ମୁଁ ଜଣେ ସାମାନ୍ୟ ଲୋକ । ସକାଳୁ ଉଠି କଫି ପିଇବା ପରେ ବଜାର ଯାଏ । ରେସନ ଦୋକାନରୁ ଚାଉଳ କିଣେ, ତା ପରେ ଧାଇଁ ଧାଇଁ ଅଫିସ୍ ଯାଏ, ସେଠୁ ଫେରି ସମୁଦ୍ରକୂଳକୁ ଯାଇ ହାଉଆ ଖାଇବା, ସେଠୁ ଫେରିବା ପରେ ଡେରି ଯୋଗୁ ସ୍ତ୍ରୀଠୁ ଗାଳିଗୁଲଜ ଶୁଣିବା, ଖାଇପିଇ ଶୋଇଯିବା, ଏତିକି ମୋର ଦୈନିକ କର୍ମ ଥିଲା । ଏଇ ଦୈନନ୍ଦିନ କର୍ମରେ ଟିକିଏ ଯେବେ ପରିବର୍ତ୍ତନ କୋଉଠି ହୋଇଯାଏ, ତାହା ମୋ ପାଇଁ ଖୁସିର କଥା ହେବ; କିନ୍ତୁ ତହିଁରେ ପରିବର୍ତ୍ତନ କେମିତି ହୋଇପାରିବ ? ସ୍ତ୍ରୀ କୋଳରେ ଏବେ ପିଲାଟିଏ ହୋଇଛି । ସେ ଘରୁ ବାହାରକୁ ଯାଇ ମାଟି ଖାଇ ଖାଇ ସେଇଠି ଖେଳିବାକୁ ଚାହେଁ । କୋଡ଼ର ପିଲାଟି ରାତିରେ କାନ୍ଦି କାନ୍ଦି ନିଦଟି ଦିଏ ବିଗାଡ଼ି । କାଳେ ମୁଁ ନିଶ୍ଚିନ୍ତ ହୋଇଯିବି ଜାଣି ଏଇଥି ସକାଶେ ଗତ ତିନି ମାସ ହେଲା ପେଟରେ ବି ଗୋଟିଏ ଛୁଆ ବଢ଼ୁଛି । ଗଳାରେ ଏତେ ଓଜନ ଝୁଲାଇ ଯେବେ କେହି ଡେଣା ଲଗେଇ ଉପରକୁ ବି ଉଡ଼ିବାକୁ ଚାହିଁବ, ତା ହେଲେ ସେ ଉଡ଼ିବ କିପରି ?

 

ସେଇଥି ପାଇଁ....ହଁ, ମୁଁ କ’ଣ କହୁଥିଲିଟି ? ଏତିକି ନା....ଯେ ମୁଁ ବସରେ ଯାଉଥିଲି ।

 

ଆଜିକାଲି ବସ୍‌ରେ ଯିବାଟା କେତେ କଷ୍ଟ ତା ଆପଣମାନେ ଜାଣିଚନ୍ତି । ପ୍ରତ୍ୟେକ ବସ୍‌ଟି ଯେମିତି କେଉଁ ମହତ୍ ଉତ୍ସବର, ଅର୍ଥାତ୍ ସିନେମା ଘରର ନୂଆ ଫିଲ୍ମର ପ୍ରଥମ ସୋ ଆଗର ଭିଡ଼ରେ ପୂର୍ଣ୍ଣ ଦେଖାଯାଏ । ବସ୍‌ରେ ଚଢ଼ିବାଇ କାଠିକର ପାଠ, ଭିତରକୁ ଯାଇ ଠିଆହେବା ତ ଅସମ୍ଭବ ଭଳିଆ କଥା । ଯଦି ବସିବା ଜାଗାଟିଏ ମିଳିଯାଏ, ସବୁଠୁଁ ବଡ଼ କଥା ।

 

ମୁଁ ବସିଥିଲି ।

 

‘‘ଘଡ଼କ-ଘଡ଼କ ଘଡ଼କ-ଘଡ଼କ’’

 

ବସ୍ ଗୋଟିଏ ଜାଗାରେ ଯାଇ ଅଟକିଗଲା । ଖରାରେ ଠିଆ ହୋଇଥିବା ଭିଡ଼ର ଧାରାଟି ବସ୍ ଆଡ଼କୁ ଆଗେଇ ଆସିଲା । ମୋ ପାଖେ ଝିଅଟିଏ ଆସି ବସିଲା–ମୋ ଦିହରେ ଲାଖିଗଲା–ପୂରାପୂରି ଲାଖିଗଲା ।

 

ତା’ ରଙ୍ଗ କଳା କହିବାକୁ ହବ । ଛୋଟିଆ ଝିଅଟି । ବୟସ ଅଠର ବା କୋଡ଼ିଏ ପାଖାପାଖି ହବ । କାନରେ ଚକ୍ ଚକ୍ ପଥର ଜଡ଼ୋଉ ହୋଇଥିବା ଝୁମ୍‌କା ପିନ୍ଧିଛି ଆଉ ବେକରେ ପିନ୍ଧିଛି ସୁନାର ସରୁ ଚେନ୍ । ମୋଟା ନେଳି ଶାଢ଼ି ଉପରେ ନାଲି ରଙ୍ଗର ଧଡ଼ି । ତା’ ମୁହଁରେ ଗୋଟାଏ ଅପୂର୍ବ ଶୋଭା ଥିଲା ।

 

ଦେଖିବାକୁ ମନ ହେଲେ କାହାରିକି ନିରୀକ୍ଷଣ କରିବାର ଆବଶ୍ୟକତା ମୁଁ ବୁଝିପାରେ ନାହିଁ । ଗଧ ବି ଦେଉଳ ପାଚିରିକୁ ଚାହିଁ ଠିଆହୋଇଥାଏ । ତା’ର ମାନେ ନୁହେଁ ଯେ ସେ ତା’ର କଳାଗତ ବିଚାର କରୁଅଛି । ମନରେ ନାନା କୁବିଚାର ଆସେ, କଳ୍ପନାର ଦୁର୍ଗ ତିଆରି ହୁଏ, ହାଓ୍ୱାରେ ଘର ବନାଯାଏ । ସେ କିଏ ସେଥିରୁ ମୁଁ କ’ଣ ପାଇବି ? ସେ ବୈଶ୍ୟ ଘରର ହଉ, ଖ୍ରୀଷ୍ଟାନ୍ ହଉ ବା ବ୍ରାହ୍ମଣୀ ହଉ ।

 

କିନ୍ତୁ ହଁ, ସେ ମୋ କୋଳରେ ପଡ଼ି ମରିଯାଇଥିଲା ।

 

ମୁଁ ଘାବରେଇ ଗଲି । ହଠାତ୍ ତା’ ମୁହଁ ଶେତା ପଡ଼ିଗଲା । ସେ ଆଖି ବଡ଼ ବଡ଼ କରି ଚାହିଁଥିଲା । ତା’ର ଡୋଳା ବୁଲୁଥିଲେ । ତା’ ମଥା ହଲୁଥିଲା । ସେ ଅଚେତ ହେଇ ମୋ କୋଳରେ ପଡ଼ିଗଲା ।

 

ମୁଁ ଜୋରରେ ଚିତ୍କାର କରି ଉଠିଲି । ମୁଁ ତାକୁ କୋଳକୁ ନେଇ ସିଧା ବସେଇବାକୁ ଚେଷ୍ଟା କଲି । ହାତର ନାଡ଼ି ପରୀକ୍ଷା କଲି ।

 

‘ଉଁ ହୁଁ’ ସେ କିଛି କହି ପାରିଲାନି, ତା’ ଆଖି ଭିତରକୁ ପଶିଗଲା, ହୃଦୟର ଗତି ସହସା ବନ୍ଦ ହୋଇଗଲା । ୟା ଲାଗି ଗୋଟାଏ ସମୟ ବା କାରଣର ଦରକାର ପଡ଼େନା । ବସ୍‌ରେ ଯାହା ହଟ୍ଟଗୋଳ ଆରମ୍ଭ ହୋଇଗଲା, ଆଉ କ’ଣ କହିବି ? ବସ୍ ଅଟକିଗଲା ।

 

ବସ୍‌ର କେଉଁ କୋଣରେ ବସିଥିଲା ତା’ ସ୍ୱାମୀ, ଭିଡ଼ ଠେଲି ଜଲଦି ସେଠିକି ଆସିଗଲା-। ବସ୍‌ରେ ଭୟଙ୍କର ଭିଡ଼ । ଯାହାକୁ ଯେଉଁଠି ଜାଗା ମିଳିଗଲା ସେ ସେଇଠି ବସିପଡ଼ିଲା, ଠିଆ ହେଇପଡ଼ିଲା କିମ୍ବା ଛଡ଼ଟି ଧରି ଲଟକି ରହିଲା ।

 

ସେ ବି କମ୍ ବୟସର; ଏଇ ପଚିଶ ବର୍ଷର ହବ । ସେ ଗୋରା, ନାକଟି ମୁନିଆଁ ଓ ମୁହଁରେ ଛୋଟ ଛୋଟ ନିଶ । ଯୋଡ଼ିଟି ଭଲ ତାଙ୍କର ।

 

ସେ ପୁଣି ଛାତିରେ ହାତ ଦେଇ ଦେଖିଲା ।

 

ଆଉ କାହିଁ ଥାଏ ? ପ୍ରାଣପକ୍ଷୀ ତ କେତେବେଳୁ ଗଲାଣି ଉଡ଼ି । ମୋ କୋଳରେ ତା’ର ଶବଟି ପଡ଼ିରହିଥିଲା ।

 

‘‘ହେ ଝଟକାବାଲା, ଝଟକାବାଲା !’’

 

‘‘ହେ ଟାକ୍‌ସି–ଟାକ୍‌ସି !’’

 

ତରବରିଆରେ ତାଙ୍କୁ ରିକ୍‌ସାଟିଏ ହିଁ ମିଳିଲା । ଅଫିସ୍ ଅଧଘଣ୍ଟା ଡେରିରେ ପହଞ୍ଚିଲି ଏବଂ ମାଲିକ କିଛିଟା ଚିଡ଼ିଗଲେ ।

 

କାମ କରି କରି ଅଣ୍ଟା ଭାଙ୍ଗିଲା । କାମରେ ମନ ଲାଗିଲା ନାହିଁ । ଚାରିଆଡ଼ୁ ମନରେ ଅଶାନ୍ତି । ମୁଁ ନିଜର ସବୁ କାମ ବନ୍ଦ କରିଦେଇ କ’ଣ ଗୋଟାଏ ବାହାନା କରି ତିନିଟା ବେଳେ ଅଫିସ୍‌ରୁ ବାହାରି ପଡ଼ିଲି ।

 

ଜାମା ପକେଟରେ ହାତ ପୂରାଇ ମୁଁ ସମୁଦ୍ରକୂଳ ଆଡ଼କୁ ବାହାରିଗଲି ।

 

ବାଲି ଏବଂ ନୀଳ ସମୁଦ୍ର, ଉଭୟେ ତାତି ଯାଇଛନ୍ତି । ଖରାରେ ପିଠି ପୋଡ଼ିଯାଉଛି ।

 

ତାର ଯୁବତୀ ଦେହଟି ଏବେ ସୁଦ୍ଧା ପାରିବାରିକ କଷ୍ଟରେ ଝାଉଁଳି ନଥିଲା । ନୂଆ ନୂଆ ଘର କରିବା ପରେ ମଧୁର ବେଦନାରେ ହଜିଯାଇଥିବ ସେହି ଯୁବତୀ, ସେ ମୋ କୋଳରେ ପଡ଼ି ମରିଗଲା ।

 

ମୋ ମନର ଅବସ୍ଥା କିପରି ବର୍ଣ୍ଣନା କରିବି ?

 

ଅକାରଣେ ମୁଁ ଦୁଃଖିତ ଥିଲି । ସେ ଦୁଃଖ ଭିତରେ ଆନନ୍ଦ ବି ଥିଲା ଓ ଗୋଟିଏ ବିଚିତ୍ର ମଧୁରିମା ବି ଥିଲା । ମୁଁ ସମୁଦ୍ର କୂଳେ କୂଳେ ଚାଲୁଥିଲି । ସମୁଦ୍ରର ଲହରିମାନ ଆସି ମୋର ଗୋଡ଼ ଧୋଇ ଲାଗିଲେ ।

 

ଏହିପରି କରି ସେଗୁଡ଼ିକ ମୋ ମନର ଦୁଃଖକୁ ଧୋଇଦେବେ କି ? ସମୁଦ୍ରର କୂଳେ କୂଳେ ଚାଲୁ ଚାଲୁ ମୁଁ ମନେ ମନେ ପୁଣି ଥରେ ସେ ଘଟଣାଟି ଦେଖିଗଲି ।

 

ମୁଁ ତାର ଗାଲ ଛୁଇଁଥିଲିନା ? ହଁ, ଛୁଇଁଥିଲି । ତାର ଚେତା ଅଛି କି ନାହିଁ ଦେଖିବାକୁ । ହୃଦୟର ସ୍ପନ୍ଦନ ବନ୍ଦ ହୋଇଯିବାରୁ ସେ ମରିଗଲା । ଏତେ ଶୀଘ୍ର ଦେହର ତାପ କମିବ କିପରି ? ତାର ସ୍ନିଗ୍‌ଧ କପୋଳର ରୂପ ଓ ବର୍ଣ୍ଣ ବି ତଥାପି ବଦଳି ନ ଥିଲା । ସାମନାର ବାଳରେ ମଧ୍ୟ ଦୁଇଟି ଗୋଛା ଝୁଲୁଥିଲା । ମୁଣ୍ଡରେ ବଙ୍କା ସୁନ୍ଥା ନା ସିଧା ସୁନ୍ଥା ଥିଲା ? ଠିକ୍ ମନେ ନାହିଁ, କିନ୍ତୁ....କିନ୍ତୁ ! କିନ୍ତୁ କଣ ?

 

ଏ କଥା ଜାଣିବା ମୋର ଦରକାର କଣ ? ସେ ଯା ହଉ ସେଥିରୁ କଣ ମିଳିବ ? କେଜାଣି ସେ କୋଉଠୁ ଆସିଗଲା । ବେଳକାଳ ଉଣ୍ଡି ମୋରି ପାଖୁ ଆସି ମରିବାକୁ ସେ ବସ୍‌ରେ ଚଢ଼ିଲା, ସିଧା ମୋ କୋଳରେ ପଡ଼ି ମଲା । ହୁଏତ ଆମର ପୂର୍ବଜନ୍ମର କିଛି ସମ୍ପର୍କ ଥିବ । ସେ ତା’ ସ୍ୱାମୀର କୋଳରେ ମଲାନି କାହିଁକି..... ?

 

ଭାଗ୍ୟ ! ହଁ, ଏଇଆକୁ କହିବା ଭାଗ୍ୟ !

 

କଥା ଖାଲି ଏତିକି ! ତାକୁ ଆଉ ମୋତେ ମିଶେଇ ମୁଁ ମନେ ମନେ ଯୋଉ କାହାଣୀ ଗଢ଼ିଲି ତାକୁ ମୁଁ କହି ପାରିବିନି । ଲେଖି ବି ପାରିବିନି । ସେ ଗୋଟିଏ ଅଲିଖିତ କାବ୍ୟ ହୋଇ ରହିଥିବ । ଶକୁନ୍ତଳା-ଦୁଷ୍ମନ୍ତ, ନଳ-ଦମୟନ୍ତୀ, ସାବିତ୍ରୀ-ସତ୍ୟବାନ, ପୃଥ୍ୱୀରାଜ-ସଂଯୁକ୍ତା ପ୍ରଭୃତିଙ୍କ ପର୍ଯ୍ୟାୟରେ ରହିଗଲୁ ଆମେ ଦୁହେଁ ।

 

ସେହି କାବ୍ୟରେ ମୋର ଘରକରଣା ଦେଖୁଛି ଯୋଉ ମୋର ବିବାହିତା ଘରଣୀ, ତାର କିଛି ସ୍ଥାନ ନଥିଲା । ଘର ଅଗଣାରୁ ଓହ୍ଲାଇ ଯାଇ ମାଟି ଖାଇ ପେଟର କମେଇଛି ଯୋଉ ଛୁଆ, ତାର ବି କିଛି ସ୍ଥାନ ନଥିଲା ।

 

ଦିନରାତି ମାଆ କାଖରେ ଲାଖି ରାତିଦିନ ଭେଁ ଭା କେଁ କାଁ କାନ୍ଦୁଥିବା କୋଡ଼ପୋଛା ଛୁଆର ବି ଜାଗା ନ ଥିଲା । ପେଟରେ ଥାଇ ଓଷଦ, ତୁଟୁକା ତୁଟୁକି, କଷ୍ଟ, ରୋଗ କହ ମଣିଷର ଖର୍ଚ୍ଚ ଓ ଚିନ୍ତା ବଢ଼ାଇବାର, ବେଳେ ବେଳେ ତାର ପ୍ରାଣଟି ବି ଶୋଷି ଦେବାର ସେହି ଭ୍ରୂଣଟିର ବି କିଛିହେଲେ ଜାଗା ନଥିଲା । ସେଥିରେ ଖାଲି ଥିଲୁ ଆମେ ଦୁହେଁ । ମୁଁ ଆଉ ସେହି ନବଯୁବତୀଟି ଯେ କି ମୋ କୋଳରେ ପଡ଼ି ମରି ଯାଇଥିଲା । ଆମ ଦୁହିଁଙ୍କର ସେହି କାଳ୍ପନିକ ଜୀବନଟିରେ ସବୁଆଡ଼େ ସବୁଜିମା ଥିଲା । ସ୍ଥାନେ ସ୍ଥାନେ ଝରଣାର ଧାର ଥିଲା । ମନରେ ଅପୂର୍ବ ଶାନ୍ତି ବିରାଜୁଥିଲା । ଜୀବନ ପୂର୍ଣ୍ଣରୂପେ ସୁଖମୟ ଥିଲା । ଆମେ ଦୁହେଁ ଯେପରି ଗନ୍ଧର୍ବହୋଇ ଆକାଶରେ ବିଚରଣ କରୁଥିଲୁ; କିନ୍ତୁ, କିନ୍ତୁ ସେହି ମୃତ୍ୟୁ....ମୋ ଦେହ ଥରିବାକୁ ଲାଗିଲା । ୟେ ପୁଣି କେମିତିକା ଦୁଃଖ ! କେମିତିକା ବେଦନା ! ମୋର ମନର ଅବସ୍ଥା ଯେପରି ବିଷରେ ଢଙ୍କା ଅମୃତଭାଣ୍ଡ ପରି ହେଲା ।

 

ବହୁତ ଡେରି ହୋଇ ଯାଇଥିଲା ।

 

ମୁଁ ଘରକୁ ଫେରିଲି ।

 

ମୋ ସ୍ତ୍ରୀ ସେହି ମାଟିଖିଆ ପିଲାଟାର ମୁହଁ ସଫା କରୁଥିଲା ।

 

ମୋତେ ଦେଖିବାମାତ୍ରେ କୋଡ଼ର ପିଲାଟାକୁ ମତେ ଧରାଇ ଦେଇ ସେ ମୋର ଖାଇବା ଲାଗି ଆସନ ପାରିଲା । ବିଶେଷ ଥକି ଯାଇଥିବାରୁ ସେ ହୁଁ ହୁଁ କରୁଥିଲା ।

 

ପେଟର ଛୁଆଟା କଷ୍ଟ ଦେଉଥିଲା ।

 

ମୁଁ ଦିଗୁଣ୍ଡା ଖାଇ ଉଠି ପଡ଼ିଲି ।

 

‘‘କଣ ଦିହ ଭଲ ନାହିଁକି ? କିଛି ଖାଇଲନି ଯେ ?’’

 

‘‘ହଁ, ଆଜି ଗୋଟିଏ ଯୁବତୀ ମୋ କୋଳରେ ପଡ଼ି ମରିଗଲା ।’’

 

ପଦକରେ ମୁଁ ଜବାବ୍‌ଦେଲି ଓ ହାତ ଧୋଇ ଛାତ ଉପରେ ପଡ଼ିଥିବା ଆରାମ ଚଉକିରେ ଯାଇ ବସିପଡ଼ିଲି ।

 

ରାସ୍ତା ଉପରେ ଟ୍ରାମ ଗାଡ଼ିମାନ ଟଣ ଟଣ କରି ଘଣ୍ଟି ବଜାଇ ଚାଲୁଥିଲେ । ସେଗୁଡ଼ିକର ଚକଯାକ ଲାଇନ୍‌ ଉପରେ ‘ସରର-ସରର’ ଘଷିହୋଇ କାନ ତାବ୍‌ଦା କରୁଥିଲେ । ବସ୍ ଆଉ ମୋଟର ଗାଡ଼ି ‘ପୋଁ-ପୋଁ’ କରି ଧାଇଁଯାଉଥିଲେ । ତଳେ ଲୋକଙ୍କ ପାଟିତୁଣ୍ଡ ବି ବରାବର ଶୁଣାଯାଉଥାଏ । ମୋ ସ୍ତ୍ରୀ କୋଡ଼ପୋଛା ଛୁଆଟିକି ଝୁଲା ଖଟଟି ଉପରେ ଶୁଆଇପକାଉଥିଲା । ମଝିରେ ମଝିରେ ସୁଁ ସୁଁ କରି ନାକଟା ସଫା କରୁଥାଏ । ସେ ଖୁବ୍ ସାଧାସିଧା ମଣିଷ; ତଥାପି ଆଉ କେଉଁ ଯୁବତୀର ମୋ’ କୋଳରେ ମରିଯିବାଟା ତାର ସହ୍ୟ ହେଲାନାହିଁ ।

 

‘‘କିଏଲୋ ମୋ କୋଳର ଧନ । କିଏଲୋ କିଏ ସେ’’ ସ୍ତ୍ରୀ ନିଦୁଆ ଗୀତ ଗାଉଥିଲା ।

 

ହଁ, କେଜାଣି ସେ କିଏ ସେ ଆଉ ମୁଁ କିଏ ସେ ? କିନ୍ତୁ ସେ...ସେ କିଏ ?

 

ଏଇ ଘରକରଣାର ଜଞ୍ଜାଳରରେ ପଡ଼ିକରି ମୁଁ ତାକୁ ଭୁଲିଯିବି । ଏଥିରୁ କଣଟା କାଳକାଳକୁ ରହିବ କି ? ଯେତେ ବଡ଼ ହଉ ମଣିଷ ଦିନେ ନା ଦିନେ ମାଟିରେ ମିଶିଯିବ । ବର୍ତ୍ତମାନ ସେ ମୋର ହୃଦୟକୁ କୁରାଢ଼ୀ ଫଳଫୁଲ ଭରା ଗଛକୁ କାଟିଲାପରି ଭେଦ କରୁଅଛି; କିନ୍ତୁ ସମୟ ବିତିଗଲେ ଏ ଦୁଃଖ ବି ଶାନ୍ତ ହୋଇଯିବ ।

 

ଦୁଃଖର ଏଇତ ପ୍ରକୃତି.... ?

 

ହଠାତ୍ ସେହି ଶେଷ ଦେଖା ଦୃଶ୍ୟଟି ମୋ ଆଖିରେ ଭାସିଲା । ତାର ସ୍ୱାମୀ ତାର ଶବକୁ ରିକ୍‌ସାରେ ନେଇ ଯାଉଥିଲା । ଦିହରେ ଜୀବନ ନ ଥିବାରୁ ତାର ଶିଥିଳ ହାତ ଓ ମୁଣ୍ଡ ତଳକୁ ଲଟକି ଥିଲା ।

 

ବାଳରେ ବାସ୍ନାଫୁଲ ଗୋଛାଏ ଥିଲା.....

 

ମୁଁ ଘାବରେଇ ଗଲି ! ‘‘ଆଃ କି ବିଡ଼ମ୍ବନା !’’

 

‘‘କଣ ହେଲା ? କଣ ହେଲା !’’ ପାଟିକରି ମୋର ସ୍ତ୍ରୀ ମୋ ପାଖୁ ଆସିଲା ।

 

‘‘କଣ କରିବା ଆମେ ! କେତେଦିନ ଏମିତି ହବ ।’’ ମୁଁ ବିଳିବିଳେଇଲି ।

 

ସେ ମୋ ମଥାରେ ହାତ ରଖିଲା ।

 

‘‘ଓହୋ ! ଦେହରେ ଖଇ ଫୁଟୁଛି । ଭାରି ଜର । ତମେ ମତେ କହିଲନି । ଏଇଲାତ ବହୁତ ଡେରି ହେଇଗଲାଣି । ଘରେ ତ କେହି ନାହାନ୍ତି । ତମେ ଶୋଇପଡ଼ । ସକାଳେ ଡାକ୍ତର ଡାକିବା । ତମେ ଶୋଇଯାଅ ମୁଁ ଏଇଲାଗେ ଆସୁଚି.... ।’’

 

ସେ ମତେ ଶୁଆଇ ଦେଲା ଓ ହାତରେ ଗୋଟିଏ ଛୋଟ ଗିନା ଓ ଖଣ୍ଡିଏ କନାଧରି ସେ ଅନ୍ଧାର ଆଡ଼କୁ ଚାଲିଗଲା ।

Image

 

ଖତ ଗଦାରେ ପଦ୍ମ

 

ରବିବାର ଥାଏ । ମିନର୍ଭା ଟକିଜ୍‌ରେ ମ୍ୟାଟିନି ଶୋ’ ଦେଖିବାକୁ ସବୁଦିନ ପରି ବହୁତ ଲୋକ ‘କ୍ୟୁ’ରେ ଠିଆ ହୋଇଥାନ୍ତି । ସେଦିନ ଗୋଟିଏ ଇଂରାଜୀ ଛବି ପ୍ରଦର୍ଶିତ ହେଉଥିଲା ଯହିଁରେ କି ସିନେମା-ପ୍ରିୟ ଦର୍ଶକଙ୍କର ପ୍ରିୟ ଅଭିନେତାଗଣ ଅଭିନୟ କରୁଥିଲେ । ଗ୍ରିୟର୍ ଗାର୍ସନ୍ ଓ ଓ୍ୱାଲର ପିଜନ୍‌ଙ୍କର ଅଭିନୀତ ସେହି ରଙ୍ଗିନ୍ ଫିଲ୍ମଟିର ନାମ ଧୂଳିର ଫୁଲ (ବ୍ଳସମ୍‌ସ୍ ଇନ୍ ଦ ଡଷ୍ଟ୍) ।

 

ସିନେମା ହଲ ବାହାରେ ଠିଆ ହୋଇଥିବା ଲୋକଙ୍କ ଧାଡ଼ି ଯେପରି ଏକାଧାରେ ମଦ୍ରାସ୍ ସହରର ଲୋକସଂଖ୍ୟା ଆଉ ସେଠା ଲୋକଙ୍କର ରସିକପଣ ଦେଖାଇ ଦେଉଥିଲା । ଛାତ୍ର, କିରାଣୀ, ଏଜେଣ୍ଟ୍, ଉପାଧିପ୍ରାପ୍ତ ବେକାର ଯୁବକ, ସିନେମା ପଛରେ ପାଗଳ ଲୋକେ, ସମ୍ବାଦପତ୍ରମାନଙ୍କର ସମ୍ପାଦକ ପ୍ରଭୃତି ମଧ୍ୟବିତ୍ତ ସମାଜର ଅନେକ ଲୋକ ସାଢ଼େ ନଅଣାର ‘କ୍ୟୁ’ରେ ଠିଆ ହୋଇଥିଲେ । ଲୋକଙ୍କର ସେହି କ୍ୟୁଟି ମାଲଗାଡ଼ି ପରି ହଲଚଲ ନ ହୋଇ ସ୍ଥିର ରହିଥିଲା ।

 

ମୁଁ ରିକ୍‌ସାରୁ ଓହ୍ଲାଇଲି । ରିକ୍‌ସାବାଲାକୁ ଭଡ଼ା ଦବାକୁ ମୁଁ ସାଢ଼େ ତିନିଅଣା ତା ଆଡ଼କୁ ବଢ଼େଇ ଧରିଲି ।

 

ସେ ପାଟିକଲା, ‘‘ବାବୁ ଆଜ୍ଞା ! ଯାହା ଛିଣ୍ଡି ଥିଲା ସେତକ ତ ଦେବେ ଆଜ୍ଞା !’’

 

ମୁଁ ଚମକି ପଡ଼ିଲି । ମଣ୍‌ଣାହିଁରୁ ଡେଭିଡ୍‌ସନ୍ ରୋଡ଼୍‍ଯାକେ ଭଡ଼ା ତ ସାଢ଼େ ତିନଣା । ସେ ମୋଠୁଁ ଚାରଣା ମାଗୁଥିଲା । ମୁଁ କହିଥିଲି, ମୁଁ ତତେ ସାଢ଼େ ତିନଣାଇ ଦେବି ।’’

 

ଆସିବାବେଳେ ସେ ମତେ କହିଥିଲା, ‘‘ଯାହା ଠିକ୍ ବୁଝିବ ସେତିକି ଦବ ବାବୁ । ଆସ, ବସିଯାଅ ।’’ ଆଉ ସେ କଣ ନା ଏଠିକି ଆସି ଝଗଡ଼ା ଆରମ୍ଭ କରି ଦେଇଛି ।

 

‘‘ମୁଁ ତ ତିନଣା ଛିଣ୍ଡେଇଥିଲି !’’

 

ସେ କହିଲା, ‘‘ଆଜ୍ଞା ଚାରଣା ଦବ ତ ଦିଅ ନହେଲେ ତମ ପଇସା ତମ ପାଖରେ ଥାଉ-।’’

 

‘‘ଯେତେ ଭଡ଼ା ଛିଣ୍ଡେଇଛି ତହିଁରୁ ପଇସାଟାଏ ବେଶୀ ଦେବି ନାହିଁ ।’’

 

‘‘ଦବନି ତ ଯାଅ’’ କହି ସେ ପଇସା ନବାକୁ ମନାକଲା, ଆଉ ରିକ୍‌ସାର ହେଣ୍ଡଲ୍ ଉଠାଇ ନେଲା ।

 

ମୁଁ କହିଲି, ‘‘ଆରେ କାହିଁକି ଝଗଡ଼ା କରୁଚୁ କହିଲୁ ? ମଣ୍‌ଣାବିରୁ ଏଠିକି ଆସିବାକୁ ତତେ ତିନଣାରୁ ବେଶୀ କିଏ ଦବ ?’’

 

ସେ ରାଗି କରି କହିଲା, ‘‘ତମେ କଣ ଜାଣିଚ ? ଏଇ ଦିପହର ଖରାରେ ରେକ୍‌ସା ଟାଣିବାକୁ ପଡ଼ିଲେ ସିନା ଜାଣିବ ! ବାବୁ ଆଜ୍ଞା, ମୋ ପେଟରୁ କାଟିଲେ ତମକୁ କଣ ମିଳିବ ?’’

 

ଅଣେ ବେଶୀ ଦେଇ ଦେଇଥିଲେ ମୋର କଣ ଯାଉଥିଲା, ସେ ତ ଦିଟା ଉଇଲ୍‌ସ୍ ସିଗ୍ରେଟ୍‌ରେ ଉଡ଼ିଯିବା ଜିନିଷ; କିନ୍ତୁ ମୋର ମିଥ୍ୟା ଅହଙ୍କାର ସେ ଲୋକର ନୀଚତା ଆଗରେ ମଥା ନୁଆଇଁବାକୁ ରାଜି ହେଲାନାହିଁ । କ୍ୟୁରେ କେତେ ଚିହ୍ନା ଲୋକ ଥିଲେ, କେତେ ଅଚିହ୍ନା ମୁହଁ ମୋ ଆଡ଼କୁ ବୁଲି ଚାହୁଁଥିଲେ । ସେମାନଙ୍କ ଆଗରେ ତା ସଙ୍ଗେ ବିତଣ୍ଡା କରିବାଟା ମୋର ମଧ୍ୟବିତ୍ତ ଗୌରବର ଅନୁରୂପ ନ ଥିଲା; ତେଣୁ ମୁଁ ତା ସଙ୍ଗେ ବେଶୀ ଝଗଡ଼ା ନ କରି, ପଇସା ବାହାର କରି ତା ଆଡ଼କୁ ପକେଇଦେଲି ।

 

‘‘ବଡ଼ ନିର୍ଲଜ ଲୋକଟା । ଛୋଟ ଲୋକର ବୁଦ୍ଧି ବି ଛୋଟ ହବ’’, ବିରିବିରି କରି କରି ମୁଁ କ୍ୟୁରେ ଯାଇ ଠିଆହେଲି ।

 

ବର୍ତ୍ତମାନ ସୁଦ୍ଧା ବୁକିଂ ଅଫିସ୍ ଖୋଲି ନାହିଁ । ଲୋକମାନେ ଛାଇରେ ଲାଇନ୍ ଲଗାଇ ଠିଆ ହୋଇଥିଲେ । ଲାଇନ୍‌ରେ ଠିଆ ହୋଇଥିବା ଲୋକଙ୍କ ଭିତରେ କେହି ଖବରକାଗଜ ପଢ଼ୁଛି, କିଏ ଗୀତ ବହି ପଢ଼ୁଛି, କିଏ ଗପ ଲଗେଇଚି, କେହି ସିଗ୍ରେଟ୍ ଖାଉଚି, ଆଉ କେହି ଅଧୈର୍ଯ୍ୟ ହୋଇ ଠିଆ ହୋଇଚି ।

 

ମୁଁ ବି ଯାଇ ସେଇଠି ଠିଆ ହୋଇପଡ଼ିଲି ।

 

ମିନର୍ଭା ଟକିଜ୍‌ର ଆଗ ଗଳିରେ ଗୋଟିଏ ରିକ୍‌ସାବାଲାର ପରିବାର ରହୁଥିଲା । ଗୋଟିଏ ଗୋଦାମର ବାରଣ୍ଡାରେଇ ସେଇ ଗରିବ ପରିବାରଟି ରହୁଥାଏ । ପଲସ୍ତରା ଛାଡ଼ିଯାଇଥିବା କାନ୍ଥଟି ଧୂଆଁ ଓ କୋଇଲାରେ କଳା ହୋଇ ଯାଇଛି । ଗୋଟିଏ କୋଣରେ ଦୁଇଟି କଳା କଳା ହାଣ୍ଡି, ଏନାମେଲ୍ ଛାଡ଼ି ଯାଇଥିବା କଲେଇ ଥାଳିମାନ, ଗୋଟିଏ ଟିଣ ଡବା, ଛିଣ୍ଡା ବାଉଁଶ ଚଟେଇ ଇତ୍ୟାଦି ଜିନିଷମାନ ପଡ଼ିଥିଲା । ବାରଣ୍ଡାର ଗୋଟିଏ କୋଣରେ ଗୋଟିଏ ଛିଣ୍ଡା ଅଖାର ପରଦା ଟାଙ୍ଗା ଯାଇଥିଲା । ଅଖା ପରଦାର ଛିଦ୍ର ଦେଇ ଦେଖା ଯାଉଥିଲା କନ୍ଥା ଉପରେ ଶୋଇ କଳା ମହମରେ ଗଢ଼ା ଗୋଟିଏ ଖେଳନା ଅର୍ଥାତ୍ ନବଜାତ ଶିଶୁ, ହାତ ଗୋଡ଼ ହଲେଇ ଖେଳୁଛି । ତା ବେକର ଯେଉଁ ଶଙ୍ଖ ପରି ଧଳା ପନିକଣ୍ଠିମାଳାଟି ଥିଲା ତହିଁରୁ ତା ଦେହର କଳା ରଙ୍ଗଟି ଜଣା ଯାଉଥାଏ ।

 

ବାରଣ୍ଡା ତଳେ ଦକ୍ଷିଣ ଆଡ଼କୁ ବାଉଁଶ ଚଟେଇ ଦୁଇଟି ମୂର୍ତ୍ତି ବସିଥିଲେ । ଗୋଟିଏ ବୁଢ଼ୀ, ତା ଆଖିରେ ନେଞ୍ଜରା ଭର୍ତ୍ତି, ମୁଣ୍ଡଯାକ ଧୂଳିବାଲି ସରସର, ଶୁଖିଲା ଜାଇଫଳପରି ତା’ ଦିହ ଦେଖାଯାଉଥିଲା । ଆରଟି ନବଯୁବତୀ ଯେକି ଉର୍ବର ଭୂମିରେ ଫଳିଥିବା ପଦଳୀ ପରି ଅତି ସୁନ୍ଦର ଓ ଡୌଲଡାଉଲ୍ ଥିଲା । ସେହି ଯୁବତୀର ରଙ୍ଗ କାଳିଆ । ତଥାପି ସେ ସୁନ୍ଦର, ତା ହାତରେ ସାଗୁଆ ରଙ୍ଗର କାଚଚୁଡ଼ୀ ଥିଲା, ମଥାରେ କୁଙ୍କୁମ ଓ ବେକରେ ଚକ୍ ଚକ୍ କରୁଥିଲା ହଳଦିଆ ସୂତାଟିଏ । ଆରେ ୟେ ତ ନୂଆ ବାହା ହେଇଛି ! ....ସେ ବୁଢ଼ୀଟା ତାର ମୁଣ୍ଡ କୁଣ୍ଡାଇ ଦେଇ ତାକୁ ସଜଉଥାଏ ।

 

ମୁଁ କ୍ୟୁ ଉପରେ ଆଖି ବୁଲାଇଲି, ବୁକିଂ ଅଫିସ୍ ଖୋଲି ଯାଇଥାଏ । ମୁଁ ସବୁରି ପଛରେ ଠିଆ ହୋଇ ନଥିଲି । ମୋ ପଛରେ ବି ଲୋକଙ୍କର ଲମ୍ବା ଲାଇନ୍ ଥିଲା । କଚ୍ଛପ ଗତିରେ ସେହି ଲାଇନ୍‌ଟି ଅଗ୍ରସର ହେଲା, ମୁଁ ବି ପାଦେ ଆଗେଇଲି ।

 

ମୁଁ ଭାବିଲି, ‘ମତେ କେତେବେଳେ ଟିକଟ ମିଳିବ ? ସେ ଫିଲ୍‌ମ ତ ଆଗରୁ ଦେଖା ଯାଇଛି । ବେଶ୍ ଭଲ ଫିଲିମ୍, ମୁଁ ତାକୁ ଥରେ ଦେଖିସାରିଛି ।’

 

ଫିଲ୍ମଟାର ନାଆଁଟା କେମିତି କବିତାର ଲାଇନ୍ ପରି.....ଧୂଳିରେ ଫୁଲ.....ଗୋଟିଏ ପରିବାର ଥିଲା, ଗାରସନ୍ ଆଉ ପିଜନ୍‌ର, ତାଙ୍କର ପୁଅଟିଏ–ବଡ଼ ଗେହ୍ଲାପୁଅ, ଦୁହେଁ ତାକୁ ପ୍ରାଣଦେଇ ଭଲ ପାଉଥିଲେ । ସେଇ ପୁଅଟା ମରିଗଲା ।

 

‘‘ହେ ଶବମ୍ ! କୁଆଡ଼େ ବୁଲୁଚୁ ? ଖାଇବାବେଳକୁ ଏଠି ଆସି ହାଜର ! କିଛି ଆଣିଲେ ତ ଯାଇ ଖାଇବାକୁ ମିଳିବ ।’’ କେଉଁ ମାଇପିଟିର ତୀବ୍ର କଠୋର ସ୍ୱର ଶୁଣାଗଲା ।

 

ମୁଁ ବୁଲିପଡ଼ି ବାରଣ୍ଡା ଆଡ଼କୁ ଚାହିଁଲି, କଳା ଲଗା ତିନିଟି ଇଟାର ଚୁଲିରେ ହାଣ୍ଡି ବସେଇ ଚାଉଳ ପକାଇ ମାଇପିଟା ପୁଣି ପାଟିକଲା । ମାର ପାଟିଶୁଣି ‘ଶବମ୍’ ଧାଇଁକରି ସେଠାକୁ ଆସିଲା ।

 

‘‘ଯା, ନିଆଁ ଲଗେଇବାକୁ କିଛି କାଠ ଗୋଟେଇ ଆଣ,’’ ଏତିକି ଆଦେଶ ଦେଇ ସେ ଧୂଆଁଟିଆ ଚୁଲିଟା ଫୁଙ୍କି ଲାଗିଲା । ଧୂଆଁ ବଢ଼ି ଚାଲିଛି, ସେ ଆଖି ମଳି ମଳି ଚୁଲି ଫୁଙ୍କି ଲାଗିଲା । ୟା ଭିତରେ ବାରଣ୍ଡାରେ ପଡ଼ିଥିବା ପିଲାଟା ଉପରେ ଅଖାର ପରଦା ଦେଇ ପଡ଼ୁଥିବା ଖରା ଲାଗିବାରୁ ସେ ପାଟି କରି କାନ୍ଦିବାକୁ ଆରମ୍ଭ କଲା । ସେ ମାଇପିଟି ଚଟ୍‌କରି ପିଲାଟାକୁ କୋଳକୁ ନେଲା ଆଉ ତାକୁ ଦୁଧ ପିଆଇଲା ।

 

ମୋ ଆଖି ‘ଶବମ୍‌’କୁ ଖୋଜୁଥିଲା । ସେ ତ ଗୋଟିଏ ଛୋଟିଆ ନଙ୍ଗଳା ଛୁଆ । ତାର ଅଣ୍ଟାରେ ଗୋଟିଏ କଳା ସୂତା ବି ବନ୍ଧା ହୋଇନାହିଁ । ତା ଦିହଟା ମଚ୍‌ମଚ୍ କଳା । ‘ଲିଭର କିଓର’ ନାମକ ଔଷଧର ବିଜ୍ଞାପନରେ ଦେଖା ଯାଉଥିବା ଛୁଆଟା ଭଳିଆ ତାର ପେଟଟା ଫୁଲିଥିଲା, ତାର ମୁଣ୍ଡବାଳ ଚିକିଟା ହୋଇଥିଲା । ନାକ ପୁଡ଼ାରୁ କାଦୁଅ ଭଳିଆ ସିଙ୍ଘାଣି ବାରମ୍ବାର ବାହାରୁଥାଏ ଯେମିତି ମାଛ ଥରକୁ ଥର ପାଣିରୁ ବାହାରକୁ ଦେଖୁଥାଏ । ଟୋକାଟା ଜିଭ ବାହାରକରି ନାକ ସଫା କରି ନେଲା । ସେ ନିଆଁ ଜଳାଇବାକୁ ସେଇଠି ପଡ଼ିଥିବା ସିନେମାର ବିଜ୍ଞାପନ ସମ୍ପର୍କିତ କାଗଜ, ଟିକଟ, ଭୁଷା, ଶୁଖିଲା ପତ୍ର ଇତ୍ୟାଦି ଜିନିଷ ଏକାଠି କଲା ଓ ଚୁଲିପାଖରେ ଯାଇ ପହଞ୍ଚିଲା ।

 

ସେତେବେଳକୁ ଯୁବତୀଟିର ମୁଣ୍ଡକୁଣ୍ଡା ସରିଛି । ସେ କହିଲା, ‘‘ହେ ବୁଢ଼ୀ ମାଠିଆରେ ପାଣି ନେଇଆ ।’’ ଧୂଆଁ ଚାଲିଯିବାରୁ ଭଲକରି ନିଆଁଟା ଜଳିବାକୁ ଆରମ୍ଭ କଲା । ରାସ୍ତା କଡ଼ରେ ବାରଣ୍ଡାରେ ମା ଛୁଆକୁ ଶୁଆଉ ଥାଏ । ବାଉଁଶ ଚଟେଇ ଉପରେ ଶୋଇଥିଲା ବୁଢ଼ୀଟା, ସେ ପାଟି କୋଣରୁ ଦୋକ୍ତାପାନର ପିକକୁ ହାତରେ ପୋଛି ଦେଇ ସଫାକଲା ଓ ମାଠିଆ ନେଇ ପାଣି ଆଣିବାକୁ ବାହାରିଗଲା । ‘ଶବମ୍’ ଏବେସୁଦ୍ଧା କାଗଜ ଗୋଟୋଉଥିଲା ।

 

‘‘ଟିକେ ଆଗକ ଚାଲନ୍ତୁ ଆଜ୍ଞା !’’ ପଦକ ଶୁଣି ମୋର ଚେତା ଫେରିଲା ଓ ମୁଁ ଆଗକୁ ଚାଲିଲି, ସେତେବେଳେ ପର୍ଯ୍ୟନ୍ତ କ୍ୟୁ ଛୋଟ ହୋଇ ନାହିଁ । ପିମ୍ପୁଡ଼ି ଧାର ଭଳିଆ କ୍ୟୁରେ ଲୋକ ଠିଆ ହୋଇଛନ୍ତି । ଷାଠିଏ ଜଣଙ୍କ ପରେ ଯାଇ ମୋର ଟିକଟ କାଟିବାର ପାଳି ପଡ଼ିବ । ମୁଁ ମୁହଁ ବୁଲାଇ କାନ୍ଥ ଉପରେ ଲାଗିଥିବା ବିଜ୍ଞାପନ ଉପରେ ଆଖି ବୁଲାଇଲି....

 

କାନ୍ଥ ଉପରେ ଗାର୍ସନ ଓ ଫାଜନ୍‌ଙ୍କ ଛବି ଲାଗିଛି । ଗାର୍ସନର ମୁହଁରେ ଶାନ୍ତି ଓ ରକମେ ଦୃଢ଼ତା ବି ଦେଖାଯାଉଥିଲା, ତାହାରି ପାଖରେ ଫଜନ୍‌ର ଛବିଟିଏ ଥିଲା । ‘ସାଇଡ୍‌ପୋଜ୍’ରେ । ସେ ଚିତ୍ରକୁ ଯେ ଦେଖିବ ତାର ଛାତି କରତି ହୋଇଯିବ । ପୁଅଟି ହରାଇବା ପର ଦୃଶ୍ୟଗୁଡ଼ିକରେ ସେ କେତେ ଚମତ୍କାର ଅଭିନୟ କରିଛି । ଅତି କରୁଣ ଅବସ୍ଥାଗୁଡ଼ିକରେ ଗ୍ରିୟର୍ ଗାର୍ସନ୍ ଚମତ୍କାର ଅଭିନୟ କରେ । ମ୍ୟାଡାମ୍ କ୍ୟୁରୀ ନାମକ ଫିଲ୍ମରେ ସ୍ୱାମୀର ମୃତ୍ୟୁ ସମ୍ବାଦ ଶୁଣି ସେ ପଦେହେଲେ କଥା କହିନାହିଁ । କୌଣସି ଚେଷ୍ଟା ନାହିଁ, କନ୍ଦାକଟା ନାହିଁ, ତଥାପି ସେ ନିଜର ବେଦନା ବ୍ୟକ୍ତକରି ପାରିଲା । ....ଏ ଚିତ୍ରଟିରେ ବି ପୁତ୍ରହରାର ଅଭିନୟ ବଡ଼ ସୁନ୍ଦର ହୋଇଛି । ନିଜର ଗେହ୍ଲାପୁଅଟିର ମୃତ୍ୟୁ ପରେ ସେ ପାଗଳପରି ଦେଖାଯାଉଅଛି । ପ୍ରତ୍ୟେକ ପିଲାକୁ ଦେଖି ସେ ଖୁସି ବି ହେଉଛି, ଦୁଃଖ ବି ଭୋଗ କରୁଅଛି । ଶେଷକୁ ସେ ସ୍ଥିରକରେ ଯେ ସେ ସାରାଜୀବନ ପିଲାଙ୍କ ଗହଣରେ ବିତାଇବ, କେବଳ ପିଲାଙ୍କ ପାଇଁ ବଞ୍ଚିରହିବ । ସେ ଅନାଥ ପିଲା ଓ ବାପ ମାଆର ଠିକ୍ ନଥିବା ଅବୈଧ ଶିଶୁମାନଙ୍କର ପାଳନ ପୋଷଣ କରିବାକୁ ସ୍ଥିର କରେ । ସେମାନଙ୍କର ପାଳନ ପୋଷଣ ଲାଗି, ତାଙ୍କୁ ବଡ଼କରିବା ଲାଗି ପଇସା କାହୁଁ ମିଳିବ ? ....ଏହି ସମସ୍ୟା ତା ଆଗରେ ଠିଆ ହୋଇଛି ।

 

‘‘ବାବୁ ! ପଇସାଟିଏ ଦିଅ ବାବୁ !’’

 

ଭିକାରିର ଏ ପଦକ କଥା ଶୁଣି ମୁଁ ତା ଆଡ଼କୁ ଚାହିଁଲି । ‘ଶବମ୍’ କ୍ୟୁରେ ଠିଆ ହୋଇଥିବା ଲୋକମାନଙ୍କଠୁଁ ଭିଖ ମାଗୁଥିଲା । ମଝିରେ ମଝିରେ ସେ ନିଜର ନାକରୁ ବୋହୁଥିବା ସିଂଘାଣି ଚାଟି ଯାଉଥିଲା ।

 

ସାମନା ଆଡ଼ୁ ‘ଆରେ ମଚ୍ଚାବୀ ଆସିଲାଣି’ ପଦକ ଶୁଣାଗଲା ଓ ମୋର ଆଖି ସେ ଆଡ଼କୁ ପଡ଼ିଗଲା । ଚୁଲିରୁ ଭାତହାଣ୍ଡି ଓହ୍ଲେଇ ଯୁବତୀଟି ମୁହଁଟି ବୁଲେଇ ଚାହିଁଲା । ରିକ୍‌ସାଟି ଗୋଟିଏ କଡ଼ରେ ଠିଆ କରି ‘ମଚ୍ଚାବୀ’ ତାର ସ୍ତ୍ରୀ ପାଖୁ ଆସିଲା । ସ୍ତ୍ରୀ ଆଗରେ ବସୁ ବସୁ ସେ ପଚାରିଲା, ‘‘ଭାଇ ଆସିନି କି ?’’ ଟିକିଏ ପରେ ସେ ପୁଣି କହିଲା ‘‘ହଉ ତେବେ ମତେ ଖାଇବାକୁ ବାଢ଼ିଦେ, ମୋତେ ଜଲ୍‌ଦି ଯିବାକୁ ହବ ।’’

 

ଯୁବତୀ ଆସ୍ତେ କହିଲା, ‘‘ଏଇଲାଗେ ଆସିଲା, ଆଉ ସାଙ୍ଗେ ସାଙ୍ଗେ ଯିବାକଥା କହିଲାଣି ।’’

 

ସେତେବେଳକୁ ବାରଣ୍ଡାରେ ବସିଥିବା ମାଈପିଟି ପିଲାକୁ ଛାଇରେ ଶୁଆଇ ଦେଇ ତଳକ ଓହ୍ଲାଇ ଆସିଲାଣି ।

 

ଯୁବତୀ ପଚାରିଲା, ‘ନାନୀ ମ, ୟାକୁ ଭାତ ବାଢ଼ିଦେବି ? ୟେ ଯିବ କହୁଚି ।’’

 

କୁଞ୍ଚୁ କୁଞ୍ଚୁଆ ବାଳଥିବା ତାର ଯା କହିଲା, ‘‘ହଉ ଦେଇଦେ । ସେ ଯାଉ । ଯାଇ ଦି’ ପଇସା କମେଇବ ।’’

 

ନବଦମ୍ପତି ବାରଣ୍ଡାରେ ଯାଇ ବସିଲେ । ସେ ଅଖା ପରଦା ଆଢ଼ୁଆଳରେ ଯାଇ ବସିଲା । ସ୍ତ୍ରୀ କଲେଇ ଥାଳିରେ ଭାତ ବାଢ଼ିଲା । ସେ ନିଜ କୋଳରେ ପଡ଼ିଥିବା ମରୁ ଓ ‘ସାମ୍ବାଦୀ’ରେ ତିଆରି ବେଣୀଟିକି ଲୁଚେଇ କରି ତା ବାଳରେ ଲଗେଇ ଦେଲା ।

 

ଯୁବତୀ ମୁଣ୍ଡରେ ହାତ ବୁଲାଇ କହିଲା, ‘‘ତାମସା କରନା, ନାନୀ ଦେଖିବ ।’’

 

‘‘ଆରେ ମୋ ସୁନା ଚଢ଼େଇ । ତୁ ହେଲୁ ମୋର ଚିନ୍ତାମଣି ।’’

 

‘‘ହଉ, ତୁ ମତେ ବେଶ୍ୟା ପାଇଛୁ କି ?’’

 

ଦୁହେଁ କାହିଁକି କେଜାଣି ହସରେ ଫାଟି ପଡ଼ିଲେ । ସେମାନେ ତାଙ୍କର ‘ହନୀମୁନ୍’ ବେଳେ ସାହସ କରି କୋଉ ଫିଲ୍ମ ଦେଖିଥିଲେ ନା କଣ ?

 

* (୧) ବାସନା ପତ୍ର ବିଶେଷ ଯାହାକି ବେଣୀରେ ଗୁନ୍ଥାଯାଏ ।

 

(୨) ଗେଣ୍ଡୁ ଭଳିଆ ପ୍ରକାରେ ଫୁଲ ।

 

‘‘କଣ, ଆଜି ବି ସେଇ ଖେଚେଡ଼ି କରିଚୁ ?’’ ପଚାରି ପଚାରି ସେ ତା ଗାଲରେ ଟିକିଏ ଟିପା ମାରିଦେଲା.... ।

 

ୟା ପରେ ମୁଁ ପ୍ରେମିକଯୁଗଳଙ୍କର ସେହି ନାଟକଟି ଆଉ ଦେଖିନାହିଁ । ଅବସ୍ଥାଚକ୍ର ମୋତେ ପୁଣିଥରେ ହଲାଇ ଦେଲା ଓ ମୁଁ ନିଜର କ୍ୟୁରେ କିଛିଟା ଆଗେଇଲି । ପେଟପୂରାଇ ଖାଇସାରିଥିବା ଅଜଗର ପରି କ୍ୟୁଟା ଧୀରେ ଧୀରେ ଆଗୋଉଥିଲା ।

 

ଜଣେ କିଏସେ ପଚାରିଲା, ‘‘କେତେବେଳେ ଆଉ ଲାଗିବ ?’’ ଆଉ ଜଣେ କହିଲା, ‘‘ଏ ଫିଲ୍ମଟା ତ ଆଗରୁ ଥରେ ଆସିଥିଲା, ୟାର ବି ଚାହିଦା ଏତେ ?’’

 

ଏ ଫିଲ୍ମଟା ଆଗରୁ ଥରେ ଆସିଥିଲା ତେବେ ସୁଦ୍ଧା ଏଠି ଏତେ ଭିଡ଼ କାହିଁକି ? ....ଏଇଥିପାଇଁ ଯେ ଫିଲ୍ମଟା ଭଲ । ସେ ଆମର ମରମ ଛୁଇଁପାରେ.....ଗାର୍ସନ୍ ଅନାଥାଶ୍ରମ ପାଇଁ ପଇସା ସଂଗ୍ରହ କରୁଛି । ....ସେ ବଡ଼ ବଡ଼ ଲୋକଙ୍କ ପାଖୁ ଯାଏ । ବଡ଼ଲୋକ ଘରର ପୁଅ ଝିଅମାନେ ରହସ୍ୟାତ୍ମକ ରୂପରେ ପ୍ରେମଲୀଳା ନେଇ ନିଜର ସମୟ ନଷ୍ଟ କରୁଛନ୍ତି । ଏଥିରେ କେତେ ଦୁର୍ଘଟଣା ଘଟୁଛି । ସେଇ ସବୁ ଲୋକଙ୍କର ମନ ବି ତରଳେ ନାହିଁ । ସେଇ ବୁଢ଼ୀଟା ! ଅଶୀ ବରଷର ବୁଢ଼ୀ ହେଲାଣି, ତଥାପି ଆଶା ବା ପାଉଡର ଓ ଆଡ଼ମ୍ବର ଛାଡ଼ିପାରିନାହିଁ–ସେଇ ଲୋଭୀ ବୁଢ଼ୀଟି ପଚାରୁଚି ‘‘ପାପରୁ ଜାତ ଏଇସବୁ ପିଲାଙ୍କୁ ଆଶ୍ରୟ ଦବ କିଏ ସେ ?’’ ନାୟିକା କହୁଚି ଜବାବ୍ ଦେଇ, ‘‘ପାପୀ କିଏ ? କାମ ବାସନାର ପରିଣାମ ନ ଜାଣି ଗର୍ଭବତୀ ହୋଇ ନିଜର କୁମାରୀତ୍ୱ ନଷ୍ଟ ହେବାପରେ ନିଜର ଗର୍ଭଜାତ ଶିଶୁକୁ ପକେଇ ଦେଇ ନିଜର ଧନ ବା କ୍ଷମତା ବଳରେ ନିଜର ପାପ କର୍ମକୁ ଲୁଚେଇବା ଲୋକ...ନା ଏହି ବିଚରା ଅବୋଧ ପିଲା ? ପାପୀ କିଏ-? ....ଏ ପିଲାଏ ଅବୈଧ ନୁହନ୍ତି.....ୟାଙ୍କୁ ଲୋକେ ଲୁଚେଇ ଚୋରେଇ ଜନ୍ମ ଦେଇଛନ୍ତି-! ପାପକର୍ମ ଫଳରେ ଜନ୍ମ ହେଇଛି ଯେଉଁ ଶିଶୁ ସେ କଣ ପାପୀ ! ନା, ପାପକର୍ମରୁ ଜାତ ଶିଶୁ ବି ଦେବତା ହୋଇପାରେ ।’’

 

ମୋ ମନ ଏଇସବୁ ଭାବନାରେ ଡୁବି ରହିଥିଲା । ହଠାତ୍ ଶବମ୍‌ର ‘‘ବାବୁ ପଇସାଟିଏ’’ ଶୁଣି ମୋର ଭାବନା ଭାଙ୍ଗିଗଲା । ମୁଁ ବିନା ବାକ୍ୟ ବ୍ୟୟରେ ତାକୁ ପଇସାଟିଏ ଦେଇଦେଲି ।

 

ଛବିଟିର ନାଁଟି ଖୁବ୍ ଭଲ ହେଇଚି....ଆଜି ସାରା ଦୁନିଆଁରେ ପ୍ରସିଦ୍ଧ ଷ୍ଟାଲିନ୍ ଗୋଟିଏ ମୋଚୀର ପୁଅ....କଥାକାର ଗର୍କୀ ଆଗେ ବୋଝ ବୋହୁଥିଲେ । ରୁଟିର ଚୁଲାପାଖରେ ପଡ଼ିରହୁଥିଲେ । ଖତଗଦାର ପଦ୍ମ....ଅଳିଆ କୁଢ଼ରେ ମଣି.... ।

 

ସାମନା ବାରଣ୍ଡା ପାଖରେ ଆଉ ଗୋଟିଏ ରିକ୍‌ସା ଆସି ଛିଡ଼ାହେଲା । ରିକ୍‌ସାର ଦଣ୍ଡାକୁ ତଳକୁ କରିଦେଇ, ଦେହରୁ ତେଲ ପରି ବୋହୁଥିବା ଝାଳକୁ ପୋଛି ରିକ୍‌ସାବାଲା ବାରଣ୍ଡା ଆଡ଼କୁ ଚାଲିଲା ।

 

ରୁକ୍ଷସ୍ୱରରେ ସେ ପଚାରିଲା, ‘‘କଣ ଭାତ ହେଇଚି ନା ନାହିଁ ?’’ ଆଉ ବାରଣ୍ଡାର କାନ୍ଥକୁ ଲେସିହେଇ ବସିଗଲା ।

 

ତା ସ୍ତ୍ରୀ କହିଲା, ‘‘ମଚ୍ଚାବୀ ଖାଇକରି ଗଲାଣି । ତୁ ଖାଇବୁ କି ?’’

 

‘‘ହଁ ଖାଇବି । କୁନି କାହିଁଗଲା ?’’

 

‘‘ଶବମ୍ ତ ଏଇଠି ଠିଆ ହେଇଥିଲା ।’’

 

ବାପର ଆଖି ଲାଇନ୍ କରି ଠିଆହୋଇଥିବା ଲୋକଙ୍କଠୁଁ ‘‘ବାବୁ ପଇସାଟିଏ’’ କହି ହାତପତେଇ ଭିକ ମାଗୁଥିବା ନିଜର ପୁଅ ଉପରେ ପଡ଼ିଗଲା । ସେ ଏକାଡିଆଁରେ କ୍ୟୁ ପାଖରେ ପହଞ୍ଚିଗଲା । ସେ ‘ଶବମ୍’ର ଖୋଲା ହାତଉପରେ ଆଖି ବୁଲାଇଲା । ତା ଉପରେ ଚାରିଟା ପଇସା ପଡ଼ିଥିଲା ।

 

ବାପର ମୁହଁ ରାଗରେ ଲାଲ୍ ହୋଇଗଲା ।

 

‘‘ହେଇ ନିଆଁ ଲଗା ! କୁକୁର କୋଉଠିକାର ! ମୋ ଆଗଟାରେ ତୁ ଲୋକଙ୍କଠୁ ଭିକ ମାଗୁଚୁ ? ତୋ ଗୋଡ଼ରେ କଣ ରୋଗ ହେଇଚି କି ?’’ ପାଟିକରି ସେ ତା ହାତର ପଇସା ଛଡ଼େଇ ନେଇ ଦୂରକୁ ଫିଙ୍ଗିଦେଲା ଆଉ ତାକୁ ଜୋର୍‌ରେ ପିଟିବାକୁ ଲାଗିଲା ।

 

ପୁଅଟା ପାଟିକରି କାନ୍ଦି ଲାଗିଲା ।

 

ମା ନ ଜାଣିଲା ପରି ପଚାରିଲା, ‘‘ତାକୁ ପିଟୁଚୁ କିଆଁ ?’’

 

ସେ ପାଟିକଲା, ‘‘ପିଟୁଚି କିଆଁ ? ମୋ ରୋଜଗାର ଅଣ୍ଟୁନେଇଁ ସେଥିପାଇଁ ତୋ ପୁଅ ଭିକ ମାଗୁଚି ? ତାର ମାନ ଇଜ୍ଜତ ନାହିଁ ?’’

 

କ୍ୟୁ ଆଗେଇଲା ଓ ମୁଁ ବି ଆଗେଇ ଗଲି । ବ୍ରଡ଼ଓ୍ୱେରେ ‘କଡ଼ା’ ବୋଲି ଗୋଟିଏ ଟ୍ରାମ୍ ଚାଲେ । ସେ କ୍ୟୁଟା ବଣ୍‌ଣାରପ୍‌ପେଟ୍‌ଟୈର ଟ୍ରାମ ଗାଡ଼ିପରି ପାଦେ ଆଗେଇଲେ ବନ୍ଦହୁଏ । ମୁଁ ଅଧୀର ହୋଇ ଠିଆ ହୋଇଥିଲି । ମୁଁ ପକେଟରୁ ଟିକଟପାଇଁ ପଇସା ବାହାରକଲି । ତିନିଜଣଙ୍କ ପରେ ମତେ ବି ଟିକଟ ମିଳିବା କଥା....

 

ମୁଁ ବାରଣ୍ଡା ଆଡ଼କୁ ଚାହିଁଲି । ସ୍ତ୍ରୀ ଯାହା ପରଷୁଛି ତାକୁ ସ୍ୱାମୀ ଗୋ’ଗ୍ରାସରେ ଗିଳି ଯାଉଥିଲା । ‘ଶବମ୍’ କଣରେ ବସି ସକଉଥାଏ । ରିକ୍‌ସାବାଲା ରାଗିଲେ ସ୍ୱରରେ ତା ସ୍ତ୍ରୀକି କହିଲା, ‘‘ଏ ଟୋକାଟାକୁ ଦାନାଟାଏ ଦବୁନାହିଁ, କୁକୁର ମାଡ଼ ଖାଇଲେ ଯାଇ କଥା ମାନେ ।’’ ଖାଇବା ବେଳେ ସେ ମଝିରେ ମଝିରେ ବିଡ଼ି ବିଡ଼ି କରି କହୁଥାଏ ‘‘ତୁ ଭିକ ମାଗିବୁ !’’

 

କ୍ୟୁ ଆଗେଇଲା.....

 

‘ପିଚ୍ଚେ’ ଥକିକରି ଚୂନା ହେବା ଯାକେ ପଇସା ରୋଜଗାର କରୁଥିଲା । ନିଜର ସେଇ ରୋଜଗାର ସେ ଶୁଣ୍ଢି ଘରେ ବା ମହାଜନ ଘରକୁ ଦେଇ ବଞ୍ଚେ । ସେହି ରିକ୍‌ସାବାଲା କଣ ଧର୍ମ ଛାଡ଼ିଦେବ ? ‘ଧର୍ମ’–କଣ କେବଳ ଗୋଟିଏ ସୁନ୍ଦର ଶବ୍ଦ ? କିଛି ଆଗରୁ ମୁଁ ଯାହା ରିକ୍‌ସାରେ ବସି ଆସିଥିଲି, ସେଇ ରିକ୍‌ସାବାଲାଟା ମୋ ସାଙ୍ଗରେ ପଇସା ପାଇଁ ଝଗଡ଼ା ଲଗେଇଥିଲା, ଆଉ ଏଇ ରିକ୍‌ସା ବାଲାଟା ପଇସାକୁ ଦୂରକୁ ଫିଙ୍ଗି ଦେଲା ! କାହିଁକି ? କାରଣ ଏ ଭିକମଗା ପଇସା–ମିଛ ପଇସା ! ନିଜର ମୁଣ୍ଡଝାଳ ତୁଣ୍ଡରେ ମାରି କମେଇଥିବା ପଇସାକୁ ଝଗଡ଼ା କରି ନେବା ବି ପାପ ନୁହେଁ, କିନ୍ତୁ ବିନା ପରିଶ୍ରମରେ, ଭିକ ମାଗି ପଇସା ପାଇବା ପାପ ! କିନ୍ତୁ ଶିକ୍ଷିତ, ଉପାଧିଧାରୀ, କ୍ଷମତାବାନ୍ ଅଫିସରମାନେ ଘୁସ୍ ନିଅନ୍ତି । ପରିଶ୍ରମ କରିବା ଲୋକର ପଇସା ଛଡ଼ାଇ ତା ନେଇ ଜୀବନ କଟାନ୍ତି । ଏଇ ରିକ୍‌ସାବାଲାଟି କଣ ଏସବୁ ଲୋକଙ୍କ ଉପରେ ନୁହେଁ ?

 

କ୍ୟୁ ଆଗେଇଲା । ବର୍ତ୍ତମାନ ମୁଁ ମଣିଷ ଦେଇ ତିଆରି ସେହି ରେଳଗାଡ଼ିଟିର ଇଞ୍ଜିନ୍ ହୋଇଯାଇଛି । ସାମନାର ପ୍ରତ୍ୟେକ ଲୋକ ଟିକଟ କାଟି ସାରିଛନ୍ତି । ମୁଁ ପଇସା ନେଇ ବୁକିଂ ଅଫିସ୍‌ର କିରାଣୀ ଆଡ଼କୁ ବଢ଼ାଇଲି, କିନ୍ତୁ ବୁକିଂ ଅଫିସ୍ ବନ୍ଦ ହୋଇ ସାରିଥିଲା ।

 

ମୁଁ କହିଲି, ‘‘ଆଜ୍ଞା, ଗୋଟିଏ ଟିକଟ୍ !’’

 

ବୁକିଂ ଅଫିସ୍‌ର ଝରକା ପଛରୁ ଶୁଣାଗଲା, ‘‘ଏକ୍‌ସକ୍ୟୁଜ୍ ମି ।’’ ପଇସା ବ୍ୟାଗ୍‌ରେ ଥିଲା, ମୁଁ ବାହାରକୁ ଆସିଲି ଭାରି ।

 

କ୍ୟୁ ଭାଙ୍ଗିଯାଇଥିଲା ! ସନ୍ତୁଷ୍ଟ ମନରେ ମୁଁ କହି ପକେଇଲି, ‘‘ଖତ ଗଦାର ପଦ୍ମକୁ କଣ ମିନର୍ଭା ଟକିଜ୍‌ର ଭିଡ଼ରେ ଆଡ଼େଇ ଦେଖା ଯାଇପାରେ ! କଣ ବାହାରେ ଦେଖାଯାଇ ପାରିବ ନାହିଁ ?’’

Image

 

Unknown

ମୌନ ବି ଗୋଟିଏ ଭାଷା

 

ଭଲ ହେଲା, ସେ ଏକାଇ ଆସିଛି ।

 

ପାଞ୍ଚ ବର୍ଷ ତଳେ ଶିଙ୍ଗାରମ୍ ପିଲୈ ରବିକୁ ଏହିଭଳି ଗୋଟିଏ ଚିଠି ଲେଖିଲେ–‘ମୁଁ ଠିକ୍ କରି ନେଇଛି ଯେ ମୋର ସାତ ସାତଟା ପୁଅ ଅଛନ୍ତି ଆଉ ତୋତେ ବିଲ୍‌କୁଲ୍ ଭୁଲିଯିବି । ତୁ ଯେବେ ଆଉ ଏଠିକି ନ ଫେରୁ, ଏତିକି ତୋର ପରିବାର ଓ ଗର୍ଭଧାରିଣୀ ମାଆ ପ୍ରତି ଋଣଶୋଧ ହେବ ।’ ରବି ବି ଫେରି ଆସି ନଥିଲା, ସେ ଜାଣି ତା ବାପାଙ୍କର କଥାକୁ ସ୍ୱୀକାର କରି ନେଇଛି । ରବିର ମାଆଙ୍କର ସେହି ଭୟଙ୍କର କାଣ୍ଡ ଦେଖିକରି ଶିଙ୍ଗାରମ୍ ତାକୁ ଚିଠି ଲେଖିଥିଲେ ସେ ଯେପରି ଶୀଘ୍ର ଫେରି ଆସେ । କାଲିଠୁଁ ସେ ଏତିକି ଭାବି ଚିନ୍ତିତ ଥିଲେ ଯେ ସେ ଏକୁଟିଆ ଆସିବ ନା ସେହି ବିଦେଶୀ ମହିଳାଟିକି ଆଣି କରି ଆମର ଅପମାନ କରିବ । ଗାଡ଼ିରୁ ଏକା ରବିକି ଓହ୍ଲାଇବାର ଦେଖି ସେ ନିଶ୍ଚିନ୍ତ ହୋଇ ସ୍ୱସ୍ଥିର ନିଃଶ୍ୱାସ ନେଲେ ।

 

ସାଧାରଣ ଧଳା ପୋତି ଓ କୁରୁତା ପିନ୍ଧିଛି ରବି, ଠିକ୍ ଆଗପରି ଲାଗୁଛି.....ଏହି ପାଞ୍ଚ ବର୍ଷ ଭିତରେ, ଅଠେଇଶି ବର୍ଷର ଅଳ୍ପ ବୟସରେ ବି ସେ କେତେ ବୁଢ଼େଇ ଯାଇଛି । ମୁଣ୍ଡର ଆଗବାଳତକ ଚନ୍ଦା ହୋଇ ଗଲାଣି....ସେ ତା ବଡ଼ଭାଇ ସୁନ୍ଦରମ୍ ଠାରୁ ବି ବଡ଼ ଦେଖାଯାଉଥିଲା; କିନ୍ତୁ ରବିର ସୌନ୍ଦର୍ଯ୍ୟଟି କମି ନାହିଁ । ରଙ୍ଗଟି ଆହୁରି ଗୋରା ହୋଇଛି । ତାର ସ୍ୱାସ୍ଥ୍ୟ ବି ଆଗ ଅପେକ୍ଷା ଭଲ ହୋଇଯାଇଛି । ସୌନ୍ଦର୍ଯ୍ୟ କହ, ବୁଦ୍ଧିମତ୍ତା କହ, ତାର କେଉଁଥିରେ କମ୍ ଅଛି କି ? ଅଳ୍ପ ବୟସରୁ ଜଣା ପଡ଼ୁଥିଲା ଯେ ସୁନ୍ଦରମ୍ ଜଙ୍ଗଲ କାମ ଆଉ ବିଲବାଡ଼ିରେ ବୁଲିବା କାମହିୋ କରି ପାରିବ । ୟାର ତୀକ୍ଷଣ ବୁଦ୍ଧି ଉପରେ ବିଶ୍ୱାସ ଆସିବାରୁ ହିଁ ମୁଁ ୟାକୁ ବିଦେଶ ପଠାଇଥିଲି । ଟୋକାଟା ପାଠ ପଢ଼ିବାକୁ ଗଲା । ୟେ ପୁଣି ସେଇ ବିଦେଶୀ ମହିଳା ଉପରେ କେମିତି ଝୁଙ୍କିଗଲା-? ....ଇତ୍ୟାଦି କଥା ସେ ଭାବୁଥିଲେ ।

 

‘‘ବାପା !’’

 

ହାତରେ ସୁଟ୍‌କେଶଟି ନେଇ ରବି ତାକୁ ଦେଖି ମୁହଁଟା ବୁଲେଇ ନେଇଥିବା ବାପାଙ୍କର ପଛରେ ଠିଆ ହୋଇ ତାଙ୍କୁ ଡାକିଲା । ସେ ଫେରି ଚାହିଁଲେ ନି । ତାଙ୍କ ଆଖି ଛଳଛଳ ହୋଇ ଯାଇଥିଲା, ରବି ଏକଥା ଜାଣି ପାରିଲାନି । ସେ ତାଙ୍କ ପଛପଟେ ଠିଆ ହୋଇ ନୀରବରେ ହସୁଥାଏ । ଟିକିଏ ପରେ ସେ ଚିନ୍ତିତ ସ୍ୱରରେ ପଚାରିଲା, ‘‘ମାଆ କେମିତି ଅଛି ? ସେ ଏମିତି କାମଟା କଲା କାହିଁକି ? ଏଇ ବୟସରେ ସେ ଆତ୍ମହତ୍ୟା କରିବାକୁ କାହିଁକି ବାହାରିଥିଲା ?’’ ବାପା ତା ଆଡ଼କୁ ନ ଚାହିଁ, କ୍ରମାଗତ ଭାବରେ ପଚରା ଯାଇଥିବା ପ୍ରଶ୍ନ ତିନୋଟିର ଏହିପରି ଉତ୍ତର ଦେଲେ, ‘‘ସେ ଭିତରେ ଶୋଇଛି । ନିଜେ ଯାଇ ତାଠୁଁ ଏ ସବୁ ପଚାରି ବୁଝି ନେ । ଏ ଘରର ଲୋକଙ୍କ ବୁଦ୍ଧି କେଜାଣି କଣ କଣ କାମ ବଢ଼ାଏ–ହାଏରେ କପାଳ !’’ ରୁକ୍ଷସ୍ୱରରେ ଏତିକି କହିଦେଇ ଶିଙ୍ଗାରମ୍ ତଉଲିଆଟି ଅଗଣାରେ ବିଛେଇ ବସିପଡ଼ିଲେ ଓ ଭିତର ଆଡ଼କୁ ଯାଉଥିବା ପୁଅ ଆଡ଼କୁ ଚାହିଁ ରହିଲେ ।

 

ମୋର ପୁତ୍ରସ୍ନେହ ଶେଷ ହୋଇଯାଇଛି । ନା...ଏ ଖାଲି ମୋରି କଳ୍ପନା । ଗର୍ଭଧାରିଣୀ ମା କଣ ଏପରି ଭାବିପାରେ ? ଯାହା ହଉ ପଛକେ ତା ପାଇଁ ଏପରି ଗୋଟାଏ ଛୋଟ କାମ କରିବା କେତେଦୂର ଉଚିତ ? ଶିଙ୍ଗାରମ୍ ତାଙ୍କ ସ୍ତ୍ରୀଙ୍କ କଥା ଭାବୁଥିଲେ । ଦୁଇଦିନ ଆଗରୁ ସେ କନିଅର ମଞ୍ଜି ବାଟି ତାକୁ ଖାଇ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ । ତାଙ୍କର ଏହି ଆତ୍ମହତ୍ୟା କରିବାର ଚେଷ୍ଟାର କାରଣ ନେଇ ସେ କେଜାଣି କେତେଥର ବିଚାର କରି ସାରିଲେଣି-। ବର୍ତ୍ତମାନ ସେ ସେହି କାରଣମାନଙ୍କ ଉପରେ ପୁଣିଥରେ ବିଚାର କରିବାକୁ ଆରମ୍ଭ କଲେ-

 

ଶିଙ୍ଗାରମ୍‌ଙ୍କ ସ୍ତ୍ରୀ ଅଳମୁ ଆଚ୍ଚିର ଜୀବନରେ କେତେକ ଅଭାବ ଥିଲା....ସବା ବଡ଼ ପୁଅ ସୁନ୍ଦରମ୍‌ର ବାହାଗରର ଦଶବର୍ଷ ହୋଇଗଲା; କିନ୍ତୁ ତାର ପୁଅଝିଅ ହେଇନାହିଁ । ସେ ଭାବିଥିଲା ଯେ ତା ତଳ ପୁଅଟି ତା ଇଚ୍ଛାମତେ ସହରରେ ରହି ତାର ପାଠପଢ଼ା ସାରିଲେ ବାହା ହେଇ ଆରାମରେ ଘରେ ରହିବ; କିନ୍ତୁ.....ତାର ଏ ଇଚ୍ଛାଟି ବି ପୂରଣ ହେଲାନାହିଁ । ରବି ଜଣେ ୟୁରୋପୀୟ ମହିଳା ଡାକ୍ତରର ପ୍ରେମରେ ପଡ଼ିଗଲା । ସେ ତା ସାଙ୍ଗରେ ଅଥଚ ସିନିୟର ରୂପେ କାମ କରୁଥିଲା । ଯେତେବେଳେ ସେ ଘରେ ଆସି କହିଲା ଯେ ସେ ସେହି ବିଦେଶିନୀ ମହିଳାକୁ ବିବାହ କରିବ, ସେତେବେଳେ ତାର ଓ ତା ବାପା ଶିଙ୍ଗାରମ୍ ପିଲୈଙ୍କର ଘୋର ବାଦବିବାଦ ହେଲା । ସେତେବେଳେ ଅଳମୁ ଆଚ୍ଚି ଚୁପ୍ ରହିଥିଲା ।

 

ତାର ମୌନତାକୁ ଉଭୟେ ନିଜ ନିଜର ମତର ସମର୍ଥନ ସୂଚକ ମଣିଲେ ଓ ନିଜ ନିଜ ରାସ୍ତାରେ ଆହୁରି ଜିଦ୍‌କରି ରହିଲେ । ଶେଷକୁ ସେମାନେ ପରସ୍ପର ସଙ୍ଗେ ସମ୍ପର୍କ ତୁଟାଇ ଦେଲେ-। ବର୍ତ୍ତମାନ ରବି ସେହି ବିଦେଶୀ ମହିଳା ସଙ୍ଗେ ମିଶି ମଦ୍ରାସରେ ଗୋଟିଏ ‘ନର୍ସିଂ ହୋମ’ ଚଳାଉଛି-

 

ରବି ଯେତେବେଳେ ମଦ୍ରାସ୍ ଯାଇ ସେହି ବିଦେଶିନୀ ମହିଳା ସଙ୍ଗେ ନିଜ ବିବାହର ଖବର ନିଜର ଘରକୁ ପଠାଇଲା ସେତେବେଳେ ଅଳମୁ ଆଚ୍ଚି ଖୁସି ହେଲା କି ନାହିଁ ତା କେହି ଜାଣେନା । ଶିଙ୍ଗାରମ୍ ପିଲୈ ଯେତେବେଳେ କହିଲେ, ‘‘ମୁଁ ତାକୁ ଭୁଲି ଯାଇଛି, ତୁ ବି ତାକୁ ଭୁଲି ଯା’’ ସେତେବେଳେ ସେ ଦୁଃଖିତ ହେଲା କି ନାହିଁ ତା ବି କେହି ଜାଣେନା । ଅଳମୁ ଆଚ୍ଚିକୁ ମୌନ ବୋଲି ଭାଷାଟି ଭଲରୂପେ ଆସେ ।

 

ଏହି ପାଞ୍ଚ ବର୍ଷ ଭିତରେ କେତେ ବଡ଼ ବଡ଼ ଘଟଣା ଘଟିଲା ଯାହାକି ରବି କିଛି ଜାଣେନା । ଦୁଇବର୍ଷ ତଳେ ମୁତ୍ତୁ ଓ ସୋମୁ ବୋଲି ତାର ଛୋଟ ଭାଇଙ୍କର ବିବାହ ହେଲା । ତାର ବଡ଼ ଭଉଣୀ କାମାକ୍ଷୀ ଯେକି ସ୍ୱାମୀ ମରିବା ପରେ ବି ଶାଶୁଘରେ ରହୁଥିଲା, ଏବେ ସ୍ୱାମୀର ସମ୍ପତ୍ତି ବଣ୍ଟାକୁଣ୍ଟା କରାଇ ତା ଛୋଟ ଛୋଟ ପିଲାଙ୍କ ସଙ୍ଗେ ମା ପାଖୁ ଆସିଯାଇଛି । ପାଖ ସହରରେ ବିଭା ହୋଇଥିବା ତା’ର ସାନ ଭଉଣୀ ପଙ୍କଜ୍ ଓ ଇନ୍ଦିରା ଦୁଇ ବର୍ଷରେ ଥରେ ମା ପାଖୁ ଆସି ଦୁଇଟି ଲେଖେଁ ପିଲା ଜନ୍ମ ଦେଇଛନ୍ତି । ରବିର ସବା ସାନ ଓ ଗେହ୍ଲା ଭଉଣୀ ସୁଶୀଳା, ଯାହାକୁ ସେ ସଦାବେଳେ କାଖେଇ ବୁଲୁଥିଲା, ବର୍ତ୍ତମାନ ସେ ଦୋପଟା ପିନ୍ଧୁଛି । ସେ ବିବାହ ଯୋଗ୍ୟା ହେଲାଣି..... ।

 

ଦୁଇମାସ ତଳେ ଶିଙ୍ଗାରମ୍‌ଙ୍କର ଷାଠିଏ ବର୍ଷ ପୂରିବାର ଉତ୍ସବ ହୋଇଥିଲା । ସେତେବେଳେ ସତେ ଯେପରି ତାର ମୌନବ୍ରତ ଭାଙ୍ଗିଲା । ନିମନ୍ତ୍ରଣ ପତ୍ରଗୁଡ଼ିକ ଉପରେ ଠିକଣା ଲେଖୁ ଲେଖୁ ତା ସ୍ୱାମୀଙ୍କ ପାଖୁ ଆସି ସେ କହିଲା, ‘‘ତାକୁ....ରବିକି ଚିଠି ଲେଖିଛ ?’’

 

ଶିଙ୍ଗାରମ୍ ବୁଲିପଡ଼ି ତାକୁ ଚାହିଁଲେ । ସେ ଜାଣିପାରିଲା ଯେ ତାଙ୍କର ଏହି ଚାହାଣୀର ଅର୍ଥ ହେଉଛି, ‘‘ନା’’ । ସେ ଥରେ କଡ଼ାକରି ଚାହିଁ ଦେଇଥିଲେ, ଏତିକିରେ ସେ ଚୁପ୍ ହୋଇଗଲା । ଏତିକିରୁ ସେ ଜାଣିଗଲେ ଯେ ସେ ରବିର ପକ୍ଷ ନେଉଛି । ସେ ଅନେକ ଆଗରୁ ରବି ନେଇ କିଛି ସ୍ଥିର ନିଶ୍ଚୟ କରିଥିଲେ । ତେଣୁ ସେ ନିଜର ସେହି ସଂକଳ୍ପରେ ଦୃଢ଼ ରହିଲେ । ସଂକଳ୍ପଟି ହେଲା ସେ ରବିକୁ କଦାପି ଡାକିବେନାହିଁ । ସେହି ଷାଠିଏ ବର୍ଷର ଜନ୍ମଉତ୍ସବ ହେଲାଣି ଆଜିକୁ ଦୁଇମାସ । ସେହି କେତେଦିନ ବେଶ୍ ଖୁସିବାସି ଥିଲା । ରବି ଚାଲିଯିବା ପରେ ତାର ସ୍ମୃତି ଆସିଗଲେ କେତେବେଳେ କେମିତି କିଏ ତା ବିଷୟ ଆଲୋଚନା କରିନିଏ, ନ ହେଲେ କେହି ହେଲେ ତାର ଅଭାବ ଅନୁଭବ କରୁନଥିଲେ....... । ଚଳମୁଆଚ୍ଚି ବି ତାର ଅଭାବ ଅନୁଭବ କରୁନଥିଲା, ତାର ଚୁପ୍ ଚାପ୍ ଅବସ୍ଥା ଦେଖି ଶିଙ୍ଗାରମ୍ ପିଲୈ ଏତକ ଅନୁମାନ କରିଥିଲେ ।

 

ଏପରି ସ୍ଥଳେ ଦୁଇଦିନ ଆଗରୁ ଅଳମୁଆଚ୍ଚି, ଯାହାଙ୍କ ବୟସ ପଚାଶ ବି ହେଇନାହିଁ, କନିଅର ମଞ୍ଜି ବାଟିଖାଇ ନିଜର ଜୀବନ ହାରିବାର ଦୁଃସାହସ କିପରି କରି ପାରିଲା ? ୟାର କାରଣ ରବିର ବିୟୋଗ ଦୁଃଖ ନା କାମାକ୍ଷୀର ଅଳ୍ପବୟସରେ ବିଧବା ହୋଇ ଘରକୁ ଆସିବାଟା ? ସବା ବଡ଼ ପୁଅର ନିଃସନ୍ତାନ ହେବା ୟାର କାରଣ ନା ଏସବୁ କାରଣ ମିଶି ତା ମନରେ ବିରକ୍ତି ଜାତ ହୋଇଥିଲା ?

 

* ଦକ୍ଷିଣ ଭାରତରେ ଷାଠିଏ ବର୍ଷ ପୂରିବା ଦିନ ‘ଷଷ୍ଠାବ୍ଦୀପୂର୍ତ୍ତି’ ବୋଲି ଉତ୍ସବ ପାଳିତ ହୁଏ ।

 

କାରଣ ଯାହା ହୋଇଥାଉ, ସେ ବା ହଠାତ୍ ଏମିତି କାମ କାହିଁକି କଲା ?

 

ଶିଙ୍ଗାରମ୍ ପିଲୈ ବା ଘରର ଆଉ କେହି କିଛି ବୁଝିପାରୁନଥିଲେ । ସେମାନେ ଅଳମୁର ବିଭିନ୍ନ ଚେଷ୍ଟାମାନ ଦେଖି ଭଗବାନ୍‌ଙ୍କ ନାମ ନେଇ ଜଣେ ବୈଦ୍ୟଙ୍କୁ ଡାକିଲେ । ସେ କନିଅର ମଞ୍ଜିର ପ୍ରଭାବ ଦୂର କରିବାକୁ ଔଷଧ ଦେଲେ ।

 

ବୈଦ୍ୟ ମହାଶୟ ବେଶ୍ ରହସ୍ୟମୟ ଭାବରେ ପଚାରିଲେ, ‘‘ଶାଶୁବୋହୂଙ୍କ ଭିତରେ ଝଗଡ଼ା ହୋଇ ନାହିଁତ ?’’

 

ଶିଙ୍ଗାରମ୍ ପିଲୈ କହିଲେ, ‘‘ସେ ମୁହଁ ଫିଟେଇଲେ ତେବେ ସିନା ଝଗଡ଼ା ହବ ? ଆଜ୍ଞା ଆମ ପରିବାରରେ ଏମିତି କଥା ହୁଏନାହିଁ ।’’

 

‘‘ତା ହେଲେ ଏ ରୋଗର କାରଣ ଆଉ କିଛି ନୁହେଁ, ଆପଣଙ୍କର ଦ୍ୱିତୀୟ ପୁତ୍ରଙ୍କର ଚାଲିଯିବାର ଦୁଃଖହିଁ ଏକମାତ୍ର କାରଣ । ବର୍ତ୍ତମାନ ଭଲହୁଅନ୍ତା ଯେବେ ଆପଣ ସବୁ ପୁଅଝିଅଙ୍କୁ ଡକାଇ ଚିଠି ଲେଖନ୍ତି । ସେମାନେ ଆସିଗଲେ ମାଆଙ୍କର ମନ ଶାନ୍ତ ହେବ’’, ଏତିକି କହି ଗାଆଁର ସେହି କବିରାଜ ସେଠାରୁ ଚାଲିଗଲେ ।

 

ଶିଙ୍ଗାରମ୍ ପିଲୈଙ୍କର ଦୁଃଖ ଏତିକି ଯେ ସେ ତାଙ୍କ ସ୍ତ୍ରୀର ମୌନ ହେବାର ଇଚ୍ଛାମତେ ଅର୍ଥଟିଏ କରିନେଲେ ଓ ସେ ତାର ମନକଥାଟି ଭଲକରି ଜାଣିପାରିଲେନି । ତାଙ୍କୁ ଲାଗିଲା ଯେ ତାର ଆତ୍ମହତ୍ୟା କରିବାକୁ ପ୍ରସ୍ତୁତ ହେବାର ଏକମାତ୍ର କାରଣ ଏତିକି ଯେ ସେ ରବିକୁ ତାଠୁଁ ଛଡ଼େଇ ନେଇଛନ୍ତି । ସେ ନିଜର ସ୍ତ୍ରୀ ମୁହଁ ଚାହିଁ ରବିକି ଚିଠି ଖଣ୍ଡିଏ ଲେଖିଥିଲେ ଓ ପାଖ ଆଖର ସହରରେ ରହୁଥିବା ନିଜର ଝିଅମାନଙ୍କୁ ନିଜେ ଯାଇ ଡାକି ଆଣିଥିଲେ । ବର୍ତ୍ତମାନ ଘରଟି ଝିଅଝିଆଣି, ଜୋଇଁ ଓ ନାତି ନାତୁଣୀରେ ପୂର୍ଣ୍ଣ ହୋଇ ରହିଛି ।

 

ବେହୋସ୍ ହୋଇ ପଡ଼ିଥିଲା ଅଳମୁ ଆଚ୍ଚି, ଚେତା ଆସିବା ମାତ୍ରେ ମୁଣ୍ଡବାଡ଼େଇ କାନ୍ଦିବାକୁ ଲାଗିଲା, ‘‘ଏସବୁ କଣ ହଉଚି ? ସମସ୍ତଙ୍କୁ ଏଠିକି ଡାକି ଆଣି ମୋର ଅପମାନ କାହିଁକି କରାଯାଉଛି ? ........ହା କପାଳ !’’ ସେ ମନେ ମନେ ବିଡ଼ି ବିଡ଼ି ହୋଇ କହିଗଲା । ଶିଙ୍ଗାରମ୍ ପିଲୈ ତାକୁ ଶାନ୍ତ କରିବାକୁ ଚେଷ୍ଟା କଲେ । ସେ ତାଙ୍କୁ ଗାଳିଦେବା ଜାଗାରେ ନିଜେ ଗୁଡ଼ାଏ କାଟି ହେଲା ।

 

ସେତେବେଳେ ରବି ସେଠିକି ଆସିଥିଲା । ତାକୁ ଜଣା ନ ଥିଲା । ତା ବାପା କାହିଁକି ତାକୁ ଚିଠି ଲେଖି ଡକାଇଛନ୍ତି । ରବିକି ଦେଖି ଶିଙ୍ଗାରମ୍ ପିଲୈ ନିଶ୍ଚିନ୍ତ ହୋଇଗଲେ, କାହିଁକିନା ତାଙ୍କର ବିଶ୍ୱାସ ଥିଲା ଯେ ତାକୁ ଦେଖିକରି ଅଳମୁର ଦୁଃଖ ଦୂର ହେଇଯିବ ।

 

ଯେତେବେଳେ ରବି ଘରକୁ ପଶିଲା ସେତେବେଳେ ଘରର ଅଗଣାରେ ପିଲାମାନେ ଖେଳୁଥିଲେ । ପିଲାଙ୍କ ଭିତରୁ କାହାରି କାହାରିକି ରବି ଜାଣିଥିଲା; କିନ୍ତୁ ସେମାନେ ବଡ଼ ହୋଇ ଯାଇଥିବାରୁ ସେମାନଙ୍କୁ ରବି ଚିହ୍ନିପାରୁ ନ ଥିଲା । କେତେକ ପିଲାଙ୍କୁ ରବି ଆଗରୁ ଦେଖି ନ ଥିଲା-। ସେମାନେ ତାକୁ ଦେଖିକରି ଚମକି ପଡ଼ି ‘‘ମା, କିଏ ଆସିଛି’’ କହି କହି ଘର ଭିତରକୁ ଧାଇଁଗଲେ-

 

ରବି ସେଇଠି ଠିଆହୋଇ ମୁରୁକି ହସି ଘର ଭିତରକୁ ଦଉଡ଼ୁ ଥିବା ଛୁଆମାନଙ୍କୁ ଦେଖିଲା । ସେତେବେଳେ ତା ମା’ ଭିତର ଘରେ ଶୋଇଥିଲା । ପିଲାଙ୍କ ପାଟିଶୁଣି ସୁଶୀଳା, ଯେ କି ଦୁଇଦିନ ହେଲା ମା’ର ସେବାରେ ବସିଥିଲା, ଧୀରେ ଧୀରେ ଆସି ଦରଜା ପାଖରେ ଠିଆହେଲା । ସେ ବାହାରକୁ ଡୁଙ୍ଗି ଚାହିଁଲା । ଓଠ ଚାପି ସେ କହିଲା ‘‘ରବି’ନା !’’ ଆଉ ଧାଇଁକରି ଘରୁ ବାହାରି ଆସିଲା । ସେ ତା ହାତରୁ ସୁଟକେଶ୍ କାଢ଼ିନେଇ ‘‘ଆସ ନନା,’’ କହି ତାର ସ୍ୱାଗତ ଜଣାଇଲା । ସେତେବେଳେ ତାର ଓଠ ଥରୁଥିଲା ଏବଂ ଆଖି ଛଳ ଛଳ ହୋଇଗଲା । ତାର କାରଣ କଣ କେବଳ ସେମାନଙ୍କର ପରସ୍ପର ବିଚ୍ଛେଦ..... ?

 

‘‘ଆଲୋ ସୁଶୀ ! ତତେ ତ ଆଉ ଚିହ୍ନି ହଉନେଇଁ ! .....ହଁ, ମା ଦେହ କିମିତି ଅଛି ?’’ ପଚାରି ପଚାରି ସେ ଘର ଭିତରକୁ ପାଦ ବଢ଼ାଇଲା । ଏହାର ଜବାବ୍‌ରେ ସୁଶୀଳା କହିଲା, ‘‘ନନା, ସେ ଏଇଲା ଶୋଇଛି....ତାକୁ ଉଠାନା....ଉଠିଲେ ସେ ଗୁଡ଼ାଏ ବକିବ ଆଉ କନ୍ଦାକଟା କରିବ....ଭିତରକୁ ଆସ । ବିଲ ପାଖରେ ପମ୍ପ୍ ଲଗା ହେଇଛି....ଆସି ଦେଖିଯାମ, ସେଥିରେ କେତେ ପାଣି ଆସୁଚି । ପମ୍ପ୍‍ର ପାଣିରେ ଗାଧେଇ ପଡ଼ିବ ଯେ ତମର ରେଳରେ ଆସିଥିବା ଥକ୍‌କାପଣ ଉଭେଇ ଯିବ,’’ କହି କହି ସୁଶୀଳା ଗୋଟିଏ ହାତରେ ରବିର ସୁଟ୍‌କେଶ୍‌ଟା ଧରି, ଆର ହାତରେ ରବିକି ଧରି ଟାଣି ଟାଣି ତା ଆଗେ ଆଗେ ଚାଲିଲା । ତା ସାଙ୍ଗରେ ଘରର ବାରିପଟଆଡ଼କୁ ଯିବା ଆଗରୁ ରବି କବାଟ ପାଖରେ ଠିଆହେଇ ଭିତରେ ଶୋଇଥିବା ମାଆ’ଆଡ଼େ ଥରେ ଚାହିଁନେଲା ।

 

ବାରିଆଡ଼କୁ ଯିବା ବାଟରେ ରବିକି ଦେଖି ତା ବଡ଼ ଭାଇ ସୁନ୍ଦରମ୍‌ର ସ୍ତ୍ରୀ ରାଜମ୍ ଟିକିଏ ହସି ‘‘ଆସ ଆସ ଭାଇନା ! ଆଜି କେମିତି ବାଟ ଭୁଲି ଆସିଲ ମ ?’’ କହି ତାର ସ୍ୱାଗତ କଲା । ତାର ମୋଟା ପୂରା ଦେହଟି ଦେଖି ରବି ମନେ ମନେ ଭାବିଲା ଯେ ପିଲା ନ ହେବାରୁ ସେ ମୋଟୀ ହୋଇଯାଇଛି, ନା କୋଉ ରୋଗ ୟେ ? ସେ ହସି ହସି ଥଟ୍ଟାରେ ଥଟ୍ଟାରେ ପଚାରିଲା, ‘‘କଣ ଭାଉଜ ! ସୁସ୍ଥ ଅଛ ତ ?’’ ଭାଉଜ ହସି ଜବାବ ଦେଲା ‘‘ସ୍ୱାସ୍ଥ୍ୟ କଣ ଅଭାବ ଅଛି ଦେଖୁଚ ?’’

 

‘‘ମୁଁ ଡାକ୍ତର ହିସାବରେ ତମକୁ ଏ କଥା ପଚାରୁଚି । କଣ, ଯା କହିଲ ତା ଠିକ୍ ?’’

 

‘‘ଦିନେ ତମ ଭାଇନା ବି କହୁଥିଲେ ମାଡ୍ରାସ ଯାଇ ତମ ନର୍ସିଂ ହୋମ୍‌ରେ ମୋର ପରୀକ୍ଷା କରିନେବା ଉଚିତ ।’’

 

‘‘ହଁ ବେଶ୍ କଥା । ମୁଁ ମାଡ୍ରାସ ଫେରିଲାବେଳେ ତମେ ବି ମୋ ସାଙ୍ଗରେ ଚାଲ ନା....’’ ରବି ଏତିକି କହିଚି କି ନାହିଁ ବିଲରୁ ଫେରୁ ଫେରୁ ଇନ୍ଦିରା ଓ ପଙ୍କଜମ୍ ତାଙ୍କ ପିଲାଙ୍କ ସହିତ ସେଠାକୁ ଆସି ପହଞ୍ଚିଗଲେ । ‘‘ଆରେ ରବିନା’ ଯେ ? ପିଲୈ କହୁଥିଲେ ହଁ, ଯେ କିଏ ଗୋଟାଏ ଆସିଛି’’ କହି ପଙ୍କଜମ୍ ତା ବଡ଼ପୁଅକୁ ଟାଣି ଆଣି ରବି ପାଖେ ଠିଆକରାଇଲା ଆଉ ତାକୁ କହିଲା, ‘‘ଏ ତୋ ମାମୁଁ ।’’ ସେ ଡରେ ଆଉ ଲାଜରେ ମା ପଛରେ ଲୁଚି ଠିଆହୋଇ ରହିଲା ।

 

ଇନ୍ଦିରା ଥଟ୍ଟା କରି ରବିକି ପଚାରିଲା, ‘‘କଣ ନନା, ଭାଉଜଙ୍କୁ ଆଣିଲନି ଯେ ?’’ ଇନ୍ଦିରାର ଏ ପ୍ରଶ୍ନଟା ଶୁଣି ସୁଶୀଳା ଅବାକ୍ ହୋଇଗଲା ।

 

ନିଜ ଦାଢ଼ୀ ଆଉଁଷି ରବି କହିଲା, ‘‘ତାକୁ ଆଣିଥାନ୍ତି ଯେ; କିନ୍ତୁ ଯଦି ବାପା ତାକୁ ବାହାର କରି ଦେଇଥାନ୍ତେ.... ?’’ ରବି ହସିବାକୁ ଲାଗିଲା ।

 

ଭାଉଜ ଏକା ଝୁଙ୍କିରେ କହିଲା, ‘‘ବାହାର କରିଦେଲେ କଣ ଆମେମାନେ ଚୁପ୍ ହେଇଯିବୁ ନା କଣ ? ଆମେ ପଚାରୁଚୁ ସେ ତାଙ୍କର ବୋହୂ କି ନୁହେଁ ?’’

 

‘‘ମତେ ବାହାର କରିଦେଲେ ତମେ କିଛ କହିଲନି, ତା ଲାଗି ନିଶ୍ଚେ ଲଢ଼ିବ,’’ କହି ରବି ଭାଉଜଙ୍କୁ ଚୁପ୍ କରିଦେଲା ।

 

ସେତିକିବେଳେ ହାଣ୍ଡିଶାଳ ଘର କବାଟ ପାଖରେ ଗୋଟିଏ ଅପରିଚିତ ମୁହଁ ଦେଖିବାକୁ ମିଳିଲା । ତାକୁ ଚାହିଁ ରବି କହିଲା, ‘‘ଯୋଉ ବୋହୂଟି ଘରକୁ ଆସିନି ତା କଥା ଛାଡ଼, ଯେ ନୂଆ ଆସିଚି ତାକୁ ତ ଦେଖା କରାଅ ।’’ ରବିର କଥା ମୁହଁରେ ଅଛି, ଏତିକି ବେଳେ ମୁତ୍ତୁର ସ୍ତ୍ରୀ କଫି ନେଇ ସେଠିକି ଆସିଲା ।

 

ରାଜମ୍ ଚିହ୍ନେଇ କହିଲା, ‘‘ଏ ମୁତ୍ତୁର ସ୍ତ୍ରୀ ମୀନା ।’’ ହାଣ୍ଡିଶାଳ ଝରକା ପାଖରୁ କବାଟ ପାଖୁ ଆସି ଠିଆହେଲା ଜଣେ ଯୁବତୀ, ତାକୁ ଦେଖାଇ ସେ କହିଲା, ‘‘ସିଏ ସୋମୁର ସ୍ତ୍ରୀ ନଳିନୀ-।’’ ରବିକୁ ବି ଘରର ଲୋକମାନଙ୍କର ପରିଚୟ ଦେବାକୁ ପଡ଼ୁଚି, ବୋଧହୁଏ ଏତିକି ଭାବି ସେ ଦୀର୍ଘନିଶ୍ୱାସ ପକାଇଲା ।

 

ମୀନା ହାତରୁ କଫି ନେଲାବେଳେ ରବି ତାକୁ ଦେଖିନେଲା । ତାକୁ ଗର୍ଭବତୀ ବୋଲି ଜାଣିପାରି ସେ ପଚାରିଲା, ‘‘ସୀମନ୍ତୋନ୍ନୟନ ସଂସ୍କାର (୧) କେବେ ହବ ?’’ ରବିର ଏତିକି କଥା ଶୁଣିକରି ସେ ମୁହଁରେ ହାତ ରଖି ହସି ହସି ଫେରିଗଲା ।

 

‘‘କ’ଣ ? ଇଂରେଜଲୋକ କ’ଣ ପ୍ରତି ପିଲାର ଜନ୍ମ ଆଗରୁ ସୀମନ୍ତୋନ୍ନୟନ ସଂସ୍କାର କରନ୍ତି ନା କ’ଣ ? ୟେ ତ ତା’ର ଦ୍ୱିତୀୟ ପିଲା....କଣ୍ଣନ୍ କାହିଁ ?’’ କହି ପଙ୍କଜମ୍ ପଛକୁ ବୁଲି ଚାହିଁଲା । ଟିକିଏ ପରେ ମୀନା ତା’ର ଦେଢ଼ ବର୍ଷର ଛୁଆଟିର ପୋଷାକରୁ ଚାଉଳ ଡାଲି ଇତ୍ୟାଦି ସଫା କରି ତାକୁ ସେଠିକି ନେଇ ଆସିଲା ।

 

କଫି ପିଇସାରି ରବି ତାର ଜାମା ଖୋଲି ଖୁଣ୍ଟି ଉପରେ ଟାଙ୍ଗି ଦେଲା ଓ ଅଗଣାରେ ଗୋଟିଏ ମୋଡ଼ା ଉପରେ ବସିଗଲା । ଅନ୍ୟ ସମସ୍ତେ ତାକୁ ଘେରି ବସିପଡ଼ିଲେ ।

 

‘‘ନାନୀ ମ, ମୁତ୍ତୁ ଆଉ ସୋମୁ କୁଆଡ଼େ ଗଲେ ? ଜୋଇଁମାନେ କାହାନ୍ତି ?’’ ରବି ୟା ପଚାରୁଚି ଏତିକିବେଳେ ତା’ର ବିଧବା ଭଉଣୀ କାମାକ୍ଷୀ ବିଲରୁ ଘରକୁ ଫେରିଲା ।

 

‘‘ଆରେ, ରବି କିରେ ? ଆ ଭାଇ...ତୁ କ’ଣ ଆମମାନଙ୍କୁ ଭୁଲିଗଲୁ କିରେ ?’’ କହି ସେ ରବି ପାଖେ ଆସି ବସିପଡ଼ିଲା । ସେ ଅତି ଆଦରରେ ରବିକୁ ଭଲମନ୍ଦ ପଚାରିଲା । ଭଉଣୀକି ଏହି ବେଶରେ ଦେଖି ରବି ମନେ ମନେ ଖୁବ୍ ବ୍ୟଥିତ ହେଲା; କିନ୍ତୁ ସେ ନିଜର ମନକଥା ମନରେ ରଖିଲା ଏବଂ ହସି ହସି ତା’ କଥାର ଉତ୍ତର ଦେଲା ।

 

ଘଣ୍ଟେକାଳ ସେମାନେ ସମସ୍ତେ ନିଜ ନିଜର ଦୁଃଖ ଆଲୋଚନା କଲେ । ରବି ସମସ୍ତଙ୍କୁ ଯଥୋଚିତ ଜବାବ୍ ଦେଇଗଲା । ବେଶୀ ପାଠ ପଢ଼ିଛି ବୋଲି ଘରର ସମସ୍ତେ ତା’ ପ୍ରତି ଆଦର ଓ ସମ୍ମାନସୂଚକ ବ୍ୟବହାର କରନ୍ତି, ଏପରିକି ତାର ବଡ଼ଭାଇ ଓ ବାପା ମଧ୍ୟ ତା’ କଥାର ମୂଲ୍ୟ ଦିଅନ୍ତି-। ଏହିପରି ସମସ୍ତଙ୍କଠାରୁ ସମ୍ମାନ ପାଇଛି ଯେଉଁ ରବି, ସେଇ ବାପ-ମାଆଙ୍କ ଇଚ୍ଛା ବିରୁଦ୍ଧରେ ଘରୁ ବାହାରି ଜଣେ ଇଂରେଜ ମହିଳା ସଙ୍ଗେ ବାହା ହୋଇ ପଡ଼ିଲା । ସମସ୍ତଙ୍କର ଏ କଥାରେ ବହୁତ ଦୁଃଖ ଥିଲା । ଘରର ସ୍ତ୍ରୀଲୋକମାନଙ୍କ ଦୃଷ୍ଟିରେ ରବି ନିଜର ମନ ମୁତାବକ କେଉଁ ଯୁବତୀକି ବିଭା ହେବାରେ କିଛି ଅପରାଧ ନ ଥିଲା । ଭଗବାନ ଯାହାକୁ ଯାହା ସଙ୍ଗେ ବାନ୍ଧି ଦେଇଛନ୍ତି ସେଇ ତାକୁ ମିଳିବ ଏହି ସାଧାରଣ ବିଶ୍ୱାସ ହିଁ ଜାଣି ସେମାନଙ୍କୁ ସାନ୍ତ୍ୱନା ଦେଇଥିଲା ।

 

କାମାକ୍ଷୀ ରବିକୁ କହିଲା, ‘‘ମୁଁ ତ ବିଦେଶୀଙ୍କ କଥା କିଛି ବି ଜାଣିନାହିଁ । ମୁଁ ତତେ ଗୋଟେ କଥା ପଚାରୁଛି....ଦେଖ୍, ଅନ୍ୟ କିଛି ଭାବିବୁନି....ତୋ ସ୍ତ୍ରୀ, ସେଇ ବିଦେଶୀ ମହିଳା, ସେ କ’ଣ ଆମ ଦେଶର ସ୍ତ୍ରୀମାନଙ୍କ ପରି ସଞ୍ଜମ ରଖି ଚଳେ ? ସେ କ’ଣ ତୋ ଇଚ୍ଛା ଅନୁସାରେ ଚଳେ-?’’ ସେଠି ଯେତେ ଲୋକ ବସିଥିଲେ, ସମସ୍ତଙ୍କ ମନରେ ରବିର ସ୍ତ୍ରୀ ବିଷୟରେ ଠିକ୍ ଏହିପରି ସନ୍ଦେହ ଥିଲା; କିନ୍ତୁ କାମାକ୍ଷୀର କଥା ଶୁଣି ସେମାନେ ହସିଦେଲେ, ସତେ ଯେପରି ସେ କିଛି ବୋକାମୀ କରି ପଚାରିଦେଇଛି ।

 

* (୧) ପ୍ରଥମ ଗର୍ଭର ସପ୍ତମ ମାସରେ ଏହା ପାଳିତ ହୁଏ । ସାଇ ପଡ଼ିଶାର ସଧବା ନାରୀମାନେ ଏହି ଶୁଭକାର୍ଯ୍ୟରେ ଭାଗ ନିଅନ୍ତି ଓ ଶିଶୁର ମଙ୍ଗଳ କାମନା କରନ୍ତି ।

 

‘‘ତମେମାନେ ହସୁଚ କାହିଁକି ? ନାନୀ କିଛି ନାକରା କଥା ପଚାରିନି.... । ମୋ ସ୍ତ୍ରୀ କଥା କହିଲେ ମୁଁ ଏତିକି କହିବି ଯେ ତା ରଙ୍ଗ ଓ ଭାଷା ଆମ ଦେଶର ସ୍ତ୍ରୀମାନଙ୍କଠାରୁ ଅଲଗା ହେଲେ କ’ଣ ହବ; କିନ୍ତୁ ଗୁଣ ଦୃଷ୍ଟିରୁ ସେ ସାକ୍ଷାତ୍ ଭାରତୀୟ ନାରୀ । ବେଶୀ କ’ଣ କହିବି, ତା’ ଭିତରେ ଭାରତୀୟ ନାରୀଙ୍କ ପର କଥା-କଥାକେ କନ୍ଦାକଟା, ବକାବକି ବା ଦୋଷ ବାହାର କରିବାର ଅବିଗୁଣ ନାହିଁ । ନାନୀ....ତୁ ମୋ ସାଙ୍ଗରେ ଯାଇ ତାକୁ ଦେଖି ଆସୁନୁ....’’ ରବି ନିଃସଙ୍କୋଚରେ ନିଜ ସ୍ତ୍ରୀର ପ୍ରଶଂସା କଲା । ତା’ କଥା ଶୁଣି ସେଇ ଗାଉଁଲି ସ୍ତ୍ରୀଲୋକମାନେ କାବା ହୋଇଗଲେ ।

 

‘‘କିଛି ପିଲାଝିଲା.....’’ କାମାକ୍ଷୀ କଥାକୁ ଛଡ଼େଇ ନେଇ ରବି ଜବାବ୍ ଦେଲା, ‘‘ନାହିଁ’’ ।

 

କାରଣ ପଚରାହେବାରୁ ସେ କହିଲା, ‘‘ଏଇଲା ପିଲା ହବାକୁ ଏତେ ତରବର କାହିଁକି-।’’ ଏତିକି ଶୁଣି ସମସ୍ତେ ମନେ ମନେ ହସିଦେଲେ ।

 

ତାକୁ ଦେଖି ଖୁସିହୋଇ କାମାକ୍ଷୀ କହିଲା, ‘‘ମା କନିଅର ମଞ୍ଜି ବାଟି ନପିଏ କି ଆମେ ତତେ ଦେଖିବାର ଭାଗ୍ୟ ନହୁଏ । ତା’ ନହେଲେ ବାପା ତତେ ଘରକୁ ଆସିବାକୁ ଚିଠି ଦେଇଥିଲେ ନା ଆଉ ତୁ ଏଠିକି ଆସୁଥିଲୁ ?’’

 

‘‘କିନ୍ତୁ କଥା କ’ଣ ? ମା’ର କୋଉ କଥାକୁ ଦୁଃଖ ? ସେ ଏମିତି କାହିଁକି କଲା ?’’ ରବି ପଚାରିଲା ।

 

‘‘ତା’ର ଦୁଃଖର ଅଭାବ ଅଛି ?..... ତୋ ଯିବାର ଦୁଃଖ ଆଉ ମୋ ଦୁଃଖ, ଏତିକି କ’ଣ ତା’ ଲାଗି ଯଥେଷ୍ଟ ନୁହେଁ ? ତୁ ତ ମାଆର ସ୍ୱଭାବଟି ଭଲକରି ଜାଣିଚୁ । ସେ ମୂକ ପରି ସବୁକଥା ମନରେ ଚାପିରଖେ ଓ ଭିତରେ ଭିତରେ କୁହୁଳୁଥାଏ । ସେ ଭାବୁଥିଲା ଯେ ପାଞ୍ଚବର୍ଷ ପରେ ବାପାଙ୍କର ଷଷ୍ଠ୍ୟାବ୍ଦୀ ବେଳକୁ ତୋତେ ଭେଟିବ ଆଉ ସେତେବେଳକୁ ବାପାଙ୍କର ରାଗଟା ଟିକିଏ ଥଣ୍ଡା ହୋଇଯାଇଥିବ; କିନ୍ତୁ ତା ହବାର ନୁହେଁ । କିଛି ଗୋଟାଏ ଭୟଙ୍କର କାଣ୍ଡ କଲେ ବାପାଙ୍କ ମନ ବଦଳିଯିବ, ଏତିକି ଭାବି ସେ ଏ କାମ କରିଥିବ....ବାପାଙ୍କଠାରେ ମାଆର ମନ ବିରକ୍ତ ହୋଇଗଲାଣି....ଏବେ ବି ତାଙ୍କୁ ଦେଖିଲେଇ ମା ବେଶୀ ବକାବକି କରେ ଓ କାନ୍ଦେ । ବିଚରା ବାପା ! ସେ ଆଗେ ମିଛଟାରେ ବିବାଦ ଅବଶ୍ୟ କରୁଥିଲେ; କିନ୍ତୁ ପରେ ଯେତେବେଳେ ଜାଣିଲେ ଯେ ମାଆର ଜୀବନ ଉପରେ ଆଶଙ୍କା ରହିଛି, ସେହିଦିନଠାରୁ ସେ ସଦାବେଳେ ଅଗଣାରେଇ ବସିଥାନ୍ତି, ଘର ଭିତରକୁ ଯାଆନ୍ତିନି । ମାଆର ଘରକୁ ଯିବାକୁ ସେ ଘାବରେଇ ଯାଆନ୍ତି । ଯାହା ହଉ, ମାଆର ଏମିତି ଭୟଙ୍କର କିଛି କରିବାଟା ଉଚିତ ହେଲା ନାହିଁ । ଜାଣିଚୁ, ଲୋକେ କ’ଣ କହୁଚନ୍ତି ? ....କହୁଚନ୍ତି ଯେ ଏସବୁ ବୋହୂମାନଙ୍କର ନିଷ୍ଠୁର ବ୍ୟବହାରରୁ ହେଇଚି । ବିଚାରି ଆମର ବୋହୂମାନେ । ସେମାନେ ବାହାର ଲୋକଙ୍କୁ ପଛକେ କଡ଼ା କଡ଼ା ବ୍ୟବହାର ଦେଖେଇବେ; କିନ୍ତୁ ଶାଶୁ ଶ୍ୱଶୁରଙ୍କ ସାଙ୍ଗରେ ବଡ଼ ଭଲ ବ୍ୟବହାର କରନ୍ତି, ଲୋକେ କୁଆଡ଼ୁ ଜାଣିବେ ଏ କଥା ? ସତରେ ଠାକୁରଙ୍କ କୃପାରୁ ମା ଭଲ ହୋଇଗଲା ଆଉ ଆମେସବୁ କଳଙ୍କରୁ ରକ୍ଷା ପାଇଲେ ।’’ କାମାକ୍ଷୀର ଏଇ କଥା ଶୁଣି ରବି ଏଇଆ ଭାବି ଚିନ୍ତିତ ହେଲା । ‘‘ଏସବୁର କାରଣ କ’ଣ ମୁଇଁ ?’’

 

‘‘ହଉ ତମେ ଦିପହର ଆଗରୁ ଟିକିଏ ଗାଧେଇ ଆସିଲ’’ କହି ଭାଉଜ ତାକୁ ସେଠୁ ଉଠାଇଦେଲା । ସୁଶୀଳା ତା ପାଇଁ ଗାଧୋଇବାର ସାବୁନ ଓ ତଉଲିଆ ସଜାଡ଼ି ରଖିଥିଲା । ସେଗୁଡ଼ିକ ନେଇ ରବି ବାରିପଟକୁ ଗଲା । ଗତ ପାଞ୍ଚ ବର୍ଷରେ ଏଠି କେତେ କେତେ ପରିବର୍ତ୍ତନ ହୋଇଛି । ତା ଦେଖି ରବି କାବା ହେଲା । ବାରିଆଡ଼େ ଲାଗିଛି ଯେଉଁ ପଣସ ଗଛ, ସେଇଟି ତାକୁ ସବୁଠୁଁ ବେଶୀ ଆକର୍ଷଣ କଲା ।

 

ପାଞ୍ଚବର୍ଷ ଆଗରୁ ସେ ଗଛଟି ବେଶ୍ ଛୋଟିଆ ଥିଲା । ବର୍ତ୍ତମାନ ତା ମୂଳରେ ବେଶ୍ କିଛି ପଣସ ଫଳିଛି । ନାନା ଶାଖାପ୍ରଶାଖା ମେଲି ସେ ଗୋଟାଏ ବିଶାଳ ବୃକ୍ଷ ହୋଇ ସାରିଲାଣି । ଶାଖାମାନଙ୍କ ଅପେକ୍ଷା ତାର ତଳଭାଗରେ ବେଶୀ ପଣସ ଫଳିଥିଲା । ସେସବୁ ଉପରେ ହାତମାରି ରବି ଜାଣିପାରିଲା ଯେ ସେଗୁଡ଼ିକ ବେଶ୍ ପାଚିଗଲେଣି । ତେଣୁ ସେ ପଣସ ଖୋସାର ମିଠାପଣ କଳ୍ପନା କରିବାକୁ ଲାଗିଲା ।

 

ଗଲାବେଳେ ଗୋଟେ ପଣସ ଘେନିଯିବ । ତାକୁ ପାଚିଲା ପଣସ ଭାରି ଭଲ ଲାଗେ.... ଏହା ଭାବି ସ୍ତ୍ରୀ କଥା ମନେ ପକାଇଲା ରବି ।

 

ସମସ୍ତଙ୍କ ସାଙ୍ଗେ ଖାଇବସି ରବି ବୁଝିଲା ଯେ ତାର ଭାଇ ଓ ଭିଣୋଇମାନେ ତା ଉପରେ ରାଗ କରି ନାହାନ୍ତି । ବାପା ତା ସଙ୍ଗେ ବସି ଖାଇବାକୁ ବା ତା ସଙ୍ଗେ କଥାବାର୍ତ୍ତା କରିବାକୁ ମନା କରିଦେଲେ, ଯହିଁରୁ ରବି ବୁଝିଲା ଯେ ବାପାଙ୍କ ରାଗ ବର୍ତ୍ତମାନ ସୁଦ୍ଧା ଥଣ୍ଡା ପଡ଼ିନାହିଁ ।

 

ଦି’ପହରର ଭାତଖିଆ ପରେ ସମସ୍ତେ ଯାଇ ଭିତର ଖଞ୍ଜା ଅଗଣାରେ ବସିଲେ । ସେତେବେଳେ ଶିଙ୍ଗାରମ୍ ପିଲୈ ତାଙ୍କ ଜୋଇଁ ଦୁହିଙ୍କ ସାଙ୍ଗେ ବାରଣ୍ଡାରେ ବସିଥିଲେ ।

 

‘‘ଛୋଟଲୋକଟା ତତେ ବି ଏଠିକି ଡକାଇଛି ? ...ହେ ଭଗବାନ୍ ! ତମେ ସବୁ ମିଳିମିଶି ମତେ କାଟି କାଟି ମାରୁଚ କାହିଁକି ରେ ?’’ ଅଳମୁ କାନ୍ଦି କାନ୍ଦି କହିଲା । ତାର କାନ୍ଦଣା ଶୁଣି ଶିଙ୍ଗାରମ୍ ପିଲୈ ଓ ତାଙ୍କ ଜୋଇଁମାନେ ଚମକିପଡ଼ି ଉଠି ଠିଆହୋଇ ପଡ଼ିଲେ । ଶିଙ୍ଗାରମ୍ ପିଲୈ ଭିତରକୁ ଧାଇଁଲେ ।

 

ସମସ୍ତଙ୍କ ଧାରଣା ଥିଲା ଯେ ରବିକୁ ପୁଣି ଘରର ଜଣେ ହିସାବରେ ଦେଖିଲେ ଅଳମୁ ଆଚ୍ଚିର ମନ ବଦଳିଯିବ; କିନ୍ତୁ ତାର ଏ ପ୍ରକାର ପ୍ରତିକ୍ରିୟା ଦେଖି ସମସ୍ତେ ଡରିଗଲେ ଓ ଅବାକ୍ ହେଲେ । ରବିକି ଦେଖି ଅଳମୁ ଆଚ୍ଚି ମୁଣ୍ଡ ବାଡ଼େଇ ବାଡ଼େଇ କାନ୍ଦିବାକୁ ଲାଗିଲା ଓ ଅଥୟ ହୋଇ ବିଛଣା ଉପରେ ଗଡ଼ିବାକୁ ଲାଗିଲା । ବାହାରୁ ଧାଇଁଆସି ଶିଙ୍ଗାରମ୍ ପିଲୈ ତାର ଏଇ କାଣ୍ଡକାରଖାନା ଦେଖି ବଡ଼ ଚିନ୍ତିତ ହେଲେ । କଣ କରିବେ ବୁଝିପାରିଲେନି ।

 

‘‘ମା, ମୁଁ ଭାବିଥିଲି ଯେ ମୁଁ ଯୋଉଠି ଥାଏ ମତେ ତୋ ସ୍ନେହ ମିଳୁଥିବ । ....ମୋର ଏଇ ବିଶ୍ୱାସ ଜୋରରେଇ ମୁଁ ତୋଠୁଁ ଦୂରରେ ରହିପାରିଲି.....ସେତେବେଳେ ତୁ ଚୁପ୍ ରହିଲୁ.....ଆର ଏଇଲାଗେ ତୁ ଆତ୍ମହତ୍ୟାର ଝୁଙ୍କ୍ ନେଇଛୁ କାହିଁକି ? ମା, ମୁଁ ଆସିଛି ବୋଲି କଣ ତତେ ଖୁସି ଲାଗୁନି ? ତୁ କଣ ମୋ ମୁହଁ ଚାହିଁବୁନି ଠିକ୍ କରିଚୁ ?’’ ଅଳମୁର ବିଛଣା ଉପରେ ବସି, ତା ହାତ ଦୁଇଟି ଧରି ରବି କରୁଣ ସ୍ୱରରେ ପଚାରିଲା ।

 

ତାର ଏଇ କଥାଯାକ ଶୁଣି ଅଳମୁର ପ୍ରଳାପ ଓ କନ୍ଦାକଟା କିଛି କମିଲା । ସେ ପିଲାଙ୍କ ପରି କଇଁ କଇଁ ହୋଇ କାନ୍ଦିଲା.....ତାର ଆଖି ଦୁଇଟି ବାରମ୍ବାର ଲୁହରେ ପୂରି ଯାଇଥାଏ । ସେ ରବିକୁ ଚାହିଁ ଖୁବ୍ ନିମ୍ନ ସ୍ୱରରେ କାନ୍ଦିଲା ଓ କହିଲା, ‘‘ବାପା, ମୁଁ ତମମାନଙ୍କଠାରୁ ଦୁଃଖ ପାଇନି କି ମୋ ମନରେ ତମମାନଙ୍କ ଉପରେ ରାଗ ନାହିଁ । ମୁଁ ନିଜେ ପାପିନୀ ।’’ ଅଳମୁ ଆଚ୍ଚି ତା ହାତ ଧରି ଏଇ ପ୍ରକାର ପ୍ରଳାପ କରି ଲାଗିଲା ।

 

ତାର ପ୍ରଳାପ ଓ କ୍ରନ୍ଦନ ବନ୍ଦ ହେବାଯାକେ ରବି ତା ପାଖରେ ତୁନି ହୋଇ ବସି ରହିଲା-। ଶିଙ୍ଗାରମ୍ ପିଲୈ ଓ ଆଉମାନେ ସେଠି ଏତିକି ଭାବି ଠିଆହୋଇଥିଲେ ଯେ ରବି ଅଳମୁ ମନକୁ ବଦଳାଇ ଦେବ ଏବଂ ସାଙ୍ଗେ ସାଙ୍ଗେ ଗତ କିଛିଦିନ ଧରି ଏଇ ଘର ଉପରେ ପଡ଼ିଥିବା ଦୁର୍ଦ୍ଦଶା ଦୂର ହୋଇଯିବ ।

 

‘‘ମା ତୁ ପାଶୋରିଯା ଯେ ମୁଁ ତୋ ପୁଅ । ବର୍ତ୍ତମାନ ମୁଁ ଜଣେ ଡାକ୍ତର ଭାବରେ ତୋ ସଙ୍ଗେ କଥାବାର୍ତ୍ତା କରିବି । ହାତ ଦେଖି,’’ କହି ରବି ତା ନାଡ଼ୀ ପରୀକ୍ଷା କରିବାକୁ ଆରମ୍ଭ କଲା । ସେଇଠୁ ଅଳମୁ ‘‘ଥାଉ ରବି’’ କହି କାନ୍ଦି ପକେଇଲା । ରବି କଠୋର ଭାବରେ କହିଲା, ‘‘ବାଜେ କଥା ବନ୍ଦ କର’’ ଆଉ ଗମ୍ଭୀର ଭାବରେ ନାଡ଼ୀ ଦେଖି ଲାଗିଲା । ୟା ପରେ ସେ ପତା ଟେକି ଆଖି ଭିତରଟା ପରୀକ୍ଷା କଲା । ସେ କବାଟ ଆଉଜେଇ ଦେଇ ମାଆର କାନପାଖରେ କଣ ପଚାରିଲା ।

 

ସେ ଘର ଭିତରୁ ରାଗର ଗର୍ଜନ ଓ ରବିର ଶାନ୍ତ ବଚନ ଶୁଣାଗଲା ।

 

‘‘ରବି ! ମୋ ମାନ-ମହତ ରଖ.....ଏଇଲା ଭଗବାନ ତତେ ଏଠିକି ପଠେଇଚନ୍ତି..... ।’’

 

‘‘ମା, ତୁନି ହ ! ବାଜେ କଥା କହନା ଖାଲିଟାରେ.....ଏଥିରେ ଅପମାନର କିଛି କଥା ନାହିଁ.....ତୁ ଏତିକି ଛୋଟ କଥାଟା ଲାଗି ବାୟାଣୀଙ୍କ ପରି ଆତ୍ମହତ୍ୟା କରିବାକୁ ଯାଉଥିଲୁ । ତୁ ଜାଣିଚୁ, ବିଦେଶରେ ୟାକୁ ଖୁବ୍ ମହାନ୍ ଓ ଗୌରବମୟ ମଣନ୍ତି ? ତୋର ବହୁତ ପୁଣ୍ୟ ଅଛି....ହିଂସା ଯୋଗୁ କିଏ ତୋତେ ଉପହାସ କଲେ କରୁ.....ମା, ମାତୃତ୍ୱର ମହିମା ଅପାର ! ହଇଲୋ ମା ! ଏଇ ଟିକକ କଥା ଲାଗି ତୁ କଣ କରିବାକୁ ଯାଉଥିଲୁ ? ମା,....ମା,’’ କହି କରି ହସି ହସି ରବି ଯେତେବେଳେ ପଦାକୁ ଆସି ଅଗଣାରେ ହେଲା, ସେତେବେଳକୁ ଆଉମାନଙ୍କ ସାଙ୍ଗରେ ଠିଆ ହୋଇଥିବା ଶିଙ୍ଗାରମ୍ ବାରିଆଡ଼ ବିଲକୁ ଚାଲିଯାଇଥିଲେ ।

 

ରବିର ସନ୍ଦେହ ଥିଲା ଯେ ମା ବିଷୟରେ ସମସ୍ତେ ଜାଣନ୍ତି କି ନାହିଁ । ତେଣୁ ସେ ହାତ ଝାଡ଼ି ଝାଡ଼ି କହିଲା, ‘‘ଗୋଟିଏ ଶୁଭ ଖବର ଶୁଣ....ଆମର ଭାଇ କି ଭଉଣୀଟିଏ ହବାର ଅଛି... ।’’ ରବିର କଥା ଶୁଣି ସେଠି ଭୟଙ୍କର ନିସ୍ତବ୍‌ଧତା ଘେରିଗଲା । ଅଗଣାରେ ବସିଥିବା ଦୁଇ ଜୋଇଁ ଜୋରରେ ହସିଦେଲେ । ତାଙ୍କ ହସଟା ଅଳମୁ ଦେହରେ ଛୁଞ୍ଚି ଫୋଡ଼ିଲା ପରି ଲାଗିଲା । ଜଣେ ଜୋଇଁ କହିଲା, ‘‘ବାହାଘର ତ ଜମାରୁ ଦୁଇ ମାସ ହେଲା.....କିଛିଦିନ ପରେ ବଳୈକାପ୍‌ପୁ* ସଂସ୍କାର ବି ହବ....’’

 

‘‘ଏଥିରେ ଥଟ୍ଟା କରିବାର ବା ହସିବାର କିଛି କଥା ନାହିଁ....କେତେ ପରିବାରରେ ମାଆ ଝିଅ ଏକାଠି ପୁଆତୀ ହୁଅନ୍ତିନି କି ? ସୁଶୀଳା ଜନ୍ମ ହେବାପରେ ଏଇ ଷୋହଳ ବର୍ଷରେ ମା ଆଉ ପିଲା ଜନ୍ମ କରିନାହିଁ । ଏଇଥିରୁ ତମମାନଙ୍କୁ ଏ କଥାଟା ଆଶ୍ଚର୍ଯ୍ୟ ଲାଗୁଚି । ଯା ହବାର ତାକୁ କଣ ଆମେ ରୋକି ପାରିବା ? ଯେବେ ଆମର ଧାରଣା ଭୁଲ୍ ହୁଏ ତାହେଲେ ଆମର ଲଜ୍ଜିତ ହବା କଥା.....ମୋ ମା ଏ ବୟସରେ ବି ନିଜର ନାରୀତ୍ୱକୁ ସାର୍ଥକ କରି ପାରୁଛି, ସେ ମାତୃତ୍ୱର ଅବସ୍ଥାକୁ ଆସିଯାଇଛି ୟା ଭାବି ମୁଁ ମନେ ମନେ ଗର୍ବ ଅନୁଭବ କରୁଛି....’’ ରବି ଆନନ୍ଦାବେଗରେ କହିଚାଲିଥିଲା । ହଠାତ୍ ସେ ଭାଉଜକୁ ମୁହଁ ନେଫଡ଼ି ଭିତରକୁ ଯିବାର ଦେଖିଲା ।

 

‘‘ତାକୁ ତା ନିଜ ଚିନ୍ତା ଖାଉଚି...’’

 

‘‘ମୁଁ କହିଦଉଚି ମୋ ସାଙ୍ଗରେ ଲାଗିଲେ ଏଇ ବାଡ଼ି ଭାଙ୍ଗିଦେବି ପିଠିରେ’’, କହି ବାପା ବିଲରେ ଠିଆ ହୋଇଥିବା ସୋମୁ ଓ ତାଙ୍କ ନାତିନାତୁଣୀଙ୍କ ହାତବାଡ଼ି ଦେଖାଇ ଧମକଉଥିଲେ ।

 

* ବିବାହ ପରେ ପ୍ରଥମ ଗର୍ଭଧାରଣ କରିବାର ପଞ୍ଚମ ମାସରେ କରାହେଉଥିବା ସଂସ୍କାର; ଯହିଁରେ ଗର୍ଭବତୀ ସ୍ତ୍ରୀକୁ ଚୂଡ଼ି ପିନ୍ଧାଇ ଦିଆହୁଏ ।

 

‘‘ସୋମୁ ବାପାଙ୍କର ଗେହ୍ଲାପୁଅ । ସେ ତାଙ୍କ ସାଙ୍ଗେ ଟାପରା ବି କରେ । ଶେଷରେ ୟାର ଗୋଟାଏ.....’’

 

‘‘ଆରେ ସୋମୁ ସେଠି ବାପାଙ୍କ ପାଖେ କଣ କରୁଚୁ ?’’ ରବି ପାଟିକଲା । ‘‘କିଛି ନାହିଁ’’ କହି ସୋମୁ ବାପାଙ୍କ ପାଖରୁ ଟିକିଏ ଦୂରକୁ ଘୁଞ୍ଚି ଠିଆହେଲା ।

 

ଏହିପରି ଦି’ଦିନ କଟିଗଲା....

 

ଘରେ ହଠାତ୍ ଭୟାନକ ନିରବତା ଘେରି ରହିଥିଲା । କେହି କାହାରି ସଙ୍ଗେ ପାଟି ଫିଟୋଉ ନାହିଁ । ସେଇ ନିରବତା ଭିତରେ ବି ଘରର ପ୍ରତ୍ୟେକ ଲୋକ ଦୃଷ୍ଟିରେ ସହସ୍ର ବ୍ୟଙ୍ଗ ଓ ତର୍କ ପ୍ରତିଫଳିତ ହେଉଥାଏ । ରବି ଦେଖିଲା ମଝିଆଣୀ ଭଉଣୀଟି ମନେ ମନେ ହସୁଥିଲା । କାମାକ୍ଷୀ ଓ ସୁଶୀଳାଙ୍କ ଲଜ୍ଜାଟା ଅଳମୁ ଆଚ୍ଚିଠୁଁ ଅଧିକ ଥିଲା । ସତେ ଯେମିତି ତାଙ୍କର ଏଇ ଘଟଣା ସାଙ୍ଗରେ ସବୁଠୁଁ ବେଶୀ ସମ୍ପର୍କ ରହିଛି ।

 

‘ମୌନ.... ମୌନ..... ମୌନ ! ହାୟ, ନିରବତା କଣ ଏପରି ଭୟଙ୍କର ଭାଷା ?’

 

‘ସହର ଲୋକ ଆଉ ବନ୍ଧୁ ବାନ୍ଧବଙ୍କୁ ବୁଝେଇବା କେତେ ? ଏଠି ତ ନିଜ ପିଲାପିଲି ବି.....ଛିଃ ! ନୀଚତାର ସୀମା ପରିସୀମା ନାହିଁ । ମାଆକୁ ନେଇ କିଏ ଟାପରା କରିପାରେ ?’ ଇତ୍ୟାଦି କଥା ଭାବି ରବି ମନେ ମନେ କୁହୁଳୁଥିଲା ।

 

ଏଇସବୁ କଥାକୁ ଡରି ମା ଆତ୍ମହତ୍ୟାର ଚେଷ୍ଟା କରିଥିବ । ଏହା ଭାବିବା ମାତ୍ରକେ ରବିର ଆଖି ଛଳଛଳ ହୋଇଗଲା । ଘରେ ସମସ୍ତେ ଚୁପ୍‌ଚାପ ତାକୁ ଯେପରି କାଟି ଚାଲିଛନ୍ତି । ରବିର ଆଉ ଏସବୁ ସହ୍ୟ ହେଲାନି । ସେ ତା ବାପାଙ୍କ ପାଖେ ପହଞ୍ଚିଲା ।

 

‘‘ବାପା ମତେ କ୍ଷମା କରିବ । ......ମା’ର ଦୁଃଖ ମୁଁ ବୁଝିପାରୁଚି.....ଆମ ଦେଶ ପଛରେ ପଡ଼ିଚି.....ଏଠିକାର ଲୋକେ ଅଜ୍ଞାନ-ଅନ୍ଧକାର ଭିତରେ ପଡ଼ିଛନ୍ତି । ସେମାନେ ମାତୃତ୍ୱର ମହତ୍ତ୍ୱ ଜାଣିନାହାନ୍ତି....ମା’ର ଏଠି ରହିବା ବଡ଼ କଠିନ । ତାକୁ ମୋ ପାଖୁ ପଠାଇ ଦିଅନ୍ତୁ ।’’ ଯେଉଁ ପୁଅକୁ ସେ ଘରୁ ବାହାର କରି ଦେଇଥିଲେ ତାର ଏମିତି ପାଖକୁ ଆସି ଏ କଥା କହିବାରୁ ତାଙ୍କ ହୃଦୟ ସ୍ନେହରେ ତରିଳଗଲା; କିନ୍ତୁ ସେ ଅନ୍ୟ ଆଡ଼େ ମୁହଁ ବୁଲାଇ ରାଗ ଗରଗର ସ୍ୱରରେ କହିଲେ, ‘‘ସେ ତୋରି ମାଆ ତ....ତାକୁ ନେଇଯିବାକୁ ମୋର ଆଦେଶର ଦରକାର କଣ ? ସେ ଯିବାକୁ ମଙ୍ଗିଲେ ତୁ ତାକୁ ଘେନି ଯା ।’’

 

ରବି ଦିନଟା ସାରା ମା ପାଖେ ବସି ତାକୁ ବୁଝାଇ ଲାଗିଲା, ‘‘ମା...ସେ ଖୁବ୍ ଭଲ, ତୁ ସେଠି ଅଲଗା ରହିବାକୁ ମନକଲେ ରହିପାରୁ...ତାଙ୍କ ଦେଶରେ ଏ ଅବସ୍ଥାକୁ ସ୍ୱାଭାବିକ ଗଣାଯାଏ....ସେମାନେ ୟାକୁ ଗୌରବର କଥା ମଣନ୍ତି....ତୁ ଯେବେ ଥରେ ତା ସାଙ୍ଗରେ ରହିବୁ ତାହେଲେ ତାଠୁଁ ଦୂରେଇ ଯିବାକୁ ଇଚ୍ଛା କରିବୁନି.... ।’’

 

‘‘ଆରେ ବାପା, ସେ ତ ଆମର ଭାଷା ବି ଜାଣେନା । ତୁ ମତେ ନେଇ ତା ଆଗରେ ଅପମାନ କରାଇବୁ ଭାବିଚୁ ନା କଣ ?’’ କହି ଅଳମୁ ଆଚ୍ଚି କାନ୍ଦିଲା ।

 

‘‘ମା ଲୋ ! ଏଠି ତତେ ଅପମାନ କରୁଚନ୍ତି ଯୋଉମାନେ ସେମାନେ କୋଉ ଭାଷାରେ କଥା କହନ୍ତି କି ? ...ସମସ୍ତେ ଚୁପ୍‌ଚାପ୍ ଅଛନ୍ତି; କିନ୍ତୁ କାମ ଛାଁ କାମ ହୋଇ ଯାଉଚି । ନିରବ ରହିକରି କଣ ଆଦର ଓ ସମ୍ମାନର ଭାବ ଫୁଟାଇ ହୁଏନା ? କାହାରି ନିନ୍ଦା କରିବାକୁ ବା କାହାରି ପ୍ରତି ନିଜର ସ୍ନେହ ଦେଖାଇବାକୁ କଣ ଭାଷାର ଦରକାର ହୁଏ ?’’ ମା ରବି କଥାକୁ ବୁଝିପାରିଲା । ସେ ରବିକି ଚାହିଁ ତା ହାତଧରି କାନ୍ଦିବାକୁ ଲାଗିଲା ।

 

ଗଳିରେ ଗାଡ଼ି ଠିଆ ହୋଇଥିଲା ।

 

ଘରେ ସମସ୍ତଙ୍କଠାରୁ ବିଦାୟ ନେଇ ଘରୁ ବାହାରି ଅଳମୁ ଆଚ୍ଚି ଗାଡ଼ିରେ ବସିଲା । ତା ପଛେ ପଛେ ଆସି ରବି ସୁଟ୍‌କେଶ୍‌ଟି ଗାଡ଼ିରେ ରଖିଲା ଓ ନିଜେ ଯାଇ ରାଜମ୍ ଭାଉଜ ପାଖେ ଠିଆହେଲା ।

 

ସେତିକିବେଳେ ସଦ୍ୟ କଟା ଦୁଇଟି ପଣସକୁ ଟେକି ସୋମୁ ଧାଇଁ ଧାଇଁ ସେଠିକି ଆସି କହିଲା, ‘‘ନନା ତମେ ପଣସ ନବାକୁ କହୁଥିଲ ନା ? ଏଇଲା କେମିତି ନନେଇ ଯାଉଥିଲ ଭା’ରି ?’ ହଠାତ୍ ରବିର କଳ୍ପନାଚକ୍ଷୁରେ ପଣସ ଗଛଟିର ରୂପ ଭାସିଉଠିଲା, ତା ତଳ ଭାଗରେ ବହୁତ ପଣସ ଫଳିଛି ଓ ନାନା ଶାଖାପ୍ରଶାଖା ମେଲାଇ ବିଶାଳ ବୃକ୍ଷ ହୋଇଛି ।

 

‘‘ଭାଉଜ ! ତମେ ବାରିପଟର ସେଇ ପଣସ ଗଛଟାକୁ ଦେଖିଚନା ? ଫଳ ତା ଶାଖାରେ ନାହିଁ, ମୂଳରେ ଫଳିଛି ? ଏଥିପାଇଁ କଣ ତାର ଗଣ୍ଡି ଆଉ ଶାଖା ଭିତରେ କଳି ହେଉଛି-? ନା ! ମୂଳରେ ଯେଉଁଫଳ ଫଳିଛି ତାକୁ ଦେଖିକରି ବି କେହି ଏକଥା ଅସ୍ୱୀକାର କରିବନି ଯେ ଶାଖାମାନଙ୍କର ଆଧାର ହେଉଛି ଗଛର ମୂଳ ।’’ ଆଉ କିଛି ସେ କହିବାକୁ ଯାଉଥିଲା; କିନ୍ତୁ ତୁନି ହୋଇଗଲା । କିଛି ସମୟ ସେ ଠିଆହୋଇ ନିଜର ମୁଣ୍ଡ କୁଣ୍ଡାଇ ଲାଗିଲା । ପୁଣି କହିଲା, ‘‘ହଉ ତେବେ ତମେ ଜଲଦି ଭାଇନାଙ୍କ ସାଙ୍ଗରେ ମାଡ୍ରାସ ଆସିଯିବ । ଆରବର୍ଷ ମୁଁ ନିଜେ ଆସି ତମକୁ ଘେନିଯିବ । ହଁ ଭାଉଜ, ତମେ ଯା ଭାବୁଚ ଆଉ ଯେମିତି ମା ଭାବିଥିଲା–ମାତୃତ୍ୱ ପାଇବା ସେମିତି କିଛି ପାପ ନୁହେଁ’’ କହି ରବି ହସିଦେଲା ।

 

ସେତେବେଳେ ଶିଙ୍ଗାରମ୍ ପିଲୈ ବୁଝିପାରୁ ନ ଥିଲେ ସେ ଗାଡ଼ିରେ ବସିଥିବା ଅଳମୁ ଆଚ୍ଚିକୁ କଣ କହି ବିଦା କରିବେ । ସେ ଚୁପ୍‌ଚାପ୍ ସେଇଠି ଠିଆହୋଇ ରହିଲେ । ଅଳମୁ ଓ ଶିଙ୍ଗାରମ୍ ପିଲୈ ଜଣେ ଆଉ ଜଣକୁ ନିରବଭାବେ ଚାହିଁ ରହିଲେ ।

 

‘‘ମୁଁ ତାହେଲେ ଆସୁଚି ବାପା ? ମା କଥା ତମେ ବେଶୀ ଚିନ୍ତା କରିବନି । ମୁଁ ତାର ଦେଖାଶୁଣା କରିବି । ଆସେ ତାହେଲେ ?’’ କହି ହାତ ଯୋଡ଼ି ପ୍ରଣାମ କରି ରବି ଗାଡ଼ିରେ ଚଢ଼ିଲା-

 

ଶିଙ୍ଗାରମ୍ ପିଲୈ ତଥାପି ତାକୁ କିଛି କହିଲେନି । କହିବାକୁ ତାଙ୍କର ମୁହଁ ବି ନଥିଲା, କଥା ବି ନଥିଲା । ହୃଦୟର ଦୁଃଖ ତାଙ୍କ ଆଖିରେ ଝଲକି ଉଠୁଥିଲା । ରାସ୍ତାର ଶେଷରେ ଗାଡ଼ି ବୁଲିବାଯାକେ ଶିଙ୍ଗାରମ୍ ପିଲୈ ରବି ଓ ଅଳମୁ ଆଚ୍ଚିକୁ ଚାହିଁ ଗଳିରେ ଠିଆହୋଇ ରହିଲେ ।

Image

 

ଶବ୍ଦ ! ଶବ୍ଦ ! ଶବ୍ଦ !

 

ଚାରିଆଡ଼େ ପର୍ବତଘେରା ସେହି ଘାଟିରେ ଅନ୍ଧକାର ଘେରି ଆସୁଥିଲାବେଳେ, ‘ନିରବତା’ ବି ନିଜର ସାମ୍ରାଜ୍ୟଟି ବିସ୍ତାର କରୁଥିଲା । ଉଦକୈର ବସ୍, ଯହିଁରେ ‘ପାଓ୍ୱାର ହାଉସ୍‌’ର ବୋର୍ଡ଼ ଲଗାହୋଇଥିଲା ଏବଂ ଯେ କି କଦବା କେମିତି ଏଆଡ଼େ ଆସିଯାଉଥିଲା, ବୋଧହୁଏ ଯାଇ ସାରିଥିଲା । ଜଳାଶୟର ଉତ୍ତର ଦିଗରେ ଗୋଟିକିଆ ଦୋକାନଟିରେ ଲୋକଭିଡ଼ ନ ଥିଲା ।

ସମ୍ପତକୁ ତା ଘରୁ ହିଁ ବହୁତ ଦୂରର ଘୁମାବଦାର ପାହାଡ଼ର ନାସୀଟିର ସେପଟୁ ବୋହି ଆସୁଥିବା ଲଘୁ ନଦୀ ଓ ତା ସାମ୍‍ନାରେ କୂଳରେ ଥିବା ଦୀପ ପରି ଆଲୋକ ବିସ୍ତାର କରୁଥିବା ‘ପାଓ୍ୱାର ହାଉସ୍’ ଦେଖାଯାଏ । ପ୍ରତିଦିନ ତାକୁ ଦେଖିବାରେ ଅଭ୍ୟସ୍ତ ତା ଆଖିକି ବୁଲି ବୁଲି ‘ଡେୟଲରେସ୍’ରେ ଆସି ପଡ଼ୁଥିବା ଝରଣାଟି ବି ଦେଖାଯାଉଥାଏ ।

ସେହି ଦୃଶ୍ୟଗୁଡ଼ିକ ବର୍ତ୍ତମାନ ଆହୁରି ପାଖକୁ ଆସିଯାଉଛନ୍ତି । ଗରମ କୋଟର ପକେଟରେ ହାତ ପୂରାଇ, ପାଖର ‘ପାଓ୍ୱାର ହାଉସ୍’ ସାମନାର ଜଳାଶୟର କୂଳେ କୂଳେ ସମ୍ପତର ଗାଲ ଉପରେ ତାର ଥଣ୍ଡା ହାତଟି ଥୋଇ ଶୀତ ଯେପରି ତା ସଙ୍ଗେ ଖେଳୁଥାଏ । ସେ ଜାଗାଟି ଛଅ ହଜାର ଫୁଟରୁ କିଛି ବେଶୀ ଉଚ୍ଚ ହବ । ଝରଣା, ଜଳାଶୟ ତଥା ମନୁଷ୍ୟଙ୍କ ଗନ୍ଧରୁ ମୁକ୍ତ ବନପ୍ରାନ୍ତର ଭିତର ଦେଇ ଆସୁଥିବା ପବନ ସେଠାରେ ବହୁଥିଲା । ବର୍ଷା ଋତୁ ପରେ, ଶରତ ଋତୁର ଆରମ୍ଭରେ ଆଉ କିପରି ଅବସ୍ଥା ହୁଏ ? ଭୟଙ୍କର ଥଣ୍ଡା ପଡ଼ୁଥିବାରୁ ଶରୀର ଅବଶ ହୋଇ ପଡ଼ୁଥିଲା । ସ୍ଳୁଜଗେଟ୍‌ମାନଙ୍କର ପହରାଦାରଙ୍କ ଅଫିସ୍ ସାମନା ଦେଇ ଗଲାବେଳେ କିଛି ପରିଚିତ ଶବ୍ଦ ଶୁଣିବାକୁ ମିଳୁଛି । ସବୁଜ ଘାସର ସେହି ଏକପଦୀ ରାସ୍ତା ଦେଇ ସେ ‘ପାଓ୍ୱାର ହାଉସ୍’ ପହଞ୍ଚିଯାଏ । ଜଙ୍ଗଲର କୋଣିକିଆ ରହିଥିବା ସେହି ବିଜୁଳିଘରରେ ହଜାର ହଜାର କିଲୋଓ୍ୱାଟ୍ ଶକ୍ତିଶାଳୀ ବିଜୁଳିର ତରଙ୍ଗଙ୍କୁ ସେ ରୂପ ଦେଇଯାଉଥିଲା, ଯେପରି ସେ ବିପଦଶୂନ୍ୟ ହୁଏ ଓ ଲୋକଙ୍କର ଦୈନନ୍ଦିନ ଜୀବନରେ କାମରେ ଆସେ । ଯନ୍ତ୍ରମାନଙ୍କର ଚାଲିବାରୁ ଜାତ ରୀ...ମ...ରୀ...ମ୍ ଶବ୍ଦ ଶୁଣି ତାକୁ ଲାଗେ, ଜାଣି କୋଟି କୋଟି ଭ୍ରମର ଏକାବେଳେ ଗୁଞ୍ଜନ କରୁଥାନ୍ତି ।

ଆଲେକ୍‌ଜାଣ୍ଡର ଓ ଶ୍ରବଣନ୍ ବୋଧହୁଏ ରାତି ଡ୍ୟୁଟି କରିବାକୁ ଆସିଗଲେଣି । ଅରୁଣାଚଳମ୍ ଦରଜା ପାଖରେ ଆଖି ଘୂରାଇ ଘୂରାଇ ଠିଆ ହୋଇଛନ୍ତି ।

‘‘କ’ଣ ଭାଇ, ବସ୍ ଚାଲିଗଲା କି ?’’

‘‘କାହିଁକି ଆପଣ ଜାଣିନାହାନ୍ତି କି ? ବୋଧେ ଦୋକାନରେ ଲୋକ ନ ଦେଖି ବସ୍‌ଟା ଚାଲିଗଲା ।’’

ଭିତରେ ଗୋଡ଼ ରଖିବା ଆଗରୁହିଁ ଶବ୍ଦ ଶୁଣାଯାଏ ଓ ତାର ଶକ୍ତି ବି ଭଲକରି ଜଣାପଡ଼ିଯାଏ ।

ସେହି ବିଶାଳ ଓ ଚକ୍‌ଚକିଆ ଘରଟିକି ଦେଖି ସଂପତ ଭାବେ ଯେ ସେ ଘରଟି ଗୋଟିଏ ପବିତ୍ର ମନ୍ଦିର, ଯହିଁରେ କି ପ୍ରକୃତି ଦେବୀ ଅତି ପ୍ରସନ୍ନା ହୋଇ ମାନବଶିଶୁଙ୍କୁ କରୁଣା ବୋଲି ଗୁଣଟି ପ୍ରଦାନ କରୁଛନ୍ତି । ମନରେ ଏତିକି ଚିନ୍ତା ଆସିଲା ମାତ୍ରକେ ତା ଦିହ ରୋମାଞ୍ଚିତ ହୁଏ । ମୋଟ୍ ପାଞ୍ଚଟି ଭିତରୁ ଚାରିଟି ଚକ ଚାଲୁଥିଲେ । ସେଗୁଡ଼ିକର ଚାଲିବାର ଭୟଙ୍କର ଶବ୍ଦ କାନ ତାବଜା କରୁଥିଲା ।

 

ଯେବେ ସକାଳେ ଡ୍ୟୁଟି ପଡ଼େ, ତା ହେଲେ ସକାଳର ଗଣ୍ଡଗୋଳ ଭିତରେ କେତେ ରକମର ଶବ୍ଦ ଶୁଣାଯାଏ ଏବଂ ବିଜୁଳିଘରର ଭିତରର ଶବ୍ଦ ଭଲକରି ଶୁଣିବାର ଅବକାଶ ମିଳେନା-। ପାଖ ସ୍କୁଲରେ ହାତୁଡ଼ି ପିଟିବାର ଶବ୍ଦ ଆଉ ଲୋକବାକଙ୍କର ଗଣ୍ଡଗୋଳର ଶବ୍ଦ ଶୁଣାଯାଏ-। ବର୍ତ୍ତମାନ ଏସବୁ ବିଭିନ୍ନ ଶବ୍ଦକୁ ଭଲକରି ଶୁଣି, ତାଙ୍କୁ ସବୁ ଅଲଗା ଅଲଗା ଶ୍ରେଣୀରେ ବିଭାଜନ କରି ରସଗ୍ରହଣ କରିବାକୁ ଇଚ୍ଛା ହେଉ ନଥିଲା ।

 

ମଝିରେ ମଝିରେ ଯନ୍ତ୍ରମାନଙ୍କର ଅବସ୍ଥା ଦେଖାଇବାକୁ ସ୍ଥାନେ ସ୍ଥାନେ ନାଲି ବତିମାନ ଲଗାହୋଇଥିଲା । ସେଗୁଡ଼ିକ ଜଳି ବିପଦର ସଙ୍କେତ ଦିଅନ୍ତି । ସବୁ ଠିକ୍ ଥିଲା । ବିଲ୍‌କୁଲ୍ ‘ଓ.କେ.’ ।

 

ଆଲେକ୍‌ଜାଣ୍ଡର ମେସିନ ତେଲର ଟିଣ ଓ ତୂଳା ନେଇ ଯାଉଥିଲା । ସଂପତ ଅରୁଣାଚଳମ୍‌କୁ ସେଦିନର ଡ୍ୟୁଟିରୁ ମୁକ୍ତିଦେବ ଓ ତାଙ୍କୁ ବିଦାୟ ଦେବାକୁ ଦୁଆରଯାକେ ଯିବ ।

 

‘‘କଣ ଭାଇ ଥଣ୍ଡା ଖୁବ୍ ପଡ଼ିଚି ନା ? ବୋଧେ କାକର ପଡ଼ୁଚି କି କଣ !’’

 

‘‘ହଁ, ଏଠି ୟା ଚାହିଁ ବେଶୀ ଥଣ୍ଡା ପଡ଼ିବ କି ?’’

 

‘‘ହଁ, କାଲକାଲୁଆ ଶୀତ ପଡ଼ିବ । ଆଚ୍ଛା ଭାଇ, ଆଜି ବସ୍ ଆସିଲାନି ? ମୁଁ ପାଞ୍ଚଟା ବେଳୁ ଚାହିଁବସିଚି ।’’

 

‘‘କେଜାଣି ।’’

 

ଅରୁଣାଚଳମ୍ ସିନେମା ଦେଖିବାକୁ ପାଗଳ । ଶେଷ ବସ୍‌ଟାରେ ଉଦକୈ ଯାଇ ‘ନାଇଟ୍ ଶୋ’ ଦେଖି ସକାଳୁ ଫେରିବା–ତାଙ୍କ ମନ ବହଲେଇବାର ଏଇଟି ଅତି ପ୍ରିୟ ଉପାୟ ଥିଲା । ବାହାସାହା ହୋଇଛନ୍ତି । ସ୍ତ୍ରୀ ଯାଇଛି ଗାଁକୁ । ହଠାତ୍ ଗୋଟିଏ ଛୋଟ ମୂର୍ତ୍ତି ବିଜୁଳି ଘର ସାମ୍‍ନାରେ ଯାଉଥିବାର ଦେଖାଗଲା । ସେ କିଏସେ.... ?

 

ସେ ଖାକୀ ରଙ୍ଗର ପୋଷାକ ଓ ଏନ୍.ସି.ସି. କ୍ୟାଡେଟ୍‌ଙ୍କ ପରି ଫନ୍ଦବିହୀନ ଟୋପିଟିଏ ପିନ୍ଧିଥିଲା । ସେ ବୁଢ଼ା ହୋଇଗଲାଣି । ତାର ଆଖିପତା ଓ ଗାଲ ଝୁଲି ପଡ଼ିଛି ।

 

ସେ ମୋଟା ଗଳାରେ କହିଲା, ‘‘ଗୁଡ଼୍ ଇଭିନିଂ ସାର୍....’’

 

‘‘ଆରେ ନାୟୁଡୁ ଏଠିକି କୁଆଡ଼ୁ ?’’

 

‘‘ଏମିତି ଚାଲିଆସିଲି ସାର୍ ! ଏ ସାହାବ ଏଠି ନୂଆ ନା ?’’

 

‘‘ନୂଆ ଆଉ କ’ଣ । ଆଜିକି ମାସେ ଖଣ୍ଡେ ହେଲାଣି ତାଙ୍କ ଆସିବାର । ତୁ କୋଉଠି ଲୁଚିଥିଲୁ କି ?’’

 

‘‘ବେମାର ପଡ଼ିଥିଲି ସାର୍ ! କାଲି ଜାଣି ବିଛଣାରୁ ଉଠିଚି । ମୁଁ କଣ ଡ୍ୟୁଟି ଛାଡ଼ି କୋଉଠିକି ଯାଇପାରେ ?’’

 

‘‘ଠିକ୍ ଅଛି, ଠିକ୍ ଅଛି । ଆଚ୍ଛା ଭାଇ, ବସ୍‌ଟା ଆସି ବାହାରି ଗଲାଣି କି ?’’

 

‘‘ବସ୍ ‘ଗୌଡ଼ର୍ ଶୋଲା’ ପାଖରେ ପହଞ୍ଚି ଖରାପ ହୋଇଗଲା । ସେଇଥିପାଇଁ ତ ରାମୈୟନ୍ ଲରୀରେ ବସି ଆସିଚି ।’’

 

‘‘ଯାବେ ଗଧ କୋଉଠିକାର !’’ କହି ଅରୁଣାଚଳମ୍ ନିଜର ବିରକ୍ତି ପ୍ରକାଶ କଲେ ।

 

ନାୟୁଡ଼ୁ ସଂପତକୁ ଦେଖି ପଚାରିଲା, ‘‘ହଜୁରଙ୍କର....’’

 

‘‘ନାହିଁ, ନାହିଁ ସେ ଏକୁଟିଆ । ନୂଆ ଆସିଚନ୍ତି । ଟିକେ ଦେଖାଶୁଣା କରିବୁ...’’ କହି ଅରୁଣାଚଳମ୍ ସଂପତ ଗାଲରେ ଆସ୍ତେ କରି ଚଟକଣିଟାଏ ଦେଲେ ।

 

‘‘ତା ଆଉ କହିବାକୁ ଅଛି ସାର୍ ! ଏଇ ଭୟଙ୍କର ଥଣ୍ଡାରେ, ଏହି ଜଙ୍ଗଲରେ ଆପଣମାନେଇ ତ ମୋର ଆପଣାର ଲୋକ । ସାର୍, ଆପଣ ମାଡ୍ରାସର ନା ?’’

 

ସମ୍ପତ ମୁଣ୍ଡ ହଲାଇଲା ଓ କହିଲା, ‘‘ମତେ ଜଣାନାହିଁ ଏ କିଏ ସେ ?

 

‘‘ନାୟୁଡ଼ୁ ତୋ ଠିକଣାଟା କହିଦେ’ନା । ହଉ ମୁଁ ଯାଉଚି ତାହେଲେ । ବୋଧେ ବସ୍ ଆସିବା ପରି ଲାଗୁଚି ! ‘‘ଓ.କେ., ‘ବାଇ’, ‘ଗୁଡ୍‌ନାଇଟ,’’ କହି ସେମାନଙ୍କଠାରୁ ବିଦାୟ ନେଇ, ଉଲ୍‌ର କୋଟ୍‌ଟାକୁ ଭଲକରି ବାନ୍ଧି ଅରୁଣାଚଳମ୍ ଜଲଦି ଜଲଦି ସେଠୁ ଚାଲିଗଲେ ।

 

‘‘ସାହେବ...ହପ୍ତାକୁ ତିନିଟା ସିନେମା ଦେଖନ୍ତି....’’ କହି ନାୟୁଡ଼ୁ ହସିପକାଏ । ‘‘ସାର୍, ଆପଣ ଚାରିବର୍ଷ ଆଗରୁ ଆସିଥାନ୍ତେ କି ଏଠିକି ! ସେତେବେଳେ ଏଠି ଖୁବ୍ ମଜା ହଉଥିଲା । ପଇସା ତ ପାଣିପରି ଖର୍ଚ୍ଚ ହଉଥିଲା । ଏଠି ବନ୍ଧ ତିଆରି ହେଲା, ‘ପାଓ୍ୱାରହାଉସ୍’ବି ତିଆରି ହେଲା-। ଆମେ ସବୁ ସ୍ୱସ୍ତିରେ ନିଶ୍ୱାସ ମାରିଲୁ....ସାର୍ ଏଠା ଆଗରୁ ଆପଣ....’’

 

‘‘ଗତ ମେ ବେଳକୁ ଯାଇ ମୋର ପାଠପଢ଼ା ସରିଲା । ମୁଁ ପ୍ରଥମ ଏଇଠି....’’

 

‘‘ଆଚ୍ଛା । ହଁ, ତେବେ ସହରର ଗଣ୍ଡଗୋଳରୁ ଆସି ଏଠି ବେଳ କାଟିବାକୁ ଆପଣଙ୍କୁ କଷ୍ଟ ହଉଥିବ ? ମୁଁ ଏଠି ତିରିଶ ବର୍ଷ ହେଲା ରହିଛି । ‘ଫରେଷ୍ଟସର୍ଭିସ୍‌’ରୁ ପେନ୍‌ସନ୍ ପାଉଛି । ହେଇ ଦେଖନ୍ତୁ, ବନ୍ଧ ଉପରୁ ଲତା ଆଢ଼ୁଆଳରେ ମୋ ଘର ଦିଶୁଚି । ସମସ୍ତେ ମତେ ନାୟୁଡ଼ୁ ନାଁରେ ଜାଣନ୍ତି । ମୋ ଝିଅ ଏଇଠିକାର ଗୋଟିଏ ହସ୍‌ପିଟାଲରେ ଚାକିରି କରେ । ସାର୍, ଆପଣ ମୋ ଘରକୁ ଆସନ୍ତୁ । ଆପଣଙ୍କ ପରି ସାଙ୍ଗ ମୋର ଜୀବନଠୁ ବେଶୀ ଭଲ ଲାଗେ । ଲୋକେ ମୋ ଘରକୁ ଆସନ୍ତୁ । ଆପଣଙ୍କ ପରି ସାଙ୍ଗ ମୋର ଜୀବନଠୁ ବେଶୀ ଭଲ ଲାଗେ । ଲୋକେ ମୋ ଘରକୁ ତାଆସ ଖେଳିବାକୁ ଆସନ୍ତି ।’’

 

‘‘ହଉ....’’

 

‘‘ଆରେ ହଁ, ଆଉ ଗୋଟିଏ କଥା...ମୋ ଝିଅ ପାଖରେ କେତେ ବହି ଅଛି । ସେ ତ ସେଗୁଡ଼ା ପଛରେ ପାଗଳ । ସାର୍, ଆପଣ ଖାଇବା.... ?’’

 

‘‘ମୁଁ ନିରାମିଷ ଖାଏ । ବଖତେ ମେସ୍‌ରେ ଖାଏ, ଆଉ ବଖତେ ନିଜେ ରାନ୍ଧିକରି ଖାଏ-।’’

 

‘‘ଆପଣ ଗୋଟିଏ ଚାକର ରଖିଲେ ଭଲ ହବ । ଏଠି କାମ କରି, ଘରକୁ ଯାଇ ରନ୍ଧାବଢ଼ା କରିବା ହରକତ ନୁହେଁ କି ? ଆଚ୍ଛା ସାର୍ ! ମୁଁ ଯାଉଛି । କାଲି ଦେଖାହବ..... ‘ଗୁଡ୍‌ନାଇଟ୍’...’’

 

ରାସ୍ତା ଉପରେ ଗାଡ଼ି ଆସୁଥିବାର ଦେଖିକରି ବୋଧହୁଏ ସେ ଏତେ ଜଲଦି ଚାଲିଗଲା-। ରାତିରେ ପରିଦର୍ଶନ ସକାଶେ ଅଫିସର ଆସିବେ । ସେ ଦିନକୁ ଥରୁଟିଏ, ଯେକୌଣସି ସମୟରେ ଘେରେ ବୁଲିଯିବେ । କୋଉଦିନ ଛଅଟାବେଳେ ଆସିଯିବେ ତ କୋଉ ଦିନ ନଅଟା ପରେ ଆସିବେ ।

 

କାର୍ଯ୍ୟାଳୟର ସୀମା ଭିତରକୁ ପଶିବାମାତ୍ରକେ ସେ ସମ୍ପତକୁ ପଚାରିଲେ, ‘‘କଣ ବୟ ! ନାୟୁଡ଼ୁ ସାଙ୍ଗେ ଦୋସ୍ତି କରିନେଲୁ ?’’

 

ସମ୍ପତ ତା ବନ୍ଧୁତା ଛାଡ଼ିଲାନି; କିନ୍ତୁ ସେ ଜାଣିପାରିଲାନି, ତା ସଙ୍ଗେ ବନ୍ଧୁତା କରିବାଟା ଠିକ୍ କି ନୁହେଁ । ସେ ଆସ୍ତେ କହିଲା, ‘‘ଆଜ୍ଞା ମୁଁ ତାକୁ ଏଇଲାଗେ ଦେଖିଲି ।’’

 

‘‘ତା ସାଙ୍ଗେ ଭେଟ ହେଇଚି ତ ? ....ଛାଡ଼ ସେକଥା....ତୁ ଭଲ ପିଲା, ଏତିକି ମୁଁ କହିବାକୁ ଚାହୁଁଥିଲି । ‘ଓ.କେ’, ‘ଗୁଡ୍‌ନାଇଟ’....’’ କହି ସେ ତାଙ୍କ ଗାଡ଼ିରେ ବସିଲେ ।

 

ତାଙ୍କ ସାଙ୍ଗ ଶର୍ମା ବଡ଼ ଅନୁଭବୀ ମଣିଷ । ସେ ପ୍ରାୟ ପ୍ରତିଦିନ ବିଳମ୍ବରେ ଆସି ଅଫିସରେ ପହଞ୍ଚନ୍ତି । ଘରେ ତାଙ୍କ ସ୍ତ୍ରୀ ଚିରରୁଗ୍‌ଣା । ବିବାହଯୋଗ୍ୟା ଯୋଡ଼ିଏ ଝିଅ । ଲୋକେ କହନ୍ତି ଆଉ ଦୁଇଟି ପୁଅ ଗାଁରେ ରହି ପଢ଼ାପଢ଼ି କରୁଛନ୍ତି ।

 

‘‘ବସ୍ ଆସି ଚାଲିଗଲା ପରି ଲାଗୁଚି ।’’ ଆସ୍ତେ ଏତକ କହି ଶର୍ମା ଭିତରକୁ ଆସନ୍ତି ।

 

ତାଙ୍କୁ କଥା ଜମେଇବା ଭଲ ଲାଗେନା । ସିଗ୍ରେଟ୍‌ଖିଆ ଟୋକାଟାକଳିଆ, ବୁଢ଼ା, ଅଫିସର, ସମସ୍ତଙ୍କୁ ସେ ଘୃଣା କରନ୍ତି । ଅରୁଣାଚଳମ୍‌କୁ ଦେଖିକରି ବି ସେ ମୁହଁ ମୋଡ଼ନ୍ତି । ‘ବ୍ରିଟ୍ଟୋ’ ଠାରୁ ବି ସେ ଆଡ଼ ହୋଇ ବୁଲନ୍ତି । ତାଙ୍କ ମନରେ ସମ୍ପତ ପ୍ରତି ବିଶେଷ ସ୍ନେହ ଥିଲା ।

 

‘‘କଣ ଭାଇ, ସବୁ ‘ଓ. କେ.’ ତ ? କୋଉଠି ଲୋଡ୍ ବେଶୀ ହେଲାପରି ଲାଗୁଚି ।’’

 

ଏ ଲୋକଟି ଗତ ଅଠର ବର୍ଷ ଧରି ଏଇ ଶବ୍ଦ ଭିତରେ ଡୁବି ରହିଚି । ପ୍ରକୃତରେ ମେସିନର ଗର୍ଜନ ବେଶୀ ତୀବ୍ର ହୋଇଯାଇଚି ।

 

ସାଙ୍ଗେ ସାଙ୍ଗେ ସେ ରିସିଭର ଉଠାଇ ନମ୍ବର ଡାଏଲ୍ କରି ଫୋନ ଯୋଗେ ନବେ ମାଇଲ ଦୂରରେ ଗୋଟିଏ ଔଦ୍ୟୋଗିକ ନଗରର ସୀମାରେ ଥିବା, ସେହି ନଗରକୁ ବିଜୁଳି ଯୋଗାଉଥିବା ବିଜୁଳିଘରବାଲାଙ୍କ ସଙ୍ଗେ କଥା ହୁଅନ୍ତି ।

 

‘‘ହଲୋ...ହଲୋ....ପାଓ୍ୱାର ହାଉସ୍ ବନ୍ କଲିଂ....ଶିଙ୍ଗମପଟ୍ଟ ସବ୍‌ଷ୍ଟେସନ ?’’ ତାଙ୍କର ସେହି ଗୁରୁଗମ୍ଭୀର ଶବ୍ଦରେ ସେଠାକାର ବାକି ସବୁ ଶବ୍ଦ ଯେପରି ଦବି ଦବି ଯାଆନ୍ତି ।

କୌଣସିଠେଇଁ ବିଜୁଳିର ଲୋଡ୍ ବେଶୀ ହୋଇଥିବାରୁ ସେଠି ଏତେ ବଡ଼ ଶବ୍ଦ ଶୁଣାଯାଉଥିଲା ।

କୋଡ଼ିଏଟି ଦିନ ଭିତରେ ଏସବୁ ଧ୍ୱନିର ତୀବ୍ରତା, କମ୍ପନ ଓ ତେଢ଼ା ଗର୍ଜନରୁ ବିଜୁଳିର ସେହି ଯନ୍ତ୍ରମାନଙ୍କର ସୂକ୍ଷ୍ମ ପରିବର୍ତ୍ତନମାନ ଜାଣିନେବା କେତେ ଆନନ୍ଦ ଦାୟକ ! ଏଥିରେ ତ ସେତିକି ଆନନ୍ଦ ଅଛି ଯାହାକି ଗୋଟିଏ ନୂଆ ଗୀତ ଶିଖିବାରୁ ମିଳେ । କେଉଁ ନୂଆ ଗୀତ ଶିଖି ଗାଇଲାବେଳେ ହୃଦୟରେ ଯେପରି ମଧୁର ମଧୁର କମ୍ପନ ଉତ୍ପନ୍ନ ହୁଏ, ସେହି କମ୍ପନ ଉତ୍ପନ୍ନ କରିବାର ଶକ୍ତି ଏଥିରେ ବି ରହିଛି ।

ନିରନ୍ତର ଘୂରୁଥିବା ଚକଗୁଡ଼ିକର ବିଭିନ୍ନ ଅଙ୍ଗ ଦେଖାଶୁଣା ମାଆ ନିଜର ବଡ଼ ହେଉଥିବା ପିଲାକୁ କଲାପରି ଶର୍ମାବାବୁ କରନ୍ତି । ବେଳେବେଳେ, କିଛି ସମୟ ମିଳିଲେ, ସେ କାଗଜ ଉପରେ ‘‘ଶ୍ରୀରାମ ଜୟମ୍’’ ଲେଖିଚାଲନ୍ତି । ଆଲେକ୍‌ଜାଣ୍ଡର, ରାମନକୁଟ୍ଟୀ ଓ ଶ୍ରବଣମ୍ ବାହାରେ ଠିଆହୋଇ ସିଗାରେଟ୍ ପିଉଥାନ୍ତି ।

ସଂପତ ସେଠାକାର ଶବ୍ଦ ଭିତରେ ଡୁବିରହିଥିଲା ପୂରାପୂରି । ଏଠି ଯନ୍ତ୍ରଗୁଡ଼ିକର ଭୟଙ୍କର ଗର୍ଜନ ସାଙ୍ଗକୁ କଣ୍ଟାଦ୍ୱାରା ପରସ୍ପର ସଙ୍ଗେ ଲାଗିଥିବା ଦନ୍ତୁରିତ ଚକମାନଙ୍କ ଭିତରେ ପାଣିର ପ୍ରବାହରୁ ଜାତ ଧ୍ୱନି ମଧ୍ୟ ଶୁଣିବାକୁ ମିଳେ । ଏଠି ପାଣିର ଅସୀମ ପ୍ରବାହ ସ୍ଥାନରେ ଶବ୍ଦର ପ୍ରବାହ ଥିଲା । ସେହି ଧ୍ୱନିର ପୃଷ୍ଠଭୂମିରେ ‘କ୍ୟଙ୍ଗ-କ୍ୟଙ୍ଗ’ ଶବ୍ଦ କରି କରି ଚକମାନ ଚାଲୁଥାନ୍ତି । ଏହି ଧ୍ୱନିରେ ପ୍ରଥମଟି ମୂଳ ସ୍ୱର ହେଲା ବେଳକୁ ଆରଟି ତାର ସ୍ୱଜାତ ନାଦ । ଗୋଟିଏ ସଘନ ଜଳପ୍ରବାହ ହେଲାବେଳକୁ ଆରଟି ତହିଁରେ ନାଚୁଥିବା ହଂସତରୀ ହୁଏ । ଗୋଟିଏ ବିଶାଳ ବସନ୍ତ, ଆରଟି ପବନରେ ଦୋହଲୁଥିବା ଫୁଲପେନ୍ଥା । ତାର ଜୀବନର ଆଧାର ପରି ସେହି ସଜୀବ ମୂର୍ତ୍ତିଟି ଦୋହଲି ପାଖକୁ ଆସିବା ମାତ୍ରେ ତା ଜୀବନରେ ନାନା ବର୍ଣ୍ଣର ଫୁଲ ଫୁଟିଉଠୁଛି ।

‘‘ଆରେ.....ଏ ପୁଣି କିଏ ସେ ?’’

ଚାକିରି ନମିଳିବାରୁ ସେ ପନ୍ଦରଦିନକାଳ ଘରେ ପଡ଼ିରହିଲା । ସେତେବେଳେ ସନ୍ଧ୍ୟା ଚାରିଟାବେଳେ ପଡ଼ିଶାରେ ଥିବା ସଙ୍ଗୀତ ବିଦ୍ୟାଳୟରେ ବସିଥିବା ଜଣେ ଯୁବତୀର ମୁହଁ ଦେଖାଯାଉଥିଲା । ସେ ନିଠେଇ ଦେଖିଲା ୟେ ସେଇ ଝିଅ ନୁହେଁ ତ....ନା, ଏ ସେ ଝିଅ ନୁହେଁ । ୟା ଦେହରେ ଜୀବନ ନାହିଁ ।

ଏଇଟା ତ ଗୋଟାଏ ମନକୁ ବୁଝେଇବାର ଉପାୟ ନୁହେଁ ଆଉ ? ବିଶେଷେ ସେଇ ଲୋକ ଲାଗି ଯେ କି ଏତିକି କଠୋର ନିୟମ କରିନେଇଚି ଯେ ଯୌବନ ବେଳେ କୌଣସି ସୁନ୍ଦରୀକୁ ଦେଖି ବିଚଳିତ ହେବାର ନୁହେ ଓ ତାକୁ ଉତ୍କଣ୍ଠାପୂର୍ବକ ଦେଖିବାର ନୁହେ । ତାକୁ ଦେଖି ମନେହେଉଛି ବିଦ୍ୟୁତ୍‌ଲତା ହିଁ ରୂପ ଧାରଣ କରି ଆସିଯାଇଛି ।

‘‘ତୁ କିଏ ସେ ? ପଡ଼ିଶା ଘରର ଝରକା ପାଖରେ ଯେଉଁ ଫୁଲ ପରି ମୁହଁର ଝିଅଟି ଦେଖାଯାଉଥିଲା, ସେଇ ତୁ ? ତୁ ନୀଳାର ଢେର୍ ଢେର୍ ସଙ୍ଗୀଙ୍କ ଭିତରୁ ଜଣେ ? ତୁ ଆକାଶରେ ବିଞ୍ଛିହୋଇ ପଡ଼ିଥିବା ଚନ୍ଦ୍ରାଲୋକରୁ ଓହ୍ଲାଇ ଆସିଚୁ ? ତୁ କଣ ବିଦ୍ୟୁତ୍‌ଲତା ?’’

ସେ ତା ହାତକୁ ପରସ୍ପର ଯୋଡ଼ିଦେଇ ମାଳାପରି ତା ଗଳାରେ ପକାଇ ଦେଇଛି । ସେ ଭାବବିଭୋର ହୋଇଗଲା । ସେ ଚୁପ୍‌ଚାପ୍ ସେହି ସୁଖକର ଅବସ୍ଥାର ଆନନ୍ଦ ଗ୍ରହଣ କରୁଥିଲା; ପରନ୍ତୁ ୟାର କିଛି ମୂଲ୍ୟ ନାହିଁ ।

 

ଲଜ୍ଜାରେ ସଙ୍କୁଚିତ ହୋଇ ସେ ତା ହାତକୁ ଛଡ଼େଇ ଦେଲା ।

 

‘‘ମୋ ସାଙ୍ଗରେ ଲାଗନା । ତୁ ଯା ଭାରି !’’

 

‘‘ହଉ....ଆପଣ ତ ରାଗିଯାଉଚନ୍ତି ! ମୋ ଆସିବାରେ ଆପଣଙ୍କୁ ଖୁସି ଲାଗୁନି ?’’

 

‘‘ଏ କଥା ମୁଁ କେମିତି କହିବି ? କିନ୍ତୁ....ମୁଁ ତତେ ଏଠିକି ଆସିବାର ଅନୁମତି ତ ଦେଇ ନ ପାରେ ।’’

 

‘‘ନୀଳ ସକାଳ ସାଢ଼େ ଆଠଟାରେ ବାହାରି ‘ଲାଇଟ୍ ହାଉସ୍’ଠୁଁ ଦୂରରେ ନିଜର ଅଫିସ ଯାଏ, ଆଉ ସନ୍ଧ୍ୟାବେଳକୁ କ୍ଳାନ୍ତ-ଶ୍ରାନ୍ତ ହୋଇ ଫେରେ । କମଳା ବି ତା ବଡ଼ ଭଉଣୀର ପଦାଙ୍କ ଅନୁସରଣ କରିବ ବୋଲି ତିଆରି ହୋଇ ବସିଚି । ରାଜୁର କଲେଜ ଆହୁରି ତିନିବର୍ଷ ବାକି । ମାଆର ବେକର ସବୁତକ ଅଳଙ୍କାର ଯାହାକି ତିରିଶ ଭରି ହବ, ବ୍ୟାଙ୍କରେ ପଡ଼ିଛି । ବାପାଙ୍କ ପେନ୍‌ସନ୍‌ର ୭୫ ଟଙ୍କା ମାଳାର ବାହାଘରରେ ଯେଉଁ କରଜ ହେଇଥିଲା ତାକୁ ଶୁଝିବାରେ ଲାଗିଯାଏ । ବୁଝିଲୁ କି ମୋ କଥାଟା ? ପନ୍ଦର ମାସ ଚାକିରି ନ ମିଳିବାରୁ ‘ବେକାର ଇଞ୍ଜିନିୟର’ ବୋଲି ଖ୍ୟାତ ହେବାର ଲଜ୍ଜା ଅନୁଭବ କରି, ହତୋତ୍ସାହିତ ହୋଇ, ନାରକୀୟର ବେଦନା ଅନୁଭବ କରିବା ପରେ ମୁଁ ଏହି ଏକାନ୍ତ, ଶୀତଳ ସ୍ଥାନରେ ଆସି ପହଞ୍ଚିଛି ।’’

 

ସେ ନିଜର ସୁନ୍ଦର ମୁହଁଟି ତାର କରକମଳରେ ଢାଙ୍କିଥିଲା; ତଥାପି ତା ଆଖି ତାକୁ ଚାହୁଁଥିଲା ।

 

‘‘ଏମିତି କଥା ? ତାହେଲେ ମୁଁ ଯାଉଚି ।’’

 

ସେ ତା କାନପାଖରେ ନିଜ ମୁହଁଟି ନେଇଯାଇ କହିଲା, ‘‘ନା, ଯାଆନା । ରାଗିଲୁ କି ? ହଁ....ତୁ ତ ଏଯାକେ କହିଲୁନି ତୁ କିଏ ?’’

 

‘‘ମୁଁ....ମୁଁ ସବୁବେଳେ ଆପଣଙ୍କ ପାଖେ ରହିବି..... ।’’

 

ସେ ତାର ବାହୁପାଶରୁ ନିଜକୁ ମୁକ୍ତ କରିନେଲା । ସେ ସବୁବେଳେ ତା ସାଙ୍ଗରେ ରହିବ-। ୟା ମାନେ....

 

‘‘ଚାହା....ଆଜ୍ଞା...ଚାହା ।’’

 

ରାମନ୍ କୁଟ୍ଟି ଚାହା ନେଇ ଆସିଥିଲା ।

 

ସ୍ନେହକ ତେଲର ଚିକ୍‌କଣପଣ, ଗରମ ପୋଷାକର ଉଷୁମ୍ ଆଉ ଚାହାର ଉଷୁମ୍ ସୁଆଦ ସବୁ ସୁଖଦ ଥିଲା । ବେଗେ ବହୁଥିବା ପାଣି ‘ସୋୟ, ସୋୟ, ସୋୟ’ ଶବ୍ଦ ଉତ୍ପନ୍ନ କରୁଥିଲା । ସେଠାରେ ଶୁଣାଯାଉଥିବା ବିଭିନ୍ନ ଶବ୍ଦର ଗୁଞ୍ଜନ ଜାଣି ହଂସତରୀ ଉପରେ ବସିଥିବା ଯୁବତୀ ବିଷୟକ ମଧୁର ସ୍ୱପ୍ନର ବିକାଶ କରୁଥିଲା । ସେହି ଧ୍ୱନିମାନ ଜାଣି ତା ଜୀବନର ଏକୁଟିଆପଣ, ଥକାଭାବକୁ ନିଭେଇ ଦେଉଥିଲା ।

 

ଆସିଲାବେଳେ ମା କିଛି ମୁହଁରେ କହିନାହିଁ; କିନ୍ତୁ ‘ତା ଜୀବନର ଏଇ ତେଇଶି ବର୍ଷ ସେ କାହାରି ଘରେ ଚାରିଟା ଦିନ ବି ରହିପାରିନାହିଁ...ସେଠି ସେ ରହିବ କେମିତି ? ସେଠି ତ ଥଣ୍ଡା ବି ଖୁବ୍...’’ ଇତ୍ୟାଦି କଥା ଭାବି ସେ କାନ୍ଦିଥିଲା । ନୀଳା ପିଲାଙ୍କ ପରି ଫୁଲି ଫୁଲି କାନ୍ଦିଥିଲା । ତାର ନାକ ଓ ଆଖି ଲାଲ୍ ହୋଇଯାଇଥିଲା । କମଳା ବି ସୁଁ ସୁଁ କରି କାନ୍ଦିଥିଲା ।

 

ସେ ଗାଡ଼ିରେ ଚଢ଼ିବା ପରେ ବାପା, ‘‘ସଂପତ ତୁ ଯାଉଚୁ ? ହୁସିଆରି ଥିବୁ....ଚିଠି ନିଶ୍ଚେଁ ଲେଖିବୁ,’’ କହି ତାଙ୍କ ଆଖି ପୋଛି ନେଇଥିଲେ; ଲାଗୁଥିଲା ସେ ବି ଯେମିତି ସେଇ ମୁହୂର୍ତ୍ତରେ କାନ୍ଦି ପକେଇବ !

 

ପନ୍ଦର ମାସ ସେ ବେକାର ଥିଲା, ଘରେ ବସିରହିଲା, ସେଇଠୁ ଆମକୁ ତାର ବେକାର ରହିବାଟା ଭଲ ଲାଗିବନି । ଏଇଲା...ଏହା ଭାବି ମାଆର ଗଳାଟା ଭାରୀ ହୋଇଗଲା । ନୀଳଗିରି ଏକ୍‌ସପ୍ରେସ୍ ଛାଡ଼ିଦେଲା । ସମସ୍ତଙ୍କର ଜାଣି ହଠାତ୍ କେଉଁ ପାସୋରା କଥା ମନେ ପଡ଼ିଗଲା ଓ ସେମାନେ କାନ୍ଦି କାନ୍ଦି ହାତ ହଲାଇ ତାକୁ ବିଦାୟ ଦେଲେ ।

 

‘‘ଏଠି ଶହେ ଟଙ୍କାରୁ ବେଶୀ ଖର୍ଚ୍ଚ ହବନାହିଁ । ମୁଁ ନିଜ କାମଟି ଶିଖିନେଲିଣି ଓ ମତେ ତା ଭଲ ବି ଲାଗୁଚି । ଦିନବେଳର ଖାଇବାଟି ମେସ୍‌ରେ ଖାଉଚି ଓ ରାତି ଖାଇବାଟି ନିଜେ ରାନ୍ଧୁଚି-। ଏଠି ସବୁକିଛି ସୁବିଧା ରହିଚି । ନୀଳାଲାଗି ବରଘର ଦେଖ....ଇତ୍ୟାଦି କଥା ସେ ଚିଠିରେ ଲେଖିଥିଲା ।’’ ଚାରି ମାସରେ ସେ ନିଜେ ହଜାରେ ଟଙ୍କା ଜମେଇନବ । ଏ ବର୍ଷ ଯେବେ ନୀଲାର ବାହାଘର ହୋଇଯାଏ ତାହେଲେ ପରବର୍ଷ କମଳା ଲାଗି ବର ଖୋଜା ହୋଇପାରିବ । ତିନିବର୍ଷ ପରେ ରାଜାର ପାଠପଢ଼ା ବି ଶେଷ ହେଇଯିବ । ତାପରେ.....ତାପରେ.....

 

‘‘ଟର୍ର’.....ଟର୍ର’....ଟର୍ର’’ ଘଣ୍ଟିର ଲଗାତାର ବାଜଣାରୁ ସେ ବେଶ୍ ଜାଣିପାରିଲା ଯେ କେହି ନୂଆ ଲୋକ ତାକୁ ଖୋଜି ସେଠିକି ଆସିଚି ଓ ‘କଲିଂ ବେଲ୍’ ବଜାଉଛି । ବାହାରେ, ଝୁଲା ଗାଲ ଓ ଘସରା ଆଖିବାଲା ନାୟୁଡ଼ୁ ହାତଯୋଡ଼ି ଠିଆହୋଇଥିଲା ।

 

‘‘ଆରେ ଆପଣ ! .....ଆସନ୍ତୁ, ଆସନ୍ତୁ !’’

 

ସେ ବାରଣ୍ଡାରେ ଆସି ଠିଆହେଲା । ‘‘ଆଜି ବାବୁଙ୍କର ଛୁଟି କହୁଥିଲେ । ମୁଁ ବିଚାରିଲି କି ସୁନ୍ଦର ଖରା ପଡ଼ିଛି, ଆପଣ ଉଟୀ ଚାଲିଯାଇଥିବେ ।’’

 

‘‘ମୁଁ ଗଲିନି ।’’

 

‘‘ତାହେଲେ ଭଲ ହେଲା ମୁଁ ଆସିଗଲି । ଆସନ୍ତୁ ସାର୍ ! ମୋ ଘରକୁ ଚାଲନ୍ତୁ । ଭଲ ଖରା ପଡ଼ିଚି । ମୋ ବଗିଚାରେ ବସି ତାସ ଖେଳିବାକୁ ସାଙ୍ଗମାନେ ଆସିଚନ୍ତି....’’

 

‘‘ମୁଁ ତାସ ଖେଳେନା । ଆପଣଙ୍କ ପାଖରେ ବହି ଥିଲେ ପଢ଼ିପାରେ ।’’

 

‘‘ବହି ! ବହୁତ ବହୁତ ସାର୍....’’

 

ସେ ଲମ୍ବା ହାତର ସ୍ୱେଟର ପିନ୍ଧି, କବାଟରେ ତାଲା ଦେଇ ବାହାରେ, ‘ଯଦି ସେ ଜୁଆ ଖେଳିବାକୁ ଡାକେ ତା ହେଲେ ? କିଛି ଗୋଟାଏ ବାହାନା କରି.....ଛିଃ ଛିଃ, ସେ କଣ ଅନ୍ତୁଡ଼ିଶାଳର ଛୁଆ ହେଇଚି, ଏତେ ଡରୁଚି କାହିଁକି ? ସେ ଜଣେ ଜାଣିବା ଶୁଣିବା ଲୋକ । ଚାକିରି କରୁଚି । ଏଇଲା ସେ ବଡ଼ ହେଇଗଲାଣି । ସେ ରୋଜଗାର କରି ତା ପରିବାରକୁ ଭରଣପୋଷଣ କରିବାର ଦାୟିତ୍ୱ ନେଲାଣି । ସେ ପୁଣି ଏଇ ଛୋଟ ଛୋଟ କଥାରେ ଡରିବ ? କାହିଁକି ମିଛଟାରେ ଚିନ୍ତା କରୁଚି ସେ ?’

 

ଜଳାଶୟ ପାରି ହୋଇ ଚାହାବଗିଚା ମଝି ଦେଇ ସେମାନେ ଢାଲୁ ଉପରକୁ ଚଢ଼ିଲେ । କିଛି ଦୂରରେ ‘ସିଲ୍ ଭର୍ ଓକ୍’ ଗଛର ଆଢ଼ୁଆଳରେ ଛୋଟିଆ ଘରଟିଏ ଦେଖାଗଲା । ସେ ଘରଦାଣ୍ଡରେ ଫୁଲ ନ ଥିବା ବଡ଼ ବଡ଼ ପତ୍ରବାଲା ଗୋଟିଏ ଗଛ ଠିଆ ହୋଇଗଲା । ନାୟୁଡ଼ୁ କହିଲା ଯେ ତାହା ବସନ୍ତ ଋତୁରେଇ ଫଳପୁଷ୍ପରେ ଭରିଯାଏ । ଘରର ବଗିଚାରେ ଫୁଲଗଛ ଦେଖିବାକୁ ମିଳିଲାନି । ଘାସ ଉପରେ ସିଗାରେଟ୍‌ର ଖାଲିଟିଣ ଓ ସିଗାରେଟ୍ ଖଣ୍ଡମାନ ଗଦା ହୋଇଛି । କାଚ ଝରକାବାଲା ପାଞ୍ଚଫୁଟ ଲମ୍ବ ଗୋଟିଏ ବନ୍ଦ ବାରଣ୍ଡାରେ ବସି ସାଙ୍ଗସାଥୀ ତାସ ଖେଳୁଥାନ୍ତି । କଳା ରଙ୍ଗର ଟାଇଟ୍ ପ୍ୟାଣ୍ଟ୍ ଓ ଉଲ୍ ସ୍ୱେଟରପିନ୍ଧା ସେଇ ଟୋକାମାନେ ‘‘ଗ୍ଳାଡ୍ ଟୁ ମୀଟ୍ ୟୁ’’ କହି ବିଧିବଦ୍ଧ ଭାବେ ହାତ ମିଳାଇଲେ ଓ ତାସଖେଳରେ ମାତିଗଲେ ।

 

‘‘ଗ୍ଳାଡ୍ ଟୁ ମୀଟ୍ ୟୁ’’ର ତେଢ଼ା ସ୍ୱର ଭିତରେ ଗୋଟିଏ କୋମଳ ସ୍ୱର ବି ଶୁଣାଗଲା, ଯାହା ଫଳରେ ସେ ବୁଲିପଡ଼ି ଚାହିଁବାକୁ ବାଧ୍ୟ ହେଲା ।

 

‘‘ସାର୍, ସେ ମୋ ଝିଅ । ମୁଁ ତ ତା ନାଁ ରଖିଚି ସରସ୍ୱତୀ; କିନ୍ତୁ ଏଠି ସମସ୍ତେ ତାକୁ ରୋଜୀ ନାମରେଇ ଚିହ୍ନନ୍ତି’’ କହି ନାୟୁଡ଼ୁ ହସିଦେଲା । ତାର ଲୋଚାକୋଚା ଆଖିରେ ରକମେ ତେଜ ବି ଦେଖାଗଲା ।

 

‘ରୋଜୀ’ର କୁନ୍ଦିଲାପରି ଦେହ, ଗହମ ରଙ୍ଗ, ଗୋଲ ମୁହଁ, ଫୁଲା ଗାଲ ସବୁ କିଛି ବେଶ୍ ଆକର୍ଷକ ଲାଗୁଥିଲା । ତାର ଫୁଲା ଫୁଲା ଗାଲ ଦୁଇଟି ଏହି ପାହାଡ଼ୀ ଇଲାକାରେ ମିଳୁଥିବା ପ୍ରକାରେ କେନ୍ଦୁଫଳ ପରି ଲାଲ ଥିଲା । ସେ ଅନୁମାନ କରିପାରିଲାନି ଯେ ତାର ଗାଲର ଲାଲିମା ପାର୍ବତୀୟ ପ୍ରଦେଶର ଝିଅମାନଙ୍କର ଗାଲ ଉପରେ ଦେଖାଯାଉଥିବା ସ୍ୱାଭାବିକ ଲାଲିମା ନା ‘ରୁଜ୍’ ଇତ୍ୟାଦି ଲଗେଇ ଏପରି ହୋଇଛି । ତାର କୁଞ୍ଚିତ କେଶ କାନ୍ଧ ଉପରେ ଲହଡ଼ି ଭାଙ୍ଗୁଛି । ସେ କାନର ଗାଢ଼ ନାଲି ରଙ୍ଗର ମଖମଲୀ ଗୋଲାପ ପତ୍ରସମେତ ଛିଣ୍ଡାଇ ଲଗାଇ ରଖିଛି । ସେ ହାତକଟା ‘ବ୍ଳାଉଜ’ ପିନ୍ଧିଥିଲା । ତାର ଚିକଣ ଗୋଲ ବାହୁ ଦୁଇଟି ଦେଖଣାହାରୀର ମନ ବିଚଳିତ କରିଦିଏ । ସେ ପ୍ଳାଷ୍ଟିକ୍ ଜରିଦିଆ ଗୋଲାପୀ ରଙ୍ଗର ନାଇଲନ୍ ଶାଢ଼ି ପିନ୍ଧିଥିଲା ଯାହାକି ଥରକୁ ଥର ଉଡ଼ି କରି ଲୋକଙ୍କର ଦୃଷ୍ଟି ତା ଆଡ଼କୁ ଆକର୍ଷଣ କରୁଥିଲା । ବାରଣ୍ଡାରେ ସେ ଗୋଟିଏ ଛୋଟ ଟେବୁଲ୍ ଉପରେ ‘ରେକର୍ଡ଼ ପ୍ଳେୟର’ ଓ କିଛି ଟେପ୍ ପଡ଼ିଥିଲା । ସେଇ ଟେପ୍‌ରେ କିଛି ଗୀତ ରେକର୍ଡ଼ କରାଯାଇଥିଲା ।

 

ନାୟୁଡ଼ୁ ଜୋରରେ କହିଲା, ‘‘ରୋଜୀ ୟାଙ୍କର ବହି ପସନ୍ଦ । ସେ ତାସ ଖେଳନ୍ତିନି ।’’

 

‘‘ଆଚ୍ଛା ତାହେଲେ ଆପଣଙ୍କ....ମୋ ପରି..... । ଆଜ୍ଞା, ଆପଣ ବସନ୍ତୁ । ଆପଣଙ୍କୁ ବୀଟ୍‌ଲସ୍‌ଙ୍କ ମ୍ୟୁଜିକ୍ ଭଲ ଲାଗେ.... ?’’

 

କଥା କହିବାବେଳେ ତାର ରଙ୍ଗକରା ଓଠ ଦିଓଟି ଦରକାରଠାରୁ ବେଶୀ ମୋଡ଼ିହୋଇ ଯାଉଥିଲେ ଓ ଖୁବ୍ ଆକର୍ଷକ ବୋଧ ହେଉଥିଲେ ।

 

ସେଠି କିଛି ଚଉକି ପଡ଼ିଥିଲା । ତା ଉପରେ ପଡ଼ିଥିବା ‘କୁଶନ୍ କଭର’ ଉପରେ ‘ବି ହ୍ୟାପୀ’ ଶବ୍ଦ ବୁଣା ହୋଇଥିଲା ।

 

‘‘ବସନ୍ତୁ ଆଜ୍ଞା.... ।’’

 

‘ଚୁଇଙ୍ଗମ୍’ ଦେଖିଲେ ମନେହୁଏ ତା ମିଠା ହୋଇଥିବ ପରା; କିନ୍ତୁ ମୁହଁରେ ଦେଲେ ଅଳ୍ପ ସମୟପରେ ତାହା ରବର ପରି ହୋଇଯାଏ; ତଥାପି ଆମେ ତାକୁ ପାଟିରୁ ପକାଇଦବାକୁ ଇଚ୍ଛା କରୁ କି ?

 

ସଂପତ ବସିପଡ଼େ । ‘‘ଓ. କେ. ଦେନ ଏଞ୍ଜୟ ୟୁଓରସେଲ୍‌ଭସ୍’’ କହି ନାୟୁଡ଼ୁ ସେଠୁ ଚାଲିଯାଏ ।

 

ରୋଜୀ ଗୋଟିଏ ଟେପ୍‌କୁ ରେକର୍ଡ଼ ପ୍ଳେୟର ଉପରେ ଲଗାଇ ତାକୁ ଚଳାଇଲା । ପରସ୍ପର ସହିତ ଅସଂଲଗ୍ନ ଦୁଇ ତିନିଟା ଧ୍ୱନି ଶୁଣାଗଲା । ସେହି ଧ୍ୱନିମାନଙ୍କର ପୃଷ୍ଠଭୂମିରେ କିଛି ବିଚିତ୍ର ଧ୍ୱନି ମଧ୍ୟ ଶୁଣାଗଲା । ଏମିତି ବୋଧହେଲା, କେହିହେଲେ ସେଇ ଧ୍ୱନିମାନ ଶୁଣିକରି ନିଜର ହାତଗୋଡ଼ ନ ହଲାଇ ରହିପାରିବନି ।

 

‘‘ଏ ଗୀତ...ମୋର ଜୀବନରୁ ବେଶୀ ପ୍ରିୟ’’ କହି ରୋଜୀ ବସିପଡ଼ିଲା ଓ ଦୋହଲି ଦୋହଲି ଗୀତ ସଙ୍ଗେ ତାଳଦେବାକୁ ଲାଗିଲା ।

 

ସେହି କର୍କଶ ଧ୍ୱନିମାନଙ୍କ ଭିତରେ ସଂପତକୁ ନିଜ ବାପାଙ୍କ କଣ୍ଠସ୍ୱର ଶୁଣାଗଲା–‘‘ସଂପତ....ହୁସିଆରି ରହିଥିବୁ ବାପା !’’

 

କିଛି ମାସ ଆଗରୁ ତାର ଦଦେଇପୁଅ ଭାଇ ରଙ୍ଗମଣି ଆମେରିକାରୁ ଟେପ୍‌ରେକର୍ଡ଼ର ଇତ୍ୟାଦି ଜିନିଷ ନେଇ ଫେରିଥିଲା । ସେ ତାଙ୍କ ଘରେ ରହିଥିଲା । ସେତେବେଳେ ଘରକୁ କେତେ ଲୋକ ଆସିଥିଲେ । ପିଉସୀଝିଅ ଶକୁନ୍ତଳାର ଚାରିଟା ପିଲା, ସରୁ ସରୁ ତୀକ୍ଷ୍‍ଣ ସ୍ୱରରେ ଚିତ୍କାର କରି ସବୁରି ସାଙ୍ଗରେ କଳି କଲାବାଲା ଓ ସମସ୍ତଙ୍କର ନିନ୍ଦୁକ ତା ଭଉଣୀ ଭାନୁ, ମିଛ କଥା ବନେଇ ଚୁନେଇ କହିବାରେ ପ୍ରସିଦ୍ଧ ତାର ଦଦେଇ ସମସ୍ତେ ଆସିଥିଲେ । ସେତେବେଳେ ଗ୍ରୀଷ୍ମଛୁଟିର ସମୟ । ରଙ୍ଗମଣି ଦିନସାରା ‘ପପ୍ ମ୍ୟୁଜିକ୍’ ନାମରେ ‘ୟା ୟା, ଚାଚା, କାକା’ କରୁଥାଏ ଓ ନାନାପ୍ରକାରର ବିଚିତ୍ର ସ୍ୱର ବାହାର କରି ଖୁସି ହେଉଥାଏ । ଲୋକମାନେ ତାରି ସେଇ ସଂଗୀତକୁ ବୁଝିପାରୁ ନଥାନ୍ତି । ନିଜର ସେଇ ‘ପପ୍ ମ୍ୟୁଜିକ୍’ ଦ୍ୱାରା ଲୋକମାନଙ୍କ ଉପରେ ପ୍ରଭାବ ବିସ୍ତାର କଲାପରେ ସେ ଅନ୍ୟ କାମ ଆରମ୍ଭ କରୁଥିଲା । ତାର ସଙ୍ଗୀତ ଆଦି ଦ୍ୱାରା ସେ ଲୋକଙ୍କୁ ନାକେଦମ୍ କରି ଛାଡ଼ୁଥିଲା । ଦିନେ ରଙ୍ଗମଣି ତାର କୋଉ କାମରେ ବାହାରକୁ ଯାଇଥିଲା, ସେଇଠୁ ସଂପତ ଗୋଟାଏ ଚାଲ୍ ଖେଳିଲା ।

 

ସେ ଫେରିଆସିବାରେ ସଂପତ କହିଲା, ‘‘ରଙ୍ଗମଣି, ମୁଁ ଏ ଟେପ୍‌ଟା ମୋର ଗୋଟିଏ ସାଙ୍ଗଠୁ ନେଇ ଆସିଚି । ‘ପପ୍ ମ୍ୟୁଜିକ୍’ରେ ଏଇଟା ହେଲା ‘ଲେଟେଷ୍ଟ୍’ । ସେ ଗୋଟିଏ ଟେପ୍‌କୁ ରେକର୍ଡ଼ ପ୍ଳେୟର ଉପରେ ବସାଇଲା । କିଛି ସମୟପରେ ସେ କହିଲା, ‘‘ସଙ୍ଗୀତ ଶୁଣିକରି କହିବୁ ତତେ କୋଉ କୋଉ ବାଦ୍ୟଯନ୍ତ୍ର ବା କାହା କାହା କଣ୍ଠ ଶୁଣାଯାଉଚି ।’’

 

ରଙ୍ଗମଣି ବିଭିନ୍ନ ଧ୍ୱନିମାନଙ୍କୁ ବଡ଼ ମନଦେଇ ଶୁଣିଲା । ‘‘ଡ୍ରମ୍....ଗିଟାର...ଆରେ ସିତାର ବି ଅଛି,’’ କହି ସେ ଉଚ୍ଛ୍ୱସିତ ହେଲା । ଏପରି ଅନେକ ବାଦ୍ୟଯନ୍ତ୍ରର ନାମ ସେ କହିଗଲା, ଯାହା ବିଷୟରେ ସଂପତ କିଛି ଜାଣିନଥିଲା ଓ ଯାହାଙ୍କ ନାଁ ବି ଉଚ୍ଚାରଣ କରିପାରୁ ନଥିଲା । ରଙ୍ଗମଣି ନିଜର ସୂଚୀଟି ଲମ୍ବେଇ ଲାଗିଲା । ସେ କହିଲା, ‘‘ଏ ସଙ୍ଗୀତ ବହୁତ ବଢ଼ିଆ । ଏ ଟେପ୍‌ଟାକୁ ମୁଁ ମୋର ସଂଗ୍ରହରେ ମିଶାଇବାକୁ ଚାହେଁ ।’’

 

‘‘ହଁ ହଁ, ମିଶେଇ ନେ ନିଶ୍ଚୟ । କିନ୍ତୁ ଏଇ ଟେପ୍ ଲାଗି ମତେ ଦଶ ଡଲାର୍ ଦବାକୁ ହବ-। ଏଥିରେ ଦୁଇପହରେ ଆମ ଘରେ ଯେତେ ଧ୍ୱନି ଶୁଣାଯାଏ ତାର ରେକର୍ଡ କରାହେଇଚି,’’ କହି ସଂପତ ଖିଲିଖିଲି କରି ହସିଉଠିଲା ।’’

 

‘‘ଆରେ ତୋଠିଁ ସଙ୍ଗୀତର ଅସୀମ ଜ୍ଞାନ ରହିଛି । ତୁ ତୋର ସଙ୍ଗୀତ-ଜ୍ଞାନର ଉପଯୋଗ ନକରି ମିଛଟାରେ ପଢ଼ାପଢ଼ିରେ ଲାଗିଛୁ, ୟା ଭାବି ମତେ କଷ୍ଟ ଲାଗେ’’ କହି ରଙ୍ଗମଣି ସହାନୁଭୂତି ଦେଖାଇଲା ।

 

ଏଠି ବସି ବସି ହଠାତ୍ ସଂପତର ସେଇ ସବୁ ଶବ୍ଦ ମନେ ପଡ଼ିଲା ।

 

ରୋଜୀର ଜାଣିବା ଉଚିତ ଥିଲା ଯେ ତାର ସଙ୍ଗୀତ ସାଙ୍ଗରେ କିଛି ସମ୍ବନ୍ଧ ନାହିଁ ।

 

‘‘ଆପଣ ଭିତରକୁ ଯାଇ, ବୁକ୍‌ସ ଦେଖିବେ ? ମୁଁ ଅନେକ ବହି ଏକାଠି କରି ରଖିଚି । ଏଇଟା ମୋର ‘ହବୀ’.... ।’’

 

ତାକୁ ଲାଗିଲା, ୟାଠୁଁ ବରଂ ତାସ ଖେଳିଥିଲେ ଢେର୍ ଭଲ ହୋଇଥାନ୍ତା । ସେ ଘର ଭିତରକୁ ଗଲା । ଘର ଭିତରଟା ଖୁବ୍ ଗରମ । ସେଠି ଗୋଟିଏ ଚଉଡ଼ା ସୋଫା, ଗୋଟିଏ ଛୋଟିଆ ଗୋଲ ଟେବୁଲ ଓ ବହି ଭର୍ତ୍ତି ଗୋଟିଏ କାଚ ଆଲମାରି ପଡ଼ିଛି । ସେ ଆଲମାରିରେ ରହିବାର ଯୋଗ୍ୟତା ବହିଗୁଡ଼ିକର ନ ଥିଲା । ସେଗୁଡ଼ିକ ‘ପକେଟ ବୁକ୍ ସିରିଜ’ର ଶସ୍ତା ବହି । ତାର ବୁଝିବାକୁ ଡେରି ହେଲାନି ଯେ ବହିଯାକ ‘ସେକ୍‌ସ’.... ‘କ୍ରାଇମ୍’ ଆଦି ବିଷୟରେ ଲେଖା ହେଇଚି ।

 

‘‘ବସନ୍ତୁ ବସନ୍ତୁ’’ କହି ରୋଜୀ ତାକୁ ସେଠି ପଡ଼ିଥିବା ସୋଫା ଉପରେ ବସାଇ ଦେଲା-। ସେ ନିଜର ଗୋଲାପୀ ଆଙ୍ଗୁଠି ସାହାଯ୍ୟରେ ଆଲମାରିରୁ ସାତ ଆଠଟା ଖଣ୍ଡେ ବହି ବାହାର କରି ତା ଆଗରେ ଥୋଇଲା ।

 

ସଂପତ ପାଖକେ ରାସ୍ତା ଭୁଲିଯାଇଥିବା ପିଲାଟି ପରି ଡରିଯାଇଛି, ଅନ୍ୟ ପଟେ ସେଇ ଅବସ୍ଥାର ବିରୋଧ କରିବାକୁ ଚାହୁଁଚି । ସେ ବହିତକ ଓଲଟପାଲଟ କରି ଦେଖିଲା । ସବୁ....ସବୁ....

 

ସେଇ ବହିରେ ଛାପା ହେଇଥିବା ଶବ୍ଦମାନ ତାକୁ ବୁଝା ପଡ଼ୁ ନାହାନ୍ତି ।

 

‘‘କଣ ଆଜ୍ଞା ବହିଗୁଡ଼ା କେମିତି ଲାଗୁଚି ? ଏ ବହିଗୁଡ଼ା ଖୁବ୍ ମନୋରଞ୍ଜକ–’’ କହି ସେ ଗୋଟି ଗୋଟି କରି ବହିଯାକ ବଦଳେଇବାକୁ ଲାଗିଲା ।

 

ସେ କେବେହେଲେ ଉପନ୍ୟାସ ପଢ଼ିବା ଶିଖିନାହିଁ । ଖବରକାଗଜରେ ମୋଟା ମୋଟା ହରଫରେ ଛପା ହେଇଥିବା ଖବର ଓ ଖେଳ-କସରତ୍ ସମ୍ବନ୍ଧୀୟ ବିବରଣକୁ ହିଁ ସେ ପଢ଼ୁଥିଲା ।

 

ରୋଜୀ ରେକର୍ଡ ପ୍ଳେୟର୍‌ଟି ବନ୍ଦ କରି ନଥିଲା । ପରସ୍ପର ଅସମ୍ବନ୍ଧ ସେହି ଧ୍ୱନିମାନ ହିଁ ବାରମ୍ବାର ଶୁଣିବାକୁ ମିଳୁଥିଲେ । ସେହି ଧ୍ୱନିମାନ ତାର ମସ୍ତିଷ୍କର କେଉଁ କୋଣରେ ସୁପ୍ତାବସ୍ଥାରେ ପଡ଼ିଥିବା ଭାବମାନଙ୍କୁ ଝୁଙ୍କାଇ ଝୁଙ୍କାଇ ଉଠାଇ ଦେଉଥିଲେ ।

 

‘‘ସଂପତ ହୁସିଆର ଥିବୁ’’ ବାପା ୟା କାହିଁକି କହିଲେ ? ସେ ଜଲଦି ବହିତକ ଦୂରକୁ ଠେଲି ଦେଇ ଠିଆହୋଇ ପଡ଼େ ।

 

‘‘କଣ କି ଆଜ୍ଞା ? ବଗିଚା ଆଡ଼େ ଯିବା କି ?’’ କହି ସେ ବି ତା ସଙ୍ଗେ ବାହାରକୁ ଆସେ ।

 

‘‘ନାୟୁଡ଼ୁ.....କୁଆଡ଼େ ଗଲା ?’’

 

‘‘ହା-ହା-ହା’’ ସେ ଚାଲି ଚାଲି କରି ହସି ପକେଇଲା । ‘‘ବାପା ପ୍ରାୟ ଏଇମିତି କୁଆଡ଼େ ବୁଲି ବାହାରି ଯାଆନ୍ତି । ଆମେ ଦୁହେଁ କୁଆଡ଼େ ଯିବା ?’’

 

‘‘କୁଆଡ଼େ ନାହିଁ....ମତେ ଆଜି ଡାକରେ....ଗୋଟାଏ ଚିଠି ଦବାକୁ ହବ । ମୁଁ ଯାଉଚି’’ କହୁଁ କହୁଁ ସଂପତ ହଠାତ୍ ତୁନି ହୋଇଗଲା ।

 

‘‘ଆପଣ କଣ କହୁଚନ୍ତି ? ମୁଁ ତ ଭାବିଥିଲି ମୋ ବେଳଟା ମଜାରେ କଟିବ, କଣ ଆଜ୍ଞା ଆପଣଙ୍କୁ ଏଠି ରହିବାକୁ ଭଲ ଲାଗିଲାନି ?’’

 

‘‘ନା, ସେମିତି କିଛି କଥା ନାହିଁ....ଡାକ ବାହାରିଗଲେ ଚିଠିଟା ପଠେଇ ପାରିବିନି କିନା..... ?’’

 

‘‘ମତେ ଏ କଥାରେ ଭାରି ଦୁଃଖ ଲାଗୁଚି । ହଉ.....ଆପଣ କାଲି ଏଠିକି ଆସିବେ ?’’

 

‘‘କାଲି ?’’

 

‘‘ହଁ, କାଲି । କାଲି ବାପା ତାଙ୍କ ସାଙ୍ଗମାନଙ୍କୁ ନେଇ ଶିକାର କରିବାକୁ ଯିବେ । ଆପଣ ନ ଆସିଲେ ମୁଁ ବୋର୍ ହେଇଯିବି । ଆପଣ କାଲି ନିଶ୍ଚେଁ ଆସିବେ ।’’

 

‘‘ଉଁ ହୁଁ....କାଲି ନୁହେ....କାଲି ମୋର ଗୋଟାଏ କାମ ଅଛି....ହଉ ମୁଁ ଯାଉଚି ।’’

 

ତାକୁ ଲାଗିଲା ସେ ଗୋଟିଏ କୋମଳ ଫୁଲକୁ ଜାଣି ଛୁଞ୍ଚି ଫୁଟେଇ ଦେଇଚି । ତେଣୁ ସେ ମନେ ମନେ ବଡ଼ ଲଜ୍ଜିତ ହେଲା ଓ ସେଠୁ ବାହାରି ଆସିଲା ।

 

‘‘ଆରେ....ତୁ ବି ପୁରୁଷପୁଅ ?’’

 

ରୋଜୀ ବର୍ତ୍ତମାନ ସୁଦ୍ଧା ପାହାଡ଼ ଉପରେ ଠିଆହୋଇ ତାକୁ ଚାହିଁ ହସୁଥିଲା । ପର୍ବତ ଶିଖର ବି ତା ସଙ୍ଗେ ମିଶି ହସୁଥିଲେ । ସାମ୍‍ନାରୁ ସଂପତର ‘ବସ୍‌’ଙ୍କ ଗାଡ଼ି ଆସୁଥିଲା । ଗାଡ଼ିବାଲା ସାବଧାନ କରିବାରୁ ଯାଇ ତାର ଚେତା ପଶିଲା ଓ ସେ ଚଟ୍‌ ପଟ୍ କଡ଼ରେ ଠିଆହୋଇ ପଡ଼ିଲା । ତାକୁ ଲାଗିଲା ‘ବସ୍’ ତାକୁ ନିଠେଇ ନିଠେଇ ଦେଖୁଚନ୍ତି ।

 

‘‘ସେ ମତେ ପଚାରିଥିଲେ ନାୟୁଡ଼ୁ ସାଙ୍ଗେ ବନ୍ଧୁତା ହେଇଚି ? ବର୍ତ୍ତମାନ ମତେ ଏଠି ଠିଆହୋଇଥିବାର ଦେଖି ତାଙ୍କର ମୋ ବିଷୟରେ କଣ ଧାରଣା ହୋଇଥିବ ?’’

 

ସେଦିନ ସେ ଦିନସାରା ଘରେଇ ପଡ଼ିରହିଲା । ରହି ରହି ରୋଜୀର ହସର ଗୁଞ୍ଜନ ତାର ଏକୁଟିଆପଣକୁ ଘୁଞ୍ଚାଉଥାଏ । ସେ ହସ ଜାଣି କମ୍ବଳ ଭିତରେ ପଶି ତହିଁରେ ଶୀତ ପୂରାଇ ଦେଇ ତାକୁ ଝୁଙ୍କାଇ ଦେଉଛି ଓ ତାକୁ ପଚାରୁଚି, ‘‘କାହିଁକି ଏକୁଟିଆ ଲାଗୁଚି କି ?’’ ହସିଲାବେଳେ ରୋଜୀର ଲିପ୍‌ଷ୍ଟିକ୍ ରଙ୍ଗା ଓଠ, ମୋଡ଼ି ହୋଇଯାଏ, ବିଛେଇ ହୋଇଯାଏ ଓ ନେଫେଡ଼ି ଯାଏ । ସେଇ ଓଠ ଦି’ଟା ଜାଣି ତାର ନିଦ ବିଗାଡ଼ି ଦେଉଛି ।

 

ସକାଳ ହେବାରୁ ଯାଇ ତାର ନିଦ ଆସିଲା ।

 

ଆଖି ଖୋଲିବାପରେ ଦରଜାରେ ଲଗା ହୋଇଥିବା ଘଣ୍ଟର ‘ଟର୍ର-ର୍-ର୍’ ବାଜଣା ଶୁଣାଗଲା ।

 

ଏଇ ଭୟଙ୍କର ସମୟରେ ତାର ନାୟୁଡ଼ୁ କଥା ହିଁ ମନେ ପଡ଼ୁଛି । ସେ ପୁଣି ସକାଳ ପହରୁ ତା ପିଛା ଲାଗିବାକୁ ଅଇଲାଣି ?

 

ସଂପତ ଚୁପ୍‌ଚାପ୍ ପଡ଼ିରହିଲା । ଘଣ୍ଟି ବାଜିବା ସଙ୍ଗେ ସଙ୍ଗେ କାଚର କବାଟ ବି ବାଜୁଚି-। ସେ ଉଠି ହାତଭରା ଦେଇ ଆସ୍ତେ ଆସ୍ତେ ଚାଲ୍ ଚାଲ୍ ହେଇ କବାଟ ପାଖରେ ପହଞ୍ଚିଲା ଓ କାଚ ଦେଇ ବାହାରକୁ ଚାହିଁଲା । ବାହାରେ ଅରୁଣାଚଳମ୍ ଠିଆ ହୋଇଥିଲେ ।

 

‘‘କଣ ଭାଇ, ଦେହ ଭଲ ନାହିଁ ନା କଣ ? ବାରମ୍ବାର ଟେଲିଫୋନ୍ କରି ଜବାବ୍ ପାଇଲିନି, ସେଇଠୁ ଭାବିଲି ନିଜେ ଯାଇ ତୋ ସଙ୍ଗେ ଦେଖାକରି ଆସେଁ । ଏଠି ଘଣ୍ଟି ବଜେଇଲିଣି ଦଶମିନିଟ୍ ହେଲା । ତୁ ଆସିଲୁନି । କଣ, କଥା କଣ ଭା ?’’

 

‘‘ନାହିଁ କିଛି ନାହିଁ ଭାଇ, ଆପଣ ଭିତରକୁ ଆସନ୍ତୁ । ମୁଁ ଅଜାଣତରେ ନିଘୋଡ଼ ନିଦରେ ଶୋଇ ଯାଇଥିଲି ।’’

 

‘‘ତୋର ତ ଭଲ ନିଦ ! ଏଇଲା କେତେଟା ବାଜିଚି କିଛି ଜଣାଅଛି ? ସାଢ଼େ ଦଶଟା ବାଜିଚି । କାହିଁକି ଭାଇ, ଏତେ ଡେରିଯାକେ ଶୋଇବାର କାରଣ କଣ ?’’

 

‘‘ଏମିତି କିଛି କାରଣ ନାହିଁ.....ମୁଁ ଭାବିଲି ସନ୍ଧ୍ୟାବେଳିଆ ଡ୍ୟୁଟି କି ନା....’’

 

‘‘ସଂପତ ମତେ ଟିକିଏ ସାହାଯ୍ୟ କରିବୁ ?’’

 

‘‘ହଉ, କହନ୍ତୁ ଭାଇନା ।’’

 

‘‘ଆଜି ଘରୁ କିଛି ଲୋକ ଆସିବେ । ମୁଁ ତାଙ୍କୁ ଭେଟିବାକୁ ଉଟୀ ଯାଉଚି । ଚାରିଟା ବେଳଯାକେ ‘ବ୍ରିଟ୍ଟୋ’ ରହିବ । ତା’ପରେ ତୁ ସମ୍ଭାଳିବୁ ?’’

 

‘‘ହଁ ନିଶ୍ଚୟ, ନିଶ୍ଚୟ ।’’

 

ଅରୁଣାଚଳମ୍ ସାଙ୍ଗେ ସାଙ୍ଗେ ସେଠୁ ଚାଲିଗଲେ ।

 

‘ପାଓ୍ୱାର ହାଉସ୍’ର ସେଇ ବିଶାଳ ଘରଟି ତାକୁ ନିଜର ଶରଣସ୍ଥଳ ଭାବେ ଦେଖାଦେଲା-। ସେ ଭାବିଲା, ସେଠିକାର ଶବ୍ଦ ଶୁଣିଲେ ଏସବୁ ସେ ଭୁଲିଯିବ । ଏପରି ଭାବିବାରୁ ତା ମନରେ ଶାନ୍ତି ଆସିଲା ।

 

ଜଳାଶୟ କୂଳେ କୂଳେ ଯିବାବେଳେ ଅଜାଣତରେ ତା ଆଖିଟା ଚାହାବଗିଚାରେ ଆରପଟର ସେହି ଘରଟି ଉପରେ ପଡ଼ିଲା । ସେତେବେଳେ ତାକୁ ବିଜୁଳିଘରର ଅନବରତ ଶବ୍ଦ ଜାଗାରେ ରୋଜୀର ହସଟା ଶୁଣାଯାଉଚି । ଆଙ୍ଗୁଠନି କାମୁଡ଼ି ଠିଆ ହେଇଥିବା ରୋଜୀ, ତାର ଲାଲ ଓ ଉନ୍ମୁକ୍ତ ଅଧର ସବୁ ମନେ ପଡ଼ିଯାଉଛି.....

 

ସେ ଗଭୀର ଆଘାତ ପାଇଲା । ବେଗେ ଯାଇ ସେ ବିଜୁଳି ଘରେ ପହଞ୍ଚିଗଲା ।

 

ଲୁବ୍ରି କାଣ୍ଟ୍ ତେଲ.....ତୂଳା ଆଣ..... ଶବ୍ଦ.....

 

ସେ ଯନ୍ତ୍ର ସାମନାର କଳକବ୍‌ଜା ଦେଖିଲା । ନାଲି ବତି ଜଳୁଚି ଯହିଁରୁ ଜଣାଯାଉଚି ଯେ ଯନ୍ତ୍ରଟା ବେଶୀ ଗରମ ହୋଇ ଭିତରେ ଭିତରେ ଜଳୁଚି, ତରଳି ଯାଉଚି । ସେ ଜାଣିପାରିଲା ସେସବୁ ‘ଓ. କେ.’ ନାହିଁ । ସେହି ଭୀଷଣ ଶବ୍ଦଗୁଡ଼ିକ ଶାନ୍ତ ହୋଇଯିବା ପରେ ସେ ‘କ୍ୟଙ୍ଗ୍ କ୍ୟଙ୍ଗ୍’ ଶବ୍ଦରେ ଘୂରୁଥିବା ଚକଗୁଡ଼ିକ ପାଖୁ ଯାଇ ସେସବୁ ନିଠେଇ ଦେଖିଲା ।

 

ତାକୁ ସାହାଯ୍ୟ କରିବାକୁ ତେଲପିମ୍ପା ହାତରେ ଧରି ଠିଆ ହେଇଚି ଶ୍ରବଣନ୍ । ସେ ଯନ୍ତ୍ରର ସେଇ ସବୁ ଜାଗାରେ ତେଲ ଦେଲା ଯୋଉଗୁଡ଼ାକ ବେଶୀ ଗରମ ହୋଇ ଯାଇଥିଲେ । ଅଫିସର୍ ଆସି ଫେରିଲେ । ସବୁଦିନ ପରି ଶର୍ମା ବାବୁ ‘ଲେତ୍’ ଆସିଲେ । ସଂପତ ରାମନ୍ କୁଟ୍ଟୀକୁ ପଠାଇ ମେସ୍‌ରୁ ‘ଦୋଶା’ ମଗାଇଲା ଓ ରାତି ଖାଇବାଟି ବଢ଼ାଇଦେଲା ।

 

ଶର୍ମା ‘ଶ୍ରୀରାମ ଜୟମ୍’ ଲେଖିବସିଲେ । ସଂପତର କଳ୍ପନା ବହୁ ଦୂରକୁ ଉଡ଼ିଗଲା । ସେ ସେହି ଶବ୍ଦମାନଙ୍କର ଲୟ ଭିତରେ ‘ତାକୁ’ ବି ଦେଖିବାକୁ ଚେଷ୍ଟାକଲା ।

 

ଯେତେବେଳେ ସେ ଟେବୁଲ ଉପରେ ମୁଣ୍ଡ ଥୋଇ ଟିକିଏ ଆଖି ଲଗାଇ ନିଏ ସେତେବେଳେ କ’ଣ ତା’ ରୂପ ଦେଖାଯାଏ ?

 

ତା’ ହସ, ନାଲି ଓଠ, ଗୋଲ ବାହୁ ଏସବୁ ଥରକୁ ଥର ମନେ ପଡ଼ିଯାଉଛି ।

 

ସେ ଉଠି ଜୋରରେ ମୁଣ୍ଡଟା ହଲାଇ ନେଉଛି; କିନ୍ତୁ ତା’ର ବିଦ୍ରୂପ ହସ ବାରମ୍ବାର ଶୁଣିବାକୁ ମିଳେ ।

 

ଓଃ..... ସେ ହସଟା.....

 

ସେ ତା’ କାନକୁ ଜୋରରେ ବନ୍ଦ କରୁଛି ।

 

‘ଘଡ଼ ଘଡ଼’ କରି ଏକ୍‌ସପ୍ରେସ୍ ଗାଡ଼ି ଚାଲିଯିବା ପରେ ଯେପରି ଲାଇନ୍ ଜୋରରେ ହଲିଯାଏ ସେହିପରି ତା’କୁ ଲାଗୁଛି ଯେ ତାକୁ ବି କେହି ଧରି ଜୋରରେ ହଲେଇ ଦେଇ ଯାଉଛି ।

 

ରାମନ୍ କୁଟ୍ଟୀ କହିଲା, ‘‘ଆଜ୍ଞା ଚାହା....ବାବୁଙ୍କର କ’ଣ ମୁଣ୍ଡ ବଥଉଚି କି ?’’

 

ସଂପତ କିଛି ଜବାବ୍ ଦେଲାନି । ସେ ଭିଡ଼ିମୋଡ଼ି ହୋଇ ହାଇ ମାରିଲା ।

 

ଶର୍ମା ‘ଶ୍ରୀରାମ ଜୟମ୍’ ଲେଖା ଛାଡ଼ି ତା’କୁ ପଚାରିଲେ, ‘‘କ’ଣ ଭାଇ, ବର୍ଷାରେ ତିନ୍ତିଗଲ ନା କ’ଣ ? ତୁ ଏଠିକି ନୂଆ ଆସିଚୁ । ତୋର ଟିକେ ହୁସିଆର ରହିବା ଦରକାର ।’’

 

‘‘ନାଇଁ ଆଜ୍ଞା....’’

 

‘‘ନାଇଁ କ’ଣ ? ତୋ ମୁହଁ ଦେଖି ଜଣାଯାଉଚି । ତୁ ଯାଇ ବିଶ୍ରାମ ନେ । ଏଠା କାମ ମୁଁ କରିନେବି । ଦରକାର ପଡ଼ିଲେ ତତେ ଡାକି ପଠେଇବି । ତୁ ଯା ଭାରି....’’

 

‘‘ନାଇଁ ଆଜ୍ଞା, ଏମିତି କିଛି କଥା ନାହିଁ....’’

 

‘‘ବୋଧେ ତୁ ଆଜି ତିନିଟାବେଳେ ଡ୍ୟୁଟିକି ଆସିଯାଇଥିଲୁ । ଆଜିକାଲି ତୋର ଶକ୍ତି ଟିକିଏ ବଢ଼ିଚି ନା କ’ଣ ?’’ କହୁଁ କହୁଁ ଶର୍ମା ତା’କୁ ଲୁହା ପାହାଚରେ ଚଢ଼ି ଉପରର ବିଶ୍ରାମ ଘରେ ପହଞ୍ଚାଇ ଦେଇ ନିଜେ କାମରେ ଲାଗିଲେ ।

 

ସେଠି ଗୋଟିଏ ‘ସ୍କ୍ରୀନ୍’, ଦିଟା ବେଞ୍ଚ, ଗୋଟିଏ ତକିଆ ଓ ଖଣ୍ଡିଏ କମ୍ବଳ ପଡ଼ିଥିଲା । ‘ହୀଟର୍’ ଲଗାହୋଇଥିବାରୁ ବେଶ୍ ଉଷୁମ୍ ଥିଲା ।

 

ସେହି ନିର୍ଜନ ବାତାବରଣରେ ଶୋଇଗଲା ପରେ ବି ସେଇ ଶବ୍ଦଗୁଡ଼ିକ ଭୁଲି ହେଉଛି କେଉଁଠୁ ? ଧ୍ୱନିର କମ୍ପନରେ ସେ....ସେ ରୋଜୀର.... ତାର ନାଲି ଗାଲର କାମ ଚାଲିଚି ନା ?

 

‘‘ଯା’ ପାଜି କୋଉଠିକାର । ଯା’ ପଳା’’ କହି ସେ କମ୍ବଳ କାଢ଼ି ଝଟ୍‌ପଟ୍ ଉଠି ବସିଲା । କୋଣରେ ପଡ଼ିଥିବା ଖଣ୍ଡିଏ ଖବରକାଗଜର ଅଂଶ ଓ ତହିଁରେ ମୋଟା ହରଫରେ ଛାପା ହେଇଥିବା ଖବରଟିଏ ତାକୁ ଦେଖାଗଲା । ତାର ଚିନ୍ତାଧାରାକୁ ଭିନେ ଦିଗରେ ବୁଲାଇବାକୁ ସେ ସେଖଣ୍ଡକ ନେଇ ଖବର ପଢ଼ିବାକୁ ଲାଗିଲା ।

 

ଖବରଟିର ଶୀର୍ଷକ ଥିଲା ‘ବିଜୁଳିଘରର ଗହୀର କୁଣ୍ଡରେ ବିଚରା ହାତୀ ପଡ଼ିଗଲା ।’ ଏ ଘଟଣାଟି କେବେ କେଉଁ ବିଜୁଳିଘର ପାଖରେ ଘଟିଥିଲା । ହାତୀ ଗହୀର କୁଣ୍ଡ ଭିତରେ ପଡ଼ିଯାଇଥିଲା । ତା’କୁ ବାହାର କରିବାକୁ ଲୁହାର ଦଉଡ଼ି ଲଗାହେଲା ଓ କ୍ରେନ୍‌ର ବ୍ୟବହାର ହେଲା । ମନେ ମନେ ଏହି ଘଟଣାର କଳ୍ପନା କରି ସେ ଆଖି ବୁଜିଲା ।

 

ଉଞ୍ଚା ଉଞ୍ଚା ‘ବୀମ୍’ ବାଲା ଦୁଇଟି କ୍ରେନ୍ । ତାଙ୍କର ଚାଲିବାର ଶବ୍ଦ ସାଙ୍ଗକୁ ହାତୀର ଗର୍ଜନ ଧୀରେ ଧୀରେ ଶୁଣାଯାଉଛି । ନା, ଟିକେ ଭୁଲ୍ ହୋଇଗଲା । ସେ ଭୟଙ୍କର ଶବ୍ଦ କରି କରି ଧଡ଼ାସ୍ କରି ପଡ଼ିଗଲା । ‘କିଏ ଅଛ ? ଆରେ କିଏ ଅଛ ? ଏଠି କ’ଣ ହେଲା ? ହାତୀକି କ’ଣ କୁଣ୍ଡରୁ ବାହାର କରି ହବ ?’ ସେ କୁଣ୍ଡ ଭିତରକୁ ନଇଁକରି ଚାହିଁଲା । ତାକୁ ଲାଗିଲା ତା’ ଗୋଡ଼ତଳର ମାଟି ଜୋରରେ ବୁଲୁଚି । ଆରେ ଏ ତ ସେଇ....ସେଇନା ? ଯିଏ ବିଦ୍ୟୁତ୍‌ଲତା ରୂପରେ ହଂସତରୀ ଉପରେ ବସିକରି ଆସିଥିଲା । ତାକୁ ଏଇ କାଦୁଅକୁ ଠେଲିଦେଲା କିଏ ?

 

ସେ ଏହିପରି ଭାବୁଥିଲା । ଏତିକିବେଳେ ତାକୁ କାହାରି ହସିବାର ଶବ୍ଦ ଶୁଣାଗଲା । ରୋଜୀ ହସୁଚି କି ? ହଠାତ୍ ଦେହର ଶିରା-ପ୍ରଶିରା ଦୋହଲାଇ ଦେବାଭଳି ଭୟଙ୍କର ଶବ୍ଦଟାଏ ଶୁଣାଗଲା । ସେତେବେଳେ ସେଠି ପଡ଼ିଥିବା ବେଞ୍ଚ ବି ଦୋହଲି ଯାଉଚି । ତାର କୁଣ୍ଡରେ ପଡ଼ିଯିବାର ମନେପଡ଼ିବା ମାତ୍ରେ କର୍ତ୍ତବ୍ୟବୋଧ ଜାଗ୍ରତ ହେଲା ।

 

‘‘ବଟନ୍ ବନ୍ଦ କରିଦିଅ ! ବନ୍ଦ କରିଦିଅ.....ବନ୍ଦ କରିଦିଅନା !’’ କହି ଶୀଘ୍ର ଶୀଘ୍ର ଉଠି ସେ ଟଳି ଟଳି ପାହାଚରେ ଓହ୍ଲାଇ ଆସିଲା ।

 

‘‘କ’ଣ ହେଲା ଭାଇ ସଂପତ ! ଏମିତି ଘାବରେଇ ଯାଉଚ କାହିଁକି ?’’

 

‘‘ଆଜ୍ଞା.... ଶବ୍ଦ....’’

 

‘‘ସବୁ ଠିକ୍ ଅଛି ଭାଇ, ତୁ ନିଜେ ଦେଖିଯା ସବୁ ଠିକ୍ ଅଛି ।’’

 

ଲାଲ ବତିଟା ଜଳୁ ନଥିଲା । ପାଣି ପଡ଼ିବାର, ଚକ ଘୂରିବାର ଓ ସାଙ୍ଗେ ସାଙ୍ଗେ କାହାରି ହସିବାର ଶବ୍ଦ ଶୁଣାଯାଉଛି....

 

‘‘କେତେଟା ବାଜିଚି ସାର୍ ?’’

 

‘‘ଦୁଇଟା ବାଜିଚି । ତୁ ପନ୍ଦର ମିନିଟ୍ ହେଲା ଶୋଇବାକୁ ଯାଇଥିଲୁ....’’

 

‘‘ଆଜ୍ଞା ଏଇ ଗଣ୍ଡଗୋଳ ଭିତରେ ମୁଁ ଶୋଇବି କେମିତି ? ମୋ ମୁଣ୍ଡ ବଥଉଚି....’’

 

‘‘ଏଠି ସବୁଠୁ ବଡ଼ କଷ୍ଟ ତ ଏଇଟା । ଯେତେବେଳେଯାକେ ଶବ୍ଦର ଅଭ୍ୟାସ ହୋଇଯାଇ ନାହିଁ ସେତେବେଳଯାକେ ଏଗୁଡ଼ାକ ଅଦ୍ଭୁତ ଲାଗେ । କାନରେ ଟିକିଏ ତୂଳା ଦେଇ ଶୋଇବାକୁ ଚେଷ୍ଟା କର । ସବୁ ଠିକ୍ ହୋଇଯିବ । ଆଚ୍ଛା ଯାଆ, ତୁ କିଛି ସ୍ୱପ୍ନ ଦେଖିନାହୁଁ ତ ?’’

 

ସେ କ’ଣ ଜବାବ୍ ଦବ ?

 

‘‘ମୁଁ ଯେତେବେଳେ ପ୍ରଥମ ପ୍ରଥମ ବିଜୁଳିଘରରେ କାମ କରିବାକୁ ଆସିଥିଲି ମତେ ବି ଏଇମିତି ଲାଗୁଥିଲା । ସେତେବେଳେ ତ ଆଉ ‘ଅଟୋମେଟିକ୍’ ମେସିନ୍ ନ ଥିଲା । ବଡ଼ କଷ୍ଟ ହଉଥିଲା । ଘରକୁ ଯିବାପରେ ବି ଏଇ ଶବ୍ଦ ଶୁଣାଯାଉଥାଏ । ମନେହୁଏ, ସେହି ଶବ୍ଦଯାକ ବାୟୁମଣ୍ଡଳରେ ଗୁଞ୍ଜନ କରୁଚନ୍ତି । ମୁଁ ପର ମାସରେ ଗାଆଁକୁ ଯାଇ ବାହାହୋଇ ଫେରିଲି, ତେବେଯାଇ ଥୟ ହେଲି..... ।’’

 

ଶର୍ମା ମୁହଁରେ ହଠାତ୍ ବିଜୟସୂଚକ ହସଟିଏ ବିଜୁଳି ପରି ଖେଳିଯାଇ ମିଳାଇଗଲା । ସଂପତ ଆଉ ଶୋଇବାକୁ ଗଲାନାହିଁ । ସେ ଆଖି ବୁଜି ଭାବିଲା ଯେ ସେ ଘରକୁ କ’ଣ ଲେଖିବ ।

 

‘‘ଏଠି ‘ମେସ୍’ରେ ଭଲ ଖାଇବାକୁ ମିଳୁନି । ମୋ ପେଟରେ ସଦାବେଳେ ବେଦନା ରହୁଚି । ଏଠି ଭଲ ହୋଟେଲ ନାହିଁ । ଏଠିକାର ଲୋକମାନେ ମତେ ବିଭାହେବାକୁ ଉପଦେଶ ଦେଉଛନ୍ତି । ଯଦି ଭଲ ଝିଅଟିଏ ମିଳେ ତା’ହେଲେ ମତେ ବି.... ।’’

Image

 

କୁମାରପୁରମ୍ ଷ୍ଟେସନ୍

 

କୁମାରପୁରମ୍ ନିର୍ଜନ ସ୍ଥାନରେ ଅବସ୍ଥିତ ଗୋଟିଏ ଷ୍ଟେସନ୍ । ତାର ଚାରିପଟେ ଅଧମାଇଲ ଆକ୍ରାନ୍ତ କୌଣସି ଗାଁଗଣ୍ଡା ନାହିଁ । ଷ୍ଟେସନଟିଏ କରିଦେଲେ ତାର କିଛି ନା କିଛି ଗୋଟେ ନାଁ ଦେବା ଦରକାର ତ ? ଏଇ ଦୃଷ୍ଟିରୁ ସେ ଷ୍ଟେସନର ନାଁଟା କୁମାରପୁରମ୍ ଦିଆହୋଇଥିଲା; କିନ୍ତୁ ପୂର୍ବ ଦିଗକୁ ମାଇଲିଏ ଦୂରରେ ଅବସ୍ଥିତ କୁମାରପୁରମ୍ ଗାଆଁଟି ଗତ ପଚସ୍ତରୀ ବର୍ଷ ହେଲା ସେ ଷ୍ଟେସନକୁ ଯେପରି ବାସନ୍ଦ କରି ରଖିଚି । ଲୋକେ କହନ୍ତି, ‘ଦାଦୁବର୍ଷ’ ସେ ଦୁର୍ଭିକ୍ଷ ପଡ଼ିଥିବାବେଳେ ଜନତାର ଉପକାର ସକାଶେ ତିରୁଚ୍ଚିରୁ ତରୁନେଲ୍‌ବେଲୀଯାକେ ରେଳ ଲାଇନଟି ପକା ହୋଇଥିଲା । ଏ ଷ୍ଟେସନ୍ ସେଇ ରାସ୍ତାରେ କୋବିଲ୍‌ପଟ୍ଟୀ ନାମକ ସ୍ଥାନରେ ଦକ୍ଷିଣରେ ସାତ ମାଇଲ ଦୂରରେ ଅବସ୍ଥିତ । ପାଖଆଖ ଗାଁରେ ରହୁଥିବା ଲୋକମାନେ ତାଙ୍କ ଜୀବନରେ ଥରେ ବା ଦି’ଥର ମନ୍ଦିର, ତୀର୍ଥସ୍ଥାନ ଲାଗି ଯାତ୍ରା କରିଥାନ୍ତି । ସେଠୁ ଦଶ ମାଇଲ ଦୂରରେ ଚଣ୍ଡିକା ଦେବୀଙ୍କର ଗୋଟିଏ ମନ୍ଦିର ଥିଲା । ସେଠି ଯାଇ ପାଏସ୍ ଭୋଗ ଲଗେଇବା ପ୍ରଥା ପ୍ରଚଳିତ ଥିଲା । ସେହି କ୍ଷେତ୍ରାଟନ ସକାଶେ ନା ରେଳଗାଡ଼ି ଦରକାର ଥିଲା ନା ମୋଟର ଗାଡ଼ିର ଦରକାର ପଡ଼ୁଥିଲା । ପ୍ରାୟ ଲୋକେ ଯୁଆଡ଼େ ଯାଆନ୍ତି ସେସବୁ ଷ୍ଟେସନଠୁଁ କମ୍ ବାଟ । ଏପରି କ୍ଷେତ୍ରରେ ସେଇ ଗାଁବାଲା ସିଧା ଚାଲି ନଯାଇ ଷ୍ଟେସନ୍ ଯାଇ ରେଳ ଧରିବା କୋଉ ବୁଦ୍ଧିର କାମ ହୁଅନ୍ତା ?

 

ଏ ଷ୍ଟେସନ୍‌ର ଇତିହାସ ଅନୁସାରେ ସୁବ୍ବରାମ ଅୟର ଏ ଷ୍ଟେସନକୁ ଆସିଥିବା ମୁଖ୍ୟ ଲୋକଙ୍କ ଭିତରେ ସର୍ବପ୍ରଥମ ବୋଲି ଖ୍ୟାତ । ସେ ତିନିଦିନ ଆଗରୁ କୋବିଲପଟ୍ଟୀରୁ ଆସିଥିଲେ-। ସେ ନୂଆ ଷ୍ଟେସନ ମାଷ୍ଟରଙ୍କର ବାଲ୍ୟବନ୍ଧୁ ଥିଲେ । କିଛି କାଳ ସେମାନେ ଏକାଠି ସ୍କୁଲରେ ପଢ଼ିଥିଲେ । ତାଙ୍କର କିଛି ଦୂର-ସମ୍ପର୍କ ବି ଥିଲା । ଷ୍ଟେସନ ମାଷ୍ଟରଙ୍କୁ ହଠାତ୍ ସେଇ ନିର୍ଜନ ଷ୍ଟେସନରେ ନିଜର ସାଙ୍ଗକୁ ସ୍ୱାଗତ କରିବାର ଓ ଭୋଜି ଇତ୍ୟାଦି ଦେବାର ଗୋଟିଏ ସୁଯୋଗ ଆସିଲା । ତାଙ୍କ ପୁଅର ଷଷ୍ଠବାର୍ଷିକ ଜନ୍ମଦିନ ଥିଲା । ସେହି ଉପଲକ୍ଷେ ସେ ତାଙ୍କ ସାଙ୍ଗକୁ ନିମନ୍ତ୍ରଣ କଲେ । ସୁବ୍ବରାମ ଅୟର ସେହି ଶାନ୍ତ ବାତାବରଣରେ ନିଜର ସାଙ୍ଗଙ୍କ ସଙ୍ଗେ ଆରାମରେ କାଳ କଟାଇବା ଉଦ୍ଦେଶ୍ୟରେ ତାଙ୍କ ପାଖେ ଆସି ପହଞ୍ଚିଲେ ।

 

(୧) ତାମିଲ ବର୍ଷରୁ ଗୋଟିଏ ।

 

ସେହି ଜନ୍ମଦିନ ଉତ୍ସବରେ ସୁବ୍ଦରାମ୍ ଅୟର ଏକମାତ୍ର ଅତିଥି । ଦୁଇ ବାଲ୍ୟବନ୍ଧୁ ରାତି ସାରା ତାଙ୍କ ଜୀବନ ବିଷୟ, ପ୍ରବାସରେ ହୋଇଥିବା ଘଟଣା ଓ ନିଜ ନିଜର ପରିବାର ବିଷୟରେ ବିସ୍ତାରିତ ଆଲୋଚନା କରି କଟାଇଲେ । ଷ୍ଟେସନ୍ ମାଷ୍ଟର ପଚାରିଲେ ଯେ କୋବିଲପଟ୍ଟୀରେ କି କି ବିଶେଷ ସୁବିଧା ଅଛି ? ସୁବ୍‌ବରାମ ଅୟର ପଚାରିଲେ ଯେ କୁମାରପୁରମ୍ ଷ୍ଟେସନରେ ସେ କିପରି ସମୟ ବିତାଇ ପାରନ୍ତି... ? ଏହିପରି କଥାବାର୍ତ୍ତା ଭିତରେ ଦିନଟିଏ କଟିଲା ।

 

ପରଦିନ ଷ୍ଟେସନ ମାଷ୍ଟର ଥରକୁ ଥର ତାଙ୍କଠୁଁ ନିଜ କାମରେ ଯିବାଲାଗି ଅନୁମତି ମାଗି ଚାଲିଯାଉଥାନ୍ତି । ଦିନବେଳେ ଯେବେ ଷ୍ଟେସନ ମାଷ୍ଟର ଘରେ ନ ଥାନ୍ତି ସେତେବେଳେ ସୁବ୍‌ବରାମ ଅୟର ତାଙ୍କ ପୁଅ ସାଙ୍ଗେ ବସି ଥଟ୍ଟା ତାମସା କରନ୍ତି । ତାଙ୍କର ପିଲାଙ୍କ ସଙ୍ଗେ ଖେଳିବା ବା ତାଙ୍କ ସଙ୍ଗେ ରହି ମନ ବହଲେଇବାର ଅଭ୍ୟାସ ନଥିଲା । ତାର କାରଣ ବୋଧହୁଏ ତାଙ୍କର ବୃତ୍ତି; କିନ୍ତୁ ଏଇଲାଗେ କଥାବାର୍ତ୍ତା କରିବାକୁ ସେଠି ସେଇ ପିଲାଟି ଛଡ଼ା ଆଉ କେହି ନାହିଁ-! ତା ସାଥିରେ ସେ କୌଣସିମତେ ଦି’ପହରଟି କଟେଇଲେ । ଖାଇପିଇ ସେ ଦି’ ଘଣ୍ଟା ଶୋଇଗଲେ । ତିନିଟା ସାଢ଼େ-ତିନିଟାକୁ ଉଠିପଡ଼ିଲେ ଓ ଖଣ୍ଡିଏ ବହି ଧରି ଷ୍ଟେସନ ପହଞ୍ଚିଗଲେ-

 

ପ୍ଲାଟ୍‍ଫର୍ମ ଉପରେ ପାଞ୍ଚ ଛଅଟି ନିମ୍ବଗଛ ଥିଲା । ଗରମ ସମୟ ହେତୁ ଫୁଲରେ ଭରପୂର ସେଇ ଗଛ ଚାରିକଡ଼େ ବେଶ୍ କିଛି ଫୁଲ ମାଟିରେ ବିଞ୍ଚିହୋଇ ପଡ଼ିଥିଲା । ଷ୍ଟେସନରେ କଅଁଳ ପତ୍ର ଓ ସଘନ ଗଛ ଦେଇ ସୁନ୍ଦର ସୁଗନ୍ଧିତ ଶୀତଳ ପବନ ବୋହୁଥାଏ । ଭଲ ପବନ ଆସୁଥିବ ଏମିତି ଖଣ୍ଡିଏ ବେଞ୍ଚ୍ ବାଛି ତା ଉପରେ ସେ ବହି ଖୋଲି ବସିପଡ଼ିଲେ । ଟିକିଏ ପରେ ଦକ୍ଷିଣ ଆଡ଼ୁ ଗୋଟିଏ ଏକ୍‌ସପ୍ରେସ୍ ଗାଡ଼ି ଆସିଲା । ସବୁଦିନ ପରି ସେ ସେଠି ନରହି ଆଗେଇଗଲା । ଏଇଲା ସନ୍ଧ୍ୟା ସାଢ଼େ ଛଅଟାଯାକେ ଆଉ ଗାଡ଼ି ନାହିଁ । ତେଣୁ ଷ୍ଟେସନ ମାଷ୍ଟର ତାଙ୍କ ସାଙ୍ଗଙ୍କ ପାଖେ ଯାଇ ବସିଲେ । ସୁବ୍ବରାମ ଅୟର ବହି ବନ୍ଦକରି ତଳେ ଥୋଇଦେଲେ ଓ ହସି ପଚାରିଲେ, ‘‘ଏ ଷ୍ଟେସନରେ ବି ପ୍ୟାସେଞ୍ଜର ଆସନ୍ତି ନା କଣ ?’’

 

ଷ୍ଟେସନ ମାଷ୍ଟର ଜବାବ୍ ଦେଲେ, ‘‘ହଁ ଆସିବେନି କାହିଁକି ? ଏଇ ତ କାଲି ଏଠି ଜଣେ ଓହ୍ଲେଇଥିଲା ?’’

 

ସୁବ୍ବରାମ ଅୟର ଜୋରରେ ହସିଦେଲେ ଦମେ । ‘ପ୍ରଥମେ ଆଗତ ଯାତ୍ରୀ’ ସେ ନିଜେ-

 

ସେ ଠୋ ଠୋ କରି ହସି ହସି କହିଲେ, ‘‘ଏମିତି ଆଉ ଦଶଟା ଷ୍ଟେସନ୍ ହେଲେ ରେଳଓ୍ୱେ ବଜେଟରେ ପ୍ରତିବର୍ଷ ନିଅଣ୍ଟିଆ ଦେଖାଇବାକୁ ହବ ।’’ ୟା ପରେ ସୁବ୍ବରାମ ଅୟର ହସିବା ଓ କଥା କହିବା ବନ୍ଦ କରିଦେଲେ ।

 

‘‘ନା ଏମିତି କହିହବନି । କାଲି ସୋମବାର । କୋବିଲପଟ୍ଟୀରେ ହାଟ ବସିବ । ଦଶ ଜଣ ଖଣ୍ଡେ ଟିକଟ କାଟିବାକୁ ହାଜିର ହେବେ ।’’

 

‘‘ତା ହେଲେ କହିବାକୁ ହବ, କାଲି ଷ୍ଟେସନବାଲାଏ ଦିପଇସା ଆମଦାନୀ କରିବେ ।’’

 

ଦୁହେଁ ହସିଦେଲେ । ସେତେବେଳେ କରୁପେୟା ବୋଲି ଜଣେ କୁଲି ଗୋଟିଏ କୋଣରେ ଠିଆହୋଇ ତାଙ୍କ କଥାର ଆନନ୍ଦ ନେଉଥିଲା ।

 

‘‘ଏ ଷ୍ଟେସନ ହେଲା କାହିଁକି ? ୟେ ନଥିଲେ କାହାର କଣ କ୍ଷତି ହେଇଥାନ୍ତା ?’’

 

‘‘ପାଖଆଖର ଗ୍ରାମବାସୀ ଆଉ ପ୍ରକାରେ ଏଇ ଷ୍ଟେସନର ବ୍ୟବହାର କରନ୍ତି । ଷ୍ଟେସନରୁ ଯେ ଏପରି ଗୋଟେ ଲାଭ ହୋଇପାରେ, ଏଠିକି ଆସିବା ଆଗରୁ ଏ କଥା ମୁଁ ଜାଣି ନଥିଲି ।’’

 

ସୁବ୍ବରାମ ଅୟର ତୁନି ହୋଇ ତାଙ୍କ କଥା ଶୁଣୁଥାନ୍ତି । ଷ୍ଟେସନ ମାଷ୍ଟର ପୁଣି କହିଲେ, ‘‘ଆଜିକାଲି ଗରମ ଦିନ । ତେଣୁ ଚାରିପଟର ପଡ଼ିଆ ଶୁଖିଲା ପଡ଼ିଚି, କୋଉଠି କିଛି ଗଛପତ୍ର ନାହିଁ-। ଅନ୍ୟ ପାଖରେ ଏମିତି ହୁଏନା । ଏଠିକା ଜମି ବେଶ୍ ଉର୍ବର । ସବୁ ରକମର ଫସଲ ହୁଏ ଏଠି-। ବିଲରେ କାମ କରୁଥିବା ଲୋକେ ପିଇବା ପାଣି ନବାକୁ ଏଠିକି ଆସନ୍ତି । ତାଙ୍କର ଅନ୍ତତଃ ୨୦ ମାଠିଆ ଯାକେ ପାଣି ଦରକାର ପଡ଼େ । ଏ ଦୃଷ୍ଟିରୁ ଏ ଷ୍ଟେସନଟା ତାଙ୍କର ବଡ଼ ଉପକାରରେ ଆସେ ।’’

 

‘‘ତା ହେଲେ କହ ଜଳଛତ୍ର ଜାଗାରେ ଗୋଟାଏ ଷ୍ଟେସନ ବସା ହୋଇଚି ।’’

 

ଷ୍ଟେସନ ମାଷ୍ଟର ୟା ପରେ ଗମ୍ଭୀର ହୋଇଗଲେ । ସେ କହିଲେ, ‘‘ଯୋଉଠି ଗୋଟିଏ ଜିନିଷର ଦରକାର ହୁଏ, ସେଠି ମଣିଷ ଆଉ ଗୋଟିଏ ଜିନିଷ ତିଆରି କରି ଦିଏ । କେଉଁ କାମ ଲାଗି ଗୋଟିଏ ଜିନିଷ ତିଆରି ହେଲା ତ ଲାଗିଲା ଆଉ କୋଉ କାମରେ । ମଣିଷ କିଛି ସ୍ଥିର କରି ପଇସା ଖର୍ଚ୍ଚ କରେ; କିନ୍ତୁ ପରେ ବୁଝିପାରେ ଯେ ସେ ମିଛଟାରେ ଖର୍ଚ୍ଚ କରିଚି । ପୂରା ସଂସାରରେ ଏଇ ଦୋଷ ଦେଖିବାକୁ ମିଳିବ, ଆଉ କୁମାରପୁରମ୍ ଷ୍ଟେସନର ନିନ୍ଦା ବା କାହିଁକି କରାଯିବ ?’’

 

ସୁବ୍ବରାମ ଅୟର ବ୍ୟଙ୍ଗଭରା ହସ ସହିତ କହିଲେ, ‘‘ତମେ ତ ତମର ଷ୍ଟେସନର ଝରକାବାଟେ ପୂରା ଦୁନିଆକୁ ଦେଖୁଚ । ବଡ଼ ଆଶ୍ଚର୍ଯ୍ୟ କଥା ଏଇ ମାସ ଛଅଟାରେ ତମ ମନରେ ଏଇ ପଥର ଘରଗୁଡ଼ାକ ଉପରେ ଏତେ ମାୟା ବଢ଼ିଯାଇଚି !’’

 

ଷ୍ଟେସନ ମାଷ୍ଟର ଟିକିଏ ଉତ୍ତେଜିତ ହୋଇ କହିଲେ, ‘‘କହିଲ ଟିକିଏ, କୋବିଲ୍‌ପଟ୍ଟୀରେ ଯୋଉ ସ୍କୁଲଟି ଅଛି, ସେଇଟା କାହିଁକି ତିଆରି ହୋଇଚି ?’’

 

‘‘ସ୍କୁଲ ପୁଣି କାହିଁକି ତିଆରି ହୁଏ ? ପିଲାଏ ବଢ଼ିବେ, ଏଇଥିପାଇଁ ସ୍କୁଲ ତିଆରି ହୁଏ ।’’

 

ଷ୍ଟେସନ ମାଷ୍ଟର କହିଲେ, ‘‘ଏ କଥା ମୁଁ ମାନୁଚି; କିନ୍ତୁ କହିଲ ଏତେଗୁଡ଼ାଏ ପିଲା ପଢ଼ନ୍ତି କାହିଁକି ?’’

 

‘‘ତମେ ଏମିତିକା କଥାଗୁଡ଼ା ପଚାରିଲାଗିଚି କାହିଁକି ?’’

 

‘‘ଜାଣି ଜାଣି ମୁଁ ଏସବୁ ପ୍ରଶ୍ନ ପଚାରୁଚି । ଜବାବ୍ ଦିଅ ନା ।’’

 

‘‘....................................’’

 

‘‘ତମେ କହିବ ଯେ ପିଲା ତାଙ୍କ ଜ୍ଞାନବୃଦ୍ଧି ଲାଗି ପଢ଼ନ୍ତି ।’’

 

‘‘କାହିଁକି, ତମେ ୟା ପାଇଁ ଆଉ କୋଉ କାରଣଟା କହିବ କି ?’’

 

‘‘ଏମିତି ମୂର୍ଖ କେହି ନାହିଁ ଯେ କି ଜ୍ଞାନବୃଦ୍ଧି ସକାଶେ ପିଲାକୁ ସ୍କୁଲ ପଠେଇବ । ଆମେ ଦିହେଁ କଣ ନିଜର ଜ୍ଞାନ ବଢ଼ାଇବାଲାଗି ସ୍କୁଲରେ ପଢ଼ିଥିଲେଇଁ ? ଯେବେ ଏମିତି ଗୋଟେ ଆଇନ୍ କରାହୁଅନ୍ତା ଯେ ନିରକ୍ଷରଙ୍କୁ ବି ଚାକିରି ମିଳିବ, ତାହେଲେ ମୁଁ କହିପାରେ ଯେ କିଏ ବର୍ଷାରୁ ରକ୍ଷା ପାଇବାକୁ ବି ସ୍କୁଲ ଘରେ ଯାଇ ଠିଆହବନି ।’’ ଷ୍ଟେସନ୍ ମାଷ୍ଟର ବାଜି ରଖିଲେ ।

 

ସୁବ୍ବରାମ୍ ଅୟର ହସିବାରୁ ପାଖରେ ଥିବା କୁଲିଟି ବି ହସିଦେଲା । ତା ସାମନାଟାରେ ଥଟ୍ଟା-ତାମସା କରିବା ଉଚିତ ନୁହଁ ବୋଧହୁଏ ଏତିକି ଭାବି ସୁବ୍ବରାମ ଅୟର ଚୁପ୍ ହୋଇଗଲେ ଓ ସେ ତାଙ୍କ ବହିଟି ଉଠେଇନେଲେ ।

 

‘‘କାହିଁକି, ଚୁପ୍ ହେଇଗଲ କାହିଁକି ?’’ କହି ଷ୍ଟେସନ ମାଷ୍ଟର ତାଙ୍କୁ ଜବାବ ଲାଗି ଉସ୍କେଇଲେ ।

 

‘‘କଥାରେ କିଏ ପାରିବ ତମ ସାଙ୍ଗରେ ? ଯାବଚ୍ଚନ୍ଦ୍ରାର୍କେ କୁମାରପୁରମ୍ ଷ୍ଟେସନ ରହିଥାଉ ସେଥିରେ ମୋର କିଛି କ୍ଷତି ନାହିଁ,’’ କହି ସୁବ୍ବରାମ ଅୟର ବହିଟି ଏପରି ଓଲଟେଇଲାଗିଲେ ଯେପରି କିଛି ବିଶେଷ ପ୍ରସଙ୍ଗ ଖୋଜୁଛନ୍ତି ।

 

ଷ୍ଟେସନ ମାଷ୍ଟର କୁଲିକି ଡାକି ‘‘କରୁପ୍‌ପେୟା, ଘରକୁ ଯାଇ କଫି କରିବାକୁ କହିଦେ’’ କହି ତାକୁ ସେଠୁ ପଠେଇଦେଲେ ।

 

ସୁବ୍ବରାମ ଅୟର କହିଲେ, ‘‘ଆମେ ବି ଯିବା ଚାଲ ।’’

 

ଟିକିଏ ପରେ ଦୁହେଁ ଷ୍ଟେସନ ପାଖରେ ଥିବା ଘରଆଡ଼କୁ ଗଲେ ।

 

ତୃତୀୟ ଦିନ ସକାଳ ଆଠଟା ସରିକି ଗୋଟିଏ ପାସେଞ୍ଜର ଗାଡ଼ି ଉତ୍ତର ଆଡ଼କୁ ଯିବାର ଥିଲା । ସେଦିନ ସୋମବାର । କୋବିଲପଟ୍ଟୀରେ ବସୁଥିବା ହାଟକୁ ଯିବାପାଇଁ ଚାରି ପାଞ୍ଚଜଣ ଯାତ୍ରୀ ସାତଟା ବାଜିବା ଆଗରୁ ତାଙ୍କ ବସ୍ତା ନେଇ ଷ୍ଟେସନ ପାଖୁ ଆସି ବସିଥିଲେ । ସେମାନେ ପାନ ଖାଇ ଖାଇ ନିଜ ନିଜ ଭିତରେ କଥାବାର୍ତ୍ତା କରୁଥିଲେ । ସାତଟା ବାଜି ପନ୍ଦର ମିନିଟ୍ ବେଳକୁ ସୁବ୍ବରାମ ଅୟର ବି ଜଳଖିଆ କରିସାରି ପ୍ଲାଟ୍‍ଫର୍ମ ଉପରେ ଥିବା ନିମ୍ବ ଗଛମୂଳେ ପଡ଼ିଥିବା ବେଞ୍ଚଟି ଉପରେ ବସି ଗଲାକାଲିର ଦରପଢ଼ା ବହିଟା ଖୋଲି ପଢ଼ିବାକୁ ଲାଗିଲେ । ଗାଁବାଲା ତାଙ୍କ ସ୍ୱଭାବ ଅନୁସାରେ ଟିକେ ପାଟିକରି କଥା ହେଉଥିଲେ; ତେଣୁ ସେ ଶାନ୍ତିରେ ପଢ଼ି ପାରିଲେନି । ନିମ୍ବଗଛ ଦେଇ ଆସୁଥିବା ବାସ୍ନା ପବନ ତାଙ୍କ ମନକୁ ଆକୃଷ୍ଟ କରୁଥିଲା ।

 

‘‘ଏଇ ମରୁଭୂମିରେ ବି ଏମିତିକା ବାସନା ରହିଚି । ଏପରି ମନ୍ଦ ମନ୍ଦ ପବନ ବି ବହୁଛି । ଚାରିଆଡ଼କୁ ଚାହିଁଲେ ଖାଲି କଳା ମାଟି ଦେଖିବାକୁ ପାଉଚି । ଏଇ ମାଟିରେ ବି କିଛି ଗଛ ଉଠି ପବନରେ ଏପରି ଚମତ୍କାର ସୁଗନ୍ଧ ଦେଉଛି । ଏହି ବାସନା ବି ଏଇ ମାଟିରୁ ଜନ୍ମ ହୋଇଛି ।’’

 

ସେ ଦୂରରେ ଦିଶୁଥିବା ଗାଁମାନଙ୍କ ଆଡ଼କୁ ଚାହିଁଲେ ।

 

‘‘ଏଇସବୁ ଗାଁର ଅଗଣିତ ସ୍ତ୍ରୀ ପୁରୁଷ ଏଇ ମାଟି ଉପରେ ନିର୍ଭର କରି ବଞ୍ଚନ୍ତି । ଏଇ କଳା ମାଟି ତାଙ୍କୁ ସୁଗନ୍ଧ ଦିଏ, ଜୀବନ ବି ଦିଏ....’’

 

ସେ ଯୋଉ ବହିଟି ପଢ଼ୁଥିଲେ ତାହାର ଶବ୍ଦମାନଙ୍କ ଅନୁରୂପ ତାଙ୍କର ଚିନ୍ତାଧାରା ମଧ୍ୟ ପ୍ରବାହିତ ହେଉଥିଲା । ତାଙ୍କର ଚିନ୍ତାଧାରା ଅଜଣା ଦିଗରେ ବୋହିଗଲା ଯେପରି ସେ କେଉଁ ବହିଟି ଆଗକୁ ପଢ଼ିଲାଗିଲେ । ହଠାତ୍ ସେ ଦେଖିଲେ ଯେ ପଶ୍ଚିମ ଦିଗରେ ପ୍ରାୟ ଅଧମାଇଲ ଦୂରରୁ ଚାରିପାଞ୍ଚଜଣ ଲୋକ ଦଉଡ଼ି ଦଉଡ଼ି ଷ୍ଟେସନ ଆଡ଼କୁ ଆସୁଥିଲେ ।

 

ସୁବ୍ବରାମ ଅୟର ମନେ ମନେ ଭାବିଲେ ‘ଗାଡ଼ି ଛାଡ଼ିବା ଏଇଲା ଡେରି ଅଛି ।’ ସେ ଲୋକଯାକ ଏମିତି ଝାଳନାଳ ଆଣ୍ଠିଏ ହେଇ କାହିଁକି ଧାଇଁଆସୁଛନ୍ତି ? ଏହାଠୁଁ ବେଶୀ ଦୟା ତାଙ୍କର ସେଇ ଘଣ୍ଟାଏ ଆଗରୁ ଆସି ଅପେକ୍ଷା କରୁଥିବା ଲୋକଙ୍କପାଇଁ ହେଲା ।

 

ସେ ମନେ ମନେ କହିଲେ, ‘ବିଚରା ସାଦାସିଧା ମଣିଷଗୁଡ଼ାକ’ ।

 

ନିମ୍ବଗଛ ଦେଇ ରହି ରହି ଆସୁଥିବା ପବନ ଆରାମ ଦେଉଥିଲା । ତାଙ୍କୁ ବୋଧହେଲା ସେଇ ହାଉଆ ଖାଇବା ସକାଶେ ଗରମ କାଳଟା ଏଇଠି କଟାଯାଇପାରେ । ଏପରି ମନର ଅବସ୍ଥାରେ ଚାରିଆଡ଼ର ମାଟି, ଘାସ, ଘାସ ଭିତରେ ଫୁଟିଥିବା ଜଙ୍ଗଲୀ ଫୁଲ ଆଉ ମଇଳା ମସିଆ ରଙ୍ଗର ଜଙ୍ଗଲୀ ଗଛମାନଙ୍କ ପ୍ରତି ତାଙ୍କ ମନରେ ମାୟା ଆସିଲା । ଟିକିଏ ପରେ ମୁଁ ଗାଡ଼ି ଚଢ଼ି ଏଠୁ ଚାଲିଯିବ, ଏତିକି ଭାବିବାରେ ତାଙ୍କର ମାୟା କିଛିଟା ଆହୁରି ‘ପ୍ରବଳ’ ହେଲା ।

 

‘ମଣିଷ କୋଉଠି କୋଉଠି ରହୁଛି । ସେମାନେ ବି ମଣିଷ ପରି ରହୁଛନ୍ତି !’ ଟିକିଏ ପରେ ଦୁଇ ତିନି ଜଣ ଲୋକ ପ୍ଳେଟଫର୍ମରେ ପହଞ୍ଚିଲେ । ସେମାନେ ମୁଣ୍ଡ ଉଠାଇ ସିଗ୍‌ନାଲ ଆଡ଼କୁ ଚାହିଁଲେ ଓ ସେଇଠି ଲାଇନ୍ ପାଖେ ଠିଆ ହୋଇଗଲେ । ଜଣେ ଲୋକ କେବେ ଗାଈ କିଣିଥିଲା । ସେଇ ଘଟଣାର ବର୍ଣ୍ଣନା ସେ କାହାଣୀରୂପେ କହୁଥାଏ ଓ ଅନ୍ୟ ଲୋକ ‘ହୁଁ ହୁଁ’ କରି କରି ଶୁଣୁଥିଲେ ।

 

ସୁବ୍ବରାମ ଅୟର ତାଙ୍କ କଥାକୁ ମନଦେଇ ଶୁଣିଲେ । ତାଙ୍କୁ ଲାଗିଲା ସେମାନଙ୍କ କଥାବାର୍ତ୍ତାରେ କେବଳ ସତ୍ୟ ନୁହେଁ, ଗମ୍ଭୀରତା ଓ ସରଳତା ବି ଅଛି । ତାଙ୍କ ମନରେ ଏହି ଇଚ୍ଛା ଜାଗିଲା ଯେ ସେମାନଙ୍କୁ ଡାକି ଆଦ୍ୟପ୍ରାନ୍ତ ତାଙ୍କର ଜୀବନର କାହାଣୀ ଶୁଣନ୍ତେ ।

 

ଅଧମାଇଲ ଦୂରରେ ଧଳା ଧୋତି ପିନ୍ଧିକରି ଯେଉଁ ଲୋକସବୁ ଧାଇଁ ଆସୁଥିବାର ଦେଖାଯାଉଥିଲା, ତାଙ୍କ ଭିତରେ ଚାରିଟି ପୁଅ ଥିଲେ ଓ ଜଣେ ବୁଢ଼ା ଥିଲେ । ସେମାନେ କାଶି କାଶି ତାଙ୍କ ଆସିବାର ସୂଚନା ଦେଇ ଷ୍ଟେସନରେ ଆସି ପହଞ୍ଚିଲେ । ଆସିବା ମାତ୍ରେ ଧାଇଁ ଆସିଥିବା ବୁଢ଼ା ଜଣକ ପଚାରିଲା, ‘‘ଟିକଟ କଣ ବଣ୍ଟା ସରିଲାଣି ?’’

 

ସେଠି ଥାଇ କଥାବାର୍ତ୍ତା କରୁଥିବା ଲୋକଙ୍କ ଭିତରୁ ଜଣେ କହିଲା, ‘‘ନା, ନା ।’’

 

ସମସ୍ତେ ସ୍ୱସ୍ଥିର ନିଶ୍ୱାସ ନେଲେ । ସେଇ ଚାରିଟି ପିଲାଙ୍କ ଆଖି ପଡ଼ିଗଲା ନିମ୍ବଗଛ ମୂଳର ବେଞ୍ଚ ଉପରେ ବସିଥିବା ସୁବ୍ବରାମ ଅୟରଙ୍କ ଉପରେ । ତାଙ୍କୁ ଦେଖିବା ମାତ୍ରେ ସେମାନଙ୍କ ମନରେ ତାଙ୍କପ୍ରତି ସମ୍ମାନଭାବ ଜାଗ୍ରତ ହେଲା ଓ ସେମାନେ ବି ଯେପରି ନିଶ୍ୱାସ ଆସ୍ତେ ଆସ୍ତେ ନବାକୁ ଲାଗିଲେ । ଏପରି ଜଣେ ଲୋକକୁ ସେମାନେ ବର୍ଷକୁ ଥରେ ଦେଖିବା ଦୁର୍ଲଭ ଥିଲା । ତାଙ୍କର ସ୍କୁଲରେ କଦବା କ୍ୱଚିତ୍ ଆସନ୍ତି ଯୋଉ ଇନ୍‌ସପେକ୍‌ଟର ବାବୁ, ତାଙ୍କରି ପରି ଅୟର ବାବୁ ବି ଗୋଡ଼ରେ ବୁଟ୍ ପିନ୍ଧିଚନ୍ତି, ବେକଚିପା କୋଟ ଓ ଜରିଦାର ଚଦର ପିନ୍ଧିଚନ୍ତି । ମୁଣ୍ଡର ଚନ୍ଦାଟି ବି ତାଙ୍କର ଗାରିମା ବଢ଼ାଉଥିଲା । ଅପଲକଭାବେ ସେଇ ପିଲାମାନଙ୍କୁ ଅୟର ବାବୁ ବି ଦେଖିଲେ । ଚାରିଟି ଯାକ ଛୁଆ ପ୍ରାୟ ଏକା ବୟସର । ତାଙ୍କ ବୟସ ୧୨ ରୁ ୧୫ ବର୍ଷ ଭିତରେ ହବ । ପ୍ରତି ପିଲା ହାତରେ ଖଣ୍ଡେ ଦିଖଣ୍ଡ ବହି ଓ କିଛି ଖାଲି କାଗଜ ଥିଲା । ତାଙ୍କ କମିଜ ପକେଟରେ ପଡ଼ିଥିବା ପେନ୍‌ସିଲ୍‍ଗୁଡ଼ିକ ଦେଖି ପରିଷ୍କାର ଜଣାଗଲା ସେମାନେ ସ୍କୁଲ୍‌ଛାତ୍ର । ଯଦିଓ ସେଇ ପିଲାମାନେ ଓ ଅୟରବାବୁ ପରସ୍ପର ଦୃଷ୍ଟି ବିନିମୟ କରୁଥିଲେ, ତଥାପି ସେମାନେ ନିଜ ଭିତରେ କଥାବାର୍ତ୍ତା ଆରମ୍ଭ କରିବାକୁ ଚେଷ୍ଟା କଲେ ନାହିଁ । ସେତେବେଳେ ପୁଣି ସିଗ୍‌ନ୍ୟାଲ୍ ଡାଉନ୍ ହୋଇଗଲା । ଷ୍ଟେସନ ମାଷ୍ଟର ଟିକଟ ନେଇ ସୁବ୍ବରାମ ଅୟରଙ୍କ ପାଖୁ ଆସି ପହଞ୍ଚିଲେ ।

 

‘‘ମନେ ହେଉଚି ଏ ଜାଗାଟି ତମର ଭାରି ପସନ୍ଦ । ଏଇଠି ସଦାବେଳେ ବସିଥାଅ ।

 

ସୁବ୍ବରାମ ଅୟର କହିଲେ, ‘‘ଏଠି ଭଲ ପବନ ।’’ ଏହାପରେ ସେ ତାଙ୍କ ଟିକଟଟି ନେଲେ ।

 

‘‘ଯଦି ଏ କଥା ସତ, ଆସନ୍ତା ଛୁଟିରେ ବି ଏଠିକି ଆସ । ଏମିତି ଦିନ ତିନିଟାରେ ନ ଫେରି ଅନ୍ତତଃ ଦଶଦିନ ଏଠି ରହିକରି ଯିବ....’’

 

‘‘ହଉ ହଉ । ଦଶଦିନ ତ ? ରାମ ଚଉଦବର୍ଷ ବଣକୁ ଯାଇଥିଲେ, ଆଉ ମୁଁ କଣ ଦଶଦିନ ବି ଏଠି ରହିପାରିବିନି ?’’

 

ଷ୍ଟେସନ୍ ମାଷ୍ଟର କହିଲେ, ‘‘ସେହି ବନବାସରେଇ ରାମଙ୍କୁ ମିଳିଥିଲେ ତାଙ୍କର ପ୍ରାଣସଖା, ବନବାନରୁଇ ସେ ରାମତ୍ୱ ପାଇଲେ ।’’

 

ସୁବ୍ବରାମ ଅୟର ଥଟ୍ଟା କରି କହିଲେ, ‘‘ବୋଧହୁଏ ସ୍କୁଲ୍ ଛାଡ଼ିବାପରେ ଖୁବ୍ ଶାସ୍ତ୍ରଚର୍ଚ୍ଚା କରିଛ ।’’ କିନ୍ତୁ ତାଙ୍କର ମନେହେଲା ତାଙ୍କ ବନ୍ଧୁଙ୍କ କଥାରେ ଗୋଟେ ସୁଖ ରହିଛି, ଗୋଟେ ସତ୍ୟତା ରହିଛି ।

 

ବେଶୀ ସମୟ ଖୁସିଗପ କରିବାକୁ ଅବସର ନଥିଲା । ଗାଡ଼ି ଆସିବାର ବେଳ ହୋଇଗଲା । ଷ୍ଟେସନ ମାଷ୍ଟର ନିଜର କୋଉ କାମ ସକାଶେ ଷ୍ଟେସନ୍ ଭିତରକୁ ଗଲେ । ପିଲାମାନଙ୍କୁ ସେଇ ଜାଗାରେ ଠିଆକରାଇ ବୁଢ଼ା ଯାଇ ଟିକଟ କାଟି ଆଣିଲା । ସବୁତକ ଯାତ୍ରୀ ଟିକଟ ନେଇ ପ୍ଳାଟଫର୍ମ ଉପରେ ଆସି ଗାଡ଼ି ଧରିବାକୁ ପ୍ରସ୍ତୁତ ହେଲେ ।

 

ଠିକ୍ ବେଳେ ଗାଡ଼ି ଆସିଲା । ଯେଉଁ ଡବାରେ ଅୟର ବାବୁ ଚଢ଼ିଥିଲେ ସେଇଥିରେ ସେ ଗାଉଁଲି ବୁଢ଼ା ଓ ତା ପଛେ ପଛେ ଗୋଟି ଗୋଟି କରି ସବୁ ପିଲାଯାକ ଚଢ଼ିଲେ । ଗାଡ଼ିରେ ଢେର୍ ଜାଗା ଥିଲା । ଅୟର ବାବୁ ଝରକା ପାଖ ଦେଖି ଜାଗା କରି ବସିଲେ । ତାଙ୍କ ସାମ୍‍ନାର ସିଟ୍‌ରେ ଗୁଡ଼ାଏ ଜାଗା ଥିଲା । ପିଲାମାନେ ତାରି ଉପରେ ବସିପଡ଼ିଲେ । ବୁଢ଼ା ଯାଇ ସୁବ୍ବରାମ ଅୟରଙ୍କ ପାଖରେ ବସିଲେ । ସୁବ୍ବରାମ ଅୟରଙ୍କ ବାଁ ପଟେ ଜଣେ ବିରାଟକାୟ ଲୋକ ଢେର୍‌ଗୁଡ଼ାଏ ଜିନିଷପତ୍ର ନେଇ ବସିଥିଲେ । ତାଙ୍କ ସାମନାରେ ଝରକା ପାଖ ସିଟ୍‌ରେ ମାଇପିଟିଏ ବସିଥିଲା, ଯାହାର ଓଜନ ସେ ଲୋକର ଓଜନର ଅନ୍ତତଃ ବାରଣା ହବଇ ହବ । ସେଇ ମାଇପିଟି ପାଖରେ କିଛି ଗଣ୍ଠିଲି, ବାସନକୁସନ ପ୍ରଭୃତି ରହିଥିଲା....

 

ଗାଡ଼ି କୁମାରପୁରମ୍ ଷ୍ଟେସନ୍‌ରୁ ଛାଡ଼ିଦେଲା ।

 

ପିଲାମାନେ ଦୁଇପଟର ଝରକା ବାଟେ ଓଲଟା ଦିଗରେ ଦଉଡ଼ୁ ଥିବା ଗଛବୃକ୍ଷଗୁଡ଼ିକୁ ଆନନ୍ଦମଗ୍ନ ହୋଇ ଦେଖୁଥାନ୍ତି । ସେଇ ପିଲାଙ୍କ ମୁହଁରେ ଯେଉଁ ଆଶ୍ଚର୍ଯ୍ୟ ଓ ଆନନ୍ଦର ଭାବ ଫୁଟି ଉଠୁଥିଲା ତାକୁ ନେଇ ସୁବ୍ବରାମ ଅୟରଙ୍କୁ ଲାଗିଲା ଯେ ସେମାନେ ବୋଧହୁଏ ଏହି ପହିଲିଥର ରେଳଯାତ୍ରା କରୁଛନ୍ତି । ସେ ସେମାନଙ୍କ ସଙ୍ଗେ କଥା ହବାକୁ ଚାହୁଁଥିଲେ । ତାଙ୍କପରି ଲୋକ କାହାସଙ୍ଗେ କଥା ହବ କେମିତି ? ତାଙ୍କୁ ଏ କାମ କଠିନ ମନେହେଲା ।

 

କିଛି ସମୟ ପରେ ପଶ୍ଚିମ ଦିଗର ଝରକା ପାଖେ ବସିଥିବା ସେଇ ବିରାଟକାୟ ପୁରୁଷଟି ସେଇ ପିଲାଙ୍କ ସଙ୍ଗେ କଥାବାର୍ତ୍ତା ଆରମ୍ଭ କଲେ । ସେ ବଡ଼ ବିଧିବଦ୍ଧ ଭାବରେ କଥାବାର୍ତ୍ତା ଆରମ୍ଭ କଲେ ।

 

ସେ ପଚାରିଲେ, ‘‘ହେ ଭାଇ, କୁଆଡ଼େ ଯିବ କି ?’’ ତାଙ୍କ କଣ୍ଠସ୍ୱର ତାଙ୍କ ଦେହଠାରୁ ବି ବେଶୀ ଓଜନଦାର ଥିଲା ।

 

ତାଙ୍କୁ ଉତ୍ତର ଦବାର ଇଚ୍ଛା ସେ ପିଲାଙ୍କର ନ ଥିଲା ।

ତାଙ୍କ ବଦଳି ବୁଢ଼ା ଜଣକ କହିଲେ, ‘‘ଏମାନେ କୋବିଲପଟ୍ଟୀର ବଡ଼ ସ୍କୁଲରେ ନାଁ ଲେଖେଇବାକୁ ଯାଉଚନ୍ତି ।’’

ପିଲାଏ ସେ ଲୋକକୁ ଗୋଡ଼ଠୁଁ ମୁଣ୍ଡଯାଏ ଦେଖିଲେ । ତାର ହୀରାର କାନଫୁଲ, ହୀରାର ମୁଦି, ସୁନା ବୋତାମ, ବଡ଼ ‘ରିଷ୍ଟଓ୍ୱାଚ୍’ ଏସବୁ ଥରକୁ ଥର ସେମାନଙ୍କର ଦୃଷ୍ଟି ଆକର୍ଷଣ କରୁଥାନ୍ତି ।

‘‘କୋଉ କ୍ଲାସରେ ନାଁ ଲେଖେଇବାକୁ ଯାଉଚନ୍ତି ?’’

‘‘ଏଠି ଗାଁରେ ଷଷ୍ଠ ଶ୍ରେଣୀ ପାସ୍ କରିଚନ୍ତି । ସେଠି ସପ୍ତମରେ ନାଁ ଲେଖେଇବେ ।’’

‘‘ଏ ପିଲେ କେଉ ଗାଁର ?’’

‘‘ଇଡୈଶେବଲ୍ ଗାଁର ।’’

‘‘ଇଡୈଶେବଲ୍ ? ସେଠି ସପ୍ତମ ଶ୍ରେଣୀ ନାହିଁ ?’’

‘‘ନାହିଁ । ସରକାରଙ୍କୁ ଆବେଦନପତ୍ର ପଠାହେଇଚି ।’’

‘‘କ୍ଳାସ୍ ପାସ୍ କରିବାର ସାର୍ଟିଫିକେଟ ଅଛି ?’’

‘‘ହଁ, ଅଛି ।’’

‘‘ଥିଲେ ବି ପୁଣି ପରୀକ୍ଷା ନେଇ ନାଁ ଲେଖେଇବେ ।’’

ବୁଢ଼ା କହିଲେ, ‘‘ଏଇଥିପାଇଁ ବଡ଼ ମାଷ୍ଟ୍ରବାବୁ ମାସେକାଳ ଏମାନଙ୍କୁ ଘରେ ରଖି ପଢ଼େଇଥିଲେ ।’’

ବିଶାଳକାୟ ଲୋକ ଗୋଟିଏ ପିଲାକୁ ଚାହିଁ କହିଲେ, ‘‘ଦେଖ ମୁଁ ତତେ ତିନିଟା ପ୍ରଶ୍ନ ପଚାରିବି । ଯଦି ତୁ ତାର ଜବାବ୍ ଦେଇ ପାରିବୁ ତାହେଲେ ତତେ ସପ୍ତମ ଶ୍ରେଣୀରେ ନାଁ ଲେଖାଇଦେବେ ।’’ ୟା ପରେ ସେ ପଚାରିଲେ, ‘‘ହ୍ୱାଟ୍ ଇଜ ୟୋର୍ ନେମ୍ ?’’

ଗୋଟିଏ ପିଲା କହିଲା, ‘‘ମାଇଁ ନେମ୍ ଇଜ୍ ଶ୍ରୀନିବାସନ୍ ।’’

ତାର ପର ପ୍ରଶ୍ନ ତାଙ୍କର, ‘‘ହ୍ୱାଟ୍ ଇଜ୍ ୟୋର୍ ଫାଦର ନେମ୍ ?’’

‘‘ମାଇଁ ଫାଦର୍ସ ନେମ୍ ଇଜ୍ ରାମସ୍ୱାମୀ ନାୟୁଡ଼ୁ ।’’

ସେ ତୃତୀୟ ପ୍ରଶ୍ନ ପଚାରିଲେ, ‘‘ହ୍ୱାଟ୍ କ୍ଲାସ ୟୁ ପାସ୍ ?’’

ତାଙ୍କର ଭୁଲ୍‌ ଭାଲ୍ ଇଂରାଜୀ ଶୁଣି ସୁବ୍ବରାମ ଅୟର ମନେ ମନେ ହସିଲେ ।

ଶ୍ରୀନିବାସ ବେଶ୍ ଯତ୍ନକରି ଉତ୍ତର ଦେଲା, ‘‘ସିକ୍‌ସ୍ଥ କ୍ଳାସ୍ ।’’

 

‘‘ହଉ ବେଶ୍ ବେଶ୍ । ତୁ ତ ବେଶ୍ ଚାଲାକ ପିଲା । ଏଇମିତି ଫଟ୍‌ଫାଟ୍ ଜବାବ୍ ଦେଇଦବୁ । ତତେ ସପ୍ତମ ଶ୍ରେଣୀରେ ନିଶ୍ଚୟ ନେଇନେବେ ।’’

 

ପିଲାର ଖୁସି ଦେଖେ କିଏ !

 

ବୁଢ଼ା ସେ ଲୋକକୁ କହିଲା, ‘‘ଆର ଦିଜଣଙ୍କୁ ବି କିଛି ପଚାରନ୍ତୁ ।’’

 

‘‘ମତେ ତ ଏତିକି ଇଂରାଜୀ ଜଣା । ୟାପରେ ତ ମୋ ମାଷ୍ଟର କିଛି ପଢ଼େଇ ନାହାନ୍ତି ।’’ କହି ସେ ଜୋରରେ ହସିଲେ । ହସିଲାବେଳେ ତାଙ୍କର ଥନ୍ତଲ ପେଟ ବି ହଲୁଥାଏ ।

 

ସାମନାରେ ବସିଥିବା ତାଙ୍କର ସ୍ତ୍ରୀ ଓ ସୁବ୍ବରାମ ଅୟର ବି ଆସ୍ତେ ହସିଲେ ।

 

ଗାଉଁଲି ବୁଢ଼ାଟି ତାଙ୍କୁ ପଚାରିଲେ, ‘‘ଆପଣ କୋଉ ଗାଁର ?’’

 

‘‘ତିରୁନେଲବେଲୀ ଜଙ୍କସନ୍‌ରେ ଯୋଉ ପଙ୍କଜବିଲାସ ‘କଫି କ୍ଳବ୍’ ଅଛି, ସେଇଟା ମୋରି । ଆପଣ ଦେଖିଥିବେ ?’’

 

‘‘ତିରୁନେଲବେଲୀ ! ଥରେ କେବେ ପିଲାଦିନେ ଯାଇଥିଲି.......’’

 

‘‘ସେ ହୋଟେଲଟା ମୋରି । ଏଇ ପିଲାଙ୍କ ପରି ହଜାର ହଜାର ପିଲା ଆମ ହୋଟେଲରେ ଖାଇ ପଢ଼ିଚନ୍ତି । ମୁଁ ବି ପଚିଶି ବର୍ଷରୁ ଦେଖିଆସିଲିଣି ଯେ କଲେଜ ପିଲା ଆମର ଜଙ୍କସନ୍‌ବାଲା ହୋଟେଲ ଛାଡ଼ି ଆଉ କୁଆଡ଼େ ଯିବେ ନାହିଁ ।’’

 

‘‘ଭଲ ହୋଟେଲ ଛାଡ଼ି କିଏ ଯିବ କାହିଁକି ?’’

 

ସେ ବୁଲିପଡ଼ି ପିଲାମାନଙ୍କୁ ଚାହିଁ କହିଲେ, ‘‘ଦେଖ ପିଲେ, ଯେବେ ବଡ଼ ହେଇ କଲେଜରେ ପଢ଼ିବ ସେତେବେଳେ ଆମ ହୋଟେଲକୁ ଖାଇବାକୁ ଆସିବ.....’’

 

ପିଲାଙ୍କ ଖୁସିର ସୀମା ନ ଥାଏ । କୋଉ ସହରବାସୀ ତାଙ୍କ ସାଙ୍ଗେ ଏପରି ସ୍ନେହରେ କଥା କହୁଚି ଦେଖି ତାଙ୍କୁ ଲାଗିଲା ଯେମିତି ରାଜୋଚିତ ବ୍ୟବହାର ପାଉଛନ୍ତି ।’’

 

‘‘ବାବୁଙ୍କର କେତେ ପିଲା ?’’ ବୁଢ଼ା ଗାଉଁଲି ଢଙ୍ଗରେ ପଚାରିଲା ।

 

ସେ ଜବାବ୍ ଦେଲେ, ‘‘ଆମ ଦୋକାନରେ ଯିଏ ଖାଇଲେ ଓ ଯେ ଖାଇବେ ସେମାନେ ସମସ୍ତେ ଆମର ପିଲା ।’’

 

ବୁଢ଼ା ତାଙ୍କ କଥା ବୁଝି ପାରିଲାନି । ହୋଟେଲବାଲା ଭଦ୍ରଲୋକ, ତା ଜାଣିକରି ମଧ୍ୟ ବୁଢ଼ାର ବିସ୍ମୟ ଦୂର କରିବାର ଚେଷ୍ଟା କଲେ ନାହିଁ । ସେ କହିଲେ, ‘‘ଆପଣ କହି ପାରନ୍ତି କି ମୁଁ ନିଜର ପିଲାଙ୍କଠୁଁ ପଇସା ନେଇ ତାଙ୍କୁ ଖୁଆଏ; କିନ୍ତୁ କଣ ଆଉ କରାଯାଏ । ହୋଟେଲବାଲା ଏତେ ଦାନ କରି ପାରିବନି । ତଥାପି ମୋର ଶକ୍ତି ସେଇ ଅନୁସାରେ ଦାନ ନ ଦେଇ ରହିପାରେନି-। ମୁଁ କେତେ ଛୁଆଙ୍କୁ ସ୍କୁଲ ଦରମା ଦବା ପଇସା ଦେଇଚି । କାହାଠୁଁ ଫେରିପାଇଚି, କାହାଠୁଁ ନେଇନାହିଁ ।’’ ଶାନ୍ତଭାବେ ଏସ୍ କହିସାରିବା ପରେ ପରମୁହୂର୍ତ୍ତରେ ସେ ତାଙ୍କ ସ୍ତ୍ରୀକୁ ଖାଇବାକୁ ବାହାର କରି ଦେବା କହିଲେ । ହଁ, ସେ ନିଜପାଇଁ ହିଁ ଖାଇବାକୁ ମାଗିଥିଲେ ।

 

ଗାଉଁଲି ବୁଢ଼ା କହିଲା, ‘‘ଆପଣଙ୍କୁ ଦୂର ବାଟ ଯିବାକୁ ହବ ?’’

 

‘‘ଆମେ ଯାଉଚୁ ମଦୁରୈ ! ସେଠି ଗୋଟାଏ ବାହାଘର ଅଛି ।’’

 

ବୁଢ଼ା ପୁଣି ତାଙ୍କ ପ୍ରଥମ ପ୍ରଶ୍ନଟି ପଚାରିଲେ, ‘‘ହଜୁରଙ୍କର କେତୋଟି ପିଲା ?’’

 

‘‘ମୁଁ କହିଦେଲି ନା ସବୁ ପିଲା ମୋ ନିଜ ପିଲା । ଖାଲି ମୋରି ଘରେ ଜନ୍ମ ହେଲେ ଯାଇ ମୋ ପିଲା ହେବ, ନହେଲେ ନାହିଁ ? ଏଇ ପିଲା ଚାରିଟା ବି ମୋରି ପିଲା, ଆଉ କଣ କହିବାର କହନ୍ତୁ ।’’

 

ବୁଢ଼ା ଭଦ୍ରଲୋକ ତାଙ୍କ କଥା ବୁଝିଗଲେ । ସେତିକି ଜଣାଇବାକୁ କହିଲେ, ‘‘ବୋଧେ ଆପଣଙ୍କର କେହି ପିଲା ନାହାନ୍ତି । ଛାଡ଼ନ୍ତୁ କଣ ଅଛି ସେଥିରେ । ଯାହା ଆପଣ କହିଲେ ଦୁନିଆର ସବୁ ପିଲା ଆମ ପିଲା । ମୋରି କଥା ଦେଖନ୍ତୁ ନା, ଏଥିରୁ ଗୋଟିଏ ମୋ ନାତି, ବାକି ତିନୋଟି ତା ସାଙ୍ଗେ ପଢ଼ନ୍ତି । ସମସ୍ତଙ୍କୁ ନିଜର ପିଲାପରି ସାଙ୍ଗରେ ଧରି କୋବିଲପଟ୍ଟୀ ନେଇଯାଉଚି ନା । ସେଇ ଯିଏ ଶେଷକୁ ବସିଚି ସେ ଗରିବ ଘରର ପିଲା ତା ବାପର ଚିନ୍ତା, ସେ ତାକୁ ପଢ଼େଇବ କେମିତି ? ଆଉମାନଙ୍କ ସାଙ୍ଗରେ ସେ ପଢ଼ୁ । ଏଇଲା ଯା ଖରଚ ହବ ମୁଁ ଦଉଚି ପରେ ଦେଖାଯିବ, କହି ମୁଁ ତାକୁ ବୁଝେଇ ଶୁଝେଇ ୟାକୁ ସାଙ୍ଗରେ ନେଇ ଆସିଚି । ତାର ପଢ଼ିବାରେ ଭାରି ମନ । ଖାଇଲା ପିଇଲାନି, ତିନି ଦିନ ରୁଷି ବସିଲା ଯେ ମୁଁ ଆହୁରି ପଢ଼ିବ.....’’ ସେ କହିଯାଉ ଥିଲେ ।

 

ହୋଟେଲ ମାଲିକର ସ୍ତ୍ରୀ ଖାଇବା ଜିନିଷର ଡବା ଖୋଲିଲା । ତହିଁରେ ଏବେ ମିଠେଇ ଥିଲା, ମନେକଲେ ଗୋଟେ ବାହାଘର ଉଠିଯିବ । ସେ କିଛି ନ କହିଲେ ମାଇପିଟି ଗୋଟିଏ ବଡ଼ କଦଳୀପତ୍ରକୁ ପାଞ୍ଚ ଛଅ ଖଣ୍ଡ କରି ତହିଁରେ କିଛି ମିଠେଇ ଦେଇ ସେ ବୁଢ଼ା ଲୋକ ଓ ସେ ପିଲାଙ୍କୁ ଦେଲା । ପିଲାଏ ତାଠୁଁ ନବାକୁ ଲାଜ କରୁଥାନ୍ତି ।

 

ହୋଟେଲ ମାଲିକ କହିଲେ, ‘‘ଆରେ ପିଲେ, ପେଟକୁ ଠକିବନି । ନେଇ ଖାଇଦିଅ ।’

 

ବୁଢ଼ା କହିଲେ, ‘‘ହଁ ନିଅରେ ସବୁ ।’’

 

ପିଲାମାନେ ହାତ ବଢ଼େଇ ମିଠାଇ ନେଲେ ।

 

ହୋଟେଲ ମାଲିକ ଗୋଟିଏ ଠୁଙ୍ଗା ସୁବ୍ବରାମ ଅୟରଙ୍କ ଆଡ଼କୁ ବଢ଼େଇଲେ । ସେ ଶିଷ୍ଟାଚାରପୂର୍ବକ କହିଲେ, ‘‘ମୁଁ ଏଇଲେ କଫି ପିଇଚି । ମୋର ଦରକାର ନାହିଁ ଆପଣ ଖାଇ ନିଅନ୍ତୁ-।’’ ଏହାପରେ ସେ ତାଙ୍କ କୋଟପକେଟରୁ ବହିଖଣ୍ଡକ କାଢ଼ିଲେ ।

 

ହୋଟେଲ ମାଲିକ ତାଙ୍କୁ ଛାଡ଼ିଲେନି । ଜବରଦସ୍ତି ଗିଲାସେ କଫି ପିଆଇଲେ ।

 

ସମସ୍ତେ ବସି ଖାଉଥିଲେ । ୟା ଭିତରେ ଗାଡ଼ିଟା ନାଲାଟ୍ଟିନପୁତ୍ତୂର ଷ୍ଟେସନରେ ରହିକରି ଛାଡ଼ି ସାରିଲାଣି ।

 

ସୁବ୍ବରାମ ଅୟର ତାଙ୍କ ବହିଟି ଖୋଲି ପଢ଼ୁଥିଲେ । ପିଲାଏ ଯାଇ ହାତ ଧୋଇ ଆସି ତାଙ୍କ ଜାଗାରେ ବସିପଡ଼ିଲେ । ସୁବ୍ବରାମ ଅୟର ଯେଉଁ ବହିଟି ହାତରେ ଧରିଥିଲେ ତାର ନାଁଟା ଗୋଟିଏ ପିଲା ଅତି ଧୀର ସ୍ୱରରେ ଅକ୍ଷର ମିଳାଇ ପଢ଼ିଲା, ‘‘ଅନ୍ନା କରେନିନା, ଲିୟୋ ଟୋଲଷ୍ଟୋୟ’’ ସୁବ୍ବରାମ ଅୟର ଏତକ ଶୁଣିପାରିଲେ ।

 

‘‘ଟୋଲଷ୍ଟୋୟ ! ହଁ ଠିକ୍ ଅଛି । କେହି ନ କହିଦେଲେ କେହି ଟୋଲଷ୍ଟୋୟ ନ ପଢ଼ି ଟଲଷ୍ଟୟ କେମିତି ପଢ଼ିବ ?’’ ସେ ମନେ ମନେ ଭାବିଲେ ।

 

ଟିକିଏ ପରେ ପିଲାଏ ହାତରେ ଥିବା କାଗଜ ଖୋଲି ପଢ଼ିବାକୁ ଲାଗିଲେ ।

 

ହୋଟେଲ ମାଲିକ ପଚାରିଲା, ‘‘ଏଇଟା କଣ ରେ ?’’

 

‘‘ଆମ ହେଡ଼ମାଷ୍ଟ୍ରେ ଲେଖିକରି ଦେଇଚନ୍ତି ।’’

 

‘‘କଣ ଲେଖିଚନ୍ତି ?

 

ଗୋଟେ ପିଲା କହିଲା, ‘‘ଗାଈ ବିଷୟରେ ଗୋଟିଏ ରଚନା, ବିଲୁଆ ଆଉ ଅଙ୍ଗୁର ଗପଟା, କୁକୁର ଓ ଛେଳି କଥା ଓ ନିଜ ସାଙ୍ଗ ପାଖୁ ଖଣ୍ଡିଏ ଚିଠି ।’’

 

ବୁଢ଼ା କହିଲେ, ‘‘ସବୁଗୁଡ଼ାକ ଇଂରେଜିରେ ଲେଖା ହେଇଚି । ବଡ଼ ମାଷ୍ଟ୍ରବାବୁ ବହୁତ ପଢ଼ିଚନ୍ତି । ବଡ଼ ଭଲ ଲୋକ । ବାପଭଳିଆ ୟାଙ୍କୁ ସବୁ ପଢ଼େଇଲେ, ଆଉ ଏସବୁ ଲେଖିକରି ୟାଙ୍କୁ ଦେଇଚନ୍ତି ।’’

 

ହୋଟେଲ ମାଲିକ କହିଲେ, ‘‘ଭଲକରି ପଢ଼ିନିଅ ସବୁ । ଏଇମିତି କିଛି ଲେଖାଇ ତମର ପରୀକ୍ଷା ନେବେ !’’

 

ସୁବ୍ବରାମ ଅୟର ବହି ପଢ଼ିବାର ବାହାନା କରି ତାଙ୍କ କଥାମାନ ଶୁଣୁଥାନ୍ତି ।

 

ହୋଟେଲ ମାଲିକ କଫି ପିଇସାରି ବୁଢ଼ାକୁ କହିଲେ, ‘‘ମତେ ଲାଗୁଚି ପିଲାଗୁଡ଼ାକ ପାଠ ପଢ଼ିବାରେ ବେଶ୍ ଚାଲାକ୍ ହେବେ ।’’

 

ବୁଢ଼ା ଭଦ୍ରଲୋକ କହିଲେ, ‘‘ଏମାନେ ଗାଁର ପିଲେ । ହେଲେ ଏମାନେ ପଢ଼ାଶୁଣା ଭଲ କରି କରିଚନ୍ତି । କାହିଁକିନା ୟାଙ୍କ ମାଷ୍ଟ୍ର ବଡ଼ ଭଲ ଥିଲେ । ମୁଁ ଆପଣଙ୍କୁ କହିଲିନା କୋଉ ବାପ ବି ଏତେ ସ୍ନେହରେ ରଖିନଥାନ୍ତା ।’’

 

ହୋଟେଲ ମାଲିକ କହିଲେ, ‘‘ସେ କଥାଟା ଠିକ୍ । ଗୁରୁ ବି ତ ଏକପ୍ରକାର ବାପ ହୁଏ, ନା କଣ ?’’

 

ଏଇ ପଦକ ଶୁଣିଲାମାତ୍ରେ ସୁବ୍ବରାମ ଅୟରଙ୍କ ଦେହ ରୋମାଞ୍ଚିତ ହୋଇଗଲା ବୁଢ଼ା କହିଲେ, ‘‘ଏଥିରେ ସନ୍ଦେହ ଅଛି ? ଏ ପିଲାଗୁଡ଼ାକ ଖାଲି ପାଠରେ ନୁହେଁ ଆଉ କାମରେ ବି ବେଶ୍ ତେଜ୍ ଅଛନ୍ତି ।’’

 

‘‘କାମ ?’’

 

‘‘ହଁ କାମ ନ କଲେ ବସି ରହି ପାରିବେନି । ସ୍କୁଲ ଯିବା ଆଗରୁ ଗାଈ ଚରେଇ ଯିବେ, ଚକି ପେଷିବା ଇତ୍ୟାଦି ଘରକାମ କରିସାରି ସ୍କୁଲ ଯାଆନ୍ତି....’’

 

‘‘ବାଃ ! ଏମିତି କରିବା ଦରକାର । ନିଜ ଉପରେ ନିର୍ଭର କରି ଜୀବନ କଟାଇବା ଲୋକର ଲକ୍ଷଣ ଏଇଟା । ପରିଶ୍ରମ ନ କରି ଯୋଉ ଶିକ୍ଷା ମିଳିଲା, ସେଇଟା ଗୋଟାଏ କି ଶିକ୍ଷା ? ଏମିତି ଲୋକଙ୍କଠୁଁ ଦେଶକୁ କିଛି ଲାଭ ମିଳିବ ଭଲା ? ସେ ଶିକ୍ଷା ତାଙ୍କର କୋଉ କାମରେ ଆସିବ ? ମୋରି କଥା ଦେଖନ୍ତୁ ନା.....ମୁଁ ଦ୍ୱିତୀୟ ଶ୍ରେଣୀଯାକେ ପାଠ ପଢ଼ିଚି । ବି.ଏ., ଏମ୍.ଏ. ପଢ଼ିଥିଲେ ଚାକିରି କରିଥାନ୍ତି । ଯେବେ ମୁଁ ଚାକିରି କରିଥାନ୍ତି ତାହେଲେ ଏତେଗୁଡ଼ାଏ ବର୍ଷ ଯେ ଇସ୍କୁଲିଆ ଛୁଆଙ୍କୁ ସାହାଯ୍ୟ କଲି, କୁଆଡ଼ୁ କରିପାରିଥାନ୍ତି ? ଆଉ ପାଞ୍ଚଜଣଙ୍କ ଉପକାରରେ ଯେବେ ନ ଆସିଲା ତେବେ ସେ କି ଶିକ୍ଷା ! ଆମକୁ ସେମିତିକା ପାଠପଢ଼ା ଦରକାର ନାଇଁ ଯେ କି ଆପଣା ଗାଁଲୋକଙ୍କୁ ଛୋଟ କରିଦବ । କଣ ମୁଁ ଠିକ୍ କହିଲି ନା ନାଇଁ ?’’

 

ବୁଢ଼ା କହିଲେ, ‘‘ଏଥିରେ ଆଉ ସନ୍ଦେହ ଅଛି ?’’ ସେମାନେ ଏମିତି କଥାବାର୍ତ୍ତା କରୁଥାନ୍ତି । ଗାଡ଼ି କୋବିଲପଟ୍ଟୀ ଆସି ଠିଆହେଲା । ସୁବ୍‍ବରାମ ଅୟର ଯେଉଁ ବହିଟାକୁ ପଢ଼ିବାର ବାହାନା କରୁଥିଲେ, ତାକୁ ବନ୍ଦକରି ତାଙ୍କ କୋଟପକେଟରେ ରଖିଦେଲେ । ସମସ୍ତେ ଓହ୍ଲାଇବାକୁ ପ୍ରସ୍ତୁତ ହେଲେ ।

 

‘‘କିଛି ଡରିବନି ପରୀକ୍ଷା ଦେଇଦବ, ହେଲା ? ମୁଁ ବୁଢ଼ା ଲୋକ, ତମମାନଙ୍କୁ ଆଶୀର୍ବାଦ ଦଉଚି ଯେ ତମେ ସବୁ ପାଶ୍‌କରି ଯିବ । ହଉ ଯାଅ ଯେତେବେଳେ ତିରୁନଲ୍‌ ବେଲୀରେ ପଢ଼ିବାକୁ ଯିବ, ‘ପଙ୍କଜ ବିଳାସ’କୁ ଭୁଲିଯିବନି, ବୁଝିଲ ?’’ କହି ହୋଟେଲ ମାଲିକ ସେମାନଙ୍କୁ ବିଦାୟ ଦେଲେ ।

 

ସୁବ୍‍ବରାମ ଅୟର, ସେଇ ପିଲାଯାକ ଓ ବୁଢ଼ାଟି ଗାଡ଼ିରୁ ଓହ୍ଲାଇଲେ । ଯିବାବେଳେ ଅୟରବାବୁ ହୋଟେଲ ମାଲିକଙ୍କୁ ଚାହିଁ ହସି ହସି ‘ନମସ୍କାର’ କହି ବିଦାୟ ନେଲେ । ପିଲାଏ ତାଙ୍କ ପଛେ ପଛେ ଚାଲିଲେ । ସେ ପିଲାମାନଙ୍କ ମନରେ ତାଙ୍କ ପ୍ରତି ଏପରି ସମ୍ମାନ ଆସିଯାଇଥିଲା ଯେ, ତାଙ୍କ ସାମନାରେ ଚାଲିବାକୁ ସଙ୍କୋଚ ଲାଗୁଥିଲା ।

 

ଷ୍ଟେସନରୁ ବାହାରି ଆସିବାମାତ୍ରେ ସୁବ୍‍ବରାମ ଅୟର ଟାଙ୍ଗା ଲାଗି ଅପେକ୍ଷା କରି ଠିଆହେଲେ । କୋବିଲପଟ୍ଟୀ ଷ୍ଟେସନରେ କୁଲିକାମ କରୁଥିବା ଜଣେ ଲୋକ କଡ଼ିକିଆ ଠିଆହୋଇଥିଲା, କାରଣ ସେଦିନ ତାର ରାତି ଡିଉଟି । ବୁଢ଼ା ଓ ପିଲାମାନଙ୍କୁ ଦେଖିବା ମାତ୍ରେ ‘‘ଆସନ୍ତୁ ! ଆସନ୍ତୁ !’’ କହି ସେ ଆଗେଇ ଆସିଲା । ସେ ତାଙ୍କର ଆସିବାର କାରଣ ବି ଜାଣିନେଲା-। ତା କଥାରୁ ସୁବ୍‍ବରାମ ଅୟର ଏତିକି ଅନୁମାନ କରିନେଲେ ଯେ ସେ ବି ଇଡ଼ୈଶେବଲ ଗାଁର-

 

ସେଇ କୁଲିଟି ସେ ବୁଢ଼ା ଓ ପିଲାମାନଙ୍କୁ ତା ଘରକୁ ଜଳଖିଆ ଖାଇବାକୁ ଡାକିବା ସଙ୍ଗେ ସଙ୍ଗେ ସେଦିନ ରାତିରେ ତା ଘରେ ରହିକରି ଗାଁକୁ ଫେରିବା କଥା କହିଲା ।

 

ସୁବ୍‍ବରାମ ଅୟରଙ୍କୁ ଟାଙ୍ଗା ମିଳିଗଲା । ସେ ଟାଙ୍ଗା ଉପରେ ବସିଗଲେ ଆଉ ବୁଲାଣିରେ ଟାଙ୍ଗା ବୁଲିଯିବାଯାକେ ସେଇ ପିଲାଗୁଡ଼ିଙ୍କୁ ଚାହିଁ ରହିଲେ । କୁମାରପୁରମ୍ ଷ୍ଟେସନ ଷ୍ଟେସନମାଷ୍ଟରଙ୍କ ଯୁକ୍ତି, ନିମ୍ବଫୁଲର ବାସ୍ନା ନେଇ ଶୀତଳ ପବନ, କଳା ମାଟିଦ୍ୱାରା ସୁଗନ୍ଧ ଓ ଜୀବନଦାନ, ହୋଟେଲ ମାଲିକଙ୍କ ଉଦାରତା, ଷ୍ଟେସନ ମାଷ୍ଟର ଯେଉଁ ଶିକ୍ଷାର ବ୍ୟାଖ୍ୟା ଦେଲେ, ଗାଁର ଶିକ୍ଷକଙ୍କର ପିଲାଙ୍କ ପ୍ରତି ପିତୃବତ୍ ଆଚରଣ, ପିଲାମାନଙ୍କର ଜ୍ଞାନ ଯାହା ବଳରେ ସେମାନେ ଟଲଷ୍ଟୟକୁ ଟୋଲ୍‌ଷ୍ଟୟ ପଢ଼ିଲେ, ଗରିବ କୁଲିଟିର ଜୋରଜବରଦସ୍ତି ନିମନ୍ତ୍ରଣ ଇତ୍ୟାଦି କଥା ତାଙ୍କର ମନେପଡ଼ିଗଲା । ସେ ଆନନ୍ଦବିଭୋର ହୋଇଗଲେ । ତାଙ୍କର ମନେହେଲା, ସେ ଏହି କୋଡ଼ିଏ ମିନିଟର ରେଳଯାତ୍ରାରେ ଏପରି ଦୁର୍ଲଭ ଜ୍ଞାନ ପାଇପାରିଛନ୍ତି ଯାହା କି ସେ କୋଡ଼ିଏ ବର୍ଷର ଅଧ୍ୟୟନ ପରେ ବି ପାଇପାରି ନଥାନ୍ତେ । ମୁହୂର୍ତ୍ତକ ଲାଗି ସେ ଭାବିଲେ ଯେ ଗାଁର ହେଡ଼ମାଷ୍ଟର, ହୋଟେଲ ମାଲିକ ଓ କୁଲିପରି ମହତ୍ ଅଧ୍ୟାପକ କଣ ଏ ଜଗତରେ ସମ୍ଭବ ? ସେ ସ୍ୱତଃ କହିପକେଇଲେ, ‘‘ସେମାନଙ୍କଠୁଁ ଯାହା ଶିଖିପାରିଲିନି ସେସବୁ ସେ ପିଲାଏ ଶିଖିବାକୁ ଯାଉଛନ୍ତି । କୁମାରପୁରମ୍ ଷ୍ଟେସନକୁ ଯାତ୍ରୀ ଆସନ୍ତିନି, ତାଠୁଁ ବଡ଼ ମଜା କଥା ହଉଚି ଏଇ ପିଲାଗୁଡ଼ିକ ପଢ଼ିବାକୁ ଏଠିକାର ସ୍କୁଲକୁ ଆସିବାଟା । ସେ ଷ୍ଟେସନଟିର ଉପଯୋଗ ତ ହେଲେ ଜଳଛତ୍ର ହିସାବରେ ହୁଏ, କିନ୍ତୁ.....’’

 

ସୁବ୍‍ବରାମ ଅୟର ଟାଙ୍ଗାରେ ବସି ଯାଇ ନିଜ ଘରେ ପହଞ୍ଚିଲେ ।

 

କୁଲି ବୁଢ଼ା ଓ ପିଲା ଚାରୋଟିଙ୍କୁ ତା ଘରକୁ ନେଇଗଲା । ସକାଳୁ ଖାଇପିଇ ସେମାନେ ଘରୁ ବାହାରିଥିଲେ; ତେଣୁ ସେମାନେ ସେଠି କିଛି ଖାଇଲେନି । କୁଲି ଖୁବ୍ ଲଗେଇବାରୁ ସେମାନେ କଫି ପିଇଲେ ଓ ଦିପହରରେ ଭାତ ଖାଇବାକୁ ରାଜି ହେଲେ । ସ୍କୁଲ ବାରଣ୍ଡାରେ ତାଙ୍କୁ ସବୁ ଠିଆକରି କୁଲି ଏକଲା ମୁଖ୍ୟ ଅଧ୍ୟାପକଙ୍କ କୋଠରି କେଉଁଠି ପଚାରି ପଚାରି ସେଠି ଯାଇ ପହଞ୍ଚିଲା । ସେ ତାଙ୍କୁ କହିଲା ଯେ ଇଡ଼ୈଶେବଲ ଗାଁର ଚାରିଜଣ ପିଲା ଷଷ୍ଠ ଶ୍ରେଣୀ ପାସ୍ କରି ସପ୍ତମ ଶ୍ରେଣୀରେ ନାଁ ଲେଖେଇବାକୁ ଆସିଛନ୍ତି । ସେ ଶୀଘ୍ର ଜଣେ ଶିକ୍ଷକଙ୍କୁ ଡାକି ତାଙ୍କୁ ଦି’ତିନିଟା ପ୍ରଶ୍ନପତ୍ର ଦେଲେ ଓ ଗାଁର ପିଲାଗୁଡ଼ାକ ସପ୍ତମ ଶ୍ରେଣୀର ଯୋଗ୍ୟ କି ନାହିଁ ପରୀକ୍ଷା କରି ଜଣାଇବାକୁ ତାଙ୍କୁ ପଠେଇଦେଲେ ।

 

ସେଇ ପିଲା ଚାରିଜଣଙ୍କୁ ଗୋଟିଏ ବଖରାରେ ଅଲଗା ଅଲଗା କରି ବସାଇ ଦିଆଗଲା-। ସହାୟକ ଶିକ୍ଷକ ପ୍ରଶ୍ନପତ୍ରର ପ୍ରଶ୍ନଗୁଡ଼ିକ ଲେଖି ନେବାକୁ କହିଲେ ଓ ସେ ପ୍ରଶ୍ନଗୁଡ଼ିକ ପଢ଼ିଲେ-। ସବୁଯାକ ପ୍ରଶ୍ନ ଇଂରାଜୀର, ପିଲାମାନେ ସେଗୁଡ଼ିକ ଲେଖିନେଲେ । ସହାୟକ ଶିକ୍ଷକ କହିଲେ ଯେ ତାଙ୍କୁ ଘଣ୍ଟାକ ଭିତରେ ସବୁତକ ପ୍ରଶ୍ନର ଉତ୍ତର ଲେଖିବାକୁ ହବ । ପିଲାମାନେ ଲେଖା ଆରମ୍ଭ କଲେ ।

 

କୁଲି ଓ ବୁଢ଼ା ସ୍କୁଲ ବାହାରକୁ ଆସି ଗୋଟିଏ କଇଁଆ ଗଛଛାଇରେ ବସିଲେ ଗାଁ କଥା କଥାବାର୍ତ୍ତା ହେଲେ ।

 

ସାଢ଼େ ଦଶଟାବେଳକୁ ଇଂରାଜୀର ପରୀକ୍ଷା ଶେଷ ହେଲା । ୟାପରେ ଗଣିତ, ତାମିଲ ଓ ସାଧାରଣଜ୍ଞାନର ପରୀକ୍ଷାମାନ ହେଲା । ବାରଟାଯାକେ ସବୁଗୁଡ଼ା ପରୀକ୍ଷା ଶେଷ ହୋଇଗଲା-। ସ୍କୁଲର ସବୁପିଲା ମଧ୍ୟାହ୍ନ ଭୋଜନ ଲାଗି ସ୍କୁଲରୁ ଘରକୁ ଧାଇଁଲେ । ଚାରିଜଣଯାକ ପିଲା ଡରି ଡରି ତାଙ୍କୁ ଚାହିଁରହିଲେ । ଶିକ୍ଷକ ତାଙ୍କୁ ସେଇ ଘରେ ରହିବାକୁ ଆଦେଶ ଦେଲେ ଓ ଜଲଦି ଜଲଦି ତାଙ୍କ ଉତ୍ତରପତ୍ରଗୁଡ଼ିକ ପରୀକ୍ଷାକରି ନମ୍ବର ଲଗେଇଦେଲେ । ୟାପରେ ସେ ମୁଖ୍ୟ ଅଧ୍ୟାପକଙ୍କ ପାଖୁ ଗଲେ । ସେତିକି ବେଳେ ବୁଢ଼ା ଓ କୁଲି ପିଲାଙ୍କ ପାଖେ ପହଞ୍ଚିଲେ ।

 

କୁଲି ପଚାରିଲା, ‘‘ପରୀକ୍ଷା-ପତ୍ର ଠିକ୍ ହେଇଗଲା ?’’

 

‘‘ଗଣିତର ପ୍ରଶ୍ନଗୁଡ଼ା କଷ୍ଟ ଥିଲା ।’’

 

‘‘ଇଂଲିଶ୍‌ର ପ୍ରଶ୍ନ କେମିତିକା ଥିଲା ?’’

 

‘‘ବହୁତ ସହଜ ।’’

 

ଗୋଟେ ପିଲା କହିଲା, ‘‘ଗାଆଁର ହେଡ଼ମାଷ୍ଟ୍ରେ ଯୋଉ ପ୍ରଶ୍ନ ଲେଖିକରି ଦେଇଥିଲେ, ସେଇଆ ପଚରା ହେଇଥିଲା । ମୁଁ ତ ମିନିଟିକରେ ଜବାବ ଲେଖିଦେଲି ।’’ ପିଲାମାନେ ବି ସେଇଆ କହିଲେ ।

 

‘‘ଇଂରେଜୀ ପେପର୍‌ଟା ଭଲ କରିଚ ମାନେ ପାସ୍ କରିଯିବ ।’’ କୁଲି ୟା କହୁ ନ କହୁଣୁ ବୁଢ଼ା ‘‘ଗାଁର ଶିକ୍ଷକ ହିଁ ପ୍ରକୃତ ଶିକ୍ଷକ । କେତେ ଅଦ୍ଭୁତ ଲୋକ । ଏଠି କଣ ପଚରାହବ, ୟାକୁ ସେ ଆଗରୁ ଜାଣିନେଇ, ୟାଙ୍କୁ ସବୁ କହିଦେଇଚନ୍ତି । ୟା ନାଁ ସିନା ବୁଦ୍ଧି !’’ କହି ଇଡୈଶେବଲ ଗାଁର ହେଡ଼ମାଷ୍ଟରଙ୍କର ଖୁବ୍ ଜୋରସୋରରେ ପ୍ରଶଂସା କରିବାକୁ ଲାଗିଲେ ।

 

‘‘ମାଷ୍ଟ୍ରେ ବୋଧେ ଖୁବ୍ ବୁଦ୍ଧିଆ ।’’

 

‘‘ଆରେ ସେ କିଛି ସାଧାରଣ ବୁଦ୍ଧିଆ ନୁହନ୍ତି । ମୁଁ ତ କହୁଚି ଯେମିତିକା ଗୁଣ, ସେଇମିତିକା ସ୍ୱଭାବ ବି । ଏମିତିକା ମାଷ୍ଟ୍ର ଆମ ଗାଁକୁ କେବେ ଆସିଥିଲା ନା ? ଏଇଥିରୁ ବୁଝ୍ କୋଉ ବାପ ବି କାହିଁକି ତା ନିଜ ଛୁଆକୁ ଏତେ ଭଲ ପାଇବ ।’’ ବୁଢ଼ା ଖୁସି ହୋଇ କହିଲେ ।

 

ସମସ୍ତେ ସଫଳତା ଆଶା କରି ବେଶ୍ ବଡ଼ପାଟିରେ କଥା କହୁଥିଲେ ।

 

ଟିକିଏ ପରେ ସହାୟକ ଶିକ୍ଷକ, ଯେ କି ପିଲାଙ୍କ ପରୀକ୍ଷା ନେଇଥିଲେ, ପିଲାଙ୍କୁ, ବୁଢ଼ାକୁ ଓ କୁଲିକୁ ମୁଖ୍ୟ ଅଧ୍ୟାପକଙ୍କ ଘରକୁ ନେଇଗଲେ । ସେତେବେଳେ ତାଙ୍କର ସେ ପ୍ରସନ୍ନ ଭାବଟି ଉଭେଇଗଲା ଓ ଛାତି ଧଡ଼ ଧଡ଼ ହେଲା ।

 

‘‘ୟାଡ଼େ ଆସନ୍ତୁ’’, କହି ସହାୟକ ଶିକ୍ଷକ ତାଙ୍କୁ ଗୋଟେ ଘରକୁ ନେଇଗଲେ । ସମସ୍ତେ ଭିତରକୁ ଗଲେ । ମୁଖ୍ୟ ଅଧ୍ୟାପକଙ୍କୁ ଦେଖିବାମାତ୍ରେ କୁଲି ତାଙ୍କୁ ନମସ୍କାର କଲା । ବୁଢ଼ା ନମସ୍କାର କରିବାକୁ ହାତ ଉଠେଇଥିଲେ; କିନ୍ତୁ ତାଙ୍କ ହାତଟା ଥରିଲା । ପିଲାମାନେ କିଛି କଲେନି, ଚୁପ୍‌ଚାପ୍ ଠିଆ ହୋଇ ରହିଲେ । ଆଶ୍ଚର୍ଯ୍ୟ ହେତୁ ତାଙ୍କ ଆଖି ଅପଲକ ରହିଗଲା । ତାଙ୍କ ପାଟି ଆଁ ହୋଇଗଲା । ହଠାତ୍ ସେ ତାଙ୍କ ହାତର ଆଙ୍ଗୁଠି ଫୁଟେଇବାକୁ ଲାଗିଲେ ।

 

କୁମାରପୁରମ୍ ଷ୍ଟେସନରୁ ଟଲଷ୍ଟୟଙ୍କ ବହି ନେଇ ଯେଉଁ ଭଦ୍ରଲୋକ ତାଙ୍କ ସଙ୍ଗେ ଯାତ୍ରା କରିଥିଲେ, ସେଇ ମୁଖ୍ୟ ଅଧ୍ୟାପକରୂପେ ସେଠି ବସିଥିଲେ । ପିଲାମାନେ ଏ କଥା ଭାବିପାରିବେ କୁଆଡ଼ୁ ?

 

‘‘ଆସନ୍ତୁ’’ କହି ହସି ହସି ସେ ସେମାନଙ୍କୁ ଅଭ୍ୟର୍ଥନା କଲେ ।

 

କୁଲି କହିଲା, ‘‘ମୁଖ୍ୟ ଅଧ୍ୟାପକଙ୍କୁ ନମସ୍କାର କରନ୍ତୁ,’’ ଆଉ ପିଲାମାନେ ଓ ବୁଢ଼ା ଭଦ୍ରଲୋକଙ୍କୁ ନମସ୍କାର କଲେ ।

 

‘‘ପ୍ରଶ୍ନ କଣ ଖୁବ୍ କଷ୍ଟ ଥିଲା ?’’ କହି ସୁବ୍‍ବରାମ ଅୟର ପୁଣି ହସିଦେଲେ । ତାଙ୍କର ସେ ହସରେ ଯେଉଁ ଶୋଭା, ଯେଉଁ ଆକର୍ଷଣ ଶକ୍ତି ଓ ଯେଉଁ ପ୍ରେମଭାବ ଥିଲା ତାକୁ ଦେଖି ଗୋଟେ ପିଲାର ଆଖିରେ ଲୁହ ଆସିଥିଲା ।

 

କେହି ତାଙ୍କର ଏ ପ୍ରଶ୍ନର ଉତ୍ତର ଦେଲେ ନାହିଁ । ସମସ୍ତେ ଅବାକ୍ ହୋଇ ଠିଆ ହୋଇଥିଲେ ।

 

ପରେ ସେ କହିଲେ, ‘‘ନିଜ ନିଜ ନାଁ କୁହନ୍ତୁ ।’’

 

‘‘ନାରାୟଣ ସ୍ୱାମୀ,’’ ‘‘ଶ୍ରୀନିବାସନ୍,’’ ‘‘ସୁବୈୟା’’, ‘‘ତିରୁପ୍‌ପଦି’’ ।

 

ସୁବ୍‍ବରାମ ଅୟର କହିଲେ, ‘‘ତମେ ସବୁ ପାଶ୍ କରିଚ ।’’ ପିଲାମାନଙ୍କ ଆଖିରେ ଆନନ୍ଦାଶ୍ରୁ ଛଳ ଛଳ ହେଲା ।

 

‘‘ସମସ୍ତଙ୍କୁ ସପ୍ତମ ଶ୍ରେଣୀରେ ଭର୍ତ୍ତି କରୁଚି । ଭଲକରି ପଢ଼ାପଢ଼ି କରିବ, ବୁଝିଲ ? ସବୁ ପରୀକ୍ଷାରେ ଭଲ ନମ୍ବର ପାଇବା ଦରକାର । ଖାଲି ତମ ଗାଁ ଶିକ୍ଷକ ନୁହେ, ଏ ଗାଁର ଶିକ୍ଷକ ବି ତମର ବାପ ସମାନ । ବୃଦ୍ଧ ମହୋଦୟ ! ମୋ କଥାଟା ଠିକ୍ କି ନା ?’’ ମୁଖ୍ୟ ଅଧ୍ୟାପକ ଭାବବିଭୋର ହୋଇ ପଚାରିଲେ ।

 

ବୁଢ଼ା ଗାଁବାଲାଙ୍କ ପରି ଜୋରରେ କହିଲେ, ‘‘ଏଥିରେ ଆଉ ସନ୍ଦେହ ଅଛି ?’’ ଓ ତାଙ୍କୁ ପୁଣି ନମସ୍କାର କଲେ ।

 

ସୁବ୍‍ବରାମ ଅୟର ପୁଣି ଥରେ ମଧୁର ହସ ହସିଲେ ।

 

‘‘ହଉ ତେବେ ଆପଣମାନେ ଯାଆନ୍ତୁ’’ କହି ତାଙ୍କୁ ବିଦାୟ ଦେବା ପରେ ତାଙ୍କୁ ତାଙ୍କର କଳ୍ପନା-ଚକ୍ଷୁରେ କୁମାରପୁରମ୍ ଷ୍ଟେସନ ଦେଖାଗଲା ।

 

ସୁବ୍‍ବରାମ ଅୟର ମନକୁ ମନ କହି ଉଠିଲେ, ‘‘ସେଇଟା ସବୁଠାରୁ ବଡ଼ ପାଠଶାଳା ।’’

Image

 

Unknown

ଆରାଧନା

 

ମୋ ସାଙ୍ଗ କହିଲା, ‘‘ସେଇ ଭଦ୍ରଲୋକଙ୍କୁ ଟିକେ ଭଲକରି ଚାହାଁ ।’’

 

‘‘ତାଙ୍କୁ ଚାହିଁଲେ ମୋର କଣ ଲାଭ ?’’

 

‘‘ଆରେ ଚାହିଁନେ । ପରେ କହିବି ।’’

 

ଆମେ ଏମିତି କଥା ହଉଥିଲାବେଳେ ସେଇ ଭଦ୍ରଲୋକ ଆମ ଆଗଦେଇ ବାହାରିଗଲେ । ମୁଁ ଖାଲି ତାଙ୍କ ପିଠିଟି ଦେଖିପାରିଲି । କାଠ ପରି ଶୁଖିଲା ଦେହଟା ତାଙ୍କର, ଅଣ୍ଟାରେ ଦୁଇଗଜିଆ ଧୋତିଟିଏ ଆଉ କାନ୍ଧରେ ତଉଲିଆଟିଏ, ଏଇସବୁ ମୁଁ ଦେଖିଲି ।

 

ମୁଁ କହିଲି, ‘‘ମୁଁ ତାଙ୍କୁ ଦେଖି ନେଇଚି ।’’

 

‘‘ତମେ ତାଙ୍କ ମୁହଁଟି ତ ଦେଖିନାହଁ ।’’

 

‘‘ଯାଇ ଦେଖି ଆସିବାକୁ କହୁଚୁ ନା କଣ ?’’

 

‘‘କିଛି ନାଲିଆ କି ସାଗୁଆ ଦେଖାଯାଉଥିଲେ କାହାରିକି ନକହି ନଶୁଣି ଉଠି ଚାଲିଯାଇଥାନ୍ତ ।’’ ସାଙ୍ଗ ଥଟ୍ଟା କଲା ।

 

‘‘ଏଇଲା କୋଉ ଦୁନିଆ ଓଲଟିଯାଇଚି କି ?’’

 

‘‘ସେ ଜଣେ ଆଶ୍ଚର୍ଯ୍ୟ ଲୋକ ।’’

 

‘‘ମାନେ ?’’

 

‘‘ସମସ୍ତଙ୍କ ପରି ସେ ବି କାମ କରନ୍ତି; କିନ୍ତୁ ତାଙ୍କଠି ଗୋଟେ ବିଶେଷତ୍ୱ ଅଛି । ସେଇଟା କଣ ମୁଁ ବୁଝିପାରିନି’’

 

‘‘ସେ କି କାମ କରନ୍ତି ?’’

 

‘‘ବଢ଼େଇ କାମ ।’’

 

‘‘ଆଚ୍ଛା !’’

 

‘‘ବଢ଼େଇ କାମ କରନ୍ତି, କିନ୍ତୁ ପାଟି ଫିଟାନ୍ତିନି ।’’

 

‘‘ଏଁ ? ମୂକ ନା କଣ ?’’

 

‘‘ନା । ଚୁପ୍ ରହନ୍ତି !’’

 

ମୂକ ନୁହନ୍ତି କିନ୍ତୁ ଚୁପ୍ ରହନ୍ତି, ଏହା ଶୁଣି ମୁଁ ଅବାକ୍ ହେଲି । କିଛି କହିବାକୁ ଇଚ୍ଛାକରି ମୂକମାନେଇ ଯୋଉଠି ନାନାପ୍ରକାରର ଶବ୍ଦ ବାହାର କରି ହାତର ଆଙ୍ଗୁଠିମାନଙ୍କ ସାହାଯ୍ୟରେ କଥାବାର୍ତ୍ତା କରନ୍ତି ସେଠି କଥା କହିପାରୁଥିବା ଜଣେ ଲୋକର ଚୁପ୍ ରହିବାଟା କେତେ ଆଶ୍ଚର୍ଯ୍ୟ ନୁହେଁ ! ଏମିତି ଗୋଟିଏ କାମରେ ସେ ରହିଚି ଯୋ କଥା କହିକରି ହିଁ ତାର ଜୀବିକା ଅର୍ଜନ ହବ, ସେ କାମରେ ଚୁପ୍ ରହିବା କଥାଟାରେ ବିଶ୍ୱାସ ହବ କୁଆଡ଼ୁ ?

 

‘‘ହଉ ହେଲା ଏବେ ସେ ପାଟି ଫିଟାନ୍ତିନି; କିନ୍ତୁ ସେ ମଜୁରି ନିଅନ୍ତି ନା ତାଇ ବି ନିଅନ୍ତିନି ?’’

 

‘‘ମଜୁରି ନିଅନ୍ତି ।’’

 

‘‘ତମେ ତାଙ୍କୁ ଜାଣିଚ କି ?’’

 

‘‘ମୁଁ ତାଙ୍କୁ କେତେ ଥର ଦେଖିଚି । ଟିକେ ଚିହ୍ନାପରିଚୟ ବି ଅଛି ।’’

 

‘‘ସେ ତ କଥାଇ କହନ୍ତିନି ?’’

 

‘‘ହଁ କହନ୍ତିନି ସିନା; କିନ୍ତୁ ଠାରରେ ବହୁତ କିଛି କଥାବାର୍ତ୍ତା କରନ୍ତି । ଠାରରେ କହି ନପାରିଲେ ଲେଖିକରି କହନ୍ତି । ସେ ଆଗେ କୋଉ ବଡ଼ଲୋକ ଘରେ ୬୦ ଟଙ୍କା ମାସକୁ ପାଇ ମୋଟର ଡ୍ରାଇଭର ଥିଲେ । ମୋଟରରେ ସମୟ ପାଇଲେଇ ପଟ୍ଟିନତ୍ତର(୧), ତାୟୁମାନଓ୍ୱର(୨) ଓ ଅଠର ସିଦ୍ଧ(୩)ଙ୍କ ଲେଖାମାନ ପଢ଼ୁଥିଲେ । ଦିନେ ସେ ନିଜର ମାଲିକ ସଙ୍ଗେ ମୋଟରରେ ଯାଉଥିଲେ । ହଠାତ୍ ସାମନା ଗଳିରୁ ଆସି ଗୋଟିଏ ମୋଟର ୟାଙ୍କ ମୋଟର ସଙ୍ଗେ ଧକ୍‌କା ଖାଇଲା । ଏଥିରେ ମାଲିକର ଖୁବ୍‍ ବଡ଼ ଆଘାତ ହେଲା । ୟେ ନିଜେ ବେହୋସ୍ ହୋଇ ଗାଡ଼ିରୁ ବାହାରେ ଛିଟିକି ପଡ଼ିଲେ । ୟାଙ୍କୁ ବି ହସ୍‌ପିଟାଲ ନେଇ ନିଆଗଲା । ସେଠି ମାଲିକର ମୃତ୍ୟୁ ହେଲା । ଯେତେବେଳେ ଡାକ୍ତରମାନେ ୟାଙ୍କର ପରୀକ୍ଷା କଲେ ସେତେବେଳେ ୟାଙ୍କର ଦେହ ଭିତରେ ବା ବାହାରେ କିଛି ଖଣ୍ଡିଆଖାବରା ବା ଅନ୍ୟ କୌଣସି ଆଘାତ ଦେଖାଗଲା ନାହିଁ; କିନ୍ତୁ ୟାଙ୍କ ଆଖି ବନ୍ଦ ଥିଲା । ଦଶଦିନକାଳ ୟେ ହସ୍ପିଟାଲରେ ବେହୋସ୍ ହୋଇ ପଡ଼ିଥାନ୍ତି । ଏଗାର ଦିନ ସକାଳୁ ଯେତେବେଳେ ଡାକ୍ତର ସବୁଦିନ ପରି ଅନ୍ୟ ରୋଗୀଙ୍କ ପାଖ ଦେଇ ୟାଙ୍କ ପାଖକୁ ଆସିଲେ ସେତେବେଳେ ତାଙ୍କ ମୂର୍ଚ୍ଛା ଦୂର ହୋଇଗଲା ଓ ୟେ ଉଠିବସିଲେ । ଡାକ୍ତର ଯେତେବେଳେ ୟାଙ୍କ ଅବସ୍ଥା କିପରି ପଚାରିଲେ, ସେ କହିଲେ ‘‘ଅମୃତର କଳସ ପୂର୍ଣ୍ଣ ହୋଇଛି ।’’ ଡାକ୍ତର ୟାଙ୍କ କିଛି ହେଲେ ବୁଝିପାରିଲେ ନାହିଁ । ସେ ଆଉ କେତେ କଥା ପଚାରିଲେ । ‘‘ଏତେଦିନ ଯମରାଜା ସଙ୍ଗେ ଲଢ଼ୁଥିଲି । ସେ ଲଢ଼େଇ ଆଜି ଶେଷ ହୋଇଛି । ଛଅ ଆଙ୍ଗୁଳି ଦୂରରୁ ଆସୁଥିବା ନିଶ୍ୱାସ ଡାହାଣ ନାକପୁଡ଼ାରୁ ଆସୁଛି ।’’ ଏହା କହି ସେ ଡାକ୍ତରଙ୍କୁ ପଚାରିଲେ, ‘‘କଣ ଏକାସମୟରେ ନାକର ଦୁଇ ପୁଡ଼ାରୁ ନିଶ୍ୱାସ ବାହାରିପାରେ !’’ ଡାକ୍ତର କିଛି ଉତ୍ତର ଦେଲେ ନାହିଁ । ଡାକ୍ତର ୟାଙ୍କୁ ୟାଙ୍କ ଘରକୁ ପଠେଇ ଦେଲେ ।’

 

* (୧) ତାମିଲର ଜଣେ ଶିବଭକ୍ତ ।

 

(୨) ତାମିଲର ସନ୍ଥକବି ।

 

(୩) ତାମିଲ ପ୍ରଦେଶରେ ଜନ୍ମ ହୋଇଥିବା ଅଠର ସିଦ୍ଧ କବି, ଯେ କି ରହସ୍ୟବାଦୀ ରଚନାମାନ ଲେଖିଥିଲେ ।

 

‘‘ଘରକୁ ଆସି ୟାଙ୍କ ଅବସ୍ଥା ଆଗପରି ରହିଲାନି । ସ୍ତ୍ରୀ ଓ ଦୁଇ ଦୁଇଟା ପୁଅ ଥାଉଁ ଥାଉଁ ୟେ କାହାରି ସଙ୍ଗେ କିଛି ହେଲେ କହନ୍ତିନି । ସବୁ କାମ ଠାରଠୁରରେ ଚଳାଇଲେ । ଥରେ ୟାଙ୍କ ସ୍ତ୍ରୀ ଭାବିଲା ୟେ ପାଗଳ ହୋଇଗଲେଣି । ଯଦିଓ ୟେ କଥା କହନ୍ତିନି ଆଉ ତାଙ୍କ ମନଧ୍ୟାନ ସବୁବେଳେ କୋଉଠି ଗୋଟାଏ ଲାଗିରହିଥାଏ, ୟେ କିଛି ପାଗଳଙ୍କ ପରି ମାତନ୍ତିନି । ଠିକ୍ କରି ଖାଇବେ, ପିଲାଙ୍କ ସାଙ୍ଗେ ଖେଳିବେ, ସ୍ତ୍ରୀଙ୍କୁ ଦେଖି ହସିବେ ବି । ୟାଙ୍କ ହସଟା ଆଗପରି ନୁହ; କିନ୍ତୁ ତାହା ପାଗଳଙ୍କ ହସପରି ବି ନୁହେଁ । ସପ୍ତାହେ କାଳ ଘରେ ଚୁପ୍‌ଚାପ୍ ରହିବା ପରେ ଆଠଦିନ ଦିନ ବଡ଼ବଜାର ଯାଇ ବଢ଼େଇ କାମ କରିବାକୁ ଲାଗିଲେ । ସେଦିନ କାମକୁ ଯାଇ ତିନିଟଙ୍କା ରୋଜଗାର କରି ଆଣିଲେ ।’’ ଏତକ କହି ମୋର ସାଙ୍ଗ ତା କଥାଟି ଶେଷ କଲା । ମୋ ମନରେ ଏତିକି କଥା ଆସିଲା ଯେ ମୁଁ ଯାଇ ତାଙ୍କୁ ଦେଖିନବା ଉଚିତ ଥିଲା ।

 

‘‘ଆଉ କେଉଁ ଦିନ ତାଙ୍କୁ ମନଦେଇ ଦେଖିନେବି’’ କହି ମୋ ସାଙ୍ଗଟି ତାର କଣ କାମରେ ବାହାରିଗଲା ।

 

ସେଇ ଦିନଠାରୁ ମୋ ମନରେ ଏଇ ଇଚ୍ଛାଟି ଥାଏ ଯେ ତାଙ୍କୁ ଭଲକରି ଥରେ ଦେଖିନବା ଦରକାର ।

 

କିଛିଦିନ ପରେ ସେ ବଢ଼େଇକାମର ସବୁ ହତିଆର ନେଇ ରାସ୍ତାରେ ଯାଉଥିଲେ । ସେତେବେଳେ ମୁଁ ତାଙ୍କୁ ନିଠେଇ ଚାହିଁଲି । ସେ କାନରେ ଗୋଟିଏ ଧୂପକାଠି ଖୋଷିଥିଲେ । ଛାତିରେ ଚନ୍ଦନ ଲଗା ହେଇଚି । ଅନ୍ୟ ଦିନପରି ସେଇ ଦି’ଗଜିଆ ଧୋତିଟି ଅଣ୍ଟାରେ, କାନ୍ଧରେ ତଉଲିଆଟିଏ । ମୁଁ ତାଙ୍କ ମୁହଁକୁ ଭଲକରି ଦେଖିଲି । ତହିଁରେ ଗୋଟିଏ ଆନ୍ତରିକ ତନ୍ମୟଭାବ ଥିଲା, ଆଉ କିଛି ବିଶେଷତ୍ୱ ଦେଖିବାକୁ ମିଳିଲା ନାହିଁ । ସେ ଯେତେବେଳେ ଆଖି ଉପରକୁ କଲେ ସେ ମତେ ଦେଖିଲେ ଓ ମୁଁ ବି ତାଙ୍କୁ ଦେଖିଲି ।

 

ୟା ପରେ ମୁଁ ତାଙ୍କୁ ଗଳିରେ କେତେ ଥର ଦେଖିଚି । ଆସ୍ତେ ଆସ୍ତେ ଆମର ଏହି ମୌଖିକ ପରିଚୟଟି ବଢ଼ିଲା । ବର୍ତ୍ତମାନ ସେ ମତେ ଦେଖି ନ ହସି ଯାଉନଥିଲେ ।

 

ଦିନେ ମୋ ଘରର ଗୋଟିଏ ପଡ଼ିଶା ଘରେ ସେ କାମ କରିବାକୁ ଆସିଥିଲେ । ସେ ଘରର ମାଲିକ ମୋ ଆଗରେ ତାଙ୍କର ବହୁତ ପ୍ରଶଂସା କଲେ ।

 

ସେ କହିଲେ, ‘‘ୟେ ଜଣକ ବଡ଼ ଅଦ୍ଭୁତ ଲୋକ । ଠିକ୍ ଯାହା ନ୍ୟାଯ୍ୟ, ସେତିକି ମଜୁରି ସେ ଠିକ୍ କରିଦେଲେ । କାଠର ସିନ୍ଦୁକଟି ଏପରି ସୁନ୍ଦର ତିଆରି କରିଛନ୍ତି ଯେ କେହି ଗୋଟିଏ ଭୁଲ୍ ଦେଖେଇ ପାରିବନି । ସେ ଚୁପ୍ ରହିବାଟା ଖାଲି ତାଙ୍କର ବୈଚିତ୍ର୍ୟ ନୁହେଁ । କାମ ଆରମ୍ଭ କରିବା ଆଗରୁ ସେ କାନରେ ଖୋସାଯାଇଥିବା ଧୂପକାଠି ଜଳେଇନେବେ । ଟିକିଏ ପରେ ଖୁବ୍ ଲମ୍ବା ଲମ୍ବା ନିଶ୍ୱାସ ନେବେ ମନମୁନ ଲଗେଇ କାମ କରିବେ । ଦିପହରିଆ ଭାତ ଖାଇବାବେଳେ ଅଧସେରେ ଲଙ୍କା ନେଇ ଖାଇବେ, ବେଳେବେଳେ ଠାରିକରି ଗରମ ପାଣି ମାଗି ପିଅନ୍ତି । ସବୁବେଳେ ସେ ପୂର୍ଣ୍ଣଭାବେ ଆତ୍ମଲୀନ ରହନ୍ତି । ସେଇଥିପାଇଁ ସେ କାମ କଲାବେଳେ କିପରି ଗୋଟିଏ ଗଛପରି ଦେଖାଯାନ୍ତି ଯାହାର ଡାଳପତ୍ର ବାଆବତାସରେ ଦୋହଲୁଥାଏ; କିନ୍ତୁ ଗଣ୍ଡିଟି ସ୍ଥିର ରହିଥାଏ । ୟେ ବଡ଼ ଅଦ୍ଭୁତ ଲୋକ ।’’ ତାଙ୍କ ବିଷୟରେ ମୋର ଆଶ୍ଚର୍ଯ୍ୟ ବଢ଼ିଗଲା । ତାଙ୍କ ବିଷୟରେ ଚିନ୍ତା ଆହୁରି ବେଶୀ ପରିଷ୍କାର ହେଲା । ମୁଁ ବୁଝି ପାରିଲିନି ସେ ବଢ଼େଇ ନା ଜ୍ଞାନୀ ? କି ଅବା ଦୁଇଟିଯାକ ହୋଇଥିବେ !

 

ଦିନେ ମୁଁ ତାଙ୍କୁ ଡାକି କହିଲି ଯେ ମୋ ଘରେ କିଛି କାଠକାମ ରହିଚି । ମୋ ମନରେ ଏତିକି ସନ୍ଦେହ ଥିଲା ଯେ ସେ କମ୍ ମଜୁରି ମାଗିବେ । ମୁଁ ମନେ ମନେ ଯେତିକି ମଜୁରି ଦେବାକୁ ଠିକ୍ କରିଥାଏ ସେତିକି ସେ ମାଗିଲେ । ୟା ଦେଖି ଅବାକ୍ ହେଲି । ସେ ଉଚିତ ମଜୁରି ମାଗିଥିଲେ-। ତାଙ୍କର ଜ୍ଞାନ ଏପରି ଯେ ସେ ମୋ ମନକଥା ବି ଜାଣିପାରିଥିଲେ ।

 

ଦୁଇଦିନ ସେ ମୋ ଘରେ କାମ କଲେ । ମୋ ସାଙ୍ଗ ଯାହା କହିଥିଲା ତାହାର ପଦେ ହେଲେ ଭୁଲ୍ ନଥିଲା । ଦ୍ୱିତୀୟ ଦିନ କାମ ଶେଷ କରିବା ହେତୁ ମୁଁ ତାଙ୍କୁ ଉଚିତ୍ ମଜୁରି ସାଙ୍ଗକୁ ଦି ଟଙ୍କା ଅଧିକା ଦେଲି ।

 

ସେ ଟଙ୍କା ନେଇ ଗଣିଲେ । ଯାହା ଠିକ୍ ହୋଇଥିଲା ତାଠୁଁ ବେଶୀ ଯାହା ଟଙ୍କା ଥିଲା ସେତକ ମୋ ହାତରେ ଦେଲେ । ୟାପରେ ଠାରିକରି କାଗଜ ପେନ୍‌ସିଲ ମାଗିଲେ । କାଗଜ ପେନ୍‌ସିଲ ପାଇ ତହିଁରେ ଲେଖିଲେ, ‘‘ୟେ ଲୋକ ବକ୍‌ସିସ୍‍ ନିଏନା ।’’ ଏହି ଘଟଣାରୁ ମୋ ମନରେ ତାଙ୍କ ପ୍ରତି ପ୍ରକାରେ ଭକ୍ତିଭାବ ଜାତ ହେଉ ସେ ପଇସା କମେଇବାକୁ କାମ କରନ୍ତି; କିନ୍ତୁ ପଇସା ନେବାକୁ ମନା କରିଦିଅନ୍ତି । ତାଙ୍କର ସଂଯମ ଦେଖି ମୁଁ ଆଶ୍ଚର୍ଯ୍ୟ ହେଲି । ହଠାତ୍ ମୋ ମନରେ ତାଙ୍କ ଘରକୁ ଯାଇ ତାଙ୍କ ସଙ୍ଗେ ମିଶିବାର ପ୍ରବଳ ଇଚ୍ଛା ଜାତ ହେଲା । ମୁଁ ଯେତେବେଳେ ତାଙ୍କୁ କହିଲି, ‘‘ମୁଁ ଆପଣଙ୍କ ସାଙ୍ଗରେ ଆପଣଙ୍କ ଘରକୁ ଯାଏଁ ?’’ ସେତେବେଳେ ସେ ହସି ହସି ଜବାବ ଦେଲେ, ‘‘ଆଚ୍ଛା ।’’

 

ମୁଁ ତାଙ୍କରି ସାଙ୍ଗରେ ବାହାରି ପଡ଼ିଲି । ବାଟରେ ସେ କାହାରି ସାଙ୍ଗେ କଥା ହୋଇ ନାହାନ୍ତି । ସେ ସିଧା ଯାଇ ଗୋଟିଏ ଛୋଟିଆ ବଜାରର ଗୋଟିଏ ଫୁଲ ଦୋକାନ ଆଗରେ ଠିଆହେଲେ । ଦୋକାନୀ ତାଙ୍କୁ ଅଣାଟାକର ଫୁଲ ବାନ୍ଧିଦେଲା । ମୁଁ ଯୋଉ ପଇସା ଦେଇଥିଲି ତହିଁରୁ ଫୁଲଲାଗି ପଇସା ଦେଇ ସେ ସେଠୁ ଚାଲିଲେ ଓ ଚନ୍ଦନ ଦୋକାନରେ ଯାଇ ଠିଆହେଲେ । ଆଠଣାର ବାସଚନ୍ଦନ ଓ ଗୋଟେ ପ୍ୟାକେଟ୍ ଧୂପକାଠି ନେଇ ସେ ସେଠୁ ଚାଲିଲେ । ଫୁଲ ଦୋକାନୀ ଓ ଚନ୍ଦନ ବେପାରୀଙ୍କ ବ୍ୟବହାର ଦେଖି ମୁଁ ଜାଣିପାରିଲି ଯେ ଏସବୁ ତାଙ୍କର ନିତିଦିନିଆ ଅଭ୍ୟାସ ।

 

ସେଠୁ ଆମେ ଯାଇ ସିଧା ତାଙ୍କ ଘରେ ପହଞ୍ଚିଲୁ । ତାଙ୍କର ଛୋଟ ଘରଟି ସାଜସଜ୍ଜାହୀନ ଗୋଟିଏ ଶୁଆ ପିଞ୍ଜରା ପରି । ଘରେ ପହଞ୍ଚିବା ମାତ୍ରେ ସେ ଫୁଲତକ ତାଙ୍କ ସ୍ତ୍ରୀ ହାତରେ ଦେଲେ । ବଦଳରେ ତାଙ୍କ ସ୍ତ୍ରୀ ତାଙ୍କୁ ଗୋଟିଏ ଜୂଇଫୁଲ ଦେଲେ । ଏହା ଦେଖି ମୁଁ ଦ୍ରବୀଭୂତ ହୋଇଗଲି । ମତେ ଲାଗିଲା ମୋ ବୁଦ୍ଧିର ସୀମା ବାହାରେ କେଉଁ ଜଗତରେ ପହଞ୍ଚିଯାଇଛି ପରା । ଆରାଧନାର ତାତ୍ପର୍ଯ୍ୟ.....

 

ଏହାପରେ ସେ ଅଗଣାକୁ ଯାଇ ହାତଗୋଡ଼ ଧୋଇଲେ ଓ ଧୂପକାଠି, ଚନ୍ଦନ, ବାକି ପଇସା ସବୁକିଛି ସ୍ତ୍ରୀଙ୍କୁ ଦେଇଦେଲେ । ଏସବୁ ଜିନିଷ ନେଉଥିବା ବେଳେ ମୁଁ ତାଙ୍କ ସ୍ତ୍ରୀଙ୍କ ମୁହଁକୁ ଚାହିଁଲି । ତାଙ୍କ ମୁହଁରେ ନରନାରୀଙ୍କ ସମ୍ବନ୍ଧରୁ ଭିନ୍ନ, ବନ୍ଧୁ ପରି ଭାବଟିଏ ଦେଖାଯାଉଥିଲା ।

 

ଏହାପରେ ସେ ବାରଣ୍ଡାକୁ ଆସିଲେ । ମୋ ଲାଗି ଖଣ୍ଡିଏ ଆସନ ପକାଇ ସେ ନିଜେ ବି ଖଣ୍ଡିଏ ଆସନ ପାରି ବସିଲେ । ତାଙ୍କ ସ୍ତ୍ରୀ ଆମ ଦୁହିଙ୍କଲାଗି ଗିଲାସରେ ଘୋଳଦହି ଆଣିଦେଲେ ।

 

‘‘ଆପଣଙ୍କର କେତୋଟି ପିଲା ?’’ ମୁଁ ପଚାରିଲି ! ସେ ଦୁଇଟି ଆଙ୍ଗୁଠି ଦେଖାଇଲେ । ‘‘କାହିଁ ସେମାନଙ୍କୁ କୋଉଠି ଦେଖୁନି ।’’ ଏତିକି ମୋ ପାଟିରୁ ସରିନି ଯୋଡ଼ିଯାଉଁଳି ଦି’ଟି ପୁଅ ଘର ଭିତରକୁ ଆସିଲେ । ସେମାନେ କାନରେ କିଛି ବଣୁଆ ଫୁଲ ଖୋସିଥାନ୍ତି । ମୋ ସଙ୍ଗେ ଆଗରୁ ଚିହ୍ନା ନ ଥିଲେ ବି ମତେ ନମସ୍କାର କରିଗଲେ । ଏହା ଦେଖି ମୁଁ ଆଶ୍ଚର୍ଯ୍ୟ, ଚକିତ ହେଲି ।

 

ଏହାପରେ ଆମେ ଇଙ୍ଗିତ ଓ ସ୍ଲେଟଖଡ଼ି ସାହାଯ୍ୟରେ କେତେ କଥା ଆଲୋଚନା କଲୁ-। କହିପାରିବିନି ମୁଁ ତାଙ୍କର ସବୁଗୁଡ଼ାକ କଥା ବୁଝିପାରିଲି କି ନାହିଁ; କିନ୍ତୁ ମତେ ତାଙ୍କ ଜଗତଟା ଗୋଟିଏ ନୂଆ ଜଗତ ପରି ଲାଗିଲା । ସେ ଲେଖିକରି ମତେ ଜଣାଇଲେ, ‘‘ଏଥିରେ କିଛି ନୂଆ କଥା ନାହିଁ, ଫୁଲ ନୂଆ, କିନ୍ତୁ ଗଛ ହିଁ ପୁରୁଣା ।’’

 

ମୁଁ ତାଙ୍କ କଥା ଭଲକରି ବୁଝିପାରି ନଥିଲି; କିନ୍ତୁ କେଜାଣି କାହିଁକି ମୋ ମନ ତୃପ୍ତି ପାଇଲା ।

 

ଘରକୁ ଫେରିବା ଆଗରୁ ମୁଁ ତାଙ୍କୁ ଗୋଟିଏ କଥା କହିଲି । ତାଙ୍କ ଜବାବ୍‌ଟି ମତେ ଆଶ୍ଚର୍ଯ୍ୟ କରିଦେଲା ।

 

‘‘କାଲି ମୋର ଜଣେ ସାଙ୍ଗ ଘରେ କିଛି କାମ ରହିଚି । ଯିବେ ?’’ ମୁଁ ପଚାରିଲି ।

 

ସେ ଲେଖି ଜଣାଇଲେ, ‘‘ଏ ଲୋକ ତିନିଦିନ ଯାକେ କୁଆଡ଼େ ବି ଯିବନି ।’’

 

‘‘କାହିଁକି ?’’ ମୁଁ ପଚାରିଲି ।

 

ଲେଖି ଜଣାଇଲେ, ତିନି ପହର ଲାଗି ଯେତିକି ଧନ ଦରକାର, ହାତରେ ରହିଚି । ୟା ପରେ ମୁଁ କିଛି କହି ପାରିଲିନି । ‘‘ନମସ୍କାର’’ କହି ତାଙ୍କଠୁଁ ବିଦାୟ ନେଲି ।

Image

 

ବର୍ଷାରୁ ରକ୍ଷା ପାଉ ପାଉ

 

ମାଡ୍ରାସ ପ୍ରଦେଶର ଜାତକରେ ବୋଧହୁଏ ବିଜ୍ଞାପନ ଯୋଗଟା ସମ୍ଭବତଃ ସବୁଚାହିଁ ବେଶୀ ଥିଲା । କା’ର ଟିକିଏ ମୁଣ୍ଡ ବଥେଇଲା, ଜର ହେଲା କି ସର୍ଦ୍ଦି ଟିକିଏ ହେଲା ତ ଏଇ ଖବର ଶୀଘ୍ର ଉଡ଼ିଯାଇ ସମସ୍ତଙ୍କ ପାଖେ ପହଞ୍ଚିଯାଏ; କିନ୍ତୁ ଏ କଥା ସତ ଯେ ଗଳିଗୁଡ଼ାକୁ, କୁଡ଼ିଆଯାକଙ୍କୁ, ରାସ୍ତାସବୁକୁ ଏତେ ପ୍ରାଧାନ୍ୟ ମିଳିନାହିଁ । ବେଳେ ବେଳେ ତାଙ୍କୁ ବି ବିଜ୍ଞାପନ ପ୍ରାପ୍ତି ଯୋଗ ମିଳିଯାଏ । ଯେବେ କୁଡ଼ିଆଗୁଡ଼ାକ ହୁତ୍ ହୁତ୍ କରି ଜଳିଉଠନ୍ତି କିମ୍ବା କୁଡ଼ିଆରେ ରହୁଥିବା ଲୋକେ ଲୁଚେଇ ଚୋରେଇ ବାର୍ନିଶ ପିଇ ଅଚେତ ହୋଇଯାନ୍ତି, ତାହେଲେ ଖବରକାଗଜବାଲା ଏତକ ପ୍ରଚାର କରିବାକୁ ବହୁତ ପଂକ୍ତି ଲେଖିପକାନ୍ତି ।

 

ବର୍ଷା ନହେବା ହେତୁରୁ ଏଠି ପାଣିନେଇ ଭାରି ହଇରାଣ । ୟା ତ ସାରା ଦେଶର ଲୋକ ଜାଣନ୍ତି । କଳରେ ପାଣି ଶୁଖିଯାଇଛି । ଦୁଧବାଲା ଦୁଧରେ ମିଶାଇବାକୁ ପାଣି ନପାଇ ବଡ଼ କଷ୍ଟ ପାଉଛି ଇତ୍ୟାଦି ଖବର ଛପାଇ ଖବରକାଗଜବାଲାଏ ତାଙ୍କର ସମବେଦନା ଜଣାଇଲେ । ସହରର ନେତାମାନେ ଯାହାଙ୍କର ପାଣି ଅଭାବରେ ହେଉଥିବା କଷ୍ଟ ବିଷୟରେ ଟିକେ ହେଲେ ଅଭିଜ୍ଞତା ନଥିଲା, ଖବରକାଗଜ ଜରିଆରେ ହିଁ ସହରର ଜଳକଷ୍ଟ ବିଷୟ ଜାଣିପାରିଲେ ।

 

କେତେଦିନ ପର୍ଯ୍ୟନ୍ତ ଏମିତି କାନ୍ଦଣାର ସୁର ଲହରେଇ ହବ ? ହଠାତ୍, ସେଇ ଖବରକାଗଜଗୁଡ଼ାକୁ ନୂଆ ଖବର ଯୋଗେଇବା ସକାଶେ ହିଁ ଜାଣ ମାଡ୍ରାସରେ ଜୋରସୋରରେ ବର୍ଷା ହେବାକୁ ଆରମ୍ଭ କଲା ।

 

ବୋଧହୁଏ ଆକାଶକୁ ଲାଜ ଲାଗୁଥିଲା–ପବନ, ପାଣି ଓ ବିଜୁଳି ଘଡ଼ଘଡ଼ି ସବୁ ଏକାସଙ୍ଗେ ଦେଖି ପତ୍ରକାରମାନଙ୍କର ଖୁସିର ସୀମା ରହିଲାନି । ସନ୍ଧ୍ୟାବେଳର ଖବରକାଗଜ ଓ ପରଦିନର ଖବରକାଗଜରେ ପୃଷ୍ଠା ପରେ ପୃଷ୍ଠା ବର୍ଷା ବିଷୟକ ଖବରରେ ଯେପରି ତିନ୍ତି ଜୁଡ଼ୁବୁଡ଼ୁ ହୋଇଯାଇଥିଲା ।

 

ବର୍ଷା ବିଷୟକ ଏପରି ଆନନ୍ଦଦାୟକ ଖବରଯାକ ଶୁଖିବା ଆଗରୁ ସେ ସହରର ନେତାଗଣଙ୍କର ଜୋରଦାର ଚିଠିମାନ ଖବରକାଗଜମାନଙ୍କ ଅଫିସରେ ପହଞ୍ଚିଗଲା । କେହି କେହି ଲେଖିଲେ, ତାଙ୍କ ଘରୁ ବିଜୁଳି ଚାଲିଯାଇଛି । କେହି କେହି ଲେଖିଲେ, ତାଙ୍କ ଘରେ ଟେଲିଫୋନ ବିଗିଡ଼ି ଗଲା । ପୁଣି କେହି କେହି ରାଗିଯାଇ ଏମିତି ବି ଲେଖିଲେ ଯେ ସହରର ରାସ୍ତାଘାଟର ଅବସ୍ଥା ଏତିକି ଖରାପ ଯେ ତାଙ୍କ ଗାଡ଼ିମାନ ଜୋରରେ ଯାଇପାରୁନାହାନ୍ତି । ସେମାନେ ଭାଗ୍ୟବାନ୍ ଲୋକ । ତାଙ୍କ ଦେହରେ ତ ବର୍ଷାର ଟୋପେ ପଡ଼ିବାର ନୁହେଁ ।

 

ଦ୍ୱିତୀୟ ଦିନ ରାତିରେ ଆକାଶ ଶାନ୍ତ ଥିଲା; କିନ୍ତୁ ତିନିଦିନଧରି ଦିନ ଦିପହର ପରେ ମେଘ ଘୋଡ଼େଇ ଆସିଲା । ସଦାବେଳେ ବର୍ଷୁଥିବା ଆକାଶ ଯେପରି ବଡ଼ ଓଲଟ କରେଇଟିଏ ପରି ଦେଖାଯାଉଥାଏ । ତାକୁ ନିଆଁରେ ଥୋଇ ଭାଙ୍ଗିବାକୁ ଜାଣି ବିଜୁଳିଯାକ ବ୍ୟସ୍ତ । ଆକାଶରେ ସଦାବେଳେ ନାଗରା ବାଜିବାର ଶବ୍ଦ ଶୁଣାଯାଉଥିଲା ।

 

ରାତି ଆଠଟା ବାଜିଯାଇଥିଲା । ଯୋଉଠି ସବୁ ବିଜୁଳି ବିଗିଡ଼ିଛି ସେହି ରାସ୍ତାକୁ ବାଦ୍ ଦେଲେ ଅନ୍ୟାନ୍ୟ ଜାଗାମାନଙ୍କରେ ପାଣି ସଙ୍ଗେ ଆଲୋକର ସୁଅ ବି ଦେଖିବାକୁ ମିଳିଲା । ବର୍ଷାପାଣି ଯୋଉଠି ଖଲାସ ହୋଇପାରେ ସେଠି ତ ଚାଲିଗଲା; ଯୋଉଠି ଯାଇପାରିବନି ସେଠି ଅନିମନ୍ତ୍ରିତ ଅତିଥିପରି ଘରକୁ ପଶିବାକୁ ଚେଷ୍ଟା କଲା ।

 

ଅନିମନ୍ତ୍ରିତ ଆଉ କେତେକ ଅତିଥି ବର୍ଷାରୁ ରକ୍ଷା ପାଇବାକୁ ରାସ୍ତାରେ ୟାଡ଼େ ସ୍ୟାଡ଼େ ବୁଲୁଥିଲେ । ସେମାନେ ମୁକ୍ତ ଆକାଶରେ ରହିବା ଲୋକ । ସେମାନେ ରାସ୍ତାକଡ଼ର ମନ୍ଦିରକୁ ଯାଇ ଭଗବାନଙ୍କ ପାଖରେ ପ୍ରାର୍ଥନା କରିସାରି ଫେରୁଥିଲେ ଯେ ବର୍ଷା ଯେମିତି ଆଉ କେବେ ନହୁଏ । ରାସ୍ତାକଡ଼ର ଗଛମୂଳେ, ବନ୍ଦ ଦୋକାନ ସାମନାରେ, ଛାଇଥିବା ବସ୍ ଡିପୋ ପାଖରେ, କାନ୍ଥରୁ ଚିରା ହେଇଥିବା ଚଳଚ୍ଚିତ୍ରର ବିଜ୍ଞାପନ ପୋଷ୍ଟରମାନ ବିଛାଇ ଶୋଇବାର ଅଭ୍ୟାସ ସେହି ନର-ନାରାୟଣମାନଙ୍କର ଅଛି ।

 

କେବଳ ମରହଟ୍ଟୀ ଲୋକମାନେ ହିଁ ନିଜର ଘର ସାମନାରେ ବାରଣ୍ଡା ତିଆରି କରୁଥିଲେ । ନାଗରିକ ସଭ୍ୟତାର ବିଶେଷତ୍ୱ ଏତିକି ଯେ ସେଠି ପ୍ରତ୍ୟେକ ଘରର ଚାରିପଟେ ଏପରି ଉଚ୍ଚ କାନ୍ଥ ରହିଥିବ ଯେପରି ଦୁର୍ଗର ଚାରିପଟେ ପ୍ରାଚୀର ! ଲୋକେ କହନ୍ତି ଏପ୍ରକାର ଉଚ୍ଚା କାନ୍ଥ ଦେଇ ଦୁର୍ଗ ତିଆରି କରିବାଟା ଗୃହନିର୍ମାଣ ବିଷୟକ ନିୟମର ଅନ୍ତର୍ଗତ । ବର୍ଷା ହଉ, ବାଦଲ ଗରଜୁ, କେହି ହେଲେ ପଡ଼ିଶାଘରର ଛାଇ ତଳେ ଅଧ-ମୁହୂର୍ତ୍ତ କଟାଇପାରିବନି । ଯୋଉଠି ବଡ଼ ବଡ଼ କମ୍ପାଉଣ୍ଡ ଥିଲା ସେଠି ବଡ଼ ବଡ଼ କୁକୁର ଥିଲେ କିମ୍ବା ଗୁର୍ଖା ଦରୁଆନ୍ ଠିଆହୋଇଥିଲେ ।

 

ମୟିଲାପୁର ଆଡ଼େ ଆସୁଥିବା ସେଇ ପାଞ୍ଚ ଛଜଣ ଲୋକଙ୍କ ଭିତରୁ ଜଣେ ଥିଲା ବୈଲୈସ୍ୱାମୀ ! ଜାଗାଏ ଜାଗାଏ ରହି ସେ ତା ଦିନଟି କଟେଇଥିଲା । ସବୁଦିନ ସେ ଯୋଉ ଗଛର ଚଉତରା ଉପରେ ଶୋଉଥିଲା ସେଇଟି ବର୍ଷାପାଣିରେ ଡୁବି ଯାଇଚି । ରାତିରେ ଶୋଇବା ଲାଗି ଜାଗା ନମିଳୁ ପଛେ; କିନ୍ତୁ ବସିବା ଲାଗି ସ୍ଥାନ ଟିକିଏ ତ ନିଶ୍ଚୟ ଦରକାର ।

 

ବୈଲୈସ୍ୱାମୀର ବୟସ ପ୍ରାୟ ପଚିଶ ବର୍ଷ । ସେ ଦୁଇମାସ ଆଗରୁ ରାମନାଥପୁରମ୍ ଜିଲାରୁ ଜୀବିକାର ସନ୍ଧାନରେ ସହରକୁ ଆସିଥିଲା । ନିଜ ଦିହ ଖଟେଇ ଯେତେ କାମ କରିପାରିବ ସେଗୁଡ଼ିକ ସେ ନିରଳସ ଭାବେ କରୁଥିଲା । ସେ ଦରକାର ଅନୁସାରେ କେବେ ହାଟକୁ ଯାଇ ଗଛବୃକ୍ଷର ଡାଳପତ୍ର ବୋହୁଥିଲା । କେତେବେଳେ ଠେଲାବାଲାକୁ ସାହାଯ୍ୟ କରୁଥିଲା, କାଠ କାଟୁଥିଲା ତ କେବେ ଯାତ୍ରୀଙ୍କର ଜିନିଷ ବୋହୁଥିଲା ।

 

ମଣ୍‌ଣାଡ଼ିରୁ ତାର ମୟିଲାପୁର ଆସିବାର ଗୋଟିଏ କାରଣ ଥିଲା । ରିକ୍‌ସା ଟାଣି ମଜୁରି କମାଉଥିଲା ଯୋଉ କରୁପ୍‌ପନ ସେ ସେଇଠି କୂବମ୍ ନଈକୂଳରେ ଥିବା କୁଡ଼ିଆ ଭିତରୁ ଗୋଟିକରେ ରହେ । ଦିନେ ବୈଲୈସ୍ୱାମୀ କରୁପ୍‌ପନ ସାଙ୍ଗରେ ତା କୁଡ଼ିଆକୁ ଯାଇଥିଲା । ସେଠି ଥରୁଟିଏ ଖାଇଥିଲା ବି । ଭଲକରି ଦୋସ୍ତି ହୋଇ ନ ଥିଲେ ବି, ତା ପାଖୁ ଗଲେ ସେ ମନା କରିବନି ! ବୈଲୈସ୍ୱାମୀ ଲାଗି ଟିକେ ପରଦାଦିଆ ବାରଣ୍ଡା ହିଁ ଯଥେଷ୍ଟ ହବ ।

 

ଟାଉନ ବସ୍‌ରେ ଯିବାକୁ ତିରିଶ ପଇସା ଖର୍ଚ୍ଚ ହବ । ପକେଟରେ ସବୁମିଶି ପଞ୍ଚାନବେ ପଇସା ଅଛି । ଅନ୍ୟ ଦିନମାନଙ୍କରେ ବହୁତ ପରିଶ୍ରମର କାମରେ ଖଟିଲେଇ ପଇସା ମିଳିପାରୁଥିଲା । ଏଇଲା ବର୍ଷା ଲାଗି ତିନିଦିନ ଠାରୁ କିଛି ମିଳୁନାହିଁ; କିନ୍ତୁ ପେଟ ଦିନକୁ ତିନିଥର କଣ ପାଞ୍ଚ ଛଅଥର ଖାଇବାକୁ ଚାହୁଁଛି । ଦିନକୁ ଥରେ ହେଲେ ତା ଖବରଅନ୍ତର ନେଲେ ସିନା ସେ ଆରଥର ପର୍ଯ୍ୟନ୍ତ ତୁନିପଡ଼ି ରହିବ ?

 

ରାୟପେଟ୍ଟା ରାସ୍ତା ଦେଇ ସେ ମୟିଲାପୁର ପାଖରେ ପହଞ୍ଚିଲା । ଜାଗାଟା ପଚାରି ପଚାରି ସେ ପୂର୍ବ ଆଡ଼କୁ ମୁହାଁଇଲା । ସେ ଭୟଙ୍କର ବର୍ଷା ଭିତରେ ଚାରିମାଇଲ ଚାଲି ସାରିଥିଲା; ତେଣୁ ରାସ୍ତାରେ ଗୋଟିଏ ଚାହା ଦୋକାନ ଦେଖିବା ମାତ୍ରେ ତାର ଭୋକ ବଢ଼ିଗଲା । ଦୋକାନଟି ବହୁତ ଛୋଟିଆ । ସେଠି ବସିକରି ଚାହା ପିଇ ହୁଏନା । ସେ ନାୟାର ପାଖୁ ଯାଇ ଦଶପଇସିଆ ତିନିଟା ‘ବନ୍’ କିଣିଲା । ଠିଆ ଠିଆ ସେଇଠି ସେତକ ଖାଇ ସେ ଦିଟା କଦଳୀ ବି ନେଇ ଖାଇଲା । ସବୁ ମିଶାଇ ଚାଳିଶ ପଇସା ହେଲା । ତା ଦିହଟା ଶୀତରେ ଥରୁଥିଲା । ତାର ଚାହା ପିଇବାକୁ ମନ ହେଲା । ସେ ଆହୁରି ଦଶପଇସା ଦେଇ ଚାହା ପିଇଲା । ଗରମ ଗରମ ଚାହାକୁ ଆସ୍ତେ ଆସ୍ତେ ବୁନ୍ଦା ବୁନ୍ଦା କରି ପିଇନେଲା । ତାର ଉଷୁମ୍‌ଟି ଦେହରେ ଭେଦିଯିବାରୁ ତାକୁ ଖୁବ୍ ଭଲ ଲାଗିଲା ।

 

କୁଡ଼ିଆ ଆଡ଼କୁ ଯାଉଥିବା ବାଙ୍କ ପାଖେ ପହଞ୍ଚିବା ମାତ୍ରେ ତା ଛାତି ଧକ୍ କରି ରହିଗଲା-। ସେଠିକାର କୁଡ଼ିଆଯାକ ଆଉ ଆଗପରି ନାହାନ୍ତି । ଲୋକବାକ ବି ଦେଖିବାକୁ ମିଳିଲେନି । ଆଣ୍ଠିଏ ପାଣି ଓ କାଦୁଅ ସରପଟ୍ ରାସ୍ତାରେ ସେ ଚାଲୁଥିଲା । ଦୁଇ ତିନିଟା କୁଡ଼ିଆ ଭାଙ୍ଗିରୁଜି ମାଟିରେ ପଡ଼ିଛି । ‘ମୁଁ ଏତେ ବାଟ କାହିଁକି ଅଇଲି’ ଏତିକି ପ୍ରଶ୍ନ ତା ମୁଣ୍ଡକୁ ଆସିଲା ।

 

ରାସ୍ତା ଆଲୁଅରେ ସେ କରୁପ୍‌ପନର କୁଡ଼ିଆଟିକି କୌଣସିମତେ ବାହାର କଲା । ବାରଣ୍ଡାରେ ଝୁଲୁଥିବା ପର୍ଦାଟି ତଳେ ପଡ଼ିଯାଇଥିଲା । ଦରଜାର ଫାଙ୍କଦେଇ ଘର ଭିତରେ ଲ୍ୟାମ୍ପଟି ଦିକିଦିକି ହୋଇ ଜଳୁଥିବାର ଦେଖାଗଲା । ବେଳେ ବେଳେ ସେଇଟା ଦପ୍‌କରି ଜଳି ଉଠୁଥାଏ ଏବଂ ତାର ଆଲୁଅରେ କୁଡ଼ିଆର ଭିତରଟା ଦେଖାଯାଉଥାଏ ।

 

ସେ ବାହାରେ ଠିଆହୋଇ ପ୍ରତ୍ୟେକ ଜିନିଷକୁ ମନଦେଇ ଦେଖିଲା । ଚାଳରୁ ଦୋହଲୁଥିବା ପାଣି ତଳେ ପଡ଼ିବାରୁ ରକ୍ଷା କରିବା ଲାଗି ଜାଗାଏ ଜାଗାଏ ମାଟିର ମାଠିଆମାନ ରଖା ହୋଇଛି । ସେଇ ମାଠିଆଯାକ ବୋଧେ ପାଣିଧରି ରଖିପାରୁ ନଥିଲେ; କାରଣ ଚାରିଆଡ଼ ନଈବଢ଼ି ପରି ପାଣିରେ ପୂରା ଭରିଯାଇଥିବାର ଦେଖାଗଲା । ସେଇ ଘରର ଗୋଟେ କୋଣରେ ଦୁଇଟି ମୂର୍ତ୍ତି ପରସ୍ପର ଲଗାଲଗି ହୋଇ ବସିଥିଲେ । ଦୁଇଟିଯାକ ମାଇପିଲୋକ । ଜଣେ କରୁପ୍‌ପନର ମା, ଆଉ ଜଣେ ତା ଝିଅ । ତାକୁ ଜଣା ଅଛି ଯେ କରୁପ୍‌ପନର ଭାରିଜା ମରିଯାଇଚି-

 

ସେ ବାହାରେ ଠିଆହୋଇ କଣ ଭାବିଲା । ଦଶ ପନ୍ଦର ଦିନ ତଳେ ସେ ଦିନବେଳା ଏଠିକି ଆସିଥିଲା । ସେତେବେଳେ ବି ସେ ଏଠି ରହିପାରୁ ନ ଥିଲା । ମଇଁଷି ଓ ଘୁଷୁରି ସେ କୁଡ଼ିଆର ପଛପଟେ ବୋହି ଯାଉଥିବା କୂବମ ନାମକ ନର୍ଦ୍ଦମାରେ ଯାଇ ପାଣିରେ ପଡ଼ୁଥିଲେ । ଦୁର୍ଗନ୍ଧ ଯେ ନାକ ରୁନ୍ଧିହୋଇ ଯାଉଥାଏ । ଦିନବେଳଟାରେ ବି କୁଡ଼ିଆ ଭିତରେ ମଶା ଭଣଭଣ ଉଡ଼ୁଥିଲେ । ଏସବୁ ଜାଣିଶୁଣି ମଧ୍ୟ ବର୍ଷାରୁ ରକ୍ଷା ପାଇବାକୁ ଆଉ ଭଲ ଜାଗା ନପାଇ ବୈଲୈସ୍ୱାମୀ ଏଠିକି ଆସିଥିଲା ।

 

ସେତେବେଳେ କରୁପ୍‌ପନ୍ ଘରେ ନଥିଲା । ଘରେ ଘରଲୋକ ପାଇଁ ବି ଯଥେଷ୍ଟ ଜାଗା ନଥିଲା । ନଅ ଜାଗାରେ ପାଣି ବୋହୁଚି । ସେ କୁଡ଼ିଆରେ ରହିବାଠୁଁ ବାହାରେ ଖୋଲାରେ ରହିବା ଠିକ୍ ହବ, ତାକୁ ଲାଗିଲା । ବୈଲୈସ୍ୱାମୀ ନିଜ ମନକୁ ପଚାରିଲା, ‘ମୁଁ ଏଠିକି ଆସିବାକୁ ନିଜର ଗୋଡ଼କୁ କଷ୍ଟ ଦେଲି କାହିଁକି ? ଆଉ ଚାରି ଚାରି ମାଇଲ ବର୍ଷାରେ ଚାଲିକରି ଆସିଲି କାହିଁକି ?’ ତା ମନଟା ଉଦାସିଆ ହୋଇଗଲା ଓ ସେ ସେଠୁ ଫେରିବାକୁ ଭାବିଲା ।

 

ସେତିକିବେଳେ ଗୋଟାଏ ଅପୂର୍ବ ଘଟଣା ଘଟିଲା । ମାଆ ! ମାଆ ! ବାପା ଆସିଲାଣି-।’’ କହି କହି ଗୋଟିଏ ଝିଅ ଦଉଡ଼ି ଆସି କବାଟ ଖୋଲିଲା । ଦରଜା ପାଖେ ଠିଆହୋଇଥିବା ଲୋକଟାର ମୁହଁକୁ ନଚାହିଁ ‘‘ଆସିଗଲୁ, ତତେ ରାସ୍ତା ମିଳିଗଲା ?’’ କହି ଅଭିମାନ ଓ ରାଗ ନେଇ ତାକୁ ଅଭ୍ୟର୍ଥନା କଲା ।

 

ବୈଲୈସ୍ୱାମୀ ଘାବରେଇ ଗଲା, ‘‘ମୁଁ....ମୁଁ.... !’’

 

ଝିଅ ଶଣ୍‌ବକମ୍ ବି ତାକୁ ଦେଖି ଘାବରେଇ ଯାଇଚି । ଆଗନ୍ତୁକକୁ ଚିହ୍ନିବାପରେ ତାର ଆଶ୍ଚର୍ଯ୍ୟ କିଛିଟା କମିଗଲା; କିନ୍ତୁ ତାର ମୁହଁରେ ଫୁଟିଥିବା ନିରାଶାର ଭାବଟି ଆଉ ଗଲାନାହିଁ । ସେ କହିଲା, ‘‘ମୁଁ ତାଙ୍କୁଇ ଖୋଜି ଖୋଜି ଏଠିକି ଆସିଥିଲି ।’’ ଆଉ ପଚାରିଲା, ‘‘ସେ ଏତେ ବେଳଯାକେ ଘରକୁ ଫେରିନାହାନ୍ତି କାହିଁକି ?’’

 

ସେ ଟାଣ ସ୍ୱରରେ ଜବାବ ଦେଲା, ‘‘ତାର ଘରକୁ ଆସିବା ଦରକାର ହବ କାହିଁକି ? ଦୁଇଦିନ ହେଲା ସେ ଏଠି ଥରେ ଚାହିଁଦେଇକରି ଯାଇନାହିଁ । ସେ ଜାଣିଚି ଯେ ବୁଢ଼ୀମା ବେମାର ଅଛି । ସେ ଲୁଚେଇ ଲୁଚେଇ ମଦ ପିଇ କୋଉଠି ଲଟକିଥିବ ।’’

 

ବୈଲୈସ୍ୱାମୀ ପକ୍ଷରେ ଏସବୁ ବିଶ୍ୱାସ କରିବା କଷ୍ଟ ଥିଲା । ସେ ଏଯାକେ ‘ମଦୁଆ’ ସହରବାସୀ ହୋଇନାହିଁ । ‘ଏଇ ଭୀଷଣ ବର୍ଷାରେ କିଏ ତା ମା’ ଓ ତା ଝିଅକୁ ଭୁଲି ପାରେ ? ଛିଃ, ସେ ପୁଣି ଗୋଟାଏ ମଣିଷ ?’

 

ସେ ସାଙ୍ଗେ ସାଙ୍ଗେ ଫେରିବ ଭାବିଥିଲା; କିନ୍ତୁ ଫେରିଲା ନାହିଁ, ସେଇ ଗୋଟିଏ ଜାଗାରେ ଠିଆ ହୋଇ ରହିଲା । ଏଇ ଅବସ୍ଥାରେ ତାଙ୍କୁ କଲବଲ ହବାକୁ ଛାଡ଼ିଦେଇ ନିଜେ ନିଜର ରକ୍ଷାଲାଗି କୁଆଡ଼େ ପଳେଇଯିବାଟା ତାକୁ ଭଲ ଲାଗିଲାନି । ତା ହେଲେ ସେ ଏଇଲା କଣ କରିବ-! ତାଇ ବି ସେ ବୁଝିପାରିଲାନି । ସେ ତ ଆପେ ବଞ୍ଚିବ ବୋଲି ଗୋଟିଏ ଛାୟାଘେରା ଜାଗା ଖୋଜି ଏଠିକି ଆସିଥିଲା ।

 

ଶଣ୍‌ବକମ୍ ତାକୁ ଭିତରକୁ ଡାକିଲା । ସେ ଭିତରକୁ ଗଲା । ଯୋଉଠି ଗୋଡ଼ ପକେଇଲା ସେଠି ପାଣିମୟ । ସେ ବୁଢ଼ୀ ପାଖରେ ପଡ଼ିଥିବା ପିଢ଼ା ଉପରେ, ଯୋଉଠି ସେ ନିଜେ ବସିଥିଲା ଟିକିଏ ଆଗରୁ, ତାକୁ ବସିବାକୁ କହିଲା । ସେ ବସିଲାନି । ଟପ୍‌ଟପ୍ କରି ପାଣି ତା ମୁଣ୍ଡରେ ପଡ଼ୁଥାଏ । ୟା ଭିତରେ ଝିଅଟି ତା ବୁଢ଼ୀମା’କୁ ବୁଝାଇ ଲାଗିଥାଏ ଯେ ୟେ ଲୋକ କିଏସେ । ଦାରିଦ୍ର୍ୟ ସାଙ୍ଗକୁ ବୟସ ଓ ବେମାରୀ ମିଶିଗଲାରୁ ବୁଢ଼ୀଟିର ଆଖି କାନ ଭଲକରି କାମ କରିପାରୁ ନଥିଲେ । ତାର ବସିବା ଓ ଚାହିଁବାର ଭଙ୍ଗି ଦେଖି ତାର ରୋଗିଣୀ କୁକୁଡ଼ା କଥା ମନେ ପଡ଼ିଗଲା ।

 

ବୈଲୈସ୍ୱାମୀ କହିଲା, ‘‘ଯେତେ ଲୋକ ପଲା କରିଥିଲେ, ସମସ୍ତେ ତ ଆଉ ଜାଗାକୁ ଯାଇଚନ୍ତି ଭାରି, ଆପଣମାନେ ଗଲେନି କାହିଁକି ?’’

 

‘‘ବୁଢ଼ୀମା ଚାଲିପାରେନା । ୟାକୁ ଏକୁଟିଆ ଛାଡ଼ି ଯିବାକୁ ମନ ହୁଏନା ।’’

 

‘‘ଏମିତି ଭିତରେ ବସି ବସି ବର୍ଷାରେ ତିନ୍ତିଲେ ଦୁହେଁ ଥରିଥରି ମରିଯିବ ।’’

 

‘‘ଆଉ କୋଉଠିକି ଯିବୁ ?’’ ଶଣ୍‌ବକମ୍ ପଚାରିଲା ।

 

‘‘ଆଉ କୋଉଠିକି ଯିବୁ ?’’ ତାର ଏଇ ପ୍ରଶ୍ନଟା ଚାବୁକ୍ ମାଡ଼ ପରି ତାକୁ ଚହଲେଇ ଦେଇଗଲା । ତାମିଲନାଡ଼ୁର ରାଜଧାନୀ, ଯୋଉଠିକି ହଜାର ହଜାର କୋଠାବାଡ଼ି, ଉଚ୍ଚା ଉଚ୍ଚା କୋଠି ଓ ଭବନ ଗର୍ବରେ ମଥା ଉଠାଇ ଠିଆହୋଇଚନ୍ତି, ସେଠି ବି ଏଇ ପ୍ରଶ୍ନ ପଚାରୁଚି ସେ !

 

ସେ ପଚାରିଲା, ‘‘କିଛି ଖିଆପିଆ କରିଚ କି ନାହିଁ ?’’ ସେ ଉତ୍ତର ଦେଲା, ‘‘ହଁ, ଖାଇଚୁ-।’’

 

ସେଇ ଘର ଭିତରେ ଥିବା ଚୁଲିକୁ ଦେଖି ଜଣାଗଲା ସେ ମିଛ କହୁଚି । ସେ ବି ପାଣିରେ ଜୁଡ଼ୁବୁଡ଼ୁ ହେଇଚି । ଦିଆସିଲିକାଠି ବି ପାଣିରେ ଓଦା । ହାଣ୍ଡିମାଠିଆ ଚାଳରୁ ବୋହୁଥିବା ପାଣି ଅଟକାଇବାକୁ ଏଠି ସେଠି ରଖାଯାଇଥିଲା ।

 

ଟିକିଏ ଭାବିଚିନ୍ତି ସେ କହିଲା, ‘‘ଆପଣମାନେ ମୋ ସାଙ୍ଗରେ ଚାଲନ୍ତୁ । ଆଗେ ବର୍ଷାରୁ ରକ୍ଷା ପାଇବାକୁ କୋଉଠି ଯାଇ ରହିଯିବା ।’’

 

ଶଣ୍‌ବକମ୍ ଭାବନାରେ ପଡ଼ିଲା । ସେ ଶୀଘ୍ର ସେ ଜାଗାରୁ ପଳେଇବାକୁ ଚାହୁଁଥାଏ, ଏଣେ ତାକୁ ମନା କରିଦବାକୁ ବି ଚାହୁଁଥାଏ । ବୁଢ଼ୀମା’ର ଅବସ୍ଥା ଦେଖି ସେ ରାତିରେ ଏକୁଟିଆ ତା ପାଖେ ରହିବାକୁ ବି ଡରୁଥିଲା ଓ ଭଲକରି ଚିହ୍ନାଜଣା ନାହିଁ ଏମିତି ଜଣେ ଯୁବକ ସାଙ୍ଗେ ବାହାରିବାକୁ ବି ଡରୁଥିଲା ।

 

‘‘କଣ ଭାବୁଚ ? ଏଠି ରହିଲେ ଦୁହେଁ ଶୀତରେ ମରିଯିବ ।’’

 

ସେ ଆସ୍ତେ କହିଲା, ‘‘ବୁଢ଼ୀମା’ ଚାଲିପାରେନା..... ।’’

 

‘‘ତାକୁ ମୁଁ ବୋହିନେବି ।’’

 

ସେ ଆସ୍ତେ କରି ବୁଢ଼ୀକି ଉଠେଇଲା । ବୁଢ଼ୀ ଦେହ ଖଇଫୁଟୁଚି । ଯଦିଓ ଶଣ୍‌ବକମ୍ ତା ସାଙ୍ଗରେ ବାହାରକୁ ଯିବାକୁ ଡରୁଥାଏ, ତେବେ ବି ସେତେବେଳେ ହଠାତ୍ ତାର ସେଠିକି ଆସିଯିବାରୁ ବିଶ୍ୱାସ କରିବାକୁ ହେଲା ଯେ ନିଜେ ଭଗବାନ ତାକୁ ପଠେଇଚନ୍ତି । ତାର ସ୍ନେହ ଓ ଦୃଢ଼ତା ଦେଖି ତାର ଡର ଦୂର ହେବାକୁ ଲାଗିଲା । ସେ କୁଡ଼ିଆଟିରେ ନେଇଯିବାକୁ ବା ତାଲା ବନ୍ଦ କରି ଯିବାକୁ ଏପରି କିଛି ଜିନିଷ ନଥିଲା । ସେ ଲ୍ୟାମ୍ପଟି ଫୁଙ୍କି ନିଭାଇଦେଲା । ସେଇଟି କାନ୍ଥକୁରାରେ ରଖି କବାଟ ବନ୍ଦ କରି ସେ ବାହାରିଆସିଲା ।

 

ବୁଢ଼ୀକି ନିଜ ହାତରେ ଧରି ଧରି ଆସ୍ତେ ଆସ୍ତେ ଚାଲି ଚାଲି ବୈଲୈସ୍ୱାମୀ ଆଗେଇଲା-। ଯେଉଁମାନେ ପୂରାପୂରି ତିନ୍ତି ଯାଇଥିଲେ, ସଦାବେଳେ ତିନ୍ତୁଥିଲେ ତାଙ୍କର ବର୍ଷା କଣ କରି ପାରିବ ?

 

ଚାହା ଦୋକାନୀ ନାୟର ତା ଦୋକାନ ବନ୍ଦ କରିବାକୁ ଯାଉଥିଲା । ତାକୁ ଡାକିକରି ଚାରିଟି ‘ବନ୍ ରୁଟି’ ବାନ୍ଧି ଦେବାକୁ କହିଲା । ସେହି ପୁଟୁଳାଟିକି ସେ ଅଣ୍ଟାରେ ଖୋସିନେଲା । ତାର ସାଣ୍ଠହୋଇ ଜାମା ପକେଟରେ ପାଞ୍ଚପଇସା ଆହୁରି ପଡ଼ିଛି । ନାୟରର ଦୋକାନ ଭିତରେ ତା ଲାଗି ଆଉ ତା ଚାକର ଲାଗି ବି ଜାଗା ଅଣ୍ଟେ ନାହିଁ । ତାକୁ ସେ ପଚାରିଲା ଯେ ରହିବାକୁ କୋଉଠି ଜାଗା ମିଳିବ ?

 

ନାୟର କହିଲା, ‘‘ସାନ୍ଥୋମ୍ ସମୁଦ୍ରକୂଳର ଗୋଟିଏ କୋଣରେ ଗୋଟିଏ ସରକାରୀ ଇସ୍କୁଲ ଅଛି । ସେଇଠିକି ଯାଆନ୍ତୁ । ଲୋକଙ୍କ ଲାଗି ସେଇ ଇସ୍କୁଲ୍‌ଟି ଖୋଲା ରଖାହୋଇଛି ।’’

 

ବୈଲୈସ୍ୱାମୀ ତ ଏଠାକୁ ନୂଆହୋଇ ଆସିଥିଲା । ତେଣୁ ସେ ପଚାରିଲା, ‘‘ତାହା କୋଉଠି ?’’

 

ଶଣ୍‌ବକମ୍ କହିଲା, ‘‘ସେ ଇସ୍କୁଲଟା କୋଉଠି ମୁଁ ଜାଣେ, ଚାଲନ୍ତୁ ।’’

 

ଅଧ ମାଇଲରୁ ବେଶୀ ବାଟ ଯିବା ପରେ ସେ ଜାଣିବାକୁ ପାଇଲା ଯେ ସେଠି ବି ଜାଗା ନାହିଁ । ସେଠିକି ଯାଇ ନିରାଶ ହୋଇ ଫେରୁଥିବା ଜଣେ ଲୋକ କହିଲା ସେଠି ଜାଗା ସକାଶେ ମାରପିଟ୍ ବି ହେଉଛି । ଏତିକି ଶୁଣିବା ମାତ୍ରେ ବୈଲୈସ୍ୱାମୀକୁ ଏଣେ କାନ୍ଦ ମାଡ଼ୁଥାଏ, ତେଣେ ରାଗ ସେତିକି ଚଢ଼ୁଥାଏ । ବୁଢ଼ୀ ଆଉ ଚାଲି ପାରୁନଥିବାରୁ କୁନ୍ଥାଇଲା । ରାସ୍ତାରେ ଜଳୁଥିବା ବିଜୁଳି ଆଲୁଅରେ ସେ ଶଣ୍‌ବକମ୍‌ର ଆଖିରେ ଲୁହ ଦେଖିପାରିଲା । ୟା ପରେ କଣ କରିବେ ବୁଝି ନପାରି ସେମାନେ ରାସ୍ତାକଡ଼ରେ କିଛିକାଳ ଠିଆହୋଇ ରହିଲେ ।

 

ସେତେବେଳକୁ ଦଶଟା ବାଜିଲାଣି । ସେତେବେଳେ ବି ଅନେକ ମୋଟର ଗାଡ଼ି ସେହି ରାସ୍ତାଦେଇ ଯାଉଥିଲା । ‘କାର୍’ ବୋଲି ଏକ ନିର୍ଜୀବ ଯନ୍ତ୍ର, ତା’ଲାଗି ବି ‘ଶେଡ଼୍’ ବୋଲି ଗୋଟିଏ ଘର ଥାଏ ଯିଏ କି ବର୍ଷା ଓ ଖରାରୁ ତାକୁ ରକ୍ଷା କରେ । ମଣିଷ କୁଆଡ଼େ ଯାଉ, ସେଥିରେ କଣ ଅଛି ?

 

ଯୋଉ ବାଟେ ଆସିଥିଲେ, ସେଇ ବାଟେ ସେମାନେ ଫେରିବାକୁ ଆରମ୍ଭ କଲେ । ବାଆଁପଟେ ଫୁଟ୍‌ପାଥକୁ ଲାଗି ଗୋଟିଏ ବଡ଼ ପାଚିରି ଦେଖିବାକୁ ମିଳିଲା । ସେଇ ପାଚିରି ପଛରେ କିଛି କୋଠା ଦେଖିବାକୁ ମିଳିଲା । ବୈଲୈସ୍ୱାମୀ ଉଙ୍କିମାରି ଦେଖିଲା । ସେ ଦେଖିବାକୁ ପାଇଲା, ପାଚିରିର ସେପଟକୁ ଲାଗି ଟିଣର ଦୁଇ ତିନିଟା ଗୋଦାମ ଭଳି ଘର ରହିଛି । ବାକି ଜାଗାଟା ପଡ଼ିଆ । ସେଇ ଘରଗୁଡ଼ିକୁ ଦେଖିବାମାତ୍ର ବୈଲୈସ୍ୱାମୀର ସାହସ ଆସିଗଲା । ସେ ପୁଣି ଉଙ୍କିମାରି ଦେଖିଲା । ଗୋଟିଏ ଘରେ କିଏ ସବୁ ଶୋଇଚନ୍ତି । ଦ୍ୱିତୀୟଟିରେ ଗାଈ ଓ ଛେଳିସବୁ ଠିଆହୋଇଥିଲେ । ତୃତୀୟଟିରେ କେବଳ ଗୋଟିଏ ଗଧ ଠିଆହେଇଚି ।

 

ଭଗବାନ ତା ଉପରେ କୃପା କରିଛନ୍ତି ଭାବି ସେ ଖୁସି ହେଲା । ସେଇ ଖୋଲା ପଡ଼ିଆକୁ ଘେରିଥିବା ପାଚିରିର ଗୋଟାଏ ଫାଟକ ତ ନିଶ୍ଚୟ ଥିବ । ସେଇଟା କେଜାଣି ଖୋଲାଥିବ କି ବନ୍ଦ ଥିବ । ପାଚିରିଟା ଡେଇଁବା ହିଁ ବେଶ୍ ହବ । ଯଦି କିଏ ଚଉକିଦାର ଥିବ ସେ କୋଉ ଚେଇଁ ରହିଥିବ ଏ ବର୍ଷାରାତିରେ । ସେ ଯେବେ ଧରିପକାଏ, ତାହେଲେ ତା ଗୋଡ଼ତଳେ ପଡ଼ି ବିନତି କରିବାକୁ ହବ ।

 

ତାର ଏଇ କଳ୍ପନା କଥା ଜାଣିବାମାତ୍ରେ ଶଣ୍‌ବକମ୍ ଥରିଉଠିଲା । ସାଙ୍ଗେ ସାଙ୍ଗେ ତା’ ମୁହଁ ଶେତା ପଡ଼ିଗଲା । ସେ ଜୋରକରି ତାକୁ ଅଟକେଇଲା ।

 

‘‘ଆମେ ଯିବାନି ସେଠିକି । ମୋ ସାନକୁହା ମାନ, ଆମେ ତା ଭିତରକୁ ଯିବାନି ।’’

 

‘‘କାହିଁକି ଯିବାନି ?’’ ବୈଲୈସ୍ୱାମୀ ରାଗରେ ପାଟିଟାଏ କଲା ।

 

‘‘ମୋ କଥା ମାନ, ଆମେ ଯିବାନି ।’’

 

‘‘ଏଇଲା ତୋ ବୁଢ଼ୀମାର ପ୍ରାଣ ଯାଉଚି । ଆଉ ମୁଁ ବି ସହିପାରୁନି ଏଗୁଡ଼ାକ । ଯେବେ ଏଠିକି ଯିବାର ନୁହେଁ ତାହେଲେ ମତେ ସମୁଦ୍ରର ରାସ୍ତା ଦେଖେଇ ଦେ । ଆମେ ସମସ୍ତେ ଯାଇ ସେଇଠି ବୁଡ଼ି ମରିବା ।’’

 

ଶଣ୍‌ବକମ୍ ତାକୁ କଣ କହିବାକୁ ଚାହୁଁଥିଲା । ସେ ବାହାରୁ ଆସିଚି । ଏଠିକାର ସବୁ କଥା ସେ ଜାଣେନା । ସେ ତାକୁ କିଛି କହି ଭିତରକୁ ଯିବା ବନ୍ଦ କରିବାକୁ ଛଟପଟ ହେଉଥାଏ; କିନ୍ତୁ ତା ରାଗ ଦେଖି ସେ ଘାବରେଇଗଲା । ସେ ଆଉ ପଦେ କହିଲେ ବୋଧେ ତାଙ୍କୁ ସବୁ ଏଇଠି ଛାଡ଼ିଦେଇ ସେ ପଳେଇବ । ସେତେବେଳେ ଶଣ୍‌ବକମ୍ ମନରେ ଏତେ ଧୈର୍ଯ୍ୟ ନାହିଁ ଯେ ସେ ତା ପାଖ ଛାଡ଼ିବାକୁ ପ୍ରସ୍ତୁତ ହୋଇଯିବ ।

 

ସେ ବୁଢ଼ୀକି ମାଟିରେ ଶୁଆଇ ଦେଇ ଶଣ୍‌ବକମ୍‌କୁ ଟେକି ପାଚିରି ଉପରେ ବସାଇ ଦେଲା । ତା ହାତ ଯେମିତି ଲୁହାରେ ତିଆରି । ତା’ର ଜାବୁଡ଼ରେ ଅସୀମ ଶକ୍ତି ଥିଲା; ତେଣୁ ଶଣ୍‌ବକମ୍‌ର ଡର କିଛିଟା କମିଗଲା । ୟାପରେ ସେ ବୁଢ଼ୀକୁ ପାଚିରି ଉପରେ ବସାଇ ତାକୁ ଧରିବାକୁ କହିଲା । ଶେଷକୁ ସେ ନିଜେ ପାଚିରିରେ ଚଢ଼ି ଆରପଟକୁ ଡେଇଁପଡ଼ିଲା ଓ ସେ ଦୁହିଙ୍କୁ ବି ଓହ୍ଲେଇ ଦେଲା ।

 

ସେଇ ଗଧ ଥିବା ଘରଟା ପାଖରେ ପହଞ୍ଚିବା ମାତ୍ରେ ଗଧଟା ପଦାକୁ ବାହାରି ଆସିଲା ଓ ତା ଜାତିର ଆଉମାନଙ୍କ ସଙ୍ଗେ ମିଶିବାକୁ ଦ୍ୱିତୀୟ ଘରଟି ଆଡ଼କୁ ଚାଲିଲା । ବୈଲୈସ୍ୱାମୀ ବୁଢ଼ୀକି ଚଟାଣ ଉପରେ ଶୁଆଇ ଦେଲା । ସେଠି ଜାଗାଏ ଜାଗାଏ ପାଉଁଶର କୁଢ଼ ଥିଲା । ସେ ନଇଁପଡ଼ି ଚଟାଣ ଉପରୁ ପାଉଁଶର କୁଢ଼ଟା ସଫା କରିଦେଲା । ୟା ଭିତରେ ଶଣ୍‌ବକମ୍ ଗୋଟାଏ କୋଣକୁ ଯାଇ ତାର ଚିରା ଲୁଗାଟି ଚିପୁଡ଼ି ସେଥିରେ ମୁଣ୍ଡ ପୋଛିଲା । ସେ ତାର ବୁଢ଼ୀମା’ର ବାଳ ବି ପୋଛି କରି ତାର ଓଦା ଲୁଗାଟା ଠାଆ ଠାଆରେ ଚିପୁଡ଼ି ପକାଇଲା । ବୈଲୈସ୍ୱାମୀ ବି ତାର ଜାମାଟି ଖୋଲି ତହିଁରେ ମୁଣ୍ଡ ପୋଛିଲା ।

 

ସେଇ ଘରଟି ସେଇ ଲମ୍ବା ଚଉଡ଼ା ପଡ଼ିଆଟିର କଣିକିଆ ତିଆରି ହୋଇଛି । ତାର ସିମେଣ୍ଟ ଚଟାଣଟାର ଗୋଟିଏ ଅଂଶ ପାଣିରେ ତିନ୍ତିଯାଇଥିଲେ ବି ଅନ୍ୟ ଅଂଶଟି ଶୁଖିଲା ରହିଥିଲା-। ସେଇ ଜାଗାଟି ତାଙ୍କ ତିନିଜଣଙ୍କ ପାଇଁ ଅଣ୍ଟୁ ନଥିଲା; କିନ୍ତୁ ସେତେବେଳେ ସେ ଜାଗାଟି ସ୍ୱର୍ଗପରି ଲାଗୁଥିଲା ।

 

ବୈଲୈସ୍ୱାମୀ ତା ଅଣ୍ଟାରେ ଖୋସା ହୋଇଥିବା ଖୋଳଭିତରୁ ‘ବନ୍‌ରୋଟି’ ବାହାର କରି ଶଣ୍‌ବକମ୍ ଆଡ଼କୁ ବଢ଼ାଇଲା । ସେ ବୁଢ଼ୀକୁ ବି ଗୋଟିଏ ‘ବନ୍‌ରୋଟି’ ଦେଇ ଖାଇବାକୁ କହିଲା । ବୁଢ଼ୀର ମୂର୍ଚ୍ଛା ଭଳି ଅବସ୍ଥା, ତଥାପି ଶଣ୍‌ବକମ୍ ରୁଟି ଭାଙ୍ଗି ଭାଙ୍ଗି ତା ପାଟିରେ ଦେବାରୁ ସେ ମୁହଁ ଚଲେଇଲା । ବୁଢ଼ୀ ତ ଦେଢ଼ଟି ‘ବନ୍‌ରୋଟି’ ଖାଇଲା । ଏଥିରୁ ବେଶୀ ସେ ଖାଇ ପାରିଲାନି ।

 

‘‘ତମେ କାହିଁକି ଖାଇଲନି’’ କହି ଶଣ୍‌ବକମ୍ ଗୋଟିଏ ‘ବନ୍‌ରୋଟି’ ବୈଲୈସ୍ୱାମୀକୁ ଦେଲା ।

 

‘‘ମୁଁ ପେଟେ ଖାଇଚି । ଆଉ ଖାଇ ପାରିବିନି ।’’ ହଠାତ୍ ତା ମୁହଁରୁ ଏଇ କେତେ ପଦ ବାହାରିଗଲା ଯାହାକି ଅଧା ସତ, ଅଧା ମିଛ । ବର୍ତ୍ତମାନ ଚାରିଟା କଣ, ଛଅଟା ବନ୍‌ରୋଟି ତା ପେଟରେ ପଶିଯିବ ।

 

ଶଣ୍‌ବକମ୍ ଖାଉଥିବାର ଦେଖି ବୈଲୈସ୍ୱାମୀର ସବୁ ଭାବନା ଦୂର ହୋଇଗଲା । ନିଜେ ଖାଇଲେ ବା ଆପଣାର ଲୋକ ଖାଇବାର ଦେଖିଲେ ଯେଉଁ ଆନନ୍ଦ ମିଳେ ତାହା ସେ ପୂରାପୂରି ଅନୁଭବ କରିପାରୁଥିଲା । ବୈଲୈସ୍ୱାମୀ ଅବାକ୍ ହୋଇ ଦୂରରେ ବିଜୁଳିବତିରେ ଚକମକ୍ କରୁଥିବା ସହରର ବଡ଼ ବଡ଼ କୋଠାମାନଙ୍କୁ ଚାହିଁଲା ଓ ଖୁବ୍ ଖୁସି ହେଲା ।

 

‘‘ଜାଣିଚ ମୁଁ ସହରକୁ ଆସିବା ସାଙ୍ଗେ ସାଙ୍ଗେ କଣ ଭାବିଲି ?’’

 

‘‘କଣ ଭାବିଲ ?’’

 

‘‘ଭାବିଲି, ଏଇ କୁବେରପୁରୀରେ, ଯୋଉଠିକି କୋଠାଘରମାନଙ୍କର ମହଲାପରେ ମହଲା ବଢ଼ିଚାଲିଚି, ଯୋଉଠି ରାସ୍ତାମାନଙ୍କ ଉପରେ ଧାଡ଼ି ଧାଡ଼ି ମୋଟର ଗାଡ଼ି ପହଁରି ଚାଲିଲା ପରି ଲାଗେ, ଯୋଉଠିକାର ବଜାରରେ କେତେ ମନଭୁଲାଣିଆ ଜିନିଷ ଆଖିକି ଟାଣୁଥାଏ, ସେଠି କଣ ମତେ ପେଟକୁ ମୁଠାଏ ଖାଇବାକୁ ବା ରହିବାକୁ ଖଣ୍ଡିଏ ଛାଇକିଆ ଜାଗା ମିଳିବ ନାହିଁ କି !’’

 

‘‘ତତେ ଏଇଟା କୁବେରପୁରୀ ପରି ଲାଗିଲା ! ଏଠି ମଣିଷ ବଖତେ ଖାଇବା ସକାଶେ ପନ୍ଦରଟଙ୍କା ଉଡ଼ାଇ ଦିଅନ୍ତି, ମାଇପେ ବ୍ଳାଉଜ୍ ପାଇଁ ପଚାଶ ଟଙ୍କାର ଗଜେ କନା କିଣନ୍ତି । ତୁ ସେଇ କୁବେରପୁରୀ ଦେଖିଚୁ.....’’

 

ବୈଲୈସ୍ୱାମୀ କହିଲା, ‘‘ମୁଁ ପାପର ପୁରୀ ବି ଦେଖି ନେଇଛି ।’’

 

‘‘ତୁ ତାଙ୍କୁ ଭଲକରି ଦେଖି ନଥିବୁ । ଯେବେ ତୁ ଆମର କୁଡ଼ିଆ ପୁରୀଟି ଦେଖିବାକୁ ଚାହିଁବୁ ତାହେଲେ କୂବମ୍ ବୋଲି ସେଇ ନଳା କଡ଼େ କଡ଼େ ଚାଲିଯା । ସେଠି ରୋଜ ରୋଜ ନୂଆ କୁଡ଼ିଆ ହଉଚି, ତା ଭିତରକୁ ବି ଡୁଙ୍ଗି ଯିବୁ ।’’

 

‘‘ମୁଁ ତ ଦିକ୍‌ଦାର୍ ହେଇଗଲିଣି । ଏଠିକି ଆସିକରି ଇ ମତେ ଏତେ କଷ୍ଟ ସହିବାକୁ ପଡ଼ିଲା; ଓହୋ, ଏତେ କଷ୍ଟ କୋଉ କୁକୁରକୁ ବି ସହିବାକୁ ହୁଏନା !’’ ୟା କହୁ କହୁ ତାର କଣ୍ଠଟା ଓଜନିଆ ହୋଇଗଲା ।

 

‘‘ବଡ଼ଲୋକଙ୍କ ଲାଗି ୟେ ହେଲା ସ୍ୱର୍ଗ । ତୁମ ଆମ ଭଳି ଲୋକଙ୍କ ପାଇଁ ୟେ....ୟେ....ୟେ....ୟେ.... ।’’

 

ଶଣ୍‌ବକମ୍ ତା କଥାର ମଝିରୁ ଅଟକିଗଲା । ଜିଭ ଅଗକୁ ଯୋଉ ପଦକ ଆସିଯାଇଥିଲା ସେ କେଜାଣି କାହିଁକି ସେ କଥାଟା ପରିଷ୍କାର କରି କହିପାରିଲାନି । ତାର ଏଇ ଚେଷ୍ଟାଟି ଜାଣି ବୈଲୈସ୍ୱାମୀର କୌତୂହଳକୁ ବଢ଼ାଇଦେଲା ।

 

‘‘କହିଦେ ! ଲୁଚାଉଚୁ କାହିଁକି ?’’

 

‘‘କହିବା ଭଳି କିଛି ନୁହଁ....’’

 

‘‘କହିଦେ ନହେଲେ ତୋର ରକ୍ଷାନାହିଁ । ମୋର ରାଗ ହୋଇଯିବ, ଏଇଲାଗେ ରାଗ ହୋଇଯିବ । କହିଦେ !’’

 

ଯେତେବେଳେ ତାକୁ ଲାଗିଲା ଯେ ନକହିଲେ ସେ ସ୍ଥିର ହବନି, ସେତେବେଳେ ସେ ଡରି ଡରି କହିଲା, ‘‘ଆମେ ବର୍ତ୍ତମାନ ଯୋଉଠି ବସିଛେ, ସେ ଜାଗାଟା....କି ଜାଗା.... ସେତିକି କହିବାକୁ ଚାହୁଁଚି ।’’

 

‘‘କାହିଁକି, ଆମେ କୋଉ ଜାଗାରେ ବସିଛେ ?’’

 

ଖୁବ୍ ଦୁଃଖ ସକାଶେ ସେ କିଛି ଉତ୍ତର ଦେଇପାରିଲାନି; କିନ୍ତୁ ସେ ଥରକୁ ଥର ତା ପ୍ରଶ୍ନଟି ପଚାରି ଲାଗିଲା ।

 

‘‘ଏଇଲା ବି ବୁଝିପାରିଲନି ?’’

 

‘‘ବୁଝିଥିଲେ ପଚାରୁଚି କାହିଁକି ?’’

 

‘‘ଆମେ ମଶାଣିରେ ବସିଚେ...... ।’’

 

‘‘ଏଁ ?’’

 

‘‘ଯୋଉଠି ମୁର୍ଦାର ପୋଡ଼ାହୁଏ, ଆମେ ସେଇ ଜାଗାଟା ଉପରେ ବସିଛୁ ତୁ ଯୋଉ ପାଉଁଶ କୁଦକୁ ସଫା କଲୁ ସେସବୁ ଚିତାର ପାଉଁଶ ?’’

 

ବୈଲୈସ୍ୱାମୀ ଶିହରି ଉଠିଲା । ବର୍ତ୍ତମାନ ସେ ବୁଝିଗଲା ସେ ତାକୁ କାହିଁକି ଏଠିକି ଆସିବାକୁ ମନା କରୁଥିଲା; କିନ୍ତୁ ସେ ତା ମନର ଚଞ୍ଚଳତାକୁ ବାହାରେ ପ୍ରକାଶ କରିବାକୁ ଚାହୁଁ ନଥିଲା । ଧୈର୍ଯ୍ୟବାନ୍ ଲୋକ ପରି ସେ ଜୋରରେ ହସିଲା ଆଉ କହିଲା, ‘‘କୁବେରପୁରୀର ଲୋକମାନେ ଶେଷକୁ ଯୋଉଠି ଯାଇ ପହଞ୍ଚନ୍ତି, ଆମେ ବି ସେଠିକି ଆସିଗଲେଣି ।’’

 

ସେ ପଚାରିଲା, ‘‘ତତେ ଡରମାଡ଼ୁନି ?’’

 

‘‘ପାଖରେ ଧନରତ୍ନ ଥିଲେ ବାଟ ଚାଲିବାକୁ ଡର ମାଡ଼େ । ମୋର ଏଠି ଅଛି କିଏ ? ଡରିବାକୁ ମୋ ପାଖରେ କିଛିହେଲେ ନାହିଁ ।’’

 

‘‘ଗାଁରେ କେହି ଥିବ.....’’

 

‘‘ବାପ ମାଆ, ଘରଦୁଆର, ଧନ-ଦୌଲତ କିଛି ନାହିଁ । ମୁଁ ଗାଁରୁ ପଳେଇ ଆସିଚି ।’’

 

‘‘କାହିଁକି ପଳେଇ ଆସିଲୁ ?’’

 

‘‘ସେଇ ବର୍ଷା ଉପରେ ଭରସା କରି ବିଲବାଡ଼ିର କିଛି ହେଲା ନାହିଁ, ଆଉ କରିବି କ’ଣ-? କାମ ବି କିଛି ମିଳିଲାନି । ଲୋକଙ୍କୁ ଠକିଠାକି କେମିତି ଚଳିବାକୁ ହୁଏ, ତା ବି ମତେ ଜଣାନାହିଁ-। ସହରରେ ସୁଖ ଅଛି, ସେଇ କଳ୍ପନାରେ ଯେମିତି ପାରେ ସେମିତି ଏଠିକି ଆସିଗଲି, କିନ୍ତୁ ଏଠି ବି ମୁଁ ବଞ୍ଚି ପାରିଲିନି ।’’

 

ବୈଲୈସ୍ୱାମୀର କଣ୍ଠ ତା କଣ୍ଠଠାରୁ ଆହୁରି କରୁଣ ହୋଇଗଲା । ମୁହୂର୍ତ୍ତେ ଆଗରୁ ସେଇ କହୁଥିଲା ଯେ ତାର କାହାରିକି ଡର ନାହିଁ; କିନ୍ତୁ ବର୍ତ୍ତମାନ ତାର ଜୀବନକୁ ଚାହିଁ କରି ସେ ଡରି ଥରୁଥିଲା । ସେ ଆଉ ଲୁହ ଅଟକାଇ ପାରିଲାନି । ସେ ପଚାରିଲା, ‘‘ଆଉ କୋଉ ମୁହଁରେ ଗାଁକୁ ଫେରିବି ? ସେଠିକି ଯାଇ ମୁଁ କରିବି ବା କଣ ?’’

 

‘‘ସେମିତି ବ୍ୟସ୍ତ ହୋନା । ତୋ ପରି ଭେଣ୍ଡିଆ ଏମିତି ବ୍ୟସ୍ତ ହବାର ନୁହେଁ । ମନକୁ ଥୟ କର ।’’ କହି ତାକୁ ଦମ୍ଭ ଦେଉଁ ଦେଉଁ ଶଣ୍‌ବକମ୍ ତାର ଖୁବ୍ ପାଖକୁ ଆସିଗଲା । ଆକାଶର ବିଜୁଳି ଆଲୁଅରେ ସେ ତାର ଗୋଲ ମୁହଁଟି ଓ ତା ଆଡ଼କୁ ଚାହିଁଥିବା ତାର ଅପଲକ ଆଖିଯୋଡ଼ାକ ଦେଖିଲା । ତାର ରଙ୍ଗ କଳା ହେଲେ କଣ ହବ ମୁହଁଟି ସୁନ୍ଦର ।

 

ଗୋଟିଏ ଯୁବତୀର ଏପରି ସହଜଭାବେ ତା ସଙ୍ଗେ କଥାହେବା ତା ପାଇଁ ନୂଆ ଅଭିଜ୍ଞତା ଥିଲା । ଗାଁର ଝିଅମାନେ ଦୂରରୁ ଠିଆହୋଇ ଠାରିଠୁରି କଥା ହୋଇ ତା ଉପରେ ବିପତ୍ତି ପକାଇଥିଲେ । କେହି ମନଖୋଲି ତା ସଙ୍ଗେ କଥାବାର୍ତ୍ତା କରିନାହିଁ ବା ତା କଥା ଶୁଣିନାହିଁ ।

 

ଶଣ୍‌ବକମ୍ କହିଲା ଆମେ ବି ତ ଏଇ ସହରରେ ବଞ୍ଚିଚୁ ? ତତେ ବି ପେଟ ପୋଷିବାକୁ କିଛି ନା କିଛି କାମଟିଏ ମିଳିଯିବ ।

 

ବୈଲୈସ୍ୱାମୀ ଟିକିଏ ରାଗ ମିଶାଇ କହିଲା, ‘‘ଏମିତି ବଞ୍ଚିବା ବି ବଞ୍ଚିବା ନା କଣ ? ଯୋଉ ବାପ ତତେ ଜନ୍ମ ଦେଇଚି ବା ମତେ ଜନ୍ମ ଦେଇଚି, ତାର ତଣ୍ଟିଚିପି ମାରି ଦେବା ଉଚିତ । ଗରିବ ଲୋକ, ପାଖରେ ଟଙ୍କା ପଇସା ନାହିଁ, ତାଙ୍କ ପକ୍ଷରେ ସନ୍ତାନ ଜନ୍ମ କରିବା ଠିକ୍ ନୁହେ । ପିଲାଙ୍କୁ ପୋଷି ପାରିବନି ତ ତାଙ୍କୁ ଜନ୍ମ ଦେବା କେତେଦୂର ଉଚିତ ? ଏଇଲା କୁଆଡ଼େ ଗଲା ତୋ ବାପ, ଏଁ ?’’

 

ତାଠୁଁ ବାପର ନିନ୍ଦା ଶୁଣିବାକୁ ତାକୁ ଭଲ ଲାଗିଲାନି; କିନ୍ତୁ ତା ସଙ୍ଗେ ସଙ୍ଗେ ତାର ମନେ ହେଲା ଯେ ତାର ନିନ୍ଦା କରିବାର ଅଧିକାର ରହିଚି । ତା ନିଜ ମନରେ ବାପପ୍ରତି ଯେତେକ ରାଗ ଥିଲା ସେତକ ତା ନିଜ ଭାଷାରେ ସେ ପ୍ରକାଶ କରିଦେଇଛି ।

 

ଶଣ୍‌ବକମ୍ କହିଲା, ‘‘ହଉ ଏଇଲା ଡେରି ହେଇଗଲାଣି, ତତେ ନିଦ ମାଡ଼ିବଣି । ଶୋଇପଡ଼ ତୁ । ରାତିଅଧରେ ଏଠି ବସି ତୁ ଯେବେ ଏମିତି ହତାଶିଆ କଥାସବୁ କହିବୁ, ମତେ କାନ୍ଦ ମାଡ଼ିବ ।’’

 

ବୈଲୈସ୍ୱାମୀ କହିଲା, ‘‘ତୁ ଶୋଇପଡ଼ । ନିଡ଼ର ହେଇ ଶୋଇପଡ଼ । ବୁଢ଼ୀ ତାଙ୍କ ଦୁହିଙ୍କ ମଝିରେ କାଠ ଗଡ଼ ପରି ନିଶ୍ଚେଷ୍ଟ ହୋଇ ପଡ଼ିଥିଲା । ତାକୁ ଲାଗିଲା ସେଦିନ ସେ ଶାନ୍ତିରେ ଶୋଇ ପାରିବନି । ତା ଦେହଟା କ୍ଳାନ୍ତିରେ ଭାଙ୍ଗି ପଡ଼ୁଥିଲା; କିନ୍ତୁ ହୃଦୟରେ ଗୋଟିଏ ମୋହନ ମଧୁର ଭାବର ତରଙ୍ଗ ଥିଲା । ଜଣେ ଅଚିହ୍ନା ଝିଅ ତା ପାଇଁ କାନ୍ଦିବ, ଏତିକି ଭାବି ସେ ମନକୁ ମନ ହସିଲା ।

 

ଶଣ୍‌ବକମ୍ ଶୋଇଯିବାର କିଛି ସମୟ ପରେ ଟିକିଏ ଘୁଞ୍ଚିଯାଇ ବୈଲୈସ୍ୱାମୀ ବି ନିଜର ଗୋଡ଼ ଲମ୍ବେଇ ଦେଲା । ଏଠି ବେଶୀ ଦୂରରେ ଶୋଇବା ପାଇଁ ଜାଗା ନଥିଲା । ସେଇଟା ତ ଗୋଟିଏ ମଣିଷକୁ ଶୁଆଇ ଚିତା ଜଳାଇବା ପାଇଁ ଖଣ୍ଡିଏ ଟିଣଘର ମାତ୍ର । ତା’ଛଡ଼ା ପାଣି ଛିଟିକା ବି ତାକୁ ବେଶୀ ଦୂରକୁ ଯିବାକୁ ଦେଲା ନାହିଁ ।

 

ବୁଢ଼ୀମା’କୁ ଭିଡ଼ି ଧରି ଶଣ୍‌ବକମ୍‌କୁ ଶୋଇଥିବାର ଦେଖି ନେଇ ସେ ବି ତା ଆଖି ବୁଜିନେଲା ।

 

ବର୍ଷା ଟିକିଏ ଛାଡ଼ିଯାଉଥାଏ, ପୁଣି ଢୁ-ଢୁ କରି ବର୍ଷିଯାଉଥାଏ । ଛାତଟି ସେଠି ଟିଣର, ତେଣୁ ତା ଉପରେ ପଡ଼ି ବର୍ଷାପାଣି ଭୀଷଣ ଆବାଜ କରୁଥାଏ । ସାଂଥୋମ୍ ସମୁଦ୍ରକୂଳ ସେଇଠି ପାଖରେ । ମେଘ ଘଡ଼ଘଡ଼ି ସଙ୍ଗେ କଣ୍ଠ ମିଶାଇ ସମୁଦ୍ର ବି ଗର୍ଜୁଥିଲା । ସେଠିକାର ସେଇ ପାଣିଛିଟିକାମିଶା ପବନରେ ଏଇଲା ମଡ଼ା ଗନ୍ଧ ବି ମିଶିଥିଲା ।

 

ବୈଲୈସ୍ୱାମୀକୁ ନିଦ ହେଲା ନାହିଁ । ତା ମନରେ ଏହି ଚିନ୍ତା ଆସୁଥାଏ ଯେ ହଠାତ୍ ସେ ଏହି ବିଚିତ୍ର ସଂସାରର ଏକ ବିଚିତ୍ର ଭଉଁରୀ ଭିତରେ ପଡ଼ିଯାଇଛି । ତା ହେପାଜତରେ ଦୁଇଜଣ ସ୍ତ୍ରୀଲୋକ ନିଡ଼ର ହୋଇ ଶୋଇଚନ୍ତି, ଏହା ଦେଖି ତାର ପୁରୁଷତ୍ୱ ଜାଗି ଉଠିଲା । ସେତେବେଳେ ଆଉ ସେ ନିଜକୁ ନିହାତି ଗରିବ, ବେକାର, କୁଲି ବା ଛୋଟ ଲୋକ ନୁହେ, କିନ୍ତୁ ଗୋଟିଏ ଯୁବକ ପୁରୁଷସିଂହ ବୋଲି ଭାବିପାରିଲା । ସେ ନିଜର ଦେହ ଖଟାଇ ପରିଶ୍ରମ କରି ନିଜକୁ ଓ ନିଜର ଶରଣ ପଶିଥିବା ଦୁଇଜଣଙ୍କୁ ରକ୍ଷା କରିପାରିବ ।

 

ତା ଭିତରେ ଆତ୍ମବିଶ୍ୱାସ ଜାଗ୍ରତ କରିଥିବା ଶଣ୍‌ବକମ୍‌କୁ ସେ କେତେ ବେଳଯାକେ ମନ ଦେଇ ଦେଖିଲା । ସେହି ସ୍ୱାସ୍ଥ୍ୟବତୀ, ସୁନ୍ଦର ମୁହଁ ଓ ପ୍ରେମଭରା ହୃଦୟଯୁକ୍ତ ଝିଅଟି ତାକୁ କାଠଗଦାର ଚିତା ଉପରେ ଶୋଇଥିବା ଭଳି ଲାଗିଲା ନାହିଁ; ବରଂ ରେଶମୀ ତୋଷକ ଉପରେ ଶୋଇଥିବା ପରି ଦିଶିଲା । ତା ମୁହଁରେ ମୁରୁକି ହସ ଛୁଟିଗଲା । ଆସ୍ତେ ଆସ୍ତେ ସେ ନିଦ୍ରାଦେବୀଙ୍କ ଶରଣ ପଶି ନିଜକୁ ଭୁଲିଗଲା ।

 

ରାତି ତିନି କି ଚାରି ପହର ହବ ।

 

ହଠାତ୍ ଖୁବ୍ ଜୋର୍‌ରେ ଶବ୍ଦ ହେଲା । ମନେହେଲା ସେଇ ଟିଣ ଛାତ ଉପରେ ଜାଣି ପଥର ବର୍ଷୁଚି । ‘କୁଆପଥର ବର୍ଷୁଚି କି ?’ ଆଖି ଝଲସା ତେଜୀୟାନ୍ ଆଲୁଅ ବି ଦେଖାଗଲା । ମନେହେଲା ସେଇ ପଡ଼ିଆଟା ଯେମିତି ଜଳୁଚି ପଡ଼ି । ସାଙ୍ଗେ ସାଙ୍ଗେ ମେଦିନୀ କମ୍ପାଇ ଭୟଙ୍କର ଶବ୍ଦ ଶୁଣାଗଲା । ଶଣ୍‌ବକମ୍ ଝଅଟ୍ କରି ଉଠିପଡ଼ି ବୁଢ଼ୀମା’କୁ ହଲାଇଲା । ବୁଢ଼ୀମା’ର ଦିହଟା ଥଣ୍ଡା ହୋଇ କାଠପରି ହୋଇଯାଇଚି । ସେ ଚିତ୍କାର କରି ବୈଲୈସ୍ୱାମୀ ପାଖୁ ଆସିଲା ଓ ତା ହାତକୁ ଜାବୁଡ଼ି ଧରିଲା । ତା ଜାବୁଡ଼ଟା ବେଶ୍ ମଜବୁତ ଥିଲା । ତାର ଦିହଟା ଡର ଯୋଗୁ ଥରଥର ଥରୁଥାଏ । ବୈଲୈସ୍ୱାମୀ ବି ଉଠିପଡ଼ିଲା ।

 

ସେ ତା ମୁହଁକୁ ନିଠେଇ ଚାହିଁଲା । ଦୁନିଆଟାକର ଡର ଏକାଠି ହେଇ ତା ଆଖିରେ ପଶିଯାଇଚି ।

 

‘‘ଡର ମାଡ଼ୁଚି । ମତେ ଡର ମାଡ଼ୁଚି !’’ କହି ସେ କାନ୍ଦିଲା । ‘‘ଚାଲ ଏଠୁ ପଳେଇବା, ଏଠି ରହିବାନି, ରହିବାନି !’’ ସେ ବିଡ଼ିବିଡ଼ି କରି କହିଲା ।

 

ବୈଲୈସ୍ୱାମୀ ତାକୁ ଆସ୍ତେ କରି ଧରି ନିଜ କୋଳରେ ଶୁଆଇଦେଲା । ସେ ତାକୁ ବାଧା ଦେଲାନାହିଁ । ଥଣ୍ଡା ଓ ଡରରୁ ରକ୍ଷା କରିବାକୁ ସେ ତାକୁ ନିଜର ଚଉଡ଼ା ଛାତିରେ ଜାକି ଧରିଲା ।

 

‘‘ଡର ନା ! ମୁଁ ତୋ ପାଖେ ଅଛି, ଡର ନା !’’ ସେ ଅତି ଆଦରରେ ତା କାନପାଖେ ବାରମ୍ବାର ଏହି ପଦକ କହିଲା । ତା ଡରଟା ଆସ୍ତେ ଆସ୍ତେ କମିବାକୁ ଲାଗିଲା । ଏହିପରି ସେହି ଶ୍ମଶାନ ଭୂଇଁରେ, ମୃତ୍ୟୁ ଦେବତାଙ୍କର ଲୀଳାଭୂମିରେ, ଶବର ଚିତାଭସ୍ମର କୁଢ଼ ଉପରେ ଆଲିଙ୍ଗନବଦ୍ଧ ହୋଇ ଏବଂ ଆତ୍ମଚେତନାହୀନ ହୋଇ ସେମାନେ କିଛିକାଳ ପଡ଼ିରହିଲେ ।

 

ବର୍ଷା ହେଉଥାଏ, ମେଘ ଗରଜୁଥାଏ, ବିଜୁଳି ଝଲକୁଥାଏ, ପବନ ଚାଲୁଥାଏ, ସମୁଦ୍ର ଗରଜୁଥାଏ; କିନ୍ତୁ ଶଣ୍‌ବକମ୍‌ର ଡରଟା ଯେମିତି ତୂଳା ପରି ଉଡ଼ିଗଲା ।

 

ସେ ମୁହଁ ଟେକି ତାକୁ ଚାହିଁଦେଲା ଓ ସେ ହସିଦେଲା । ସେହି ଘନ ଅନ୍ଧକାରରେ ବି ସେହି ଚାରିଆଖିର ନୂତନ ଆଲୋକ ମିଶିଗଲା । ଶଣ୍‌ବକମ୍ ଆସ୍ତେ କରି ତା ବେକରେ ନିଜର ବାହୁଟି ଘେରାଇ ଦେଲା । ତା ହାତର ଉଷୁମ ପାଇ ତାର ଶୀତ ବି ଚାଲିଗଲା ।

 

‘‘ଏଇ ଜାଗାରେ ଏଇମିତି ଆମେ ଦୁହେଁ ଏକାଠି ମରିଗଲେ କେତେ ଭଲ ହୁଅନ୍ତା ?’’ ଖନେଇ ଖନେଇ ସେ କହିଲା ।

 

ସେ ତାର ଅଧର ଦେଇ ତାର କୋମଳ ଅଧରକୁ ବନ୍ଦ କରି ଦେଇ ଆଉ କିଛି କହିବାକୁ ଦେଲା ନାହିଁ, ୟାପରେ ସେ ଏ ଜଗତରେ ଆଉ ରହିଲେନି । ସେ ନିଜକୁ ଭୁଲିଯାଇ ବିଜୁଳି, ଘଡ଼ଘଡ଼ି, ବର୍ଷା, ଥଣ୍ଡା ପବନ, ଶ୍ମଶାନ, ମୃତ୍ୟୁ, ଭୋକ, ନିଷ୍ଠୁରତା, ଲୋଭ, ନୀଚତା ଇତ୍ୟାଦିରୁ ମୁକ୍ତ ଗୋଟିଏ ଅଦ୍ଭୁତ ଜଗତରେ ବିଚରଣ କରିବାକୁ ଲାଗିଲେ । ସେହି ପ୍ରେମମୟ ଆନନ୍ଦମୟ ଜଗତରେ ଜଣେ ପ୍ରାଣୀ ଆଉ ଜଣକ ଲାଗି ପ୍ରାଣ ଦେବାକୁ ବି କୁଣ୍ଠିତ ହୁଏନା ।

 

କୁବେରପତି ଓ କୋଟିପତିମାନଙ୍କୁ କ୍ଷଣକେ ପାଉଁଶ କୁଢ଼ରେ ପରିଣତ କରି ତାଣ୍ଡବ ନର୍ତ୍ତନ କରୁଥିବା ଶିବ, ତାଙ୍କର ବିନାଶ କାର୍ଯ୍ୟ ବିରୁଦ୍ଧରେ ବିଦ୍ରୋୟ କରିବାକୁ ତନ୍ମୟ ଭାବେ ଲାଗିଥିବା ଏହି ଦୁଇଟି ଅରକ୍ଷିତଙ୍କୁ ନିଶ୍ଚୟ ଦେଖିଥିବେ । ଦିନେ କାମଦେବକୁ ଦହନ କରିଥିଲେ ଯେଉଁ ଶିବ, ଆଜି ଏଠି ତାଙ୍କୁ କାମଦେବଙ୍କୁ ପୁନର୍ଜୀବନ ଦେବାର କାମଟି କରିବାକୁ ପଡ଼ିଲା ।

 

ବିନାଶର ଏହି ଗର୍ଭଗୃହରେ, ବିନାଶକୁ ଦୂର କରୁଥିବା ପ୍ରାଣୀମାନଙ୍କର ପ୍ରାଣଶକ୍ତିରୁ ବୁନ୍ଦାଏ ଶାମୁକାରେ ପଡ଼ି ମୋଡ଼ି ହୋଇଯାଇଥିଲା । ସେତେବେଳେ ଏକଥା ନା ସେ ଜାଣିଥିଲା ନା ବୈଲୈସ୍ୱାମୀ ଜାଣିଥିଲା । ସେମାନେ ତାଙ୍କର ଜନ୍ମଦାତା ମାଆବାପଙ୍କର ନିନ୍ଦା କରିଥିଲେ; କିନ୍ତୁ ସେହି ପ୍ରଭାତ ବେଳାରେ ନିଜେ ସେମାନେ ବି କେତେବେଳେ ମାଆ ବାପ ହୋଇଗଲେଣି, ଏକଥା ସେମାନେ ଜାଣି ପାରିଲେନି ।

 

ବର୍ଷା ହେଉଥାଏ, ବିଜୁଳି ଚମକୁଥାଏ, ମେଘ ଗର୍ଜୁଥାଏ, ସମୁଦ୍ରର ଲହଡ଼ିମାନ ତିଆରି ହୋଇ ଆଗକୁ ଆସି କୂଳରେ ଧକା ଖାଇ ମିଳେଇ ଯାଉଥାଏ । ସେଗୁଡ଼ିକ ବାରମ୍ବାର ତିଆରି ହୋଇ ଆଗକୁ ଆସି ମିଳେଇ ଯାଆନ୍ତି । ବୁଢ଼ୀମା’ ସେଠି ମିଳେଇ ଯାଇଥିବା ଲହଡ଼ି ପରି ପଡ଼ିଥିଲା । ତା ନାତୁଣୀ ନୂଆ ଲହଡ଼ିକୁ ବହନ କରୁଥିଲା । ସେହି ବିଦ୍ୟୁତ୍-ଆଲୋକରେ ଟିଣରେ ତିଆରି ଘରଟି ସାକ୍ଷୀ ହୋଇ ଠିଆହୋଇଥାଏ ।

Image

 

ଧନକୋଟିର ଇଚ୍ଛା

 

‘‘ବାହାରିଗଲା । ହେ ଭଗବାନ, କେଶ୍‌ଟା ହାତରୁ ବାହାରିଗଲା ।’’

 

ଏହି ପଦକ ଶିବଶଙ୍କରନ୍ ପିଲୈଙ୍କ କାନରେ ଶୂଳ ପରି ଆସି ଫୁଟିଗଲା । ଓଃ ! ଏଇଟା କଣ ଚରମ ବିଚାର !

 

ସେତେବେଳେ ଶିବଶଙ୍କରନ୍ ପିଲୈ ହାଇକୋର୍ଟରେ ତାଙ୍କ ପୁରୁଣା ଓକିଲ ବିନାୟକ ଶାସ୍ତ୍ରୀଙ୍କ ଘରେ ଯାଇ ବସିଥିଲେ । ସେଇଟି ତାଙ୍କର ‘ଅପୀଲ-କେଶ୍‌’ର ଶେଷ ବିଚାରର ଦିନ ଥିଲା-। କୋର୍ଟକୁ ଯାଇ ତାଙ୍କ କେଶ୍ ବିଷୟରେ ରାୟଟି ନିଜେ ଶୁଣିବାର ସାହସ ତାଙ୍କର ହେଲାନାହିଁ-। ତେଣୁ ସେ ଓକିଲଙ୍କ କମରାରେଇ ବସିରହିଲେ । ସେ ଓକିଲଙ୍କ ମୋହରିର କିଟ୍ଟୁ ଅୟରଙ୍କୁ ମାଗୁଣି କରିଥିଲେ ଯେ କେଶ୍ ସରିଲେଇ ତାଙ୍କୁ ଯେପରି ସେ ଜଣାଇ ଦିଅନ୍ତି । ଦିପ୍ରହର ସାଢ଼େ ତିନିଟାବେଳେ କିଟ୍ଟୁ ଅୟର ଗୋଟେ କେଶର ନଥିବିଡ଼ା ସେଠି ଆଣି ରଖିଲେ ଓ ଆଉ ଗୋଟିଏ କେଶ୍‌ର ନଥିବିଡ଼ା ନେଇ ଚାଲିଗଲେ । ସେଇ ମୁହୂର୍ତ୍ତକ ଭିତରେ ସେ ଉକ୍ତ ମାଙ୍ଗଳିକ ବାର୍ତ୍ତାଟି କହିଦେଇ ଚାଲିଯାଇଥିଲେ ।

 

ଏଇ ପଦକ ଶିବଶଙ୍କରନ୍‌ଙ୍କ କାନରେ ପଡ଼ିବା ପରେ ତାଙ୍କୁ ଲାଗିଲା ଯେପରି ସେ ଘର, ସେଠି ପଡ଼ିଥିବା ଚଉକି, ଟେବୁଲ୍ ଆଉ ସେହି ହାଇକୋର୍ଟର କୋଠା, ସବୁକିଛି ଅତି ବେଗରେ ଘୂରୁଛି । ସେ ତାଙ୍କର ଦୁଇ ହାତରେ ମୁଣ୍ଡକୁ ଆଣ୍ଟକରି ଧରିନେଲେ । ତାଙ୍କୁ ଲାଗିଲା ଯେମିତି ଗୋଟିଏ ଲାଲ ଟହ ଟହ ଲୁହା କଣ୍ଟା ତାଙ୍କ କପାଳରେ ‘‘ବାହାରିଗଲା ! ହେ ଭଗବାନ ! କେଶ୍ ହାତରୁ ବାହାରିଗଲା !’’ ଏହି ଶବ୍ଦଗୁଡ଼ିକ ଲେଖିଅଛି ।

 

ଶିବଶଙ୍କରନ୍‍ ପିଲୈ ଟଳଟଳ ହୋଇ ଠିଆହେଲେ । ସେହିପରି ଟଳିଟଳି ଚାଲି ସେ ହାଇକୋର୍ଟ ପାହାଚ ଦେଇ ତଳକୁ ଓହ୍ଲାଇ ଆସିଲେ । ତାପରେ ସେ ସମୁଦ୍ରକୂଳ ଆଡ଼କୁ ଚାଲିଲେ । ସମୁଦ୍ରକୂଳରେ ସେ ଯେଉଁ ରେଳବନ୍ଧ ପାଖରେ ଯାଇ ପ୍ରାୟ ବସୁଥିଲେ ସେଇଠି ଯାଇ ବସିପଡ଼ିଲେ-

 

ଏଇଲା କଣ କରାଯିବ ? ସେ ଅଣ୍ଟାରୁ ପଇସା ନେଇ ଦେଖିଲେ । ସକାଳେ ପକେଟରେ ଚାରଣା ଥିଲା । ମୟିଲାପୁରଠାରୁ ହାଇକୋର୍ଟଯାକେ ଯିବାର ବସ୍‍ଭଡ଼ା ଓ ନାସପୁଡ଼ିଆର ପଇସା ଦେଇସାରି ଏଇଲା ମୋଟ୍ ଦେଢ଼ଅଣା ବାକି ରହିଛି । ଫେରିକରି ଗାଆଁକୁ ଯିବାକୁ ତାଙ୍କ ପାଖେ ରେଳଭଡ଼ା ପଇସା ନଥିଲା । ତାଙ୍କର କିଛି ଜିନିଷପତ୍ର ହୋଟେଲରେ ପଡ଼ିଚି-। ତାକୁ ନେବାକୁ ଯେବେ ସେ ହୋଟେଲ ଯାଇଥାନ୍ତେ ତାହେଲେ ହୋଟେଲ ମାଲିକକୁ ଦୁଇଦିନର ଖାଇବା ଲାଗି ପଇସା ଦେବାକୁ ହୋଇଥାନ୍ତା ।

 

ହଁ ! ଯେବେ ସେ କେଶ୍‌ଟା ଜିଣିଯାଇଥାନ୍ତେ ତାହେଲେ କେତେ ଭଲ ହୋଇଥାନ୍ତା ! କିଏ ଜାଣିଥିଲା ଯେ ଯେଉଁ ବିଜୟଲକ୍ଷ୍ମୀ ତାଙ୍କ ପାଖଯାକେ ଆସିଯାଇଥିଲା, ସେ ଶେଷକୁ ତାଙ୍କୁ କୃପା କରିବ ନାହିଁ ! ଛିଃ ! ୟେ ପୁଣି କେମିତିକା ସରକାର, କେମିତିକା କୋର୍ଟ । ଏଠି କେମିତିକା ନ୍ୟାୟନିଶାପ ହୁଏ ।

 

ଦୁଇବର୍ଷ ତଳେ ଶିବଶଙ୍କରନ୍ ପିଲୈ ଏପ୍ରକାର ରାୟ ଶୁଣିବାକୁ ତିଆର ଥିଲେ । ସେ ତାଙ୍କର ଚାଳିଶ ବେଲୀ (୧) ଜମି ନାଆଁରେ ପ୍ରାୟ ଲକ୍ଷେ ଭଳି ଟଙ୍କା କରଜ ନେଇଥିଲେ । ପ୍ରାୟ ତିରିଶ ବେଲୀ ଜମିକୁ ପାଉଣାଦାରଙ୍କ ନାମରେ ଲେଖିଦେଇ ସେ ତାଙ୍କ କରଜର ଗୋଟାଏ ବଡ଼ ଅଂଶ ଶୁଝିଦେଲେ । ଏଇଲା ସବୁ ମିଶାଇ ତାଙ୍କ ପାଖେ ଦଶ ବେଲୀ ଜମି ବାକି ରହିଚି, ଯାହା ଉପରେ ସେ ଅଠାବନ ହଜାର ଟଙ୍କା କରଜ ନେଇଚନ୍ତି । ଋଣଦାତା ବାରମ୍ବାର ତାଙ୍କୁ କହିଲା, ‘‘ମୁଁ ଦୁଇ ବେଲୀ ଜମି ଛାଡ଼ିଦେବି, ବାକି ଜମିଟା ମୋ ନାଁରେ ଲେଖିଦିଅ ।’’ ଶିବଶଙ୍କରନ୍ ପିଲୈ ବି ଏଇଆ କରିବେ ବୋଲି ଏକପ୍ରକାର ପ୍ରସ୍ତୁତ ହୋଇଯାଇଥିଲେ । ସେତେବେଳେ ଜନତା ବ୍ୟବସାୟୀଙ୍କୁ କରଜରୁ ମୁକ୍ତି ଦେବା ଲାଗି ଗୋଟିଏ ପ୍ରସ୍ତାବ ପେଶ୍ କଲା । ‘ଭଗବାନଙ୍କ ଦୟାରୁ ମୁଁ ବଞ୍ଚିଗଲି’ ଏହା ଭାବି ସେ ଖୁସି ହେଲେ । ସେହି ପ୍ରସ୍ତାବ ଅନୁସାରେ ତାଙ୍କୁ ଋଣଦାତାକୁ ମାତ୍ର ୧୩୦୦ ଟଙ୍କା ଦବାକୁ ପଡ଼ିଥାନ୍ତା । ଶିବଶଙ୍କରନ୍ ପିଲୈ ଅନେକ ବର୍ଷତଳେ ଦଶହଜାର ଟଙ୍କା କରଜ ନେଇଥିଲେ । ତା’ଲାଗି ସେ ବର୍ତ୍ତମାନ ସୁଦ୍ଧା ୧୮,୪୦୦ ଟଙ୍କା ସୁଧ ଗଣିସାରିଛନ୍ତି ।

 

ଋଣମୁକ୍ତ ବିଷୟକ ସେ ପ୍ରସ୍ତାବଟି ପାସ୍ ହୋଇଗଲା ଓ ତାହା ଗୋଟିଏ ଆଇନ୍ ହୋଇଗଲା । ପିଲୈ ୧୬୦୦ ଟଙ୍କାରୁ ୧୩୦୦ ଟଙ୍କା ଓ ସବୁ ମିଶି ୩୨୦୦ ଟଙ୍କା ଦବାକୁ ପ୍ରସ୍ତୁତ ଥିଲେ; କିନ୍ତୁ ମହାଜନ ତାଙ୍କ କଥା ମାନିଲାନି । ସେ କୋର୍ଟରେ କେଶ୍ ଚଳାଇଲା । ସେ କେଶ୍ କରିବା ଦେଖି ଲୋକେ ତାକୁ ପାଗଳ ବିଚାରିଲେ ଓ ହସି ଉଡ଼ାଇଦେଲେ । ଯେଉଁ ଦିନ କଲେକ୍‌ଟର ରାୟ ଦେଲେ ସେଦିନ ଲୋକେ ଜାଣିଗଲେ ଯେ ସେମାନେ ମହାଜନକୁ ଥଟ୍ଟା କରି ବଡ଼ ମୂର୍ଖାମି କରିଥିଲେ ।

 

* (୧) ଜମିର ମାପବିଶେଷ (ଛଅ ଏକର ଓ ତିନିପାଆ)

 

ଆଇ. ସି. ଏସ୍. ପରୀକ୍ଷା ପାଶ୍ କରିଥିବା ଲୋକଙ୍କ ଭିତରେ ଯେଉଁ କେତେକ ମୂର୍ଖ ଦେଖିବାକୁ ମିଳନ୍ତି ତାଙ୍କୁ ନ୍ୟାୟ ବିଭାଗର କାର୍ଯ୍ୟଭାର ଦେବାର ଗୋଟିଏ ପ୍ରଥା ନାହିଁକି ? ସେତେବେଳେ ଏହିପରି ଜଣେ ମୂର୍ଖ ଲୋକ ଆଇ. ସି. ଏସ୍. ପାଶ୍ କରି ସେଠି କଲେକ୍‌ଟର ହୋଇଥିଲେ । ସାଧାରଣ ଲୋକେ ଯାହା କହୁଥିଲେ ତାର ବିରୋଧ କରିବାରେ ହିଁ ତାଙ୍କର ଆନନ୍ଦ ଥିଲା । ତେଣୁ ସେ ରାୟ ଦେଲେ ଯେ ବେପାରୀଙ୍କୁ ଋଣମୁକ୍ତ କରିବାର ଆଇନ୍‌ଟି ଲାଗୁ କରାଯାଇ ନପାରେ । ମାଡ୍ରାସର ନ୍ୟାୟାଳୟ ବା ଭାରତର ନ୍ୟାୟାଳୟର ମଧ୍ୟ ଏ ପ୍ରକାର ନିୟମ ତିଆରି କରିବାର ଶକ୍ତି ନାହିଁ । ଏ ବିଷୟରେ ଗଭର୍ଣ୍ଣର ବା ଭାଇସ୍‌ରାୟଙ୍କ ଦସ୍ତଖତର ବି କୌଣସି ମୂଲ୍ୟ ନାହିଁ । ସ୍ୱୟଂ ମହାରାଜା ଯେବେ ଏ ଆଇନ୍‌କୁ ସ୍ୱୀକାର କରି ଦସ୍ତଖତ କରି ଦିଅନ୍ତି ତେବେ ଯାଇ ଏ ନିୟମ ଲାଗୁ ହୋଇପାରିବ । ତେଣୁ ପ୍ରତିବାଦୀ ବାଦୀକୁ ପୂରା ଟଙ୍କା ଅର୍ଥାତ୍ ୧୮,୦୦୦ ଟଙ୍କା ଓ ମକଦ୍ଦମା ଖର୍ଚ୍ଚର ଟଙ୍କା ଦେଇ ଦେଉ । ଶିବଙ୍କର ପିଲେୈଙ୍କ ଉପରେ ବଜ୍ରପାତ ହେଲା । ଲୋକମାନେ ତାଙ୍କୁ କହିଲେ ଯେ ଏ ରାୟଟି ଜିଲା ଜଜ୍ ତାଙ୍କ ମୂର୍ଖତା ହେତୁ ଦେଇଚନ୍ତି, ଏଇ ରାୟ ବିରୁଦ୍ଧରେ ହାଇକୋର୍ଟରେ ଅପୀଲ କଲେ ତାଙ୍କର ନ୍ୟାୟପୂର୍ଣ୍ଣ ପକ୍ଷ ଅବଶ୍ୟ ଜିତିବ । ଲୋକଙ୍କ କଥା ଶୁଣି ଶିବଶଙ୍କରନ୍ ପିଲେୈ ତାଙ୍କ ପିଲାଛୁଆଙ୍କର ବେକରୁ ଦେହରୁ ଅଳଙ୍କାର ବିକି ଦେଇ କିଛି ଟଙ୍କା ଏକାଠି କରି ଜିଲା ଜଜ୍‌ଙ୍କ ରାୟ ବିରୁଦ୍ଧରେ ହାଇକୋର୍ଟରେ ଅପୀଲ କଲେ । କିଏ ଜାଣିଥିଲା ଯେ ହାଇକୋର୍ଟର ରାୟ ବି ତାଙ୍କ ପାଇଁ ଏପରି ମାରାତ୍ମକ ହେବ ?

 

 

ସମୁଦ୍ରକୂଳ ପାଖର ରାସ୍ତା କଡ଼ର ବତିମାନ ଜଳିବା ଯାକେ ଶିବଶଙ୍କରନ୍ ପିଲେୈ ସମୁଦ୍ରକୂଳ ହିଁ ବସି ରହିଲେ । ରହି ରହି ତାଙ୍କ ମନରେ ଏହି ଚିନ୍ତା ଆସୁଥାଏ ଯେ ସେ ସମୁଦ୍ରରେ ବୁଡ଼ି ଆତ୍ମହତ୍ୟା କରିଦିଅନ୍ତେ । ସେ ପିଲାଦିନେ ପଢ଼ିଥିଲେ ଯେ ‘ଅସମୟ’ରେ ମରିଯାଇଥିବା ଲୋକଙ୍କର ଆତ୍ମା ଏଇ ଜଗତରେ ହିଁ ବୁଲୁଥାଏ । ତାକୁ ଆଦୌ ଶାନ୍ତି ମିଳେନା । ଏତେବେଳେ ସେହି କଥାଟି ତାଙ୍କର ମନେ ପଡ଼ିଲା, ‘‘ହେ ଭଗବାନ୍ ମୋର ମରଣ କାହିଁକି ହେଉ ନାହିଁ ? ପୃଥିବୀରେ କେତେ କେତେ ଅଳ୍ପ ବୟସର ପିଲା ମରି ଯାଉଛନ୍ତି । ମୋର ପଞ୍ଚାବନ ବର୍ଷ ବୟସ ହେଲାଣି, ମତେ କାହିଁକି ଯମ ନଉନାହିଁ ?’’

 

ଶେଷକୁ ଶିବଶଙ୍କରନ୍ ପିଲେୈ ତାଙ୍କ ମନକୁ ଟାଣ କଲେ । ସେ ଭାବିନେଲେ ଯେ ବର୍ତ୍ତମାନ ଆଉ ଏ ଦୁନିଆରେ ବଞ୍ଚିବା ପୂରାପୂରି ନିରର୍ଥକ । କେବେ ହେଲେ ତ ମରିବାକୁ ପଡ଼ିବ । ଏହା ଭାବି ସେ ସମୁଦ୍ର ଆଡ଼କୁ ଚାଲିଲେ । ସେ ଡାକି ଉଠିଲେ, ‘‘ହେ ସମୁଦ୍ରରାଜ ! ସଂସାରରେ ଦୁଃଖୀରଙ୍କିଙ୍କର ତୁହି ଶରଣ ।’’

 

ହଠାତ୍ ଶିବଶଙ୍କରନ୍ ପିଲେୈଙ୍କର ନିଜ ପିଲାଙ୍କ କଥା ମନେ ପଡ଼ିଗଲା । ସେ ଭାବିଲେ, ‘‘ମୁଁ କଣ ସେମାନଙ୍କୁ ଶେଷ ଥର ପାଇଁ ନ ଦେଖି ପ୍ରାଣ ଛାଡ଼ିବି ? ଆରେ, କାଲି ରାତିରେ ଯେ ଦୀପାବଳୀ । ପିଲାଏ ମୋ ବାଟ ଚାହିଁ ବସିଥିବେ ଯେ ବାପା ନୂଆ ଲୁଗା, ଲହଙ୍ଗା (ଘାଗରା ପରି ଝିଅଙ୍କ ପୋଷାକ) ଓ ବାଣ ଧରି ଫେରିବେ । ଦୀପାବଳୀପରା ଦିନରେ ମୋ ଜାଗାରେ ମୋର ମୃତ୍ୟୁ ସମ୍ବାଦଟି ତାଙ୍କ ପାଖରେ ପହଞ୍ଚିଲେ ? .....ଆହା ସେ ପିଲାଯାକ କେମିତି କାନ୍ଦି ଉଠିବେ ? ଏକଥାଟା ଅବଶ୍ୟ ସତ ଯେ ଏଇଲାଗେ ମୋ ହାତରେ ଫଟା ପାହୁଲାଟାଏ ନାହିଁ, ତଥାପି ମତେ ଦୀପାବଳୀ ଆଗରୁ, ଖାଲିହାତରେ ହେଲେ ହେଉ ପଛକେ, ଗାଆଁକୁ ଫେରିଯିବାକୁଇ ପଡ଼ିବ । ପିଲାଙ୍କୁ ଥରେ ଦେଖିନେଇ ତା’ ପରେ....ଏ ସଂସାରରେ ପ୍ରାଣ ଛାଡ଼ିବାକୁ କେତେ ଉପାୟ ତ ଅଛି !

 

ଶିବଶଙ୍କରନ୍ ପିଲୈ ଏଲୁଂବୁର୍ ଷ୍ଟେସନ ଆଡ଼କୁ ଗଲେ । ଷ୍ଟେସନ ପହଞ୍ଚିବା ମାତ୍ରେ ସେ ଲୁଗା କାନିରେ ବନ୍ଧା ହୋଇଥିବା ଦେଢ଼ ଅଣାରୁ ଅଣେ ବାହାର କରି ପ୍ଳାଟଫର୍ମ ଟିକଟ କିଣିଲେ । ଯେତେବେଳେ ସେ ଷ୍ଟେସନ ଭିତରକୁ ଗଲେ ସେତେବେଳେ ସେଠି ଗୋଟିଏ ରେଳଗାଡ଼ି ଠିଆ ହୋଇଥିଲା । ସେ ତା’ ଉପରେ ଚଢ଼ିଗଲେ । ରେଳ ଛାଡ଼ିଦେଲା । ଛୁକ୍ ଛୁକ୍ କରି ଗାଡ଼ି ଚାଲୁଥିଲା । ସେତେବେଳେ ସେ ବାରମ୍ବାର ପିଲାଦିନେ କେବେ ପଢ଼ିଥିବା ଗୋଟିଏ ଗୀତ ଗୁଣୁ ଗୁଣୁ ହେଉଥିଲେ, ‘‘ଆବୁଡ଼ା ଖାବୁଡ଼ା ରାସ୍ତା ପରି ପଇସା ବଢ଼େ ଓ କମେ’’ । ସେ ଭାବିଲେ ଯେ ମୋର ଆଗ ଅବସ୍ଥା ଓ ବର୍ତ୍ତମାନର ଅବସ୍ଥା ଭିତରେ କେତେ ଫରକ୍ ! ଦିନେ ଚାଳିଶ ବେଲୀ ଜମିରେ ମୁଁ ଏକା ମାଲିକାନା କରୁଥିଲି, ଆଉ ଆଜି ହୋଟେଲରେ ଖାଇ ପଇସା ନଦେଇ ପାରିବାରୁ ମୁଁ ପଳେଇ ଯାଉଚି । ଦିନେ ମୁଁ ମଜାରେ ଦ୍ୱିତୀୟ ଶ୍ରେଣୀ ଡବାରେ ବସି ଯା’ଆସ କରୁଥିଲି ଆଉ ଆଜି ବିନା ଟିକଟରେ ତୃତୀୟ ଶ୍ରେଣୀରେ ବସିଛି । କାଳେ କେତେବେଳେ ଟିକଟ ଚେକର୍ ଆସିଯିବ, ଏଇ ଡରରେ ମୋର ପଦ ପଦକେ ଛାତି ଥରୁଚି ।

 

ସେଇଟା ଏକ୍‌ସପ୍ରେସ୍ ଗାଡ଼ି ହୋଇଥିବାରୁ ଛୋଟ ଷ୍ଟେସନମାନଙ୍କର ନରହି ଆଗେଇ ଚାଲିଥିଲା । ଯାତ୍ରୀଙ୍କ ଭିତରୁ କେହି ଶୋଇଥିଲେ, ଆଉ କେହି ବସି ବସି ଘୁମଉଥିଲେ; କିନ୍ତୁ ଶିବଶଙ୍କରନ୍ ପିଲୈଙ୍କୁ ନିଦ ନାହିଁ । ସେ ଆଖି ଖୋଲି ବସିଥିଲେ ।

 

ରାତି ଦିଟା ସରିକି ହବ । ପାଖ ଡବାରେ ବସିଥିବା ଗୋଟିଏ ଟିକଟ ଚେକର୍ ଏ ଡବାକୁ ଡେଇଁପଡ଼ି ଆସିଲା । ସେ ଶୋଇଥିବା ଲୋକଙ୍କୁ ଗୋଟି ଗୋଟି କରି ନିଦରୁ ଉଠାଇ ତାଙ୍କ ଟିକଟ ପରୀକ୍ଷା କଲା । ଏହାପରେ ସେ ଶିବଶଙ୍କରନ୍ ପିଲୈଙ୍କ ପାଖରେ ପହଞ୍ଚିଲା । ସେ ଦଣ୍ଡେ ଚୁପ୍ ରହିଲେ, ପରେ କାନ୍ଦି ବାଉଳି ହୋଇ କହିଲେ, ‘‘ମୋର ପଇସା ଓ ଟିକଟ ବାକ୍‌ସରେ ଥିଲା । ମୁଁ ଶୋଇଥିଲି ସେତେବେଳେ କିଏସେ ମୋର ବାକ୍‌ସ ନେଇ ପଳାଇଚି ।’’

 

ଟିକଟ ଚେକର୍ ତାଙ୍କୁ ଦୁଇ ତିନିଥର ତାଳୁରୁ ତଳିପା ଯାଏ ଚାହିଁନେଲା । ସେ ଠିକ୍ ଜାଣିପାରୁ ନଥିଲା ୟାଙ୍କ କଥା ସତ ନା ମିଛ । ଗାଡ଼ି ଷ୍ଟେସନରେ ପହଞ୍ଚିବା ମାତ୍ରେ ସେ ତାହାଙ୍କୁ ଗାଡ଼ିରୁ ଓହ୍ଲେଇ ଯିବାକୁ କହିଲା । ୟା ପରେ ସେ ତାଙ୍କୁ ଷ୍ଟେସନ ମାଷ୍ଟରଙ୍କ ପାଖୁ ଘେନିଗଲା ଏବଂ ତାଙ୍କୁ କହିଲା, ‘‘ୟାଙ୍କ ପାଖେ ଟିକଟ ନାହିଁ, ଟିକଟ ମାଗିବାରୁ ୟେ କିଛି ଗୋଟାଏ କାହାଣୀ ଜମେଇଲେ । ଏଇଲା ଆପଣଇ ତାଙ୍କର ପରୀକ୍ଷା କରନ୍ତୁ’’ ଓ ପରେ ପରେ ସେଠୁ ବାହାରିଗଲା । ଷ୍ଟେସନ ମାଷ୍ଟରଙ୍କୁ ଭଲ ନିଦ ହୋଇ ଯାଇଥିଲା । ସେ କହିଲେ, ‘‘ଏଠୁ ଯାଆନ୍ତୁଭାରି, ଏଠି ଠିଆ ହେଇ ମୋ ଜୀବନ ଖାଆନ୍ତୁ ନାହିଁ । ଶିବଶଙ୍କରନ୍ ଷ୍ଟେସନ ବାହାରକୁ ଆସିଲେ । ସେ ଥରେ ଫେରିପଡ଼ି ଚାହିଁଲେ ନାହିଁ ସେଇଟା କୋଉ ଷ୍ଟେସନ ଓ ସିଧା ସଳଖ ପାଖ ଗାଆଁ ଆଡ଼କୁ ଚାଲିଲେ-। ହଠାତ୍ ତାଙ୍କୁ ଲାଗିଲା ସେ ଏ ଗାଆଁକୁ ଆଗରୁ କେବେ ଦେଖିଛନ୍ତି । କିନ୍ତୁ ସେ ଗାଆଁଟିର ନାଁ ମନେ ପଡ଼ିଲାନି ।

 

ସେ ଆଗଦିନ ସକାଳ ଦଶଟାରେ ଭାତ ଖାଇଥିଲେ; ବର୍ତ୍ତମାନ ଭୋକ ଓ ଅନିଦ୍ରା ଯୋଗୁ ତାଙ୍କ ଦେହ ଶିଥିଳ ହେଉଥିଲା, ଚାଲିବା ବେଳକୁ ତାଙ୍କର ଗୋଡ଼ ଟଳମଳ ହେବାକୁ ଲାଗିଲା । ବର୍ତ୍ତମାନ ସେ ଯେଉଁ ରାସ୍ତା ଦେଇ ଯାଉଥିଲେ ତହିଁରେ ଜନମାନବ ନ ଥିଲେ । ହଠାତ୍ ତାଙ୍କ ମୁଣ୍ଡ ବୁଲାଇ ଦେଲା, ଆଖି ଆଗରେ ଅନ୍ଧକାର ଦେଖାଗଲା । ସେ ଜାଣିପାରିଲେ ଯେ କେଉଁ ଅଜଣା ଗାଆଁର ରାସ୍ତା ଉପରେ ସେ ଅଚେତ ହୋଇ ପଡ଼ିଯିବେ । ସେ ତରତର କରି ଗୋଡ଼ ଚଳେଇ ଦୁଇଚାରିପାଦ ଦୂରରେ ରାସ୍ତାକଡ଼ର ଗୋଟିଏ ଘରର ଦରଜା ପାଖେ ଯାଇ ବସି ପଡ଼ିଲେ-। ପରମୁହୂର୍ତ୍ତରେ ସେ ଚୈତନ୍ୟଶୂନ୍ୟ ହୋଇଗଲେ ।

 

 

ଯେତେବେଳେ ଶିବଶଙ୍କରନ୍ ପିଲେୈ ଆଖି ମେଲିଲେ, ସେତେବେଳେ ସେ ଯେଉଁ ଆଶ୍ଚର୍ଯ୍ୟ ଦୃଶ୍ୟ ଦେଖିଲେ ସେଥିରେ ସେ ପୁଣି ବେହୋସ ହୋଇ ଯାଇଥାନ୍ତେ । ସେ ମଲ୍ଲିଫୁଲ ଓ ଧୂପକାଠିର ବାସ୍ନା ପାଇଲେ । ସେ ଚାରିଆଡ଼କୁ ଚାହିଁଲେ । ଛୋଟ ବଖରାଟିଏ ସେଥିରେ ଗୋଟିଏ ସୁନ୍ଦର ପଲଙ୍କ ପଡ଼ିଛି । ପଲଙ୍କ ଉପରେ ନରମ ତୋଷକ ପଡ଼ିଛି ଏବଂ ସେ ତହିଁରେ ଶୋଇଛନ୍ତି । କାନ୍ଥରେ ଗୋଟିଏ କାନ୍ଥକୁରା ଦେଖାଗଲା ଯହିଁରେ ମଲ୍ଲିଫୁଲର ମାଳାରେ ସଜା ହୋଇ ଗୋଟିଏ ଫଟୋ ରଖା ହୋଇଥିଲା । ତା ସାମନାରେ ଦୀପଟିଏ ଜଳୁଥିଲା । ଦୀପ ଆଲୁଅରେ ସେ ସେହି ଛବିଟି ଦେଖିଲେ । ହଠାତ୍ ସେ ଘାବରେଇ ଗଲେ ଏବଂ ଖଟ ଉପରେ ଉଠି ବସିଲେ । ସେ ପୁଣିଥରେ ଛବିଟିକି ଦେଖିଲେ । ଏଥିରେ ଟିକେ ହେଲେ ସନ୍ଦେହ ନାହିଁ, ସେଇଟି ତାଙ୍କରି ଫଟୋ । ସେ ଫଟୋ ଖଣ୍ଡିକ ପଇଁତିରିଶ ବର୍ଷ ତଳେ ନିଆ ହୋଇଥିଲା; ତେଣୁ କିଛିଟା ଝାପ୍‌ସା ହୋଇଯାଇଥିଲା । ତାଙ୍କୁ ସେହି ଫଟୋରେ ନିଜର ଚେହେରାଟି ବଡ଼ ଅଦ୍ଭୁତ ଲାଗିଲା । କାନ ଉପରେ ଝୁଲୁଥିବା କଲୀ, ବାଳ ତା ଉପରେ ଟୋପୀ, କାନରେ ହୀରାର କାନଫୁଲ, କପାଳରେ ବିଭୂତିର ଟିକା ଆଉ ତା ପରେ କଜ୍ଜ୍ୱଳ ବିନ୍ଦୁ । କମିଜ, କୋଟ ଇତ୍ୟାଦି ପିନ୍ଧିଥିବା ତାଙ୍କର ସେହି ଯୁବକ ରୂପ ଓ ବର୍ତ୍ତମାନର ବୃଦ୍ଧାବସ୍ଥାର ରୂପ ଭିତରେ କେତେ ତଫାତ୍ ଥିଲା । ବର୍ତ୍ତମାନ ତାଙ୍କର ବିଶ୍ୱାସ ହେଉ ନଥିଲା ଯେ ଦିନେ ତାଙ୍କ ରୂପ ଏପରି ଥିଲା ।

 

ଶିବଶଙ୍କରନ୍ ପିଲେୈଙ୍କର ଗୋଟି ଗୋଟି କରି ଅତୀତର ଘଟଣାଗୁଡ଼ିକ ମନେ ପଡ଼ିବାକୁ ଲାଗିଲା । ସେ କଳ୍ପନା ଚକ୍ଷୁରେ ସେ ଘଟଣା ଗୁଡ଼ିକ ଦେଖିପାରିଲେ । ତାଙ୍କର ମନେହେଲା ଯେପରି ସେଇ ସବୁ ଘଟଣାମାନ ଏବେ ଘଟିଛି ।

 

ସେତେବେଳେ ଶିବଶଙ୍କରନ୍ ପିଲୈ ତିରୁଚ୍ଚିନାପଲ୍ଲୀର ‘ସେଣ୍ଟ୍ ଜୋସେଫ କଲେଜ’ରେ ପଢ଼ୁଥାଏ । ସେହିବର୍ଷ ତାର ଏମ୍. ଏ. ପରୀକ୍ଷା ଦବାର ଥାଏ । ସେ ପଢ଼ିବାଲାଗି ଗୋଟିଏ ଘର ନେଇଥିଲା । ଚାକର ଆସି ରନ୍ଧାବଢ଼ା କରି ଚାଲିଯାଏ । ସେ ଜଣେ ବଡ଼ଲୋକ ଜମିଦାରଙ୍କ ପୁଅ । ତାର ଖର୍ଚ୍ଚବାର୍ଚ୍ଚର ଭାବନା କାହୁଁ ଆସିବ ?

 

ସେହିବର୍ଷ ଶ୍ରାବଣ ମାସରେ ତାର ବିବାହ ସ୍ଥିର ହେଲା । ବୋହୂ ବି ବଡ଼ ଘରର ଝିଅ । ଶିବଶଙ୍କରନ୍‌ଙ୍କ ବାପା ବଡ଼ ଧୂମ୍‌ଧାମ୍ କରି ବାହାଘରର ଆୟୋଜନ କଲେ । ସେ ଶିବଶଙ୍କରନ୍‌ଙ୍କୁ ଚିଠି ଲେଖିଲେ ସେ ଯେମିତି ବାହାଘରର ସପ୍ତାହେ ଆଗରୁ ଗାଁକୁ ଆସିଯାଏ । ତାଙ୍କର କହିବା ଅନୁସାର ଶିବଶଙ୍କରନ୍ ବିଭାଘରର ବହୁତ ଦିନ ଆଗରୁ ଗାଁକୁ ଚାଲିଗଲା ।

 

ତାଙ୍କ ଗାଁଟି ରେଳଷ୍ଟେସନଠୁଁ ଛଅମାଇଲ୍ ଦୂରରେ ଥିଲା । ବାଟରେ ଚାରି ମାଇଲଠିଁ ଗୋଟିଏ ଛୋଟିଆ ନଈ ପାରି ହବାକୁ ପଡ଼ୁଥିଲା । ସେତେବେଳେ ନଈ ଉପରେ କୌଣସି ପୋଲ ନଥିଲା । ବଢ଼ିବେଳେ ନାଆରେ ଚଢ଼ି ନଈ ପାରି ହେବାକୁ ପଡ଼ୁଥିଲା । ଶିବଶଙ୍କରନ୍ ଗାଡ଼ିରେ ବସି ଷ୍ଟେସନରୁ ନଈ କୂଳେ ଆସି ପହଞ୍ଚିଲା । ନଈରେ ବଡ଼ ବଡ଼ ଢେଉ ଉଠୁଛି । ସେ ପାରିରେ ତାକୁ ଘରକୁ ନେଇ ଯିବାକୁ ତାଙ୍କ ନିଜ ଗାଡ଼ି ଅପେକ୍ଷାକରି ଠିଆ ହୋଇଥିଲା । ସେତେବେଳକୁ ନାଆଟି ସେପାରି ଆଡ଼କୁ ଅଧବାଟରେ ଅଛି । ସେ ଫେରିବାକୁ ଅନ୍ତତଃ ପନ୍ଦର ମିନିଟ୍ ଲାଗିବ; ତେଣୁ ଶିବଶଙ୍କରନ୍ ନଈକୂଳେ ଶାଳଗଛ ମୂଳେ ବସିପଡ଼ିଲା ।

 

କାହାରି ଖିଲି ଖିଲି ହସିବାର ମଧୁର ଶବ୍ଦ ଶୁଣି ସେ ବୁଲି ଚାହିଁଲା । ଶାଳଗଛର ସେ କଡ଼େ ଗୋଟିଏ ଝିଅ ଓ ତା’ ମା ବସି ଭାତ ଖାଉଥିଲେ । ସେ ଝିଅଟି ନିଜେ ଖାଉ ଖାଉ ନଈ କୂଳରେ ବସିଥିବା କୁଆମାନଙ୍କୁ ମଝିରେ ମଝିରେ ଭାତ ଖୁଆଉଥାଏ । ସେ ଭାତ ଗୁଣ୍ଡାକୁ ଆକାଶ ଉପରକୁ ଫୋପାଡ଼ୁଥିଲା ଓ ପାଞ୍ଚ ଛଅଟା କୁଆ ତାକୁ ଧରିବାକୁ ଉଡ଼ି ଆସୁଥିଲେ । ଶେଷକୁ ସେ ଗୁଣ୍ଡାକ କୋଉ ଗୋଟିକରି ଥଣ୍ଟରେ ଲାଗୁଥିଲା । ସେତେବେଳେ ସେ ଖିଲି ଖିଲି କରି ହସି ଦେଉଥାଏ । ବେଳେ ବେଳେ ଦୁଇଟା କୁଆ ଏକାଠି ଭାତ ଗୁଣ୍ଡାକୁ ଖୁମ୍ପୁଥିଲେ । ସେତେବେଳେ ଦୁହିଁଙ୍କ ଥଣ୍ଟ ବାଡ଼େଇ ହୋଇଯାଉଥିଲା । ଏଇଟା ତାକୁ ଖୁବ୍ ଭଲ ଲାଗୁଥିଲା ।

 

ଶିବଶଙ୍କରନ୍ ଏସବୁକୁ ମନ ଦେଇ ଦେଖୁଥିଲା । ମଝିରେ ମଝିରେ ସେ ବି ହସି ପକଉ ଥିଲା । ଥରେ ସେ ଝିଅ ତାକୁ ହସିବାର ଦେଖିନେଲା । ତା’ପରେ ଯେତେଥର ଭାତଗୁଣ୍ଡା ଫୋପାଡ଼ୁଥିଲା ସେ ଲୁଚେଇ ଲୁଚେଇ ତା ଆଡ଼କୁ ଚାହେଁ । ଶିବଶଙ୍କରନ୍‌ ତା’ର ନାନା ରକମର କାମକୁ ମଗ୍ନ ଭାବେ ଦେଖୁଥିଲା ।

 

ନଈକୂଳର କୁଆଙ୍କର ସାହସ ବେଶୀ । ଏଇଲା ତାଙ୍କର ସେ ସାହସ ବଢ଼ୁଥିଲା । ଶେଷକୁ ଗୋଟିଏ କୁଆ ଆସି ସେ ଝିଅ ହାତରୁ ଭାତଗୁଣ୍ଡା ଛଡ଼ାଇ ନେଲା । ‘ମରିଗଲି’ ଝିଅଟି ଚିତ୍କାର କଲା । ସେ ଥଟ୍ଟାରେ ଥଟ୍ଟାରେ ଚିତ୍କାର କରିଥିଲା, ନା ପ୍ରକୃତ କଷ୍ଟ ପାଇ ସେମିତି କରିଥିଲା କେଜାଣି; କିନ୍ତୁ ଶିବଶଙ୍କରନ୍ ଦଉଡ଼ିଯାଇ କୁଆଙ୍କ ପାଖେ ହାଜିର ହେଲା ଓ ତାଙ୍କୁ ଖେଦି ବାହାର କରିଦେଲା ।

 

ଝିଅଟି ତା ମା କୁ କହିଲା, ‘‘ଏ ଲୋକଟି କାକାସୁର ହାତରୁ ମୋତେ ରକ୍ଷାକଲା ।’’

 

ଝିଅଟିର ଏ କଥାଟି ଶୁଣି ଶିବଶଙ୍କରନ୍‌ର ଆସୀମ ଆଶ୍ଚର୍ଯ୍ୟ ଓ ଆନନ୍ଦ ହେଲା । କାକାସୁର ? ସେ ପୁଣି କିଏ ସେ ? ବୋଧେ ଝିଅଟି ବେଶ୍ ପାଠ ପଢ଼ିଚି । କେଜାଣି କାହିଁକି ସେ ତା ସଙ୍ଗେ କଥାବାର୍ତ୍ତା କରି ପାରିଲାନି । ଏତିକିବେଳେ ନାଆଟି ଫେରିଲା । ଶିବଶଙ୍କରନ୍‌କୁ ମିଶାଇ ସେମାନେ ମୋଟ୍ ତିନିଜଣ ଯାତ୍ରୀ ଥିଲେ । ତିନିହେଁ ନାଆ ଉପରେ ବସିଲେ ।

 

ନାଆଟା ନଈର ସୁଅ କାଟି ଆଗଉଥିଲା । ଝିଅଟି ବଡ଼ କୌତୂହଳ ନେଇ ସେ ଦୃଶ୍ୟ ଦେଖୁଥାଏ । ଜୁଡ଼ାରେ ଥିବା ଫୁଲଗୁଡ଼ିକ ସେ ଗୋଟି ଗୋଟି କରି ନାଆ ଆଗରେ ପକେଇ ଯାଉଥିଲା । ପାଣିରେ ଭାସି ଯାଉଥିବା ସେଇ ଫୁଲଗୁଡ଼ିକ ଦେଖିବାପାଇଁ ସେ ନାଆର ପଛ ଆଡ଼କୁ ଦଉଡ଼ି ଯାଉଥିଲା । ଥରେ ଦଉଡ଼ୁ ଦଉଡ଼ୁ ତାର ଗୋଡ଼ ଖସିଗଲା, ବଡ଼ କୌତୂହଳ ନେଇ ତା କାଣ୍ଡକାରଖାନା ଦେଖୁ ଦେଖୁ ଶିବଶଙ୍କରନ୍ ତାକୁ ଧରି ପକାଇ ପଡ଼ିଯିବାରୁ ରକ୍ଷା କଲା । ତା’ମା କହିଲା, ‘‘ଆଲୋ ଧନକୋଟି ! ଦୁଷ୍ଟାମୀ କାହିଁକି କରୁଚୁ ? ଏଇଲାଗେ ଯାଇଥିଲୁନା ନଈରେ ଭାସି-?’’

 

ଧନକୋଟି ଖିଲି ଖିଲି କରି ହସିଲା । ସେ ଶିବଶଙ୍କରନ୍‌କୁ ପଚାରିଲା, ‘‘ଆପଣ ପହଁରି ଜାଣନ୍ତି ?’’ ସେ ହଁ, କହିବା ମାତ୍ରେ ସେ କହିଲା, ତାହେଲେ ଆପଣ ମତେ ଧରି ନେଲେ କାହିଁକି ? ନଈରେ ପଡ଼ିବା ପରେ ମତେ କାହିଁକି ବଞ୍ଚେଇଲେନି, ଏଁ ?’’ ଓ ପୁଣି ହସିବାକୁ ଲାଗିଲା ।

 

ଶିବଶଙ୍କରନ୍‌ର ମୁଣ୍ଡ ବୁଲେଇ ଦେଲା । ତା’ ଜୀବନରେ ଏପରି ଅଭିଜ୍ଞତା କେବେ ହୋଇ ନଥିଲା ।

 

ନାଆ ଯାଇ ସେ ପାରିରେ ଲାଗିଲା । ଶିବଶଙ୍କରନ୍ ଆଗରୁ ଅପେକ୍ଷା କରିଥିବା ତାଙ୍କ ଗାଡ଼ିରେ ଯାଇ ବସିଲେ । ନଈ ଏପାରି ସେ ଝିଅର ତିନିଚାରିଜଣ ସମ୍ପର୍କୀୟ ଲୋକ ଠିଆ ହୋଇଥିଲେ । ସେମାନେ ସେଠୁ ଶୀଘ୍ର ଚାଲିଯିବାର କୌଣସି ଚେଷ୍ଟା କଲେ ନାହିଁ । ଶିବଶଙ୍କରନ୍‌ଙ୍କ ଗାଡ଼ି ବେଗେ ଚାଲିବାକୁ ଆରମ୍ଭ କଲା । ତାର ଦୃଷ୍ଟିଭ୍ରମ ହେଲା ଯେପରି ଧନକୋଟି ତାରି ଗାଡ଼ି ଆଡ଼କୁ ଚାହିଁ ଠିଆ ହୋଇଛି ।

 

‘ସେ କିଏ ସେ ? ସେ କୁଆଡ଼ୁ ଆସିଛି ? କୋଉଠିକି ଯିବ ? ମୁଁ କଣ ତାକୁ ଆଉ ଥରେ ଦେଖିବି ? ଆହା ! ସେ କେଡ଼େ ସୁନ୍ଦର । ଇତ୍ୟାଦି ଚିନ୍ତା ତା ମନରେ ଉଦିତ ହେଲା । ପରେ ସେ ଭାବିଲା, ତା ମୁହଁରେ କେତେ ଶୋଭା କେତେ ଚଞ୍ଚଳତା ଥିଲା ? ତା ଆଖି କେତେ ମନଲୋଭା, ଯେତେବେଳେ ସେ ମତେ ଅପାଙ୍ଗରେ ଚାହିଁଦେଉଥିଲା ସେତେବେଳେ.....ଆହା ! ୟା ସାଙ୍ଗରେ କିଛିଦିନ ଆଗରୁ ଭେଟିଥାନ୍ତି କି ତାହେଲେ ଏ ବିଭାଘରଟା....ଛିଃ ଛିଃ ମୋ ମନରେ ଏ ପ୍ରକାର ଖରାପ ଚିନ୍ତା ଆସୁଚି କାହିଁକି ?’ ଏହିଭଳି ଚିନ୍ତା କରୁ କରୁ ଶିବଶଙ୍କର ଦୀର୍ଘଶ୍ୱାସ ପକାଇଲା ।

 

ତା ବାହାଘର ଧୁମ୍‌ଧାମ୍‌ରେ ହୋଇଗଲା । ବିବାହ ଗଣ୍ଡଗୋଳରେ ଶିବଶଙ୍କରନ୍ ନଈକୂଳର ସେଇ ଘଟଣାଟି ପାଶୋରି ଦେଲା । ସେ ତାର ବୋହୂଟି ଦେଖି ଖୁସୀ ହେଲା । ତା ପରଦିନ ଗୋଟିଏ ନୃତ୍ୟର ଆୟୋଜନ ହୋଇଥିଲା । ଶିବଶଙ୍କରନ୍‌ର ନାଚକୁ ଘୃଣାଥିଲା । ନାଚ ନାଁ ଶୁଣି ସେ ରାଗି ଚୁର୍ ହୋଇଗଲା ଓ କହିଲା, ‘‘ଏ ପୁଣି କେମିତିକା ପୁରୁଣାକାଳିଆ ଢଙ୍ଗ ?’’ ସମସ୍ତେ ବୁଝେଇବାରୁ ସେ ଯାଇ ନାଚ ଦେଖିବାକୁ ସଭାରେ ବସିଲା । ଲୋକଙ୍କ ଆଗରେ ନିଃସଙ୍କୋଚରେ ନାଚ କରୁଥିବା ସେହି କନ୍ୟାଟିକି ଦେଖିବାକୁ ଆଖିଟି ଉପରକୁ ଟେକିଛି ତ ଅବାକ୍ ହୋଇ ତାକୁ ଅପଲକରେ ଚାହିଁ ରହିଲା । ୟେ ତ ସେଇ ଝିଅ ଯାହା ସଙ୍ଗେ ନଈକୂଳେ ଦେଖା ହୋଇଥିଲା ।

 

ଶିବଶଙ୍କରନ୍‌ କିଛିସମୟପରେ ସତେଜ ହେଲା । ସେ ଭାବିଲା, ‘ଯେବେ ମୁଁ ସେ ଝିଅଟାକୁ ଏପ୍ରକାର ଅପଲକେ ଚାହିଁରହିଥିବି, ଲୋକେ କଣ ଭାବିବେ ?’ ଓ ସେ ତା ମୁହଁଟି ଅନ୍ୟଆଡ଼କୁ ବୁଲାଇ ନେଲା । ସେ ତା ପାଖରେ ବସିଥିବା ସାଙ୍ଗଜଣକୁ ପଚାରିଲା, ‘‘ଏଇ ନାଚୁଣୀଟି କୋଉ ଗାଁର ?’’ ସେଥିରୁ ସାଙ୍ଗ କହିଲା, ‘‘ତତେ ଏତିକି ବି ଜଣା ନାହିଁ ? ତୁ ତ କେତେଦିନରୁ ତିରୁଚ୍ଚିନାପଲ୍ଲିରେ ରହୁଛୁ ! ଏ ମଲୈକୋଟୈର ପ୍ରସିଦ୍ଧ ନର୍ତ୍ତକୀ ଧନକୋଟି ।’’

 

ଧନକୋଟି ପ୍ରଥମେ କିଛି ସମୟ ନୃତ୍ୟ କଲା, ପୁଣି କିଛି ପଦ ଗାଇ ଗାଇ ଅଭିନୟ କରିବାକୁ ଲାଗିଲା । ତା’ର ଅଭିନୟରେ ଶିବଶଙ୍କରନ୍‌ର ମନ ଲାଗିଲାନି । ତା ମନ କାହିଁ କୋଉଠି ଉଡ଼ି ବୁଲୁଥିଲା । ମଝିରେ ମଝିରେ ସେ କ୍ଷଣକ ଲାଗି ଧନକୋଟିକୁ ଚାହିଁ ନେଉଥିଲା ଓ ପୁଣି ମୁହଁ ବୁଲାଇ ନେଉଥାଏ । ଶେଷରେ ସେ ଗୋଟିଏ ସଂସ୍କୃତ ଶ୍ଳୋକ ଗାଇ ଗାଇ ଅଭିନୟ କରିବାକୁ ଲାଗିଲା । ଶିବଶଙ୍କରନ୍ ତନ୍ମୟ ହୋଇ ତାର ଅଭିନୟ ଦେଖିବାକୁ ଲାଗିଲା । ଶ୍ଳୋକଟି ରାମାୟଣର, ଯୋଉଠି କାକାସୁର କଥା କୁହାଯାଇଥିଲା । ‘ରାମ ସୀତାଙ୍କର କୋଳରେ ମଥାରଖି ଶୋଇଥିଲେ । ସେତିକିବେଳେ କାକାସୁର ସୀତାଙ୍କୁ ହଇରାଣ କରିବାକୁ ଲାଗିଲା । ବାରମ୍ବାର ଘଉଡ଼ାଇ ଦେଲେବି ସେ ସେଠୁ ଗଲାନାହିଁ । ନିଦରୁ ଉଠିକରି ରାମ ତା ଉପରେ କୁଶର ଗୋଟିଏ ଅସ୍ତ୍ର ତିଆରି କରି ଫୋପାଡ଼ିଲେ । କୁଶାସ୍ତ୍ରଟା ଅସୁରକୁ ଗୋଡ଼େଇବାକୁ ଲାଗିଲା । କାକାସୁର ତ୍ରିଭୁବନ ବୁଲି ବୁଲି ଶେଷକୁ ରାମଙ୍କର ଶରଣ ପଶିଲା ।’ ଧନକୋଟି ଏହି ଶ୍ଳୋକଟି ଗାଇ ତା ଉପରେ ଅଭିନୟ ଦେଖାଇଲା । ସେ ନିଜର ଅଙ୍ଗୁଳିମାନ ମୋଡ଼ି କାକର ଆକାରଟି ସ୍ପଷ୍ଟ କଲା ଯେତେବେଳେ ସେ କୁଆପରି ନିଜର ଆଖିକୁ ବୁଲାଇଲା ତ ସଭାସ୍ଥ ସମସ୍ତେ ହସି ପକେଇଲେ । ସଭାରେ ବସିଥିବା କଣାଟାଏ ଉଠି ଚାଲିଗଲା । ଏହାପରେ ନର୍ତ୍ତକୀ ସୀତାଙ୍କର କୁଆକୁ ଘଉଡ଼େଇବା, ସେ ବାରମ୍ବାର ସୀତାଙ୍କୁ ହଇରାଣ କରିବା, ଶେଷକୁ ତାର ରାମଙ୍କ ଶରଣ ପଶିବା, ରାମ ତାକୁ କ୍ଷମା କରିବା ଇତ୍ୟାଦି ପ୍ରସଙ୍ଗମାନଙ୍କର ଅଭିନୟ କରି ଶିବଶଙ୍କରନ୍‌ଙ୍କ ଆଡ଼କୁ ଚାହିଁଲା-। ତାର ସେ ଚାହାଣୀ ଅତି ଅଦ୍ଭୁତ ଥିଲା । ଏତେ ବର୍ଷ ପରେ ବି ସେ ସେଇଟି ଭୁଲି ପାରିନାହିଁ-

 

 

ବାହାଘର ପରେ ଶିବଶଙ୍କରନ୍ ପାଠପଢ଼ିବାକୁ ପୁଣି ତିରୁଚ୍ଚିନାପଲ୍ଲି ଗଲା । ସେଠି ପାଠପଢ଼ାରେ ଆଉ ତାର ମନ ଲାଗିଲାନି । ସେ ସଦାବେଳେ ଧନକୋଟିର ଚିନ୍ତାରେ ହଜି ରହିଲା-। ତିରୁଚ୍ଚିନାପଲ୍ଲିରେ ଯୋଉଠି ହେଲେ ତାର ନାଚ ହେଲେ ଶିବଶଙ୍କରନ୍ ନିଶ୍ଚୟ ସେଠି ହାଜିର ହୋଇଯାଏ । ଦିନେ ନାଚ ଦେଖି ଘରକୁ ଫେରିବା ସମୟରେ ସେ ଧନକୋଟିର ମାଆକୁ ଭେଟିଲା-। ସେ ସାହସ କରି ପଚାରିଲା, ‘‘ଆପଣଙ୍କ ଘର କୋଉଠି ?’’ ସେ ତାଙ୍କ ଘରର ଗଳି ନାଁଟି କହିଦେଇ ପୁଣି କହିଲା, ‘‘ଆପଣ ତେବେ ଦିନେ ଆସିବେ ଆମ ଆଡ଼େ ।’’

 

ଏହାପରେ ଶିବଶଙ୍କରନ୍ ଧନକୋଟିର ଘରକୁ ଯିବା ଆରମ୍ଭ କରିଦେଲା । ତା ଘରକୁ ଯିବା ଆରମ୍ଭ କରିବା ପରେ ତା ମନରେ ଗୋଟିଏ ଚିନ୍ତା ରହିଲା । ସେ ଜାଣିପାରିଲାନି ଯେ ତା ଆସିବାଟା ଧନକୋଟି ପସନ୍ଦ କରୁଛି କି ନାହିଁ । ନଈ କୂଳରେ ବସି ସେ ଧନକୋଟିର ଯେଉଁ ଚପଳତା ଦେଖିଥିଲା, ତା ଆଉ ଦେଖିବାକୁ ମିଳିଲାନାହିଁ । ତା ମୁହଁରେ ଖୁସିର ଚିହ୍ନ ଜାଗାରେ ଦୁଃଖର ଛାୟା ଦେଖାଗଲା । ଧନକୋଟି ଆଖିର ଚାହାଣୀ ଦେଇ ତା ପ୍ରତି ଅସୀମ ପ୍ରେମର ଆଭାସ ଦିଏ; କିନ୍ତୁ ସେ ତା ସଙ୍ଗେ ଦୁଇଟା ଶବ୍ଦରୁ ବେଶୀ କରି କଥା କହେ ନା । ତାର ଏହି ପରିବର୍ତ୍ତନ କିପରି ଆସିଲା, ଏହା ଭାବି ଭାବି ସେ ଖୁବ୍ ଦୁଃଖିତ ହେଉଥିଲା ।

 

ଦିନେ ଧନକୋଟି ଶିବଶଙ୍କରନ୍‌କୁ ପଚାରିଲା, ‘‘ଆପଣ କେବେ ଫଟୋ ଉଠାଇଛନ୍ତି ?’’

 

ଶିବଶଙ୍କରନ୍ ମିଛଟାରେ କହିଦେଲା, ‘‘ହଁ ଉଠେଇଚି ।’’ ତାପରେ ସେ କହିଲା, ‘‘ହଉ ତେବେ ମତେ ଗୋଟିଏ ଫଟୋ ଦେଇ ଦିଅନ୍ତୁ । ଶୀଘ୍ର ଦିଅନ୍ତୁ ।’’

 

ଦୀପାବଳୀ ଆଉ ଚାରିଦିନ ମାତ୍ର ବାକି । ବାହାଘର ପରେ ତାର ପହିଲି ଦୀପାବଳୀ ସେ ! ଗାଆଁରୁ ଶିବଶଙ୍କରନ୍ ପାଖୁ ଡକରା ଆସିଥିଲା; କିନ୍ତୁ ସେ ଗାଆଁକୁ ନଯିବା ଠିକ୍ କରିଥିଲା । ଆଗରୁ ଯେବେ ନିଜର ନ ଯିବା ଖବର ଦେଇଦେବ, ତେବେତ ଗାଆଁରୁ କେହି ନା କେହି ଆସିକରି ତାକୁ ସାଙ୍ଗରେ ଘେନିଯିବ । ଏହା ଭାବି ଶିବଶଙ୍କରନ୍ ଖୁବ୍ ଡେରିରେ ଚିଠି ଖଣ୍ଡେ ଲେଖିଲା ଯାହାକି ଦୀପାବଳୀର ଠିକ୍ ଦିନଟିଏ ଆଗରୁ ଯାଇ ପହଞ୍ଚିବ । ସେଇ ଚିଠିରେ ସେ ଲେଖିଥିଲା, ‘ମୋର ଗୁଡ଼ାଏ ପଢ଼ିବାକୁ ଅଛି, ତେଣୁ ମୁଁ ଦୀପାବଳୀରେ ଗାଆଁକୁ ଆସିପାରିବି ନାହିଁ ।’

 

ତାର ଏଇ ସଂକଳ୍ପର ମୂଳକାରଣଟି ଏତିକି ଯେ ନିଜର ଫଟୋଟି ଉଠାଇ ଦୀପାବଳୀ ଦିନ ସେଇଟିକି ନିଜ ସ୍ୱହସ୍ତରେ ଧନକୋଟିକି ଦେବାକୁ ଚାହୁଁଥିଲା । ସେହି ଅନୁସାରେ ଦୀପାବଳୀ ଦିନ ସେ ସକାଳଉଁ ଉଠି ଗାଧୋଇ, ନୂଆଲୁଗା ପିନ୍ଧି ଧନକୋଟି ଘରକୁ ଗଲା । ଧନକୋଟି ତାକୁ ଦେଖିକରି ଆଶ୍ଚର୍ଯ୍ୟ ହୋଇ କହିଲା, ‘‘ଆରେ ୟେ କଣ ! ଆପଣ ଦୀପାବଳୀ ଲାଗି ଗାଆଁକୁ ଯାଇ ନାହାନ୍ତି ?’’

 

ସେ କହିଲା, ‘‘ନା । ଏଇ ଦୀପାବଳୀ ଦିନ ମୁଁ ତୋତେ ଗୋଟିଏ ପୁରସ୍କାର ଦେବାକୁ ଚାହୁଁଥିଲି ।’’ ଧନକୋଟି ଫଟୋଟି ନେଇ କରି କହିଲା, ‘‘ମତେ ଖୁବ୍ ଖୁସି ଲାଗୁଛି ।’’ କିନ୍ତୁ ତା ମୁହଁରୁ କିମ୍ବା ତା କଥାରୁ ସେ ଖୁସିର ଆଭାସ ଫୁଟି ଉଠୁନଥିଲା ।

 

ତାର ଏପରି ବ୍ୟବହାରରେ ଶିବଶଙ୍କରନ୍ ହତୋତ୍ସାହ ହୋଇ ସେ ଘରୁ ବାହାରି ଆସିଲା । ସେ ଯେପରି ଚେତା ନଥିଲାପରି ରାସ୍ତାରେ ଚାଲିବାକୁ ଲାଗିଲା । କିଛି ବାଟ ଚାଲିବା ପରେ ସେ ଆଗପଟୁ ତା ବାପାଙ୍କୁ ଆସିବାର ଦେଖିଲା । ‘ଓଃ ! ସେ ମତେ ଧନକୋଟି ଘରୁ ବାହାରୁଥିବାର ଦେଖି ନେଇଥିବେ ।’

 

ତା ଛାତି ଜୋରରେ ଧଡ଼ ଧଡ଼ ହେଲା । ସେ ବାପାଙ୍କୁ ପଚାରିଲା, ‘‘ବାପା କୁଆଡ଼େ ?’’

 

ବାପା ଉତ୍ତର ଦେଲେ, ‘‘ତୋତେ ନେଇ ଯିବାକୁଇ ଆସିଛି ।’’

 

ଘରକୁ ଆସିବା ମାତ୍ରେ ସେ ଜିନିଷପତ୍ର ବନ୍ଧାବନ୍ଧି କରି ବଖରାଟି ଖାଲିକରିବାର ବନ୍ଦୋବସ୍ତ କଲେ । ‘‘ଏମିତି କାହିଁକି କରୁଚ ବାପା ?’’ ଏତକ ପ୍ରଶ୍ନର ଜବାବ୍ ଦେଲେ ସେ, ‘‘ବାସ୍, ଢେର ପଢ଼ାପଢ଼ି ହେଲାଣି । ଯୋଉ ପାଠଲାଗ ତୁ ଦୀପାବଳୀ ଛୁଟିରେ ଗାଆଁକୁ ଆସି ପାରିବୁନି, ସେ ପାଠ ଆମର ଦରକାର ନାହିଁ ।’’

 

ପୃଥିବୀରେ ଗୋଟିଏ କାମ ଶିବଶଙ୍କରନ୍ କରିପାରେ ନାହିଁ, ସେଇଟି ହେଲା ତାର ବାପାଙ୍କର ଆଦେଶ ଅମାନ୍ୟ କରିବା । ତେଣୁ ସେ ତା ବାପାଙ୍କ କହିବା ମୁତାବକ ସାଙ୍ଗେ ସାଙ୍ଗେ ଗାଆଁକୁ ଚାଲିଗଲା । କିଛିଦିନ ଯାକେ ସେ କେମିତି ଉଦାସିଆ ରହିଲା, ଏକ ପକ୍ଷରେ ଧନକୋଟି ସାଙ୍ଗେ ଦେଖା ନ ହେବାର ଦୁଃଖ, ଅନ୍ୟ ପକ୍ଷରେ ଏତିକି ଚିନ୍ତା ତାକୁ ଖାଇଯାଉଥିଲା ଯେ ବାପା ତା ପାଠପଢ଼ା ବନ୍ଦ କରିଦେଲେ କାହିଁକି ? ଶେଷକୁ ସେ ବାପାଙ୍କର ସିଦ୍ଧାନ୍ତର କାରଣ ଖୋଜି ବାହାର କରି ପାରିଥିଲା । ଦିନେ ସେ ଗୋଟିଏ ଲୁହା ସିନ୍ଦୁକ ଖୋଲି କେଉଁ ଅଳଙ୍କାର ଖୋଜୁଥିଲା-। ହଠାତ୍ ଖଣ୍ଡିଏ ଚିଠି ତା ହାତରେ ପଡ଼ିଲା । ଚିଠି ଉପରେ ତିରୁଚ୍ଚିନାପଲ୍ଲିର ମୋହର ମରା ହୋଇଥିଲା । ସେ ଚିଠିଟିକୁ ଖୋଲି ପଢ଼ିଲା । ସୁନ୍ଦର, ଗୋଲ ଗୋଲ ଅକ୍ଷରରେ ଚିଠିରେ ଲେଖାଥିଲା–

 

‘ମହାଶୟ’

 

ଆପଣ ଆପଣଙ୍କର ପୁଅ ବାହାଘର ଦିନ ଭରତନାଟ୍ୟମ୍‌ର ଭଲ ବନ୍ଦୋବସ୍ତ କରିଥିଲେ-। ମନେହୁଏ, ‘‘କୋବଲନ (୧) ମାଧବୀ(୨)ଙ୍କ କଥାଟି ଆପଣଙ୍କ ପୁଅ କ୍ଷେତ୍ରରେ ବି ଠିକ୍ ହେବ । ଏହାଠାରୁ ବେଶୀ ମୋର କିଛି କହିବାର ନାହିଁ । ଯଦି ଆପଣ ପୁଅକୁ ରକ୍ଷା କରିବାକୁ ଚାହୁଥାନ୍ତି, ତେବେ ଏପରି କିଛି କରନ୍ତୁ ଯେପରି କି ସେ ମଲୈକୋଟୈର…ଘରକୁ ଯାଇ ନପାରେ-

 

ଆପଣଙ୍କ

ପ୍ରକୃତ ହିତୈଷୀ’

 

ଏଥିରୁ ଶିବଶଙ୍କରନ୍‌କୁ ସବୁ କିଛି ବୁଝା ପଡ଼ିଲା । ସେ ଭାବିଲା, କେଉଁ ପାପୀ ଏଭଳି ଚିଠିଟି ଲେଖିଛି ? ତେବେ କଣ ଧନକୋଟି ଘରକୁ ଯା ଆସ କରୁଥିବା କେହି ଅନ୍ୟ ଲୋକ ୟେ ଚିଠିଟି ଲେଖିଛି, ଅଥବା ମୋର କେଉଁ କଲେଜ ସାଙ୍ଗ ହିଁ ହୁଏତ ଲେଖାର ହସ୍ତାକ୍ଷର ବଦଳାଇ ୟେ ଚିଠିଟି ଦେଇଛି । ସେ ଯେ ପାରି ସେ ହଉ, ଶିବଶଙ୍କରନ୍‌ର ମନ ତା ପ୍ରତି ଅସୀମ କ୍ରୋଧରେ ଭରିଯାଇଥିଲା । ବର୍ଷେ ଦି’ବର୍ଷ ଭିତରେ ଯେତେବେଳେ ତା ମନରେ ଆଉ ଧନକୋଟି ପ୍ରତି ପ୍ରେମଭାବ ନଥିଲା, ସେତେବେଳେ ତାର ଏହି ରାଗଟି ବି ଥଣ୍ଡା ପଡ଼ିଗଲା । ସେ ଭାବିଲା ଯେ ପତ୍ରପ୍ରେରକ ତାକୁ ଗୋଟିଏ ବଡ଼ ଅପରାଧରୁ ରକ୍ଷାକରି, ତାହାର ବଡ଼ ଉପକାର କରିଅଛି । ‘‘ଓ ହୋ ! ମୁଁ କେମିତିକା ଛୋଟକାମ କରିବାକୁ ଯାଉଥିଲି ? ମୋର ଏପରି ଆଚରଣରୁ ପରିବାରର କେତେ ନିନ୍ଦା ହୋଇଥାନ୍ତା ? ଯେଉଁ ଦିନମାନଙ୍କରେ ଧନକୋଟିର ଘରକୁ ଯାଉଥିଲି ସେ ଦିନମାନଙ୍କରେ ଧନକୋଟିର ମା ଓ ଆଉମାନେ ତାଙ୍କ ଘରକୁ ଆସୁଥିବା ବଡ଼ ବଡ଼ ଲୋକଙ୍କର କିପରିକା ନିନ୍ଦା କରୁଥିଲେ ? ଦିନେ ସେଇମାନେ ମୋର ବି ତ ସେଇମିତି ନିନ୍ଦା କରିବେ ? ଚିଠିରେ ଲେଖାଅଛି କୋବଲନ୍ ମାଧବୀଙ୍କ କଥା...ଏଥିରେ ଭୁଲଟା କୋଉଠି ରହିଚି ? ଏଇଟା କି ଆଶ୍ଚର୍ଯ୍ୟ କଥା ଯେ ମତେ ସେଦିନମାନଙ୍କରେ ଏସବୁ କଥାର ଜ୍ଞାନ ନ ଥିଲା ।’ ପରେ ପରେ ସେ ଏ କଥାକୁ ପୂରାପୂରି ଭୁଲିଗଲା....

 

(୧) ତାମିଲ ମହାକାବ୍ୟ ଶିଲପ୍‍ପଦିକାରମ୍‍ର ନାୟକ ।

 

(୨) ଶିଲପ୍‍ପଦିକାରମ୍‍ର ପ୍ରତିନାୟିକା (ଜଣେ ନର୍ତ୍ତକୀ ଯାହାର ପ୍ରେମରେ ପଡ଼ି କୋବଲନ ତାର ସ୍ତ୍ରୀକୁ ଭୁଲି ଯାଇଥିଲା ।

 

 

ଖଟ ଉପରେ ଶୋଇ ଶିବଶଙ୍କରନ୍ ପିଲେୈଙ୍କର ଏଇସବୁ ଘଟଣା କାଲି ପରି ପ୍ରତେ ହେଉଥିଲା । ‘କି ଆଶ୍ଚର୍ଯ୍ୟ କଥା ? ଏ ଫଟୋ ଏଠିକି କୁଆଡ଼ୁ ଆସିଲା ? ଏଇ ମାଇପିଟି ଧଳା ବାଳର ସେଇ ବୁଢ଼ୀଜଣକ ତ ଆଉ ଧନକୋଟି ନୁହେଁ–ଯେ କି ମୋତେ ତାର ମୋହ ଜାଲରେ ପକାଇ ଦେଇଥିଲା ? ମୋର କଣ ଏପରି ଭାବିବାଟା ଉଚିତ ହେବ ? ଯଦି ତା ହୋଇଥିବ ତାହେଲେ ଦୁନିଆରେ ୟାଠାରୁ ଅଦ୍ଭୁତ ଆଉ କଣ ଅଛି ?’

 

ମାଇପି ଜଣକ ଘର ଭିତରକୁ ଆସିଲା । ଶିବଶଙ୍କରନ୍ ପିଲୈ ହୃଦୟକୁ କଠିଣ କରି ଆସ୍ତେ ପଚାରିଲେ, ‘‘ଏ ଫଟୋ କୋଉ ପିଲାର ? ମତେ ଲାଗୁଚି କୋଉଠି ଦେଖିଚି ବୋଧେ ତାକୁ-।’’

 

‘‘ବାବୁ, ସେ ମୋର ସ୍ୱାମୀ । ପିଲାଦିନୁ ମୁଁ ତାଙ୍କୁ ହରାଇଛି ।’’ ପିଲେୈ ଚମକିପଡ଼ି ପଚାରିଲେ, ‘‘ସତକଥା କହୁଚ ?’’

 

ସେ କହିଲା, ‘‘ସେ ବହୁତ କଥା ବାବୁ । ମୁଁ ଆଜିଯାକେ କଥାଟା କାହାରିକି କହିନି । କାହିଁକି କେଜାଣି ମନ କହୁଚି ଆପଣଙ୍କୁ ସେ କଥାଟା ଶୁଣାଇବି ।’’

 

‘‘ଶିବଶଙ୍କରନ୍ ପିଲୈ ତା କଥା ଶୁଣିବାକୁ ଇଚ୍ଛା ପ୍ରକାଶ କଲେ । ପାଖରେ ଝୁଲା ଖଟ ଉପରେ ବସି ସେ ତା କଥା କହିବାକୁ ଆରମ୍ଭ କଲା ।

 

‘‘ବାବୁ, ହୁଏତ ମୋ କଥା ଶୁଣିଲେ ଆପଣ ମୋତେ ଘୃଣା କରିବେ । ମୁଁ ବେଶ୍ୟା ଘରର ଝିଅ...’’ ଏହିପରି କହି ସେ ତା କଥାଟି ଆରମ୍ଭ କଲା । ପ୍ରଥମ ଅଂଶର ଅଧିକାଂଶ କଥା ଶିବଶଙ୍କରନ୍ ପିଲୈ ଆଗରୁ ଜାଣିଥିଲେ । ସେ ମାଇପିଟି ଆଉ କେହି ନୁହେଁ, ଧନକୋଟି ନିଜେ । ନଈକୂଳର ସେହି ଘଟଣାଠାରୁ ଆରମ୍ଭ କରି ଦୀପାବଳୀ ଦିନର ପୁରସ୍କାର ପ୍ରାପ୍ତି ପର୍ଯ୍ୟନ୍ତ ସବୁ ଘଟଣା ସେ କହିଗଲା ପରେ ସେ କହିଲା, ‘‘ୟା ପରେ ବି ମୁଁ ତାଙ୍କ ସଙ୍ଗେ ଦେଖା କରି ପାରିଲିନି.... ।’’ ଏକଥା ଉପରେ ପିଲୈ କହିଲେ, ‘‘ତୁ ଆଜିଯାକେ ଏମିତି ଲୋକଟାକୁ ମନେ ରଖିଚୁ କାହିଁକି ?’’

 

‘‘ଏଥିରେ ତାଙ୍କର କିଛି ଦୋଷ ନାହିଁ’’ କହି ଧନକୋଟି ମୁହୂର୍ତ୍ତକ ଲାଗି ଚିନ୍ତାମଗ୍ନ ହୋଇପଡ଼ିଲା । ଟିକିଏ ପରେ ସେ କହିଲା, ‘‘ୟା ପରେ ମୁଁ ଆଉ ବେଶୀ ଦିନ ଭରତନାଟ୍ୟମ୍ କରି ପାରିଲି ନାହିଁ । ସଭାରେ ପହଞ୍ଚିଲା ମାତ୍ରେ ମୋ ଆଖି ଚାରିପଟେ ତାଙ୍କୁ ଖୋଜିବାରେ ଲାଗେ । ତାଙ୍କ ମୁହଁ କୋଉଠି ଦେଖା ନଗଲେ ମୋର ଉତ୍ସାହ କମିଯାଏ । କିଛି ବର୍ଷ ପରେ ମୁଁ ପୂରାପୂରି ନାଚ କରିବା ଛାଡ଼ିଦେଲି । ମଲୈକୋଟ୍ଟୈରେ ରହିବାକୁ ଆଉ ମନ ହେଲା ନାହିଁ । ତେଣୁ ମୁଁ ଏଇ ଗାଆଁରେ ଆସି ରହିଲି । ଏଇଲା ମୋ ମନରେ ଖାଲି ଗୋଟିଏ ବୋଲି ଇଚ୍ଛା ରହିଛି । ମରିବା ଆଗରୁ ଖାଲି ଥରଟିଏ ତାଙ୍କୁ ଦେଖିବାକୁ ମନ । ମୋର ପୂର୍ଣ୍ଣ ବିଶ୍ୱାସ ରହିଛି ଯେ ଏତିକି ଇଚ୍ଛା ‘ମୋର ନିଶ୍ଚୟ ପୂର୍ଣ୍ଣ ହେବ । ଭଗବାନ ନିଶ୍ଚୟ ମୋ ଉପରେ ଦୟା କରିବେ ।’’ ଧନକୋଟିର କଥା ଶେଷ ହେଲା ।

 

ଶିବଶଙ୍କରନ୍ ପିଲୈ ଦିନଟିଏ ଓ ରାତିଟିଏ ସେହି ଘରେ କଟାଇଲେ । ତାଙ୍କ ମନରେ ଭାବନାର ଭୟଙ୍କର ସଂଘର୍ଷ ଲାଗି ରହିଥିଲା । ଏଣେ ସେ ଭାବୁଥାନ୍ତି, ‘ମୋର କହିଦେବା ଉଚିତ ଯେ ମୁହିଁ ଶିବଶଙ୍କରନ୍ ପିଲୈ । ୟେ ମୋର ଭକ୍ତ । ବର୍ତ୍ତମାନ ୟାର ସମ୍ପତ୍ତି ମୋତେ ମିଳିଯିବ । ମକଦ୍ଦମାରେ ହାରିଗଲେ କ’ଣଟା ଆଉ ହୋଇଗଲା ?’ ଅନ୍ୟପକ୍ଷରେ ସେ ଭାବୁତାନ୍ତି, ‘ଛିଃ, ଛିଃ, କେତେ ଘୃଣିତ ୟେ ଜୀବନଟା ? ଏମିତି କରି ତା ସମ୍ପତ୍ତିର ଅଧିକାର ନବାଟା କଣ ମୋର ସୁନ୍ଦର ହବ ? ସେ ଯେଉଁ ଯୁବକ ଶିବଶଙ୍କରନ୍‌କୁ ଝୁରୁଛି ସେ କୋଉଠି, ଆଉ ଏଇ ବୁଢ଼ା ଶିବଶଙ୍କରନ୍ କୋଉଠି ? ଯେବେ ମୁଁ କହିଦିଏ ଯେ ମୁଇଁ ଶିବଶଙ୍କରନ୍ ତାହେଲେ ତାର ପ୍ରେମଟା ଚୂନା ହୋଇଯିବନି କି ? ନା ମୋର କେବେ ଏମିତି କରିବାର ନୁହେଁ । ଶେଷକୁ ଏହି ଦ୍ୱିତୀୟ ବିଚାରଧାରାରହିଁ ଜୟ ହେଲା ।

 

‘ଟନ୍-ଟନ୍-ଟନ୍’ ଘଣ୍ଟାରେ ତିନିଟା ବାଜିଗଲା । ଘରେ ସମସ୍ତେ ନିଘୋଡ଼ ନିଦରେ ଶୋଇଚନ୍ତି । ଶିବଶଙ୍କରନ୍ ପିଲୈ ଆସ୍ତେ କରି ଉଠି, କୌଣସି ଶବ୍ଦ ନ କରି କବାଟ ଖୋଲି ବାହାରେ ଗଳିରେ ଆସି ପହଞ୍ଚିଲେ । ‘ଆହା ! ୟେ କଣ ! ଦିହଟା ଏତେ ହାଲୁକା କାହିଁକି ଲାଗୁଚି-? ଦେହରେ କ୍ଳାନ୍ତିର ନାଁ ନାହିଁ । ମନେ ହେଉଛି ପବନରେ ପହଁରି ଆକାଶକୁ ଯାଇପାରିବି-। ହଁ, ତାହେଲେ ଏଇଟା ମୋର ମରଣ ପରର ଅବସ୍ଥା ନା ? ମୋର ସ୍ଥୂଳ ଦେହଟି ଘର ଭିତରେ ଖଟରେ ପଡ଼ି ରହିଛି । ମୁଁ ସୂକ୍ଷ୍ମ ଶରୀରରେ ପଦାକୁ ବାହାରି ଆସିଛି । ଆହା ! ମୃତ୍ୟୁ କଣ ଏତେ ସୁଖକର ସତେ ?’

 

ଗଳିମାନଙ୍କରେ ବାଣମାନ ଫୁଟିବାର ଶବ୍ଦ ଶୁଣାଗଲା; କିନ୍ତୁ ତାଙ୍କର ପିଲାମାନଙ୍କ କଥା ମନେପଡ଼ିଲା । ଏଇ ପୃଥିବୀ ଛାଡ଼ିବା ଆଗରୁ ନିଶ୍ଚୟ ଥରେ ସେମାନଙ୍କୁ ଦେଖିବା ଦରକାର । ଏଇ ସୂକ୍ଷ୍ମ ଦେହ ନେଇ ମୁଁ ଯୁଆଡ଼େ ଇଚ୍ଛା ସେଠିକି ଯାଇପାରେ ।

 

ପରମୁହୂର୍ତ୍ତରେହିଁ ଶିବଶଙ୍କରନ୍ ପିଲୈ ତାଙ୍କ ଘର ଦାଣ୍ଡରେ ପହଞ୍ଚିଗଲେ । ସେ ଦରଜା ଖଡ଼ ଖଡ଼ କଲେ; କିନ୍ତୁ ଭିତରୁ କିଛି ସୋରଶବଦ ଶୁଣାଗଲା ନାହିଁ । ସେ ପିଲାଙ୍କ ନାଁ ଧରି ତାଙ୍କୁ ସବୁ ଡାକିବାକୁ ଚେଷ୍ଟା କଲେ; କିନ୍ତୁ ମୁହଁରୁ କିଛି ଶବ୍ଦ ବାହାରିଲାନି । ହଁ, ମରିଗଲେ ଏତିକିତ ଅସୁବିଦା !

 

‘ଶିବଶଙ୍କର ମୁଦଲିୟାର । ଶିବଙ୍କର ମୁଦଲିୟାର ।’ ଏହି କଥାମାନ ତାଙ୍କ କାନରେ ପଡ଼ିଲା । ‘ଆରେ ୟେ କଣ ? କିଟ୍ଟୁ ଅୟର କୁଆଡ଼ୁ ଆସିଗଲେ ଏଠିକି ?’

 

ଶିବଶଙ୍କରନ୍ ପିଲୈଙ୍କୁ ମୁଦଲିୟାର ବୋଲି ସେଇ ଜଣେ ଲୋକ ଡାକେ–କିଟ୍ଟୁ ଅୟର । ପ୍ରଥମ ସାକ୍ଷତରେ କିଟ୍ଟୁ ଅୟର ତାଙ୍କୁ ଭୁଲରେ ମୁଦଲିୟାର କହିଦେଇ ଥିଲେ; କିନ୍ତୁ ତାପରେ ସେ ଜାଣିଶୁଣି ତାଙ୍କୁ ମୁଦଲିୟାର ଡାକିବାକୁ ଲାଗିଲେ ।

 

‘ପୃଥିବୀରେ ଥିଲାବେଳେ ଏଇ ମୋହରିରଟା ମତେ ଯାହା କଷ୍ଟ ଦେଇଥିଲା ସେତିକି ଯଥେଷ୍ଟ ହେଲାନି ଯେ ଏଠି ବି ଆସି ପହଞ୍ଚିଲାଣି ?’

 

‘‘ଶିବଶଙ୍କର ମୁଦଲିୟାର । ଶିବଶଙ୍କର ମୁଦଲିୟାର ।’’ କାହାର ବଡ଼ପାଟିର ଡାକ ଶୁଣାଗଲା ।

 

ସେ କହିଦେଲେ, ‘‘ଆପଣ କୋଉଠି ?’’ ହଠାତ୍ ତାଙ୍କର ଆଖି ଖୋଲିଗଲା । ଆଗରେ କିଟ୍ଟୁ ଅୟର ଟେକି ହେଇ ବସିଥିଲେ ।

 

ସେ ପଚାରିଲେ, ‘‘ମୁଦଲିୟାରବାବୁ ଏମିତିକା ଅନ୍ୟାୟ କାମ କରିବାକୁ ଯାଉଥିଲେ କାହିଁକି ?’’

 

ଶିବଶଙ୍କରନ୍ ପିଲୈଙ୍କର ପୂରାପୂରି ଚେତା ଫେରିବାକୁ କିଛି ବେଳ ଲାଗିଲା । ସେ ଦେଖିଲେ ଯେ ସେ ସମୁଦ୍ରକୂଳେ ପଡ଼ିଛନ୍ତି । ଘମାଘୋଟ ଅନ୍ଧାର ଚାରିଆଡ଼େ । ତାଙ୍କ ପାଖରେ ଆଉ ଦୁଇତିନିଜଣ ଲୋକ ଠିଆ ହୋଇଥିଲେ । କିଟ୍ଟୁ ଅୟର ଢାଳରୁ କଫି ଗିଲାସରେ ଢାଳି ତାଙ୍କୁ ପିଇବାକୁ ଦେଲେ ।

 

କଫି ପିଇବା ଉତ୍ତାରୁ ଟିକିଏ ଜୋର୍ ଆସିଲା ଓ ସେ କହିଲେ, ‘‘ଆପଣ ମତେ କେମିତି ଖୋଜି ବାହାର କଲେ ?’’

 

‘‘କେସ୍ ସରିଯିବା ପରେ ପରେ ମୁଁ ଓ ଓକିଲବାବୁ କମରାକୁ ଆସିଲୁ, ସେଠି ଆପଣ ନଥିଲେ । ମୁଁ ଥଟ୍ଟାରେ ଥଟ୍ଟାରେ ଯାହା ଆପଣଙ୍କୁ କହିଥିଲି, ସେତକ ଓକିଲବାବୁଙ୍କୁ ବି କହିଲି । ସାଙ୍ଗେ ସାଙ୍ଗେ ସେ ଗର୍ଜି ଉଠିଲେ, ଆରେ ବଦମାସ୍ ! ଚାଣ୍ଡାଳ କୋଉଠିକାର । ୟେ କଣ କଲୁ ତୁ-! ସେ ତ କେସ୍ ଜିତିବା ଆଶାରେ ଆସିଥିବେ । ତୋ କଥା ଶୁଣି ସେ କୋଉଠିକି ଯାଇ ଆତ୍ମହତ୍ୟା କରିଦେବେ । ମୁଁ ଜାଣିଥିଲି ଯେ ଆପଣ ସମୁଦ୍ରକୂଳରେ ଥିବେ । ତେଣୁ ମୁଁ ଖୋଜି ଖୋଜି ଏଇଠିକି ଆସି ପହଞ୍ଚିଲି । ଏଠି ପହଞ୍ଚିଯାଇ ଜାଣିଲି ଓକିଲଙ୍କ କଥା କେତେ ସତ । ନୋଳିଆଏ ଆପଣଙ୍କୁ ଟାଣି ଆଣି କୂଳରେ ନ ଶୁଆଇଥିଲେ ଆପଣ ଅନ୍ୟ ଜଗତରେ ଥାଆନ୍ତେ, ଆଉ ଏ କିଟ୍ଟୁ ଅୟର ଉପରେ ସବୁ ଝଞ୍ଜଟ ଆସି ପଡ଼ିଥାନ୍ତା ।

 

ପିଲୈ କହିଲେ, ‘‘କେଶ୍‌ର କଣ ହେଲା ?’’

 

‘‘କେଶ୍‌ର କଣ ହେଲା ? ଆପଣ ଜିଣିଲେ । ଜିଲ୍ଲାଜଜ୍‍ ପାଗଳ ହେଲା ବୋଲି କଣ ହାଇକୋର୍ଟ ଜଜ୍‌ ବି ପାଗଳ ହୋଇଯିବ ନା କଣ ?’’

 

 

ସେ ବର୍ଷ ଶିବଶଙ୍କରନ୍ ପିଲୈଙ୍କ ଘରେ ବଡ଼ ଧୂମ୍‌ଧାମ୍ କରି ଦୀପାବଳୀ ଅମାବାସ୍ୟା ପାଳିତ ହୋଇଥିଲା, କାରଣ ସେ କେଶ୍ ଜିତିଥିଲେ ଓ ତାଙ୍କର ସେହି ଦଶବେଲୀ ଜମିତକ ମହାଜନ ଦାଉରୁ ରକ୍ଷା ପାଇଯାଇଥିଲା ।

 

ଯେତେହେଲେ ବି ଶିବଶଙ୍କରନ୍ ପିଲୈଙ୍କ ମନରେ ଶାନ୍ତି ନଥିଲା । ସମୁଦ୍ରରେ ପଡ଼ି ଅଚେତ ହେବା ପରେ ତାଙ୍କର ଯେଉଁସବୁ ବିଚିତ୍ର କାଳ୍ପନିକ ଅନୁଭୂତିମାନ ହୋଇଥିଲା ସେତକ ସେ ଭୁଲି ପାରିଲେ ନାହିଁ । ଧନକୋଟି କଣ ସତରେ ଜୀବିତ ? ସେ କଣ ସତେ ମତେ ଏବେ ବି ମନେରଖିଛି ?’

 

ଦିନେ ତାଙ୍କ ପାଖୁ ଗୋଟିଏ ପାର୍ସଲ ଆସି ପହଞ୍ଚିଲା । ସେଇଟି ଖୋଲିବା ପରେ ତାଙ୍କର ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ । ତହିଁରେ ସେଇ ଫଟୋଟି ଥିଲା ଯାହାକି ପଇଁତ୍ରିଶ ବର୍ଷ ତଳେ ସେ ଉଠାଇଥିଲେ ତିରୁଚ୍ଚିନାପଲ୍ଲିରେ ଏବଂ ଧନକୋଟି କି ଦେଇଥିଲେ । ତା ସାଥିରେ ଖଣ୍ଡିଏ ଚିଠି ବି ଥିଲା ।

 

‘ମୁଁ ପୃଥିବୀ ଛାଡ଼ିବା ଆଗରୁ ଆପଣଙ୍କୁ ଥରେ ଦେଖିବାକୁ ଚାହିଁଥିଲି । ମୋର ଏହି ଇଚ୍ଛାଟି ଗଲାକାଲି ପୂର୍ଣ୍ଣ ହେଲା । ଅଜାଣତରେ ସନ୍ଧ୍ୟାବେଳଟାରେ ଶୋଇ ଯାଇଥିଲି ଓ ସ୍ୱପ୍ନରେ ଆପଣଙ୍କର ରୂପ ଦେଖିଲି ।

 

କବିରାଜମାନେ ମୋତେ କହିଛନ୍ତି ଯେ ମୁଁ ଆଉ ଖୁବ୍ ହେଲେ ଦିନେ ଦିଦିନ ବଞ୍ଚିବି । ମୁଁ ମୋର ସମ୍ପତ୍ତି ଦାନପତ୍ର କରିଦେଇଛି । ଆପଣଙ୍କୁ ମୋ ସମ୍ପତ୍ତିର ‘ଟ୍ରଷ୍ଟି’ କରିଛି । ଦୟାକରି ମୋର ଏତିକି ମାଗୁଣି ରଖିବେ । ଆପଣ ଦୀପାବଳୀରେ ଯେଉଁ ପୁରସ୍କାରଟି ଦେଇଥିଲେ ସେଇଟି ମୁଁ ଫେରେଇ ଦେଉଛି । ୟାକୁ ଆପଣ ମୋ ସ୍ମରଣ ଲାଗି ରଖିଥିବେ ।

 

ଆପଣଙ୍କର ହିଁ

ଧନକୋଟି’

 

ଏହି ଚିଠି ଖଣ୍ଡି ପାଇ ଶିବଶଙ୍କରନ୍ ପିଲୈ କେତେ ଚକିତ ହେଲେ, ତାହା କହିବା ଦରକାର ନାହିଁ । ଚିଠିରେ ଲେଖା ଯାଇଥିବା ବିଷୟ ଅପେକ୍ଷା ଅଧିକ ଆଶ୍ଚର୍ଯ୍ୟଜନକ ଥିଲା ସେ ଚିଠିର ହସ୍ତାକ୍ଷର । ଏ ଚିଠିଟି କମ୍ପିତ ହସ୍ତରେ ଲେଖା ଯାଇଥିଲା । ତଥାପି ଆଜିଠୁଁ ପଚିଶବର୍ଷ ତଳେ ଶିବଶଙ୍କରନ୍ ପିଲୈଙ୍କ ପିତାଙ୍କୁ ତାଙ୍କ ପୁତ୍ରର ଆଚରଣ ବିଷୟରେ ସଚେତନ କରାଇ ଥିବାର ସେହି ପତ୍ରଟିର ହସ୍ତାକ୍ଷର ସଙ୍ଗେ ଏହି ପତ୍ରଟିର ହସ୍ତାକ୍ଷରର ଏକ ଅପୂର୍ବ ସାମ୍ୟ ଥିଲା !

Image

 

Unknown

ସତପାଇଁ ମୁହୂର୍ତ୍ତେ

 

ସମୟ ବି କଣ ହଠାତ୍ ପଙ୍ଗୁହୋଇ ଅଚଳ ହୋଇଗଲା କି ? ଯେପରି ଲାଗୁଛି ଚାରିଆଡ଼େ ଠିଆ ହୋଇଥିବା ଲୋକେ ଓ ପ୍ରାଣୀଜଗତ ଅତି ବେପରୁଆ ହୋଇ, ଧୀର ଗତିରେ ଆସ୍ତେ ଆସ୍ତେ ଅସାବଧାନ ହୋଇ ଚାଲୁଛନ୍ତି । କୁଲର୍ ଲଗାହୋଇଛି ଏ ଘରେ, ଥଣ୍ଡା ଘର, ତଥାପି ମୋର ଦେହ ଓ ମୋ ମନଟା ଏପରି ଉତ୍ତାପରେ ପୋଡ଼ି ଯାଉଛି କାହିଁକି ? ଛିଃ ! ଛିଃ ! ମୁଁ ଆଜିଯାକେ ଏପରି ଅସହନୀୟ ଅନୁତାପ ଅନୁଭବ କରିନାହିଁ । ଏହି ବାର ବର୍ଷ ଭିତରେ ‘ଲକ୍ଷ୍ମୀ ପ୍ରଡକ୍‌ସନ୍‌ସ’ରେ ଏପରି ଆର୍ଥିକ ସଙ୍କଟ କେବେ ଦେଖା ଯାଇ ନଥିଲା । ମିଛ କହି ହେଉ, ଠକି କରି ହେଉ ଯେପରି ହେଲା, ବେଶ୍ କିଛି ଟଙ୍କା ଆଗରୁ ଜମେଇ ରଖିବାର ହୁସିଆରପଣ ମୋର ଥିଲା; କିନ୍ତୁ ସେତକ ହୁସିଆରପଣ ଆଜି ଅକାମୀ ହୋଇଛି ।

 

ମନରେ ତିଳେ ହେଲେ ଶାନ୍ତି ନାହିଁ, ସେ ଗତ କଥାଗୁଡ଼ାକ ନେଇ ଅନୁତାପ କରୁଛି । ଆଉ ଟିକିଏ ପରେ ଟେଲିଫୋନରେ ଏବଂ ସାମ୍‍ନାକୁ ଆସି ଲୋକମାନେ ମୋତେ ଗାଳି ଦେବେ । ମୁଁ ଏବେ କୋଉ କଥାକୁ କୋଉ ମିଛ ତିଆରିକରି ତାଙ୍କଠୁଁ ରକ୍ଷା ପାଇବି ? କୋଉ ବାହାନାରେ ତାଙ୍କୁ ସବୁ ଫେରେଇବି ? ଏହିପରି କଥାମାନ ଭାବୁ ଭାବୁ ଲକ୍ଷ୍ମୀ ପ୍ରଡକ୍‌ସନ୍‌ସର ଅଧିପତି ପୋନ୍ନୁରଙ୍ଗମ ପାଦଚାରଣା କରୁଥିଲେ । ଅନିଦ୍ରା ଓ ଅଶାନ୍ତି ହେତୁ ତାଙ୍କ ଆଖି ଲାଲ୍ ହୋଇଥିଲା ଓ ତାଙ୍କର ବ୍ୟାକୁଳ ଅବସ୍ଥା ଫୁଟି ଦିଶୁଥିଲା । ମୁହଁରେ ଯେପରି ଚେତନାର ଚିହ୍ନ ନାହିଁ ।

 

ଏଇ ବାରବର୍ଷ ଭିତରେ ନା ତାଙ୍କ ପାଖରେ ପଇସା ଜମିଲା, ନା ଫିଲ୍ମ ବ୍ୟବସାୟ ଭିତରେ ସଫଳତା ମିଳିଲା । ତାଙ୍କ ବିଷୟରେ ଲୋକେ ଠିକ୍ କହନ୍ତି, ସେ ଟିକେ ଫୁଲାଫାଙ୍କିଆ ଥିଲେ । ତାଙ୍କର ସମୟୋଚିତ ବୁଦ୍ଧି ଓ ବେଳକାଳ ଉଣ୍ଡି କାମକରିବାର ଶକ୍ତି ହିଁ ତାଙ୍କୁ ଏତେ ବଡ଼ କରିଛି । ତାଙ୍କ ନିଜ ପାଖରେ ଟଙ୍କା ପଇସା କେବେ, କୌଣସି ସମୟରେ ରହିଲାନି; ଯାହା ଉପରେ ନିର୍ଭର କରିପାରିବେ । ଅନ୍ୟମାନଙ୍କ ଉପରେ ନିର୍ଭର କରିବାହିଁ ତାଙ୍କ ଲାଗି ଏକମାତ୍ର ଉପାୟ । ଏହି କାରଣରୁ ବୋଧହୁଏ, ତାଙ୍କ ନାଁ ସାଙ୍ଗକୁ ବହୁତ ବଡ଼ ସିନେମା ଡାଇରେକ୍‌ଟର, ପ୍ରବଳ ଚଳଚିତ୍ର ଅଧିପତି ଆଦି ଶବ୍ଦ ମିଶିଯାଇଥିଲା । ସେଗୁଡ଼ିକ ଜାଣି ତାଙ୍କର ପରନିର୍ଭରଶୀଳତାର ଘୋଷଣା କରିଦେଉଥିଲେ । ତାମିଲ୍ ଭାଷାର ‘ପ୍ରବଳ’ ଶବ୍ଦର ସକଳ ଅର୍ଥ ତାଙ୍କ ଉପରେ ଲାଗୁହେବ; ଯଥା–‘ପିରର’ ମାନେ ଅନ୍ୟମାନଙ୍କର, ‘ବଳମ୍’ ଅର୍ଥ ବଳ; ପିରରବଳମ୍–ଅନ୍ୟମାନଙ୍କର ଶକ୍ତି ।

 

ଯେନତେନ ପ୍ରକାରେଣ ଏଠୁ ସେଠୁ ପଇସା ଆଣି ଚଳଚ୍ଚିତ୍ର ତିଆରି କରି ସେ ପଇସା କମେଇ ପୁରୁଣା କରଜ ଶୁଝୁଥିଲେ; କିନ୍ତୁ ତା ସଙ୍ଗେ ସଙ୍ଗେ ନୂଆ କରଜ ବି ହଉଥିଲା । ବଡ଼ବଡ଼ିଆଏ କହିଯାଇଛନ୍ତି, ‘‘ମୋ କର୍ତ୍ତବ୍ୟ, କେବଳ କର୍ମ କରିଯିବି ।’’ ସର୍ବଶୀପୋନ୍ନୁରଙ୍ଗମ୍ ସେହି ଉକ୍ତିକୁ ‘ମୋର କର୍ତ୍ତବ୍ୟକର୍ମ କେବଳ କରଜ ନେଇଯିବି’ । ଏହି ରୂପକୁ ବଦଳେଇ ଦେଇ ଦୃଢ଼ଭାବେ ନିଜର କରିନେଇଥିଲେ । ସ୍ପଷ୍ଟରୂପେ କହିବାକୁ ଗଲେ ଏହି ବାରବର୍ଷ ଧରି ସିନେମା ନିର୍ମାଣର କାର୍ଯ୍ୟକୁ ସଫଳତାପୂର୍ବକ କରିଯିବାର ପ୍ରଶଂସାଟି ତାଙ୍କୁ ନୁହେଁ, ତାଙ୍କର ମିଛ କହିବାର ଶକ୍ତିକୁ ହିଁ ଦେବା ଦରକାର । ଯେତେ ଦିନ ଲକ୍ଷ୍ମୀଦେବୀ କୃପା କରିଥିଲେ ତାଙ୍କ ଉପରେ, ତାଙ୍କର ପୁଣ୍ୟତକ ତାଙ୍କର ସହାୟ ଥିଲା । ସେତେ ଦିନଯାକେ ଲୋକେ ତାଙ୍କର ମିଥ୍ୟା, ଛଳନାପୂର୍ଣ୍ଣ କଥାଗୁଡ଼ାକ ସତ ମଣିଲେ, ଯହିଁରୁ ତାଙ୍କର ଏତେଗୁଡ଼ାଏ ଲାଭ ହେଲା । ଲକ୍ଷ୍ମୀଙ୍କର କୃପାଦୃଷ୍ଟି ବି ଚାଲିଗଲା ଆଉ ସତ୍‌କର୍ମଗୁଡ଼ିକର ସମ୍ପର୍କ ବି ତୁଟିଗଲା; ତହିଁକି ଲୋକେ ତାଙ୍କର ସତକଥା ଗୁଡ଼ାକ ବି ମିଛ ମଣିଲେ ଓ ତାଙ୍କ ସଙ୍ଗେ ସମ୍ପର୍କ ତୁଟାଇଦେଲେ । ହୁଏତ ୟାକୁଇ ଭାଗ୍ୟ କହନ୍ତି ।

 

ବୁଲି ବୁଲି କ୍ଳାନ୍ତ ହୋଇଗଲାରୁ ପୋନ୍ନୁରଙ୍ଗମ୍ ଚଉକି ଉପରେ ବସିପଡ଼ିଲେ । ଦୁଇଟି ହାତ ଅଜାଣତରେ ଯାଇ ଗାଲରେ ଲାଗିଲେ । ସେ ଦୀର୍ଘନିଶ୍ୱାସ ପକାଇବାରେ ଲାଗିଲେ । ସାମନା କାନ୍ଥରେ କମଳ ପୁଷ୍ପଉପରେ ଠିଆ ଲକ୍ଷ୍ମୀଙ୍କର ଗୋଟିଏ ବଡ଼ ଚିତ୍ର ଟଙ୍କା ହୋଇଥିଲା । ତାହା ‘ଲକ୍ଷ୍ମୀ ପ୍ରଡକ୍‌ସନ୍‌ସ’ର ଚିହ୍ନ । ହଠାତ୍ ତାଙ୍କର ଭ୍ରମ ହେଲା ଯେ ଚିତ୍ରରେ ଠିଆହୋଇଥିବା ଲକ୍ଷ୍ମୀ ହସି ହସି ତାଙ୍କୁ ଉପହାସ କରୁଅଛି । ଫୁଲମାନ ଗୋଡ଼ରେ ଦଳି ଦଳି ସେ ଦେବୀ କଣ ତାଙ୍କ ମନକୁ ବି ଦଳିଲାଗିଛି ? କଣ ହେଲା ? ....ବିଧିମତେ ପୂଜା କରି ଆରମ୍ଭ ହୋଇଥିଲା ଯେଉଁ ତିନିଟି ଚଳଚ୍ଚିତ୍ର, ଅସମ୍ପୂର୍ଣ୍ଣ ହୋଇ ପଡ଼ିରହିଚି । ସେଗୁଡ଼ିକର ରିଲ୍‌ମାନ ଡିବାରେ ବନ୍ଦ ହୋଇ ପଡ଼ିରହିଛି । ଯେଉଁ ଡିଷ୍ଟ୍ରିବ୍ୟୁଟର୍‌ମାନେ ଅଗ୍ରୀମ ଟଙ୍କା ଦେଇଥିଲେ ସେମାନେ ତାଙ୍କୁ ଦୂର୍‌ଦୂର୍ ମାର୍‌ମାର୍ କରୁଛନ୍ତି । ଅଭିନେତାମାନଙ୍କ ତରଫରୁ କିଛି ଜବାବ ମିଳିଲାନି । କରଜ ଦେବାକୁ କେହି ପୁଞ୍ଜିପତି ବି ଜୁଟିଲେନି । ଚଳଚ୍ଚିତ୍ର ସକାଶେ ଯେଉଁ ପ୍ରଚାରକ କାର୍ଯ୍ୟାଳୟଗୁଡ଼ିକ ବିଜ୍ଞାପନ ଦେଇଥିଲେ, ସେମାନେ ବିଲ୍ ପଠାଇଛନ୍ତି । ବାହାରେ କାହାରିକି କିଛି କହିବା ଲଜ୍ଜାଜନକ । ସେ ତାଙ୍କ ଗାଡ଼ିଟି ସର୍ଭିସିଂ ଲାଗି ପଠାଇଥିଲେ; କିନ୍ତୁ ବିଲ୍‌ଟି ଶୁଝି ସେଇଟିକି ଫେରାଇ ଆଣିବାକୁ ବି ତାଙ୍କ ପାଖେ ପଇସା ନାହିଁ । ତେଣୁ ସେ ଚୁପ୍‌ଚାପ୍ ଗୋଟିଏ ଶୀତତାପନିୟନ୍ତ୍ରିତ ଘରେ ବସିରହିଛନ୍ତି ।

 

ମୋଟର କମ୍ପାନୀରୁ ଫୋନ ଆସିଲା, ‘‘କାର୍ କାମ ହେଇଯାଇଛି । ସର୍ଭିସିଂ କରିଦେଇଛି । କାହାକୁ ପଠାଇ ଦିଅନ୍ତୁ, ବିଲ୍ ଦେଇ ଗାଡ଼ି ନେଇଯିବ ।’’ ‘‘ମୁଁ ଏଇଲା ଫିଲ୍ମ ତିଆରିରେ ବ୍ୟସ୍ତ ଅଛି । କାର କଥା ମୋର ଆଦୌ ମନେ ନଥିଲା । ପ୍ରାକୃତିକ ଦୃଶ୍ୟର ଚିତ୍ରଗ୍ରହଣ ଲାଗି ମୁଁ ଆଜି ଉଟ୍‌କାମଣ୍ଡ୍ ଯାଉଛି । ସେଠୁ ମତେ ବାଙ୍ଗାଲୋର ଯିବାକୁ ହବ । ମୋର ଜମାରୁ ବେଳ ନାହିଁ । କାର୍‌ଲାଗି ଏଇଲା ତରତର ହବା ଦରକାର କଣ ? ଫେରିଆସିଲେ ଦେଖିବା ।’’ ଫୋନ୍‌ରେ ଏହିପରି ମିଛ କଥା କହି ସେ ମୋଟର କମ୍ପାନୀଙ୍କଠାରୁ ନିଜର ପ୍ରାଣ ବଞ୍ଚେଇଲେ । ଫିଲ୍ମ ତିଆରି କୋଉଠି ? ପ୍ରାକୃତିକ ଦୃଶ୍ୟ କୁଆଡ଼େ ? ଏଠି ତ ଚାରିଆଡ଼ ଶୂନ୍‌ଶାନ ଦିଶୁଛି, ପଇସା ପକେଇଲେ ସିନା ଫିଲ୍ମ ତିଆରି ହବ ?

 

ମିଥ୍ୟା ମୋ ଭଳି ଲୋକଙ୍କ ଲାଗି ଗୋଟାଏ ବଡ଼ ଆଶୀର୍ବାଦ । ଏତେଗୁଡ଼ାଏ ବର୍ଷ ମୁଁ ଏଇ କାରବାରରେ ‘‘ମିଛ’’ ବୋଲି ଧନଟି ତ ଖଟେଇଥିଲି । ଏହା ଭାବି ସେ ମନେମନେ କିଛିଟା ଖୁସି ହେଲେ । ପୋନ୍ନୁରଙ୍ଗମ୍ ମୁଣ୍ଡ ଉଠାଇ ଦେଖିଲେ, ଚିତ୍ରରେ ଠିଆହୋଇଥିବା ଲକ୍ଷ୍ମୀ ହସୁଥିଲେ-

 

‘ତୁମେ ଫୁଲକୁ ଦଳି ଠିଆହୋଇଛ, ମୋ ମନଟା ଦଳିବନି ।’

 

ସେହି ଶୀତତାପନିୟନ୍ତ୍ରିତ ଘରଟିର କାଚ ଦରଜାଟି ଖୋଲିଲା । ମୁଣ୍ଡଟେକି ଚାହିଁଲେ, ତାଙ୍କ ଚାକର ତା ମଥାଟି ଭିତରକୁ ପୂରାଇ କହିଲା, ‘‘ବାବୁ, କଳାଜ୍ୟୋତି କନ୍ଦପ୍‌ପନ ଦେଖା କରିବାକୁ ଆସିଛନ୍ତି । ବହୁତ ରାଗିଗଲାପରି ଲାଗୁଛି....’’

 

‘‘ଏଠିକି ଆସିବାକୁ କହ ।’’

 

‘ସବୁକଥା ମତେ ଜଣାଅଛି । ମୁଁ କାଲି ଯୋଉ ଚେକ୍ ଦେଇଥିଲି ତାକୁ ବ୍ୟାଙ୍କ୍ ବାଲାଏ ‘ଡିସ୍‌ଅନର୍’ କରିଦେଇଥିବେ । ଆଉ ‘ରେଫର୍ ଟୁଡ୍ରୟର୍’ କହି ଫେରାଇ ଦେଇଥିବେ । ଏଇଲାଗେ ମୁଁ କୋଉ ମିଛଟା କହିକରି ପ୍ରାଣ ବଞ୍ଚେଇବି ?’ ସେ ଦଣ୍ଡେ ଭାବନାରେ ପଡ଼ିଗଲେ । ତାଙ୍କ ସ୍ତାବକମାନଙ୍କଠାରୁ କଳାଜ୍ୟୋତି ଉପାଧି ପାଇଥିବା କନ୍ଦପ୍‌ପନ ଅତି କ୍ରୋଧରେ ଘରର ଦରଜା ଖୋଲି ଭିତରକୁ ଆସୁଛନ୍ତି । ସେହି ଅଭିନେତାର ସୁନ୍ଦର ମୁଖ ରାଗରେ ଲାଲ୍ ପଡ଼ିଥିଲା ।

 

‘‘ଆପଣ ନିଜର ଅଫିସର ନାଁ ଦେଇଛନ୍ତି–‘ଲକ୍ଷ୍ମୀ ପ୍ରଡକ୍‌ସନ୍‌ସ’, ବାହାରେ ଯୋଉ ବୋର୍ଡ଼ ଟାଙ୍ଗାଇଛନ୍ତି ସେଇଟାକୁ ଖସେଇ ଫୋପାଡ଼ି ଦିଅନ୍ତୁ । ଆପଣଙ୍କର କାର୍ଯ୍ୟାଳୟର ନାମ ‘ଚାଣ୍ଡାଳୀ ପ୍ରଡକ୍‌ସନ୍‌ସ’ ରଖିଥାନ୍ତୁ...... ।’’ ସିନେମାର କଥାନାୟକ ସେହି ଅଭିନେତା ଖଳନାୟକ ପରି କ୍ରୋଧରେ ଗର୍ଜିଉଠିଲା ।

 

ସେ ଚେକ୍‌ଟାକୁ ମୋଡ଼ିମାଡ଼ି ଫୋପାଡ଼ି ଦେଲା । ତାହା ପୋନ୍ନୁରଙ୍ଗମ୍‌ଙ୍କ ମୁହଁରେ ଯାଇ ଲାଗିଲା ।

 

‘‘କନ୍ଦପ୍‌ପନ, ଆପଣ ଏମିତି ରାଗ କରୁଛନ୍ତି କାହିଁକି ? ଟିକିଏ ଶୁଣାନ୍ତୁ....ମୁଁ ବ୍ୟାଙ୍କ୍‍ରେ ପଇସା ଜମା କରି ଆପଣଙ୍କୁ ଚେକ୍ କାଟି ଦେବାକୁ କହିଥିଲି । ପିଲାଯାକ ଟିକେ ଅଳସୁଆମୀ କରି ଦେଲେ....’’ ପୋନ୍ନୁରଙ୍ଗମ୍ ହସି ହସି କଥାଟା ଉଡ଼ାଇ ଦେଲେ ! ତାଙ୍କର ଅନ୍ତରାତ୍ମା ଡାକି ଉଠିଲା ମିଛ ! ମିଛ ! ବାରବର୍ଷର ଅଭିଜ୍ଞତାରେ ପରିପାକ ହୋଇଛି ମିଛ କଥାଯାକ ! କିନ୍ତୁ ବାହାରେ ଅତି ଚତୁରଭାବେ ମିଛ କଥା କହି ଆଗନ୍ତୁକଠାରୁ ରକ୍ଷା ପାଇଲେ ।

 

‘‘ହେ ଟୋକା, କନ୍ଦପ୍‌ପନ ବାବୁଙ୍କ ଲାଗି ବଢ଼ିଆ କରି ଆପଲ୍ ଜୁସ୍...’’

 

‘‘ମୋର ‘ଆପଲ୍ ଜୁସ୍’ ଦରକାର ନାହିଁ । ଆପଣ ଏମିତିକା ଗୋଟିଏ ଚେକ୍ ଦିଅନ୍ତୁ ଯାହାକି ବ୍ୟାଙ୍କ୍ ବାଲା ନେବାକୁ ମନା କରିବନି, ସେତିକି ଖୁବ୍ ହବ ।’’

 

‘‘ଓହୋ, ଟିକେ ଶୁଣନ୍ତୁନା ମୋ କଥା....କନ୍ଦପ୍‌ପନ ବାବୁ ! ଆପଣ ହେଲେ ତାମିଲନାଡ଼ୁର ମୁଖଉଜ୍ଜ୍ୱଳକାରୀ ବିରାଟ କଳାକାର । ଅଜାଣତରେଇ ଆମର ପ୍ରଡକ୍‌ସନ୍‌ସର କର୍ମଚାରୀମାନେ ଏମିତିକା ଭୁଲଟାଏ କରି ଦେଇଛନ୍ତି । ଏଥିଲାଗି ମୁଁ ଖୁବ୍ ବେଶୀ ଦୁଃଖିତ.... ।’’

 

‘‘ଦୁଃଖ କଲେ ଲାଭ କଣ ? କଳାକାରର ସମ୍ମାନ ରଖିବା ଦରକାର । ଏମିତି.... ।’’

 

‘‘ସତ କଥା ! ଏଇ କଥାଟାକୁ ମୁଁ ଗତ ବାରବର୍ଷ ଧରି କହି ଆସୁଚି । କଳାକାର ଆଖିରେ ପଇସାଟା ବଡ଼କତା ନୁହେଁ । ତାକୁ ସମ୍ମାନ ଦେବା ଦରକାର ।’’

 

‘ଆରେ ସଇତାନ ! କେତେ ଚାଲାକିରେ ତୁ କଥାର ଖିଅ ବଦଳାଇ ଯାଉଛୁ’..... ତାଙ୍କର ଅନ୍ତରାତ୍ମା ତାଙ୍କୁ ଧିକ୍‌କାର ଦେଲା ।

 

ଫିଲ୍ମ ନିର୍ମାତା ପୋନ୍ନୁରଙ୍ଗମ୍ ଅଧଘଣ୍ଟା ଧରି କେଜାଣି କେତେ କଣ କହିଗଲେ । ସେ କେତେ ରକମର ବାହାନା କରି ଅଭିନେତା କନ୍ଦପ୍‌ପନକୁ ଆପଲ୍ ଜୁସ୍ ପିଆଇ ପଠେଇଦେଲେ । ଲୋକଙ୍କୁ କୌଣସି ପ୍ରକାରେ ଭୁଲେଇ ଦେବାର କଳାରେ ସେ ମହାମହିମ ହୋଇ ସାରିଥିଲେ ।

 

ଟେଲିଫୋନ୍‌ର ଘଣ୍ଟିଟି ବାଜିଉଠିଲା । ରିସିଭର୍ ଉଠାଇ ସେ କଥା କହିଲେ, ‘‘ହଲୋ....ନମସ୍କାର ଆଜ୍ଞା, ‘ପବ୍ଳିସିଟି ବିଲ୍’ କଥା ପଚାରୁଛନ୍ତି ? ଆପଣ ଟିକିଏ ଶୁଣନ୍ତୁନା ଆଗ....ଆଜି ତ ଶୁକ୍ରବାର । କାହାରିକି କଉଡ଼ିଟାଏ ଦବାକୁ ଥିଲେ ବି ଶୁକ୍ରବାର ଦିନ ମୁଁ ଚେକ୍‌ବୁକ୍ ଛୁଏଁନା । କହନ୍ତିନି, ଶୁକ୍ରବାର ଦିନ ଲକ୍ଷ୍ମୀଙ୍କି ଘରୁ କାଢ଼ିବାର ନୁହେଁ । କାଲି ଶନିବାର, ବ୍ୟାଙ୍କ୍ ଅଧାଦିନ ପାଇଁ ଖୋଲା ରହିବ । ଆପଣଙ୍କୁ ସୋମବାର ଦିନ ଚେକ୍ ପଠେଇଦେବି । କିଛି ମନେ କରିବେନି....ହଉ ତାହେଲେ....ହଁ ହଁ, ସୋମବାରକୁ ନିଶ୍ଚୟ ପଠେଇ ଦେବି ।’’

 

ରିସିଭର୍ ତଳେ ଥୋଇ ମୁଣ୍ଡ ଉଠାଇଲେ । ଆଗରେ ଲକ୍ଷ୍ମୀଚିତ୍ରଟି ଦେଖାଗଲା । ଛିଃ ! ଛିଃ ! ବୋଧେ ମୁହୂର୍ତ୍ତେ ହେଲେ ଲୋକଗୁଡ଼ାକ ମତେ ସତ କହିବାକୁ ଦେବେ ନାହିଁ । ସମସ୍ତେ ମୋର ଜୀବନ ଖାଇଲାଗିଛନ୍ତି । ମନ ହଉଛି କୁଆଡ଼େ ପଳେଇଯାଏଁ । କାର୍‌ଟା ଥାଆନ୍ତା କି ବାଙ୍ଗାଲୋର ଯାଇ ଦିନେ ଶାନ୍ତିରେ ରହି ଫେରିଥାନ୍ତି । ତାକୁ ବି ସର୍ଭିସିଂ ପାଇଁ ପଠେଇଦେଲି । ବଡ଼ ଖରାପ କଥା ହେଲା । ବୋଧହୁଏ ଏଥରକ ଆଉ ରକ୍ଷାନାହିଁ । ଏହା ବିଚାରି ତାଙ୍କର ମନ ଚିନ୍ତିତ ହେଲା । ଆଙ୍ଗୁଠି ଚଳେଇଲେ ତାଙ୍କର ବାଳ ଉପୁଡ଼ି ଆସେ । ସେ ନିଜର ଚଷମାଟି କାଢ଼ି ଟେବୁଲ୍ ଉପରେ ଥୋଇଲେ । ତାଙ୍କ ମୁହଁଟା ବର୍ତ୍ତମାନ ଆଗଠାରୁ ଅଧିକ ନିଷ୍ଠୁର ଦିଶୁଛି ।

 

ସେ ତାଙ୍କ ଆଗରେ ଟେବୁଲ୍‌ରେ ରଖାଯାଇଥିବା ‘ପିନ୍ କୁସନ୍‌’ରୁ ଗୋଟି ଗୋଟି କରି ‘ଆଲ୍‌ପିନ୍’ ବାହାର କରି ତାକୁ ପୁଣି ଖୋସିଲାଗିଲେ । ଏପରି କରି ବିରକ୍ତ ଲାଗିବାରୁ ସେ ଆଙ୍ଗୁଠିର ନଖ କାଟି କିଛି ସମୟ ବିତାଇଲେ । କାନ୍ଥଘଣ୍ଟାରେ ଏଗାରଟା ବାଜିଲା । ଯେତେଟା ବାଜୁ ସେଥିରେ କଣ ଅଛି ? ଶୀତତାପନିୟନ୍ତ୍ରିତ ଘର ଭିତରେ ତ ଆଉ ତାଙ୍କୁ ଖରା କାଟିବନି ।

 

ଟେଲିଫୋନ୍‌ର ଘଣ୍ଟି ପୁଣି ବାଜି ଉଠେ । ‘‘ହଲୋ...କିଏ....ଆଚ୍ଛା ! ହରିଣୀ ଷ୍ଟୁଡ଼ିଓ ? ଆପଣଙ୍କ ‘ବିଲ୍’ କଥା ପଚାରୁଚନ୍ତି ତ ? ‘ମନ୍‌ଡ଼େ’ ଦିନ ମୁଁ ଚେକ୍ ପଠେଇ ଦେବି ? କଣ ? ନା ଭାଇ, ଆଜି ପଠେଇ ପାରିବିନି....‘ଇମ୍ପସିବ୍ଳ’ ବିଲ୍‌କୁଲ୍ ହେଇ ପାରିବନି । ଆଜି ମୁଁ ଜରୁରୀ କାମରେ ବାଙ୍ଗାଲୋର ଯାଉଛି....ଚେକ୍ କାଟିବାକୁ ଅଫିସ୍‌ରେ କେହି ନାହାନ୍ତି । ମୋ ସକାଶେ ଦୁଇଦିନ.....ବାସ୍, ଦୁଇଟି ଦିନ ସବୁର୍ କରନ୍ତୁ.....‘ମନ୍‌ଡ଼େ’କୁ ନିଶ୍ଚୟ ଚେକ୍ ପଠେଇଦେବି । ‘ଥେଙ୍କ୍ ୟୁ’...... ।’’

 

ରିସିଭର୍ ତଳେ ଥୋଇ ସେ ପୁଣି ଘର ଭିତରେ ବୁଲିବାକୁ ଲାଗିଲେ । ରାଗରେ ବିଡ଼ିବିଡ଼ି କରି କହିଲେ, ‘‘ମତେ ସେ ଯାହା କହିକରି ଯାଇଚି ସେଇଆ କରିବାକୁ ହବ । ୟେ ‘ଲକ୍ଷ୍ମୀ ପ୍ରଡ଼କ୍‌ସନ୍‌ସ’ ? ଏଇଲା ତ ଏଇଟା ‘ଚାଣ୍ଡାଳୀ ପ୍ରଡ଼କ୍‍ସନ୍‌ସ’ ହୋଇଗଲାଣି ।’’ ତାଙ୍କ ମୁଣ୍ଡ ବଥେଇବାକୁ ଆରମ୍ଭ କଲା । ଲାଗିଲା ମୁଣ୍ଡଟା ଫାଟିଯିବ କି ଆଉ । ତାଙ୍କୁ ଲାଗିଲା ସକାଳୁ ଯେତେ ମିଛକଥା ସେ କହିଥିଲେ ସବୁଗୁଡ଼ାକ ଯାଇ ତାଙ୍କ ମୁଣ୍ଡରେ ଜମିଗଲେଣି । ସେଇଥିରୁ ତାଙ୍କ ମୁଣ୍ଡ ଭାରୀ ହୋଇ ବଥେଇ ଲାଗିଛି ପରା ! ମୁହୂର୍ତ୍ତକ ଲାଗି ତାଙ୍କର କୌଣସି ଅନ୍ତରଙ୍ଗ ବନ୍ଧୁ ପାଖୁ ଯାଇ ସତ କଥା କହି, କାନ୍ଦି, କଲିଜା ହାଲୁକା କରି ଆସିବାକୁ ସେ ଛଟପଟ ହୋଇପଡ଼ିଲେ । ସିନେମା-ଜଗତରେ ସେ ଗତ ବାରବର୍ଷ ହେଲା ରହିଲେଣି । ଆଜି ପ୍ରଥମ ଥର ପାଇଁ ତାଙ୍କ ମନରେ ଏପରି ଦୁର୍ବଳ ଭାବନା ଜାଗ୍ରତ ହେଲା । ଏହି ବାରବର୍ଷ ଭିତରେ କ୍ଷଣେହେଲେ କେବେ ଏପରି ସେ ଛଟପଟ ହୋଇ ନଥିଲେ । ସଦାବେଳେ ଧୈର୍ଯ୍ୟବାନ୍ ହୋଇ ରହିଥିଲେ । ପରିସ୍ଥିତି ସଙ୍ଗେ ମୁକାବିଲା କରିବାର ଶକ୍ତିଟି କେବେ କ୍ଷୀଣ ହୋଇନଥିଲା । ସେ ନିଜ ପାଖେ ଅର୍ଥ ନଥିଲେ ବି ତାଙ୍କ କଥାରେ ଲୋକମାନଙ୍କୁ ବଶ କରି ଲକ୍ଷ ଲକ୍ଷ ଟଙ୍କା ଅସୁଲ କରି ଫିଲ୍ମ ତିଆରି କରିବାରେ ସଫଳତା ପାଇଥିଲେ । ତାଙ୍କର ହୃଦୟ ଆଜି ପ୍ରଥମ ଥର ଏପରି ଅସ୍ୱସ୍ଥି, ଭୟ ଓ ଅଶାନ୍ତି ଅନୁଭବ କରୁଥିଲା ।

 

(୧) ଦକ୍ଷିଣରେ ଶୁକ୍ରବାରକୁ ଲକ୍ଷ୍ମୀଙ୍କର ଦିନ ବୋଲି ମାନନ୍ତି ।

 

ଆଜି ପ୍ରଥମ ଥର ଲକ୍ଷ୍ମୀଙ୍କର ଚିତ୍ରପଟ ଦେଖି ତାଙ୍କ ମନ କାନ୍ଦି ଉଠିଥିଲା ।

 

‘ତୁମେ ସେଇ ଫୁଲକୁ ଦଳୁଥାଅ; ମୋ ମନକୁ ଦଳନା ! ମୁଁ ୟାକୁ ସହି ପାରିବିନି ।’

 

‘‘ବାବୁ’’ କହି ତାଙ୍କ ଚାକର ଘର ଭିତରକୁ ଅନାଇଲା ।

 

‘‘ଜଣେ ବୁଢ଼ା ଲୋକ ସାଙ୍ଗରେ ଜଣେ ଯୁବତୀକୁ ନେଇ ଆସିଛନ୍ତି, ଆପଣଙ୍କ ସାଙ୍ଗରେ ଦେଖା କରିବାକୁ ଚାହୁଁଛନ୍ତି....’’

 

‘‘ସେ କିଏ କିରେ ?’’

 

‘‘କେଜାଣି ଆଜ୍ଞା....’’

 

ପୋନ୍ନୁରଙ୍ଗମ୍ ନିଜେ ତାଙ୍କ ଶୀତତାପନିୟନ୍ତ୍ରିତ କୋଠରିରୁ ବାହାରକୁ ଆସିଲେ । ସେଠାରେ ଜଣେ ନବଯୁବତୀ ବେଶ୍ ସାଜସଜ୍ଜା ପିନ୍ଧି ଠିଆ ହୋଇଥିଲା । ତା ପାଖରେ ଛିଣ୍ଡା ପୁରୁଣା ଜାମା ପିନ୍ଧି ଜଣେ ବୁଢ଼ା ଠିଆ ହୋଇଥିଲେ । ତାଙ୍କୁ ଦେଖିଲାମାତ୍ରେ ଦୁହେଁ ଅତି ଶ୍ରଦ୍ଧାସହକାରେ ହାତ ଯୋଡ଼ି ତାଙ୍କର ଅଭିବାଦନ କଲେ । ଝିଅଟି ଖୁବ୍ ସୁନ୍ଦରୀ । ତା’ଠାରେ ଦିବ୍ୟ ଲକ୍ଷଣମାନ ବିଦ୍ୟମାନ ଥିଲା ସତେ ଯେପରି ଘରେ ଟଙ୍ଗା ହୋଇଥିବା ଲକ୍ଷ୍ମୀଙ୍କ ଚିତ୍ରହିଁ ଏହି ସୁନ୍ଦର ରୂପ ପରିଗ୍ରହ କରି ସଜୀବ ହୋଇ ସେଠାରେ ଠିଆହୋଇଯାଇଛି । ପୋନ୍ନୁରଙ୍ଗମ୍ କଠୋର ସ୍ୱରରେ ପଚାରିଲେ, ‘‘କଣ ଦରକାର ? କୁଆଡ଼ୁ ଆସିଚନ୍ତି ?’’

 

‘‘ଆଜ୍ଞା, ଟିକିଏ ଦୟା କରନ୍ତୁ । ଆପଣଙ୍କର କୃପାଦୃଷ୍ଟିରୁ ଆମର ପରିବାରର ଉଦ୍ଧାର ହୋଇଯିବ । ମଦୁରାଇରୁ ରେଳଭଡ଼ା କରଜ କରି, ବଡ଼ ଆଶାରେ ଏଠିକି ଆସିଛି । ଆପଣଙ୍କର ସାଙ୍ଗ ଜଣେ ଆମର ସୁପାରିଶ କରି ଆପଣଙ୍କ ପାଖୁ ଖଣ୍ଡିଏ ଚିଠି ବି ଲେଖିଛନ୍ତି ।’’

 

ପୋନ୍ନୁରଙ୍ଗମ୍‌ଙ୍କ ବନ୍ଧୁ ଜଣକ ସୁପାରିଶ କରି ଏଇ ଚିଠି ଲେଖିଥିଲେ, ‘‘ପତ୍ରବାହକ ଭଦ୍ରଲୋକ କନ୍ଦସାମୀ ଅତି ଦରିଦ୍ର । ବହୁକୁଟୁମ୍ବୀ ପରିବାର । ତାଙ୍କର ଆଠୋଟି ଝିଅ । ବଡ଼ କଷ୍ଟରେ ତାଙ୍କର ଦିନ ଚଳେ । ତାଙ୍କର ସବା ବଡ଼ଝିଅଟି ଭଲ ନାଚି ଗାଇ ଶିଖିଛି । ଦେଖିବାକୁ ବି ବେଶ୍ ସୁନ୍ଦର । ଏଠି କିଛି ନାଟକରେ ଅଭିନୟ କରି ସେ ସୁନାମ ଅର୍ଜନ କରିଛି । ଯଦି ମୋ ମୁହଁ ଚାହିଁ ଏଇ ଝିଅଟିକି ଆପଣ ସିନେମାରେ ଅଭିନୟ କରିବାର ଗୋଟିଏ ‘‘ସୁଯୋଗ’’ ଦେଇ ତାର ଜୀବନଟି ଗଢ଼ିବେ ତାହେଲେ ମୁଁ କୃତଜ୍ଞ ରହିବି ।’’ ସେ ବୁଝିପାରିଲେନି ସେ ଚିଠିଟି ପଢ଼ି ହସିବେ ନା କାନ୍ଦିବେ ।

 

ସେ ପୁଣି ଥରେ ସେ ଝିଅଟିକି ଚାହିଁଲେ । ସେ ମଧୁର ହସ ହସୁଥିଲା । ଲାଗିଲା ଯେପରି ଚିତ୍ରର ଲକ୍ଷ୍ମୀ ହସୁଛନ୍ତି ।

 

ସକାଳୁ ବରାବର ମିଛ କହି କହି ସେ ଦୁଃଖିତ ହୋଇ ଯାଇଥିଲେ । ହୃଦୟରେ ବଡ଼ କଷ୍ଟ ହେଉଥିଲା । ସେ ଭାବିଲେ ଏ ଝିଅଟି କଣ ହସିକରି ତାଙ୍କ କଷ୍ଟର ଭାର ଦୂର କରୁଛି କି ଆଉ-?

 

ପୋନ୍ନୁରଙ୍ଗମ୍ ମନେ ମନେ ହସିଦେଲେ । ‘‘ଭାଇନା ! ମିନିଟିକ ପାଇଁ ଆପଣ ଏକୁଟିଆ ମୋ ସାଙ୍ଗରେ ଭିତରକୁ ଆସନ୍ତୁ ।’’ କହି ପୋନ୍ନୁରଙ୍ଗମ୍ ସେ ବୁଢ଼ାଟିକି ନେଇ ନିଜର ଶୀତତାପନିୟନ୍ତ୍ରିତ କୋଠରିକି ଗଲେ । ବୁଢ଼ାର ମୁହଁରେ ଅପାର ହର୍ଷ, ବିନୟ ଓ ବିଶ୍ୱାସର ଭାବ ଉଦିତ ହୋଇ ପୁଣି ବିଲୀନ ହୋଇଗଲା ।

 

‘‘ସେ ପାଖରେ ବସନ୍ତୁ....’’

 

ବୁଢ଼ା ବସିପଡ଼ିଲେ । ତାଙ୍କ ଜୀବନରେ ପହିଲି ଥର ସେ ଶୀତତାପନିୟନ୍ତ୍ରିତ କୋଠରିରେ ବସିଲେ ।

 

‘‘ମହାଶୟ ! ଆପଣ କଣ ଶପଥ କରିପାରିବେ ଯେ ଏହିକ୍ଷଣି ମୁଁ ଯେଉଁ ସତ୍ୟ କହିବି ତାକୁ ଆପଣ ସାରାଜୀବନ ଭୁଲିବେ ନାହିଁ ।’’

 

ବୁଢ଼ା ଘାବରେଇଗଲା । ସେ କିଛି ବୁଝିପାରିଲାନି ।

 

‘‘ଆପଣ ଯାହା କହିବେ, ତାହା ହିଁ ଠିକ୍....’’

 

‘‘ଆପଣଙ୍କ ଝିଅକୁ ସିନେମାକୁ ପଠେଇବାର ଖିଆଲ ଛାଡ଼ନ୍ତୁ । ସେ ତା ଗାଁଆକୁ ଯାଇ ଦୁଇଚାରି ଘର କାମ କରି ରୋଜଗାର କଲେ ବି କିଛି ଖରାପ ହବନି । ଏ ବେପାର ଖାଲି ମିଛରେ ବୋଝେଇ ହେଇଚି । ମୋରି ଦଶା ଦେଖନ୍ତୁ । ଆଜି, ଏଇଲାଗେ ମୋର ହାତ ଖାଲି । ମୁଣ୍ଡରେ କରଜର ବୋଝ । ମୁଁ କୋଉ ନୂଆ ଲୋକ ଖୋଜୁଚି ଯେ କି ମତେ କରଜ ଦେଇପାରିବ; କିନ୍ତୁ ମୁଁ ଯେବେ ଏଇ ସତ କଥାଟା ପ୍ରକାଶ କରିଦିଏ ମୋ ମାନମହତ ଧୂଳିରେ ମିଶିଯିବ ।’’ ଏତିକି କହୁଁ କହୁଁ ପୋନ୍ନୁରଙ୍ଗମ୍‌ଙ୍କ ଆଖି ଛଳଛଳ ହୋଇଗଲା । ମନହେଲା ସେ ଏଇଲାଗେ କାନ୍ଦି ପକେଇବେ-

 

ବୁଢ଼ା ଆସ୍ତେ ଉଠିପଡ଼ିଲେ ।

‘‘ଘରକୁ ଫେରିବାକୁ ରେଳଭଡ଼ା ଆପଣଙ୍କ ପାଖରେ ହବ ?’’

 

ବୁଢ଼ା ଓଠ ନେଫଡ଼ି ନାହିଁ କଲା । ପୋନ୍ନୁରଙ୍ଗମ୍ ନିଜର ମନିବ୍ୟାଗ୍‌କୁ ଲେଉଟାଇ ଦେଖିଲେ । ସେତେବେଳେ ତାଙ୍କ ପାଖେ ସତଚାଳିଶ ଟଙ୍କା ଆଠ ଅଣା ଥିଲା । ସେ ତିରିଶଟା ଟଙ୍କା ବୁଢ଼ାଙ୍କ ଆଡ଼କୁ ବଢ଼ାଇଲେ ।

 

‘‘ଆପଣ ଘରକୁ ଫେରି ସମ୍ମାନଜନକ ଭାବେ ଜୀବନ ବିତାନ୍ତୁ । ଏଇକ୍ଷଣି ମୁଁ ଆପଣଙ୍କୁ ଯାହାସବୁ କହିଲି, ତା କାହାରିକି କହିବେନି । ଆପଣ ଫେରିଯାନ୍ତୁ ।’’ ବୁଢ଼ା ନୋଟ୍‌ତକ ନେଇ ତାଙ୍କୁ ନମସ୍କାର କରି ଚାଲିଗଲେ । ପୋନ୍ନୁରଙ୍ଗମ୍ ଯେତେବେଳେ ମନର ପ୍ରକୃତ ଅବସ୍ଥା ପ୍ରକାଶ କଲେ ତାଙ୍କୁ ଲାଗିଲା ଯେ ସେଇ କ୍ଷଣକ ଭିତରେ ତାଙ୍କର ହଜାର ବର୍ଷର ଅଶାନ୍ତି ଦୂର ହୋଇଯାଇଛି ।

 

ଟେଲିଫୋନ୍‌ର ଘଣ୍ଟା ବାଜି ଉଠିଲା । ରିସିଭର୍ ଉଠାଇଲେ । ଆରପଟୁ ‘‘ହଲୋ....କିଏ-? ପୋନ୍ନୁରଙ୍ଗମ୍ ? ଗୋଟାଏ ଭଲ ‘ଫାଇନାନ୍‌ସିଅର’ ମିଳିଛି । ସେ ଲକ୍ଷେ ଟଙ୍କାଯାକେ ଦବ-। ଯେବେ ତମେ କହିବ ଯେ ଫିଲ୍ମର ଲମ୍ବ ଦୁଇହଜାର ଫୁଟ ଭଳି ହବ ତାହେଲେ ଟଙ୍କା ମିଳିବନି-। ଯଦି କହିବ, ଫିଲ୍ମର ଲମ୍ବ ତେର ହଜାର ଫୁଟ୍ ତାହେଲେ ଢେର୍ ଟଙ୍କା ମିଳିଯିବ । ମୁଁ ତମ ଅବସ୍ଥା ବେଶ୍ ଭଲକରି ଜାଣିଛି । ସେଇଥିପାଇଁ ଜଲଦି ଫୋନ୍ କରି କହିଦେଉଛି । କଣ, ମିଛରେ କହିଦିଅନା ?’’ ବନ୍ଧୁଙ୍କଠାରୁ ଏତକ କଥା ଶୁଣି ତାଙ୍କ ମୁହଁ ପୁଣି ହସିଉଠିଲା ।

 

ପୋନ୍ନୁରଙ୍ଗମ୍ ବନ୍ଧୁଙ୍କୁ ଜବାବ ଦେଲେ, ‘‘ହଁ ନିଶ୍ଚୟ କହିଦବା । କମ୍ କାହିଁକି, କିଛି ବେଶିକରି ମିଛ କହିଦବା । ହଉ ତେବେ ମୁଁ ଯିବି କି ?’’

 

‘‘ଭଲ କଥା ! ଆସ....ଗୋଟାଏ ବେଳେ ‘ଉଡ୍‌ଲେଣ୍ଡ୍ ହୋଟେଲ’ ଆସିଯିବ.... ସେଇଠି କଥାବାର୍ତ୍ତା ହବା... ।’’

 

ପୋନ୍ନୁରଙ୍ଗମ୍ କହିଲେ, ‘‘ସେ ତ ଠିକ୍ ଅଛି; କିନ୍ତୁ ମୁଁ ବୁଝିପାରୁନି ମୁଁ କାହିଁରେ ଯିବି । ମୁଁ ମୋ କାର୍‌ଟା ଜଣେ ସାଙ୍ଗକୁ ଦୁଇଦିନ ପାଇଁ ଦେଇ ଦେଇଛି । ତମେ ଟିକେ ତମର ‘ପ୍ଳି ମଥ୍’ ପଠେଇଦବ କି ?’’

 

‘‘ହଁ, ପଠେଇଦେବି । ଏଇ କଥାକୁ ଏତେ ମିଛ କାହିଁକି କହୁଚ ? ତମେ ତମ ଗାଡ଼ିଟା ସର୍ଭିସିଂ ପାଇଁ ଦେଇଛ ନା ? ମିଛରେ କାହିଁକି କହୁଚ ସାଙ୍ଗକୁ ଦେଇଚ ବୋଲି.... ? ବିଲ୍ ଦବାକୁ ପଇସା ନଥିବ.... । କିଛି ଚିନ୍ତା ନାହିଁ; ମୁଁ ମୋ ଗାଡ଼ି ପଠେଇଦେବି....ଆସିବ, ହେଲା ?’’

 

‘‘ମୁଁ ମିଛ କହିଥିଲି; କିନ୍ତୁ ତମେ ସତ କଥାଟା ଜାଣିଗଲ । ବର୍ତ୍ତମାନ ମୁଁ ମିଛର ପ୍ରାୟଶ୍ଚିତ୍ତ ହିସାବରେ ଅଳ୍ପ ଆଗରୁ, କ୍ଷଣକ ଲାଗି ହେଉପଛେ, ସତ କହିଥିଲି । ଜାଣିଚ ସେ କଥା-?’’

 

‘‘ହଉ, ଗାଡ଼ି ପଠେଇଦେବି....ଆସିଯିବ । ମୁଁ ତମକୁ ବୁଡ଼ିଯିବାରୁ ରକ୍ଷା କରିନେଲି ।’’

 

ପୋନ୍ନୁରଙ୍ଗମ୍ ରିସିଭର୍‌ଟି ତଳେ ଥୋଇଲେ । ସାମନାର ଚିତ୍ରରେ ଲକ୍ଷ୍ମୀ ହସିଦେଉଛି । ସେ କଣ ଏଇଥିପାଇଁ ହସିଲା ଯେ ସତ ପାଇଁ କି କ୍ଷଣେ ହେଲେ ସମୟ ମିଳିଗଲା ?

Image

 

ଝରଣାକୂଳେ

 

ଏହି ବର୍ଷ ବର୍ଷାଦିନ ଭିତରେଇ ମତେ ସେହି ଆନନ୍ଦଦାୟକ, ଦୁର୍ଲଭ, ମଧୁର ପତ୍ରଟି ମିଳିଲା, ଯାହାକୁ ପାଇବି ବୋଲି ମୋର ଆଶା ନଥିଲା ।

 

ପ୍ରତିବର୍ଷ ଜନ୍ମଭୂମି-ପ୍ରୀତି ଓ ପୋଦିକୈ ପର୍ବତରୁ ଝରୁଥିବା ସୁନ୍ଦର ସୁଖଦ ଝରଣା ଦୁହେଁ ମିଶି ମତେ ତିରୁକ୍‌କୁଟ୍ରାଲମ୍ ଯିବାଲାଗି ବାଧ୍ୟ କରିଥାନ୍ତି । ଫିବର୍ଷ ସେଠାକୁ ଯିବା ଆଗରୁ ମୁଁ ମୋର ସାଙ୍ଗସାଥୀ ଓ ଆମ ପରିବାରର ଡାକ୍ତର ମୁତ୍ତୁକ୍‌କୁମାରସ୍ୱାମୀ ଓ ତାଙ୍କର ପରିବାରକୁ ବି ନିଜ ସଙ୍ଗେ ରହିବାକୁ ନିମନ୍ତ୍ରଣ କରୁଥିଲି । ସେ ପ୍ରତିବର୍ଷ ମୋର ନିମନ୍ତ୍ରଣକୁ ଅସ୍ୱୀକାର କରି ଦେଉଥିଲେ ।

 

ମୁଁ କହେ, ‘‘ଦି ମାସ ନହେଲା ନାହିଁ, ଦୁଇ ସପ୍ତାହ ହେଲେ ପଛେ ମୋ ପାଖରେ ଆସି ରହନ୍ତୁ’’ ଓ ତାଙ୍କୁ ଯିବାକୁ ବାଧ୍ୟ କରେ ।

 

ଡାକ୍ତରବାବୁଙ୍କର ଶେଷ କଥା, ‘‘ଆରେ ବାପ୍‌ରେ ! ଦୁଇ ସପ୍ତାହ ! ମୁଁ ତ ମାଡ୍ରାସ ସହର ଛାଡ଼ିକରି ଦୁଇଦିନ ବି ଯାଇ ପାରିବି ନାହିଁ କୋଉଠିକି ହେଲେ !’’

 

ମୁତ୍ତୁକ୍‌କୁମାରସ୍ୱାମୀଙ୍କର ଏପରି ଜବାବ୍‌ଟା ଦେଇଦେବା ଉଚିତ ଫାବୁଥିଲା । ଏତେ ବଡ଼ ମାଡ୍ରାସ ସହରରେ ଏମିତି ଗଣ୍ଡା ଗଣ୍ଡା ଡାକ୍ତର ଅଛନ୍ତି ଯେଉଁମାନେ କି ଲଣ୍ଡନ ଓ ଏଡ଼ିନବରା ଯାଇ ଉପାଧିମାନ ପାଇ, ଇଂରାଜୀ ଭାଷାରେ ଛବିଶଟିଯାକ ଅକ୍ଷରକୁ ନିଜର ନାଁ ସଙ୍ଗେ ଯୋଡ଼ି ଦେଇଛନ୍ତି । ତଥାପି ବରାବର ସବୁ ରୋଗୀ ଏଇ ୬୦ ବର୍ଷ ବୟସର ଡାକ୍ତର ମୁତ୍ତୁକ୍‌କୁମାରସ୍ୱାମୀଙ୍କ ପାଖୁଇ ଆସୁଥିଲେ । ବଡ଼ ବଡ଼ ଶଲ୍ୟ-ଚିକିତ୍ସା ସକାଶେ ବି ଲୋକେ ମୁତ୍ତୁକ୍‌କୁମାରସ୍ୱାମୀଙ୍କ ପାଖୁଇ ଆସୁଥିଲେ । ସରକାରୀ ହସ୍‌ପିଟାଲରେ ବି ବଡ଼ ବଡ଼ ଲୋକମାନେ ମୁତ୍ତୁକ୍‌କୁମାରସ୍ୱାମୀଙ୍କର ଶଲ୍ୟ ଚିକିତ୍ସା ସମ୍ପୃକ୍ତ ହତିଆରର ଅପେକ୍ଷା କରି ରହୁଥିଲେ ।

 

ଡାକ୍ତର ମୁତ୍ତୁକ୍‌କୁମାରସ୍ୱାମୀଙ୍କୁ ଖାଇବା ଲାଗି ବି ବେଳ ମିଳେନା । ତାଙ୍କ ସ୍ତ୍ରୀଙ୍କୁ ତାଙ୍କ ବିଷୟରେ ପଚାରିବାରେ ସେ ଦୁଃଖିତ ହୋଇ କହନ୍ତି, ‘‘ତାଙ୍କୁ ତ ଆସନ ପକେଇ ବସିବାର ବି ସମୟ ମିଳେନା ।’’ ପ୍ରକୃତରେ ତାଙ୍କ ସ୍ତ୍ରୀ ଗୋଟିଏ ଥାଳିରେ ଭାତ ବାଢ଼ି ସମ୍ବର ଓ ଅବିୟଲ୍ (ଦହିକଢ଼ି) ମିଶାଇ ତାଙ୍କୁ ଦିଅନ୍ତି । ଡାକ୍ତରବାବୁ ଠିଆ ଠିଆ ସେତକ ଖାଇ କୋଉ ବଡ଼ ଅପରେସନ କରିବାକୁ ତରତର ହୋଇ ସେଠୁ ବାହାରିଯାଆନ୍ତୁ । ମୁଁ ତ ନିଜେ କେତେ ଥର ୟା ଦେଖିଚି । ମୋ ସ୍ତ୍ରୀ ମତେ କେତେ ଥର ବୁଝେଇଚି ଯେ ଏମିତି ଜଣେ ଡାକ୍ତରଟିକୁ ତାଙ୍କ ରୋଗୀଙ୍କଠାରୁ ଦୂରକୁ ନେଇଯାଇ କୁଟ୍ରାଲମ୍‌ରେ ରହିବାକୁ ବାଧ୍ୟ କଲେ ଆମ ଉପରେ ସେଇ ସବୁ ରୋଗୀଙ୍କର ନିଶ୍ୱାସ ପଡ଼ିବ ।

 

ଏହିପରି ଯେଉଁ ମୁତ୍ତୁକ୍‌କୁମାରସ୍ୱାମୀ ନାମକ ଡାକ୍ତର, ତାଙ୍କରି ପାଖରୁ ହିଁ ସେହି ଦୁର୍ଲଭ ପତ୍ରଖଣ୍ଡିକ ଆସିଥିଲା । ଆମର କୁଟ୍ରାଲମ୍ ପହଞ୍ଚିବାର ଦୁଇ ସପ୍ତାହ ଭିତରେଇ ମତେ ସେ ପତ୍ରଟି ମିଳିଲା । ମନରେ ଯେମିତି ଅସୀମ ଆନନ୍ଦ ଥିଲା, ସେତିକି ଆଶ୍ଚର୍ଯ୍ୟ । ଆନନ୍ଦ ଏଇଥିପାଇଁ ଯେ ଡାକ୍ତର ଲେଖିଥିଲେ ସେ ସପରିବାରେ କୁଟ୍ରାଲମ୍ ଆସି ଆମ ସଙ୍ଗେ ରହିବେ । ଆଶ୍ଚର୍ଯ୍ୟ ଏଇଥିପାଇଁ ଯେ ଡାକ୍ତର ମୁତ୍ତୁକ୍‌କୁମାରସ୍ୱାମୀ ତାଙ୍କ ପତ୍ରରେ ଲେଖିଥିଲେ, ସେ ବର୍ଷା ଶେଷ ହେବାଯାକେ ଦୁଇ ମାସ ଆମ ପାଖେ ରହିବେ ।

 

 

ତିରୁକୁଟ୍ରାଲମ୍‌ରେ ଆମେ ଯେଉଁ ଜାଗାରେ ରହୁଥାଉ, ତାହା ମୋର ଜଣେ ସମ୍ପର୍କୀୟଙ୍କର ଗ୍ରୀଷ୍ମକାଳରେ ରହିବାର ଘର ଥିଲା । ସେହି ଘରଟି ପର୍ବତର ଢାଲୁ ନାସି ଓ ମନ୍ଦିର ପାଖର ପାହାଡ଼ର ମିଳନ ସ୍ଥଳରୁ ପାଞ୍ଚଟି ଝରଣା ଆଡ଼କୁ ଯାଇଥିବା ସୁନ୍ଦର ପାର୍ବତୀୟ ରାସ୍ତା ଉପରେ, ଗଛ ଓ ଫୁଲରେ ଲଦି ହୋଇଥିବା ବୁଦାରେ ପୂର୍ଣ୍ଣ ଗୋଟିଏ ଛକ ଉପରେ ଥିଲା । ଛୋଟ ଝରଣାରୁ ବାହାରି ଗୋଟିଏ ଜଳଧାରା ଘର ଭିତରେ ପ୍ରବେଶ କରି, ପୂରା ଘରଟିକି ଚାରିପାଖେ ମୁଣ୍ଡୁଳା ବୁଲାଇ, ଘରର ପଛପଟେ ପର୍ବତର ନାସିଦେଇ, ବୋହିଯାଉଥିବା ନଦୀରେ ଯାଇ ମିଶିଯାଏ । ଘରମାଲିକ ସେ ଘରଟିକି ଏହି ରକମ ବନାଇଥିଲେ ।

 

ଘରଟି ବେଶ୍ ବଡ଼ । ତାର ଚାରିକଡ଼େ ଆମ୍ବ, ନଡ଼ିଆ, ପଣସ ଆଦିର ଗଛ ଓ ନାନା ପ୍ରକାରର ଗଛଲତାର ଘନ କୁଞ୍ଜ ଥିଲା । ଘରର ଦକ୍ଷିଣ ଭାଗରେ ଥିବା ଗୋଟିଏ ବଖରା ଯେପରି ପ୍ରେମପୂର୍ବକ ସେହି ଛୋଟ ଜଳଧାରାକୁ ଆଲିଙ୍ଗନ କରୁଥିଲା । ସେ ଘରଟିକି ଓ ତାର ପାଖର ଅଂଶଟିକି ଆମେ ଡାକ୍ତରଙ୍କ ପରିବାର ପାଇଁ ଖାଲି କରିଦେଲୁ । ମାଡ୍ରାସ ସହରର ଭୟାନକ ବେଗବାନ୍ ଜୀବନରୁ ରକ୍ଷା ପାଇ ଏହି ଶାନ୍ତ ବଖରାକୁ ଆସି, ତାର ଦକ୍ଷିଣ ଦିଗର ଝରକାଟି ଖୋଲିଦେଲେ ସର୍ବରୋଗହର ସ୍ୱାସ୍ଥ୍ୟବର୍ଦ୍ଧକ ଦକ୍ଷିଣା ପବନର ସଂଚାର ଏଠାରେ ହୋଇପାରିବ । ପର୍ବତର ଜଡ଼ିବୁଟି ଦେଇ ବହୁଥିବା ଏହି ପବନ, ଝରଣାର ଶୀତଳତା ଓ ଫୁଲର ସୁଗନ୍ଧ ଗ୍ରହଣ କରି ବେଗେ ଆସି ଆମର ଦେହ ଛୁଇଁଯାଏ । ସକାଳୁ ଉଠିଲେ ଉଦୟ ହେଉଥିବା ସୂର୍ଯ୍ୟ ଓ ସକାଳର ଉଦୟରାଗରେ ଚକ୍‌ମକ୍ କରୁଥିବା ହୀରାପରି ଦେଖାଯାଉଥିବା ସେହି ଶ୍ୱେତ ଜଳଧାରାକୁ ନିଜ ଆଖିରେ ଦେଖିହେଉଥିଲା । ରାତିରେ ଚନ୍ଦ୍ରମା ଦେଖାଯାଉଥିଲା । ଚନ୍ଦ୍ରକିରଣରେ ସେହି ଝରଣାଟି ଏପରି ଦେଖାଯାଏ ସତେ ଯେପରି ରୂପା ତରଳି ବୋହିଯାଉଛି । ସେହି ଦୃଶ୍ୟମାନ ନେତ୍ରକୁ ଅତି ରମଣୀୟ ପ୍ରତୀତ ହେଉଥିଲେ । ଡାକ୍ତରବାବୁ ଏଠିକି ଆସି ବଡ଼ ଖୁସି ହେବେ, ଏତିକ ଭାବି ମୁଁ ଅତି ଆନନ୍ଦରେ ତାଙ୍କର ଆଗମନର ପ୍ରତୀକ୍ଷା କରୁଥିଲି ।

 

ଡାକ୍ତରବାବୁ ଆସିଲେ । ତାଙ୍କ ସଙ୍ଗେ ତାଙ୍କର ସ୍ତ୍ରୀ, ଦିଲ୍ଲୀରେ କାମ କରୁଥିବା ତାଙ୍କର ଯୁବକ ପୁଅ ଓ ମାଡ୍ରାସର କ୍ୱିନ୍ ମେରୀ କଲେଜରେ ପଢ଼ୁଥିବା ତାଙ୍କର ଝିଅ ବି ଆସିଥିଲେ । ଆମ ସମସ୍ତଙ୍କର କେତେ ଖୁସି । ଡାକ୍ତରବାବୁଙ୍କର ପୁଅ ଓ ଝିଅ ପ୍ରତିଦିନ ସକାଳେ ଝରଣାକୁ ଯାଇ ଗାଧୁଅନ୍ତି । ଭୋକ ହେଲେ ଘରକୁ ଆସି ଦୋଶା ଖାଇବେ ଓ ପୁଣି ଝରଣାକୂଳେ ଯାଇ ବସିବେ । ସେଠୁ ଫେରିଲେ ସେ ତିରୁନେଲବେଲୀର ଅନୈକ୍‌କୋଂବନ୍ ନାମକ ପ୍ରସିଦ୍ଧ ଚାଉଳରେ ତିଆରି ଭାତ ଓ ତିନ୍ତୁଳିଦେଇ ରନ୍ଧା ହୋଇଥିବା ତରକାରି ଖାଉଥିଲେ ଓ ପୁଣି ଝରଣାକୂଳକୁ ଚାଲିଯାଉଥିଲେ । ଏହିପରି ସେମାନେ କୁଟ୍ରାଲମ୍‌ର ଜୀବନର ଆନନ୍ଦ ନେବାକୁ ଲାଗିଲେ । ଡାକ୍ତରଙ୍କ ସ୍ତ୍ରୀ ପ୍ରଥମ ଦୁଇ ତିନିଦିନଯାକେ ସକାଳୁ ଝରଣାକୁ ଯାଇ ଗାଧୋଇଲେ ଓ ଦିନସାରା ଅନ୍ୟ ମାଇପଙ୍କ ସଙ୍ଗେ ଇଲଂଜି, ତେନକାଶୀ, ଶଂକୋଟ୍ଟୈ, ମତ୍ତୟମପାରୈ ପ୍ରଭୃତି ପାଖଆଖର ସ୍ଥାନମାନ ଭ୍ରମଣ କରି ଆନନ୍ଦରେ ସମୟ କଟାଇଲେ । ଏହାପରେ ଡାକ୍ତର ମୁତ୍ତୁକ୍‌କୁମାରସ୍ୱାମୀଙ୍କ ସକାଶେ ସେ ବ୍ୟସ୍ତରେ ପଡ଼ିଗଲେ ।

 

ଯେଉଁଦିନ ଡାକ୍ତରବାବୁ କୁଟ୍ରାଲମ୍ ପହଞ୍ଚିଲେ, ସେହିଦିନ ମୁଁ ତାଙ୍କଠାରେ ଗୋଟିଏ ପରିବର୍ତ୍ତନ ଦେଖିଲି । ସେହି ଡାକ୍ତର ଯେ କି ସଦାବେଳେ, ସମସ୍ତଙ୍କ ସାଥିରେ ହସି ହସି କଥା କହନ୍ତି, ବର୍ତ୍ତମାନ କେଉଁ ଗହନ ଚିନ୍ତାରେ ମଗ୍ନ ହୋଇ ଚୁପ୍‌ଚାପ୍‍ ରହିଲେ । ସେ ଆଉ କାହାରି ସଙ୍ଗେ କଥା ହେଉ ନାହାନ୍ତି । ସକାଳଉଁ ଯାଇ ଝରଣାରେ ସ୍ନାନ କରି ଫେରନ୍ତି । ଜଳଖିଆ କରି ପୁଣି ତାଙ୍କ ନିଜ ବଖରାକୁ ଚାଲିଯାନ୍ତି । ଏହାପରେ ଦୁଇ ପହରର ଖାଇବା ସକାଶେ ତାଙ୍କୁ ଡାକିବାକୁ ପଡ଼ୁଥିଲା । ସେତେବେଳଯାକେ ସେ ଦକ୍ଷିଣ ପାଖର ସେହି ଘରଟିରେ ଏକୁଟିଆଟା ଚୁପ୍‌ଚାପ୍ ବସିରହୁଥିଲେ । ସେହି ଘରୁ ପଦାକୁ ବାହାରୁନଥିଲେ । ଚାରିଟା ବେଳ ଆଡ଼କୁ ସେ ନିଜର ଛଡ଼ିଟି ଧରି ‘ପାଞ୍ଚ ଝରଣା’ ବାଲା ରାସ୍ତାରେ ବା ଶେଣ୍ୱକାଟ୍‌ବୀ ଆଡ଼କୁ ଯାଇଥିବା ପାହାଡ଼ ରାସ୍ତା ଉପରେ ଏକୁଟିଆ ହିଁ ବୁଲିବାକୁ ଚାଲିଯାଉଥିଲେ । ସେ ମତେ ଭଦ୍ରତା ଖାତିରିରେ ବି ଟିକେ ଡାକୁ ନଥିଲେ । ଅନ୍ଧାର ହେଲେ ଯାଇ ସେ ଘରକୁ ଫେରୁଥିଲେ । ତାଙ୍କର ଏପରି ବ୍ୟବହାର ଦେଖି ମୁଁ କାବା ହେଲି ।

 

ଚାରି ପାଞ୍ଚଦିନ ପରେ ମୋର ଆଶ୍ଚର୍ଯ୍ୟଭାବ ଆହୁରି ବଢ଼ିଗଲା । ଦିନେ ସକାଳେ ଝରଣାରୁ ଫେରିବା ପରେ, ଜଳଖିଆ ଖାଇକରି ସେ ପୁଣି ବାହାରିଗଲେ । ସେ ଆଲୁମିନିୟମ୍ ଡବାରେ ଗୋଟିଏ ଦୋଶା ପୂରାଇ ସଙ୍ଗରେ ଘେନିଯାଇଥିଲେ ।

 

‘‘ଆଜି ମୁଁ ଉଠାଣି ଉପରେ କିଛି ଦୂର ଯିବି, ତା’ ପରେ ଫେରିବି ।’’

 

ଏମିତି କହିକରି ଯେଉଁ ଭଦ୍ରଲୋକ ଗଲେ, ସେ ସନ୍ଧ୍ୟାବେଳେ ଅନ୍ଧାର ହେବାପରେ ଯାଇ ଘରକୁ ଫେରିଲେ ।

 

ସପ୍ତାହେ କାଳ ବରାବର ଏହିପରି ଡାକ୍ତରବାବୁ ଏକୁଟିଆ ଦୂରକୁ ଯାଇ ଫେରିଲେ । ୟା ଦେଖି ଡାକ୍ତରବାବୁଙ୍କ ସ୍ତ୍ରୀ ଚିନ୍ତିତ ହେଲେ । ଦିନେ କଥାରେ କଥାରେ ସେ ତାଙ୍କ ଚିନ୍ତାର କାରଣ ମତେ କହିଲେ ।

 

କୁଟ୍ରାଲମ୍ ପହଞ୍ଚିବାର ପୂର୍ବଦିନ ହିଁ ସମ୍ବାଦପତ୍ରମାନଙ୍କରେ ପଢ଼ିଥିଲି ଯେ ରାଜସ୍ଥାନରୁ ତାମିଲନାଡ଼ୁକୁ ଆସିଥିବା ଗୋଟିଏ କଳାକାରଗୋଷ୍ଠୀ ହଠାତ୍ ଗୋଟିଏ ଭୟଙ୍କର ରେଳ ଦୁର୍ଘଟଣାର ଶିକାର ହୋଇଗଲେ ଓ ଡାକ୍ତର ମୁତ୍ତୁକୁମାରସ୍ୱାମୀ ନିଜେ ସରକାରୀ ଡାକ୍ତରଖାନା ଯାଇ ରୋଗୀମାନଙ୍କର ଚିକିତ୍ସା କରିଥିଲେ । ବର୍ତ୍ତମାନ ଡାକ୍ତରବାବୁଙ୍କୁ ସ୍ତ୍ରୀ ମତେ କହିଲେ ଯେ ସେହି ଆହତମାନଙ୍କର ଚିକିତ୍ସା କରିବା ପରେ ପରେ ହିଁ ଡାକ୍ତରବାବୁଙ୍କର ବ୍ୟବହାରରେ ଏହି ପରିବର୍ତ୍ତନ ଦେଖାଦେଇଥିଲେ ।

 

ଡାକ୍ତରବାବୁଙ୍କ ସ୍ତ୍ରୀ କହିଲେ, ‘‘ଭାଇ, ସେହିଦିନରୁ ତମ ଡାକ୍ତରବାବୁ କାହାରି ସଙ୍ଗେ ବେଶୀ କଥା ହୁଅନ୍ତିନି । ସଦାବେଳେ କେଉଁ ଚିନ୍ତା ଭାବନାରେ ବୁଡ଼ିରହିଥାନ୍ତି । ଏହି କାରଣରୁ ହିଁ ସେ କୁଟ୍ରାଲମ୍ ଆସିବାକୁ କହିଥିଲେ । ମୁଁ ତ ପ୍ରଥମେ ଖୁବ୍ ଆଶ୍ଚର୍ଯ୍ୟ ହେଲି; କିନ୍ତୁ ତା ପରେ ମୁଁ ବିଚାରିଲି ଯେ କୁଟ୍ରାଲମ୍ ଯାଇ ରହିଲେ ଡାକ୍ତରବାବୁଙ୍କର ଏହି ଚୁପ୍‌ଚାପ ରହିବାଟା ଆଉ ତାଙ୍କର ଏହି ପରିବର୍ତ୍ତନଯାକ ସବୁ ଚାଲିଯିବ । ଏଠିକି ଆସି ବି ସେ କାହାରି ସାଥିରେ ମିଳାମିଶା କରୁନାହାନ୍ତି । କୁଆଡ଼େ ଯିବାକୁ ମୁଁ କହିଲେ ମନା କରି ଦେଉଛନ୍ତି । ତାଙ୍କର ଏପରି ଏକୁଟିଆ ରହିବାକୁ ଇଚ୍ଛା ଆଉ ପାହାଡ଼ୀ ବଣଜଙ୍ଗଲରେ ବୁଲାବୁଲି ମତେ ଅଦ୍ଭୁତ ଲାଗୁଛି । ତମେ ଟିକିଏ ତାଙ୍କର ବ୍ୟବହାର ପ୍ରତି ଦୃଷ୍ଟି ରଖିଥିବ ।’’

 

 

ଦିନେ ଡାକ୍ତରବାବୁଙ୍କ ଅଜାଣତରେ ମୁଁ ତାଙ୍କ ପଛେ ପଛେ ଚାଲିଲି । ସେ ହାତବାଡ଼ିଟି ତଳେ ‘ଠକ୍ ଠକ୍’ କରି ସେହି ପାହାଡ଼ିଆ ରାସ୍ତାରେ ବେଗେ ଆଗେଇ ଚାଲିଥାନ୍ତି । ସେ ବାଟଟି ବେଶ୍ ଅଙ୍କାବଙ୍କା; ତେଣୁ ପ୍ରତି ମୋଡ଼ ପାଖରେ ତାଙ୍କ ଆଖିରୁ ନିଜକୁ ବଞ୍ଚାଇବାକୁ ବୁଦାମୂଳେ ବା ପଥର ପଛରେ ଲୁଚି ଲୁଚି ମୁଁ ତାଙ୍କର ଅନୁସରଣ କରୁଥାଏ ।

 

ଉଦୁଉଦିଆ ଦିପହରେ ସେ ଯାଇ ଶେଣ୍ୱକାଟବୀ ପହଞ୍ଚିଲେ । ମୁଁ ବୁଦାମଧ୍ୟରେ ଲୁଚି ତାଙ୍କୁ ମନଦେଇ ଦେଖିଲାଗିଲି ।

 

ଶେଣ୍ୱକା ଦେବୀଙ୍କ ମନ୍ଦିର ପାଖରେ ପର୍ବତର ନାସି ଉପରେ ଗୋଟିଏ ସୁନ୍ଦର ଗୁମ୍ଫା ଅଛି ନା ? କଳକଳ ନିନାଦ ସହକାରେ ଡେଇଁ ଡେଇଁ ଚାଲୁଥିବା ଝରଣାକୂଳେ, ପ୍ରଭୁଙ୍କର କୃପାପ୍ରାର୍ଥୀ କେଉଁ ଭକ୍ତର ଉଦାର ହୃଦୟପରି ଦେଖାଯାଉଥିବା ସେହି ଗୁମ୍ଫାକଥା କେତେ ଲୋକ ଜାଣନ୍ତି । କିଛିଦୂର ଆଗେଇଗଲେ ପର୍ବତର ଢାଲୁ ଉପରେ ଆଉ କେତେ ଛୋଟ ଛୋଟ ଗୁମ୍ଫା ଓ ଛୋଟ ଛୋଟ ଗୁହା ଦେଖିବାକୁ ମିଳେ । ଆମ ଡାକ୍ତରବାବୁ ଏହି ପ୍ରକାରର ଗୋଟିଏ ପାର୍ବତ୍ୟ ଗୁହା ଭିତରେ ପଶିଯାଇ ଆଖିବୁଜି ବସିପଡ଼ିଲେ ।

 

ବହିଯାଉଥିବା ଝରଣାର ମନ୍ଦ ମନ୍ଦ ଧ୍ୱନି ତାନପୁରା ପରି ସ୍ୱର ଦେଉଥାଏ । ସେହି ସ୍ୱର ସଙ୍ଗେ କଣ୍ଠ ମିଳାଇ ପକ୍ଷୀମାନେ କଳରବ କରୁଥିଲେ । ଝରଣାର କଳକଳ ନାଦ ଯେପରି ସେଥିରେ ତାଳ ଦେଉଥିଲା । ନାନା ଧ୍ୱନି ମିଶି ସେହି ପାର୍ବତ୍ୟ ପ୍ରଦେଶରେ ମଧୁର ସଙ୍ଗୀତ ସୃଷ୍ଟି କରୁଥାଏ । ଡାକ୍ତର ମୁତ୍ତୁକୁମାରସ୍ୱାମୀ କଣ ସେହି ସଙ୍ଗୀତରେ ତନ୍ମୟ ହୋଇ ଆଖିବୁଜି ବସିଥିଲେ-? ନା ତାଙ୍କ ମନଟା କେଉଁ ଚିନ୍ତାର ଗୁମ୍ଫାଭିତରେ ଯାଇ ଅଟକି ଯାଇଥିଲା ?

 

ଲୁଚିଥିବା ଜାଗାରୁ ବାହାରି ଆସି ମୁଁ ଶୀଘ୍ର ଶୀଘ୍ର ଚାଲିଲି ।

 

‘‘ଡାକ୍ତରବାବୁ ! ଡାକ୍ତରବାବୁ !’’

 

ମୁଁ ସିଧା ଡାକ୍ତରବାବୁଙ୍କ ପାଖୁ ଯାଇକରି ତାଙ୍କ ଆଗରେ ବସିପଡ଼ିଲି ।

 

ଘାବରେଇ ଯାଇ ଡାକ୍ତରବାବୁ ଆଖି ଖୋଲିଲେ । ଯେପରି ତାଙ୍କ କାମରେ ମୁଁ ହସ୍ତକ୍ଷେପ କରିବାଟା ତାଙ୍କୁ ପସନ୍ଦ ହେଲା ନାହିଁ । ସେ ମତେ ତୀକ୍ଷଣ ଦୃଷ୍ଟିରେ ଚାହିଁଲେ । ତାଙ୍କର ଉନ୍ମୁକ୍ତ ଆଖି ଯେପରି ମୋ ଦେହରେ ଫୁଟିଗଲା ।

 

‘‘ମତେ କ୍ଷମା କରନ୍ତୁ ଡାକ୍ତରବାବୁ ! ଆପଣଙ୍କର ଏପ୍ରକାର ଏକୁଟିଆ ଆସି ଏଠି ବସିବା, ନିରୁତ୍ସାହ ହୋଇ କୌଣସି ଗମ୍ଭୀର ଚିନ୍ତାରେ ବୁଡ଼ିରହିବା, ଚୁପ୍‌ଚାପ ରହିବା ମତେ ଚିନ୍ତାରେ ପକାଇ ଦେଇଛି । ଆପଣଙ୍କର ସ୍ତ୍ରୀ ମଧ୍ୟ ଏସବୁ ଦେଖି ଚିନ୍ତିତ ହେଉଛନ୍ତି । ଏଇଥିପାଇଁ....’’

 

‘‘ମୁଁ ଆପଣଙ୍କର ଚିନ୍ତା ବୁଝିପାରୁଛି । ଯେବେ ଆପଣ କଥା ଦେବେ ଯେ ଆପଣ ମତେ ବ୍ୟସ୍ତ କରିବେ ନାହିଁ ଓ ମୋ କାମରେ ହସ୍ତକ୍ଷେପ କରିବେନି ତେବେଯାଇ ମୁଁ ଆଉ କିଛି କହିବି, ନହେଲେ....’’

 

ମୁଁ ଘାବରେଇ ଯାଇ କହିଲି, ‘‘ନା ନା, ଏମିତି କିଛି ମୁଁ କରିବି ନାହିଁ, କଥା ଦେଉଛି । ଆପଣ କହନ୍ତୁ ଡାକ୍ତରବାବୁ !’’

 

ଡାକ୍ତରବାବୁ କହିଲେ, ‘‘ଭାଇ, ରାଜସ୍ଥାନର ଗୋଟିଏ କଳାଗୋଷ୍ଠୀ ତାମିଲ ରାଜ୍ୟକୁ ଆସିଥିଲା । ସେହି ଗୋଷ୍ଠୀ ହଠାତ୍ ଗୋଟିଏ ରେଳ ଦୁର୍ଘଟଣାର ଶିକାର ହୋଇଗଲା । ସେହି କଳାକାରମାନଙ୍କୁ ସରକାରୀ ଡାକ୍ତରଖାନାରେ ଚିକିତ୍ସା କରାଗଲା । ଏସବୁ ଖବର ଆପଣ ପଢ଼ିଥିବେ । ସେହି କଳାକାରଙ୍କ ଭିତରେ ତିନିଜଣ ଅତି ବେଶୀ ଆହତ ହୋଇଥିଲେ । ସେମାନେ ମୁମୂର୍ଷୁ ହୋଇ ପଡ଼ିରହିଥିଲେ । ତାଙ୍କର ଚିକିତ୍ସାର ଭାର ମୋ ଉପରେ ଦିଆହେଲା । ତାଙ୍କର ଚିକିତ୍ସାରେ ସବୁଠୁ ବଡ଼ ଅସୁବିଧା ହେଲା, ତାଙ୍କ ଭିତରେ ଜଣେ ଯୁବତୀ ଥିଲା । ତାର ଗୋଟିଏ ଗୋଡ଼ କାଟି ଦବାର କଥା । ଦ୍ୱିତୀୟଟି ନବଯୁବକ । ତାର ଆଖିରେ କାଚର ଖଣ୍ଡମାନ ଫୁଟିଯାଇଥିଲା । ତାକୁ ଆମ ସହାୟକ ନେତ୍ର-ଚିକିତ୍ସକ ପାଖୁ ନେଇଯାଇ ନିଜର ତତ୍ତ୍ୱାବଧାନରେ ହିଁ ତାର ଅପରେସନ୍ କରାଇବାର ଥିଲା । ତୃତୀୟ ଲୋକଟିର ଡାହାଣ ହାଡ଼ଟି କାନ୍ଧରୁ କାଟିଲେ ଯାଇ ସେ ବଞ୍ଚିପାରିବ । ଆପଣ ମତେ ଭଲକରି ଜାଣନ୍ତି । ଅପରେସନ୍ କଲାବେଳେ ଇଆଡ଼େ ସିଆଡ଼େ ଚାହିଁବାର ଅଭ୍ୟାସ ମୋର ନାହିଁ । ମୁଁ ତ ମଣିଷଙ୍କୁ ପନିପରିବା ପରି କାଟିଦିଏ ।’’

 

ଡାକ୍ତରଙ୍କର ଏ କଥାସବୁ ଶୁଣି ମୁଁ ଅବାକ୍ ହୋଇଗଲି ।

 

‘‘ଡାକ୍ତରବାବୁ, ଆପଣ ଏମିତି କାହିଁକି କହୁଚନ୍ତି ? ଏମିତି କଟାକଟି ତ ଆପଣ ରୋଗୀଙ୍କର ପ୍ରାଣ ବଞ୍ଚେଇବାକୁଇ କରନ୍ତି । ଏଥିରେ ଭୁଲ କୋଉଠି ?’’

 

‘‘ସେଇ ତିନିଜଣଙ୍କର ଅପରେସନ୍ କଲାଯାକେ ମୁଁ ବି ଠିକ୍ ସେଇଆ ଭାବୁଥିଲି ।’’

 

ମୁଁ ପଚାରିଲି, ‘‘ସେ ତିନିଜଣ କଣ ବଞ୍ଚିଲେ ନାହିଁ ?’’

 

‘‘ବଞ୍ଚିଗଲେ, ଏଇଥିପାଇଁ ମୁଁ ଚିନ୍ତିତ । ସେମାନେ ଯେବେ ମରିଯାଇଥାନ୍ତେ, ତା ହେଲେ ଏତେ ଚିନ୍ତିତ ହୋଇ ନ ଥାନ୍ତି ।’’

 

ଏତିକି କହୁଁ କହୁଁ ଡାକ୍ତରଙ୍କର ଆଖି ଛଳଛଳ ହୋଇଗଲା ।

 

‘‘ଡାକ୍ତରବାବୁ, ମତେ ଏମିତି ଗୋଲକଧନ୍ଦାରେ କାହିଁକି ପକାଉଛନ୍ତି ?’’

 

‘‘ଭାଇ, ଯେତେବେଳେ ସେ ତିନିଜଣ କଳାକାର ଜୀଇଉଠିଲେ, ଚେତା ପାଇ ଏ ସଂସାରକୁ ପୁଣି ଫେରିଆସିଲେ, ସେତେବେଳେ ସେମାନେ ଭୟଙ୍କର କଷ୍ଟରେ ଛଟପଟ ହେବାକୁ ଲାଗିଲେ । ସେମାନଙ୍କର ଦୁଃଖ ଦେଖି ମୋର କେତେ କଷ୍ଟ ହେଲା ତା ମୁଁ କହି ବୁଝାଇ ପାରିବି ନାହିଁ । ‘ମୋର ଦୁଃଖ ହେଲା’ ଏପରି କହିବା ଭୁଲ; କାରଣ ମୁଁ ଯେଉଁ ଦୁଃଖ ଅନୁଭବ କରିଛି, ଯେଉଁ ଦୁଃଖ ଅନୁଭବ କରୁଛି ଓ କରୁଥିବି, ତାର କିଛି ସୀମା ନାହିଁ । ମୁଁ ଯାହାର ଗୋଡ଼ଟି କାଟି ଉଡ଼ାଇ ଦେଲି ସେହି ଯୁବତୀଟି ରାଜସ୍ଥାନର ପ୍ରସିଦ୍ଧ ନର୍ତ୍ତକୀ ଥିଲା । ଯାହାର ଭରଣପୋଷଣ କରିବାକୁ କେହି ନଥିଲେ । ଯାହାର ଆଖି ବାହାର କରିଦିଆଗଲା ସେ ଜଣେ ବିଖ୍ୟାତ ଚିତ୍ରକର ଥିଲା ଓ ଯାହାର ଡାହାଣ ହାତକୁ ମୁଁ ନିଷ୍ଠୁରଭାବେ କାଟି ଫୋପାଡ଼ି ଦେଇଥିଲି ସେ ଅତୁଳନୀୟ ସାରଙ୍ଗୀବାଦକ ଥିଲା । ସେ ତିନିଜଣ ରାଜସ୍ଥାନର ସେହି ଭ୍ରମଣକାରୀ କଳା-ଗୋଷ୍ଠୀର ମୁଖ୍ୟ ଥିଲେ । ସେହି ଯୁବତୀ ଦୃଷ୍ଟିରେ ତାର ଗୋଡ଼ ତା ପ୍ରାଣଠାରୁ ଅଧିକ ମୂଲ୍ୟବାନ୍ ଥିଲା । ଚିତ୍ରକର ସକାଶେ ତାର ଆଖି ହିଁ ତାର ପ୍ରାଣ ଥିଲା । ସାରଙ୍ଗୀବାଦକ ସକାଶେ ସାରଙ୍ଗୀ ଉପରେ ଚାଲୁଥିବା ତାର ଡାହାଣ ହାତ, ଡାହାଣ ହାତର ଆଙ୍ଗୁଠିମାନ ହିଁ ତାର ଜୀବନ ଥିଲା । ମୁଁ ତାଙ୍କୁ ସବୁ କାଟି ଅଲଗା କରିଦେଲି ।’’

 

ଏପରି କହୁଁ କହୁଁ ଡାକ୍ତରବାବୁଙ୍କ ଆଖିରୁ ଟପ୍ ଟପ୍ କରି ଲୁହ ଝରିଲା । ତାଙ୍କୁ ଜବାବ୍ ଦେବାକୁ ମୋ ମୁହଁରେ କଥା ନଥିଲା ।

 

ଡାକ୍ତରବାବୁ କହିଲେ, ‘‘ଭାଇ, ମୁଁ ଭାବୁଥିଲି ଯେ ମୁଁ ଲୋକଙ୍କର ପ୍ରାଣରକ୍ଷା କରୁଛି । ମୋର ନିଜର ଚାତୁରୀ ଓ ସେବାଭାବର ଗର୍ବ ହୋଇଯାଇଥିଲା । ମନରେ ଏହି ବିଶ୍ୱାସ ଜମିଥିଲା ଯେ ମୁଁ ଯେବେ ମାଡ୍ରାସ ଛାଡ଼ି କୁଟ୍ରାଲମ୍‌ରେ ଦୁଇଦିନ ରହିଯାଏ, ତାହେଲେ ହୁଏତ ଯମରାମ ସୁଯୋଗ ଦେଖି ମୋ ଉପରେ ପ୍ରତିଶୋଧ ନିଶ୍ଚୟ ନେଇ ନେବେ । ଏଇ କାରଣରୁ ମୁଁ ନିଜେ ନିଜକୁ ଦଣ୍ଡ ଦେଉଛି । ମୁଁ ତିନିଜଣ କଳାକାରଙ୍କୁ ପ୍ରାଣଦାନ ଦେଇ, ତାଙ୍କୁ ରକ୍ଷାକରି, ସେମାନଙ୍କୁ ଜୀଅନ୍ତା ଶବରୂପେ ଏ ସଂସାରରେ ଠିଆ କରାଇଛି କି ନାହିଁ ? ଏହି ଦୁଃଖରୁ ମୁଁ ଦୁଃଖିତ । ମୋ ଜୀବନ ବାହାରିଯିବ କି ଆଉ ? ସେଇ ତିନି ଜଣ କଳାକାର ତାଙ୍କର ଜୀବନ ସ୍ୱରୂପ ତିନିଟି ଅଙ୍ଗ ହରାଇବାରୁ ଲୁହ ଝରାଇଲେ । ସେମାନଙ୍କୁ ଲୁହ ଝରାଉଥିବାର ଦେଖି ମୁଁ ଅନୁତପ୍ତ ହୋଇପଡ଼ିଲି । କୁଟ୍ରାଲମ୍‌ର ଏହି ଝରଣା ମଧ୍ୟ ମତେ ଶୀତଳତା ଦେଇ ପାରିଲା ନାହିଁ । ଶୀତଳ ଦକ୍ଷିଣା ପବନ ବି ମୋ ହୃଦୟର ଉତ୍ତାପକୁ ଶାନ୍ତ କରି ପାରିନାହିଁ । ମୋ ମନ ଅଶାନ୍ତ । ମୋର ନିଜର ଦେହ, ନିଜର ପ୍ରାଣ ପ୍ରତି କୌଣସି ମୋହ ନାହିଁ । ବଣ ଓ ପାହାଡ଼ଘେରା ଏହି ଏକାନ୍ତ ସ୍ଥାନରେ ଆଖି ବୁଜିକରି ବସି ମୁଁ ନିଜର ଚିନ୍ତାଗୁଡ଼ାକରୁ ମୁକ୍ତି ଖୋଜୁଛି । କହନ୍ତିନି, ‘ବିଜନତାର ବେଶ ମୋହନ’ । ସେଇ ଅନୁସାରେ ମୁଁ ବି ବିଜନତାର ସନ୍ଧାନରେ ଏଠି ଆସି ବସିଛି; କିନ୍ତୁ ଏଥିରୁ କିଛି ଲାଭ ହେଲାନାହିଁ । ମୃତ୍ୟୁ ଓ ଜୀବନର ମର୍ମକୁ ମୁଁ ନିଜର ଚର୍ମଚକ୍ଷୁରେ ଦେଖିପାରିଲି ନାହିଁ । ମୁଁ ଆଖି ବୁଜିଦେଇ ତାଙ୍କୁ ଜାଣିବାର ଚେଷ୍ଟାକଲି; କିନ୍ତୁ ତାଙ୍କୁ ଜାଣି ପାରିଲିନି । ମୁଁ ଉଦ୍‌ବିଗ୍ନ ହୋଇପଡ଼ିଛି, ଉଦ୍‌ବିଗ୍ନତର ହୋଇଯାଉଛି ।’’

 

 

ଏହି ଘଟଣା ପରେ ଡାକ୍ତରବାବୁଙ୍କ ବ୍ୟବହାର ଭିତରେ ଆହୁରି ବେଶୀ ପରିବର୍ତ୍ତନ ଦେଖିବାକୁ ମିଳିଲା । ଆଗେ ସେ ଜଙ୍ଗଲକୁ ଯାଇ ଆଖି ବନ୍ଦକରି ଜ୍ଞାନଲାଭ କରିବାକୁ ଚାହୁଁଥିଲେ; କିନ୍ତୁ ବର୍ତ୍ତମାନ ସେ ଘର ଭିତରେ ବି ଚୁପ୍‌ଚାପ୍ ରହିଲେ ଓ ଆଖି ବୁଜି ବିଜନତାରେ ଯାଇ ବସିବାକୁ ଚେଷ୍ଟା କରିବାକୁ ଲାଗିଲେ । ତାଙ୍କର ଏପରି ଆଚରଣରେ ସମସ୍ତେ ବେଶୀ ଚିନ୍ତିତ ହେଲେ । ଏଇଥିପାଇଁ ଯେତେବେଳେ ମୁଁ କୁଆଡ଼େ ବାହାରକୁ ଯାଏ, ସମସ୍ତେ ମିଶି ଡାକ୍ତରବାବୁଙ୍କୁ ବି ଜବରଦସ୍ତି ମୋ ସାଙ୍ଗେ ଯିବାକୁ ବାଧ୍ୟ କରିବାକୁ ଆରମ୍ଭ କଲେ । ଡାକ୍ତର ମୁତ୍ତୁକ୍‌କୁମାରସ୍ୱାମୀଙ୍କର ମାଡ୍ରାସ ସହର ବା ତାଙ୍କର ଅଗଣିତ ରୋଗୀଙ୍କର ଟିକେ ହେଲେ ଖିଆଲ ନ ଥିଲା । ସେ ଆମ ସମସ୍ତଙ୍କୁ ଗୋଟାଏ ମାନସିକ ବ୍ୟାଧିର ଶିକାର କରିଦେଲେ ଓ ନିଜେ ବି ଗୋଟିଏ ଅତ୍ୟନ୍ତ କଷ୍ଟକର ବ୍ୟାଧିରେ ପଡ଼ି ଛଟପଟ ହେଉଥିଲେ । ଏପରି ସମୟରେ ପାଲୈୟଂକୋଟ୍ଟୈରୁ ଗୋଟିଏ ଖବର ମିଳିଲା । ତହିଁରେ ଲେଖାଥିଲା ଯେ ରାତିରେ ମାଡ୍ରାସ ସହରର ଘରମାନଙ୍କରେ ପଶି, ବନ୍ଧୁକ ଦେଖାଇ ଲୋକଙ୍କର ଧନ ସମ୍ପତ୍ତି ଲୁଟ୍ କରୁଥିବା ଡକେଇତଙ୍କ ଭିତରୁ ତିନିଜଣ ମୁଖିଆ ଡକେଇତ ପାଲୈୟଂକୋଟ୍ଟୈ ନାମକ ସ୍ଥାନରେ ଧରାପଡ଼ିଛନ୍ତି । ତାଙ୍କର ଲୁଟ୍ ଜିନିଷମାନଙ୍କୁ ପରୀକ୍ଷା କରିବାରୁ ପାଞ୍ଚବର୍ଷ ତଳେ ଆମର ମାଡ୍ରାସ ସହରସ୍ଥ ଘରୁ ଚୋରି ହୋଇଥିବା ରୁପାର କିଛି ବାସନ ମିଳିଛି । ତେଣୁ ମତେ ପାଲୈୟଂକୋଟ୍ଟୈ ଯାଇ ସେଇ ଜିନିଷ ଓ ମନୁଷ୍ୟଙ୍କୁ ଚିହ୍ନଟ କରିବାକୁ ହବ । ‘‘କାରରେ ଯିବା, ଦିପହର ବେଳକୁ ଫେରିଆସିବା’’ ଏହିପରି କହି ମୁଁ ଜବରଦସ୍ତି ଡାକ୍ତରବାବୁଙ୍କୁ ବି ସାଙ୍ଗରେ ଧରି ପାଲୈୟଂକୋଟ୍ଟୈକୁ ବାହାରି ପଡ଼ିଲି ।

 

ଧରାପଡ଼ିଥିବା ତିନିଜଣ ଡକେଇତଙ୍କ ଭିତରେ ଜଣେ ବନ୍ଧୁକ ଚାଳନାରେ ସିଦ୍ଧହସ୍ତ ଥିଲା, ଅର୍ଥାତ୍ ତାର ଆଖି ଦି’ଟା ବେଶ୍ ଶକ୍ତିଶାଳୀ । ଦ୍ୱିତୀୟଟି ସିନ୍ଧିକାଠି ଲଗାଇ ଘର ଭିତରକୁ ଯିବାରେ ଦକ୍ଷ ଥିଲା । ତୃତୀୟ ବ୍ୟକ୍ତି ଯେତେ ଇଚ୍ଛା ସେତେ ବୋଝକୁ କାନ୍ଧରେ ବୋହିନେଇ କେଇ ମିନିଟ୍ ଭିତରେ ମାଇଲ ମାଇଲ ଦଉଡ଼ି ଯାଇପାରେ । ପାଲୈୟଂକୋଟ୍ଟୈ ପହଞ୍ଚିବାପରେ ଆମକୁ ସେଇ ତିନିଜଣଙ୍କର ଦର୍ଶନ ମିଳିଲା । ଆଶ୍ଚର୍ଯ୍ୟ କଥା ଏଇ ଯେ, ମୋ ସଙ୍ଗେ ଆସିଥିବା ଡାକ୍ତରବାବୁଙ୍କୁ ଦେଖି ସେଇ ତିନିଜଣଯାକ ଚୋର ମୁଣ୍ଡ ଉପରେ ଦୁଇ ହାତ ଯୋଡ଼ି ଅତି ଜୋରସୋରରେ ନମସ୍କାର କଲେ । ଡାକ୍ତର ଅବଶ୍ୟ ଏସବୁ ଆଡ଼କୁ ନଜର ଦେଇନାହାନ୍ତି । ଏହାହିଁ ବଡ଼ କଥା ଯେ ପାର୍ବତ୍ୟ ଇଲାକାର ବଣଜଙ୍ଗଲକୁ ଭୁଲି ସେ ମୋ ସାଙ୍ଗରେ ଏତେ ବେଳ ରହିଲେଣି । ଏହାପରେ ସେଠି ରହିବାର ଦରକାର ନ ଥିବାରୁ ଆମେ କୁଟ୍ରାଲମ୍ ଫେରିଆସିଲୁ ।

 

ଆମେ ଆସିବା ପରେ ପୁଲିସ ଅଫିସରମାନେ ଚୋରଙ୍କର ତଲାସୀ ନେଲେ ।

 

ଅଫିସରମାନେ ପଚାରିଲେ, ‘‘ତମେ ଏଇ ଡାକ୍ତରଙ୍କୁ ଆଗରୁ ଜାଣିଚ କି ?’’ ସେମାନେ ଯାହା କହିଲେ ତହିଁରୁ ଅନେକ କଥା ଜଣାଗଲା ।

 

ସେଇ ତିନିଜଣଯାକ ଡକେଇତ କେତେ ଥର ନାନା ରକମର କଷ୍ଟରେ ପୀଡ଼ିତ ହୋଇ, ଅଲଗା ଅଲଗା ନାମ ଧାରଣ କରି ଡାକ୍ତରଖାନା ଯାଇଛନ୍ତି ଓ ତାଙ୍କର ସେହି ଡାକ୍ତର ଚିକିତ୍ସା କରିଥିଲେ । ତହିଁରେ ମୁଖ୍ୟ ଘଟଣା ଏହି ଯେ ଥରେ ସିନ୍ଧି କାଟିବାରେ ପଟୁ ଚୋର କଣ୍ଡୁସ୍ୱାମୀ ଉପରୁ ପଡ଼ିଗଲା ଓ ତାର ହାତ କଟିଗଲା । ସେ ଚିକିତ୍ସା କରାଇବାକୁ ତାଙ୍କରି ପାଖୁ ଯାଇଥିଲା । ତା ହାତଟି ପୂରାପୂରି ଠିକ୍ କରି ପୂର୍ବବତ୍ କାମ କରିବାର କ୍ଷମତା ଫେରାଇ ଆଣିବାର ସକଳ ବାହାଦୂରୀ ଡାକ୍ତର ମୁତ୍ତୁକ୍‌କୁମାରସ୍ୱାମୀଙ୍କର ହିଁ ପ୍ରାପ୍ୟ । ସେହି ହାତରେ ସେ ବର୍ତ୍ତମାନ ସୁଦ୍ଧା ସିନ୍ଧି କାଟେ । ବନ୍ଧୁକ ଚାଳନାରେ ପଟୁ ଦୁରୈସ୍ୱାମୀ ମଧ୍ୟ ଗୋଟିଏ ଦୁର୍ଘଟଣାରେ ପଡ଼ିଗଲା । ତାର ଆଖିରେ ଛୁଞ୍ଚି ଗଳିଗଲା । ତାର ଆଖି ଠିକ୍ କରି, ତାକୁ କଣା ହବାରୁ ରକ୍ଷା କରିବାର କାମ ଡାକ୍ତର ମୁତ୍ତୁକ୍‌କୁମାରସ୍ୱାମୀ ଓ ତାଙ୍କର ସହାୟକ ଆଖି-ଡାକ୍ତର କରିଥିଲେ, ଆଉ କେହି ନୁହେଁ । ବୋଝ ବୋହିଲାବାଲା ମୁତ୍ତୁପକ୍‌କିରୀ ନାମକ ଚୋରର କଣ ହେଲା ? ଥରେ ପେଟ ପୋଷିବାର ଅନ୍ୟ କିଛି ଉପାୟ ନ ଦେଖି ସେ ଛାରପୋକ ମାରିବାର ବିଷ ଖାଇଦେଇଥିଲା । ସେ ମରିଯାଇଥାନ୍ତା, କିନ୍ତୁ ଡାକ୍ତର ମୁତ୍ତୁକ୍‌କୁମାରସ୍ୱାମୀ ତାକୁ ମରିବାକୁ ଦେବେ କୁଆଡ଼ୁ ? ସେ ତାକୁ ଜୀବନ ଦେଲେ । ତାକୁ ପେଟ ପୂରାଇ ଭିଟାମିନ୍ ବଟିକାମାନ ଖୁଆଇ ମୋଟା ତଗଡ଼ା ବନାଇ ସଂସାରକୁ ପଠାଇଦେଲେ ।

 

 

ଯେଉଁ ଦିନ ଆମକୁ ଡିଟେକ୍‌ଟିଭ ବିଭାଗର ଅଫିସରମାନଙ୍କଠାରୁ ଏହି ସମ୍ବାଦ ମିଳିଲା, ତହିଁଆରଦିନ ହିଁ ଡାକ୍ତରବାବୁ ମାଡ୍ରାସ ବାହାରିଲେ ।

ମୁଁ ଟିକେ ଅବାକ୍ ହୋଇ ଉତ୍କଣ୍ଠାରେ ଡାକ୍ତରବାବୁଙ୍କୁ ପଚାରିଲି, ‘‘ଆଚ୍ଛା ଡାକ୍ତରବାବୁ, ହଠାତ୍ ବାହାରିଲେ ଯେ ?’’

‘‘ମାସେ କାଳ ମୁଁ ରୋଗୀଙ୍କୁ ଭୁଲିଯାଇ ନିଜେ ରୋଗୀ ହୋଇଥିଲି । ଏଇଲା ମୋର ରୋଗ ଭଲ ହୋଇଯାଇଛି । ବର୍ତ୍ତମାନ ମୋର ରୋଗୀଙ୍କ ଚିକିତ୍ସା କରିବା ଦରକାର । ମାଡ୍ରାସରେ ଏତେଦିନକୁ କେଜାଣି କେତେ ଲୋକ ମୋର ଅପେକ୍ଷା କରିଥିବେ ।’’

‘‘କଣ କହୁଚନ୍ତି ଆପଣ ?’’

‘‘ଏତେ ଦିନଯାକେ ମୁଁ ଏଇଆ ଭାବି ଦୁଃଖିତ, ଉଦ୍‌ବିଗ୍ନ ଓ ବ୍ୟଥିତ ହେଉଥିଲି ଯେ ମୁଁ ନର୍ତ୍ତକୀ ଯୁବତୀର ଗୋଡ଼ଟି କାଟିଦେଲି, ଚିତ୍ରକରର ଆଖି ବାହାର କଲି ଓ ସାରଙ୍ଗିଆର ହାତ କାଟିଦେଲି; କିନ୍ତୁ ବର୍ତ୍ତମାନ ମୁଁ କଣ ଦେଖିଲି ? ମୁଁ ଅତି ପରିଶ୍ରମ କରି ଗୋଟିଏ ଲୋକକୁ ଆଖି ଦେଇପାରିଛି । ଆଉ ଦୁଇଜଣଙ୍କୁ ହାତ ଗୋଡ଼ ଦେଇଛି । ଏହାର ଉପଯୋଗ କେଉଁ ଭଳି ସେମାନେ କରୁଛନ୍ତି ତାହା ଆପଣ ଦେଖି ସାରିଛନ୍ତି । କାହାରି ଅଙ୍ଗକୁ କାଟି ଦେହରୁ ଅଲଗା କରିବାର ଭାର ମୋ ଉପରେ ଯଦି ଅଛି, ସେହିପରି କାହାରି ହଜିଲା ଅଙ୍ଗ ପୁଣି ଥରେ ଫେରାଇଦେବାର ଭାର ତ ପୁଣି ମୋରି ଉପରେ ରହିଥିବ, ନାହିଁ ?’’

ଡାକ୍ତରବାବୁ କ୍ଷଣକ ଲାଗି ଆଖି ବୁଜିଦେଲେ । ଜ୍ଞାନୋଦୟ ପରେ ପରେ ଡାକ୍ତରବାବୁ କହିଲେ, ‘‘ଭାଇ, ଶଲ୍ୟ ଚିକିତ୍ସା ମୋର ପେଶା । ୟା ପରେ ଏତେଗୁଡ଼େ କଥା ମୋର ଭାବିବାର ନୁହେଁ । ମୋ କାମ ମୁଁ କରିଦେଲେ ମୋର କର୍ତ୍ତବ୍ୟ ଶେଷ । ଭଗବାନ ଯାହା କରନ୍ତି ସେଗୁଡ଼ାକ ନିଜର କାମ ବୋଲି ବିଚାରିବା ମୂର୍ଖତା । ଆଖି, ହାତ, ଗୋଡ଼ କାଟି ଫୋପାଡ଼ିଦେବାର ବା ଠିକ୍ କରିବାର କାମଟି ଗୋଟିଏ ଚିକିତ୍ସକର କାମ ଯାହାର ସମ୍ପର୍କ ତାର ଚିକିତ୍ସା ସାଙ୍ଗରେ । ଭିନ୍ନ ଭିନ୍ନ ଅଙ୍ଗକୁ ଲୋକମାନେ କାମରେ ଲଗାନ୍ତି କି ନାହିଁ, କେଉଁ କାମ ଲାଗି ଓ କେତେ ସମୟ ଲାଗି ତାର ପ୍ରୟୋଗ କରନ୍ତି ଇତ୍ୟାଦି କଥା ସାଙ୍ଗରେ ମୋର କିଛି ଦରକାର ନାହିଁ । ସେଗୁଡ଼ାକ ତ ତାଙ୍କର ନିଜ ନିଜ ଭାଗ୍ୟ ଉପରେ ନିର୍ଭର କରେ ।’’

‘‘ଭାଗ୍ୟକୁ ବଦଳେଇବା ତ ଆପଣଙ୍କର କାମ.....’’

‘‘ନା ! ଥରେ ମୁଁ ଏପରି ଭାବିଥିଲି; କିନ୍ତୁ ଏପରି ଭାବିବା ଠିକ୍ ନୁହେଁ । ଜନ୍ମ, ମରଣ, ରୋଗ, ସ୍ୱାସ୍ଥ୍ୟ ଇତ୍ୟାଦି ବିଷୟରେ ଚିକିତ୍ସା-ଶାସ୍ତ୍ରର ସୀମା ଡେଇଁ ଚିନ୍ତା କରିବା ମୂର୍ଖତା । ଯେବେ ଡାକ୍ତର ଭଗବାନଙ୍କ ଲୀଳାମାନଙ୍କ ଉପରେ ଗବେଷଣା କରିବାକୁ ଲାଗେ, ତାହେଲେ ତ ସେ ରୋଗୀ ହୋଇଯିବ । ତାର ସେଇ ରୋଗର କିଛି ଚିକିତ୍ସା ନାହିଁ । ଚାଲନ୍ତୁ, ଯାଇ ଝରଣାରେ ଗାଧୋଇ ଆସିବା । ତା ପରେ ମୁଁ ଘରକୁ ଚାଲିଯିବି । ମାଡ୍ରାସରେ କେତେ ରୋଗୀ ମତେ ଚାହିଁ ବସିଥିବେ । ମୋର କର୍ତ୍ତବ୍ୟ ମତେ ଡାକୁଛି ।’’

ଏହିପରି କହୁଁ କହୁଁ ଡାକ୍ତର ମୁତ୍ତୁକ୍‌କୁମାରସ୍ୱାମୀ କାଳପ୍ରବାହ ପରି ସତତ ପ୍ରବାହିତ ଝରଣା ଆଡ଼କୁ ବାହାରିପଡ଼ିଲେ ।

Image

 

ଲେଖକ ପରିଚିତି

 

ରାଜାଜୀ (ଚକ୍ରବର୍ତ୍ତୀ ରାଜଗୋପାଳାଚାରୀ)–ଜନ୍ମ ୧୮୭୮ରେ ହୋସୁରଠାରେ । ୧୯୦୦ ମସିହାରେ ସେଲମ୍ ନାମକ ସ୍ଥାନରେ ଓକିଲାତି ଆରମ୍ଭ କଲେ; କିନ୍ତୁ ଅସହଯୋଗ ଆନ୍ଦୋଳନ ସମୟରେ ନିଜର ବ୍ୟବସାୟ ତ୍ୟାଗ କରି ଗାନ୍ଧିଜୀଙ୍କ ସାଥୀ ହେଲେ ଏବଂ ଅନେକ ଥର ଜେଲ୍ ଗଲେ । ଦୁଇଥର ମାଡ୍ୟାସର ମୁଖ୍ୟମନ୍ତ୍ରୀ ହେଲେ । କେନ୍ଦ୍ରୀୟ ମନ୍ତ୍ରୀ, ପଶ୍ଚିମବଙ୍ଗର ରାଜ୍ୟପାଳ ଓ ସ୍ୱତନ୍ତ୍ର ଭାରତର ପ୍ରଥମ ଗଭର୍ଣ୍ଣର ଜେନେରାଲ ଭଳି ପ୍ରତିଷ୍ଠିତ ପଦମାନଙ୍କୁ ମଧ୍ୟ ସେ ଅଳଙ୍କୃତ କରିଥିଲେ । ସେ ଜଣେ ଚିନ୍ତନଶୀଳ କଳାକାର । ରାଜାଜୀ ତାଙ୍କର ଗମ୍ଭୀର ବିଚାରପୂର୍ଣ୍ଣ ଭାଷଣ ଓ ରଚନାମାନଙ୍କ ଦ୍ୱାରା ସାହିତ୍ୟକୁ ସମୃଦ୍ଧ କରିଅଛନ୍ତି ।

 

ପୁଦୁମୈପିତ୍ତନ–ଏହାଙ୍କର ପ୍ରକୃତ ନାମ ଚୋ. ବୃନ୍ଦାଚଳମ୍ । ଜନ୍ମ ୧୯୦୯ରେ ହୋଇଥିଲା । ପୁଦୁମୈପିତ୍ତନ ତିରୁନେଲବେଲୀରେ ରହି ବି. ଏ. ଡିଗ୍ରୀ ପାଇଲେ ଓ ମାଡ୍ରାସ ଯାଇ ପତ୍ରିକାର-ଜଗତରେ ପ୍ରବେଶ କଲେ । ନିଜର ରଚନାଦ୍ୱାରା ସେ ସାହିତ୍ୟ-ଜଗତରେ ନୂତନ ଚେତନା ଉତ୍ପନ୍ନ କରିଥିଲେ । ‘ଦିନମଣି’ ନାମକ ସମ୍ବାଦପତ୍ରର ସହାୟକ ସମ୍ପାଦକରୂପେ କାର୍ଯ୍ୟ କରୁଥିବାବେଳେ ସେ ‘ମଣକ୍‌କୋଡ଼ି’ ପ୍ରଭୃତି ପତ୍ରିକା ଲାଗି ଗମ୍ଭୀର ବିଚାରପ୍ରଧାନ ଗଳ୍ପମାନ ଲେଖିଥିଲେ । ତାଙ୍କର ଗଳ୍ପମାନଙ୍କରେ ନବୀନତା, ବିଚାରର ଗମ୍ଭୀରତା ଓ ଅନୁପମ ପ୍ରଭାବଶୀଳତା ଥିବାରୁ ହିଁ ପୁଦୁମୈପିତ୍ତନ ତାମିଲ ଗଳ୍ପ-ଜଗତରେ ଅମର ରହିଛନ୍ତି । ୧୯୪୮ ମସିହାରେ ତାଙ୍କର ସ୍ୱର୍ଗବାସ ହୋଇଥିଲା ।

 

କୁ. ପା. ରା. (କୁ. ପା. ରାଜଗୋପାଲନ୍)–ଏହାଙ୍କର ଜନ୍ମ ୧୯୦୯ ମସିହା ଓ ସ୍ୱର୍ଗବାସ ୧୯୪୪ ମସିହାରେ ହୋଇଥିଲା । ଶ୍ରୀ ରାଜଗୋପାଲନ୍ ତାମିଲ ବ୍ୟତୀତ ସଂସ୍କୃତ, ଇଂରାଜୀ, ବଙ୍ଗଳା ଆଦି ଭାଷା ଜାଣିଥିଲେ । ତିରୁଚିର ସରକାରୀ କଲେଜରେ ଶିକ୍ଷାଲାଭ ପରେ ସରକାରୀ ଚାକିରି କଲେ । ସ୍ୱାସ୍ଥ୍ୟ ଖରାପ ହୋଇଯିବାରୁ ସେ ଚାକିରି ଛାଡ଼ିଦେଲେ ଓ ସାହିତ୍ୟ-ଜଗତରେ ପ୍ରବେଶ କଲେ । ଗମ୍ଭୀର ଚିନ୍ତନ ଓ ପ୍ରବାହପୂର୍ଣ୍ଣ ଅନେକ ଗଳ୍ପ ରଚନା କରି ସେ ପାଠକ ଓ ଲେଖକ ସମାଜରେ ଆଦର ପାଇଲେ । ଶ୍ରୀ କୁ. ପା. ରା. ଗଳ୍ପରେ ଏକ ନୂତନ ଶୈଳୀ ପ୍ରଦାନ କରିଛନ୍ତି ।

 

ବି. ଏସ୍. ରାମୟା–ଏହାଙ୍କର ଜନ୍ମ ୧୯୦୫ରେ ବଦ୍ଧଲୁଗୁଣ୍ଡ ନାମକ ସ୍ଥାନରେ ହୋଇଥିଲା । ଶ୍ରୀ ରାମୟା ଗଳ୍ପ ବ୍ୟତୀତ ନାଟକ ରଚନାରେ ମଧ୍ୟ ସିଦ୍ଧହସ୍ତ । ସେ ଚଳଚ୍ଚିତ୍ର-ଜଗତରେ ବ୍ୟାପକ କାର୍ଯ୍ୟ କରିଛନ୍ତି । ‘ମଣିକ୍‌କୋଡ଼ି’ ନାମକ ଶ୍ରେଷ୍ଠ ସାହିତ୍ୟ ପତ୍ରିକାର ସମ୍ପାଦକରୂପେ ସେ ତାମିଲ ସାହିତ୍ୟର ଯେଉଁ ସେବା କରିଛନ୍ତି, ତାହା ଚିରନ୍ତନ । ତାମିଲନାଡ଼ୁର ଶ୍ରେଷ୍ଠ ଗଳ୍ପକାରମାନଙ୍କ ମଧ୍ୟରେ ସେ ଜଣେ ।

 

ମୌନୀ–ଏହାଙ୍କର ଜନ୍ମ ୧୯୦୭ ମସିହାରେ ତଞ୍ଜୋର ଜିଲ୍ଲାରେ ହୋଇଥିଲା । ଗଳ୍ପକାରଭାବେ ଏହାଙ୍କର ତାମିଲ ଜନତା ସଙ୍ଗେ ପରିଚୟ ‘ମଣିକ୍‌କୋଡ଼ି’ ନାମକ ପତ୍ରିକା ମାଧ୍ୟମରେ ହୋଇଥିଲା-। ୧୯୩୬ ବେଳକୁ ସେ ତାଙ୍କପାଇଁ ଗୋଟିଏ ନୂଆ ଶୈଳୀ ଗଢ଼ିନେଇ ପାରିଥିଲେ । ସେହି ଶୈଳୀ ପ୍ରତି ଖାଲି ପାଠକ କାହିଁକି, ଅନେକ ପ୍ରସିଦ୍ଧ ଲେଖକ ମଧ୍ୟ ଆକୃଷ୍ଟ ହୋଇଥିଲେ-। ଜୀବନର ଅଖଣ୍ଡତାକୁ ସେ ଗଳ୍ପର ଲଘୁ ପରିସୀମା ମଧ୍ୟରେ ଅଭିବ୍ୟକ୍ତି କରିବାର ଶକ୍ତି ପାଇଛନ୍ତି-

 

ତ. ନା. କୁମାରସ୍ୱାମୀ–ଏହାଙ୍କର ଜନ୍ମ ୧୯୦୭ ମସିହାରେ ଦଣ୍ଡଲମ୍ ନାମକ ଗ୍ରାମରେ ହୋଇଥିଲା । ସେ ସଂସ୍କୃତ, ବଙ୍ଗଳା, ଇଂରାଜୀ ଆଦି କେତେ ଭାଷାର ପଣ୍ଡିତ । ଅନୁବାଦକଳାରେ ମଧ୍ୟ ସୁଦକ୍ଷ । ଆଜିଠାରୁ କୋଡ଼ିଏ ବର୍ଷତଳେ ହିଁ ତାଙ୍କର ଗଳ୍ପମାନ ‘ଆନନ୍ଦ ବିକଟନ’ ନାମକ ସପ୍ତାହିକ ତାମିଲ ପତ୍ରିକା ମାଧ୍ୟମରେ ପ୍ରସିଦ୍ଧ ହୋଇ ସାରିଥିଲେ ।

 

ତୂରନ୍ (ଏମ୍. ପି. ପୈରିୟସାମୀ ତୂରନ୍)–ଏହାଙ୍କର ଜନ୍ମ ୧୯୦୫ ମସିହାରେ ଇରୌଡ଼ ନିକଟସ୍ଥ ଗୋଟିଏ ଗ୍ରାମରେ ହୋଇଥିଲା-। ଅନେକ ବର୍ଷଯାଏ ସ୍କୁଲରେ ହେଡ଼ମାଷ୍ଟର ଭାବେ କାମ କଲାପରେ ସେ ‘କଳୈକ୍କଳଲ୍‌ପିଜୟମ୍’ ନାମକ (କଳାଭଣ୍ଡାର) ତାମିଲ ଜ୍ଞାନକୋଷର ପ୍ରଧାନ ସମ୍ପାଦକ ଭାବେ କାର୍ଯ୍ୟ କରିଥିଲେ-। ସେତେବେଳେ ଶ୍ରୀ ତୂରନ୍ ପିଲାଙ୍କପାଇଁ ‘କଳୈକ୍କଳଲ୍‌ପିଜୟମ୍’ (କଳାଭଣ୍ଡାର) ତିଆରି କରିବାରେ ବ୍ୟସ୍ତ ଥିଲେ । ସେ ଅନେକ କବିତା, କାହାଣୀ, ନିବନ୍ଧ, ନାଟକ, ଶିଶୁ-ସାହିତ୍ୟ ଓ ଗବେଷଣାମୂଳକ ଗ୍ରନ୍ଥମାନ ରଚନା କରି ତାମିଲ ଓ ତାମିଲଭାଷୀ ଜନସାଧାରଣଙ୍କର ଅପାର ସେବା କରିଅଛନ୍ତି-

 

ତି. ଜ. ର. (ତି. ଜ. ରଙ୍ଗନାଥନ୍)–ଜନ୍ମ ୧୯୦୧ ମସିହା । ୧୯୩୩ ମସିହାରେ ଲବଣ ସତ୍ୟାଗ୍ରହରେ ଭାଗ ନେଇଥିବାରୁ ତାଙ୍କୁ ଜେଲ ଯିବାକୁ ପଡ଼ିଥିଲା । ସେ ଅନେକ ପତ୍ରିକାର ସେବା କରିଛନ୍ତି । ସେ ଆଜିକାଲି ‘ମଞ୍ଜରୀ’ ନାମକ ପତ୍ରିକାର ସମ୍ପାଦକ । ଏହାଙ୍କର ଗଳ୍ପମାନ ଅନେକ ତରୁଣ ଗଳ୍ପକାରଙ୍କୁ ପ୍ରଭାବିତ କରିଅଛି । ରଙ୍ଗନାଥନ୍ ଉଚ୍ଚଶିକ୍ଷିତ, ଅତ୍ୟନ୍ତ ଜିଜ୍ଞାସୁ, ବିଦ୍ୱାନ୍ ବ୍ୟକ୍ତି ।

 

ତୀ. ଜାନକୀରାମନ୍–ଜନ୍ମ ୧୯୨୧ । ବି. ଏ ପାସ୍ କରିସାରି ସେ ଅଧ୍ୟାପନର ଟ୍ରେନିଂ ନେଲେ ଓ ଅନେକ ବର୍ଷଯାକେ ଅଧ୍ୟାପନ କରୁଥିଲେ । ଏବେ ସେ ଆକାଶବାଣୀର ସ୍କୁଲ-ବ୍ରଡ଼କାଷ୍ଟ୍ ବିଭାଗରେ ମୁଖ୍ୟ କାର୍ଯ୍ୟକ୍ରମ ସଂଯୋଜକରୂପେ କାର୍ଯ୍ୟ କରୁଛନ୍ତି । ତାଙ୍କର କାହାଣୀମାନଙ୍କର ବିଶିଷ୍ଟତା ହେଉଛି ମନୋଭାବର ସୂକ୍ଷ୍ମ ଓ ସଜୀବ ଚିତ୍ରଣ ।

 

ଆର୍. ବି. (ଆର୍. ବେଙ୍କଟରାମନ୍)–ଆର୍. ବେଙ୍କଟରାମନ୍ ‘କଣ୍ଣନ୍’ ନାମକ ଶିଶୁପତ୍ରିକାର ସମ୍ପାଦକ । ସେ ଅନେକ ଗଳ୍ପ ଓ ଉପନ୍ୟାସ ଲେଖି ଖ୍ୟାତି ଅର୍ଜନ କରିଛନ୍ତି । ଶିଶୁଙ୍କପାଇଁ ବିଶେଷ ରୀତିରେ ଲେଖିବାର ଯୋଗ୍ୟତା ତାଙ୍କର ଅଛି । ଜୀବନର ସାଧାରଣ କଥାକୁ ବି ଆକର୍ଷକ ରୀତିରେ ପ୍ରକାଶ କରିବାରେ ସେ ପଟୁ । ଜୀବନର ସୁଖଦୁଃଖର ଚିତ୍ରଣ କରି ପାଠକଙ୍କର ଚିନ୍ତନଶକ୍ତି ଜାଗ୍ରତ କରିବାର କ୍ଷମତା ତାଙ୍କ ଗଳ୍ପମାନଙ୍କର ବିଶେଷତ୍ୱ ।

 

ଏଲ୍. ଏସ୍. ରାମାମୃତମ୍–ଜନ୍ମ ୧୯୧୩ ମସିହାରେ । ଯୌବନକାଳରୁ ହିଁ ସେ ଇଂରାଜୀ ଓ ତାମିଲଭାଷାରେ ଲେଖିବାକୁ ଲାଗିଲେ । ତାଙ୍କର ଗଳ୍ପମାନ ତାମିଲ ପାଠକଙ୍କୁ ପ୍ରଭାବିତ କରିଅଛି । ଗଳ୍ପ ମାଧ୍ୟମରେ କୌଣସି ଗମ୍ଭୀର ବିଚାର ପ୍ରକାଶ କରିବାର ଶକ୍ତି ଅଛି ତାଙ୍କର । ଏହି କାରଣରୁ ତାଙ୍କର ଗଳ୍ପମାନଙ୍କରେ ଗୋଟିଏ ସୌନ୍ଦର୍ଯ୍ୟ, ଗୋଟିଏ ବିଶିଷ୍ଟତା ଦେଖିବାକୁ ମିଳେ । ତାଙ୍କର ବିଶ୍ୱାସ, ସାହିତ୍ୟ ମାଧ୍ୟମରେ ଉଚ୍ଚରୁ ଉଚ୍ଚତର ଲକ୍ଷ୍ୟମାନ ପୂରଣ ହୋଇପାରିବ । କଳାଗତ ଏହି ତତ୍ତ୍ୱ ସଙ୍ଗେ ସାହିତ୍ୟ-ଜଗତରେ ପ୍ରବେଶ କରି ସେ ଅନେକ ସୁନ୍ଦର କଥାକୃତି ପ୍ରଦାନ କରିଛନ୍ତି ।

 

ରଘୁନାଥନ୍ (ତୋ. ମୁ. ଚିଦମ୍ବର ରଘୁନାଥନ୍)–ୟେ ଚିରୁନେଲବେଲୀର ପ୍ରସିଦ୍ଧ ଚିତ୍ରକାର ମୁତ୍ତୈୟା ତୋଣ୍ଡୈମାନ୍‌ଙ୍କର କନିଷ୍ଠ ପୁତ୍ର । ପିଲାଦିନୁ କବିତା ପ୍ରତି ବିଶେଷ ଆଗ୍ରହ ଥିଲା-। ଲଘୁକଥା ଓ ଦୀର୍ଘଗଳ୍ପ ରଚନା କରିବାର ଶକ୍ତି ମଧ୍ୟ ପାଇଛନ୍ତି । ପୁଦୁମୈପିତ୍ତନଙ୍କ ସଙ୍ଗେ ରହି ରଘୁନାଥନ୍ ମଧ୍ୟ ତାଙ୍କପରି ନିଜସ୍ୱ ଏକ ଶୈଳୀ ଗଠନ କଲେ । ସେହି ଶୈଳୀର ଅନେକ ଶ୍ରେଷ୍ଠ କଥାକୃତି ରଚନା କରି ସେ ତାମିଲ ଭାଷା ଓ ସାହିତ୍ୟର ସମୁଚିତ ସେବା କରୁଅଛନ୍ତି ।

 

ଡୀ. ଜୟକାନ୍ତନ୍–ଜନ୍ମ ୧୯୨୪ରେ କଡ଼ଲୁର ବୋଲି ସ୍ଥାନରେ । ତାଙ୍କର ବିପ୍ଳବଧର୍ମୀ ବିଚାରଧାରା ଯୋଗୁଁ ସେ ସିନେମା-ଜଗତ ଓ ସାହିତ୍ୟ-ଜଗତକୁ ପ୍ରଭାବିତ କରିଛନ୍ତି । ଶ୍ରୀ ଜୟକାନ୍ତନ୍ ପ୍ରାୟ ଦୁଇଶହରୁ ବେଶୀ ଗଳ୍ପ ଲେଖିଛନ୍ତି । ବିଭିନ୍ନ ଗଳ୍ପରେ ତାଙ୍କର ରୁଚି ଦେଖିବାକୁ ମିଳେ । ତାଙ୍କର ଦୃଢ଼ମତ ଏହି ଯେ ପ୍ରତ୍ୟେକ କ୍ଷେତ୍ରରେ ଆମର ନିଶ୍ଚିତ ମତଟିଏ ଥିବା ଦରକାର । ବିପ୍ଳବାତ୍ମକ ଚିନ୍ତାଧାରା ଓ କଳାର ସୂକ୍ଷ୍ମତା ଏହାଙ୍କ ଗଳ୍ପରେ ଦେଖିବାକୁ ମିଳେ ।

 

ଶ୍ରୀମତୀ ରାଜମ୍‌କୃଷ୍ଣନ୍–ଜନ୍ମ ୧୯୨୫ରେ ତିରୁଚି ଜିଲ୍ଲାରେ ହୋଇଥିଲା । ଇଞ୍ଜିନିୟର ସ୍ୱାମୀଙ୍କ ସଙ୍ଗେ ବହୁବର୍ଷ ପାର୍ବତ୍ୟ ଅଞ୍ଚଳରେ ବିତାଇଥିଲେ ସେ । ସେ ନିଜ ଜୀବନର ବିନୋଦପୂର୍ଣ୍ଣ ଅଭିଜ୍ଞତାମାନଙ୍କୁ ଗଳ୍ପରେ ରୂପ ଦେଇଛନ୍ତି । ଶ୍ରୀମତୀ କୃଷ୍ଣନ୍ ଅନେକ ଉପନ୍ୟାସ, ଗଳ୍ପ ଓ ନାଟକ ରଚନା କରି ପର୍ଯ୍ୟାପ୍ତ ଖ୍ୟାତି ଅର୍ଜନ କରିଛନ୍ତି । ପ୍ରାୟ ତିନିବର୍ଷ ହେଲା ତାମିଲରେ ସାହିତ୍ୟ ରଚନାରେ ସଂଲଗ୍ନ ରାଜମ୍ କୃଷ୍ଣନ୍‌ଙ୍କର ଗଳ୍ପମାନଙ୍କରେ ଚିନ୍ତନ ଓ ସୂକ୍ଷ୍ମ କଳାତ୍ମକ ସୌନ୍ଦର୍ଯ୍ୟ ଦେଖିବାକୁ ମିଳେ ।

 

ଜୁ. ଅଲଗିରିସାମୀ–୧୯୨୧ ମସିହାରେ ତିରୁନେଲବେଲୀ ଜିଲାର ଇଡ଼ୈଶେବଲ୍ ନାମକ ଗ୍ରାମରେ ଜନ୍ମ । ସେ ୧୯୪୬ ମସିହାରେ ଲେଖାଲେଖି ଆରମ୍ଭ କଲେ । ବିଭିନ୍ନ ପତ୍ରିକାଲାଗି ନାନାପ୍ରକାର ସୁନ୍ଦର ରଚନା ଲେଖିବା ସଙ୍ଗେ ସଙ୍ଗେ ପତ୍ରିକାର ସହାୟକ ସମ୍ପାଦକ ବି ଥିଲେ । ସେ ଦଶଟି ଗଳ୍ପସଂଗ୍ରହ, ଛଅଟି ପ୍ରବନ୍ଧ ସଙ୍କଳନ, ଦୁଇଟି ନାଟକ ଓ ଶିଶୁମାନଙ୍କ ପାଇଁ ଦୁଇଟି ଗଳ୍ପସଂଗ୍ରହ ପ୍ରକାଶ କରିବା ସଙ୍ଗେ ସଙ୍ଗେ ସାହିତ୍ୟିକ ଗବେଷଣାମୂଳକ ପୁସ୍ତକ ମଧ୍ୟ ପ୍ରକାଶ କରିଛନ୍ତି । ସେ ଗାନ୍ଧିବାଦର ପ୍ରବଳ ସମର୍ଥକ । ସେ ଅନେକ କୃତିର ଅନୁବାଦ କରିଛନ୍ତି । ଆକାଶବାଣୀରୁ ବରାବର ପ୍ରସାରଣ କରିଥାନ୍ତି ।

 

ନ. ପିଚ୍ଚମୂର୍ତ୍ତି–ସେ ୧୯୦୦ ମସିହାରେ ଜନ୍ମ ହୋଇଥିଲେ । ଅଠତ୍ରିଶ ବର୍ଷ ବୟସଯାକେ ସେ ଓକିଲାତି କଲେ । ଏହା ପରେ ଓକିଲାତି ଛାଡ଼ି ପତ୍ରକାର-କ୍ଷେତ୍ରକୁ ଆସିଲେ । ବିଚାରୋତ୍ତେଜକ ଗଳ୍ପମାନ ଲେଖି ସେ ଜନତାର ପ୍ରଶଂସାର୍ହ ହେଲେ ଓ ସାହିତ୍ୟଜଗତରେ ନିଜସ୍ୱ ଏକ ବିଶିଷ୍ଟ ସ୍ଥାନ କରିନେଲେ । ତାଙ୍କ ଗଳ୍ପରେ ଜୀବନର ଖଣ୍ଡି ଚିତ୍ରମାନ ତିଆରି କରିବା ସଙ୍ଗେ ସଙ୍ଗେ ମାନସିକ ପ୍ରବୃତ୍ତିମାନ ଓ ଅଲୌକିକ ଅଭିଜ୍ଞତାମାନଙ୍କୁ ମଧ୍ୟ ମାମକ ପ୍ରଭାବଶାଳୀ ଭାଷାରେ ବ୍ୟକ୍ତ କରିବାରେ ସେ ସିଦ୍ଧହସ୍ତ ।

 

ଅଖିଲନ (ଅଖିଲାଂଡମ୍)–୧୯୨୩ ମସିହାରେ ଜନ୍ମ । ସେ ଯୌବନକାଳରୁ ହିଁ ସାହିତ୍ୟଜଗତରେ ପ୍ରବେଶ କରିଥିଲେ । ସେ ତାଙ୍କର ଉପନ୍ୟାସ ଓ ଗଳ୍ପ ମାଧ୍ୟମରେ ବହୁପାଠକଙ୍କୁ ଆକୃଷ୍ଟ କରିଥିଲେ । କିଛିଦିନ ଚଳଚ୍ଚିତ୍ରରେ ବି କାମ କରିଥିଲେ । ବର୍ତ୍ତମାନ ସେ ଆକାଶବାଣୀର ମାଡ୍ରାସ କେନ୍ଦ୍ରରେ ବାର୍ତ୍ତା-ସଂଯୋଜକ ଭାବରେ କାମ କରୁଛନ୍ତି । ଶ୍ରୀ ଅଖିଲନ୍ ତାମିଲ ସାହିତ୍ୟ-ଜଗତର ପ୍ରସିଦ୍ଧ ଓ ଗୌରବପ୍ରାପ୍ତ ଲେଖକଙ୍କ ମଧ୍ୟରେ ଅଗ୍ରଗଣ୍ୟ ହୋଇଛନ୍ତି ।

 

କଲ୍‌କି (ରା. କୃଷ୍ଣମୂର୍ତ୍ତି)–୧୮୯୯ ମସିହାରେ ଜନ୍ମ । ଶ୍ରୀ କଲ୍‌କି କୃଷ୍ଣମୂର୍ତ୍ତି ଅସଂଖ୍ୟ ଗଳ୍ପ, ନିବନ୍ଧ, ଗୀତ, ସମାଲୋଚନାତ୍ମକ ଗ୍ରନ୍ଥ ରଚନା କରି ସକଳ କ୍ଷେତ୍ରରେ ଅପାର ଖ୍ୟାତି ଅର୍ଜନ କଲେ । କିଛିଦିନ ‘‘ଆନନ୍ଦ ବିକଟନ’’ ନାମକ ସାପ୍ତାହିକ ପତ୍ରିକାର ପ୍ରଧାନ ସଂପାଦକ ଥିଲେ । ପରେ ‘‘କଲ୍‌କି’’ ନାମରେ ସେ ନିଜର ଏକ ପତ୍ରିକା ବାହାର କଲେ । ସାହିତ୍ୟ ଜଗତରେ ସେ ‘‘ସାହିତ୍ୟସମ୍ରାଟ୍’’ ନାମରେ ପରିଚିତ । ୧୯୫୪ ମସିହାରେ ଏହାଙ୍କର ସ୍ୱର୍ଗବାସ ହେଲା ।

 

ନା. ପାର୍ଥସାରଥୀ–୧୯୩୨ରେ ରାମନାଥପୁରମ୍ ଜିଲ୍ଲାର ନିଦିକ୍‌କୁଡ଼ି ନାମକ ଗ୍ରାମରେ ଜନ୍ମ । ସେ ଅନେକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ତାମିଲ ଶିକ୍ଷକଭାବେ କର୍ମ କରିଛନ୍ତି । ସେ କିଛି ବର୍ଷ ‘‘କଲ୍‌କି’’ ନାମକ ପତ୍ରିକାର କାର୍ଯ୍ୟାଳୟରେ ବି କାମ କଲେ । ବର୍ତ୍ତମାନ ସେ ନିଜେ ‘‘ଦୀପମ୍’’ ନାମକ ପତ୍ରିକା ବାହାର କରୁଛନ୍ତି । ଶ୍ରୀ ପାର୍ଥସାରଥୀ ଅନେକ ଉପନ୍ୟାସ ଓ କାହାଣୀ ଲେଖି ପ୍ରସିଦ୍ଧି ପାଇଛନ୍ତି । ସେ ତାଙ୍କ ଗଳ୍ପମାନଙ୍କରେ ମାନବମନର ବିଶ୍ଳେଷଣ ଏକ ନୂଆ ଦୃଷ୍ଟିକୋଣରୁ କରିଛନ୍ତି ।

 

ସୋମୁ (ମୀ. ପି. ସୋମସୁନ୍ଦରମ୍)–ଜନ୍ମ ୧୯୨୧ ମସିହା, ତରୁନେଲବେଲୀରେ । ତାମିଲ ବ୍ୟତୀତ ଇଂରାଜୀ, ସଂସ୍କୃତ ଆଦି ଭାଷାରେ ପାରଦର୍ଶୀ । କବିତା, ଗଳ୍ପ, ନିବନ୍ଧ ଆଦି ବିଭିନ୍ନ ବିଭାଗରେ ଅନେକ ଶ୍ରେଷ୍ଠ କୃତିର ରଚୟିତା । ଏହାଙ୍କୁ ତାଙ୍କର ଶ୍ରେଷ୍ଠ କୃତି ଉପରେ ‘‘ଆନନ୍ଦ ବିକଟନ’’ ପତ୍ରିକାର ଶ୍ରେଷ୍ଠ ଗଳ୍ପ ପ୍ରତିଯୋଗିତାର ପୁରସ୍କାର ମିଳିଛି । କିଛିବର୍ଷ ସେ ‘କଲ୍‍କି’ ପତ୍ରିକାର ସମ୍ପାଦକ ଥିଲେ । ଇଂଲଣ୍ଡରେ ପ୍ରସାରଣ-କଳାରେ ପ୍ରଶିକ୍ଷିତ ଶ୍ରୀ ସୋମୁ ଆକାଶବାଣୀର ଜଣେ ମୁଖ୍ୟ କାର୍ଯ୍ୟକ୍ରମ ସଂଯୋଜକ ।

 

ନ୍ୟାସ୍‌ନାଲ ବୁକ୍ ଟ୍ରଷ୍ଟ, ଇଣ୍ଡିଆ, ବର୍ତ୍ତମାନ ସୁଦ୍ଧା ପ୍ରାୟ ୪୦୦ରୁ ଅଧିକ ପୁସ୍ତକ ଇଂରାଜୀ ଓ ବିଭିନ୍ନ ଭାରତୀୟ ଭାଷାରେ ପ୍ରକାଶ କରିସାରିଲାଣି । ଟ୍ରଷ୍ଟର ବର୍ତ୍ତମାନ ପ୍ରକାଶନ କାର୍ଯ୍ୟକ୍ରମ ମଧ୍ୟରେ ନିମ୍ନଲିଖିତ ପୁସ୍ତକମାଳା ଅନ୍ତର୍ଭୁକ୍ତ ।

 

୧ । ଭାରତବର୍ଷ : ଦେଶ ଓ ଦେଶବାସୀ

 

ଆମର ସାଧାରଣ ଶିକ୍ଷିତ ବ୍ୟକ୍ତିମାନଙ୍କୁ ଦେଶର ଭୂଗୋଳ, କୃଷି, ଭାଷା, ସାହିତ୍ୟ, ସଂସ୍କୃତି ଓ ଜନ-ଜୀବନ ପ୍ରଭୃତି ବିଭିନ୍ନ ବିଷୟରେ ସମ୍ୟକ୍ ଧାରଣା ଦେବା ହିଁ ଏହି ପୁସ୍ତକମାଳାର ଉଦ୍ଦେଶ୍ୟ । ସଂକ୍ଷେପରେ କହିବାକୁ ଗଲେ, ସରଳ-ସୁବୋଧ୍ୟ-ଶୈଳୀରେ ଲିଖିତ ଏହି ପୁସ୍ତକମାଳା ଯେପରି ଏକ ବିଶ୍ୱକୋଷରେ ପରିଣତ ହେବ ସେଥିଲାଗି ଆମେ ଆଶା ରଖୁଛୁ ।

 

୨ । ଜାତୀୟ ଜୀବନ-ଚରିତମାଳା

 

ଏହି ପୁସ୍ତକମାଳାର ପ୍ରାୟ ଏକ ଶତ ପୁସ୍ତକରେ ଭାରତର ମହାନ୍ ସ୍ତ୍ରୀ-ପୁରୁଷମାନଙ୍କର ସଂକ୍ଷିପ୍ତ ଜୀବନୀ ଦେବାର ପ୍ରଚେଷ୍ଟା କରାଯାଉଛି ।

 

୩ । ଲୋକପ୍ରିୟ ବିଜ୍ଞାନମାଳା

 

ଆଧୁନିକ ବିଜ୍ଞାନର ବିକାଶ ଓ ପ୍ରଗତି ବିଷୟରେ ଜନସାଧାରଣଙ୍କୁ ଅବଗତ କରାଇ ତଥା ଆଜିର ଜୀବନରେ ବିଜ୍ଞାନର ଉପଯୋଗିତା ଓ ଗୁରୁତ୍ୱ ବିଷୟରେ ସମ୍ୟକ୍ ଧାରଣା ଦେବା ହିଁ ଏହି ପୁସ୍ତକମାଳାର ଉଦ୍ଦେଶ୍ୟ ।

 

୪ । ବିଶ୍ୱବିଖ୍ୟାତ ଗ୍ରନ୍ଥମାଳା

 

ବିଭିନ୍ନ ରାଷ୍ଟ୍ରର ଉନ୍ନତ ଚିନ୍ତାଧାରା ବହନ କରି ପ୍ରକାଶିତ ହୋଇଥିବା ପୁସ୍ତକାବଳୀକୁ ବିଭିନ୍ନ ଭାରତୀୟ ଭାଷାରେ ସରଳ ଅନୁବାଦ କରିବା ଏହି ଯୋଜନାର ଅନ୍ତର୍ଭୁକ୍ତ ।

 

୫ । ଭାରତୀୟ ଲୋକସଂସ୍କୃତି

 

ଦେଶର ବିଭିନ୍ନ ପ୍ରାନ୍ତର ଲୋକସଂସ୍କୃତି ଉପରେ ଆଧାରିତ ଏହି ପୁସ୍ତକମାଳା ଜାତୀୟ ଏକତା ବୃଦ୍ଧିରେ ସାହାଯ୍ୟ କରିବ ବୋଲି ଆଶା ।

 

୬ । ଆଜିର ଦୁନିଆ

 

ବିଭିନ୍ନ ଦେଶର ଇତିହାସ ବା ତଥ୍ୟମୂଳକ ବିଷୟବସ୍ତୁସମ୍ବଳିତ ଏହି ପୁସ୍ତକାବଳୀ ସୁବୋଧ୍ୟ ଭାଷାରେ ଲେଖାଯିବ ଓ ସାଧାରଣ ପାଠକମାନଙ୍କୁ ଯୋଗାଇ ଦିଆଯିବ ।

 

୭ । ତରୁଣ-ଭାରତୀ

 

ଭାରତର ତରୁଣଗୋଷ୍ଠୀର ଆବଶ୍ୟକତାକୁ ଆଖିଆଗରେ ରଖି ଏହି ପୁସ୍ତକମାଳା ଆରମ୍ଭ କରାଯାଇଛି । ଦେଶର ଗରିମାମୟ ଅତୀତ ଓ ପ୍ରେରଣାଦାୟକ ଘଟଣାବଳୀରେ ଏହି ପୁସ୍ତକଗୁଡ଼ିକୁ ସମୃଦ୍ଧ କରିବାର ଚେଷ୍ଟା କରାଯାଉଛି ।

 

ଜାତୀୟ ଏକତାରେ ସହଯୋଗ

 

୮ । ନେହେରୁ ବାଳପୁସ୍ତକାଳୟ

 

ଶିଶୁର ହୃଦୟରେ ଜାତୀୟ ଏକତାର ଭାବନା ଉଦ୍ରେକ କରିବା ଲକ୍ଷ୍ୟ ନେଇ ଏହି ସଚ୍ଚିତ୍ର ପୁସ୍ତକଗୁଡ଼ିକୁ ସହାୟକ ପାଠ୍ୟପୁସ୍ତକରୂପେ ପ୍ରସ୍ତୁତ କରାଯିବ । ଇଂରାଜୀ ଓ ସମସ୍ତ ଭାରତୀୟ ଭାଷାରେ ପୁସ୍ତକଗୁଡ଼ିକ ପ୍ରକାଶିତ ହେବ ।

 

୯ । ଆଦାନ-ପ୍ରଦାନ

 

ପ୍ରତ୍ୟେକ ଭାରତୀୟ ଭାଷାର ଦଶଟି ବିଖ୍ୟାତ ପୁସ୍ତକ ଅନ୍ୟ ସମସ୍ତ ଭାରତୀୟ ଭାଷାରେ ଅନୁବାଦ କରିବା ଏହି ଯୋଜନାର ଅନ୍ତର୍ଭୁକ୍ତ ।

 

ବର୍ତ୍ତମାନ ଉପଲବ୍‌ଧ ହେଉନଥିବା ମହତ୍ତ୍ୱପୂର୍ଣ୍ଣ ପୁରାତନ ପୁସ୍ତକ ଓ ଉପାଦେୟ ନୂତନ ପାଣ୍ଡୁଲିପିର ପ୍ରକାଶନ ଦାୟିତ୍ୱ ମଧ୍ୟ ଟ୍ରଷ୍ଟ ବହନ କରିଥାଏ ।

 

ଉପରୋକ୍ତ ପୁସ୍ତକମାଳାର ପୁସ୍ତକାବଳୀ ସଂପୃକ୍ତ କ୍ଷେତ୍ରରେ ଗବେଷଣା କରିଥିବା ବିଶିଷ୍ଟ ବ୍ୟକ୍ତିମାନଙ୍କଦ୍ୱାରା ଲେଖାଯାଏ । ସୁନ୍ଦର ଓ ସୁଦୃଶ୍ୟ ମୁଦ୍ରଣ ସଙ୍ଗେ ସଙ୍ଗେ ଉଚିତ ମୂଲ୍ୟରେ ଯେପରି ପୁସ୍ତକ ଯୋଗାଇ ଦିଆଯାଇ ପାରିବ, ସେଥିପ୍ରତି ଲକ୍ଷ୍ୟ ରଖାଯାଏ ।

Image